Unknown

 

 

 

 

 

 

 

 

 

ତୁଣ୍ଡ ବାଇଦ

କାହ୍ନୁଚରଣ ମହାନ୍ତି

 

 

ଚଇତି ଆକାଶର ଛାତି ଉପରେ ଖଣ୍ଡ ଖଣ୍ଡ ଭଙ୍ଗା-ବଉଦ ଥିରି ପବନରେ ଭାସିଯାଉଥାଏ । କେତେବେଳୁ ଛାଇ ଲେଉଟିଲାଣି । ବରୁଣେଇ ହାଟରୁ ଆମେ ଦିହେଁ ଘରମୁହାଁ ହୋଇ ଫେରୁଥାଉଁ । ଗଦାଏ ବାଟ ବାକି ଅଛି, ଗହୀର ମଝିରେ ଶଗଡ଼ଗୁଳା, ସେହି ଆମର ବାଟ । ଆଗରେ ପଛରେ ଦୂରେଇ ଦୂରେଇ କେତେ ଲୋକ ଫେରୁଛନ୍ତି । ସେମାନଙ୍କ ଆଡ଼କୁ ଆମର ନିଘା ନାହିଁ । ତାଙ୍କ କଥାରେ କାନ ଦେବାକୁ ଆମର ତର ନାହିଁ । ଆମେ ଦିହେଁ ନିଜ ନିଜର ଭାବନାରେ ମଜିଯାଇଥାଉ ।

ରାଜିବୋଉ ଖୁଡ଼ୀ କଅଣ ଭାବୁଥାଏ କେଜାଣି, ମୁଁ ମୋର ସେଦିନର ସୈାଭାଗ୍ୟ କଥା ଭାବୁଥାଏଁ । ବରୁଣେଇ ହାଟ, ଆଖପାଖ ତିରିଶି ଖଣ୍ଡି ଗାଁର ଲୋକ ଯା ଆସ କରନ୍ତି । ଖରିଦ ବିକ୍ରୀ ହୁଏ । କେତେ ଗାଁରୁ ବେପାରୀମାନେ ଗାଡ଼ି ଗାଡ଼ି ପରିବାପତ୍ର ଆଣି ଗଦା କରନ୍ତି । ଆମର ବୋଝ ପରିବାକୁ କିଏ ପଚାରିବ ? ବାର ଘର ବୁଲି, ପରିବା ବୋଝ ଧରି ତିନି କୋଶ ବାଟ ଚାଲିଚାଲି ଆସି ହାଟରେ ବସିବା କଥା । କେତେ ହାଟପାଳି ତ ଯାଇଛି, ସଞ୍ଜ ପହରଯାଏ ବସି ବସି ପଇସା ପାଞ୍ଚଣା କି ଛଅଣା ଲାଭ ବାହାରିବା କଷ୍ଟ ।

ଆଜି ବଡ଼ ଭାଗ୍ୟ । ବାବୁଟି କିଏ କେଜାଣି, କେତେ ପସରା ପାଖରେ ପଚାରି ପଚାରି ଆସି ମୋରି ପରିବା ତାଙ୍କର ପସନ୍ଦ ହେଲା । ସବୁ ଓଜନ କରାଇନେଲେ । ମୂଲଚାଲ ନାହିଁ, ଯାହା ମୋ ମୁହଁରୁ ବାହାରିଲା ସେଇଆ । ଚାକର ଟୋକା ଦରଦାମ କରିବାକୁ ବସିଲାରୁ ଓଲଟି ସେ ଆକଟି କହିଲେ । ଭଲ ବାବୁଟିଏ ! ଘଣ୍ଟାକ ଭିତରେ ମୋ କାମ ସରିଗଲା । ଟଙ୍କାକରୁ ବେଶି ଲାଭ ହେଲା । କେତେବେଳୁ ଫେରିଆସନ୍ତିଣି । ଏଇ ରାଜିବୋଉ ଖୁଡ଼ୀ ପାଇଁ ସଞ୍ଜ ହେଲା । ସେରେ ଅଧସେରେ କରି କେତେ ଗରାଖଙ୍କୁ ବିକୁ ବିକୁ ତାର ବେଳ ବୁଡ଼ିଲା ।

ପିଲାଟା କାନ୍ଦୁଥିବ । ବୋଉ ବୁଢ଼ୀଲୋକ, ସମ୍ଭାଳି ରଖିବାକୁ ବିରକ୍ତ ହେଉଥିବ । ସଞ୍ଜ ହୋଇଆସୁଛି । ଗହୀର ବିଲ ବାଟ । ରାଜିବୋଉ ମଠେଇ ମଠେଇ ଚାଲିଛି । ବୁଢ଼ୀ ମଣିଷ, କଅଣ କରିବ ? ସାଥୀ ହୋଇ ଆସିଥାଇଁ, ତାକୁ ପଛରେ ଛାଡ଼ି ଆଗେ ଆଗେ ଚାଲିଯାଇ ପାରୁନାହିଁ । ମନ ଉଡ଼ିଯାଉଛି, ହେଲେ ପିଣ୍ଡ ଚଳୁନାହିଁ । ଡରି ଡରି କହିଲି–ଖୁଡ଼ି, ଟିକିଏ ସହଳ ଗୋଡ଼ ପକା ମ, ସଞ୍ଜ ବୁଡ଼ିଆସିଲା ଯେ ।

ସେ ମୁହଁ ଭୁର୍କୁଣ୍ଡା କରି ଜବାବ ଦେଲା, ସହଳ ସହଳ ପାହୁଣ୍ଡ ଚାଳିବାକୁ ବଳ ବଅସ ଅଛି କି ମୋର, ତୁ ସିନା ଟୋକା ହୋଇଛୁ, ହାତକେ ଯାଇ ଗୋଡ଼ ପଡ଼ୁଛି, ମନ ପବନରେ ଉଡ଼ୁଛି । ମୋର ଆଉ ସେ ଦିନ ନାହିଁ ଲୋ ମା ।

ମନ ଉଡ଼ୁଛି ସତରେ । ପିଲାଟାର କାନ୍ଦ କାନରେ ବାଜିଯାଉଛି । କେତେ ଖୋଜୁଥିବ । ସେ ପୁଣି ଯେମିତି ହୋଇଛି, କାନ୍ଦର ରିହ ଯଦି ଧରିଥିବ, ତୁନି କରିବ ପୁଣି କିଏ ? ବୋଉ ବା କଅଣ କରିବ ? ଏହି ସବୁ କାରଣରୁ ପିଲାକୁ ଛାଡ଼ି ହାଟକୁ ଆସିବାକୁ ମନ ହୁଏ ନାହିଁ । ତୋରି ବାଧ୍ୟରୁ ଆସିବା କଥା ।

ମୋରି ବାଧ୍ୟରୁ କାହିଁକି ଲୋ ? ମନ ହେଲେ ଆସିବୁ, ମନ ନହେଲେ ନଆସିବୁ । କ୍ଷତି ହେଲେ କିଏ କାହାର ଭରଣା କରିବ ନା ଲାଭ ହେଲେ କିଏ କାହାକୁ ଚାରିପଇସା ଗଣିଦେବ ।

କେଉଁ କଥାରୁ ଆଣି ବୁଲାଇ ବୁଲାଇ ସେ କେଉଁଠି ଥୋଇଲା ମୁଁ ବୁଝିଲି । ଠାକୁରଙ୍କ ଦୟାରୁ ଆଜି ମୋର ଭଲ ଦି ପଇସା ଲାଭ ହୋଇଛି ବୋଲି ଈର୍ଷାରେ ସେ ଜଳିଯାଉଛି । ତିନି ପ୍ରାଣୀ ଜୀବ ଆମେ, ଖାଇବା ବିନା ଗାଁରେ ବାର ହଇରାଣ ହରକତ ହେଉଥିଲୁଁ । ତିନି ଓଳିରେ ପେଜପାଣି ଟିକିଏ ମିଳିବା କଷ୍ଟ ହେଉଥିଲା । ବୋଉ ବୁଢ଼ୀଲୋକ । ତଥାପି, ପରଘରେ ପାଇଟି କରି ନିଜର ପେଟପାଟଣା ପୋଷନ୍ତା । ମୋର ବି କିଛି ଅଭାବ ପଡ଼ନ୍ତା ନାହିଁ । କାହା ଦୁଆରେ ମୂଲ ଲାଗିଲେ ଅବଶ୍ୟ ଚାରି ପଇସା ମିଳନ୍ତା; କିନ୍ତୁ ପିଲାଟାକୁ ଛାଡ଼ି କୁଆଡ଼େ ଯିବି ? ଜଣେ କେହି ଘରେ ନ ରହିଲେ ନହୁଏ । ଆଉ, ଜଣେ ଯଦି ଘରେ ରହେ, ନିତି ମୂଲରେ ଆର ଜଣଙ୍କ ପକ୍ଷରେ କୁଟୁମ୍ବ ପୋଷିବା କଷ୍ଟ ।

ରାଜିବୋଉ ସାହସ ଦେଲା । କହିଲା, ସବୁଦିନେ ଯେମିତି ମୂଲପାତି ଲାଗୁଛୁ, ସେମିତି ଚାଲିଥାଉ, ସାତଦିନେ ଦି ପାଳି ହାଟ, ଟଙ୍କା ଦିଟା ପାଣ୍ଠି କରି ହାଟକୁ ପରିବାପତ୍ର ନେଇଗଲେ ନିଶ୍ଚୟ ନିତି ମୂଲରୁ ଅଧିକ ମିଳିବ ।

ଗହଣାଗାଣ୍ଠି ଯେଉଁ ଦି’ଖଣ୍ଡି ଥିଲା, ସେତକ ବିକ୍ରୀ କରି କିଛିଦିନ ଚଳିଯାଇଥିଲା । ବାକି ଥିଲା ଫୁଲଗୁଣାଟି । ରାଜିବୋଉ ସାହାଯ୍ୟରେ ସେ ଖଣ୍ଡିକ ବନ୍ଧା ଦେଇ ଦିଓଟି ଟଙ୍କା ଆଣିଲି । ସେତିକି ମୋର ପାଣ୍ଠି, ସେତିକି ମୋର ସମ୍ବଳ । ସେଇ ଟଙ୍କା ଦିଓଟିକୁ ଖଟାଇ ଦେହ ମିହନ୍ତ କରି ହାଟପାଳିକୁ ହାଟପାଳି ଯାହା ରୋଜଗାର ହୁଏ, ସେତିକିରେ ନିତି ମୂଲ ମିଶାଇ ଦୁଃଖେ କଷ୍ଟେ ବେଳ କଟେ । ପଚାରିଲି, ତୋର କଅଣ କ୍ଷତି ହେଲା ଖୁଡ଼ି, ଏମିତି ମନ ଦୁଃଖ କରୁଛୁ ଯେ ?

କ୍ଷତି ହେବାକୁ ମଣିଷ ବେଉସା କରେ ନାହିଁ ଲୋ । ସକାଳୁ ସଞ୍ଜଯାଏ ବସି ଖରାରେ ସିଝି ସିଝି କେତେ ଧିକ୍‌ଚିକ୍‌ କେତେ ହାତ ଛିଞ୍ଚି’ଡ଼ାରେ ପଇସା ଦିଅଣା କି ଦଶଟା ମିଳିବା କଥା । ଆଜି ଫେର ଗରାଖଙ୍କର ଭାରି କଟାଳ । ହକ୍‌ ଦାମ୍‌ ଛିଣ୍ଡାଇ ଦଣ୍ଡି ଦେଖି ଓଜନ କରି ନେବେ, ତହିଁରେ ପୁଣି ଲାଭ ଲାଭ କହି ପସରାରେ ହାତ ପୂରାଇବେ । ଦିକ୍‌ଦାରିଆ କାମ । ମଣିଷର ପ୍ରକୃତି ବିଗିଡ଼ିଯିବ । ଶେଷରେ ପୁଣି ଦେଖିଲା ବେଳକୁ ଅଧସେର ନଖଟ । କ୍ଷତିଟା ପୁଣି ଲାଭରୁ କଟିବ ତ, କୁଆଡ଼ୁ ଆସିବ ?

କେତେବେଳେ କଅଣ ହୋଇଯାଏ ତାର କି ଠିକଣା ଖୁଡ଼ି, କିଏ ଜାଣିଥିଲା ଆଜି ମୋର କାମ ଏଡ଼େ ଜଲ୍‌ଦି ସରିଯିବ, ପୁଣି ବିନା ଧିକ୍‌ଚିକିରେ ଭଲ ଦି ପଇସା ବାହାରିବ । ବାବୁଟି ଭଲ ଲୋ, କେଡ଼େ ଦୟା ତାଙ୍କର ।

ବଡ଼ ପାଟି କରି ହସିଉଠିଲା । କହିଲା, ଏଣିକି ସବୁ ପାଳି ତୋର ଲାଭ ହେବ ଲୋ । ବାବୁଟି ଭାରି ଭଲ । ସେ ମଣିଷ ଦେଖି ପରିବା କିଣନ୍ତି, ଏଥର ପଇସା ଦେଇ ମଣିଷ କିଣିବେ । ତୋର ମୋର ଭିନେ ଥାନରେ ବସିବା ।

ତା କଥାର ଜବାବ ଦେଲି ନାହିଁ । ଭାବିଲି, ଲୋକେ ପରର ଭଲ ଗୁଣ ଦେଖିବାକୁ ସବୁବେଳେ କୁଣ୍ଠିତ ହୁଅନ୍ତି । ମନରୁ ଫାନ୍ଦି ଭଲ କଥାରୁ ଖରାପ ଅର୍ଥ ଟାଣିଓଟାରି ବାହାର କରନ୍ତି ।

ଖଣ୍ଡେ ଦୂର ଚାଲିଆସିଲୁଁ । କାହାରି ତୁଣ୍ଡରୁ କଥା ବାହାରୁ ନଥାଏ । ପିଲାଟି କଥା ମନେପଡ଼ି ପେଟଭିତର ଓଲଟି ପଡ଼ୁଥାଏ । ମତେ ନଦେଖି ସେ କେତେ କାନ୍ଦୁଥିବ । ଆହା, ବାପଛେଉଣ୍ଡ ! ଗୋଡ଼ ଆଗକୁ ପଡ଼ୁଥାଏ । କିଛି ଦୂର ଆସି ପଛକୁ ଫେରି ଚାହିଁଲି । ରାଜିବୋଉ ଖୁଡ଼ୀ କେତେ ଦୂରରେ ରହିଲାଣି । ଡାକିବାକୁ ମନହୁଏ, ପାଟି ପଇଟେ ନାହିଁ । ରାଗିଛି । କଣ ଅଖାଡ଼ୁଆ ଅବିଗୁଣିଆ କଥା କହିବସିବ । ମତେ ଛିଗୁଲେଇ କହି ମନରେ କଷ୍ଟ ଦେବାକୁ ସେ ଯେପରି ଆଜି ପଣ କରିଛି । ଅଟକି ରହେଁ ଅପେକ୍ଷାରେ ।

ସଞ୍ଜ ଅନ୍ଧାର ମାଡ଼ିଆସିଲା । ଗହୀର ଦଣ୍ଡା । ଦଣ୍ଡାପାଖ ମଶାଣି କଡ଼ର ଝଙ୍କାଳିଆ ବରଗଛ । ତା’ରି ମୂଳରେ ଠିଆ ହେଲା ରାଜିବୋଉ ଖୁଡ଼ୀ । ମୁଣ୍ଡରୁ ଟୋକେଇ କାଢ଼ି ତଳେ ଭରା ଦେଇ ଅଣ୍ଟା ସଳଖି କହିଲା, ଟିକିଏ ରହ ଲୋ, ଚାଲିଚାଲି ଅଣ୍ଟା କଣ ହେଉଛି ।

ବାଧ୍ୟ ହୋଇ ଅଟକି ରହିଲି । ଭଲରେ କହିଲି, ଆହୁରି ତ ଗଦାଏ ବାଟ ଅଛି, ଏତିକି ବେଳୁ ହଟି ରହିଲେ ହେବ ନା ? ଦେଖିଲ, ସଞ୍ଜ ପାଖେଇ ଆଇଲା, ଅନ୍ଧାର ରାତି ।

କଅଣ କରିବି ଲୋ, ଝୋଲା ମାରିଲାପରି ଲାଗୁଛି । ତଣ୍ଟି ଅଠାଅଠା ହେଲାଣି । ବୁଢ଼ୀ ମଣିଷ । ଦି କୋଡ଼ି ବାର ହେଲା ମୋର ବୟସ, ଚାଲିବାକୁ ବଳ ପାଉନାହିଁ ।

ଟୋକେଇଟା ତା ହାତରୁ ଆଣି କହିଲି, ଦିଅ ମୁଁ ଧରୁଛି । ତମେ ଧୀରେ ଧୀରେ ଚାଲିଆସ ।

ତାର ଟୋକେଇଟି ମୋ ଟୋକେଇ ଉପରେ ଥୋଇ ମୁଣ୍ଡ ସଳଖି ଚାଲିଲି । ସେ ପଛେ ପଛେ ଚାଲିଲା । ସଞ୍ଜ ଆଗରୁ ପୁରଣ ଗାଁ ମୁଣ୍ଡରେ ପହଞ୍ଚିଲୁ । ଗାଁ ଭିତରେ ପଶିଗଲେ ବୁଲାଣି ପଡ଼ିବ । ସେଇଥି ପାଇଁ ଆମେ ଗାଁ ମୁଣ୍ଡରୁ ଭାଙ୍ଗି ଗହୀର ମଝିରେ ଚଲାବାଟ ଦେଇ ଯାଉଁ । ବରୁଣେଇରୁ ପୁରଣ ଠିକ୍‌ ଅଧେ ବାଟ । ଆହୁରି ଦେଢ଼କୋଶ ଗଲେ ଯାଇଁ ଉରାଳି, ଆମରି ଗାଁ । ଏମିତି ଢିପେଇ ଢିପେଇ ଚାଲିଲେ ରାତି ଘଡ଼ିକରୁ ବଳିଯିବ ।

ଖୁଡ଼ି ତେମେ ଆଗେ ଆଗେ ଚାଲ ।

ପାଦ ଆଉ ଚଳୁନାହିଁ । ତଣ୍ଟି ଅଠାଅଠା ହେଉଛି । ପାଣି ମନ୍ଦାଏ ନ ପିଇଲେ ପ୍ରାଣ ଛାଡ଼ିଯିବ ।

ପାଣି କୋଉଠି ମିଳିବ ?

ପୁରଣ ଗାଁରେ ପାଣି ମନ୍ଦାଏ କଅଣ ପିଇବାକୁ ପାଇବା ନାହିଁ ? ଡେରି ତ ହେଲାଣି, ପହଞ୍ଚୁ ପହଞ୍ଚୁ ରାତି ହେବ । ଆଉ ଟିକିଏ ଡେରି ହେଲେ କ୍ଷତି ନାହିଁ । ପିଲାଟା କଥା ଭାବୁଛୁ ତୁଳସୀ, କିଛି ଚିନ୍ତା ନାହିଁ । ତୋ ମା ପାଖରେ ସେ କାନ୍ଦିବ ନାହିଁ । ପରପିଲାଙ୍କୁ ଯେ ମଣିଷ କରିଛି, ପରପିଲାଏ ଯାହାକୁ ଆଦରି ରହିପାରନ୍ତି, ତୋର ପିଲା ବକଟକ ତା ପାଖରେ ଖୁସିରେ ଥିବ ।

ଭରସି କରି ତା କଥାରେ ପ୍ରତିବାଦ କଲି ନାହିଁ । ଅନ୍ତ ଫାଡ଼ି ଜନ୍ମ ଦେଇଛି, ସେଇଥି ପାଇଁ ସିନା ମନ ଅଧୀର ହୁଏ, ନୋହିଲେ ରାଜିବୋଉ ଖୁଡ଼ୀ ଯାହା କହିଲା, ସେଥିରେ ଭୁଲ ନାହିଁ । ପିଲାଏ ମୋ ବୋଉକୁ ବେଶ୍‌ ଆଦରି ରହିପାରନ୍ତି ।

ପୁରଣ ଗାଁ ଭିତରେ ପଶିଲୁଁ । ଗାଁଟି କେତେ କାଳର ପୁରୁଣା । ସବୁ ଜାତିର ଲୋକ ରହନ୍ତି । ବଡ଼ ଗାଁ, କେତେ ଗଳି, କେତେ ପଡ଼ା । ନିତି ମୂଲିଆ, ଧନୀ, ମହାଜନ, ଚାଷୀ, ବଡ଼ଲୋକ ସମସ୍ତେ ଘର କରି ରହନ୍ତି ।

ରାଜିବୋଉ ଖୁଡ଼ୀ ଆଉ କାହା ଘରକୁ ଯିବାର ମୁଁ ଦେଖିନାହିଁ । ହାଟ ଫେରନ୍ତି ଦିନେ ଦିନେ ସେ ପାଣି ପିଇବାକୁ ସାହି ମୁଣ୍ଡରେ ଯେଉଁ ଗୋଟିକିଆ ନୁଆଁଣିଆଁ ଘର, ତାଆରି ପିଣ୍ଡାରେ ବସେ । ପାଣି ମନ୍ଦାଏ ମାଗି ପିଏ । ଘରଟି ନିଛାଟିଆ ନହେଲେ ବି ଏକୁଟିଆ । ବରୁଣେଇଁ ଗାଁରୁ ଯେଉଁ ଶଗଡ଼ଗୁଳା ପଡ଼ିଛି ତାରି ବାଁ ପାଖରେ । ଡାହାଣ ଆଡ଼କୁ କିଛି ଦୂର ଛାଡ଼ି ବଡ଼ ବସ୍ତି । ଗଛ ଗହଳି ଭିତରୁ ଘର ମଥାନ, ଡେଙ୍ଗା ନଡ଼ିଆ ଗଛ ଦୂରକୁ ଦେଖାଯାଏ ।

ସେ ପାଣି ପିଇବାକୁ ଯାଏ, ମୁଁ ବାଟ କଡ଼ ଗଛ ମୂଳରେ ଅପେକ୍ଷା କରି ରହେଁ । କାହାରି ଘରକୁ ଯିବାକୁ ମୋର ଇଚ୍ଛା ହୁଏ ନାହିଁ । କିଏ କଅଣ କହିବ, କିଏ କଅଣ ପଚାରିବ । ନିଜର ଦୁଃଖ, ନିଜର ମାନ୍‌କୁ ଜଗି ଦୂରେଇ ରହିବା ଭଲ ।

ସେଦିନ ରାଜିବୋଉ ଖୁଡ଼ୀ ମତେ ସଙ୍ଗରେ ଯିବାକୁ ଡାକିଲା । ଆଲୋ, ସଞ୍ଜବେଳଟା, ଏକୁଟିଆ ଏଠିଟାରେ ଗଛମୂଳରେ ବସିବୁ କାହିଁକି, ଆସୁନୁ ପାଣି ମନ୍ଦାଏ ପିଇ ଗୋଡ଼େ ଗୋଡ଼େ ଫେରିଆସିବା ।

କହିଲି, ନାଇଁ, ତେମେ ଯା, ମୁଁ ଏଇଠି ବସିଛି । ଜଲଦି ଫେରିଆସିବ ।

ସେ କଟାଳ କରି କହିଲା– କାହିଁକି, ଆସୁନୁ, ତାଙ୍କ ଘରେ ଆଉ କେହି ନାହାନ୍ତି ବା ।

କହିଲି, ହାଟକୁ ଯିଏ ପରିବା ବିକିବାକୁ ଯାଏ, ତାକୁ ଲାଜ ମାଡ଼େ ନାହିଁ ଖୁଡ଼ି, ଗଲେ ଡେରି ହେବ ବୋଲି ମନା କରୁଥିଲି ।

ଚାଲୁନୁ.....

ତା ସଙ୍ଗରେ ଗଲି । ଯେଉଁ ଘର ପିଣ୍ଡାରେ ବସିଲି, ସେ ଘରେ କେହି ମଣିଷ ଥିଲା ପରି ଲାଗୁ ନଥାଏ । ଦିଓଟି ବଖରା ନୁଆଣିଆଁ ଚାଳ । ଆଗରେ ଗୋଟିଏ ନରକୋଳି ଗଛ । ସେ ପାଖକୁ ବିଲାତି ସିଜୁ ବାଡ଼ । ବାଡ଼ କଡ଼ରେ ଖତକୁଢ଼ । ରାଜିବୋଉ କବାଟରେ ହାତ ମାରି ଡାକିଲା, ଛବି, ଛବି ?

କେତେବେଳେକେ ଜବାବ ଆସିଲା ଭିତରୁ, ଯାଉଛି । ପିଲାଳିଆ କଅଁଳ ସ୍ୱରଟି !

କାହାର ସ୍ୱର, ମୁଁ ବା ଜାଣନ୍ତି କେମିତି ? ପଚାରିଲି, ଛବି କିଏ ଖୁଡ଼ି ?

ଉତ୍ତର ଦେଲା, ଭଳ ଝିଅଟିଏ ମ, ଦେଖିବୁ ରହ ।

କବାଟ ଖୋଲି ବାର ତେର ବର୍ଷର ଝିଅଟିଏ ପଦାକୁ ଆସିଲା । ସଞ୍ଜ ଆଗର ଫିକା ଆଲୁଅରେ ଫୁଟିଲା କଇଁଫୁଲ ପରି ତା ମୁହଁଟି କେଡ଼େ ତୋରା କେଡ଼େ ହସହସ ଦିଶୁଥାଏ । ଗୋଲ ମୁହଁରେ ଖଣ୍ଡାଧାର ପରି ନାକ । ପୂରିଲା ପୂରିଲା ଗାଲ ଉପରକୁ କେରା କେରା ହୋଇ ଅଲରା ବାଳ ଲୋଟିପଡ଼ିଥାଏ । ସରୁ ସରୁ ଭ୍ରୂଲତା ତଳେ କଳା ମିଚିମିଚି ଆଖିଡୋଳା ଦିଓଟି କେଡ଼େ ଧୀରେ ଧୀରେ ବୁଲିଆସୁଥାଏ । ସତରେ ତ ଛବିଟିଏ ! ଗୋବର ବଲବଲ ଡାହାଣ ହାତଟି କଡ଼େଇ ଧରି ବେକ ବଙ୍କା କରି ଛବି କହିଲା, ଏ ପାଳି କାହିଁକି ଏତେ ଡେରିରେ ହାଟରୁ ଫେରିଲ ମାଉସି ?

ରାଜିବୋଉ କହିଲା– ଟିକିଏ ଡେରି ହୋଇଗଲା । ତେଣେ ଚାଲି ଯାଇଥାନ୍ତି, ଶୋଷରେ ହଂସା ଉଡ଼ିଗଲା । କହିଲି, ଯାଏଁ ମନ୍ଦାଏ ପାଣି ପିଇ ଆସେଁ । ଘରେ କଅଣ ଆଉ କେହି ନାହାନ୍ତି କି ?

ଛବିର ମୁହଁ ଶୁଖିଗଲା । କହିଲା, ଆଉ କିଏ ରହନ୍ତା ? ଲେଖାରେ ମାଈଁ ହେବେ ସେ, ଯିଏ ଆମ ଘରେ ଥିଲେ, ମନେନାହିଁ ? ଆର ପାଳି ହାଟଦିନ ଯିଏ ତମକୁ ଗାଳି ଦେଉଥିଲେ – ଦି ଦିନ ହେଲା ସେ ତାଙ୍କ ଦାଦି ଘରକୁ ଚାଲିଗଲେ । ଭାଇଙ୍କ ସଙ୍ଗେ ଅଳ୍ପ କଥାରେ ଝଟାପଟା କଜିଆ କରି ଚାଲିଯାଇଛନ୍ତି ।

ପଚାରି ଦେଲି, କଜିଆ କାହିଁକି କଲେ ?

ଛବି ଉତ୍ତର ଦେବା ଆଗରୁ ମୋ ମୁହଁକୁ ଚାହିଁ କହିଲା, ଜେଜାଣି, ମୁଁ ଜାଣେ ନାହିଁ । ଭାଇ କହୁଥିଲେ ସେ ଆଉ ଆମ ଘରକୁ ଆସିବେ ନାହିଁ ।

ରାଜିବୋଉ ପଚାରିଲା, ଆଉ ତୋ ଭାଇ କାହିଁ ?

ଛବି କହିଲା, ସେ ତାଙ୍କ ପୁରୁଣା କାମ ଛାଡ଼ି ବରୁଣେଇ ଗାଁର କାହା ଘରେ ନୂଆ ଚାକିରୀ କରୁଛନ୍ତି । ଫେରୁ ଫେରୁ ସବୁ ଦିନେ ଦି ଘଡ଼ି ରାତି ହେଉଛି ।

ପଚାରିଲି, ତେମେ କ’ଣ ଏକୁଟିଆ ଘରେ ରହୁଛ, ଡର ମାଡ଼ୁନାହିଁ ?

କହିଲା– ଡର ମାଡ଼ିଲେ ଆଉ କଅଣ କରିବି ? ଘରରକାମ କରୁକରୁ ବେଳ କଟିଯାଏ-। କାମରେ ମନ ଲଗାଇଦେଲେ ଆଉ ଡର ଲାଗେ ନାହିଁ ।

ରାଜିବୋଉ ଆଡ଼କୁ ଚାହିଁ କହିଲା– ପାଣି ପିଇବ ପରା, ମୋ ହାତ ଅସନା ହୋଇଛି, ତେମେ ଆସ କୂଅରୁ କାଢ଼ି ପିଇଯିବ ।

ରାଜିବୋଉ ଖଞ୍ଜା ଭିତରକୁ ଗଲା । ମୁଁ ପିଣ୍ଡାରେ ବସିରହିଲି । ଛବି ମୋ ଆଡ଼କୁ ବାରମ୍ବାର ଚାହିଁ ପଚାରିଲା, ତେମେ ପାଣି ପିଇବ ନାହିଁ, ତମକୁ ଶୋଷ କରୁନାହିଁ ?

ନା ।

ତେମେ ତାଙ୍କର କଅଣ ହୁଅ କି ?

ସେମିତି କିଛି ନୁହେଁ, ଗାଁ ଲେଖାରେ ଝିଆରୀ ।

ତେବେ ବି ହାଟକୁ ପରିବା ବିକି ଯାଅ ?

ହଁ ।

ତୁମକୁ ତ ତାଙ୍କ ସଙ୍ଗେ କେବେ ଦେଖିନାହିଁ ?

ମୁଁ ଇଆଡ଼େ ଆସେ ନାହିଁ ।

ସେ ହସିଲା । ତାର ସୁନ୍ଦର ମୁହଁକୁ ହସଟି କେଡ଼େ ମାନେ । ତାକୁ ଦେଖି ମନଟା କିପରି ହାଲୁକା ହୋଇଗଲା । ଅଜଣା ଅଶୁଣା ଲୋକଙ୍କ ସଙ୍ଗେ କେତେ କାଳର ଚିହ୍ନା ପରିଚୟ ପରି ସେ ମନ ଖୋଲି କଥା ଭାଷା କରୁଛି । କେଡ଼େ ମିଠା କଥା ! ମନଟା ତା’ରି ଆଡ଼କୁ ଟାଣି ହୋଇଗଲା ।

କହିଲି– ଛବି ଦେଈ, ଶୋଷ ନ କରୁଥିଲେ ବି ତୁମକୁ ଥରେ ଦେଖିଗଲେ ଆର ଥରକୁ ବଳେ ଶୋଷ କରିବ ।

କାହିଁକି ?

ତମକୁ ଦେଖିବାକୁ ।

ମୋ କଥାର ମର୍ମ୍ମ ସେ ଠିକ୍‌ ବୁଝି ପାରିଲା ନାହିଁ । କ’ଣ ପଚାରିଲା ପଚାରିଲା ପରି ମୋ ମୁହଁକୁ ଚାହିଁଲା ।

ତମର ବାପା ମା କେହି ନାହାନ୍ତି ?

ଆଖି ଛଳଛଳ କରି କହିଲା, ବାପା ଅତି ପିଲାଦିନେ କେବେ ମରିଥିଲେ ହେତୁ ନାହିଁ । ଆର ବରଷ ଏଇଦିନେ ମାଆକୁ ବାତ ମାରିଲା । ଦୁଇଦିନ କାଳ ବେହୋସ ହୋଇ ପଡ଼ିଲା । ଭାଇ ଆଉ ମୁଁ ଦୁହେଁ ତାକୁ ଜଗି ବସିଥାଉ । ରାତି ଅଧରେ ତାର ପ୍ରାଣ ଗଲା । ସେଇଦିନୁ ମୁଁ ଘରେ ଏକୁଟିଆ ରହେ । ଭାଇ କାମକୁ ଯାଏ । ଦି’ବେଳା ଦି’ମୁଠି ତାଙ୍କୁ ରାନ୍ଧି ନଦେଲେ ଦିହମିହନ୍ତ କରି କାମରୁ ଆସି ସେ କଅଣ ଖାଇବେ ?

କଥାର ସୁଅ ବଦଳାଇ କହିଲା– ସଞ୍ଜ ହେଲାଣି, କେତେ କାମ ପଡ଼ିଛି, ଭାଇ ତେଣୁ ଭୋକରେ ହାଲିଆ ହୋଇ ଆସୁଥିବେ । ଆସୁନା ଭିତରକୁ, କିଏ ଅଛି କି ? ଗାଁ ଲୋକଙ୍କ ସଙ୍ଗେ ଭାଇର ଝଗଡ଼ା ଯେ ଆମ ଘରକୁ କେହି କେବେ ଆସନ୍ତି ନାହିଁ । ମୋତେ ବି କାହାରି ଘରକୁ ଯିବାକୁ ସେ ମନା କରିଛନ୍ତି ।

ରାଜି ବୋଉ ପାଣିସରସର ମୁହଁ କରି ଆସିଲା..... ଓହୋ, ତୁଣ୍ଡରେ ପାଣି ପଶିଲା ନାହିଁ ଯେ ପିଣ୍ଡରେ ପ୍ରାଣ ପଶିଲା ! ଚାଲ ଲୋ ତୁଳସୀ ଏଥର, ଅନ୍ଧାର ଘୋଟିଆସିବ ।

ମୁଁ ଉଠି ଠିଆହେଲି । ଟୋକେଇ ଦୋ’ଟି ମୁଣ୍ଡରେ ଥୋଇ କହିଲି, ଯାଉଛି ଲୋ ଭଉଣି, ଆର ହାଟ ପାଳିକି ଆସିଲେ ପୁଣି ଦେଖା ହେବ । ମୁଁ ଏକା ଖାଲି କଞ୍ଚା ପାଣି ପିଇବି ନାହିଁ ।

ସେ ହସିଲା । କହିଲା, ନୋହିଲେ ସିଝାପାଣି ଦେବି ।

ହଉ, ହଉ କହି ଆମେ ଦିହେଁ ଗାଁ ମୁହାଁ ହୋଇ ଚାଲିଲୁ ।

•••

 

 

ଗହୀର ମଝିରେ ଚଲାବାଟ, ଦେଢ଼କୋଶ । ଗହୀର ସେପାରି ଆମ ଗାଁ । ଅନ୍ଧାର ମାଡ଼ି ମାଡ଼ି ଆସୁଥିଲେ ବି ଚିହ୍ନା ବାଟରେ ଆପେ ଆପେ ଗୋଡ଼ ପଡ଼ୁଥାଏ । ବେଳେ ବେଳେ ହିଡ଼ ଉପରୁ ଗୋଡ଼ ବିଲ ଉପରକୁ ଖସିପଡ଼ୁଥାଏ । କେଉଁଠି ଭଙ୍ଗା ଗେଣ୍ଡା, କେଉଁଠି ବା କୋଇଲିଖିଆ କଣ୍ଟା । ହେଲେ, ନିତି ମୂଲିଆର ଟାଣ ଗୋଡ଼ରେ ବାଜି ସେ ଆପେ ଆପେ ଭାଙ୍ଗିଯାଆନ୍ତି । ସେଆଡ଼କୁ ବା ମନ କାହିଁ ? ଘରେ କେମିତି ପହଞ୍ଚିବୁ ଆମର ସେହି ଚିନ୍ତା ।

 

କିଛିଦୂର ତୁନି ହୋଇ ଚାଲିଆସିଲା ପରେ ନୀରବତା ଭାଙ୍ଗିବାକୁ କହିଲି– ଛବିଟି ଭଲ ପିଲାଟିଏ । ପଦେ କଥାରେ ପରକୁ ଆପଣାର କରିନିଏ । ଠାକୁରେ ତାକୁ ଯେଉଁ ରୂପ ଦେଇଛନ୍ତି ଦେଖିଲେ ପେଟ ପୂରିଉଠେ । ମନରେ ଯେତେ ଦୁଃଖ ଥିଲେ ବି ତା ଆଖିକୁ ଥରେ ଚାହିଁଲେ ସବୁ ଭୁଲିଯାଏ ।

 

ଖୁଡ଼ୀ କହିଲା, ହଁ । ଆଲୋ, ଦୁନିଆରେ କଅଣ ସୁନ୍ଦର ଝିଅ ନାହାନ୍ତି, ତହୁଁ ବଳି ତହୁଁ ବଳି ଅଛନ୍ତି । ରୂପ ସାଙ୍ଗକୁ ଢଙ୍ଗଢାଙ୍ଗ ଯାହାର ସୁନ୍ଦର, ତାକୁ ସମସ୍ତେ ସୁଖ ପାଆନ୍ତି । ଆଉ ସୁନ୍ଦର ହୋଇ ଯା ମୁହଁଟା ଖର, ଯାହା ପ୍ରକୃତିଟା ମନ୍ଦ, ତା’ ଆଡ଼କୁ ଅନାଇବାକୁ ମନ ହୁଏ ନାହିଁ । ଛବିଟିର ଏମିତି ସ୍ୱଭାବ, ଥରେ ଦେଖିଲା ଲୋକ ତାକୁ କେବେହେଲେ ଭୁଲିପାରିବ ନାହିଁ।

 

ମୁଣ୍ଡରେ କେତେ ଚିନ୍ତା ଖେଳିଗଲା । ତା’ରି ବୟସରେ ମତେ ବି ଲୋକେ ଏମିତି ପ୍ରଶଂସା କରୁଥିଲେ । ଥରେ ଦେଖିଲା ଲୋକ ଆହୁରି ଥରେ ଦେଖିବାକୁ ଧାଇଁ ଆସୁଥିଲେ । ଯେବେ ଯାହା ଘରକୁ ବୋଉ ସଙ୍ଗେ ଯାଏ, ମାଇପେ ମୋତେ କେଡ଼େ ଆଦର କରି ପାଖରେ ବସାନ୍ତି । ଯେତେବେଳେ ବୋଉ ପରଘରେ ଧାନ କୁଟୁଥାଏ କି ବାସନ ମାଜୁଥାଏ, ମୁଁ ବସିଥାଏ କେଉଁ ଘରଣୀଙ୍କ ପାଖରେ । ଆଦର କରି ମୋତେ ସେ ଏଣୁ ତେଣୁ କେତେ କଥା ପଚାରନ୍ତି, ପାନ ଭାଙ୍ଗି ଦିଅନ୍ତି । ଦିନିକିଆ ପାନ ଖିଆରେ ଓଠ ଦି’ଫାଳ ନାଲି କଇଁର ପାଖୁଡ଼ା ପରି ସେମାନଙ୍କ ଆଖିକି ସୁନ୍ଦର ଦିଶେ । ସେମାନେ ସେଇକଥା କହନ୍ତି । ପିଲାଦିନୁ, ହେତୁ ପାଇଲା ଦିନୁ, ମୁଁ ଏଇକଥା ଶୁଣିଛି, ପରଙ୍କ ପାଖରୁ ଆଦର ପାଇଛି । ସପନ ପରି ଆଜି ଲାଗୁଛି ସିନା, ଅଙ୍ଗେ ନିଭେଇବା କଥା, ସପନ ନୁହେ ।

 

ଗାଁ ଦାଣ୍ଡରେ ଆଉ ପାଞ୍ଚଟା ପିଲାଙ୍କ ସାଙ୍ଗେ ଖେଳିବାବେଳେ, ଦେଖିଛି ଚାଲିଯାଉଥିବା ଅଚିହ୍ନା ଲୋକେ ଆମରି ଖେଳକୁ ଘଡ଼ିଏ ଅନାନ୍ତି । ନ ଜାଣିଲା ଲୋକେ ଆଦର କରି ପାଖକୁ ଡାକନ୍ତି । ମୁଁ ଯାଏଁ । ଦେହରୁ ଧୂଳି ଝାଡ଼ି ଦେଇ ମୋତେ ଦେହରେ ଚାପିଧରନ୍ତି, ଗେଲ କରନ୍ତି । କିଏ କହେ, କେଡ଼େ ସୁନ୍ଦର ପିଲାଟିଏ କାହାର, ନହୁଣୀ ପରି କଅଁଳିଆ ଦେହ ।

 

ମତେ ଖୁସି ଲାଗେ ।

ଗେହ୍ଲେଇ ଗେହ୍ଲେଇ କିଏ ପଚାରେ, ତୋ ନା କଅଣ ମା ?

ତିନିଥର ପଚାରିଲା ପରେ ଧୀରେ ଧୀରେ କହେ, ତୁଳସୀ ।

କହନ୍ତି ବାଃ, ଭଲ ନାଁଟିଏ । ଆଚ୍ଛା, ତୋ ବାପା ନା କ’ଣ ?

 

ପାଟିରୁ କଥା ବାହାରେ ନାହିଁ । ବାପ ! ଏମିତି ଗୋଟାଏ ଡାକ ମୁଁ ଆଉ ପିଲାଙ୍କ ତୁଣ୍ଡରୁ ସବୁଦିନେ କେତେଥର ଶୁଣେ । ସେଇ ପଦେ କଥା ତୁଣ୍ଡରେ ଧରି ପିଲାଏ କେଡ଼େ ଖୁସି ହୁଅନ୍ତି । ତାଳି ମାରି ଗାଁ ଦାଣ୍ଡରେ ନାଚି ନାଚି କିଏ କହେ, ବାପା ଯାଇଛି କଟକ, ମୋ ପାଇଁ ମିଠାଇ ଆଣିବ-। କିଏ କହେ, ବାପା ଆସିବ କଲିକତାରୁ ମୋ ପାଇଁ ଜାମା ଆଣିବ । କିଏ କହେ, ବାପା ଯାଇଥିଲା ହାଟକୁ, ମୋ ପାଇଁ କେଡ଼େ ସୁନ୍ଦର କଣ୍ଢେଇ ଆଣିଚି ।

 

ସେମିତି, ମୁଁ ବି ପିଲାଙ୍କ ସଙ୍ଗେ ନାଚି ନାଚି କହିଥିଲି, ବାପା ମୋର କଟକ ଯାଇଛି, ମିଠେଇ ଆଣିବ । ହେତୁ ହେଲା ଦିନୁ ଜାଣିଲି, ମୋର ବାପା ନାହିଁ । କଟକ ଯିବ ନାହିଁ କି ମିଠେଇ ଆଣିବ ନାହିଁ । ଦୁଃଖ ହୁଏ । ବାପା କଥା କିଏ ପଚାରିଲେ ମୁଁ ତୁନି ରହେ ।

 

ପର ମଣିଷର କୋଳକୁ ଆଉଜି ମନ ମାରି ସନ୍ଦେହ ଆଖିରେ ମୁହଁ ବଙ୍କାଇ ଭୟରେ ଚାହେଁ । ଅଣ୍ଟା ଚାରିପାଖେ ବୁଲିଯାଇ ଥାଏ ଯାହାର ହାତ, ଆଦର କରି ସେ ପୁଣି ପଚାରନ୍ତି, ତୋ ବାପା ନା କଅଣ ତୁଳସୀ ?

 

ଅଣ୍ଟା ପାଖରୁ ଝୁଙ୍କି ପଡ଼େ ମୋର ଦେହଟା ପଛ ଆଡ଼କୁ । ଆଖିରେ ଭରିଯାଏ ଲୁହ । ବଲବଲ କରି ଚାରିପାଖକୁ ଚାହେଁ ।

 

ସାଙ୍ଗ ପିଲାଏ ଚାରିପାଖେ ଘେରି ଡବଡବ କରି ଚାହୁଁଛନ୍ତି । ଟିମା ଆଖି ମିଟିକା ମାରୁଛି-। ଭୀମା ବିଧା ଉଞ୍ଚଉଛି, ଆଉ ଜିଭ କାଢ଼ି ଖତେଇ ହେଉଛି । ପେଚୀ ସୋବୀ କାନରେ କ’ଣ କହି ମୋରି ଆଡ଼କୁ ଚାହିଁ ଚାହିଁ ହସୁଛି, ଆଉ ସୋବୀ ମୁଣ୍ଡ ଟୁଙ୍ଗାରୁଛି । କ’ଣ କହିବି ? ବାପା ନ ଥିବା ଗୋଟିଏ ଦୋଷ, ଗୋଟାଏ ପାପ !

 

କହେ ରହି ରହି, ମୋର ବାପା ନାହିଁ ।

ତାଙ୍କ ମୁହଁରେ ବିସ୍ମୟ ଫୁଟେ ।

 

ପିଲାଏ ତାଳିମାରି ଘେରି ଆସନ୍ତି । କିଏ କହେ, ସେପରା ତୁଳସୀ-ମା ଝିଅ । ସେଇ ଯୋଉ ତୁଳସୀ-ମା, ଆମ ଘରେ ବାସନ ମାଜେ, ମୁଣ୍ଡରେ ଭୁରୁ ଭୁରୁ ଉକୁଣି ।

 

ଆଉ କିଏ କହେ, ତୁଳସୀ-ମା’ ଟି, ଯେ ଆମର ଗୁହାଳ ପୋଛେ ! ତା ଗୋଡ଼ରେ ମାଛଖିଆ । ଟିପେଇ ଟିପେଇ ଚାଲେ । ଯିଏ ଆମ ଘର ଲିପେ ମ, ତା ଘର ହେ-ଇ-ଟି, ମେଣ୍ଢା କୁଡ଼ିଆ ।

 

ଯିଏ ଆମ ଧାନ କୁଟେ ବା, ଦେଖିନା, ଛିଣ୍ଡାକନା ଫରଫର ଉଡ଼ୁଥାଏ ।

ମତେ କୋଳକୁ ଆଉଯାଇଥିବା ଲୋକ ତରଙ୍ଗ ତରଙ୍ଗ ହୋଇ ଚାରିଆଡ଼କୁ ଚାହିଁ ଧୀରେ ଧୀରେ ହାତ ହୁଗାଳି ଉଠନ୍ତି । ଭୟରେ ଲାଜରେ ମୁଁ ଦୂରକୁ ଘୁଞ୍ଚିଆସେଁ । ମୁଁ ତୁଳସୀ-ମା ଝିଅ !

 

କାଲି ମୋ ପିଲାଟିକୁ ସେମିତି ଗାଁ ପିଲାଏ ଛଳାଇ କହିବେ, ମନୁଆଟା ମନୁଆବୋଉ ପୁଅ, ମନୁଆବୋଉ, -ମନୁଆ, ଯାହାର ବାପ ନାହିଁ ।

 

ମୋରି ପରି ସେ ଦିନେ ଆଡ଼େଇ ଠିଆ ହେବ । ଗାଁ ପିଲାଙ୍କ ବିଧା ଗୋଇଠା ଚିମୁଟା ଖାଇ କାନ୍ଦି କାନ୍ଦି ମୋ’ରି ଆଗରେ ଗୁହାରି କରିବ ! କଣ କରିବି, କାହାକୁ କହିବି । ସମସ୍ତେ ତ ମୋର ଖାଉନ୍ଦ ପୁଅ । ଆଜି ଦେହ କାଠ ନକରି ମୁହଁ ହୁଡ଼ି ପଦେ କହିଦେଲେ କାଲିକି ସେଇ ପିଲାଟା ତୁଣ୍ଡରେ ଆହାର ଦେବି କେଉଁଠୁ ଆଣି ? ଓଲଟି, ମା ଯେମିତି ମତେ ମାରେ, କହେ, ବାବୁଘର ପିଲା, ଗେଲରେ ଟିକେ ହାତ ହଲାଇ ଦେଲେ ତ ସେଥିରେ କ’ଣ ତୋ ଜୀବ ଛାଡ଼ିଯାଉଛି-? ସେମିତି, ମୁଁ ମୋର ମନୁଆକୁ କହିବି । ଆହୁରି କହିବି, ଯା, ତାଙ୍କ ଗୋଡ଼ତଳେ ପଡ଼ ।

 

ହଁ, ତାଙ୍କର ଦୁଆରେ ମୂଲ ଲାଗି ସେ ପେଟ ପୋଷିବ ।

କଥା ବୁଲିଆସେ କୁମ୍ଭାର ଚକର ଚିହ୍ନ ପରି । ମନୁଆର ବାପ ନାହିଁ । ମୋର ବି ବାପ ନଥିଲା । ମନୁଆ ମୋରି ପୁଅ; କିନ୍ତୁ ମୁଁ ତ ପୁଅ ନଥିଲି । ଏତିକି ଯାହା ପ୍ରଭେଦ । ମନୁଆ ଦିହମିହନ୍ତ କରି ପେଟ ପୋଷିବ, ଠାକୁରେ ଯଦି ବୁଦ୍ଧି ଦେଇଥିବେ, ଘର କରିବ । ପରିଆ କେମିତି ଘର କଲା । ଉଚ୍ଚ ପିଣ୍ଡା, ଦାଣ୍ଡ ଆଗରେ ଚାନ୍ଦିନୀ । ଶମ୍ଭୁଆ ଜମି ପାଞ୍ଚମାଣ କଲାଣି । ବେକରେ ଏବେ ପାଚଲା ଗାମୁଛା । ମନୁଆ ମୋର ସେମିତି ହେବ, ମଣିଷ ହୋଇ ବାଟ ଚାଲିବ । ଏଇ ଭାବନାରେ ହନ୍ତସନ୍ତ ମନ ମୋର ପୁଲକିଉଠିଲା ।

 

ବିଲ ପରେ ବିଲ ଡେଇଁ କଣ୍ଟା ଝଣ୍ଟା ଆବୁଡ଼ା ଖାବୁଡ଼ା ନମାନି ଗୋଡ଼ ଚାଲିଛି । ଆଖି ଅଛି ଗହୀର ସେପାରି ପତଳା ଅନ୍ଧାର ଭିତରେ ନିଘଞ୍ଚ ଅନ୍ଧାରର ଗୋଟିଏ ଅତି ଅସ୍ପଷ୍ଟ ବାଡ଼ ଉପରେ । ସେଇ ଆମ ଗାଁର ଚିହ୍ନ, ତୋଟାର ଛାଇ ।

 

ଗହୀର ମଝିରେ ଆପେ ଆପେ ଗୋଡ଼ ପଡ଼ୁଛି ଆମର ନିତିଦିନିଆ ଅଭ୍ୟାସରୁ । ଏଇଠି ମୋଡ଼, ଏଇଠି ଗଡ଼ାଣି, ଡାହାଣହାତି କିଆବୁଦା ମୂଳେ ହୁଙ୍କା । ସେଦିନ ଏହାରି ମୂଳେ ଏଡ଼େ ବଡ଼ ବଳଦକୁ କାଠି ଛୁଇଁଥିଲା । ନିଶ୍ୱାସ ବନ୍ଦ ହୋଇଯାଏ। ହେଇ, ଯେମିତି ଗୋଡ଼ରେ ଗୁଡ଼େଇ ହୋଇଗଲା, ହେଇ ଚୋଟ ମାରିଲା ପରା, ଛାତି ଦାଉଁ ଦାଉଁ ହୁଏ । ଗୋଡ଼ ଅବାଟରେ ପଡ଼େ ।

 

ଆଗକୁ ଚାଲେ । ପଛରେ ଥାଏ ରାଜିବୋଉ ।

ବିଲ ମଝିରେ ସେ ଯେଉଁ ଅତଡ଼ାଖିଆ ଶୁଖିଲା ବାଲି ପୋଖରୀ, ତାରି କଡ଼ରେ ଗୋଟି ଗୋଟିକା ତାଳଗଛ । ଅନ୍ଧାର ଭିତରେ ଅନ୍ଧାରିଆ ଡେଙ୍ଗା ତାଳଗଛ ମୁଣ୍ଡ ଟେକି ଅତି ଭୟଙ୍କାରିଆ ଦିଶୁଛି । ସେ ପାଖରେ ବେତବଣ, ଶିମିଳିଗଛ, ଗୋଠଛଡ଼ା ଗୋଟିକିଆ ଓସ୍ତଗଛ, ଡାଳପତ୍ର ଦିଶୁନାହିଁ । ଖାଲି ଦିଶୁଛି ଜୁଳୁଜୁଳିଆ ପୋକ । ଆଖି ମିଟିମିଟି ଅନ୍ଧାର ଭିତରେ ନିଆଁ କଣାର ପାହାଡ଼ । ଝିଙ୍କାରି ଝିଁ ଝିଁ ଝିଁ । କାନ ଅତରା ପଡ଼ୁଛି ।

 

ଓସ୍ତ ଗହୀର । ସଇତାନ ଅଛି । କେତେ ଲୋକ ଭେଟଣା ହୋଇ ମରିଛନ୍ତି । କେହି କେବେ କିଛି ଦେଖିନାହିଁ, ଶୁଣିଛନ୍ତି, ଖାଲି ଶୁଣିଛନ୍ତି । ଦାନ୍ତ କଡ଼ମଡ଼ । ଟାଣ ମନ ଦବିଆସିଲା । ଏ ପାଖ ସେପାଖକୁ ଚାହିଁଲି, ରାସ୍ତା ଅନ୍ଧାର । ନିରେଖି ଚାହିଁଲି କଡ଼କୁ । କଳା ବାଛୁରୀ ପରି କ’ଣ ଦିଶୁଛି ତ ଦୂରରେ । ଓ ! ଖରି ବୁଦାଟାଏ ।

 

ରାଜିବୋଉ ଖୁଡ଼ୀର ହାତକୁ ଧରି କହିଲି, ଖୁଡ଼ୀ ଚାଲିପାରୁନା କି, ମୋ ହାତ ଧରି ଆସ-

 

କହିଲା, ଚାଲ୍‌ ଚାଲ୍‌, ଅଧେ ବାଟ ତ ଗଲାଣି, ହାତ ଛନ୍ଦି ହେବ । ବାଟ ଦି ଖୋଜ ଚାଲିଗଲେ ସହଳ ପହଞ୍ଚିଯିବା ଯେ–

 

ତାର ହାତ ନଛାଡ଼ି କହିଲି– ତେମେ ଚିଡ଼ ପଛେ, ତମରି ପାଇଁ ଏତେ ଡେରି ହେଲା । ତେମେ ଯଦି…..

 

ମନକୁ ବାଁରେଇ ଦେଲେ ମନରେ ଡର ପଶିବ ନାହିଁ । ସେଇଥିପାଇଁ ମୁଁ କଥା ଆରମ୍ଭ କରିଥିଲି ।

 

ମୋ କଥା ମୋ ତୁଣ୍ଡରେ ଅଛି, ସେ ହାତ ଟାଣିନେଇ କହିଲା– କିଲୋ, ଖୋଳେଇ ହେଉଛୁ କାହିଁକି ? ହାଟରେ ଘଡ଼ିକରେ ତୋର କାମ ସରିଗଲା ବୋଲି କହୁଛୁ କି ? ତୋ ଗୁଣ କାହାକୁ ନଜଣା ଲୋ ? ବଳ ବୟସ ଅଛି, ଷଠି ଧିଅରେ ଟିକେ ହଳଦୀ ପାଣି ଛିଞ୍ଚି ଦେଇଛି ବୋଲି.....

 

ଗୋଟାଏ ଅପ୍ରିୟ କଥା କହିବାକୁ ବସିଥିଲା । ଆଉ ଯାହା କହିବାକୁ ବସିଥିଲା ମୁଁ ଜାଣେଁ । କଜିଆ କରିବାକୁ ମୋତେ ଭଲ ଲାଗେ ନାହିଁ । ବିନା ଲାଭ କି ସ୍ୱାର୍ଥରେ ବା କଜିଆ କରନ୍ତି କାହିଁକି ? ରାତି ଅଧରେ, ନିଛାଟିଆ ଗହୀର ମଝିରେ, ଯେଉଁଠି ପଦେ କହିଲେ ସେ ପାଖ ପାହାଡ଼ିଆ ବାଲିକୁଦ ଆଡ଼ୁ ସେଇ ପଦ ଓଲଟି ଶୁଭୁଛି – ଗମ୍ଭୀରା ଭିତରୁ ପାଟି ପରି । କଜିଆ କାହିଁକି କରନ୍ତି ?

 

ବୁଲିପଡ଼ି ତା ତୁଣ୍ଡରେ ହାତ ଦେଇ ନେହୁରା ହୋଇ କହିଲି– ତେମେ ଚିଡ଼ନା ଖୁଡ଼ୀ, ତମ ଗୋଡ଼ ଧରୁଛି । ହାଟରେ ଡେରି ହେବା କଥା ମୁଁ କହୁନାହିଁ । ହାଟରେ ତ ଡେରି ହୁଅନ୍ତା । ମୁଁ କହୁଛି, ଛବି ଘରେ ଟିକେ ଡେରି ହୋଇଗଲା । ତମରି ପାଇଁ ମୁଁ କହୁଥିଲି । ବୁଢ଼ୀ ମଣିଷ, ଅନ୍ଧାରରାତି, ଅଖାଡ଼ୁଆ ବାଟ । ଦିନଯାକ ଖଟିଛ, ପେଟରେ ଦାନା ପଡ଼ିନାହିଁ ।

 

ତା ତୁଣ୍ଡରୁ ହାତ ଖସାଇଆଣିଲି ।

କହିଲା– ଆଲୋ, ଚିଡ଼ିବି କାହିଁକି, ଛବି ଘରେ କ’ଣ ଡେରି ହେଲା ମୋ ଲାଗି ? ତୁ ତ ମୁହଁକୁ ମୁହଁ ଯୋଡ଼ି ଗପ ଲଗେଇଲୁ । ପାଣି ପିଇବାକୁ କୂଅ ମୂଳକୁ ଗଲି । ଖଞ୍ଜା ଭିତରେ ସେ ଯେଉଁ କଳା ଲଙ୍କା ମରିଚ ଗଛ ଲଗାଇଛି, ବେକେ ଉଚ୍ଚ ହେବ । ଶିଙ୍ଗପରି ଲଦି ହୋଇଛି, ସେଇଆକୁ ଦେଖୁଥିଲି । ତୁ ଯଦି ଡାକିଥାନ୍ତୁ ମୁଁ ଆସିଥାନ୍ତି । ତୁ ବସି ଗପିଲୁ, ଓଲଟି ମୋ ଦୋଷ ଦେଉଛୁ ।

 

ହସିଲି । କହିଲି, ନାଇଁ ଖୁଡ଼ି, ମୋ ଦୋଷ । ମୁଁ କ’ଣ ଆଉ ଜାଣିଥିଲି ତମେ ଲଙ୍କା ମରିଚ…. ।

 

କଥା ଅଧା ରଖି ବୁଲାଇ କହିଲି, ଯାହା କହ, ଛବିଟି ଭଲ ପିଲାଟିଏ । ଯେମିତି ରୂପ, ସେମିତି ଢଙ୍ଗ, ସେମିତି କଥା ! ତାକୁ ଦେଖିଲେ, ତା ସଙ୍ଗେ ଦି ପଦ କଥା ନକହି ଆସିବାକୁ କାହାରି ମନ ହେବ ନାହିଁ ।

 

ଟିକିଏ ଭାବି ସେ କହିଲା, ଭାରି ଭଲଟିଏ । ତାକୁ ଦେଖିଲେ ତୋର ପିଲାବେଳ ଚେହେରା ମନେପଡ଼େ । ତୁ ବି ଦିନେ ସେମିତି ଥିଲୁ । ରୂପରୁ କି ମିଳିବ ଲୋ ମା, ଗୁଣ ସୁନ୍ଦର ହେଲେ, ଭାଗ୍ୟ ସୁନ୍ଦର ହେଲେ ସବୁ ସୁନ୍ଦର । ବାପ ମା ସନ୍ତାନୀ କୁଟୁମ୍ବରେ କେଡ଼େ ଭଲରେ ମୁଁ ଘର କରୁଥିଲି । କପାଳ ଫାଟିଲାରୁ ସିନା ଆଜି ଏଦିନେ ଏ ଅବସ୍ଥା ଭୋଗୁଛି । ହେଇ ତ, ମୋ ପୁତୁରା, ପୁତୁରା ବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି । ମୁଠାଏ ଖାଇବାକୁ ଦେବାକୁ କି ତୋଡ଼ ?

 

କ୍ଷଣକୋପୀ । ରାଜିବୋଉ ସଙ୍ଗେ କଥା କହିବାକୁ ଡରମାଡ଼େ । ବେଳେବେଳେ ସେ କେଉଁ ଖିଆଲରେ ଥାଏ, ସେ ନିଜେ ବି ଜାଣେ ନାହିଁ । ଭଲକଥାରେ କେତେବେଳେ ସେ ହା’କୁ କରି ଜଳିଉଠେ, ଆଉ କେତେବେଳେ ଯେତେ ଯାହା କହିଲେ ଦେହକୁ ନିଏ ନାହିଁ । ଘରେ ତାକୁ କେହି ଭଲ ପାଆନ୍ତି ନାହିଁ । ସେଥିପାଇଁ କେତେ କଜିଆ, କେତେ ହୁମ୍‌ଦୁମ୍‌ । ବୁଢ଼ୀଦିନେ ମଧ୍ୟ ତାକୁ ପରିଶ୍ରମ କରି ନିଜର ଖାଇବା ମୁଠାକ ଭେଇବାକୁ ପଡ଼େ । ଦେହପା ଖରାପ ହେଲେ ଦିନେ ଓଳିଏ କାମ ନକଲେ କୁଟୁମ୍ବ ଲୋକଙ୍କ ଯେଉଁ ତୋଡ଼, ଯେଉଁ ନାକଛିଞ୍ଚଡ଼ା କଥା, ଶୁଣିଲେ ପର ଲୋକ ବି ଛାନିଆଁ ହେବ । ସବୁ ସହି ବୁଢ଼ୀ ତାର ନାବ ଚଳେଇଛି ତ, ଦିନ କଟିଯାଉଛି ।

 

ଓସ୍ତ ଗହୀର ପାରିହୋଇ ଆସିଲୁଁ । ଘର ରହିଲା ଡାକେ ବାଟ । ଡର ଭୟ କିଛି ନାହିଁ । ରାଜିବୋଉ ସଙ୍ଗେ ଆଉ ଗପ କରି ବେଳ କାଟିବା ଦରକାର ନାହିଁ । ଅନ୍ଧାର ରାତିରେ ବାଟ ଚାଲିଲାବେଳେ ଗୋଟିଏ ଚିନ୍ତାର ଖିଅ ଧରି ଚାଲିଲେ ବାଟ ଜଣାପଡ଼େ ନାହିଁ, ଡର ବି ମନରେ ପଶେ ନାହିଁ ।

 

ଛବିର ରୂପଟି ମୋ ମନକୁ ଆସିଲା । ତାଆରି ପଛରେ ଭାବନାର ଜାଲ ଖେଳାଇ ଦେଉଁଣୁ ସେଇ ଜାଲରେ ନିଜେ ଘେରି ହୋଇପଡ଼ିଲି । ତାଆରି ବୟସରେ ମୁଁ କୁଆଡ଼େ ଠିକ୍‌ ସେମିତି ଥିଲି । ଭୁଲ କଥା । ବାପ ମା ନଥିଲେ ସୁଦ୍ଧା ଛବିର ମୁରବି ଅଛି । ଭାଇ ! ଯିଏ ତା ପାଇଁ ଖଟନ୍ତି, ଯାହା ପାଇଁ ଦିନରାତି ସେ ଭାବେ । ଯାହାର ଅସୁବିଧା ହେବ ନାହିଁ ବୋଲି ଲୋଟଣୀପାରାଟି ପରି କାମରେ ସେ ଲୋଟିଯାଉଥାଏ । ପେଟ ପାଇଁ ଅନ୍ୟ କାହାରି ହାତକୁ ସେ ଚାହିଁ ରହେ ନାହିଁ, ଚାହିଁ ରହେ ତାର ଭାଇର ମୁହଁକୁ । ଭାଇ ! ପଦଟି ମୁହଁରେ ଆଣିଲେ ଆନନ୍ଦରେ ମୁହଁ ଉଜଳିଉଠେ, ଗର୍ବରେ ଛାତି ଫୁଲିଉଠେ । ଭାଇ ପଦଟି ଲାଖି ରହିଥାଏ ତା ଜିଭରେ ।

 

ମୋର ଥିଲା କିଏ ? ମା.... ନିଜର ପେଟ ପୋଷିବାର ଶକ୍ତି ତାହାର ଦିନୁଦିନ କମିଆସୁଥାଏ । ମୋ ସାଙ୍ଗ ପିଲାଙ୍କର ଯେତେବେଳେ ଗାଁ ଦାଣ୍ଡରେ ଧୂଳିଖେଳର ଆଗ୍ରହ ଭାଙ୍ଗି ନଥାଏ, ମୋତେ ସେତେବେଳେ ନିଜର ପେଟ ପାଟଣାର ଚିନ୍ତା କରିବାକୁ ପଡ଼ିଲା । ମା ସଙ୍ଗେ ଛାଇ ପରି ଲାଗିରହିଥାଏ । କାହା ଘରେ କିଏ ବୋଲହାକ ବତାଇଲେ ବିନା ଆପତ୍ତିରେ କରିଦିଏଁ । ଖୁସି ପାଇ କିଏ ମତେ ଚୁଡ଼ାଭଜା ମୁଠିଏ ଦିଅନ୍ତି, କେହି ବା ଅଇଁଠା କଂସାରେ ପଖାଳ ମୁଠାଏ ବାଢ଼ିଦିଅନ୍ତି । କେଡ଼େ ଆନନ୍ଦରେ ସେତକ ମୁଁ ପାଇଦିଏ । କୃତଜ୍ଞତାରେ ମନ ନଇଁଯାଏ ।

 

ଆଉ ଟିକେ ବଡ଼ ହୋଇଗଲି । ମା’ ସଙ୍ଗେ ମିଶି ବଡ଼ ବଡ଼ ପାଇଟି କରିବାକୁ ସାହସ ହେଲା । ପର ଘରର ଝିଅ ବୋହୂଙ୍କ ତୁଣ୍ଡରୁ କଥା ବାହାରିଲେ ଯେଡ଼େ ବଡ଼ କାମ ହେଉ, କି ଯେପରି ଅସାଧ୍ୟ ଅସନା ପାଇଟି ହେଉ, କରିବାକୁ ମୁଁ ପଛାଏ ନାହିଁ । ସେମାନେ ମତେ ସ୍ନେହ କରନ୍ତି । ଭଲକରି ମୁଠିଏ ଖାଇବାକୁ ଦିଅନ୍ତି । ଦେହକୁ ଅନାଇ ପୁରୁଣା ଲୁଗାପଟା ଖଣ୍ଡେ ବି ପକାଇ ଦିଅନ୍ତି।

 

ବୟସ ହେଲା । ଗାଁ ଦାଣ୍ଡରେ ଆସିଲେ ମୁଣ୍ଡ ଉପରକୁ ଓଢ଼ଣା ଟାଣି ମାଆର ପଛେ ପଛେ ଯାଏଁ । କେବେ କେବେ ଏକୁଟିଆ ଆସେ, ଏକୁଟିଆ ଫେରେ । ଦାଣ୍ଡରେ ବସିଛନ୍ତି ଗାଁ ଭେଣ୍ଡିଆ । ମଝିରେ ଚାଲିଯିବାକୁ ସାହସ ହୁଏ ନାହିଁ । ଗୋଡ଼ ଥରିଉଠେ ।

 

ଟିମା ଡାକେ, ହେ ତୁଳସୀ, ଶୁଣେ ମ, ଶୁଣ୍-

ଚାହିଁଦେଇ ଦେହକୁ ଲୁଗା ଟାଣି ସାମାନ୍ୟ ହସିଦିଏ, ଆଉ ଚାଲିଯାଏ ଆଗକୁ ।

ଭୀମା କହେ, ହେ ଟୋକି, ପଇସା ନବୁ ?

ଗମ୍ଭୀର ହୋଇ ଚାଲିଯାଏଁ । ପଛରେ ହୋ, ହୋ ହସିଉଠନ୍ତି ପଞ୍ଝାଏ ।

ନୀଳା କହେ, ଭାରି ଜଣେ ରେ ।

ଚେମା କହେ, କେତେ ଛଇଛଟକ କାଢ଼ୁଛି ଦେଖ ତ–

 

ଶୁଣିବାକୁ ମୁଁ ନଥାଏଁ । ସିଧା ସିଧା ଚାଲିଆସେଁ ଘରକୁ । କାହାକୁ କିଛି କହେ ନାହିଁ, କହିପାରେ ନାହିଁ । ଏଇମାନଙ୍କ ସଙ୍ଗେ ପିଲାଦିନେ ଚଳିଆସିଛି, ଖେଳିଆସିଛି । ଏଇମାନଙ୍କର ଗାଳି, ମାଡ଼, ଥଟ୍ଟା, ତାମସା ମୋର ଦେହସହା ହୋଇଛି ।

 

ତଥାପି, ଖରାପ ଲାଗେ । ପିଲାବେଳର ଥଟ୍ଟା ତାମସା ଓ ଏ ବେଳର ପରିହାସ ମଧ୍ୟରେ ଯଥେଷ୍ଟ ପ୍ରଭେଦ ଅଛି । ସେମାନଙ୍କର ଆଖିଠରା, ଭ୍ରୂଲତା ଟେକା, ପରିହାସ କଥାରେ ଅସନା ଇଙ୍ଗିତ ଲୁଚିରହିଥାଏ । ଲୋକଙ୍କ ଆଖିରେ ପଡ଼ିଲେ ସେମାନେ ସନ୍ଦେହରେ ଅନାନ୍ତି । ନାକ ଟେକନ୍ତି ।

 

ଅଭାବ ଅନାଟନରେ ଘାଣ୍ଟି ଚକଟି ହୋଇ ସଂସାରର ଭଲମନ୍ଦ କଥା ଅଳ୍ପ ବୟସରେ ବୁଝିପାରିଲି । ଲୋକଙ୍କର ଗୁଣ ଅବଗୁଣକୁ ହାଡ଼େ ହାଡ଼େ ଚିହ୍ନିଥିଲି । ଚେମା ହସିଲା କି ଚେମା ଆଖି ଠାରିଲା, ଏହାର ଉଦ୍ଦେଶ୍ୟ, ଏହାର ଅର୍ଥ ମତେ ଅଜଣା ନଥିଲା; କିନ୍ତୁ ରାଗିକରି ମୁହଁ ବୁଲାଇ ଟାଣ ଟାଣ ଦି’ପଦ ହାଙ୍କି ଦେବାର ସାହସ ମୋର ନଥିଲା । ସମସ୍ତେ ଆମର ଖାଉଁଦ । ପେଟ ଆଗରେ ମାନ ମହତ ବଡ଼ କଥା ନୁହେଁ । ପୁଣି, ତୁଳସୀ-ମା ଝିଅର ମାନ ମହତ କଅଣ ?

 

ଛବିର ବୟସ ଡେଇଁ ଆସିଲି, ଘରୁ ବାହାରେ ନାହିଁ । ଏକୁଟିଆ ଘରକାମରେ ଲାଗିଥାଏ । ଯାହା ଯେତେବେଳେ ମା ଆଣେ, ସେଇଆ ଖାଇ ଦୁଃଖେ ସୁଖେ ବେଳ କଟିଯାଏ । କିନ୍ତୁ ମନରେ ସବୁବେଳେ ଦକ । ସଞ୍ଜପହରେ ଆମରି ସେଇ ଛୋଟ କୁଡ଼ିଆ ଆଗରେ ଗାଁ ଟୋକାଏ ଗପ କରନ୍ତି, ଏପାଖ ସେପାଖ ଟହଲ ମାରନ୍ତି, ରାତି ଅଧରେ କିଏ ବୋଲେ ଗୀତ, କିଏ ମାରେ ତାଳି, କିଏ ବା ଶିଶିରି ମାରି ଅସଭ୍ୟ ସଭ୍ୟ କଥା କହନ୍ତି । ମା ଶୋଇପଡ଼ିଥାଏ । ମୋ କାନରେ ସବୁ ପଡ଼େ, ତୁନି ରହେ ।

 

ଗାଧୁଆବେଳେ, ପୋଖରୀ ଘାଟରେ ସେ ପାଖେ ନୀଳା ପହଁରୁଛି; ଏ ପାଖେ ଚେମା କଇଁଫୁଲ ତୋଳୁଛି । ଭୀମା ଆଉ ଟିମା ହୁଡ଼ା ଉପରେ ଧରାପରା ଲଗେଇଛନ୍ତି । ମୋ ଆଡ଼କୁ ଚାହିଁ ବେଳେବେଳେ ହସୁଛନ୍ତି । ଗାଁ ମାଇପେ ସବୁ ଦେଖନ୍ତି । ଓଦା ଲୁଗାରେ ଥରି ଥରି ଘରକୁ ଫେରେ । ଭାବେଁ, ଏ ଟୋକାଗୁଡ଼ା କେଡ଼େ ଖରାପ । ପୁଣି ଭାବେଁ, ନା, ସେମାନେ ଖରାପ ନୁହନ୍ତି ଯେ, ମୋ କପାଳ ଖରାପ । ମୁଁ ଗରିବ–ଅନାଥା । ଗାଁରେ ଆଉ ଦଶ ପଚିଶ ଝିଅ ଅଛନ୍ତି । ହେଲେ, ସେମାନଙ୍କ ପାଇଁ ଠେଙ୍ଗା ଧରିବାକୁ ଲୋକ ଅଛନ୍ତି ।

 

ଏମିତି କେତେ କଥା । ପଦାକୁ ଚାହିଁବାକୁ ଡରମାଡ଼େ । ନିଶ୍ଚୟ କାହାର ଦିଟା ଆଖି ମିଟି ମିଟି ହେଉଥିବ । କାହାକୁ କିଛି କହି ହେବ ନାହିଁ । ନିଜ ମହତ ନିଜେ ରଖି ଚଳେ । ତଥାପି ଗାଁରେ ଦୁର୍ନାମ ରଟିଲା, କେତେ ଲୋକ ମୁରବିଗିରି ଦେଖାଇ ଆମ ଘରକୁ ଉପଦେଶ ଦେବାକୁ ଆସିଲେ । ଭଲେଇ ହୋଇ କହିଲେ, ଆଲୋ ତୁଳସୀ-ମା, ଏଇ ସାଲେ ଯେଉଁଠି ହେଲେ ଝିଅକୁ ଉଠେଇଦେ । ଯିଏ ଆସନ୍ତି, ତାଙ୍କର ଆଖି ଦିଟା ଚକ୍ର ପରି ଭ୍ରମୁଥାଏ । ମୁଁ ଜାଣେ, ସେ ଆଖି ମତେହିଁ ଠାବ କରିବାକୁ ଡହଳ ବିକଳ ହେଉଥାଏ । କହନ୍ତି, ଝିଅଟାକୁ ବେପରଦା କରି ଗାଁରେ ରଖିବା ଆଉ ଠିକ୍‌ ନୁହେଁ । ଦେଖୁନୁ ଆଜିକାଲିକା ପିଲାଙ୍କ ଢଙ୍ଗ ।

 

ବୋଉ ଉତ୍ତର ଦିଏ ନାହିଁ । ଡବ ଡବ କରି ଚାହେଁ । ଦୁଇ ଆଖିରୁ ଲୁହ ଧାର ଗଡ଼ିପଡ଼େ-

•••

 

 

ବାହାଘର ହେଲା । ଯାହା ସଙ୍ଗେ ଆଖିର ଅଦଳ ବଦଳ ତାଙ୍କ ସଙ୍ଗେ ନୁହେଁ, ତାଙ୍କ ଭାଇଙ୍କ ସଙ୍ଗେ । ପରଘରକୁ ଯାଇ ସଂସାର କଲି । ପିଲାଟିକୁ କୋଳରେ ଧରି ଦିନ ପାଞ୍ଚଟା ପାଇଁ ଆସିଥିଲି ବୋଉ ପାଖକୁ । ଫେରି ନାହିଁ । ଫେରିବି ନାହିଁ। କାହା ପାଖକୁ ଫେରିବି ? ଯାହାକୁ ନେଇ ସଂସାର କରିଥିଲି ସେ ନାହାନ୍ତି ।

 

ମୁଁ ବିଧବା, ମୁଁ ଅନାଥା.....

ଛେଉଣ୍ଡ ପିଲାଟିକୁ ମଣିଷ କରିବା ମୋରି ଦାୟିତ୍ୱ ।

 

ଆଖିରୁ ଝରିପଡ଼ିଲା ତତଲା ଲୁହ । କେତେ ସୁଖ ଦୁଃଖର ସ୍ମୃତି, ମନକୁ ଅସ୍ଥିର କରି ପକାଇଲା । ମନରେ ଜୋର ଆଣିଲି, ଆରେ, ସଂସାରର ଶହ ଶହ ଗରିବ ଅନାଥଙ୍କର ପରି ମୁଁ ବି ଜଣେ । ସମସ୍ତେ ଦୁଃଖେ କଷ୍ଟେ ଚଳୁଛନ୍ତି । ମୁଁ ବି ମୋର ନାବ ଚଳାଇବି–ଯେତେ ଦିନ ଚଳିବ । ପିଲାଟିକୁ ବଞ୍ଚାଇବାକୁ, ମଣିଷ କରି ଦାଣ୍ଡରେ ଚଳାଇବାକୁ ଚେଷ୍ଟା କରିବି । ଯାହା ଥିବ ତା’ର କପାଳେ ।

 

ରାଜିବୋଉ କହିଲା, ଆଲୋ ତୁଳସୀ, ଗାଁ ମୁଣ୍ଡ ତ ହେଲା, ମୁଁ ଏଇବାଟେ ଯାଉଛି, ତୁ ଏଇ ଗୋହିରୀ ବାଟେ ସିଧା ଯା ।

 

କହିଲି, ହଉ ଖୁଡ଼ି, ତମ ଟୋକେଇ ନିଅ ।

ମୁଣ୍ଡରୁ କାଢ଼ି ତା ହାତକୁ ଦେଲି । ସେ ଟୋକେଇ ନେଇ କହିଲା, ଦିଟା କଞ୍ଚା ଲଙ୍କା ମରିଚ ନେବୁ ତୁଳସୀ, ଲୋଭ ହେଲା, ଛବିଘର ଗଛରୁ ଛିଣ୍ଡାଇ ଆଣିଛି ।

ରାଗ ହେଲା । କେଡ଼େ ଖରାପ ଲୋକ । ପାଣି ପିଇବାକୁ ଯାଇ ପରର ଜିନିଷରେ ହାତଦେବା ଭଲ ନୁହେଁ । ପଚାରିଲି, ଛବି ଜାଣେ ଖୁଡ଼ି ?

ଚିଡ଼ି ଉଠି କହିଲା, ମଲା ମୋର, ଦିଟା ଲଙ୍କାମରିଚ, ତାକୁ କହିଲି ନାହିଁ ତ କଅଣ ହେଲା ?

ବିରକ୍ତ ହୋଇ କହିଲି, କ’ଣ ଆଉ ହେବ, ଚୋରି ହେଲା । ଛିଃ-

ରାଗରେ ନିଆଁ ହୋଇଗଲା । କହିଲା, କିଲୋ, ମତେ ଚୋରଣୀ କହୁଛୁ ? ହଇଲୋ, ନିଜ ଗୁଣ କଥା ଭୁଲି ଗଲୁ କି? ଦିଅର ସଙ୍ଗେ ସଲା ହୋଇ ଘଇତାକୁ ମରାଇ ଆଜି ଦେଖାଇ ହଉଛୁ, ମୁଁ ସତୀ, ମୁଁ ସତୀ । ପୁରାଣ ଖୋଲିଲେ– ।

ଛାତିରେ ଛୁରୀ ଚାଲିଗଲା । ମୁହୂର୍ତ୍ତେ ଅପେକ୍ଷା ନକରି କିଆଗୋହିରୀ ଭିତରକୁ ପଶିଆସିଲି । କାନରେ ହାତ ଦେଇ ଘର ଆଡ଼େ ଚାଲିଲି ।

ବାରି ଭିତରକୁ ପଶିଆସି ଦେଖିଲି, ପିଣ୍ଡା ଉପରେ କରିକିଆ ହୋଇ ଡିବିରି ଜଳୁଛି । କାହରି ସ୍ୱର ଶବ୍ଦ ନାହିଁ । ଭାବିଲି, ମନୁ ମୋର ଶୋଇ ପଡ଼ିଛି , କେତେ ଆଜି କାନ୍ଦିଥିବ କେଜାଣି । ହାଟ ଟୋକେଇଟି ଚାଳି ଉପରେ ରଖିଦେଇ ଡାକିଲି, ବୋଉ, ବୋଉ ....

ବୋଉ ଜବାବ ଦେଇ ଘର ଭିତରୁ ପଦାକୁ ଆସିଲା । ପଚାରିଲା, ଏତେ ଡେରି ହେଲା କାହିଁକି ମା ?

ଆସୁ ଆସୁ ଡେରି ହୋଇଗଲା । ମନୁ କ’ଣ ଶୋଇଛି ?

ହଁ । ଗୋଡ଼ ହାତ ଧୋଇ ଆଗ ମନ୍ଦାଏ ତୋରାଣି ପିଇଦେ, ତାପରେ ଯେଉଁ କଥା । ଚାଲି ଚାଲି ହାଲିଆ ହୋଇଥିବୁ, ଦିନଯାକ ପୁଣି ପେଟରେ କିଛି ପଡ଼ି ନାହିଁ....

ମୋ କଥାକୁ ଅପେକ୍ଷା ନକରି ଘର ଭିତରୁ ପୁରୁଣା ରଙ୍ଗୀନ୍‌ ଲୁଗା ଖଣ୍ଡି ଓ ଢାଳଟି ଆଣି ମତେ ଦେଲା । ହାଟରୁ ଆଣିଥିବା ପଇସା ଓ ଅନ୍ୟାନ୍ୟ ପଦାର୍ଥ ବୋଉ ହାତକୁ ଦେଇ ମୁଁ ଲୋଟା ଓ ଲୁଗା ନେଇ ଦାଣ୍ଡ କଡ଼ କୂଅ ମୂଳକୁ ଗଲି ।

ବୋଉ ସେହି ପିଣ୍ଡାରେ ମୋ ପାଇଁ ପଖାଳ ବାଢ଼ିଦେଲା ।

କହିଲା, ଟିମବାବୁଙ୍କ ଘରୁ ଲୋକ ଆସିଥିଲା । କାଲି ସକାଳେ ଧାନ କୁଟି ଯିବାକୁ କହିଯାଇଛି ।

କହିଲି, କାଲି ମନୁଆର ଜନ୍ମଦିନ, ସକାଳେ କାହା ଘରକୁ ଯାଇ ପାରିବି ନାହିଁ ।

ସାଆନ୍ତାଣୀ ରାଗିବେ ନାହିଁ ?

ରାଗିଲେ ମୁଁ କଅଣ କରିବି ? କାମ କଲେ ମାଣେ କି ସେରେ ଦେବେ । କାମ ନକଲେ ନଦେବେ । କାହାର କିଏ ଧାରେ କି ବୋଉ ?

ଆଲୋ ମା, ଆଉ ଦିନକୁ ଆଉ ଦିନ ଅଛି ।

ତୁନି ରହିଲି । ପରଙ୍କ ଦୟା ଉପରେ ଯେ ନିର୍ଭର କରେ, ପରଙ୍କ ମର୍ଜି ଜଗି ତାକୁ ଚଳିବାକୁ ହେବ ।

ଘର ଭିତରେ ମନୁ କାନ୍ଦିଲା । ବୋଉ ଉଠିଗଲା । ମୋର ନଜର ପଡ଼ିଲା ଚାଳି ପାଖ ପିଣ୍ଡାରେ । କାନ୍ଥକୁ ଡେରି ହୋଇ କାନ୍ଦିଏ କାଠିଆ କଦଳୀ ରଖାହୋଇଛି । କିଛି ବୁଝିପାରିଲି ନାହିଁ-। ଆମ ବାରିରେ ଯେଉଁ ଦି’କାନ୍ଦି କଦଳୀ ପଡ଼ିଛି ସେ ତ ବନ୍ତଳ କଦଳୀ, ଇଏ ଆସିଲା କେଉଁଠୁ ?

ଡାକିଲି, ବୋଉ–

ବୋଉ ମନୁକୁ କାଖ କରି ପଦାକୁ ଆସିଲା । ଆଗ୍ରହରେ ମୁଁ ତା ଆଡ଼କୁ ଚାହିଁଲି । ଆହୁରି ଆଶ୍ଚର୍ଯ୍ୟ ହେଲି । ପିଲାଟା ଆଖି ବୁଜି ଘୁମାଉଛି । ହାତରେ ଧରିଛି ଗୋଟାଏ ଜାପାନୀ କଣ୍ଢେଇ । ପିନ୍ଧିଛି ଖଣ୍ଡେ ଫୁଲପକା ଜାମା ।

ପଖାଳ କଂସା ପାଖରୁ ଉଠି ହାତ ଧୋଇଲି । ମନୁକୁ ବୋଉ କାଖରୁ ଆଣି ପଚାରିଲି–ବୋଉ, ଏ ସବୁ ମୁଁ ବୁଝିପାରୁନାହିଁ । ଏ କଦଳୀ, ଜାମା, ଖେଳନା କିଏ ଆଣିଛି ?

ବୋଉ ହସିଲା । ଉତ୍ତର ନଦେଇ ଘର ଭିତରକୁ ଗଲା । ମୁଁ ସେଇ ବାରଣ୍ଡାରେ ପିଲାକୁ କୋଳରେ ଧରି ବସିଲି ।

ବୋଉ ଘର ଭିତରୁ ବାହାରିଲା । ହାତରେ ଧରିଛି ଖଣ୍ଡିଏ ଫୁଲଧଡ଼ିଆ ମିଲ୍ ଶାଢ଼ୀ ଓ ଖଣ୍ଡେ ଗାମୁଛା । କହିଲା, ଏ ସବୁ ସୁର ଆଣିଛନ୍ତି । କାଲି ପୁଅର ଜନ୍ମଦିନ ବୋଲି ତା ପାଇଁ ଜାମା, ତୋ ପାଇଁ ମୋ ପାଇଁ ଲୁଗା, କାନ୍ଦିଏ ପାଚିଲା କଦଳୀ...।

ତାକୁ ଆଉ କୁହାଇ ଦେଲିନାହିଁ । ଗର୍ଜି ଉଠିଲି, କିଏ ଆଣିଛି ?

ମୋ ରାଗର କାରଣ ସେ ଜାଣେ, ତା ମୁହଁ ଶୁଖିଗଲା । କହିଲା, କି ଅନ୍ୟାୟ ହେଲା ମା, କେଡ଼େ ଶ୍ରଦ୍ଧାରେ ସେ ନିଜ ମୁଣ୍ଡରେ ବୋହି ଉଦୁଉଦିଆ ଦି’ପହରଟାରେ ଏ ସବୁ ନେଇ ଆସିଥିଲା ।

ପଚାରିଲି, ତୁ ରଖିଲୁ କାହିଁକି; ଫେରାଇ ଦେଲୁନାହିଁ । ତତେ ମୁଁ କେତେ ଥର ମନାକରିଛି ?

ବୋଉ କହିଲା, ରାଗନା ମା । ଶୁଣ୍ ମୁଁ ଯା କହୁଛି । ଲୋକଙ୍କ ମୁହଁରୁ ଏଣୁ ତେଣୁ ଶୁଣି ବିନା କାରଣରେ ତା ଉପରେ ରାଗିବା, ଚୋରକୁ ମାନ କରି ଖପରାରେ ଖାଇବା ଭଲ ନୁହେଁ । ସୁର ତୋର ଦିଅର, ମନୁର ଦାଦି । ବାର ଲୋକଙ୍କ ଅଲଣା କଥାରୁ ଆମକୁ କଅଣ ମିଳିବ ? ଲୋକେ ତୁଣ୍ଡ ହଲାଇ ଘର ଭଙ୍ଗା କଥା କହିବେ ସିନା, କେହି କେବେ ସାହା ହେବେ ନାହିଁ । ପାଞ୍ଚ ପଚିଶ ଗଣିଦେବେ ନାହିଁ ।

ଆଉ ସୁର ଆସି ପାଞ୍ଚ ପଚିଶ ଗଣିଦେବେ, ମନୁଆକୁ ଅକାଳେ ସକାଳେ ଖଣ୍ଡେ ଜାମା କି ମୋ ପାଇଁ ଖଣ୍ଡେ ଲୁଗା ଆଣିଦେବେ । ସେଇଥିରେ ଆମର ଦିନକାଳ ସରିବ ନାହିଁ । ଯାହାକୁ ନେଇ ସଂସାର କରିଥାନ୍ତି, ଯାହାକୁ ନେଇ ଦିନକାଳ ସାରିଥାନ୍ତି, ତାଙ୍କୁ ମୋତେ କିଏ ଆଣିଦେବ ?

ଆଉ କହିପାରିଲି ନାହିଁ । ମନୁଆକୁ ଛାତିରେ ଚାପିଧରି କାନ୍ଦିବାକୁ ଲାଗିଲି । ମନେ ପଡ଼ିଗଲା କେତେ କାଳର କେତେ କଥା । କାନ୍ଦଣା ସ୍ୱରରେ କହିବାକୁ ଲାଗିଲି, ସୁର ଆସି ତୋ ପାଖରେ ସାକୁଲେଇ ହେଲା, ସେତିକିରେ ତୁ ଭୁଲିଗଲୁ । ତାକୁ ଘରେ ପୂରାଇବାକୁ ମୁଁ ତତେ ମନା କରିଥିଲି ।

ହାତ ଦେଖାଇ ସେ କହିଲା, ଚୁପ୍ ଚୁପ୍, ଆର ଘରେ ସେ ଶୋଇଛନ୍ତି, ବେଶି କିଛି କହ ନା ।

ସେ ଅଛନ୍ତି ଶୁଣି ମୋ ଦେହରେ ନିଆଁ ଲାଗିଗଲା । ମନୁଆକୁ ତଳେ ବସାଇ ବଡ଼ ପାଟି କରି କହିଲି, ସେ ରହିଲେ କାହିଁକି ? ଆହୁରି ଦୁର୍ନାମ ଶୁଣିବାକୁ ବାକି ଅଛି ବୋଉ ?

ଏମିତି କାହିଁକି କହୁଛୁ ତୁଳସୀ, ତୁ ରାଗିବୁ ବୋଲି ମୁଁ ଜାଣିନଥିଲି । ଉଦୁଉଦିଆ ଖରାରେ ଧାଇଁ ଧାଇଁ ଆସିଥିଲା । କି ରୂପ ଆସି କଅଣ ହେଲାଣି । ଧିଅରୁ କଳାପାଣି ବୋହିପଡ଼ୁଛି-। ମନ ଭାରି କଷ୍ଟ ହେଲା । ମନୁର କାଲି ଜନ୍ମଦିନ । ତାଆରି ଦାଦି ତ । ତାଆରି ରକତ । ବାପ କିଏ ଆଉ ଦାଦି ବଡ଼ବାପ ? ଏଇଆ ଭାବି ମୁଁ ତାକୁ ଅଟକାଇ ରଖିଲି । ତୁ କାଳେ ରାଗିବୁ ବୋଲି ସେ ଏକା ନାହିଁ କରୁଥିଲା । ତାର କାଣିଚାଏ ଦୋଷ ନାହିଁ ।

ଆଖିରୁ ଧାର ଧାର ଲୁହ ଝରିପଡ଼ୁଥାଏ । ଥକ୍‌କା ହୋଇ ସେହି ପିଣ୍ଡାରେ ବସି ଗହୀର ଆଡ଼ର ଅନ୍ଧାର ଭିତରକୁ ଏକ ଆଖିରେ ଚାହିଁ ରହିଥାଏ । ଭାବୁଥାଏ, ମଣିଷର ବୟସ ବଢ଼ିଲେ ବୁଦ୍ଧିସୁଧି ବିଗିଡ଼ିଯାଏ । ଏ ଗାଁର ଲୋକେ ମୋତେ ଯେଉଁ ଆଖିରେ ଦେଖନ୍ତି, ମୋ ସମ୍ବନ୍ଧରେ ସେମାନଙ୍କର ଧାରଣା ଯେପରି ଖରାପ, ସେମାନେ ଯଦି ଜାଣନ୍ତି ଯେ ମୋ’ର ଦିଅର ସୁର ରାତିରେ ଆସି ଆମରି ଘରେ ଥିଲା, ତେବେ ତିଳକୁ ତାଳ କରି କହିବାକୁ ସେମାନଙ୍କୁ ସୁବିଧା ମିଳିବ । ମୋ’ର ଉପର ମୁହଁ ତଳକୁ ହେବ ।

ବେଳୁ ବେଳ କୋହ ବଢ଼ିଲା । ବୋଉ କାଠପିତୁଳା ପରି ଖଣ୍ଡେ ଦୂରରେ ବସିଥାଏ, ମନୁକୁ କୋଳରେ ଧରିଥାଏ । ସେ ବୋଧହୁଏ, ତାର ଭୁଲ ବୁଝିବଣି । ସେ ଭୁଲ କରି ନାହିଁ, ଜାଣି ଜାଣି ଏପରି କରିଛି । କେତେଥର ମୋ ଆଗରେ ସାକୁଲେଇ ହୋଇ କହିଛି, ଆଲୋ ତୁଳସୀ, ସବୁଦିନେ ମଣିଷ ଟାଣ ରଖି ଚଳିପାରେ ନାହିଁ ଲୋ । ହଁ, ଯାହାର ହାତ ଧରିଥାଏ ତାର ଭଲ ମନ୍ଦ ହେଲେ ମନ ଭାଙ୍ଗିଯାଏ । ତଥାପି, ଛାତି ପଥର କରି ପୁଣି ନୂଆ ସଂସାର କରିବାକୁ ପଡ଼େ । ଆଜି ସିନା ତୋର ବୋଉ ଅଛି, କାଲି ଯେତେବେଳେ ସେ ଆଖିବୁଜିବ, କି ସାହସରେ ତୁ ପିଲାଟାକୁ ନେଇ ଚଳିବୁ ?

ଏମିତି କେତେ କଥା ସେ କହେ । ତା କହିବାର ଉଦ୍ଦେଶ୍ୟ ମୁଁ ଭଲ କରି ଜାଣେ । ତାର ଇଚ୍ଛା ମୁଁ ଆଉ ଥରେ ସ୍ୱାମୀ ନେଇ ସଂସାର ଆରମ୍ଭ କରିବି । ମୋର ମଲା ସ୍ୱାମୀଙ୍କୁ ପାଶୋରି ସୁଖରେ ରହିବାକୁ ଚେଷ୍ଟା କରିବି । ତାର ମନ ସିନା ମୋର ଦୁଃଖ କଷ୍ଟ ଦେଖି ସହିପାରେ ନାହିଁ, ସେ ତ ବୁଝିପାରେ ନାହିଁ, ତାର ସହାନୁଭୂତି କଥା କେଇପଦ ମୋର ଛାତି ଭିତର କଟା ଘାଆରେ କିପରି ଲୁଣର ଛିଟା ମାରେ ! ତା ସଙ୍ଗେ ମୁଁ ବାଦାନୁବାଦ କରେ ନାହିଁ । ତା କଥାରେ କାନ ନଦେଇ ନିଜ କାମରେ ବ୍ୟସ୍ତ ରହେ ।

ତାର ଇଚ୍ଛା ମୁଁ ପୁଣି ସୁରକୁ ନେଇ ସଂସାର କରିବି । କୁଳର ବୋହୂ କୁଳରେ ରହିବି । ମନୁଆ ବାପ ହରାଇ ଦାଦିକୁ ବାପ କରି ପାଇ ସବୁ ଦୁଃଖ ଭୁଲିଯିବ । କଥା ଏ କାନରୁ ସେ କାନକୁ ଯିବ ନାହିଁ । ବୋଉର ଦୁଶ୍ଚିନ୍ତା ଘୁଞ୍ଚିଯିବ । କିନ୍ତୁ ବୁଝେ ନାହିଁ ବୋଉ, ଯାହାରି ପାଇଁ ଆଜି ମୋର ଏ ଦୁରବସ୍ଥା, ଯାହାକୁ ମୁଁ ବିଷ ପରି ଘୃଣା କରେ, ଭୟ କରେ, ଯାହା ପାଇଁ ଦୁନିଆରେ ମୋର ଦୁର୍ନାମ ରଟିଛି, ତାକୁ ନେଇ ମୁଁ ନୂଆ ଜୀବନ ଆରମ୍ଭ କରିପାରିବି ନାହିଁ ।

ମୋର ମନ ଯାହା ବୁଝେ, ବୋଉ ତାର କାଣିଚାକର ଆଭାସ ପାଏ ନାହିଁ । ଆଭାସ ମୁଁ ଦିଏ ନାହିଁ । ସେ ତାର ମନ ଇଚ୍ଛା ଗପିଯାଏ, ମନ ଇଚ୍ଛା ଉପଦେଶ ଉଦ୍‌ଗାରିଯାଏ । କାହିଁରେ ମୁଁ କାନ ଦିଏ ନାହିଁ । ଖାଲି ଶେଷକୁ ତାକୁ ମନା କରି କହେ, ସୁର ଆମ ଘରକୁ ଆଉ ନଆସୁ । ଯଦି ଆସେ, ତାକୁ ଘରେ ପୂରାଇବୁ ନାହିଁ ।

ଶୁଣି ମଧ୍ୟ ସେ ଶୁଣେ ନାହିଁ । ମନୁଆକୁ ଦେଖିବା ବାହାନାରେ ସୁର ବାରମ୍ବାର ଆସନ୍ତି-। ବୋଉ ତାଙ୍କୁ ଘରେ ପୂରାଏ । କେତେ ଗପ କରେ । ମୋର ବାରଣ, ମୋ ବିରକ୍ତିକୁ ପାସଙ୍ଗରେ ନପକାଇ ମନୁଆକୁ ଦେଖିବା ପେଖନାରେ ଆସନ୍ତି । ଆଜି ଜାମା ଖଣ୍ଡେ, କାଲି ମିଠେଇଟିଏ, ପୁଣି କେବେ ଖେଳନା ଖଣ୍ଡେ ପିଲାଟାକୁ ଦେଇ ବୋଉର ମନ କିଣିନେବାକୁ ଚାହାନ୍ତି-। ମୂର୍ଖ, ବୁଝନ୍ତି ନାହିଁ, ବୋଉକୁ ପଟାଇ ରଖିଲେ ମୋର ମନର ଭାବ ବଦଳାଇ ପାରିବେ ନାହିଁ ।

ମୋତେ ତୁନି ଦେଖି ବୋଉ କ’ଣ ମନେ କରି କେଜାଣି ପୁଣି କହିଲା, ମା, ସୁର ସେତେବେଳୁ ଆସିଲାଣି, କିଛି ଖାଇ ନାହିଁ । ଖାଇବାକୁ ଡାକିଲି ଯେ କହିଲା, ନୂଆଉ ଖରାତରାରେ ଧାଇଁ ଧାଇଁ ଆସୁଥିବେ, ସେ ଆସନ୍ତୁ, ମତେ ଭୋକ କରୁନାହିଁ । ଆଜି ନୁହେଁ ମା, ସବୁଦିନେ ମୁଁ ଦେଖିଛି ତୋଠେଇଁ ତାର ଭାରି ଶ୍ରଦ୍ଧା । ଯେଉଁମାନେ ଦେଖିନପାରନ୍ତି, ସେମାନେ ବାରକଥା କହନ୍ତି-

ମୋର ଧୈର୍ଯ୍ୟ ଭାଙ୍ଗିଲା । ଚିହିଙ୍କି ଉଠି କହିଲି – ଥାଉ ଥାଉ, ତୋର ଭଲେଇ କଥା, ସେତିକି ଥାଉ । ସୁରକୁ ମୁଁ ଭଲକରି ଚିହ୍ନେ । ସେ ମଉନ ମୁହାଁ, ଚୁପ୍ ସଇତାନ, ବୁଡ଼ି ବୁଡ଼ି ପାଣି ପିଏ । ତା ମାୟାରେ ଭଗବାନ ପଶିପାରିବେ ନାହିଁ। ସେ ଖୁଣୀ, ସେ ଦୋଷୀ, କେହି ନଦେଖନ୍ତୁ, ଉପରେ ଥାଇ ଠାକୁରେ ସବୁ ଦେଖିଛନ୍ତି । ଲୋକଙ୍କର କଥା ମିଛ ହୋଇପାରେ ନାହିଁ ।

ଆଉ କ’ଣ କହିଥାନ୍ତି, ମୁଁ ଜାଣେ ନାହିଁ । ଆରଘରୁ ଆଖି ମଳି ମଳି ସୁର ବାହାରି ଆସିଲେ । ତାଙ୍କୁ ଦେଖି ମୋର ପାଟି ବନ୍ଦ ହୋଇଗଲା । ସତେ ତ, ସେ ବଦଳି ଯାଇଛନ୍ତି ! ଦୁଇମାସ ତଳେ ସଞ୍ଜବୁଡ଼ିଆ ଆମରି ଘରେ ତାଙ୍କ ସଙ୍ଗେ ଦେଖା ହୋଇଥିଲା । ମନକୁ ଯାହା ଆସିଲା କହି ମୁଁ ଗାଁ ଭିତରକୁ ଚାଲିଯାଇଥିଲି । ଫେରିଲା ବେଳକୁ ସେ ନଥିଲେ । ସେଦିନ ସେହି ମୁହୂର୍ତ୍ତକର ଦେଖାରେ ଯାହା ଦେଖିଥିଲି, ଭାବିଥିଲି, ତାର ଶିରୀ ତୁଟିଯାଇଛି । ମନର ପାପ ସିନା କେହି ଦେଖିଲେ ନାହିଁ, ନିଜ କଲା ପାପ କାମରେ ନିଜେ ସେ ଜଳି ଯାଉଛି ।

ରାତିର ଝାପ୍‌ସା ଆଲୁଅରେ ଯାହା ଦେଖିଲି ମୋର ଛାତିରେ ଚମକ ଲାଗିଲା । ତମ୍ବା ତାର ପରି ବଳିଲା ଦେହରେ ଶିରା ଦଉଡ଼ି ବଳିହୋଇଛି । ଛାତିରେ ଗଣି ହେଉଛି ହାଡ଼ ବିଦାକାଠି ପରି । କୋରଡ଼ିଆ ଆଖି ମଉଳା ଫୁଲ ପରି ଜ୍ୟୋତିହୀନ । ମୁହଁର ରୂଢ଼କୁ ଘୋଡ଼ାଇ ପକାଇଛି ମୁଣ୍ଡର ଲମ୍ବ ଲମ୍ବ କହରା ବାଳ । ଭ୍ରାତୃହନ୍ତାର ଶିରୀ ତୁଟିଛି ।

•••

 

Unknown

 

ରାମ ଲକ୍ଷ୍ମଣ ପରି ଦି ଭାଇ, ଚାଲିଯାଉଥିଲେ ଶତ୍ରୁ ଶଙ୍କିଯାଏ । ଭଲ କରି ନଚିହ୍ନିଲା ଲୋକ ଭ୍ରମରେ ପଡ଼ନ୍ତି, ବଡ଼ କିଏ ସାନ କିଏ । ସୁର ମନୁଆର ଦାଦି, ତାଙ୍କରି ଭାଇ, ଏକା ରକ୍ତ ଦି ଧାର । ଏକାମାଟିରେ, ଏକା ଛାଞ୍ଚରେ ଦିଓଟି ରୂପ ଷଠୀ ଗଢ଼ିଛି । ଜଣକୁ ନଦେଖିଲେ ଆରକ ବଣା ହେଉଥିଲେ । ମନୁଆର ବାପଙ୍କ ଆଖିରେ ଆଗ ସୁର ତ ପଛ ମନୁଆ । ସୁର ବି ସେମିତି ପ୍ରାଣରୁ ବଳି ଭାଇଙ୍କୁ ତାର ଭଲ ପାଉଥିଲା । କିନ୍ତୁ, କଣ ହେଲା – ଅଲୌକିକ କଥା – ଲୋକେ ଚହଳ ପକାଇଲେ, ସୁର ପାଇଁ ମନୁଆର ବାପା ସେପୁରକୁ ଗଲେ, ଆଉ....

ତଳେ ମୁଣ୍ଡ ଲଗାଇ ମୋତେ ପ୍ରଣାମ କରି ସୁର ଆଡ଼େଇ ଠିଆହେଲେ । ମୋ ଆଡ଼କୁ ଚାହିଁବାକୁ ସେତିକି ତାଙ୍କର ସାହସ ହେଉନାହିଁ, ସତେକି ସେ କଣ ଅନ୍ୟାୟ ଅନୀତି ବିଶ୍ୱାସଘାତକ କାମ କରି ପକାଇଛନ୍ତି ।

ମୋର ଅଧେ ରାଗ କମିଆସିଲା । ପାଟିରୁ କଥା ବାହାରିଲା ନାହିଁ । ଭଲ ମନ୍ଦ ଜାଣିବାର ଶକ୍ତି ମଣିଷର ନାହିଁ । ଅନ୍ୟର ମନରେ କି ଚିନ୍ତା ଖେଳୁଛି ବୁଝିବାର ଉପାୟ ନାହିଁ । ଘଟଣାଟା ଯେପରି ଘଟିଗଲା, ଲୋକେ ଯେପରି ଦୁର୍ନାମ ରଟାଇଲେ, ମଣିଷର ସନ୍ଦେହୀ ମନ ସିନା ପାପ ଛୁଇଁଲା, ନୋହିଲେ ସତ ମିଛ ଜାଣିବାର ଉପାୟ କଣ ଅଛି ? ଆହା ସେ ଯଦି କ୍ଷଣକ ପାଇଁ ଫେରିଆସି ସତ କଥାଟି କହିଯାଆନ୍ତେ, ସବୁ ଦୁଶ୍ଚିନ୍ତା ସବୁ ସନ୍ଦେହ ଦୂର ହୋଇଯାଆନ୍ତା । ମୋର ଅନୁପସ୍ଥିତିରେ ଏତେ ବଡ଼ ଘଟଣା ଘଟିଗଲା ବୋଲି ସିନା ମନ ପାପ ଛୁଉଁଛି, ସୁରଙ୍କ ଉପରେ ଅବିଶ୍ୱାସ ହେଉଛି । ମୁଁ ଥିଲେ ମୋର ମନ ଏପରି ଛକପକ ହୋଇନଥାନ୍ତା । ଲୋକେ ପଛେ ଯାହା କହନ୍ତୁ, କି ସଜ ମାଛରେ ପୋକ ପକାନ୍ତୁ ।

ମୋର ଆଖିରୁ ତତଲା ଲୁହର ଧାର ଝରିପଡ଼ିଲା ।

ମନୁଆ ବୋଉକୋଳରୁ ଦାଦା ବୋଲି ଡାକ ଛାଡ଼ିଲା । ବୋଉ ମୋରି ଡରରେ କିଛି କହିନପାରି ପିଲାଟିକୁ ତଳେ ଛାଡ଼ିଦେଲା । ସେ କଣ୍ଢେଇଟି ଧରି ଦା, ଦା ହୋଇ ଠୁକୁ ଠୁକୁ ଚାଲି ସୁରଙ୍କ ଆଡ଼କୁ ଟଳି ଟଳି ଯାଉଥିଲା ମୋରି କଡ଼ଦେଇ । ମୁଁ ତାର ହାତ ଧରି ଧରି କୋଳକୁ ଟାଣିଆଣିଲି । ସେ ଭିଡ଼ିମୋଡ଼ି ହୋଇ ଉଠିଗଲା । ବାଧା ଦେଲି ନାହିଁ ।

ସୁର ତାକୁ ଛାତି ଉପରକୁ ନେଲେ । ଗେଲ କରି କାନ୍ଧରେ ପକାଇଲେ । ମନୁଆ ତାଙ୍କ କାନ୍ଧ ଉପରେ ମୁଣ୍ଡ ନୁଆଇଁ ଗୁଲୁଗୁଲୁ କରି କ’ଣ କହିବାକୁ ଲାଗିଲା । ସୁର ଧୀରେ ଧୀରେ ତାର ପିଠି ଥାପୁଡ଼ିଲେ ।

ମୁଁ ଚାହିଁ ରହିଲି ।

ମନର ରାଗ କମି ଆସିଥିଲା । ତଥାପି ମୁହଁ ପୋତି ସୁରଙ୍କୁ କହିଲି, ଏଠିକି ଆସିବାକୁ ତମୁକୁ ମୁଁ କେତେ ଥର ମନା କରିଛି, ତଥାପି ଖତେଇ ହେଲାପରି ତେମେ ବାରମ୍ବାର ଆସୁଛ । ମତେ ଲୋକନିନ୍ଦା କରାଉଛ । କାହିଁକି ତେମେ ଏପରି ମୋ ପଛରେ ଲାଗିଛ ?

ସୁର ଥକ୍‌କା ହୋଇ କହିଲେ, କାଲି ମନୁଆର ଜନ୍ମଦିନ । ପିଲାଟାକୁ ଥରେ ଦେଖି ଯିବାକୁ ମନ ଉଚ୍ଛନ୍ନ ହେଲା । ନ ଆସିବାକୁ ଯେତେ ଚେଷ୍ଟା କଲି ମୁଁ ରହିପାରିଲି ନାହିଁ । ମନୁଆର ସ୍ନେହଡୋର ମତେ ଟାଣିଆଣିଲା ।

କହିଲି, ଯେତେ ଥର ତେମେ ଆସ, ତମର ସେହି ମନୁଆ ହେଉଛି ପତିଆରା । ମନୁଆ ମୋ ପୁଅ । ମୁଁ ବଞ୍ଚିଥିବା ଯାଏ ତାର ଜନ୍ମଦିନକୁ ଷଠୀ ଅପୂଜା ରହିବେ ନାହିଁ । ତେମେ ଯଦି ସବୁବେଳେ ଛାଇ ପରି ପଛେ ପଛେ ଲାଗିରହିବ, ମୋର ଅବସ୍ଥା କଅଣ ହେବ ମନେକଲ ? ମୁଁ ନେହୁରା ହୋଇ କହୁଛି, ତେମେ ମୋ ପାଖରୁ ଦୂରେଇ ରହ, ତେମେ ଆଉ ଏଠାକୁ ଆସ ନାହିଁ ।

ଆଖିରୁ ଲୁହ ପୋଛିଲି ।

କହିଲେ, ତେମେ ରାଗିକରି କହିଲା ଦିନରୁ ମୁଁ ଏଣେ ଆଉ ବେଶି ଆସେ ନାହିଁ । ତଥାପି, ଯେବେ ମନୁଆ ମନେପଡ଼େ, ତମର କଥା ମୁଁ ଭୁଲିଯାଏ, ଅବେଳାରେ ଛୁଟିଆସେ । ମନୁଆକୁ ଛାତିରେ ଧରି ଟିକିଏ ଶାନ୍ତି ପାଏ । ତେମେ ଘରକୁ ଫେରିବା ଆଗରୁ ମୁଁ ପୁଣି ଫେରିଯାଏ । ଆଜି ବି ଫେରି ଯାଇଥାନ୍ତି । ମାଉସୀ ମତେ ଅଟକାଇଲେ ।

ପଚାରିଲି, ମନୁଆକୁ ଦେଖିବାକୁ ଧାଇଁ ଆସିଥିଲ ତ ଏ ସବୁ ଜିନିଷ କାହିଁକି ଆଣିଛ ? ଏତିକିରେ କ’ଣ ଆମର ଦୁଃଖ ଯିବ, ଦିନ ସରିବ ?

ହସ ମାଡ଼ିଲା । କେଡ଼େ ନିର୍ବୋଧ ଏ ସୁର । ଖଣ୍ଡେ ଶାଢ଼ୀ, କାନ୍ଦିଏ କଦଳୀ, ଖଣ୍ଡିଏ ଜାମା ଦେଇ ମୋର ପଥର ମନକୁ ତରଳାଇବାକୁ ଇଚ୍ଛା କରିଛି । ମୋ ମନରେ ତାଙ୍କ ପ୍ରତି ସନ୍ଦେହର ଯେଉଁ ଗହୀଡ଼ା ଗାର ଖୋଳିହୋଇଛି, ମଲାଯାଏ ସେ ଗାର ଲିଭିବ ନାହିଁ ।

ସେ କହିଲେ, ନୂଆଉ, ତମର ମନେ ନାହିଁ କି– ମନୁଆ ପେଟରେ ଥାଏ, ଢୁ ଢୁ ବର୍ଷାରେ ତିନ୍ତି ବାରିଆଡ଼ ଟୁବ ଉପରେ ନିଜ ହାତରେ ତେମେ କାଠିଆ କଦଳୀ ପୁଆଟିଏ ପୋତିଥିଲ । ତିନ୍ତ ନାହିଁ ବୋଲି ଯେତେ ମନା କଲି ତେମେ ଶୁଣିଲ ନାହିଁ । ସେହି ଗଛର ଏ ଫଳ । କେତେ ଲୋକ ଲୋଭେଇଥିଲେ, ଟଙ୍କାର ଲୋଭ ଦେଖାଇଥିଲେ, କାହାକୁ ଦେଇନାହିଁ ।

ଉତ୍ତର ଦେବାକୁ ଭାଷା ପାଇଲି ନାହିଁ । ବିଜୁଳି ପରି ଗତ କଥା ମୋର ମନରେ ଖେଳିଗଲା । ଗଳା ବନ୍ଦ ହୋଇଆସିଲା ।

କହିଲି ରହି ରହି, ସୁର, ଲୋକଙ୍କର କଥା କଅଣ ତମ କାନରେ ବାଜେ ନାହିଁ ?

ସେ ସାମାନ୍ୟ ହସିଲେ । କହିଲେ, କାନରେ ହାତ ଦେଇ ରହିବା ଛଡ଼ା ଅନ୍ୟ ଗତି ନାହିଁ-। ଘଟଣା ଯେପରି ଘଟିଲା, ଶୁଣିବା ଲୋକଙ୍କ କଥା ପଚାରେ କିଏ, ଆଖିରେ ଦେଖିବା ଲୋକେ ମଧ୍ୟ ବିଶ୍ୱାସ କରିବେ । କିନ୍ତୁ, ଦୁନିଆ ଲୋକଙ୍କ ସଙ୍ଗେ ସମାନ ହୋଇ ତେମେ ଯେ ବିଶ୍ୱାସ କଲ, ଏହାଠାରୁ ବଳି ଅଧିକ ଆଶ୍ଚର୍ଯ୍ୟର କଥା ଆଉ କଅଣ ହୋଇପାରେ ?

ଦିନ ଦିନକର ଘଟଣା ମନକୁ ଆସିଲା । ଭିତରେ ଭିତରେ ଜଳିଗଲି । ତମ୍ପସାପ ପରି ଗର୍ଜିଉଠି କହିଲି, ତେମେ ସୁର ଆଜି ଭଲେଇ ହୋଇ ଏପରି କହୁଛ ମୋ ଆଗରେ ? ତମର ଜିଭ ଓଲଟୁଛି କିପରି ? କ’ଣ ବିଶ୍ୱାସ କଲି ମୁଁ ଜାଣେ ନାହିଁ; କିନ୍ତୁ ମୋର ଦୃଢ଼ ଧାରଣା, ଏହା ଭିତରେ ନିଶ୍ଚୟ ଗୋଟାଏ ରହସ୍ୟ ଅଛି । ସେ ରହସ୍ୟ ଜାଣିବାର ଉପାୟ ଆଉ କାହାର ନାହିଁ । ଜାଣ ତୁମେ ଓ ଜାଣିଥିବେ ଭଗବାନ, ଯିଏ ଦିନରାତି କରୁଛନ୍ତି । ଯାହାଙ୍କ ଉପରେ ତେମେ ଦାଉ ସାଧିଛ, ତାଙ୍କର ଆତ୍ମାଟା ଆଜି ଆକାଶ ପବନରେ କହିବୁଲୁଥିବ ସତ କଥାଟା କଅଣ ! ସୁର, ଛାତିରେ ହାତ ଦେଇ ମୋରି ଆଖିକି ଚାହିଁ ତେମେ କହି ପାରିବ, ମୋ ପକ୍ଷରେ ଅବିଶ୍ୱାସ କରିବାର କୌଣସି କାରଣ ନାହିଁ ?

ତାଙ୍କ ଆଡ଼କୁ କଟମଟ କରି ଚାହିଁଲି ।

ସେ ମୋରି ଆଡ଼କୁ ଅନାଇ ନଇଁଲା ସ୍ୱରରେ କହିଲେ, କାହିଁକି କହିବି ନାହିଁ ? ତେମେ ବୋଧହୁଏ ଛୋଟ ଛୋଟ କେଇଟା ଘଟଣାକୁ ଗଣ୍ଠି କରି ଧରିଛ । ସେଥିପାଇଁ ତେମେ ଦାୟୀ ।

ବିବ୍ରତ ହୋଇ ପଚାରିଲି, ମୁଁ ଦାୟୀ ? କି ସାହସରେ ଏପରି କଥା ତୁଣ୍ଡକୁ ଆଣୁଛ ସୁର-? ତମର ବ୍ୟବହାର ଓ ଢଙ୍ଗଢାଙ୍ଗରେ ଯେଉଁ ତ୍ରୁଟି ମୁଁ ଯେବେ ଦେଖିଛି, ସବୁ ହସିକରି ଉଡ଼ାଇ ଦେଇନାହିଁ କି ? କାଳେ ତମ ମନରେ କଷ୍ଟ ହେବ, କାଳେ ତେମେ ଦୁଃଖିତ ହେବ, ସେଇଥିପାଇଁ ତମର ଭୁଲଭ୍ରାନ୍ତିକୁ ହସରେ ଉଡ଼ାଇଦେଇଛି । ଛୋଟ ଭାଇଟି ପରି ତମକୁ କେତେ ଆଦର କରିଛି, କେତେ ସ୍ନେହ କରିଛି ।

ସୁର କହିଲେ, ଭଲ କରି ଭାବି ଦେଖ, ଯାହାକୁ ଛୋଟ ଛୋଟ ଭୁଲ ବୋଲି ଆଜି କହୁଛି, ଯାହାକୁ ତେମେ ହସରେ ଉଡ଼ାଇ ଦେଇଛ ବୋଲି କହୁଛ, ସେ ସବୁ ତମ ବୁଝିବାର ଭୁଲ । ତମରି ଗୋଡ଼ତଳେ ତମର ଛୋଟ ଭାଇଟି ପରି ମୁଁ ବରାବର ମୁଣ୍ଡ ନୋଇଁଛି, ଏ କଥା ତ ତୁମେ ଅସ୍ୱୀକାର କରିପାରିବ ନାହିଁ ? ବୋଧହୁଏ ଭୁଲି ଯାଇନାହଁ, କେଡ଼େ ଆଦରରେ ତେମେ ମୋତେ ତଳୁ ଉଠାଇ ଗେଲରେ ଚାପଡ଼ା ମାରିଛ, ଆଉ କହିଛ- ନା, ତେମେ ନିଜେ ମନେକର ! ତଥାପି ତେମେ ମୋତେ ଅବିଶ୍ୱାସ କରିବାକୁ ସାହସ କଲ ?

ଦୀର୍ଘ ନିଶ୍ୱାସ ଛାଡ଼ିଲି । ତଳୁ ଉଠାଇ ସ୍ନେହରେ ନୁହେଁ, ସହାନୁଭୂତିରେ ତାଙ୍କ ମନରୁ କୁଭାବନା ତଡ଼ିଦେବାକୁ ଗାଲରେ ଚାପୁଡ଼ା ମାରି ଗେହ୍ଲେଇ ଗେହ୍ଲେଇ କହିଛି– ଏଇ ଯେଉଁ ସରଗର ଚାନ୍ଦ ଦେଖୁଛ ସୁର, କେଡ଼େ ସୁନ୍ଦର କେଡ଼େ ନିର୍ମଳ; ତମରି ପାଇଁ ଠିକ୍ ସେମିତି ବୋହୂଟିଏ ଘରକୁ ଆଣିବି, ଯାହା ମୁହଁକୁ ସବୁବେଳେ ତେମେ ଚାହିଁ ବସିଥିବ ।

ସେ କହନ୍ତି, ସେପରି ବୋହୂ ତ ମୋ’ର ଲୋଡ଼ା ନାହିଁ ।

ପଚାରେଁ, ତେବେ ?

କହନ୍ତି, ଆହୁରି ଭଲ, ଆହୁରି ସୁନ୍ଦର ।

ପଚାରେଁ, କିପରି ତେବେ ?

ମୋ ମୁହଁକୁ ଚାହିଁ ରହନ୍ତି । ତାଙ୍କ ମୁହଁ ରଙ୍ଗା ପଡ଼ିଯାଏ । ବାଆଁରେଇ ହୋଇ ମୁଁ ହସିଦେଇ କାମ ବାହାନାରେ ଅନ୍ୟ ଆଡ଼େ ଚାଲିଯାଏ । ମନେହୁଏ ସତେ କି ସୁର କହିଲେ, ଠିକ୍ ତମରି ପରି ନୂଆଉ ।

ଉତ୍ତେଜିତ ହୋଇ ମୁଁ କହିଲି, ଯେଉଁସବୁ ଛୋଟ ଛୋଟ ଘଟଣାର ଭିତର ଦେଇ ତମରି ମନର ଉତ୍ତେଜନା ଓ ଭାବ ଫୁଟିଉଠିଥିଲା ସୁର, ସେ ସବୁର ଅର୍ଥ ମୋତେ ଅଜଣା ନଥିଲା । ମୋ ପ୍ରତି ତମର ଲୋଭ ହୁଏ ତ ତମକୁ ଏପରି ଗୋଟାଏ କାମ କରିବାର ସାହସ ଦେଇଥିଲା । ଆମ ସମାଜର ଯେଉଁ ପୁରୁଣା ପ୍ରଥା, ଭାଇର ମରଣ ପରେ ତାର ବିଧବା ସ୍ତ୍ରୀକୁ ଛୋଟ ଭାଇ ପୁଣି ବିବାହ କରିପାରିବ, ସେଇ ପ୍ରଥାଟା ତମ ମନରେ ଲୋଭର ନିଆଁ ଜାଳୁଥିଲା । ହୁଏ ତ ତୁମେ ତୁମର ଭାଇର ଜୀବନ ନେବ ବୋଲି କେବଠୁଁ ବିଚାର କରିଥିଲ । ଏ କଥା କେତେ ଲୋକଙ୍କ ମୁହଁରୁ ମୁଁ ଶୁଣିଥିଲି; କିନ୍ତୁ, ହସରେ ଉଡ଼ାଇଦେଇଛି । ତମର ପ୍ରକୃତି ପାଇଁ ନୁହେ ସୁର, ତମ ଭାଇଙ୍କର ତମ ପ୍ରତି ସ୍ନେହପାଇଁ । ମୁଁ ବୁଝିପାରୁଥିଲି, ତମକୁ ସେ ପ୍ରାଣରୁ ବଳି ଭଲ ପାଉଥିଲେ । ତମ ନାମରେ କେହି କେବେ କିଛି କହିଲେ, ସେ ହସି ଉଡ଼ାଇଦେଉଥିଲେ । ଏମିତି ଯେଉଁ ସ୍ନେହୀ ଭାଇ, ତାଙ୍କର ଅମଙ୍ଗଳ ଚିନ୍ତା କରିବାକୁ କେବେ ତୁମର ମନ ହୁଅନ୍ତା ନାହିଁ । କିନ୍ତୁ ସୁର, ମୁଁ ହୁଏତ ଭୁଲ ବୁଝିଥିଲି । ବାପ ଘରକୁ ଆସିବାର ଦିନ କେଇଟା ଭିତରେ ତେମେ ସୁବିଧା କରିନେଲ । ଯେଉଁ ସୁବିଧା କି ମୋ ଥିବା ଅବସ୍ଥାରେ ତେମେ ପାଇପାରି ନଥିଲ । କାରଣ, ତେମେ ଜାଣ, ତମର କୌଣସି କୁତ୍ସିତ ପ୍ରସ୍ତାବରେ ମୁଁ କେବେ ରାଜି ହୋଇପାରନ୍ତି ନାହିଁ । ସେଇଥିପାଇଁ....

କେତେ କଣ କହି ଥାଆନ୍ତି, ମୁଁ ଜାଣେ ନାହିଁ । ମୋର ସ୍ୱାମୀଙ୍କର ମରଣ ଖବର ଓ ସୁରଙ୍କ ନାମରେ ଦୁର୍ନାମ ଶୁଣିଲା ପରଠାରୁ ଏମିତି କେତେ କ’ଣ ମୁଁ ନିତି ନିତି ଭାବୁଛି । ମନର କ୍ରୋଧରେ ନିଜେ ପୋଡ଼ିଜଳି ଛଟପଟ ହୋଇଛି । ଦୁନିଆରେ ଆଉ କେହି ମୋର ଆପଣାର ନାହିଁ-। କାହାର ପାଖରେ ମୁଁ ମନ ଖୋଲି କିଛି କହିପାରିବି ନାହିଁ । ମନର ଭାବନା ମନରେ ମରେ-। ସନ୍ଦେହରେ କେତେ ଭୟଙ୍କର ଚିତ୍ର ମୋର ଆଖିରେ ଦେଖାଯାଏ । ଚମକିଉଠେ । ମନକୁ ସାନ୍ତ୍ୱନା ଦେଇପାରେ ନାହିଁ । କାନ୍ଦେ, ଆଖିର ଲୁହରେ ଦୁଶ୍ଚିନ୍ତା ଭସାଇଦେବାକୁ । ସୁରଙ୍କ ପ୍ରତି ମନରେ ପ୍ରତିହିଂସା ନିଆଁ ଜଳିଉଠେ । ଯିଏ ମୋର ସ୍ୱାମୀର ଜୀବନ ନେଇଛି, କେବଳ ମୋତେ ପାଇବା ଲୋଭରେ, ତାର ଜୀବନ ମୁଁ ନିଶ୍ଚୟ ନେବି, ମୋର ଏଇ ନିଉଁଛୁଣା ଦେହର ଲୋଭ ଦେଖାଇ । ପୁଣି ଭାବେ– ଛିଃ, ସତ କଥା ତ ଜାଣିଲି ନାହିଁ, ଯାହା ଉପରେ ମୋର ସନ୍ଦେହ ହେଉଛି, ହୁଏ ତ ସେ ନିର୍ଦ୍ଦୋଷ ।

•••

 

 

ଅପସରି ରହେ ସୁରଙ୍କ ପାଖରୁ ।

ଦୁର୍ନାମ ରଟିଲା ସଂସାରସାରା, ଦିଅର ସଙ୍ଗେ ସଲା ହୋଇ, ଦିଅର ହାତରେ ସ୍ୱାମୀର ଜୀବନ ନେଇଛି । ଘଟଣାଟା କାଳେ ଜଣାପଡ଼ିଯିବ, ସେଇଥିପାଇଁ କୁଆଡ଼େ ଆଗରୁ ମୁଁ ବାପଘରକୁ ଚାଲିଆସିଥିଲି ।

ଏପରି ଦୁର୍ନାମ ଶୁଣି ନିର୍ଦ୍ଦୋଷ ହେଲେ ମଧ୍ୟ ନିଜକୁ ଦୋଷୀ ମଣେ, କିପରି ଲାଜମାଡ଼େ-। ସୁରଙ୍କ ମୁହଁକୁ ଚାହିଁବାକୁ ମନ ହୁଏ ନାହିଁ । ତାଙ୍କୁ ଦେଖିଲେ ବିରକ୍ତ ହୋଇ ମୁଁ ଦୂରରୁ ତଡ଼ିଦିଏ । କିଏ କୁଆଡ଼ୁ ଚାହିଁଛି କି ? ଲୋକେ ଦେଖିଲେ ସର୍ବନାଶ ହେବ । ଦୁର୍ନାମର ନିଆଁ ଆହୁରି ତେଜରେ ଜଳିଉଠିବ ।

ବେଳେ ବେଳେ ଭାବେ, ସୁରଙ୍କୁ ଅନେକ କଥା ପଚାରିବି, କିନ୍ତୁ ପଚାରିବାର ସୁବିଧା ପାଏ ନାହିଁ । ଆଜି, ଏହି ଅନ୍ଧାର ରାତିରେ, ରାତି ଅଧରେ, ଯେତେବେଳେ ଗାଁ ସାରା ନିଦରେ ଅଚେତନ, ସୁରଙ୍କ ପାଖରେ ମନର ଲୁଚିଲା କଥା ଖୋଲି ହୋଇଗଲା । କ’ଣ କହୁଥିଲି ମୋର ଜ୍ଞାନ ନଥିଲା ।

ସୁର ବାଧା ଦେଇ ଟିକିଏ ଜୋର୍‌ରେ କହି ଉଠିଲେ, ସେତିକି ଥାଉ ନୂଆଉ, ବେଶି ଗୁଡ଼ାଏ ଗପ ନାହିଁ । ତମ ମୁଣ୍ଡକୁ ପିତ୍ତ ଉଠିଛି, ସେଇଥି ପାଇଁ ମନର ଖରାପ ଧାରଣାଗୁଡ଼ା ପଦାକୁ ଫୁଟି ବାହାରୁଛି । ଦୁଃଖ ବେଳରେ ଅପ୍ରିୟ କଥା କହି ମନରେ ଆହୁରି ଦୁଃଖ ଆଣିବାକୁ ମୁଁ ଉଚିତ ମନେକରୁନାହିଁ । ତଥାପି ନୂଆଉ, ଗୋଟିଏ କଥା ନ କହି ମୁଁ ରହିପାରୁନାହିଁ ।

ସୁରଙ୍କର ଆଖିରୁ ଲୁହଧାର ଗଡ଼ିଆସିଲା । ତାଙ୍କର ମୁହଁ ରୁକ୍ଷ ଦିଶିଲା । ସେ କଟମଟ କରି ମୋ ମୁହଁକୁ ଅନାଇ ରହିଲେ । ମନରେ ତାଙ୍କର ଝଡ଼ ତୋଫାନ ଉଠୁଥିଲା । ମୁଁ ଭୟଭୀତ ହେଲି । ନିଜକୁ ସମ୍ଭାଳି ଥରଥର ସ୍ୱରରେ ସେ କହିଲେ, ମୋତେ ସନ୍ଦେହ କରିବାକୁ ସାହସ କରୁଛ-? ଭୁଲି ଯାଇଛ କି, ତମର ସ୍ୱାମୀ ହେବା ଆଗରୁ ମୋର ଭାଇ । ତେମେ ଆଜି ବିଧବା, ମନରେ ତଟକା ଦୁଃଖର ନିଆଁ ଦାଉ ଦାଉ ଜଳୁଛି । ସମୟ ଗଡ଼ିଚାଲିବ । ତମର ଦୁଃଖର ପାରିବ। ଏତିକି ବୁଝି ପାରୁନାହିଁ, ମୋର ଭାଇକୁ କିଏ ମୋତେ ଫେରାଇ ଦେବେ ନାହିଁ । ଚିରଦିନ ଏକୁଟିଆ ହୋଇ ମୁଁ ସଂସାରରେ ବୁଲିବି ।

ମୋତେ କାକୁସ୍ଥ କରି ସୁର ଅତି ନିର୍ଦ୍ଦୟ ଭାବରେ ବଜ୍ର ପରି ଟାଣ କଥା କହିଗଲେ । ଶୋଇଲା ପିଲାକୁ ବେତ ମାରିଲା ପରି ମୁଁ ଚମକିଉଠିଲି । ଚିତ୍କାର କରି ଠିଆ ହେଲି ।

ସେ ତୁନି ହେଲେ । ମନୁଆକୁ ଛାତିରେ ଜାକି ଧରି ପିଲାଟି ପରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ ।

ମୋର ଗୋଡ଼ରୁ ମୁଣ୍ଡଯାଏ ଥରିଉଠିଲା । ଭାବିଲି, ଏତେ ବଡ଼ ଆଘାତ ମଣିଷ ମନରେ ମଣିଷ ଦେଇପାରେ ? ସୁର ଯାହା କହିଲେ ମୋର ଯଦି ସେପରି ଉଦ୍ଦେଶ୍ୟ ଥାନ୍ତା, ଆଜିକି ଦଶମାସ ହେବ ଏତେ ଦୁଃଖ କଷ୍ଟ ସହି ମୁଁ ମୋର ସ୍ୱାମୀର ସ୍ମୃତିଟିକୁ ସମ୍ବଳ କରି ରହିଥାନ୍ତି କାହିଁକି ? ନୂଆ ସଂସାର କରିବାର ଇଚ୍ଛା ଥିଲେ କ’ଣ କରିପାରି ନଥାନ୍ତି ? ପଙ୍କକୁ ଗୋଡ଼ ଖସାଇଥିଲେ ମୁଠାଏ ଖାଇବା କି ଖଣ୍ଡେ ପିନ୍ଧିବାର ଅଭାବ ରହନ୍ତା ନାହିଁ । ପାପର ଡାକରାକୁ ଗୋଡ଼ରେ ଆଡ଼େଇ କାହା ପାଇଁ ମୁଁ କଣ୍ଟାପୂର୍ଣ୍ଣ ବାଟରେ ଚାଲିଛି ? କାହା ପାଇଁ ?

ଦୁଃଖରେ ଢଳିପଡ଼ିଲି କାନ୍ଥ ଉପରକୁ । କହିଲି, ତେମେ ଏଡ଼େ ନିଷ୍ଠୁର ସୁର, ତମର ଛାତି ଏଡ଼େ କଠିଣ ? ଏମିତି ଜଳିଲା କଥା-ବାଣ ମୋ ଉପରକୁ ପକାଇବ ବୋଲି ତେମେ ଆଜି ଅପେକ୍ଷା କରି ରହିଥିଲ ? ମୋ ମନରେ ଏତେ ବଡ଼ ଆଘାତ ଦେଇ ତେମେ କି ଆନନ୍ଦ ପାଇଛ ? ଭାବିଛ କି ତମର ଟାଣ କଥା ଶୁଣି ମୁଁ ତମରି ପାଖରେ ମନ ନୁଆଇଁବି ? ତମରି ହାତ ଧରି ତମରି ଘରଣୀ ହୋଇ ତମରି ଘରକୁ ଯିବି ସଂସାର କରିବାକୁ ? ଯାହାର ସ୍ମୃତିକୁ ମୁଁ ପବିତ୍ର ବୋଲି ମଣିଛି, ଯଦି କେବେ ଅବସ୍ଥାର ଚାପରେ ତାକୁ ଭୁଲି ସଂସାର କରିବା ଆବଶ୍ୟକ ମଣେ, ଦୁନିଆରେ କ’ଣ ଆଉ କେହି ଲୋକ ନାହିଁ ?

କାନ୍ଦର ଉଦ୍‌ବେଗକୁ ଚାପି ଲୁହଭରା ଆଖିରେ ସୁର କହିଲେ, ସେହି କଥା ତ ମୁଁ କହୁଛି, ନୂଆଉ, ତମର ଇଚ୍ଛା ଯାହା ତୁମେ ସେଇଆ କରିବ । କେହି ବାଧା ଦେବେ ନାହିଁ । ସୁଖର ସାଥୀ ହୋଇ ଆନନ୍ଦ ଭିତରେ ମୋ ଭାଇର ହାତ ଧରି ତେମେ ଆମ ଘରେ ଗୋଡ଼ ଦେଇଥିଲ । ଆନନ୍ଦ ମଝିରେ ମୋଟେ ତିନୋଟି ବର୍ଷ ସଂସାର କରିଛ । ତିନୋଟି ବର୍ଷ ତାଆର ସ୍ନେହ ସରାଗ ପାଇଛ, ତା ହୃଦୟ ଚିହ୍ନିବାକୁ ଚେଷ୍ଟା କରିଛ । କିନ୍ତୁ ମନେକଲ, ଯାହା ପାଖରେ ଏକୋଇଶି ବର୍ଷ କଟାଇଆସିଲି, ହେତୁ ପାଇଲା ଦିନୁ ସଂସାରରେ ଯେଉଁ ଜଣକୁ ମୁଁ ମୋର ବୋଲି ଜାଣେ, ସ୍ନେହ ସୁହାଗ ଓ ଗେହ୍ଲାରେ ଯାହାରି କୋଳରେ ପୂର୍ବ ଏକୋଇଶି ବର୍ଷ ସୁଖରେ ମୁଁ ବଢ଼ିଆସିଲି, ମୋଠାରୁ ତେମେ ତାକୁ ବେଶି ଭଲ ଚିହ୍ନ ? ମୋଠାରୁ ତେମେ ତାକୁ ବେଶି ଭଲପାଅ ?

ତାଙ୍କର କଣ୍ଠ ରୁଦ୍ଧ ହୋଇଆସିଲା । କାନ୍ଦଣା ସ୍ୱରରେ ସେ କହିବାକୁ ଲାଗିଲେ, ଆଜି ମୋର ଭାଇ ନାହିଁ । ସେ ଅଭାବ ମୋଠାରୁ ତେମେ ଅଧିକ ବୁଝିବ ? ଏକୁଟିଆ ଘର ଭିତରେ ଯୁଆଡ଼େ ଚାହିଲେ ମୋ ଭାଇର ରୂପ ଦିଶିଯାଏ । ସବୁଥିରେ ତା ହାତର ପରଶ ଲାଗିଛି । ରାତି ଅଧରେ ଡାକ ଛାଡ଼େ ମୋ ଭାଇର ନାଁ ଧରି । ମନେହୁଏ, ଯେମିତି ଆଗ ପରି ମୁଁ ବେମାର ପଡ଼ିଛି-। ରାତି ରାତି ଅନିଦ୍ରା ହୋଇ ମୋତେ କୋଳରେ ପୂରାଇ ସେ ବସିଛି । ଆଖି ଖୋଲେ, ଭାଇକି ଦେଖେ ନାହିଁ । କାନ୍ଦେ । ମନଇଚ୍ଛା କାନ୍ଦେ ।

ଟିକିଏ ରହି ପୁଣି କହିଲେ, ଏକୋଇଶି ବର୍ଷର ସ୍ନେହ ସରାଗର କଥା, ମନ ଭିତରେ ଯିଏ କାୟା ମେଲାଇ ବସିଛି, କଣ କହି ତମକୁ ବୁଝାଇ ପାରିବି, ଦେଖାଇ ପାରିବି ନୂଆଉ ? ଭାଇ ମରିଛି । ବାହାରେ ତାର ଜବାବ୍‌ ପାଏ ନାହିଁ। ମୋରି ଭିତରେ ସେ କହିଉଠେ, କାନ୍ଦୁଛୁ କାହିଁକିରେ, ତତେ ଛାଡ଼ି ମୁଁ କଣ ରହିପାରିବି ? ତୋରି ପାଖରେ ମୁଁ ସବୁବେଳେ ଅଛି, ସବୁବେଳେ ରହିବି । ପିଲାଟି ଦିନୁ ଯେମିତି ତତେ ସ୍ନେହ କରିଥିଲି, କୋଳରେ କାଖରେ ପାଳିଆଣିଥିଲି, ସେମିତି ତୁ ଏଇ ମନୁଆକୁ ମଣିଷ କରିବୁ । ସେଇ ତୋର ପୁଅ, ସେଇ ତୋର ଭାଇ । ଟିକିଏ ରହି ପୁଣି କହିଲେ, ଅସ୍ଥିର ହୋଇ ମନୁଆକୁ ଦେଖିବାକୁ ଧାଇଁଆସେ । ମନୁଆ, ଯେ ମୋର ଭାଇ, ଯେ ମୋର ପୁଅ । ତେମେ ନିଷ୍ଠୁର । ମୋର ଆନନ୍ଦରେ ବାଧା ଦିଅ । ସନ୍ଦେହକୁ ରୂପ ଦେଇ ନିଜର ଭାବନାରେ ନିଜେ ଡରିଉଠ.....

ସୁର ଆଖିରୁ ଲୁହ ପୋଛି ତୁନି ରହିଲେ ।

ମୁଁ ବସିପଡ଼ି କାନ୍ଦିବାକୁ ଲାଗିଲି । ହେଲି କହିଦେବାକୁ, ମୋର ସବୁ ଦୋଷ କ୍ଷମା କର ସୁର, ତମକୁ ମୁଁ ମିଛଟାରେ ସନ୍ଦେହ କରିଛି । ଲୋକଙ୍କ କଥାରେ ଭାସିଯାଇଛି । ଚିହ୍ନି ମଧ୍ୟ ଚିହ୍ନିପାରିନାହିଁ । ଜାଣେ, ତମର ଭାଇ ତମକୁ କିପରି ଭଲପାଆନ୍ତି । ଜାଣେ, ତାଙ୍କରି ପାଇଁ କିପରି ତୁମର ପ୍ରାଣ କାନ୍ଦେ ।

ଚମକି ଚାହିଁଲି ସୁରଙ୍କ ମୁହଁକୁ । କାଲି ପରି ମତେ ସବୁ ଲାଗୁଥାଏ । ଛି, ଛି, କାହା କଥାରେ ପଡ଼ି କାହାକୁ ମୁଁ ଅବିଶ୍ୱାସ କରୁଛି ?

ଖେଳିଗଲା ମୁଣ୍ଡ ଭିତରେ ଆଉ ଗୋଟିଏ ଭାବନା । ଘଟଣାଟା ଘଟିସାରିଲା ପରେ ସମସ୍ତେ ଅନୁତାପ କରନ୍ତି, ବିଶେଷତଃ ଯେତେବେଳେ ଉଦ୍ଦେଶ୍ୟଟା ସଫଳ ହେବାର ଆଶା ଦେଖାନଯାଏ । ଆଜି ହୁଏତ ସେଇଥିପାଇଁ ସୁର ଏକୋଇଶି ବର୍ଷ ଘନିଷ୍ଠତାର ଦ୍ୱାହି ଦେଇ କଥା କହୁଛନ୍ତି । ଏକୋଇଶି ବର୍ଷ ତ ଛାର କଥା । ସତୁରି ବର୍ଷର ଘନିଷ୍ଠତା ପରେ ଭାଇ ପୁଣି ସ୍ୱାର୍ଥ ପାଇଁ କ୍ଷଣକ ଉତ୍ତେଜନାରେ ଭାଇର ବେକରେ ଛୁରୀ ଦିଏ । ଦୃଷ୍ଟାନ୍ତର ଅଭାବ ନାହିଁ ।

ସୁରଙ୍କର କଥା, ତାଙ୍କର କାନ୍ଦ, ତାଙ୍କର ବ୍ୟବହାର ମୋତେ ଛଳନା ପରି ଲାଗିଲା । ଗୋଟିଏ ମାୟାର ଫାନ୍ଦରେ ଆମକୁ ସବୁ ବାନ୍ଧି ଦେବାକୁ ସେ ଚାହାନ୍ତି । ଥରେ ଯଦି ଆମର ମୁହଁ ସେ ବନ୍ଦ କରିପାରିବେ, ଆଉ ବେଳରେ ସେ ତାଙ୍କ ମନର କଥାଟି ଖୋଲି କହିବେ । ସେତେବେଳକୁ ଅନ୍ୟ ଉପାୟ ନଦେଖି ନିଜକୁ ତାଙ୍କର ଇଚ୍ଛା ପାଖରେ ବଳି ଦେବାକୁ ପଡ଼ିବ ।

କାନ୍ଦଣା ସ୍ୱରରେ ମୁଁ ପଚାରିଲି, କାହିଁକି ଆଉ ତୁମେ ଏତେ ବକୁଛ ସୁର, ତେମେ କଅଣ ଚାହଁ, ମୋତେ ଖୋଲିକରି କହ । ମୁଁ ଯାହା ଚାହେଁ ତୁମେ ଭଲ କରି ଜାଣ ।

ସୁର କହିଲେ, ମୁଁ ତମଠାରୁ କିଛି ଚାହେଁ ନାହିଁ । ଯେତେ ଦିନ ଯାଏ ନିଜକୁ ତେମେ ମନୁଆର ମା ବୋଲି ପରିଚୟ ଦେଉଥିବ, ସେତେଦିନ ଯାଏ ତମର ସମ୍ପର୍କ ମୁଁ ଛିଣ୍ଡାଇ ପାରିବି ନାହିଁ ।

ତାଙ୍କର କଣ୍ଠର ଦୃଢ଼ତାରେ ମୁଁ ଦବିଗଲି । ବିନୀତ ହୋଇ କହିଲି, ତୁମେ ଅନ୍ତତଃ ଏତିକି ତ କରିପାରିବ, ମନୁଆର ବୁଦ୍ଧିସୁଧି ହେବା ଯାଏ, ମନୁଆ ନିଜେ ଭଲ ମନ୍ଦ ବୁଝିବାର ଶକ୍ତି ପାଇବା ଯାଏ ତେମେ ଦୂରେଇ ରହିବ । ତାଆର ବୟସ ହେଲେ ସେ ଯଦି ନିଜେ ଦାଦି ବୋଲି ଖୋଜି ତମରି ପାଖକୁ ଯାଏ, ସେତିକିବେଳେ ତମ ଦାଦି ସ୍ନେହ ସବୁ ତାରି ଉପରେ ଅଜାଡ଼ିଦେବ ।

ଆକୁଳ ଆଖିରେ ତାଙ୍କୁ ଚାହିଁରହିଲି ।

କଅଣ ଭାବି ଗମ୍ଭୀର ହୋଇ କହିଲେ, ତମର ଏପରି ନିଷ୍ଠୁର ଅନୁରୋଧ ମୁଁ ରଖିପାରିବି ନାହିଁ । ମୋ ଭାଇର ଘର ଅଛି, ଗୁଣ୍ଠେ ମାଣେ ଯାହା ହେଉ, ମୁଣ୍ଡଝାଳ ତୁଣ୍ଡରେ ମାରି ସେ ଯେଉଁ ସମ୍ପତ୍ତି କରିଯାଇଛି, ସେତକ ବି ସେମିତି ରହିଛି । ତାରି କୋଳର ପିଲା ପରଓଳି ତଳେ ଆଶ୍ରା ନେଇ ଓପାସ ଭୋକରେ ଦିନ କାଟିବ, ଏ କଥା ମୁଁ ଦେଖିପାରିବି ନାହିଁ, ସହିପାରିବି ନାହିଁ ।

ତାଙ୍କର ଉଦ୍ଦେଶ୍ୟ ବୁଝିଲି । କହିଲି, ତେମେ କଥାଟା ଯୁଆଡ଼ୁକୁ ଟାଣି ନେଉଛ ମୁଁ ବେଶ୍‌ ବୁଝିପାରିଛି । ମନୁଆର କଷ୍ଟ ହେବ ଏଇ ଆରା ଧରି ତେମେ ଚାହ ମନୁଆ ତମ ଘରକୁ ଯିବ ।

ବାଧା ଦେଇ କହିଲେ, ମୋ ଘରକୁ କାହିଁକି, ତାର ନିଜ ଘରକୁ ସେ ଯିବ ।

କଥାରେ କାନ ନଦେଇ ମୁଁ କହବିାକୁ ଲାଗିଲି, ଆଉ, ମନୁଆ ତ ଉତାଣି ପିଲା, ସେ ଗଲେ ମୁଁ ମଧ୍ୟ ତା ସଙ୍ଗରେ ଯିବି ।

ପୁଣି କହିଲେ, କେଡ଼େ ଭଲ ହେବ । ତେମେ ଯିବ, ତମ ସଂସାର କରିବ । ତମରି ଜିମା ତମରି ଘର ଦେଇ ନିଶ୍ଚିନ୍ତ ହୋଇ ମୁଁ ମୋର ଚାଲିଯିବି ସିଧା ସିଧା, ଯେଣିକି ମୋତେ ମୋର ଦୁଇ ଆଖି ଟାଣିନେବ ।

ପଚାରିଲି, ଫେରିବ ନାହିଁ ?

କହିଲେ, ତମକୁ ଅପମାନ ହେବ ବୋଲି ତେମେ ଯଦି ନଚାହଁ, ଫେରିବି ନାହିଁ । ଭଗବାନ୍‌ ହାତଗୋଡ଼ ଦେଇଛନ୍ତି । ନିଜର ପେଟ ପୋଷି ଯଦି ଚାରି ପଇସା ଦୂରରେ ଥାଇ ମନୁଆ ପାଇଁ ପଠାଇପାରେ, ତେବେ କେଜାଣି ବା ଭାଇର ସ୍ନେହ ଶୁଝାଇ ପାରିବି ।

କହିଲି, ଭାଇର ସ୍ନେହ ଶୁଝାଇ ପାରିବ ? ନା, ନା, ଯେଉଁ କାମ ତେମେ କରିଛ, ଯେଉଁଥିପାଇଁ ଦିନରାତି ତେମେ ଅନୁତାପ କରୁଛ, ତାରି ପ୍ରାୟଶ୍ଚିତ କରିବ ଦୂରରେ ଥାଇ ! ସୁର, ଏତେ ଗୁଡ଼ାଏ ଚାଲାଖିରେ କଥା କହି ପରକୁ ଠକିବାକୁ ଚେଷ୍ଟା କର ନାହିଁ । ତମକୁ ମୁଁ ଭଲକରି ଚିହ୍ନେ । ତମେ ଯାଅ, ମୋ ଆଗରୁ ଚାଲିଯାଅ ସୁର । ଆଉ, ଯଦି କେବେ ପୁତୁରା ସୁଆଗ ଦେଖାଇବା ବାହାନାରେ ତେମେ ପୁଣି ମୋ ଆଗକୁ ଆସ, ସେଇଦିନ ତମରି ନାମରେ ମୁଁ ବିଷ ଖାଇିବି । ସେଦିନ ବୁଝିବ, ଗୋଟାଏ ପାପକୁ ଘୋଡ଼ାଇବାକୁ ଯାଇ ଆହୁରି କେତେ ପାପ ତମକୁ କରିବାକୁ ପଡ଼ିବ ।

କାନ୍ଥ ପାଖରୁ ଉଠିଯାଇ ସୁରଙ୍କ ଛାତି ଉପରୁ ପିଲାଟାକୁ ଟାଣିଆଣିଲି । ଛାଇନିଦ ଭାଙ୍ଗିଗଲା କି କ’ଣ, ସେ ପାଟିକରି କାନ୍ଦି ଉଠିଲା । ତା ମୁହଁରେ ହାତ ଦେଇ ଘର ଭିତରକୁ ପଶିଆସିଲି ।

ସୁର କାଠପିତୁଳା ପରି ଠିଆହୋଇ ରହିଲେ । କେତେବେଳେ କହିଲେ, ହଉ ନୂଆଉ, ଯାଉଛି । ସତ ମିଛ ବୁଝିବାକୁ ଉପରେ ଭଗବାନ୍‌ ଅଛନ୍ତି ।

ମୁହଁ ଫେରାଇଲେ ଦୁଆର ଆଡ଼କୁ । ବୋଉ ଥକ୍‌କା ହୋଇ ଦ୍ୱାରବନ୍ଧରେ ବସିଚି । ସୁର ଧୀରେ ଧୀରେ ତାଟି ସେପାଖକୁ ଚାଲିଯାଉଛନ୍ତି ।

ରାତିଅଧ । ଆକାଶରେ ବହଳ କଳାଘୁମର ମେଘର ଚାନ୍ଦୁଆ, ତରାଟିଏ ବି ଦିଶୁନାହିଁ । କଳା କିଟିମିଟି ଅନ୍ଧାର । ଥଣ୍ଡାଳିଆ ପବନର ବେଗ ବଢ଼ିଛି ।

ସୁର ଅନ୍ଧାର ଭିତରେ ଛପିଗଲେ ।

ସୁର ଚାଲିଗଲେ । ଜାଣିଲେ ନାହିଁ ତ ମୋର ଛାତିରେ କି ଦାରୁଣ ଆଘାତ ଦେଇ ସେ ଚାଲିଗଲେ ! ମଣିଷ ଉତ୍ତେଜିତ ହେଲେ ହିତାହିତ ଜ୍ଞାନ ହରାଇବସେ । ସେ ଅନ୍ଧ ପରି ଯାହା କରିଯାଏ, ଯାହା କହିଯାଏ, ସେଥିପାଇଁ ତାକୁ ଅନୁତାପ ନିଆଁରେ ସନ୍ତୁଳି ହେବାକୁ ପଡ଼େ । କିନ୍ତୁ ଯେତେ କଷ୍ଟ, ଯେତେ ଯନ୍ତ୍ରଣା ଭୋଗକଲେ ତ ଆଉ ଗତକଥା ଫେରିଆସେ ନାହିଁ ? ଭବିଷ୍ୟତ୍‌ ପାଇଁ ଗୋଡ଼ ଚିପି ଚାଲିବାକୁ ସେ ଶିଖେ । ହେଲେ, ଅତୀତରେ ଯେ ଦିନେ ଗୋଡ଼ ଖସି ସେ ପଡ଼ିଥିଲା, ତାହାର ଦେହର ପରାସ ଲିଭିଥିଲେ ମଧ୍ୟ ମନର ପରାସ ଲିଭେ ନାହିଁ ।

ସୁର ଚାଲିଗଲେ ଅଖିଆ ଅପିଆ ।

ଅନ୍ଧାର ରାତି । ରାତି ଅଧ । ବିଲ ବାଟ । କଣ୍ଟା ଝଣ୍ଟା । ନନୁଆଁଣି । ଭୟ ଭ୍ରାନ୍ତି । ନ ଖାଇ ନ ପିଇ ମୋ ପାଇଁ ଅପେକ୍ଷା କରି ବସିଥିଲେ । ସୁର, ମୋର ଦିଅର, ମୋର ସ୍ୱାମୀର ଏକା ନାହି ଦିଖଣ୍ଡର ଭାଇ । କାହିଁକି ତାଙ୍କୁ ତଡ଼ିଦେଲି ? ଲୋକଙ୍କର କଥା, ନିଜ ମନର ଝାପ୍‌ସା ଦୁର୍ନାମ-! ସତ ମିଛ ଜଣା ନାହିଁ । ତଥାପି ଏଡ଼େ ନିଷ୍ଠୁର ବ୍ୟବହାର କଲି କାହିଁକି ?

ସେହି କଳା ମିଟିମିଟି ଅନ୍ଧାର ଭିତରେ ଛାତି ଉପରେ ପିଲାଟିକୁ ଜାକିଧରି ଆଖିରୁ ପୋଛିଲି ଲୁହ । ମନେହେଲା, ଅନ୍ଧାର ଭିତରୁ ଛପି ଛପି ବାହାରି ଆସୁଛନ୍ତି ମୋର ସ୍ୱାମୀ । ମୁହଁରେ ସରାଗ ନାହିଁ । କହୁଛନ୍ତି, ଏତେ ରାତି ହେଲା, ପିଲାଟା କାହିଁକି ଫେରିଲା ନାହିଁ, ତୁଳସୀ ? କେଉଁଠି କାଳେ ଡରି ଚମକିପଡ଼ିବ – ଯାଏଁ, ଦେଖେଁ....

ଡରି ଡରି କହେଁ, ମୋତେ ଏକା ରହିବାକୁ ଡର ମାଡ଼ିବ ।

କହନ୍ତି, ହଁ ସତରେ ତ । ତେମେ ଡିବିରି ଜାଳି ବସି ଥା । ନୋହିଲେ ଆସ, ଦିହେଁ ଯିବା-। ନଲଟଣଟା ଲଗାଅ ତ !

ଯାଉଁ । ଅନ୍ଧାରକୁ ଛିନ୍‌ଛତର୍‌ କରି ଗହୀର ବିଲରେ ଖେଳିଯାଏ ତାଙ୍କର ଡାକ । ରାତି ଆକାଶର ଛାତି ଥରିଉଠେ । ଅନ୍ଧାର ଭିତରେ ମିଟିମିଟି ଚାହିଁ ରହିଥାନ୍ତି କେତେ ତାରା ! ଫଡ଼୍‌ଫଡ଼୍‌ ହୋଇ ପାଖ ବରଗଛ ଉପରକୁ ଉଡ଼ିଯାନ୍ତି ବାଦୁଡ଼ି । ଭୟରେ ଚାପିଧରେ ତାଙ୍କର ବଳିଷ୍ଠ ବାହୁ । କହନ୍ତି, ସାବଧାନ ହୋଇ ଆସ । ପୁଣି କହନ୍ତି, ପିଲାଟା ଅନ୍ଧାରରେ କେଉଁଠି ଚମକିପଡ଼ିବ କାଳେ !

ସର୍‌ସର୍‌ ହୋଇ ସାପଟିଏ ହିଡ଼ କରରୁ ଖସି ପଳାଏ । ଖରାଦିନ । ଚମକିପଡ଼ନ୍ତି । କହନ୍ତି– ଦେଖିଲ, ଦେଖିଲ, ନୁନୁଆଁଣି । ପିଲାଟାର ବୁଦ୍ଧି ନାହିଁ । ଏତେ ରାତିଯାଏ ରହୁଛି । ଆହୁରି ଜୋର୍‌ରେ ଡାକ ଛାଡ଼ନ୍ତି ।

ଜବାବ୍‌ ଆସେ ଦୂରରୁ । କାନେଇ ରହନ୍ତି । ଜବାବ୍‌ ପାଖେଇଆସେ । କେଡ଼େ ଖୁସିରେ, କେଡ଼େ ଆଗ୍ରହରେ ମୋ ଆଡ଼କୁ ମୁହଁ ବୁଲାନ୍ତି । କହନ୍ତି, ହେଇ, ହେଇ, ସୁରର ପାଟି ଶୁଭୁଛି । ହଁ, ହଁ, ସୁରର ।

 

ମନ ଆନନ୍ଦରେ ମୋ ଗାଲରେ ଆଙ୍କି ଦିଅନ୍ତି ଚୁମ୍ବନର ଦାଗ । ରାତି ଆକାଶର ବିହ୍ୱଳ ତାରା ଚାହିଁରହିଥାନ୍ତି । ଶିରି ଶିରି ପବନରେ ଶୀତେଇଉଠେ ମୋର ଦେହ । ଟାଙ୍କୁରିଉଠେ ଲୋମ-

ସୁରଙ୍କର ଡାକ ପାଖେଇଆସେ । ନଲଟଣଟି ତଳେ ରଖି ସେ ଆଗେଇଯାନ୍ତି । ସୁରଙ୍କୁ ପାଛୋଟିଆଣନ୍ତି । କହନ୍ତି, କାଲିଠୁଁ ଆଉ ତତେ ପରଘରେ ମୂଲ ଲାଗିବାକୁ ପଡ଼ିବ ନାହିଁ । କଣ କହୁଚ ତୁଳସୀ ? ଦେଖିଲ, ପିଲାଟାକୁ ଏତେବେଳଯାଏ ଅଟକାଇ ରଖିଛନ୍ତି ।

କହେ, ହଁ ।

ଅଭିମାନରେ ମୋ’ର ମନ ପୂର୍ଣ୍ଣ ହୁଏ ।

ସୁର କହନ୍ତି, ଟିକିଏ ଉଛୁର ହେଲା ବୋଲି ରାତିଅଧରେ ଘର ଛାଡ଼ି ଗହୀର ମଝିକି ଖୋଜିବାକୁ ଆସିଲ ନୂଆ’ଉ, ମୁଁ କଣ ପିଲାଛୁଆ ହୋଇଛି ?

ହସିଉଠନ୍ତି ସେ । କହନ୍ତି, ସତେ ଗୋଟାଏ ମଣିଷ ହେଲା ପରି କଥା କହୁଛୁରେ ସୁରିଆ, ଆଉ ଦିନେ ଯଦି ଡେରି କରୁ, ବ୍ରହ୍ମଚାପଡ଼ା ମାରି ତୋ ଗାଲ ଭାଙ୍ଗିଦେବି ।

ମୁଁ କହେ, ତମେ କାଲିଠୁଁ ଆଉ କାମକୁ ଯିବ ନାହିଁ ସୁର ।

ସେ ତୁନି ରହନ୍ତି ।

ନିର୍ଦ୍ଦୟ ନିଷ୍ଠୁର ସୁର ଚାଲିଗଲେ ସତେ ?

ପଛରୁ ଧାଇଁଯାଇ କିଏ ତାଙ୍କର ହାତ ଧରି ଟାଣିଆଣିବ ? ଅବାଧ୍ୟ ହେଲେ କିଏ ତାଙ୍କର କାନଧରି ଗର୍ଜିଉଠିବ, ସୁରିଆ, ଅବାଧ୍ୟ ହେଉଛୁ ?

ତାଙ୍କର ବାପ ସମ ଭାଇ, ମୋରି ପତି, ମନୁଆର ବାପ !

ବିଜୁଳି ଝଟକିଲା । ମେଘ ଗର୍ଜିଉଠିଲା । ମୋରି କୋଳରେ ମନୁଆ ଚମକିଉଠି ଚିତ୍‌କାର କଲା, ଦାଦି... । ମୋ ବେକକୁ ଜାବୁଡ଼ି ଧରିଲା ।

ଅନ୍ଧାର ରାତି, ନିଛାଟିଆ ଗହୀର ବିଲ, ନୁନୁଆଁଣି, ଖୋଲା ଆକାଶ ତଳେ ଚାଲିଯାଇଥିବେ ସୁର । ଭାଇର ସ୍ନେହ ଆଦର କଥା ମନେପଡ଼ି ମନରେ ଉଠୁଥିବ କୋହ । ଗହୀର ସେପାର ଆର ଗାଁମୁଣ୍ଡ ମଶାଣି । ଭୂତ ପ୍ରେତ, ଡାଆଣୀ ଚିରୁଗୁଣୀର ମେଳା ହୁଏ । ଦମ୍ଭିଲା ଲୋକର ଛାତି ବି ଛନକିଉଠେ । କେତେ ଲୋକ ଭେଟଣା ହୋଇ ପଡ଼ିଛନ୍ତି, ଉଠିନାହାନ୍ତି, ସେଇଠି କାଳେ ସୁର ଚମକି ପଡ଼ିବେ !

ମନେ ପଡ଼େ କେତେକାଳର କେତେ କଥା....

ସେ ବର୍ଷ ତାଙ୍କ ଗାଁରେ ହଇଜା ପଶିଥିଲା । ମୋ ବାହାଘର ବର୍ଷେ ପୂରିନଥାଏ । ଗାଁରୁ ଦି ତିନି ଜଣ ଚାଲିଗଲେଣି । ସଞ୍ଜ ପହରୁ ଘରଦ୍ୱାର ତାଟି କବାଟ ବନ୍ଦ କରି ଲୋକେ ରହନ୍ତି । ପହିଲି ଆଷାଢ଼ର ମେଘ । ଦିନେ ରହି ଦି ଦିନ କୁଟି ଦେଇଯାଏ ରାତିରେ ମେଘ ଅନ୍ଧାର, ବିଜୁଳି, ଘଡ଼ଘଡ଼ି । ବାରିତଳ ପୋଖରୀ ଭିତରୁ ବେଙ୍ଗଙ୍କର ଭୟଙ୍କାରିଆ କିଟିକିଟି ରଡ଼ି । କାନ ଅତରା ପଡ଼ୁଥାଏ । ବିଜୁଳି ଚମକିଉଠେ । ଭୟରେ ଘୁଞ୍ଚି ଘୁଞ୍ଚି ଯାଏ ତାଙ୍କ କୋଳକୁ । ଆକାଶର ଛାତି ଫଟାଇ ଗର୍ଜିଉଠେ ଘଡ଼ଘଡ଼ି । ତ୍ରସ୍ତ ଛାତିକୁ ତାଙ୍କରି ବୁକୁରେ ଲଗାଏ ପିଠି ଉପରେ ହାତ ପକାଇ ଆହୁରି ପାଖକୁ ଘୁଞ୍ଚାଇନିଅନ୍ତି । ତାଙ୍କର ବାହା ଉପରେ ମୁଣ୍ଡ ଲଦି ତୁନି ହୋଇ ପଡ଼ିରହେ ।

ବାରିପଟୁ, କେଜାଣି କେତେ ଦୂରରୁ ଡାକ ଛାଡ଼େ ଭେରଣ୍ଡା । ଇଃ, କେଡ଼େ କିଳିକିଳା ରଡ଼ି ! ଛାତି ଦାଉଁ ଦାଉଁ ପଡ଼େ । ମନେହୁଏ ସତେ କି ଗୋଡ଼ାଇଆସୁଛି । ତାଙ୍କରି ଛାତିରେ ମୁହଁ ଲୁଚାଇ ରଖେ ।

ପିଠି ଆଉଁଷି କହନ୍ତି, ଡର ମାଡ଼ୁଛି ତୁଳସୀ ?

ତାଙ୍କର ପାଟି ଶୁଣି ସାହସ ହୁଏ । ମୁହଁ ଟାଣ କରି କହେଁ, ନାଇଁ ତ ।

ମୋ ମୁହଁରେ ମୁହଁ ଲଗାଇ କେଡ଼େ ଆଦରରେ ସେ କହନ୍ତି, ନାହିଁ ତ ?

ଟିକିଏ ରହି ପୁଣି କହନ୍ତି, ଆରେ, ସୁରଟା ଦାଣ୍ଡଘରେ ଏକୁଟିଆ ଶୋଇଛି । ପିଲାଲୋକ ଦେହ ଭଲ ନଥିଲା । ଡରିଲା କି ?

ଧୀରେ ଧୀରେ ମୋତେ କୋଳରୁ ଖସାଇଦିଅନ୍ତି । ହାତ ଅଣ୍ଡାଳି ଦିଆସିଲି ଖୋଜି ନଲଟଣ ଲଗାନ୍ତି । କହନ୍ତି, ଆସିଲ ଦେଖିଆସିବା !

ବିରକ୍ତ ଲାଗେ । ଦେହ ଅବଶ ଲାଗୁଥିଲେ ମଧ୍ୟ ଉଠି ଠିଆହୁଏ । ଲୁଗାପଟା ସଜାଡ଼ି ତାଙ୍କ ପଛେ ପଛେ ଯାଏ ।

ଡାକନ୍ତି, ସୁର କିରେ –

ସୁର ଜବାବ ଦେଇ ଉଠି ବସନ୍ତି । ପଚାରନ୍ତି, କଣ ଭାଇ ?

ହସି ହସି ସେ କହନ୍ତି– ଦେଖିଲ ତୁଳସୀ, କହୁଛି ପରା, ଡରିକରି ତୁନି ହୋଇ ପଡ଼ିଛି । ପିଲାଟିଦିନୁ ମୋରି ପାଖରେ ଶୋଇଆସିଛି, ଏକୁଟିଆ ଡର ମାଡ଼େ ତାକୁ ।

କହନ୍ତି, ଚାଲ୍ ସେ ଘରେ ଶୋଇବୁ ।

ସୁର ପ୍ରତିବାଦ କରନ୍ତି । ସେ ବିରକ୍ତ ହୁଅନ୍ତି । ଶେଷକୁ କହନ୍ତି, ତେବେ ତେମେ ଯାଅ ତୁଳସୀ, ତମୁକୁ ତ ଡରମାଡ଼େ ନାହିଁ, ରାତି ଆସି ପାହାନ୍ତି ହେଲାଣି, ମୁଁ ଏଇଠି ପଡ଼ିଯାଉଛି ।

ରାଗ ତମତମ ହୋଇ ଅନ୍ଧାରରେ ଏ ଘରକୁ ଚାଲିଆସେ । ଭାବେଁ, ଏମିତି ଲୋକ ପରଝିଅର ହାତ ଧରି ଘରକୁ ଆଣନ୍ତି କାହିଁକି ?

ସୁର ବୁଝିପାରନ୍ତି । କହନ୍ତି– ଭାଇ, ନୂଆଉ ଏକୁଟିଆ ଡରିବ । ଚାଲ ସେ ଘରକୁ ।

ଟିକିଏ ଛାଡ଼ି ଆଡ଼େଇ କରି ମୁଁ ଘୋରିପୁରି ହୋଇ ଶୁଏ । ଭାଇଦିହେଁ ବିଛଣାରେ ଶୁଅନ୍ତି । ନଲଟଣ ନିଭେ । ଅନ୍ଧାରରେ ତାଙ୍କର ହାତ ଲମ୍ବିଆସେ ମୋରି ଉପରକୁ । ରାଗରେ ଅଭିମାନରେ ହାତକୁ ଛିଞ୍ଚାଡ଼ିଦେଇ ଆହୁରି ଟିକିଏ ଦୂରକୁ ଘୁଞ୍ଚିଯାଏଁ । ଆଖିରୁ ଧାର ଧାର ଲୁହ ବୋହିଯାଏ । ସେ ଜାଣନ୍ତି ନାହିଁ, କେବେ ତାଙ୍କୁ ଜାଣିବାକୁ ଦେଇନାହିଁ ।

ଯେତେ ଆଗରୁ ଉଠେଁ, ଦେଖେ ସୁର ଆହୁରି କେତେ ଆଗରୁ ଉଠି ଚାଲିଗଲେଣି । ତାଙ୍କ ପ୍ରତି ସବୁ ରାଗ ମନରୁ ଘୁଞ୍ଚିଯାଏ । ସ୍ୱାମୀଙ୍କର ଶୋଇଲା ମୁହଁକୁ ମୁଗଧ୍‌ ହୋଇ ଢଳିପଡ଼େ ତାଙ୍କରି କୋଳରେ । କଅଁଳ ପାହାନ୍ତାର ଫିକା ପରିହାସ ସହିପାରେ ନାହିଁ । କବାଟ ଆଉଜାଇଦିଏ-

ସୁର ଚାଲିଗଲେ, ରାଗରେ, ଅଭିମାନରେ । କିଛି ଖାଇନାହାନ୍ତି । କେଡ଼େ ଅନ୍ୟାୟ ମୁଁ କରିଛି । ସୁର ଗରିବ ନିତିମୂଲିଆ ଘରର ପିଲା ହେଲେ ବି ଭୋକ ସହିପାରନ୍ତି ନାହିଁ । ଇଏ ଗେରସ୍ତ, ସିଏ ଦିଅର, ଏ ଭାବ ମୋ ମନରେ ନଥିଲା । କେବେ ସେ ରଖାଇଦିଅନ୍ତି ନାହିଁ । ପରଘରେ ମୂଲ ଲାଗି ଯିଏ ଯେତେବେଳେ ଯାହା ଆଣନ୍ତି, ମୋ ଆଗରେ ପକାଇଦେଇ ନିଶ୍ଚିତ ହୁଅନ୍ତି । ଦିନେ କେହି କେବେ ପଚାରିନାହାନ୍ତି, ପଇସା କେତେ ହେଲା, ପଇସା କଅଣ ହେଲା ।

ପେଜ ପାଣି ଯାହା ଥାଏ, ଯାହା ରାନ୍ଧିଥାଏଁ, ଦିହିଙ୍କ ଆଗରେ ଥୋଇଦିଏଁ । ଜଣକୁ ନଦେଖିଲେ ଆର ଜଣକ ଖାଆନ୍ତି ନାହିଁ । ଏକାଠି ନବସିଲେ ତାଙ୍କୁ ଖାଇବାକୁ ସୁଖ ଲାଗେ ନାହିଁ । ହଳଦୀପାଣିରେ ଯାହା ସିଝାଇ ଦିଏଁ, ଅମୃତ ପରି ଦିହେଁ ଶାନ୍ତିରେ ପାଇଦିଅନ୍ତି । ଦିନେ କେବେ କେହି ବାଛନ୍ତି ନାହିଁ ।

ପାଏ ମାଛ ରଖି କେତେ ଯତ୍ନକରି ରାନ୍ଧେ । କହେ– ସୁର, ଖାଇବସ, ତାଙ୍କର ଆସୁ ଆସୁ ଡେରି ହେବ । ତେମେ ତ ସକାଳୁ କିଛି ଖାଇନାହିଁ ।

ଭାଇ ବି କିଛି ଖାଇନାହିଁ । ସେ ଆସୁ ।

ଭୋକରେ କେତେବେଳ ଯାଏ ବସିଥିବ ?

ହସି ହସି କହନ୍ତି, ମୋତେ ତ ଭୋକ କରୁନାହିଁ, ତମକୁ ଭୋକ କଲାଣି ପରା !

ଯେତେ ନାହିଁ କଲେ ସେ ଶୁଣନ୍ତି ନାହିଁ । କେତେ ରାଣ ନିୟମ ପକାନ୍ତି । ନିଜେ ଉପାସ ରହିବେ, ଉପାସରେ କାମକୁ ଯିବେ ବୋଲି ଡରାନ୍ତି । ଯେତେ ବୁଝାଏଁ – ଆରେ, ଗେରସ୍ତ ଦିଅର ନ ଖାଇଲେ ମାଇପଙ୍କର ଖାଇବାର କଥା ନୁହେଁ । ପାପ ହୁଏ । ସେ କେତେ ନେହୁରା ହୋଇ କହନ୍ତି । ନିଜ ହାତରେ ଭାତ ବାଢ଼ିଦିଅନ୍ତି । ତାଙ୍କର ମୁଲାଇଜାରେ ମୁଁ ଖାଏ ।

ସେ କହନ୍ତି, ନୂଆଉ, ତେମେ ସିନା ମାନ୍ୟରେ ବଡ଼, ନୋହିଲେ ମୋ ବୟସ ତୁଳନାରେ ତେମେ ପିଲା, ତେମେ ଭୋକ ସହିପାରନ୍ତ ନାହିଁ ।

କହେ ଦରହସିଲା ହୋଇ, ତମ ଭାଇ ତମକୁ ସବୁବେଳେ ଉତାଣି ପିଲା ବୋଲି ମନେକରନ୍ତି । ଯେମିତି ନିର୍ଲଜ ସେମିତି ଛୋପରା ।

ଭାଇଙ୍କର ନିନ୍ଦା ସେ ସହିପାରନ୍ତି ନାହିଁ । ମୋ ତୁଣ୍ଡରୁ ଏପରି କଥା ଶୁଣିଲେ ତାଙ୍କର ମୁହଁ ଶୁଖିଯାଏ । ବାଁରେଇ କହେଁ– ସୁର, ଆମେ ମାଇପି ଜାତି, କେଡ଼େ ଜଲଦି ବୁଢ଼ୀ ହୋଇଯାଉ ଜାଣ ? ତେମେ ମୋ ଆଖିରେ ଏଡ଼େ ଟିକେ ପିଲା ପରି ଦିଶ । ସତେ କି ମୋର ସାନ ଭାଇଟି । ମୋ ସୁନା ଭାଇଟି, ଗଣ୍ଡିଏ ଖାଇଦେଇ ଆସିବ । ତମକୁ ରାଣ ଅଛି.....

ରାଣ ନିୟମ ସେ ମାନନ୍ତି ନାହିଁ । ଭାଇଙ୍କି ଅପେକ୍ଷା କରି ରହନ୍ତି । ହାଣ୍ଡିରେ ଭାତ ଚଣା ଚାଉଳ ହୁଏ ।

କେତେବେଳେ ପୁଣି ଭାଇଦିହେଁ ଖାଇବସନ୍ତି ।

ଉପାସ ଭୋକରେ ଧାଇଁ ଆସିଥିଲେ, ଉପାସ ଭୋକରେ ମୋତେ ଅପେକ୍ଷା କରି ରହିଥିଲେ । କି ଅପରାଧରେ ତାଙ୍କୁ ମୁଁ ତଡ଼ିଦେଲି ? ଯେଉଁ ଭାଇଙ୍କି ସେ ପ୍ରାଣରୁ ବଳି ଭଲପାନ୍ତି, ଯିଏ ତାଙ୍କୁ ଆଖିର ପିତୁଳା ପରି ଦେଖୁଥିଲେ, ତାଙ୍କୁ ସେ ନିଜ ହାତରେ ବିଷ ଦେଲେ । ବିଷ ! ଲୋକଙ୍କର ହିଂସୁକୁଳିଆ କଥା, ତୁଣ୍ଡ ବାଇଦ ସହସ୍ର କୋଶ, ବିଶ୍ୱାସ କଲି କାହିଁକି ?

ମୋର ଅପରାଧର କ୍ଷମା ନାହିଁ । ଯେତେଥର ସୁରଙ୍କ ପ୍ରତି ମୁଁ କଠୋର ହୋଇଛି, ଯେତେଥର କଟୁ କଥା କହି ତାଙ୍କୁ ମୁଁ କୁକୁର ମାଙ୍କଡ଼ ପରି ଦୂର୍‌ଦୂର୍‌ କରିଛି, ମୁହଁ ନଖୋଲି ସେ ନୀରବରେ ସବୁ ସହିଛନ୍ତି । ଏତେଦିନ ପରେ ଆଜି ସେ ତାଙ୍କର ମୁହଁ ଖୋଲି ମୋତେ ବୁଝାଇବାକୁ ବସିଥିଲେ । ତାଙ୍କର କଥା ଶୁଣିଲି ନାହିଁ, ବୁଝିବାକୁ ଚେଷ୍ଟା କଲି ନାହିଁ ! ଦୁଃଖରେ, କ୍ଷୋଭରେ ସେ ଚାଲିଗଲେ ।

ଛାତିରେ ଯନ୍ତ୍ରଣା ଅନୁଭବ କଲି । ସୁର ଆଉ ଆସିବେ ନାହିଁ । ସୁର ଯାହାଙ୍କୁ ଦେଖିଲେ ସ୍ୱାମୀହନ୍ତା ବୋଲି ରାଗ ହୁଏ, ବାରକଥା ମୁହଁରେ କହେ । ପୁଣି, ଯାହାକୁ ଦେଖିଲେ ଛପି ଛପି ମନ ଭିତରେ ଉଭା ହୁଏ ମୋର ସ୍ୱାମୀଙ୍କର ସ୍ମୃତି । ସେହି ରୂପ, ସେହି ମୁହଁ, ସେହି ଢଙ୍ଗ । ଦୁଃଖ ଅଭିମାନ ମଝିରେ ଉଇଁଆସେ ଗୋପନ ଆନନ୍ଦ, ଚେଇଁଉଠେ ଆଶାର କ୍ଷୀଣ ଆଲୁଅ ନୈରାଶ୍ୟରେ ଘୋଟିଲା ଘଞ୍ଚ ଅନ୍ଧାର ଭିତରେ । ସ୍ୱାମୀ ନୁହନ୍ତି, କିନ୍ତୁ ସେହି ରକ୍ତ, ସେହି ମାଂସରେ ଗଢ଼ା ତାଙ୍କରି ଭାଇ, ମୋ ଦିଅର ! ତାଙ୍କର ଭାଇ, ଯାହାଙ୍କୁ ସେ ପୁଅଠୁଁ ବଳି ଭଲ ପାଉଥିଲେ ।

ଇଚ୍ଛା ହେଲା ଡାକ ଛାଡ଼ିବି, ସୁର, ସୁର, ଫେରି ଆସ, ଶୁଣିଯାଅ ।

ହୁଏ ତ ସେ ବିଶ୍ୱାସ କରିବେ ନାହିଁ । ମଝି ଗହୀରରେ ଠିଆହୋଇ ଫେରି ଚାହିଁବେ, ପରିହାସ ମନେ କରିବେ ।

ବାଟ ଓଗାଳି କହିବି– ସୁର, ମୋ କଥା ମନରେ ଧର ନାହିଁ ।ସୁନା ଭାଇଟି, କ୍ଷମା କର, ଲୋକଙ୍କ କଥାରେ ମିଛଟାରେ ତମ ଉପରେ ସନ୍ଦେହ କରିଥିଲି, ଆସ ।

ସବୁଦିନ ପରି ମୋରି ଗୋଡ଼ତଳେ ମୁଣ୍ଡ ଲଗାଇବେ । ଆଖିରୁ ଲୁହଧାର ବହିଯାଉଥିବ-। କହିବେ, ନୂଆଉ, ସବୁଦିନେ କଅଣ ତମକୁ ମୁଁ ଭକ୍ତି କରି ଆସିନାହିଁ, ଛୋଟ ପିଲାଟି ପରି ତୁମରି ପାଖରେ ଅଳି କରିନାହିଁ ? ତଥାପି, ତେମେ ଦାଣ୍ଡଲୋକଙ୍କ କଥା ଶୁଣି ମୋତେ ଅବିଶ୍ୱାସ କଲ ?

ହାତଧରି ତଳୁ ଉଠାଇବି । ପଣତରେ ମୁହଁ ପୋଛିଦେବି । କହିବି, ଆସ । ଦୁନିଆର ଲୋକେ ଯାହା କହିବାର କହୁଥାଉନ୍ତୁ ।

ହାତ ଧରି ବାଟ କଢ଼ାଇବି ।

ଅଜଣା ଆଗ୍ରହରେ ଦେହ ଥରିଉଠିବ । ପାଦ ବାଟରୁ ଖସି ଅବାଟରେ ପଡ଼ିବ । ଥରଥର ଅବଶ ଦେହ ତଳେ ଲୋଟୁ ଲୋଟୁ ଅଟକିଯିବ । ଥରିଲା ସ୍ୱର କାନରେ ବାଜିବ । ସେମାନେ ମିଛ କହୁଛନ୍ତି । ମନେ ଅଛି କି ପ୍ରଥମ ଦେଖାର ସରାଗ କଥା । ଚାରୋଟି ଆଖିର ଦେହଉଲସା ମନସରସା ମିଳନ କଥା ? ସେ ନଥିଲେ ତେମେ ହୋଇଥାନ୍ତ କାହାର ? ସେ ଚାଲିଗଲେ.....

ବିଜୁଳି ଚମକିବ । ସୁରଙ୍କର ଛାତି ଉପରେ ମୋର ଲୁହଧୁଆଁ ମୁହଁ । ତାଙ୍କର ବାହା ଦୁଇଟି ମୋର ଦେହଟିକୁ ଗୁଡ଼ାଇଧରିଛି । ଆଖିରେ ଅସରନ୍ତି ଅନୁରୋଧ ।

ଆଖିପିଞ୍ଛଡ଼ାରେ ବିଜୁଳି ଲିଭିଲା । ଘୋଟିଗଲା ଅନ୍ଧକାର ।

ଭାବନା ଦୁଃସହ ହେଲା । ଛାତି ଥରିଉଠିଲା । କଇଁ କଇଁ ହୋଇ କାନ୍ଦିଉଠିଲି । ବୋଉ ଡାକିଲା, ତୁଳସୀ.....

ଉତ୍ତର ଦେଇପାରିଲି ନାହିଁ । ତା ପାଖରେ ମୁଁ ମୋ ମନର ଦୁର୍ବଳତା କେବେ ଖୋଲିପାରିନାହିଁ । ଯେତେ ଦୁଃଖ ହେଲେ ବି ତା ଆଗରେ ମୁହଁ ଟାଣକରି କଥା କହେ ।

କଅଣ ଭାବିଲା କେଜାଣି, ମୋତେ ସାନ୍ତ୍ୱନା ଦେବାକୁ କଅଁଳେଇ କହିଲା, ଗତ କଥା ମନେପକାଇ ମନ କଷ୍ଟ କରି କାନ୍ଦବୋବା କଲେ କିଛି ଲାଭ ହୁଏ ନାହିଁ । ଆଲୋ ତୁଳସୀ, ଭଲ କଥା କହିଲେ ତୁ ସଲ ବୁଝୁ, ସେଇଥିପାଇଁ ତତେ କହିବାକୁ ଡର ଲାଗେ ।

ଆଉ କଅଣ କହିବ ଶୁଣିବାକୁ ଅପେକ୍ଷା କରି ରହିଲି ।

ରହି ରହି କହିଲା, କେତେ କୁଳରେ, କାହିଁକି, ଆମର ଏଇ କୁଳରେ, ତୋ ବୟସର ଝିଅ ପରଘର କରି ନାହାନ୍ତି ? ତୋଓର ଏମିତି କଅଣ ହୋଇ ଯାଇଛି କି ? ମାଇକିନିଆଁ ଜନମ । କେହି ଲୁହା, ପଥରରେ ମୁଣ୍ଡ ବାନ୍ଧିନାହିଁ । ନିଆଶ୍ରୀ ହୋଇ ପେଟପାଟଣା ପାଇଁ ଦାଣ୍ଡ ହାଟକୁ ଯାଇ ପଇସା ପାଇଁ ପର ଆଗରେ ଗୋଡ଼ ଭାଙ୍ଗି ମୁଣ୍ଡ ନୋଇଁ ଠିଆ ହୋଇ ଟାଣକରି କିଏ କହିବ ଲୋ, ତା ମୁଣ୍ଡ ହଲିନାହିଁ, ମନଚହଲି ନାହିଁ, ଅବାଟରେ ଗୋଡ଼ ପଡ଼ିନାହିଁ – ପେଟପାଟଣାର ଚିନ୍ତା ତ ସବୁବେଳେ ଅଛି । ବଳ, ବଅସ, ରୂପ ଥାଉଣୁ ଯଦି ଅନ୍ୟ ସଂସାର ନକରିବୁ, ଜୀବନଟା କେମିତି କଟିବ ? ଦୁଃଖ ତ ହେବାର କଥା । ଯିଏ ଯାହାକୁ ଥରେ ଦେଖିଥାଏ, ଭୁଲିପାରେ ନାହିଁ । ଗେରସ୍ତ ଭାରିଯା ହୋଇ ତିନିଚାରି ବର୍ଷ ଘର ସଂସାର କଲ, ଭଲ ମନ୍ଦ ହେଲେ ମନରେ ଦୁଃଖକଷ୍ଟ ହେବାର କଥା । ତଥାପି, କେହି ତ କାହା ପଛରେ ଗୋଡ଼ାଇଯାଏ ନାହିଁ । ଯେତେବେଳେ ଲୋକେ ଆଗ୍ରହରେ ଚାହୁଁଛନ୍ତି, ତୁ ଚାହୁଁନୁ । ନେଡ଼ିଗୁଡ଼ କହୁଣିକୁ ବୋହିପଡ଼ିବ । ସେତେବେଳେ ତୋ ନିଦ ଭାଙ୍ଗିବ । ଆଖି ମଳି ଚାହିଁବୁ, ନିଆଶ୍ରୀ ହୋଇ ହାତ ବଢ଼ାଇବୁ – ଦେଖିବୁ, କେହି ଆଉ କୁଆଡ଼େ ନଥିବେ । ପିଲାଟିକୁ ନେଇ ଅପନ୍ତରାରେ ପଡ଼ିବୁ ମା, ମୋ ସାନକୁହା ମାନ ।

ଧୈର୍ଯ୍ୟ ଧରି ପଚାରିଲି, କେଉଁ ଲୋକ କାହିଁକି ଆଗ୍ରହରେ ଚାହୁଁଚନ୍ତି ବୋଉ ? କଟା ଘାଆରେ ଚୂନ ବୋଲିଲା ପରି ଥରକୁ ଥର ଯେତେ ମନା କଲେ ତ ଏମିତି ବେଆଡ଼ା କଥା କହୁଛୁ-। ମୁଁ ଦୁଃଖ କଲି କି କାନ୍ଦିଲି ବୋବେଇଲି, ସେଥିରେ ତୋ’ର କଣ ଥାଏ ? ମୋ ଦୁଃଖରେ ଆଉ କାହାକୁ ଭାଗୀ କରିବାକୁ ମୁଁ ଚାହୁଁନାହିଁ ।

ବୋଉ ତୁନି ହେଲା । କ’ଣ ଭାବି କେତେବେଳେକେ ପୁଣି କହିଲା, ମୋ କଥା ତୁ ଅବିଗୁଣ ପାଉଛୁ, ଶୁଣ୍ ନ ଶୁଣ୍, ମାନ୍ ନମାନ୍, ମୋର କହିବାର କଥା ମୁଁ କହୁଛି । ଆଚ୍ଛା ମା, ଚାରିବର୍ଷ ତଳର କଥା ଥରେ ମନେପକାଇଲୁ ..... ପିଲାଟାଏ ହୋଇ ଏଇ ଘରେ ତୁ କାରବାର ହେଉଥିଲୁ । ଗାଁ ଲୋକେ ଯାଉଁଣୁ ଆସୁଣୁ ମତେ କାଉ କାଉ କରି ଝାଡ଼ୁଥିଲେ, ତୁଳସୀ ଏଡ଼େଟାଏ ହେଲାଣି, ମୁରବୀ କେହି ନାହିଁ, ହାତକୁ ଦିହାତ କରିଦେ - । କେଡ଼େ ଭାବନାରେ ପଡ଼ିଥିଲି ।

ଦିନେ ଅଜଣା ଅଶୁଣା ପିଲାଟା ଆସିଲା, ଉଦୁଉଦିଆ ଦି ପହରେ, ଝୋଲା ମାରିଯାଉଥାଏ, ପାଣି ମନ୍ଦାଏ ମାଗିଲା । ନିଜ ହାତରେ ତାକୁ ପାଣି ପିଇବାକୁ ଦେଇଥିଲୁ ।

କେତେଥର ସେ ଆସିଛି । ଜାତି ପୁଅ । କେଡ଼େ ଆଗ୍ରହ ତାକୁ ଆମେ ଦେଖାଇଥିଲୁଁ । ମନେ ମନେ କେତେ ଦିଅଁ ଦେବତା ଡାକୁଥିଲି ତାଆରି ହାତରେ ତତେ ଦେବି ।

ଦିନେ ପ୍ରସ୍ତାବ ପକାଇଲି । ତା ମୁହଁ ଝାଉଁଳିପଡ଼ିଲା । କହିଲା– ଭାଇ ଅଛନ୍ତି, ତାଙ୍କରି ବିଷୟରେ ସମ୍ବନ୍ଧ ପକାଅ ।

ଲାଜରେ କି ଦୁଃଖରେ କେଜାଣି, ତୁ ଉଠିଗଲୁ । ଆଖିରେ ତୋର ଲୁହ ଦେଖିଥିଲି ମା, ଆଜିଯାଏ ମୁଁ ଭୁଲିପାରିନାହିଁ । କାଲିପରି ଲାଗୁଛି ।

ତାହା କଥା ଶୁଣି ଉତ୍ତେଜିତ ହୋଇ ଅନ୍ଧାର ଘରେ ଉଠିବସିଲି । ପାଟିକରି କହି ପକାଇଲି– ତୁନି ହ ତୁନି ହ ବୋଉ, ଆଉ କିଛି କହନା । ତୋ ମନରେ ଏତେ ଦିନରୁ ଏତେ କଥା ଥିଲା ବୋଲି ମୁଁ ଜାଣିନଥିଲି । ତୋରି ଦୁଡ଼ୁ ଗୁଡ଼ୁ ମନ ପାଇଁ ଆଜି ମୋର ଏ ଅବସ୍ଥା, ଆଜି ମୁଁ ବିଧବା !

ବୋଉ କହିବାକୁ ଲାଗିଲା, ନାଇଁମ, ତୁ ବିଧବା ନୋହୁ । ଯାହା ଘଟିଗଲା ସେଇଟା ଗୋଟାଏ ସପନ । ସତ ଏତିକି ଯେ, କୋଳରେ ପିଲା ବକଟେ ପାଇଛୁ । ସୁର ରକତ ଆଉ ତା’ ରକତ ଭିନେ ନୁହେଁ । ସେମାନେ ତ ଦୁଇ ଭାଇ ଥିଲେ ।ଏକା ନାହି ଦିଖଣ୍ଡ, ଏକା ରକତ ଦି ଧାର । ମନୁଆ କଅଣ ସୁରର ପୁଅ ନୁହେଁ କି ? ତୁ କାହିଁକି ଭେଦଭାବ ପାତର ଅନ୍ତର କଥା ମନକୁ ଆଣୁଛୁ-?

କହିଲି, ତୁନି ହ, ତୁନି ହ । ମିଛକଥା ତୁଣ୍ଡରେ ଧର୍‌ନା ।

ମିଛ ହୋଇପାରେ, କିନ୍ତୁ ଭୁଲ ସବୁଦିନେ ଭୁଲ ହେଇ ରହେ ନାହିଁ । ଦିନେ ସୁଧୁରିଯାଏ, ମନକୁ ସୁଧୁରିଯାଏ । ଆଜି ସେ ବେଳ ଆସିଛି । ସୁର ଆଜି ବି ତତେ ସେମିତି ଭଲପାଏ ତୁଳସୀ, ବିଶ୍ୱାସ କର୍ ।

ଦୁଇ ହାତରେ ମୁହଁ ଘୋଡ଼ାଇ କାନ୍ଦିଉଠିଲି । ତକିଆ ଉପରେ ମୁଣ୍ଡ ମାଡ଼ି କାନ୍ଦି କାନ୍ଦି କହିଲି, ମତେ ସେ ଭଲପାଏ, ସେଇଥିପାଇଁ ଦେବତା ପରି ଭାଇକୁ ସେ ଜହର ଦେଇ ମାରିଛି । ଲୋକଙ୍କର କଥା ମିଛି ନୁହେଁ । ସେଇଥିପାଇଁ ମୋ କଥା ନମାନି ଥରକୁ ଥର ଗୋଟାଏ ଆଶାରେ ସେ ଆସେ, ତୋ’ ଆଗରେ ସାକୁଲେଇ ହୁଏ । ମୋର ମନ ହୁଏ, ନିଜ ହାତରେ ମୁଁ ତାକୁ ଜହର ଦେବି । ତା ମଲା କାନରେ କହିବି, ମୁଁ ତାକୁ ଭଲପାଏ, ତା ପାଇଁ ଦିନେ ମୋ ଆଖିରୁ ଲୁହ ଗଡ଼ିଥିଲା, ତୁ ଦେଖିଥିଲୁ । କହିବି, ଭୁଲ ସବୁଦିନେ ଭୁଲ ହୋଇ ରହେ ନାହିଁ, ଭୁଲ ସୁଧୁରିଯାଏ ।

ଆଉ କହିପାରିଲି ନାହିଁ । ମନର କୋହରେ ପିଲାଟିକୁ କୋଳରେ ପୂରାଇ ତାରି କପାଳ ଉପରେ ତତଲା ଲୁହ ଢାଳିଦେଲି ।

ବୋଉ ତୁନି ରହିଲା ।

ଆଖିର ଲୁହ ବନ୍ଦ ହେଲା, ମନର କୋହ କମିଲା । ବୋଉର କଥା ମନେପଡ଼ିଲା । ସୁରଙ୍କ ଉପରେ ମୋର ରାଗ ବଢ଼ିଲା । ଭାବିଲି, ଆଜି ବି ସେ ମୋତେ ସେମିତି ଭଲପା’ନ୍ତି । କିନ୍ତୁ, କାହିଁକି ସେ ମୋତେ ଭଲପାଇବେ ?

ଚାରିବର୍ଷ ତଳେ – ସଞ୍ଜ ମାଡ଼ିଆସୁଥାଏ । ସେ କହିଲେ, ଭାଇଙ୍କ ବିଷୟରେ ସମ୍ବନ୍ଧ ପକାଅ । ତାଙ୍କର ମୁହଁ ମଉଳିଯାଇଥିଲା । ମୁଁ ବୁଝିଥିଲି, ସୁର ମତେ ଭଲପାନ୍ତି । ତାଙ୍କ ମନରେ ମୋରି ଥାନ ଥିଲା । ଅନୁଭବ କରିଥିଲି, ଅଜାଣତରେ ମୋ ମନ ତାଙ୍କରି ଆଡ଼କୁ ନଇଁଯାଇଥିଲା । ସେଇଥିପାଇଁ ବିନା ସଙ୍କୋଚରେ ତାଙ୍କ ସଙ୍ଗେ ଆସିବାକୁ ଅନୁରୋଧ କରିଥିଲି ।

ବୋଉ ବୁଝିଥିଲା । ସେଇଥି ପାଇଁ ମିଳାମିଶା କରିବାକୁ, ହସଖୁସିରେ ଅଜଣା ଲୋକ ସାଙ୍ଗରେ କଥାଭାଷା ହେବାକୁ ସେ ବାଧା ଦେଉନଥିଲା ।

ଆଖିରୁ ଲୁହ ଦି’ଧାର ! ସେତିକିରେ ମନର ସବୁ ଲୁଚିଲା ବଥା ଧୋଇଦେଇଥିଲି । ଛାତିର ସବୁ କୋହ, ସବୁ ମୋହ, ଉତ୍ତେଜନା, ଭଲପଣିଆଁର ପରଦା ଉହାଡ଼ରେ ଲୁଚାଇଦେଇଥିଲି-

ତାଙ୍କ ଘରକୁ ସଂସାର କରିବାକୁ ଗଲି । ରାତିର ଖରାପ ସପନ ପରି ଗତକଥା ଭୁଲିଗଲି । ଯାହାଙ୍କର ହାତ ଧରିଥିଲି, ତାଙ୍କର ଦେବଦୁର୍ଲଭ ସ୍ୱଭାବ, ଚରିତ୍ର ଓ ରୂପ ପାଖରେ ମନର ମଇଳା ରହିପାରେ ନାହିଁ । ସମୁଦ୍ର ପରି ନିର୍ମଳ, ଗହୀର ଓ ବଡ଼ ଯାହାର ମନ, ଗଙ୍ଗା ପାଣି ପରି ପବିତ୍ର ଯାହାର ମୋ ପ୍ରତି ପ୍ରେମ, ଭାଇ ପ୍ରତି ସ୍ନେହ, ତା ପାଖରେ ମନର ଅନ୍ଧାର ରହିପାରେ ନାହିଁ । ତଥାପି ନଈପାଣିରେ ବେଳେ ବେଳେ ମଳମଳି ଉଠେ, ପୁଣି ସେହି ନଈ ପାଣିରେ ମିଳାଇଯାଏ । ଠିଆ ହେବାର ଦମ୍ଭ ତାର ନଥାଏ ।

ଦିନ ଦିନର ଘଟଣା, ପଥରରେ ଗାର ପଡ଼ିଲା ପରି ମନରେ ଗହୀଡ଼ା ଗାର, ଅଲିଭା ଗାର ଟାଣିଦେଇଛି ।

ଅଭାବ ଅସୁବିଧା ସତ୍ତ୍ୱେ ସୁଖରେ ବେଳ କଟିଯାଉଥାଏ । ଘରର କାମ ମତେ ଏକୁଟିଆ କରିବାକୁ ପଡ଼େ। ଘରଦ୍ୱାର ପରିଷ୍କାର ରଖିବା, ରୋଷାଇବାସ, ଯୋରରୁ ପାଣି ଆଣିବା, ଲିପାପୋଛା, ବାସନମଜା ଇତ୍ୟାଦି । ପିଲାଦିନୁ ଏ ସବୁ କାମ କରି ଅଭ୍ୟାସ ହୋଇଥିଲା । କଷ୍ଟ ହୁଏ ନାହିଁ । ସକାଳୁ ସଞ୍ଜଯାଏ କାମରେ ଲୋଟିଯାଏଁ । ମୋ ଘର, ମୋ ଗେରସ୍ତ, ମୋ ଦିଅର । ଗେରସ୍ତ ଦିଅରଙ୍କୁ ଶାନ୍ତିରେ ମୁଠିଏ ଖାଇବାକୁ ଦେବି, ଯେତିକି ପାରିବି ସେମାନଙ୍କର ସେବା କରିବି, ତାଙ୍କୁ ସୁଖୀ କରିବି, ସଦାବେଳେ ଏଇଆ ମୋ’ର ଚିନ୍ତା ଥିଲା ।

ଘରକାମ ହେଉ କି ପରକାମ ହେଉ, ଭାଇଦିହେଁ ଏକାମନ, ଏକାପ୍ରାଣ ହୋଇ ପରିଶ୍ରମ କରନ୍ତି । ଦୁହେଁ ଦୁହିଁଙ୍କୁ ପ୍ରାଣରୁ ବଳି ଭଲପାଆନ୍ତି । ମନରେ ମୋର ଗର୍ବ ଆସେ, ମୋରି ସ୍ୱାମୀ, ମୋରି ଦିଅର ! ସୁରଙ୍କୁ ସେ ପୁଅଠୁଁ ବଳି ସ୍ନେହ କରନ୍ତି । ବେଶି କାମ ନଥିଲେ ତାଙ୍କୁ ଘରେ ରହିବାକୁ କହି ନିଜେ ପର ଘରକୁ ଯାଆନ୍ତି । ଯେଉଁଦିନ ସୁର ଘରେ ରହନ୍ତି, ଆମ ଘର ପଛଆଡ଼େ ଯୋଡ଼ ଉପର ବାରିରେ କାମ କରନ୍ତି, ନୋହିଲେ ମୋ ହାତରୁ ଛଡ଼ାଇ କାମ କରନ୍ତି । ଯେତେ ମୁ ମନା କରେଁ, ଯେତେ ଅଭିମାନ କରି ବିରକ୍ତ ହୁଏ, ସେ ଶୁଣନ୍ତି ନାହିଁ । ସେ କାମ କରୁଥିବେ, ଆଉ ମୁଁ ତାଙ୍କ ପାଖେ ପାଖେ ଥାଇ ଭଲ ମନ୍ଦ କହୁଥିବି । ତାଙ୍କୁ ଭାରି ଖୁସି ଲାଗେ । ଉପରେ ପଡ଼ି କୌଣସିଥିରେ ହାତ ଦେଲେ, ସେ ମୋ ହାତ ଧରି କହନ୍ତି, ଥାଉ ଥାଉ, ଆଜି ତମକୁ କରାଇ ଦେବି ନାହିଁ । ନୂଆଉ, ଆମେ ଯେଉଁଦିନ ଘରେ ନ ରହିବୁ, ସେଦିନ ପଛେ ତେମେ ଯାହା ମନ ତାହା କରିବ ।

ମୋ ମୁହଁକୁ ଅନାଇ ରହିଲେ । ତାଙ୍କର ଦି ଆଖିରେ ମୁଁ ଯେପରି କଣ ଗୋଟାଏ ଦେଖିଲି । ଧୀରେ ଧୀରେ ହାତ ଖସାଇ ନେଲି । ଛାତିରେ ଛନକା ପଶେ । ନିଜର ଭ୍ରମ ଭାବି ହସି ହସି କହିଲି, କ’ଣ କରୁଛ କର, ତମ ଭାଇ ଆସିଲେ ସବୁ କହିଦେବି ।

ସୁର କହିଲେ, ଯେଉଁଦିନ ଏ ଘରେ ଗୋଡ଼ ଦେଲ, ସେଦିନ ସଜ ଫୁଟିଲା କଇଁ ଫୁଲଟି ପରି କେଡ଼େ ତୋରା ଦିଶୁଥିଲ ନୂଆଉ । ଏ ଗାଁରେ ତ ସମସ୍ତେ ସେଇ କଥା କହୁଥିଲେ; ଦିନ କେଇଟାରେ ମଉଳିଗଲଣି । ନା, ତମକୁ ଆଉ କାମ କରାଇ ଦେବି ନାହିଁ ।

ମତେ ଖୁସି ଲାଗିଲା । ପରିହାସ କରି କହିଲି, ଆମ ଘରେ ମୁଁ ସକାଳୁ ସଞ୍ଜଯାଏ କାମ କରୁଥାଏ । ତମ ଆଖିକି ସିମିତି ଦିଶୁଥିବି ନା !

ତେମେ କାହିଁକି ଏପରି ଝାଉଁଳିପଡ଼ୁଛ ?

ମିଛକଥା ।

ମିଛକଥା ନୁହେଁ । ସେଠି ତମର ବୋଉର ସ୍ନେହ, ବୋଉର ଆଦର ପାଉଥିଲ, ଆନନ୍ଦରେ, ମନ ଖୁସିରେ ଚଳୁଥିଲ । ଏଠିକି ଆସି ଘରଯାକର ବୋଝ, ଜଞ୍ଜାଳ ମୁଣ୍ଡେଇଛ ।

କାହିଁକି, ଏଠିକି ଆସି ତମାମନଙ୍କ ସ୍ନେହ ଆଦର ପାଇଛି….

ସେ ମୋ ମୁହଁକୁ ଚାହିଁ ହସିଲେ ।

ମୁଁ ହସି ହସି ଚାଲିଗଲି ।

ସେ ଫେରିଲେ । ହସି ହସି ତାଙ୍କୁ କହିଲି, ସୁର ଆଜି ମତେ କାମ କରାଇ ଦେଇ ନାହାନ୍ତି । ସୁର କହୁଥିଲେ ମୁଁ କୁଆଡ଼େ ଝାଉଁଳିପଡ଼ୁଛି ।

ନୁହେଁ କି ଭାଇ, ସତ ନୁହେଁ ? ନୂଆ’ଉ କଅଣ ଆଗପରି ଅଛି ? କେଡ଼େ ଦୁର୍ବଳ, କେଡ଼େ ଶୁଖିଲା ଦିଶୁଛି।

ତାଙ୍କ ଦୁଇ ଆଖି ଭରିଯାଏ ସ୍ନେହରେ । ସୁରଙ୍କର ମୁଣ୍ଡରେ ହାତ ମାରି ସେ କହିଲେ, ଦେଖିଲ, ପିଲାଟାର କି ରୂପ ହେଲାଣି ? ସବୁବେଳେ ଖଟୁଛି, ଭଲକରି ମୁଠିଏ ଖାଉନାହିଁ । ତେମେ ତା’ର ଯତ୍ନ ନେଉନ କି ତୁଳସୀ ?

ଅଭିମାନରେ ନାକ ଫୁଲାଇ କହିଲି, ତମରି ଦୋଷ । ଯଦି ସହଳ ସହଳ କାମରୁ ଫେରନ୍ତ, ତମକୁ ଅନାଇ ଅନାଇ ସେ ଭୋକରେ ବସି ଅନ୍ତ ଶୁଖାନ୍ତେ କାହିଁକି ? ସେ ତ କିଛି କୋଳର କାଖର ହୋଇ ନାହାନ୍ତି ଯେ, କାନଧରି କୋଳରେ ବସାଇ ଜହ୍ନମାମୁଁ ଦେଖାଇ ହାତରେ ଖୁଆଇଦେବି ।

ଟିକଏ ଗମ୍ଭୀର ହୋଇ ସେ କହିଲେ, ଏଥର ସେଇଆ କରିବାକୁ ହେବ । ପିଲାଦିନୁ ସେ ମା ସ୍ନେହ ଜାଣେ ନାହିଁ ।

ଏତେବଡ଼ ଭାଇଟା ଆଗରେ ମୋ କପାଳ ଉପର କେଶ ସଜାଡ଼ିଦେଲେ । ମୋ ଗାଲରେ ଟିପ ଛୋଇଁ ହସି ହସି କହିଲେ, ଦେଖ୍‌ରେ ସୁର, ଏଥର ତୋ ନୂଆଉର ମୁହଁ ନାଲି କଇଁପରି ଦିଶିଲାଣି ।

ସୁର ବାଁରେଇ ହୋଇ ଦାଣ୍ଡଆଡ଼କୁ ଚାଲିଗଲେ । ମୁଁ ଅଭିମାନରେ ଭାବିଲି, ତାଙ୍କ ଆଖିରେ ମୋ ଭଲମନ୍ଦ ଦିଶେ ନାହିଁ । ତାଙ୍କ ଆଖିରେ ସବୁବେଳେ ସୁର ଦିଶନ୍ତି ଯେପରି, ସୁରଙ୍କ ପାଇଁ ଏ ଘର, ଏ ସଂସାର ଆଉ ଆମର ଘରକରଣା । ହେଲେ, ସୁରଙ୍କ ପ୍ରତି ମନରେ କେବେ ଈର୍ଷା ଆସେ ନାହିଁ ।

ଟିକିଏ ପରେ ସୁରଙ୍କ ସଙ୍ଗେ ଦେଖାହେଲା । କହିଲେ ହଉ, କାନ ମୋଡ଼, ଥାପଡ଼ ମାର, କୌଣସି କଥାରେ ତମର ଅବାଧ୍ୟ ହେବି ନାହିଁ । ଖାଲି କାମବେଳେ ତମ କଥା ଶୁଣିବି ନାହିଁ-

ଧୀରେ ଧୀରେ ତାଙ୍କର କାନ ମୋଡ଼ିଲି, ଗାଲରେ ଛୋଟ ଛୋଟ ଚାପଡ଼ା ମାରିଲି । ଶିଶୁଟିପରି ମୋ କାନ୍ଧ ଉପରକୁ ମୁଣ୍ଡ ନୁଆଁଇଆଣିଲେ । ଦୁଇ ଆଖି ବୁଜିଦେଲେ ।

କେଜାଣି କାହିଁକି ମୋ ଛାତି କମ୍ପିଉଠିଲା । ସୁର ! ପିଲା ନୁହନ୍ତି । ସୁର ଦିଅର । ଦିନେ ପୁଣି ତାଙ୍କର କଥା ଭାବିବାକୁ ଖୁସି ଲାଗୁଥିଲା । ଦିନେ ପୁଣି ଏଇ ସୁରଙ୍କର ଦେହର ଟିକିଏ ପରଶରେ ଶିହରଣର ଉତ୍ତେଜନା ପାଇବି ବୋଲି, ତାଙ୍କ ହାତକୁ ପାଣି କି ପାନ ବଢ଼ାଇ ଦେଉଥିଲି-। ଅଜାଣତ ଅବସ୍ଥାରେ ଆଖି ସଙ୍ଗେ ଆଖି ମିଳୁଥିଲେ ଲାଜରେ, ସଙ୍କୋଚରେ ମଥା ନୂଆଁଉଥିଲି । ସୁର ପିଲା ନୁହନ୍ତି । ପୁଣି ସୁର ଦିଅର, ଆମ କୁଳର ଦିଅର, ଯେଉଁ କୁଳରେ......ଛି !

ହାତ ଥରିଉଠିଲା । ଆଖିରେ ନିଆଁ ଜଳିଉଠିଲା । ପଛକୁ ଘୁଞ୍ଚିଆସିଲି ।

ଚମକିଲା ପରି ସୁର ଉଠିଲେ । ଟଳୁ ଟଳୁ ଠିଆ ହୋଇଗଲେ, ମୋ ମୁହଁକୁ ଚାହିଁ କ’ଣ ବୁଝିଲେ କେଜାଣି କହିଲେ– ପଡ଼ିଯାଇଥାନ୍ତି ଯଦି ? ରହ, ଭାଇ ଆସନ୍ତୁ କହିବି ।

ମନର ସବୁ ଅନ୍ଧାର ଭାବନା ଦୂରକୁ ତଡ଼ି କହିଦେଲି– ନାଇଁ ନାଇଁ, ପଡ଼ନ୍ତ କାହିଁକି, ମୁଁ ତମ ପଛରେ ଠିଆ ହୋଇଛି ଯେ ।

ସେ ହସିଲେ ।

ମୁଁ ହସିଲି । ଅନ୍ୟଆଡ଼େ ଚାଲିଯାଏ ।

ମୋ ଦେହ ଖରାପ ହୋଇଛି, ଜର ।

ସେ କହିଲେ– ଆରେ ସୁର, ତୋ ନୂଆଉର ଦେହ ଭଲ ନାହିଁ, ମୁଁ କାମକୁ ଯାଉଛି, ତୁ ଘରେ ରହ ।

ସୁର ମନା କଲେ । ଉତ୍ତର ଦେଲେ, ତେମେ ରହ ଭାଇ, ମୁଁ ଯାଏଁ ।

ସେ ବିରକ୍ତ ହୋଇ କହିଲେ– ନାଇଁ, ତୁ ରହ । ମୋର ତେଣେ ବାକିଆ କାମ ପଡ଼ିଛି । ଦାସଘର ମାଙ୍କଡ଼ା ପଥର ବୁହା ଅଧା ହୋଇଛି ।

ମତେ ବିରକ୍ତ ଲାଗିଲା । ଜର, ଦିହ ହାତ ଘୋଳିହେଉଛି, ତାତି ଯେ ଖଇ ଫୁଟିବ, ବିଛଣାରୁ ଉଠିବାର ଶକ୍ତି ନାହିଁ । ତାଙ୍କର ବାକିଆ କାମ ଏପରି ବଳେଇପଡ଼ିଲା ଯେ, ମୋତେ ଛାଡ଼ି ସେ ଚାଲିଯିବେ ।

କହିଲି– ତେମେ ରହ, ସୁର ପଛେ ଯାଉନ୍ତୁ, ତୁମ କାମ ତୁଟାଇବେ ।

ଅତି ଆଦରରେ ତାତିଲା କପାଳରେ ହାତ ମାରି, ମୁହଁରେ ମୁହଁ ଲଗାଇ କହିଲେ– ସୁରଟା ପିଲାଲୋକ, ସେ ପଥରବୁହା କାମକୁ ପାରିବ ନାହିଁ ତୁଳସୀ ! ମୂଲିଆ ମୁଣ୍ଡ । ନ ଗଲେ ବି ନଚଳେ । ଆଉ ଦିନକୁ ଆଉ ଦିନ ଅଛି । ଖାଉନ୍ଦ ବିରକ୍ତ ହେଲେ ପେଟ ପୋଷିବା କେମିତି ? ସୁର ଥାଉ, ମୁଁ ସହଳ ଆସିବି ଯେ ।

ତାଙ୍କର ଆଦର ସ୍ନେହରେ ଆଖିରେ ମୋର ଲୁହ ଭରିଗଲା । ଦୁଇ ହାତ ବେଢ଼ାଇ ଦେଲି ଚାରିପାଖେ । ସେ ଧୀରେ ଧୀରେ ମୁଣ୍ଡ ଉଠାଇ ମୋର ହାତ ଖସାଇ କହିଲେ, ଡେରି ହେଲାଣି, ଯାଉଛି । ଆଉ ମୂଲିଆମାନେ ଆସିଯିବେଣି ।

ସେ ଚାଲିଗଲେ । ମୁଁ କଡ଼େଇ ଚାହିଁଲି ।

ମୋ ସେବା କରିବାରେ ସୁର ମନପ୍ରାଣ ଢାଳିଦେଲେ । କାମରୁ ଫେରିଲେ ଭାଇ କଅଣ ଖାଇବେ, ସେଥିପାଇଁ ସେ ରୋଷାଇ କଲେ । ମୋ ପାଇଁ ମଧ୍ୟ ରାନ୍ଧିଲେ । ତାଙ୍କୁ ସାହାଯ୍ୟ କରିବାକୁ ମୁଁ କଷ୍ଟେମଷ୍ଟେ ଉଠି ରୋଷାଇ ଘରକୁ ଗଲି । ସେ ବିରକ୍ତ ହୋଇ କହିଲେ, ନୂଆଉ, ତେମେ କାହିଁକି ଆସିଲ ? ଯାଅ ଏ ଘରୁ । ମୁଁ ବଳେଇ ପଶିଲାରୁ ସେ ମୋ ହାତ ଧରି ପୁଣି ବିଛଣାରେ ଛାଡ଼ିଦେଲେ । ଆଙ୍ଗୁଠି ଦେଖାଇ ଆଖି ଟେକି କହିଲେ– ଆଜି ମୁଁ ତମ ମାଷ୍ଟର । ମୋ କଥା ନମାନିଲେ ତମ କାନ ମୋଡ଼ିବି । ଭାଇ ଆସିଲେ କହିଦେବି ।

ମୁଁ ହସି ହସି କହିଲି– କାନ ମୋଡ଼ିବ ତ ମୋଡ଼ । ମୋ ଦେହ ଟିକିଏ ଭଲ ଲାଗୁଛି । ଆଖି ଆଗରେ ତମକୁ କାମ କରିବାର ଦେଖିବି କେମିତି ସୁର, ଦେହ ସହିବ ?

ସତକୁ ସତ ସେ ମୋ କାନ ପାଖକୁ ହାତ ଆଣି କହିଲେ, ଆଖି ବୁଜି ତୁନି ହୋଇ ଶୋଇପଡ଼ । ପିଲା ଲୋକ, ପୁଣି ଅବାଧ୍ୟତା କାଢ଼ୁଛନ୍ତି । ଶୁଅ ।

ତାଙ୍କର ସ୍ନେହ, ତାଙ୍କର ଆଦରମିଶା ରାଗ ମୋତେ ଭାରି ଭଲ ଲାଗେ । ମୁଁ ଆଖି ବୁଜେ । ସେ ଆଉଁଷିଲା ପରି ଚାପଡ଼ା ମାରି କହିଲେ, କଥା ନମାନି ପୁଣି ଉଠିବ ତ ପୁଣି ଦେଖିବ ।

ମତେ ହସ ମାଡ଼ିଲା । କହିଲି– ହଉ ଯା, ଭାରି ମଣିଷଟାଏ ତ !

ସେ ଗଲେ । କେବ କାଳର କେଉଁ କଥା ମୋର ମନେପଡ଼ିଗଲା । ଚମକିଉଠିଲି । ସୁରଙ୍କର ଏ କି ଢଙ୍ଗ ? ମୁଁ କ’ଣ ପିଲାଛୁଆ ହୋଇଛି ? ସେ ବି ପିଲାଛୁଆ ନୁହନ୍ତି ! ମନେହୁଏ, ତାଙ୍କର ପିଲାମି, ମୁରବିଗିରିରେ ଉଦ୍ଦେଶ୍ୟ ଲୁଚିରହିଛି, ତାଙ୍କର ପ୍ରତି କାମରେ ଗୋଟିଏ ମୋହ ଛପି ଛପି ବୁଲୁଛି । କିନ୍ତୁ, ତାଙ୍କର ଆଗ୍ରହ ଓ ସରାଗରେ ବାଧା ଦେଇପାରିବି ନାହିଁ । ଆଗ ବଳିପଡ଼ି ମୁଁ କାହିଁକି ମୋର ଦୁର୍ବଳତା ପଦାକୁ ଦେଖାଇବି ? ସେ ହସିବେ । ତାଙ୍କର ଭାଇ ଶୁଣିଲେ ମତେହିଁ ଥଟ୍ଟା କରି ପାଞ୍ଚକଥା କହିବେ । କିଛି ବୁଝିପାରେ ନାହିଁ । ମନର କୋହରେ ମୁଦିଲା ଆଖିରୁ ଗଡ଼ିପଡ଼େ ଳୁହ !

କାହାର ଶୀତଳ ହାତର ପରଶ କପାଳରେ ପାଇ ମୁଁ ଆଖି ଖୋଲି ଦେଖିଲି, ସୁର ପାଖରେ ଠିଆହୋଇ ନଇଁ ପଡ଼ିଛନ୍ତି । ମୁହଁରେ ସରାଗ ନାହିଁ । ଆଖି ଛଳଛଳ କରି କହିଲେ, ନୂଆଉ, ତାତି ଭରିରହିଛି । ତେମେ କାନ୍ଦୁଛ କାହିଁକି, ମୁଣ୍ଡ ବିନ୍ଧୁଛି, ଗୋଡ଼ ବଥଉଛି ?

ତାଙ୍କର ଶୁଖିଲା ମୁହଁକୁ ଚାହିଁ ରହିଲି ଘଡ଼ିଏ । ବୁଝିବାକୁ ଚେଷ୍ଟା କଲି, ସେହି ଛଳଛଳ ଆଖିରୁ କି ଭାଷା ବାହାରୁଛି – ଉଜ୍ଜ୍ୱଳ କପାଳ ତଳେ କି ଭାବନା କି ଚିନ୍ତା ଖେଳିଯାଉଛି – ବୁଝିପାରିଲି ନାହିଁ । କହିଲି ସୁର, କେତେ କାମ କରିବ ? ଯାଅ ଖାଇବ, ସୁନା ଭାଇଟି ପରା.....

ଓଲଟି ପଚାରିଲେ, ତେମେ କାନ୍ଦୁଛ କାହିଁକି ?

ରହି ରହି କହିଦେଲି, ଭାବୁଛି କାଳେ ମରିଯିବି ।

ତାଙ୍କ ମୁହଁ ଶୁଖିଗଲା । କେଡ଼େ କରୁଣ ହୋଇ କହିଲେ, ତମେ ମରିବ ନାହିଁ ନୂଆଉ, ତମକୁ ମରିବାକୁ ମୁଁ ଛାଡ଼ିଦେବି ନାହିଁ । କେତେ ଲୋକଙ୍କୁ ଜର ହୁଏ, ପୁଣି ଭଲ ହୋଇଯାଏ ।

କହିଲି, ସ୍ୱାମୀ ଦିଅରଙ୍କ ଆଗରେ ମରିଯିବା କେଡ଼େ ଗର୍ବର, କେଡ଼େ ଆନନ୍ଦର କଥା । କେତେ ଜଣଙ୍କ ଭାଗ୍ୟରେ ଘଟେ ?

ତାଙ୍କର ଆଖିରେ ଲୁହ । କହିଲେ ଏଇଥିପାଇଁ ଏ ଘରକୁ ଆସିଥିଲ ? ଏଇଥିପାଇଁ ଆମରି ଏ ଅନ୍ଧାର ଘରେ ଦୀପ ଜାଳିଥିଲ ନୂଆଉ ! ଛି, ସେ କଥା ଆଉ ତୁଣ୍ଡରେ ଧରିବନି । ପିଲାଟିଏ ହୋଇଥିଲି, ମା ମଲା । ମାକୁ ଭଲକରି ଦେଖିନାହିଁ । ଜାଣ, ତା ପାଇଁ ମୁଁ କେତେ ଭାବେ, ତା ପାଇଁ ମୁଁ କେତେ କାନ୍ଦେ ? ତେମେ ଏ ଘରକୁ ଆସିଲ । ତୁମକୁ ଦେଖି ସବୁ ମୁଁ ପାଶୋରି ଯାଇଛି । ତେମେ ମରିବ ନାହିଁ, ମୁଁ କହୁଛି ।

ବିହ୍ୱଳ ହୋଇ ଲୁହଧୁଆ ମୁହଁଟି ମୋରି ଉପରେ ଢଳାଇଦେଇ କହିଲେ – କହ, ଆଉ ଦିନେ ଏପରି ଭାବିବ ନାହିଁ ... କହ, ନୂଆଉ ।

ଭୁଲିଗଲି ଯେ ସେ ମୋ ଦିଅର । ଭୁଲିଗଲି ଯେ ସେ ଶିଶୁ ନୁହନ୍ତି । ଧୀରେ ଧୀରେ ମୋର ଦୁର୍ବଳ ହାତଟି ତାଙ୍କର ମୁଣ୍ଡ ଉପରେ ରଖି କହିଲି, ତମରି ପାଇଁ ମୁଁ ବଞ୍ଚିରହିବି ସୁର, ତେମେ ମତେ ଭଲପାଅ ।

ବାହାରୁ ସେ ଡାକିଲେ– ସୁର, ସୁର.....

ଚମକିପଡ଼ିଲି । କେଜାଣି କାହିଁକି ଖେଳିଗଲା ମନରେ ଅଲଗା ଭାବ । ଛିଃ, ସୁର ମୋର ପୁଅ ନୁହନ୍ତି, ଭାଇ ନୁହନ୍ତି । ସୁର ମୋର ଦିଅର । ଏଡ଼େ ବଡ଼ ଦିଅର । କଅଣ ସେ ଭାବିବେ ?

ଦିନେ ଦି ପହରେ ରାଧାବୋଉ ତେଲୁଣୀ ତେଲ ବିକି କେଡ଼େ ଗୁପ୍ତରେ କହିଗଲା– ଆଲୋ ଶୁଣିଲଣି ଜଟିଆ, ନଟିଆ, ହଟିଆଙ୍କ କଥା ? ଜଟିଆ ବାହାକୁ ନଟିଆ ବାର ବରଷର ପିଲା-। ହଟିଆଟା ତ ନଙ୍ଗଳା, ପାଞ୍ଚ କି ଛ ବର୍ଷର ହେବ । ବାହା ସାତ ବଷରେ ଜଟିଆ ମଲା । ଦି ପୁଅ । କେତେ ଲୋକ କେତେ କଥା କହନ୍ତି ମ, ନଟିଆ ହେଲା ଦୁତୀୟ । ଆହୁରି ପାଞ୍ଚ ବର୍ଷ କଟିଲା । ତାଙ୍କର ବି ଗୋଟିଏ ଝିଅ । ନଟିଆ ଭେଟଣାରେ ଗଲା, ଦେଢ଼ ବର୍ଷ ହେଲାଣି । ଆଲୋ ତା’ ତିରିଲାର କଣ ପିଲା ଛୁଆ ହେବ । ହଟିଆ ପରା ତାକୁ ପୁଣି ଦୁତୀୟ ହେଉଛି ।

ନଟିଆ ଦିଅର, ହଟିଆ ବି ଦିଅର !

ମୁଁ ତାକୁ ଉତ୍ତର ଦେଇନଥିଲି । ସଂସାରରେ ସବୁକଥା ସମ୍ଭବ ହୁଏ । କାହିଁକି କିପରି କ’ଣ ଘଟେ ପର ଲୋକଙ୍କର ଜାଣିବାର ଉପାୟ ନାହିଁ । ତେଣୁ ଲୋକେ ନିଜ ରୁଚିପ୍ରକାରେ ଅନୁମାନ କରିନିଅନ୍ତି ଓ ଦୁର୍ନାମ ରଟାନ୍ତି । ସୁର ବି ସେହି ଦିଅର । ତାଙ୍କର ମନ ଦିନେ ମୋରି ଆଡ଼କୁ ଢଳିଥିଲା । ତାଙ୍କରି ପାଇଁ ଆଖିରୁ ମୋର ଦିନେ ଲୁହ ଝରିଥିଲା ।

ଅସ୍ଥିରତା ଅନୁଭବ କଲି । ସେ ବାହାରେ ଡାକୁଛନ୍ତି । ବିଚଳିତ ହୋଇ କଡ଼ ବୁଲାଇ ଶୋଇଲି । ଥରିଲା ସ୍ୱରରେ କହିଲି, ତମ ଭାଇ ଆସିଲେଣି ସୁର ।

ଆସନ୍ତୁ । ଡାକିଲା ଭାଇ, ଭାଇ.....

ମୁଁ ଉଠି ବସିବାକୁ ଚେଷ୍ଟା କଲି । ସୁର ମୋ ପାଖକୁ ଲାଗି ବସି ମୋ ବାହା ଉପରେ ହାତର ଚାପ ଦେଇ କହିଲେ – ଉଠନା ନୂଆଉ, ତେମେ ଭାରି ଦୁର୍ବଳ ହୋଇଛ । କେଇଟା ଦିନ ଜର ପାଇଁକି ଏପରି ହୋଇନାହିଁ । ତମର ଅମାନିଆଁପଣ ପାଇଁ ଏପରି ହେଲା । ଖାଇବାକୁ ଯାହା ଦେଲେ ମନା କରିଦେଉଛ । ଭାଇଙ୍କି ସବୁ ଆଜି ନିଶ୍ଚେ କହିବି ।

ସେ ଆସି ପହଞ୍ଚିଲେ । କାମରୁ ଫେରି ମୁହଁଟି ଶୁଖିଯାଇଥାଏ । ଆମକୁ ଦେଖି ତାଙ୍କର ଆଖି ଉଜଳିଉଠିଲା । ପଚାରିଲେ, ତୋ ନୂଆଉ କେମିତି ଅଛିରେ ସୁର ?

ସୁର ମୁହଁ ଶୁଖାଇ ସବୁ କହିଲେ । ସେ ଆଗ୍ରହରେ ଶୁଣିଲେ । ସାନ୍ତ୍ୱନା ଦେଇ କହିଲେ, ନାଇଁରେ ସେ ମରିବ ନାହିଁ । ତୁ ପିଲା ହୋଇଥିଲୁ, ବୋଉ ଛାଡ଼ି ଚାଲିଗଲା । ତୁ ଏବେ ବଡ଼ ହେଲୁଣି । ତୋ ନୂଆ’ଉ ତତେ ଛାଡ଼ି ଯାଇପାରିବ ନାହିଁ ।

ଲାଜରା ହୋଇ କହିଲି, ମୁଁ ସୁରକୁ ମିଛରେ କହୁଥିଲି ନା .....

ସେ ଗମ୍ଭୀର ହୋଇ କହିଲେ, ସେପରି କହିବ ନାହିଁ । ଦେଖିଲ ତା ଆଖିକି ।

ମୁଁ ତୁନି ହେଲି । ସେ ପୁଣି କହିଲେ, ଆରେ ସୁରିଆ ଟିକିଏ ଦୂରେଇ ବସ ରେ, ଏ ଜରଟା ଡିଆଁ ରୋଗ, ଘର ଘର ହୋଇ ପଡ଼ିଛନ୍ତି । କଅଣ ଖାଇଲୁଣି ?

ମୁଁ ଜବାବ ଦେଲି– ନାହିଁ, ନିଜ ହାତରେ ରୋଷାଇ କରି ରଖି, ମୋରି ପାଖରେ ଜଗିବସିଛନ୍ତି । ସତେ କି କୁଆଡ଼େ ମୁଁ ପଳାଉଛି ।

ସତେ ?

ସୁର କହିଲେ, ନୂଆ’ଉ କିଛି ଖାଇନାହିଁ ।

ସେଇଥିପାଇଁ ତୁ ବି ଉପାସ ବସିଛୁ ? ଆ କହି ତାଙ୍କର ହାତ ଧରି ରୋଷ ଘରକୁ ନେଲେ ।

ନିରୋଳାରେ ଆଖି ଲୁହରେ ସପ ଭସାଇଲି । ସ୍ୱାମୀ ମୋର ମଣିଷ ନୁହନ୍ତି, ସେ ଦେବତା । ତାଙ୍କ ମନରେ ସ୍ୱର୍ଗ, ଆଖିରେ ପବିତ୍ରତା, ତୁଣ୍ଡରେ ଅମୃତ । ସୁରଙ୍କୁ ଚିହ୍ନେ ନଚିହ୍ନେ, ମୁଁ ମୋର ଦେବତାଙ୍କୁ ଚିହ୍ନେ । ତାଙ୍କରି ଗୋଡ଼ତଳେ ମୁଣ୍ଡ ରଖି ମୋର ଜୀବନ ଯାଉ.....ଏତିକି ମୋ’ର ଠାକୁରଙ୍କ ପାଖରେ ଗୁହାରି ।

ଠାକୁର ମୋ ଗୁହାରି ଶୁଣିଲେ ନାହିଁ । ଆଜି ସେ ନାହାନ୍ତି । ମୁଁ ଅଲକ୍ଷଣୀ ବଞ୍ଚିରହିଛି ।

ଥରେ ସୁରଙ୍କ ଦେହ ଭଲ ନଥାଏ । କାମକୁ ନଯାଇ ଘରେ ଥାଆନ୍ତି । ତାଙ୍କର ଭାଇ ଅନିଦ୍ରା ହୋଇ ଜଗିବସନ୍ତି । ମୋତେ ଶୁଆଇ ଦିଅନ୍ତି ନାହିଁ । ଦିନବେଳା ସେ ଯାଆନ୍ତି କାମକୁ । ମୂଲିଆମୁଣ୍ଡ, ପର ଘରେ ମୂଲ ନ ଲାଗିଲେ ଚଳିବ ନାହିଁ !

ଘରେ ସାଇତା ଦରବ ଖାଇଦେଲେ ଦିନ କେଇଟାରେ ସରିଯିବ । କାମକୁ ଯିବା ଆଗରୁ ମତେ ତିଆରି କହିଯାଆନ୍ତି, ସୁର ତମ ଜିମା ରହିଲା, ତାଆର ଯେମିତି ଅସୁବିଧା ନହୁଏ ଦେଖିବ ।

ସଂସାର କରିବା ମୋର ଦୁଇବର୍ଷ ପୂରିଯାଇଥାଏ । ଦେହ ଖରାପ ହେଲେ ସୁର ଅସ୍ଥିର ହୋଇପଡ଼ନ୍ତି । ପିଲାଙ୍କ ପରି କାନ୍ଦନ୍ତି, ମୁଁ ସେ କଥା ଜାଣେଁ । ସେଇଥିପାଇଁ ତାଙ୍କ ପାଖେ ପାଖେ ଥାଏଁ । ପ୍ରାଣପଣେ ଲାଗି ସେବା ଯତ୍ନ କରେ । ଦେଖେଁ, ସେ ବି ଯେପରି ମୋ’ରି ସେବା ଯତ୍ନକୁ ଆକୁଳ ହୋଇ ଚାହିଁ ରହିଥାନ୍ତି ।

ଜର ଛାଡ଼ିଯାଇଥାଏ । ଦୁର୍ବଳତା ଭାଙ୍ଗି ନଥାଏ । ସକାଳ ପହରୁ ସ୍ୱାମୀ କାମକୁ ଗଲାବେଳୁଁ ମୁଁ ତାଙ୍କରି ପାଖରେ ବସିଥାଏଁ । କେତେବେଳେ ମୁଣ୍ଡ ଆଉଁସେ, କେତେବେଳେ ଦେହ ଆଉଁସେ । ବିଞ୍ଚିଦିଏ । ମୋ ପିଲାଦିନର କେତେ କେତେ କଥା କହିଲି । ମନ ଦେଇ ଶୁଣିଲେ । ମୋ ମୁହଁକୁ ତନ୍ମୟ ହୋଇ ଚାହିଁରହିଲେ । ଧୀରେ ଧୀରେ ତାଙ୍କ ଆଖିପତା ବନ୍ଦ ହୋଇଆସିଲା । ମୁଁ ତାଙ୍କ ପାଖରୁ ଉଠିଯାଇ ଘର କାମ କଲି । ତାଙ୍କର ନିଦ ଭାଙ୍ଗିଲା...ଡାକ ଛାଡ଼ିଲେ । କାମ ଅଧା ପକାଇ ପାଖକୁ ଆସିଲି ।

ପଚାରିଲେ, ଚାଲିଗଲ କାହିଁକି, କଥା କହୁଥିଲ ପରା !

ତମେ ଶୋଇପଡ଼ିଲ । କଥାରେ ପେଟ ପୂରିବ ? ରୋଷାଇ ନହେଲେ ଖାଇବ କଅଣ-? ତମ ଭାଇ କାମରୁ ଫେରୁଥିବେ ହାଲିଆ ହୋଇ । ଶୋଇପଡ଼ । ମୁଁ କାମ ସାରି ଆସୁଛି ।

ଭାଇଙ୍କ ନାଁ ଶୁଣି ସେ ଆଉ କଟାଳ କରିଲେ ନାହିଁ ।

କାମ ସାରି ଆସିଲି । ତାଙ୍କର ମୁଣ୍ଡ ପାଖରେ ବସି ମୁଣ୍ଡ ଆଉଁସିଲି । ସେ ଶାନ୍ତିରେ ଆଖି ବୁଜି ମୋ କୋଳରେ ମୁଣ୍ଡ ରଖି ଶୋଇପଡ଼ିଲେ । ତାଙ୍କର ଶୋଇଲା ମୁହଁକୁ ଏକା ଆଖିରେ ଚାହିଁରହିଲି । ଯେଉଁ ମୁଣ୍ଡଟା କୋଳରେ ଧରି ବସିଛି ତା ଭିତରେ କଅଣ ଅଛି ? ମଣିଷ ଆମେ, ବୁଝିବାର ଶକ୍ତି ଯଦି ଥାଆନ୍ତା ! ଭାଇ ପରି ଯାହାକୁ ମୁଁ ସ୍ନେହ କରେ, ସେ ମୋତେ ସେହିପରି ଭଲ ପାଏ ତ ?

ଦାଣ୍ଡରୁ ପାଟି ଶୁଭିଲା । ମନେ ପଡ଼ିଗଲା ଯେ ଦାଣ୍ଡ କବାଟ ମୁକୁଳା । କିଏ କାଳେ ଆସିଯିବ, କଅଣ ମନେକରିବ ! ଏଡ଼େ ବଡ଼ ଦିଅର – ପୁଣି ଏଗାଁରେ ଯାହାସବୁ ଘଟିଯାଇଛି – ଲୋକେ ଭଲ ମନ୍ଦ ଜାଣିବେ ନାହିଁ – ମନକଥା ବୁଝିବେ ନାହିଁ – ମନ୍ଦକଥା ଆଗ ଆଖିକୁ ଦିଶିବ । ସେହି କଥା ବଡ଼ କରି ଚର୍ଚ୍ଚା କରିବାକୁ ଖଳ ଲୋକଙ୍କ ମନ ଛଟପଟ ହୁଏ । କାହାରି ତୁଣ୍ଡରେ କେହି ତ ବାଡ଼ବତା ଦେଇପାରିବେ ନାହିଁ । ତୁଣ୍ଡବାଇଦ ସହସ୍ର କୋଶ ।

ସୁରଙ୍କୁ ନଉଠାଇ ଧୀରେ ଧୀରେ ଗୋଡ଼ ଟାଣିନେଉଥିଲି । ତାଙ୍କର ନିଦ ଭାଙ୍ଗିଗଲା । ସେ ଆଖି ଖୋଲି ମୋ ଦୁଇ ହାତକୁ ଧରିଲେ । ନେହୁରା ହୋଇ କହିଲେ, ଯାଅନା ନୂଆଉ ।

ବାହାରୁ ପାଟି ଶୁଭିଲା । ଧୀରେ ଧୀରେ ଗୋଡ଼ ଖସାଇ କଅଁଳେଇ କହିଲି– ଦାଣ୍ଡ କବାଟ ମୁକୁଳା ଅଛି । ହେଇ, କିଏ ଡାକୁଛି । କାଳେ ଆସିଯିବ ସୁର, ଏ ଗାଁର ଲୋକଙ୍କୁ କଅଣ ଚିହ୍ନି ନାହଁ ?

ଆସିଲା ଲୋକଙ୍କୁ ବିଦାକରି ମୁଁ ଫେରି ଆସିଲି ସୁରଙ୍କ ପାଖକୁ । ସେ କଡ଼ ବୁଲାଇ ଶୋଇଥାନ୍ତି । ଯେତେ ଡାକିଲି ଶୁଣିଲେ ନାହିଁ । ଦୋଷ କଲା ପରି ମୋର ମନେହେଲା । ମୁଣ୍ଡ ପାଖରେ ବସି ପୁଣି ତାଙ୍କ ମୁଣ୍ଡକୁ ମୋ କୋଳ ଉପରକୁ ଆଣିଲି । ଦେଖିଲି, ତାଙ୍କ ଆଖିରେ ଲୁହ ! ପଚାରିଲି, କାନ୍ଦୁଛ ?

ମୁଣ୍ଡକୁ ତଳକୁ ଖସାଇ ନେଲେ । ଅଭିମାନିଆଁ ସ୍ୱରରେ କହିଲେ– ଥାଉ, କିଏ ଆସିଯିବ-

ଲାଜରା ହୋଇ ତାଙ୍କ ଆଖିରୁ ଲୁହ ପୋଛିଲି । କହିଲି– ଆସୁ, ଦାଣ୍ଡ କବାଟ କିଳିଦେଇ ଆସିଛି ଯେ ।

କାବା ହୋଇ ମୋ ମୁହଁକୁ ଚାହିଁ କହିଲେ– ସତେ, ଲୋକ ଏମିତି କଅଣ ଭାବିବେ ବୋଲି ଡରୁଛ ?

ଉତ୍ତର ଦେଇପାରିଲି ନାହିଁ । ଲାଜରେ ତାଙ୍କ ମୁହଁକୁ ଚାହିଁପାରିଲି ନାହିଁ ।

ତାଙ୍କ ଭାଇ କାମରୁ ଫେରିଲେ । ଭାବିଥିଲି ସୁର ମୋ ନାମରେ ତାଙ୍କ ଆଗରେ ନାଲିସ୍‌ କରିବେ । କିନ୍ତୁ ସେ କିଛି କହିଲେ ନାହିଁ । ମୋର ବି ତୁଣ୍ଡ ଖୋଲିବାକୁ ସାହସ ହେଲା ନାହିଁ । କେତେଦିନ ଯାଏ ଘଟଣାଟି ମନେ ମନେ ଗୁଣିହେଲି । ସୁରଙ୍କର ମନରେ ଯଦି ଏତେ ସରଳତା, ପବିତ୍ରତା, ସେ ଏଇ ସାମାନ୍ୟ କଥାଟି ଲୁଚାଇ ରଖିଲେ କାହିଁକି ?

ମନରେ ଦୁଗୁଣେଇଁ ହୋଇ ଜଳୁଥିବା ଚିନ୍ତାର ତାଉ ସହି ନପାରି ଦିନେ ତାଙ୍କ ଆଗରେ ସବୁ କହିଲି । ସବୁ କଥା ଶୁଣି ସେ କହିଲେ– ସତେ, ପିଲାଟାର ମନରେ ଏତେ କଷ୍ଟ ଦେଇଥିଲ ? ତମ ସ୍ନେହର କବାଟ କିଳିଦେଲ ତା ପାଇଁ ? କେଡ଼େ ଦୁଃଖରେ ସେ ତାର ପାଟି ବନ୍ଦ କରି ରଖିଛି ବୁଝିପାରିବ ନାହିଁ । ସେ ଜାଣେ, ମୁଁ ଯଦି ଏ କଥା ତା ମୁହଁରୁ ଶୁଣିବି, ମୋର ମନରେ ଦୁଃଖ ହେବ-

ସାହସ କରି କହିଲି, ସେ ତ ଆଉ ପିଲା ହୋଇ ନାହାନ୍ତି, ଲୋକେ କଅଣ ଭାବିବେ ?

ଦୁଃଖରେ ତାଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲା । କହିଲେ, ସେ ମୋର ଭାଇ, ପିଲା ଭାଇ-। ତାର ମୁଣ୍ତ ବାଳ ପାଚିଲେ ବି ସେ ମୋର ପିଲା ଭାଇ, ଏଇ କୋଳରେ ମଣିଷ, ଏଇ ପିଠିରେ ନାଉ ।

ଡରି ଡରି କହିଲି, କିନ୍ତୁ ମୋଓର ତ ଭାଇ ନୁହନ୍ତି, ଦିଅର !

ହସି ଉଠିଲେ । କହିଲେ, ଖାଲି ଦିଅର, ଭାଇ ନୁହେଁ ? ତମେ କଅଣ ମୋଠାରୁ ନିଜକୁ ଭିନେ ବୋଲି ମଣିଛ ?

ନିଜର ଭୁଲ ମୁଁ ବୁଝିଲି । ତଥାପି କହିଲି, ଦୁନିଆର ଲୋକେ ଖଳ । ସଜ ମାଛରେ ପୋକ ପକାନ୍ତି ।

କେଡ଼େ ଜୋର୍‌ରେ କହିଲେ– ସତେ, ସତେ, ଦୁନିଆର ଲୋକଙ୍କୁ ତମେ ଅନାଅଁ, ମୋତେ ଅନାଅଁ ନାହିଁ ? ତୁମ ନାଁ ପରା ତୁଳସୀ ! ଖତକୁଢ଼ରେ ଥିଲେ ବି ଆବର୍ଜନାର ଗନ୍ଧ ରହେ ନାହିଁ ?

ଆଉ ମୋର ଧୈର୍ଯ୍ୟ ରହିଲା ନାହିଁ । ଦୁଃଖର କୋହରେ କାନ୍ଦ କାନ୍ଦ ହୋଇ ତାଙ୍କର ଛାତି ଉପରକୁ ଢଳିପଡ଼ିଲି । ଦୁଇ ହାତରେ ତାଙ୍କୁ ଗୁଡ଼ାଇ ଧରି କହିଲି, ମୋର ଦୋଷ ହୋଇଛି – ମତେ କ୍ଷମା କର ।

ଆସ୍ତେ ଆସ୍ତେ ମତେ ସେ ଆଡ଼େଇଦେଲେ । କହିଲେ– ମୋ ଭିତରେ ତମ ଭିତରେ ଯେଉଁ ତଫାତ୍‌ ଦେଖୁଛ, ଘୁଞ୍ଚାଇ ନପାରିଲେ ଦୁଇଟା ମନ, ଦୁଇଟା ଦେହ ମିଳିବ କିପରି ? ଯେଉଁ ଦିନ ସୁରକୁ ତମେ ଛୋଟ ଭାଇଟି ପରି ଦେଖିପାରିବ, ଅନୁଭବ କରିପାରିବ, କେବଳ ସେହିଦିନ ଏହା ହେବ, ବୁଝିଲ ?

ସେ ଅନ୍ୟଆଡ଼େ ଚାଲିଗଲେ । ମୁଁ ସେଇଠି ଠିଆ ହୋଇ ଭାବିଲି, ମୋର ସ୍ୱାମୀ ମତେ ଯେଉଁ ଉପଦେଶ, ଯେଉଁ ଶିକ୍ଷା ଦେଇଗଲେ, ସେହି ଅନୁସାରେ ମୁଁ ଚଳିପାରିବି ତ ? ଦୁନିଆ ଆଖି, ଦୁନିଆ ଲୋକଙ୍କର କଥା ଏଡ଼ି ଦେଇ ସଂସାରରେ ମୁଣ୍ତ ଟେକି ଚଳିହେବ ତ ?

•••

 

୧୦

 

ମନୁଆ ପେଟରେ ରହିଲା । ମତେ ମାଟି ମାଟି ଲାଗିଲା । ବାନ୍ତି ଉଚ୍ଛାଳ, ମୁଣ୍ତବୁଲା, ଅଳସ । କାମ କରିବାକୁ ମନ ଡାକେ ନାହିଁ । ନକଲେ ନଚଳେ । କାମ କରିବାକୁ ବସିଲେ ହାତ ଗୋଡ଼ ଚଳେ ନାହିଁ ।

 

ସୁର ବ୍ୟସ୍ତ ହୋଇପଡ଼ିଲେ । ପ୍ରାଣପଣେ ଲାଗି ମୋତେ ଘର କାମରେ ସାହାଯ୍ୟ କଲେ । ଜାଣନ୍ତି ନାହିଁ ସେ ମୋର କି ରୋଗ ହୋଇଛି । କହିବାକୁ ଲାଜ ମାଡ଼େ ।

 

ଦିନେ ସକାଳେ ସେ ଜିଗର ଧରି ପଚାରିଲେ, ତମ ଦେହ ଏମିତି କଅଣ ଖରାପ ହୋଇଛି ?

 

ତାଙ୍କୁ ଏଣୁ ତେଣୁ କହି ଭୁଲାଇଦେଲି । କଥାର ସୁଅ ବଦଳାଇବାକୁ କହିଲି– ଶୁଣିଲଣି ସୁର, ମୁଁ ରୋଗିଣା ହୋଇଗଲିଣି । ତମମାନଙ୍କର ଯତ୍ନ ନେଇପାରୁନାହିଁ । ସେଇଥି ପାଇଁ ତମ ଭାଇଙ୍କ ସଙ୍ଗେ ଲଗାଇ ତମ ପାଇଁକି ସୁନ୍ଦର ଝିଅଟିଏ ଠିକ୍‌ କରିଛି । ଏଇ ସାଲେ ତମ ବାହାଘର ହେବ । ତେମେ ଯେମିତି ଦି ଭାଇ ବାହାର କାମ କରୁଛ ଆମେ ଦି ଜଣ ସେମିତି ଘର କାମ କରିବୁଁ-। କେଡ଼େ ଭଲ ହେବ କହିଲ ?

 

ସେ ମୁହଁ ଲଦି କହିଲେ, କାହାକୁ ତେମେ ବାଛିଛ ? ସେ କ’ଣ ସୁନ୍ଦରଟିଏ କି ?

ହସି ହସି ତାଙ୍କ ମୁହଁରେ ହାତମାରି କହିଲି– ତା ନା ଗାଁ ଏବେ ତମୁକୁ କହିବି ନାହିଁ । ଆଗ ପକା ଜବାବ ଦିଆହେଉ। ଅତି ସୁନ୍ଦରୀଟିଏ ମ । ତମ ଭାଇ କହୁଥିଲେ ଚଉଦ ପନ୍ଦର ବର୍ଷର ଝିଅ । ଚମ୍ପାଫୁଲ ପରି ରଙ୍ଗ । ପୁନେଇଁ ଜହ୍ନ ପରି ସୁନ୍ଦର ମୁହଁ ।

 

ନିର୍ବୋଧ ପରି ପଚାରିଲେ, ତମଠୁଁ ସେ ଅଧିକ ସୁନ୍ଦର ?

କହିଲି ହଁ, ତମ ଭାଇ କହୁଥିଲେ, ତା ତୁଳନାରେ ମୁଁ କୁଆଡ଼େ ଅତି ଅପରିଛନ । ସେ ଏମିତି ଗୋଟିଏ ଝିଅ ଯାହାକୁ ସକାଳୁ ସଞ୍ଜଯାଏ ଚାହିଁ ବସିଥିବ । ସେହିପରି ସାନ ଭଉଣୀଟିଏ ମୋର ଲୋଡ଼ା । ଭାଇ ଭଉଣୀ ମୁହଁ ମୁଁ ଦେଖିନାହିଁ । ମୁଁ ତ ଏକୁଟିଆ ବାଆଁରା ।

 

ସେ କଅଣ ଭାବିଲେ । କହିଲେ, ମୁଁ ବାହା ହେବି ନାହିଁ ଯା......

ତାଙ୍କ କଥା ସତ ମଣିଲା ପରି ମୁହଁ ଶୁଖାଇ କହିଲି, ତେମେ ବାହା ନହେଲେ ତମ ଭାଇଙ୍କ ମନରେ ଦୁଃଖ ହେବ । ମୋତେ କେଡ଼େ ଏକୁଟିଆ ଲାଗୁଛି, ଦେହ ଖରାପ ହେଲାଣି । କାମକୁ ପାରୁନାହିଁ ।

 

ସେ ସରଳ ଶିଶୁଟି ପରି ଏଣିକି ତେଣିକି ଚାହିଁଲେ । କହିଲେ, ଭାଇଙ୍କୁ ତେମେ ମନା କରିଦିଅ ।

 

ଆଶ୍ଚର୍ଯ୍ୟ ହୋଇ ପଚାରିଲି, କାହିଁକି ସୁର । ତମର ବାହା ହବା ବୟସ ହେଲାଣି, ଆଉ ଡେରି କଲେ ଯିଏ ହେଲେ କହିବ ବୁଢ଼ାବର । ତେଣିକି ଆଉ ଏମିତି ସୁନ୍ଦର ଝିଅ ତମ ହାତରେ ଦେବାକୁ କେହି ମଙ୍ଗିବେ ନାହିଁ ।

 

ସେ କହିଲେ, ନଦେଲେ ନଦେବେ । ମୁଁ ବାହା ହେବାକୁ ଝୁରି ମରୁନାହିଁ ।

ଥଟ୍ଟାରେ କହିଲି, ତେଣିକି ତମ କପାଳକୁ ଅସୁନ୍ଦରୀ କାଳିକୋଚଟୀ, ବସନ୍ତମୁହୀଁ, ଚିଲା ଆଖିଆ, ଚେପେଟା ନାକୀ, ଉଚ୍ଚକପାଳୀ ବୋହୂ ମିଳିବ । କେମିତି ହେବ କହିଲ ?

 

ତାଙ୍କ ମୁହଁ ଉଜଳିଉଠିଲା । ମୋର ହାତ ପାପୁଲିକି ମୁଠାଇ ଧରି ଅତି ଆଗ୍ରହରେ କହିଲେ, ଭଲ ହେବ ନୂଆଉ, ଭଲ ହେବ । ସେମିତିକା ଝିଅଟିଏ ବାହା ହେବାକୁ ମୁଁ ରାଜି ହେବି । ତମ ଗୋଡ଼ ପାଖେ ବସିଲେ ସେଇ ଶୋଭାକାର ଦିଶିବ ।

 

ତାକୁ ତେମେ ଭଲ ପାଇପାରିବ ?

ସେ ଯଦି ତମର କଥା ମାନି ଚଳିବ, ତମର ସେବା କରିବ, ଦିନରାତି ପରିଶ୍ରମ କରିବ, ତାକୁ ଯଦି ତେମେ ସ୍ନେହ କରିପାରିବ, ତେବେ.....

 

ତା’ଙ୍କ ଆଖିରେ ଲୁହ ଛଳ ଛଳ ହେଲା ।

କେତେ ଲୋକଙ୍କର କେତେ କଥା ମୋର ମନେପଡ଼ିଗଲା । ଗାଁ ମାଇପେ, ଯେଉଁମାନଙ୍କର ଉପରେ ପଡ଼ି କଜିଆ କରିବାର ସ୍ୱଭାବ, ବେଳେ ବେଳେ ଛିଦ୍ର ଖୋଜିବାକୁ ଆମ ଘରକୁ ଆସନ୍ତି । ଆମର ଢଙ୍ଗଢାଙ୍ଗ ଚଳ ପ୍ରଚଳନ ତାଙ୍କ ମନକୁ ଆସେ ନାହିଁ । ତାଙ୍କର ଦେହ ସହେ ନାହିଁ । ମୁହଁକୁ ଚାହିଁ, ମୁଲାଇଜା ନରଖି, ଟାଣଟାଣ ଦୋଷଦିଆ କଥା କହନ୍ତି । ଦାଣ୍ତରେ ହାଟରେ ଛୋଟ କଥାକୁ ବଡ଼ କରି ପ୍ରଚାର କରନ୍ତି ।

 

ଦିନେ, ଜଣେ ଜେଠେଈ ଲେଖା ହେବେ, କାମ ବାହାନାରେ ଦି ପହରେ ଆସି କହିଲେ– ଆଗୋ ବୋହୂ, ଏ ସୁରିଆଟା ତମର ଭାଇ ନୁହେଁ ତ, ଏଡ଼େବଡ଼ ଦିଅର । ତା ଠୁଁ ସାନ ଉଚ୍ଛବା । ପାଞ୍ଚ ବରଷର ବାହାକୁ ତିନିଟା ପିଲା । ଏଇ ସୁରିଆଟା ଭଲ ପିଲା, ହଁ, ହେଲେ ବଅସ ହେଲାଣି । ତମ ପାଖରେ ଟିକି ନଣନ୍ଦ ପରି କାରବାର ହେଉଛି କ’ଣ ? ଲୋକେ କଣ ଭଲ କହୁଛନ୍ତି ? ଚେତେଇ ଦେଲି ଗୋ, ହାତେ ମାପି ଚାଖଣ୍ତରେ ଚାଲ ।

 

ଆଉଦିନେ, ଭାଉଜ ଲେଖା ହେବେ, ବୟସ ଥିଲା ମାଇପି ଜଣେ, ସକାଳ ପହରେ ଆମ ଭଲ ମନ୍ଦ ବୁଝିବାକୁ ଆସି ଥଟ୍ଟାରେ ହାଣିଲେ– ଆଲୋ ତୁଳସୀ, ଟୋକି ଭାଉଜ ଦେଖିଲେ ଟୋକା ଦିଅର କିମିତି ହୁଅନ୍ତି ଜାଣୁ ? ଯେମିତି ଶୁଖୁଆ ଦେଖିଲେ ଓଲେଇ ବିଲେଇ । ଯେତେ ଘଉଡ଼ିଲେ ଘରୁ ଯାଏ ନାହିଁ । ତୋର ଏଇ ଦିଅରଟା ବା, ସେମିତି ହେଉଛି । ଲୋକେ ଅବଶ୍ୟ ପାଞ୍ଚକଥା କହିବେ । ବାଆକୁ ବତା ଅଛି ସିନା, ତୁଣ୍ତ ବାଇଦକୁ କଥା ନାହିଁ । ଗୋଡ଼ ଚିପି ଚିପି ଚାଲିବୁଲୋ; ନୋହିଲେ ଗୋଡ଼ ଖସିବ ।

 

ଲେଖାରେ ଆଈ ହେବେ, ବୁଢ଼ୀ ଲୋକ, ଛାଇ ନେଉଟବେଳେ ଢିପେଇ ଢିପେଇ ବାରି ଆଡ଼କୁ ଆସିଲେ । ମୁଣ୍ତ ବାନ୍ଧୁଥାଏଁ । ସୁର ଗଛରେ ପାଣି ଦେଉଥାନ୍ତି । ପାକୁଆ ପାଟିରେ ହସ କୁଳି କରି ଅନାଇ କହିଲେ– କିଲୋ ନାତୁଣୀ ବୋହୂ, ବାରିଆଡ଼ଟାରେ ଦିଅର ପାଖରେ କଅଣ କରୁଛୁ କି ?

 

ବିରକ୍ତ ଲାଗିଲା । ରାଗିଯାଇ କହିଲି, ତମର ଆଖି ନାହିଁ କି ?

କହିଲେ– ନାଇଁ ଲୋ ମା, ଆଖି ନାହିଁକି ଦାନ୍ତ ନାହିଁ । କାନ ଅଛି । ତେବେ ଗାଁ ଲୋକଙ୍କର ଆଖି ଅଛି, ଦାନ୍ତ ଅଛି ।

 

ବୁଢ଼ୀ ଭାରି କୁହାଳିଆ । ମୁଁ ହସି ହସି କଥା ବାଁରେଇଦେଲି ।

ଗତକଥା ମନେ ପଡ଼ିଗଲା । ସୁରଙ୍କ ପ୍ରତି ସନ୍ଦେହରେ ମନ ପୂରିଉଠିଲା, ସବୁ ଆଳୁକୁଚି ଭାବନାକୁ ଲୁଚାଇ ତାଙ୍କ ହାତମୁଠା ଭିତରୁ ହାତ ପାପୁଲି ଟାଣିଆଣି ସରାଗହୀନ ନକଲି ହସ ଓଠ ଉପରକୁ ଆଣିଲି । ଗେହ୍ଲେଇ ହୋଇ ତାଙ୍କୁ ଗୋଟିଏ ସରୁ ଚାପୁଡ଼ା ମାରି କହିଲି– ଚଗଲା, ଏମିତି ଛୋପରା ହେଉଛ କାହିଁକି ? ଉଠ ଉଠ । ତମ ଅଲାଜୁକ କଥା ଶୁଣିବାକୁ ମୋର ବେଳ ନାହିଁ, କେତେ କାମ ବାକି ପଡ଼ିଛି ।

 

ଛଳନା କରି ତାଙ୍କ ଆଗରୁ ଆସିଲି । ଗୋଡ଼ ଥରିଉଠୁଥାଏ । ମନେ ପଡ଼ିଲେ ଜଟିଆ, ହଟିଆ, ନଟିଆ । ନର ମାୟା ନାରାୟଣଙ୍କୁ ଅଗୋଚର । କାହା ମନରେ କଅଣ ଅଛି କିଏ କହିପାରିବ ? ତେବେ କଥାରେ ଅଛି – ଆଲୋ ସଖୀ, ଆପଣା ମହତ ଆପେ ରଖି ।

•••

 

୧୧

 

ମନୁଆର ଜନ୍ମ କଥା, କାଲିପରି ଲାଗୁଛି । ମୁଁ ବଞ୍ଚିବି ବୋଲି କେହି ଆଶା କରିନଥିଲେ-

ମନୁଆ ଜନ୍ମ ହେଲା । ବରଷକର ହେଲା । ବାପ କୋଳକୁ ଯାଏ ନାହିଁ । ଦାଦି ଡାକିଲେ ଡେଇଁପଡ଼େ । ସବୁବେଳେ ସୁରଙ୍କ ପାଖରେ, ସୁରଙ୍କ କୋଳରେ ଥାଏ । ତା ନାକରୁ ଟିକିଏ ପାଣି ଗଡ଼ିଲେ ସୁରଙ୍କର ହଲକ ଶୁଖିଯାଏ । ପିଲାକୁ ସର୍ଦ୍ଦି ହେଲାଣି । ବଇଦଠୁଁ ଓଷଦ ଆଣିବା, ମନୁଆକୁ ଜଗି ବସିବା – ସବୁ କରନ୍ତି ସୁର ।

ସୁରଙ୍କର କୋଳରେ ମନୁଆ ଅଛି । ମୁଁ ବସି ନାଉ ଚିରୁଡ଼ାଏ ବନାଉଛି । ସେଇ ଆଈବୁଢ଼ୀ ଆସି ପହଞ୍ଚିଲେ । ଆମକୁ ଚାହିଁ ହସ କୁଳୁ କୁଳୁ କରି ଖନେଇଁ କହିଲେ, କେବେ ତୋ ଉପରେ ବାଡ଼ୁଅ ପାଣି ପଡ଼ିବରେ ସୁର, କେବେ ତୋ କୋଳରେ ଷଠୀ ଏମିତି ପିଲା ବକଟେ ଦେବେ ।

ମନୁଆକୁ ଗେଲ କରି ସୁର କହିଲେ, ତୁ ଅନ୍ଧୁଣୀ କି ଆଈ, ମୋ କୋଳରେ ପିଲା ଦେଖୁ ଛୁ ପରା ।

ବୁଢ଼ୀ କହିଲେ, ଅନ୍ଧୁଣୀ ଥିଲିରେ ନାତି, ତୋ କଥା ଶୁଣି ମୋ ଆଖି ପିଟିଲା । ସତରେ ଏକା, ମନୁଆ ଅବିକଳ ତୋର ବରଗ ହେଉଛି ।

ଖୁସିରେ ମନୁଆର ମୁହଁରେ ମୁହଁ ଲଗାଇ ସୁର କହିଲେ, ସତେ ଲୋ ଆଈ ।

ବୁଢ଼ୀ କହିଲେ, ହାଁ ହାଁ, ଖାଲି ତା ଓଠ ଦିଫାଳି ମୋର ଏଇ ନାତୁଣୀ ବୋହୂ ଓଠ ପରି, କେଡ଼େ ରଙ୍ଗ, କେଡ଼େ କଅଁଳ, ଉଷୁମ । ନାଇଁ ରେ ସୁର ?

ତାଙ୍କ କଥାର ମର୍ମ୍ମ ବୁଝିଲି । ବାଁରେଇ କହିଲି– ଆଈ ମ, ସୁର ତ କେଉଁଠି ବାହା ହେବାକୁ ମଙ୍ଗୁନାହାନ୍ତି । ତେମେ ଯଦି ରାଜି ହୁଅନ୍ତ ଏଇ ସାଲେ ନିମିତ୍ୟ କରନ୍ତେ ।

ମୋ ପାଖକୁ ନଇଁଆସି ମୋ ତୁଣ୍ତରୁ କଥା ଛଡ଼ାଇ କହିଲେ, କାହିଁକି ମଙ୍ଗିବ ଲୋ, ତୁ ଥାଉଁଣୁ ତାର କି ଅଭାବ କି ଅସୁବିଧା ହେଉଛି ଯେ ।

ଥଟ୍ଟାରେ ତାଙ୍କ କଥାକୁ ଉଡ଼ାଇ ଦେବାକୁ କହିଲି, ତମକୁ ମଙ୍ଗିବେ ଯେ ।

ଆଈ କହିଲେ, ଇଲୋ ବୋଉଲୋ, ନା, ମୋ’ର ରାଜି ନାହିଁ । ଜାଣି ଜାଣି କିଏ ତୋ ପାଖକୁ ଆସିବ, ଛାଞ୍ଚୁଣୀ ମାଡ଼ରେ ତାର ପିଠି ଭାଙ୍ଗିବ ଲୋ ମା ।

ସୁର କହିଲେ, ଆଈ, ତୁଇ ରାଜି ହ । ତୋ ପିଠି ପଛେ ସଳଖି ହବ, ଭାଙ୍ଗିବ ନାହିଁ । ଜାଣୁ, ନୂଆଉ ହଲିଲା ପାଣିକି ହାତ ବଢ଼ାଏ ନାହିଁ ।

ବୁଢ଼ୀ ହାତ ହଲାଇ କହିଲେ, ଜାଣେରେ ବାପ, ସେ ତ ଥିରି ପାଣିରେ ବୁଡ଼ି ବୁଡ଼ି ପାଣି ପିଇବ, ହଲିଲା ପାଣିକି ଯିବ କାହିଁକି ?

ଲାଉ ବନା ଅଧା ରଖି, ମାଠିଆ ଧରି ବାରିଆଡ଼ ପୋଖରୀକୁ ପାଣି ପାଇଁ ଚାଲିଗଲି । ଜାଣେଁ, କେଉଁ ମର୍ମ୍ମରେ ବୁଢ଼ୀ କଥା କହୁଛି । ବୁଝି ପାରିଲି ନାହିଁ ସୁର ତାର ମନ କଥା ବୁଝିଲେ କି ନାହିଁ । ସନ୍ଦେହରେ ପଡ଼ିଲି । ହୁଏତ ସେ ବୁଝି ମଧ୍ୟ ନ ବୁଝିବାର ଛଳନା କରି ବୁଢ଼ୀ କଥାରେ ଆମୋଦ ଅନୁଭବ କରୁଥିଲେ ।

କେତେ ଦିନ ପରେ ଖବର ପାଇଲି, ମା ବେମାର ପଡ଼ିଛି । ବିଛଣାରୁ ଉଠିପାରୁନାହିଁ । ମୋତେ ଦେଖିବାକୁ ଚାହୁଁଛି । ବାହାଘର ତିନି ବରଷ ପୂରିଗଲା । ଆଜିଯାଏ ବାପଘର ଦେଖିନାହିଁ-। ଆଗେ ବୋଉ ମାସେ ପନ୍ଦର ଦିନରେ ଥରେ କରି ଆସୁଥିଲା । ପରେ ଚାରିମାସ ଛ ମାସରେ ଥରେ ଆସିବା କଷ୍ଟ ହେଲା । ନିପାରିଲା ଏକୁଟିଆ ଲୋକ । ପେଟ ପୋଷିବାକୁ ପରିଶ୍ରମ କରିବାକୁ ପଡ଼େ । ମୋତେ ଦେଖିବା ପାଇଁ ଆସିବାକୁ ତର ମିଳେ ନାହିଁ ।

ମା’ର ବେମାର କଥା ଶୁଣି ତାକୁ ଦେଖିବାକୁ ମନୁଆର ବାପାଙ୍କ ସଙ୍ଗେ ଜିଗର କଲି । ମୋଟେ ଆଠ ଦଶଟା ଦିନ ରହିବି । ଏପରି ବା କଣ ଅସୁବିଧା ହେବ ?

ସେ କହିଲେ ଯେ, ତାଙ୍କର କିଛି ଅସୁବିଧା ହେବ ନାହିଁ; ସୁରଙ୍କର ଯଦି ଆପତ୍ତି ନଥାଏ ଦଶଦିନ କାହିଁକି, ମା ପାଖରେ ଦଶମାସ ରହିଲେ ବି ତାଙ୍କର ଆପତ୍ତି ନାହିଁ ।

ସୁରଙ୍କର ବାହାଘରର ଆୟୋଜନ ମତେ କରିବାକୁ ହେବ । ତାଙ୍କ ପାଇଁ ଭଲ ପାତ୍ରୀଟିଏ ତାଙ୍କ ଭାଇ ସ୍ଥିର କରିଥିଲେ ।

ସୁରଙ୍କ ସମ୍ବନ୍ଧରେ ମୋ ମନରେ ଗୋଟିଏ ପାତଳା ସନ୍ଦେହ ବେଳେବେଳେ ଆସେ, ଯାଏ । ମନରେ ଦାଗ ପକାଇପାରେ ନାହିଁ, କିନ୍ତୁ ଅନ୍ଧାର ଛାଇର ଖେଳରେ ମୋ ଧୈର୍ଯ୍ୟ ଦୋହଲିଉଠେ ।

ମୁହଁ ଶୁଖାଇ ସୁରଙ୍କୁ ପଚାରିଲି ।

ସେ ଆଗ୍ରହରେ କହିଲେ– ଯାଅ ନୂଆଉ, ବେଶି ଦିନ ରହିବ ନାହିଁ ।

ପଚାରିଲି– କାହିଁକି, ମୁଁ କଣ ଲେଖିଦେଇଛି ଯେ ସବୁଦିନେ ଏଠି ରହି କାମ କରି ସନ୍ତୁଳି ହେଉଥିବି ?

ସେ କହିଲେ– ନା, ତେମେ ଫେରି ଆସିଲେ ତମକୁ ଆଉ କାମ କରାଇଦେବି ନାହିଁ । କହିଲ ନୂଆଉ, ତେମେ ନ ଆସିବା ଯାଏ ଏ ଘର କିପରି ଅନ୍ଧାର ମଶାଣି ହୋଇ ପଡ଼ିଥିବ ?

ଅନ୍ଧାର ହେଲେ ଆଲୁଅ ଜାଳିଦେବ । ସତ କହୁଛି ସୁର, ଥରେ ତମମାନଙ୍କ ଦାଉରୁ ଖସିଲେ ଆଉ ମୁଁ ସହଜରେ ଫେରିବି ନାହିଁ । ଯେଉଁଦିନ ତମେ ହାତକୁ ଦି’ହାତ ହେବ, ସେଇଦିନ ଯାଇଁ ଫେରିବି ।

ତେମେ ଫେରିଲେ ମୋ ହାତକ ଦି’ହାତ ହେବ ସିନା – ସେ ହସିଲେ ।

ମୁ ତୁନି ହୋଇ ପିଲା ପାଖକୁ ଗଲି । ଭାବିଥିଲି ଯାହା ହେଉ ସୁର ବାଟକୁ ଆସିଲେଣି, ବାହା ହେବାକୁ ମଙ୍ଗିଲେଣି । ବୋଉକୁ ଦେଖି ଫେରିଆସିଲେ ସୁରଙ୍କ ବାହାଘରର ଆୟୋଜନ କରିବି । ଦିନକେଇଟା ଆଖି ପିଞ୍ଛଡ଼ା ପଡ଼ିଲା ପରି କଟିଯିବ । ବୋଉର ଦେହ ଭଲ ହୋଇଯିବ । ଠାକୁରଙ୍କୁ ଡାକିଲି ।

ଦୁଇଦିନ ପରେ ସୁରଙ୍କୁ ସଙ୍ଗରେ ନେଇ ଆମ ଗାଁକୁ ଆସିଲି । ଯେତେବେଳେ ମୋ ସ୍ୱାମୀଙ୍କ ପାଖରୁ ବିଦାବିଦି ହୋଇ ଆସୁଥାଏଁ, ଗୋଟାଏ ଅଜଣା କୋହରେ ଛାତି ଭିତର ଥରିଉଠୁଥାଏ । ଗୋଡ଼ ଆଗକୁ ଚଳୁନଥାଏ । ଦୁଇ ଆଖି ଲୁହରେ ଛଳ ଛଳ ହେଉଥାଏ । କେଡ଼େ ଆହ୍ଲାଦରେ ସେ ହସ ହସ ହୋଇ କହିଲେ, ସୁବିଧା ଅସୁବିଧା ଦେଖି ଯେତେ ଶୀଘ୍ର ପାର ଫେରିଆସିବ । ମନୁଆକୁ ଛାଡ଼ି ରହିଲେ ସୁରିଆ ବାଇଆ ହୋଇଯିବଟି ।

ସୁର ମୋତେ ଛାଡ଼ିବାକୁ ଆସିଥିଲେ । ରାତିଟି ରହି ପରଦିନ ବଡ଼ିସକାଳୁ ସେ ଫେରିଗଲେ । କେତେ ନେହୁରା ହୋଇ ତାଙ୍କୁ କହିଥିଲି– ସୁର, ଦି ଭାଇ ହୁସିଆରରେ ଚଳାଚଳ ହେଉଥିବ । ଘର ମୁକୁଳା ପକାଇ କୁଆଡ଼େ ଯିବ ନାହିଁ । ରୋଷଘର ଅଧାକାନ୍ଥ ଉପର ଠଣା ତଳେ ଯେଉଁ ଘଡ଼ିଟି କାନ୍ଥ ଭିତରେ ପୋତିଛି, ସେଇଥିରେ ଟଙ୍କା ପଇସା ଅଛି । ଦରକାର ହେଲେ ନବ । ବେଶି ଖରଚ କରିବ ନାହିଁ । ଅତି କଷ୍ଟରେ ତମ ବାହାଘର ପାଇଁ ସଞ୍ଚି ରଖିଛି।

ଯୁଗେ ରହିଲା ପରି କଥା କହୁଛ ନୂଆଉ ।

ଯୁଗେ ରହିବି ତ ।

ହଉ, ହଉ – ଆଜି ରବିବାର ସକାଳକୁ ସଜ ହୋଇଥିବ, ନିଜେ ଆସି ମୁଁ ତମକୁ ସଙ୍ଗରେ ନେଇଯିବି ।ମାଉସୀଙ୍କର ଦେହ ତ ଭଲ ଅଛି ।

ଉତ୍ତର ଦେଲି ନାହିଁ । ସୁର ମନୁଆକୁ ଗେଲକରି ମତେ ଓ ବୋଉକୁ ଓଳଘି ହୋଇ ବିଦାୟ ନେଲେ । ମନୁଆ ରାହାଧରି କାନ୍ଦିଲା ।

ସାତଦିନ ହେଲା ସେମାନଙ୍କର କିଛି ଖବର ପାଇନାହିଁ । ମନ ଭିତରେ କିପରି ଗୋଟାଏ କାନ୍ଦର କୋହ ଉଠୁଥାଏ । ବୋଉର ଦେହ ଭଲ ଅଛି । ସେ ଉଠି ଚଳପ୍ରଚଳ ହେଲାଣି । କାହିଁକି ତେବେ ଆଉ ରହିବି ? ସାତଦିନ ଆନନ୍ଦରେ କଟିଯାଇଛି । ଯେଉଁଦିନ ଯାହା ଘରକୁ ଯାଇଛି ଲୋକେ କେତେ ଆଦର ଦେଖାଇଛନ୍ତି, କେତେ ପ୍ରଶଂସା କରିଛନ୍ତି । ଖୁସି ଲାଗେ ।

ଟିମ ବାବୁଙ୍କ ବୋଉ ସେ ଦିନ କହିଲେ, ଠାକୁରେ ତୋ’ର ମଙ୍ଗଳ କରନ୍ତୁ ଲୋ ତୁଳସୀ-! ତୋ ମନ ଜାଣି ସେ ତୋତେ ଘର ବର ଦେଇଛନ୍ତି । ହଉ, କାଚ ବଜର ହେଉ ।

ଦି’ ବର୍ଷ ହେଲା ବାହା, ଟିମ ବାବୁଙ୍କ ସ୍ତ୍ରୀ, କଇଁଚ ପରି ବେକ କାଢ଼ି ଘର ଭିତରୁ ଅନାଇଲେ । କି ରୂପ ! ଢିମା ଆଖି । ବଡ଼ ବଡ଼ ଛାମୁ ଦାନ୍ତ ଓଠକୁ ଠେଲି ପଦାକୁ ନହସି ପଡ଼ିଛି । ନାକ ନାହିଁ । ଉଚ୍ଚ କପାଳ ।

ପାଖକୁ ଗଲି । କଥା କହିଲେ ନାହିଁ ।

ଟିମ ବାବୁ, ବଡ଼ ଲୋକ । ବାପ ମଲା ଦିନୁଁ ସବୁବେଳେ ଘର କାମରେ ବ୍ୟସ୍ତ । ଦାଣ୍ତଘର ବାଟେ ଚାଲି ଯାଉଁ ଯାଉଁ ମୋ ହାତ ଧରି କହିଲେ, ଶୁଣ୍ ମ ତୁଳସୀ ।

ଠିଆ ହେଲି । ପିଲାଟିକୁ ମୋ ଛାତି ଉପରୁ ଟାଣିନେଲେ । ହସି ହସି କହିଲେ, କେତେ ଦିନ ଗାଁରେ ଅଛୁ ଲୋ ?

କହିଲି, କେଜାଣି । ଯେବେ ଲୋକ ଆସିବ ଯିବି ।

ରହି ରହି କହିଲେ, ତୁ ସୁଖୀ ଲୋ ତୁଳସୀ, ଆଉ ତତେ ଯେ ପାଇଛି ସେ ବି ସୁଖୀ ।

ଉତ୍ତର ଦେଲି ନାହିଁ ।

ପିଲାଟିକୁ ମୋ ଆଡ଼କୁ ବଢ଼ାଇ ଦେଇ କହିଲେ, ଆମ ଘରେ ତ ଦେଖି ଆସିବୁଣି । ଚେହେରା ଯେମିତି ଦେଖିଲୁ, ବୁଦ୍ଧି ବି ସେମିତି । ପଇସା ଥିଲେ କଣ ମଣିଷ ସୁଖୀ ହୋଇପାରେ ଲୋ ତୁଳସୀ ? ମୋ’ ବାହାଘର ଯଦି ମୋ ହାତରେ ଥାନ୍ତା....... । ଛାଡ଼ ସେ କଥା । ଜୀବନଟା ପୋଡ଼ି ଜଳି ଯାଉଛି ।

ତାଙ୍କ ଦୁଃଖରେ ମନରେ ସହାନୁଭୂତି ଆସିଲା ନାହିଁ । ଖରାପ ଲାଗିଲା । ତୁନି ହୋଇ ଚାଲିଆସୁଛି, କାନରେ ପଡ଼ିଲା, ସେ କହୁଛନ୍ତି– ଏଣେ ଆସୁଥିବୁ ତୁଳସୀ, ତତେ ଦେଖିଲେ କେତେ କଥା ମନେପଡ଼େ, କେଡ଼େ ଖୁସି ଲାଗେ ।

ଭୀମ ବାବୁଙ୍କ ଘର, ବଡ଼ କୁଟୁମ୍ବ । ତିନି ମାସ ହେଲା ବାହା । ମୋତେ ଆଦର କଲେ । ଭୀମ ବାବୁଙ୍କର ସ୍ତ୍ରୀ, କାଲିକାର ବୋହୂ । ଶାବନା ରଙ୍ଗ, ମୋଟା ସୋଟା । ଢଙ୍ଗର ମୁହଁଟି । ନଥିଲା ଘରର ଝିଅ ବୋଲି କେହି ତାଙ୍କୁ ଭଲ ପାଆନ୍ତି ନାହିଁ । ପଛରେ ଘୁମୁରୁଥାନ୍ତି । ମିଳାପୀ, ସ୍ନେହୀ ! ମନୁଆକୁ କୋଡ଼କୁ ନେଲେ । ମୋତେ ପାନ ଭାଙ୍ଗି ଦେଲେ । ଗେହ୍ଲେଇ କହିଲେ, ଆସିବ ମ ଦି ପହରେ, କଉଡ଼ି ଖେଳିବା ।

ଭୀମ ବାବୁ, କାମ ଥାଉ ନ ଥାଉ, କେତେ ବାହାନାରେ ଭଅଁର ପରି ଘଡ଼ିକି ଘଡ଼ି ବୁଲିଆସୁଥାଆନ୍ତି, ନୂଆ ବୋହୂକୁ ଅନାଇ ଦେଇ ମୁଡ଼ୁକି ହସି ଚାଲିଯାନ୍ତି ।

ଥଟ୍ଟାରେ କହିଲି, ତେମେ ଆଉ ରାତିରେ ଦୀପ ନିଭେଇବ ନାହିଁ ନୂଆ’ଉ, ଦେଖିଲ, ଦିନ ଆଲୁଅରେ ତମକୁ ଟିକେ ଭଲ କରି ଦେଖିବେ ବୋଲି ଭୀମାଇ କେମିତି ଛୁଆଖାଈ ବିଲେଇ ପରି ହଉଛନ୍ତି । କେଡ଼େ ଡହଳ ବିକଳ ।

ସେ ହସି ହସି ମୋତେ ଚୁମୁଟି ଦେଲେ । କହିଲେ, ତମକୁ ଦେଖିବାକୁ ସେମିତି ହେଉଛନ୍ତି ମ ।

କହିଲି, ତେମେ ସିନା ନୂଆ ମଣିଷ, ମତେ ତ ପିଲାଦିନୁ ଦେଖୁଛନ୍ତି, ପୁରୁଣା ଲୋକ ।

ଡାକିଲି, ଭୀମା’ଇ .... ।

ସେ ନ ଶୁଣିଲା ପରି ଲାଜେଇ ଲାଜେଇ ଦାଣ୍ତକୁ ପଳାଇଲେ ।

ନୀଳ ବାବୁ, ଖୁସିବାସିଆ ଘର । ବଡ଼ ପୁଅ । ବାପ ମା ଚାଲିଗଲା ପରେ ଚିଙ୍ଗୁଡ଼ି ବାଛୁରୀ ଛୁଆ ଭାଇ-ଭଉଣୀଗୁଡ଼ିଙ୍କୁ ନେଇ ସଂସାର ଚଳାଇଛନ୍ତି । ଅଦିନେ ବୁଢ଼ା, କାନପାଖରୁ ଦିକେରୀ ବାଳ ପାଚି ପାଚି ଆସୁଛି । ଘରକୁ ମୁରବୀ । ବର୍ଷ ପୂରିଲାଣି ବାହା । ତିନି ମାସର କୋଳ ପିଲାଟିଏ, ପୁଅ ।

ନୀଳବାବୁ ଚିହ୍ନିଲେ । ଗୋରୁ ମୋହୁଁ ମୋହୁଁ ପଚାରିଲେ, କିଲୋ ତୁଳସୀ, ଆସିଛୁ କି ? ଆଉ ସବୁ ଭଲ ତ ?

ତାଙ୍କ ସ୍ତ୍ରୀ ପିଣ୍ତାରେ ବସିଥିଲେ । ଖଣ୍ତାଧାର ପରି ମୁହଁ । ଫୁଙ୍କିଦେଲେ ଟଳିପଡ଼ିବେ, ଅତି ଦୁର୍ବଳ । ତାଙ୍କ ପାଖରେ ବସି କହିଲି, ହଁ ନୀଳା’ଇ ।

ତାଙ୍କ ସ୍ତ୍ରୀଙ୍କୁ କହିଲେ, ହଇହୋ, ଆରେ ତୁଳସୀକୁ ପାନ ଦିଅ ମ, ଗାଁ ଝିଅ, ଶାଶୁ ଘରୁ ଫେରିଛି ।

ମୋ ଆଡ଼କୁ ନ ଅନାଇ ତାଙ୍କ ସ୍ତ୍ରୀ ମୁହଁ ଲଦି ମତେ ଶୁଣେଇ କହିଲେ, ହଁ...ଗାଁଯାକର ଲୋକ ଆସିବେ, ସମସ୍ତଙ୍କୁ ବସି ପାନ ଭାଙ୍ଗି ଦଉଥିବି । ଚାକରଟାଏ ରଖିଦିଅ ।

ନୀଳାଇ ପୁଣି କହିଲେ, ତୁଳସୀ ଆମ ଗାଁ ଝିଅ, ଅତି ଭଲ ପିଲା ।

କହିଲେ, ସମସ୍ତେ ତମ ଆଖିକି ଭଲ ଦିଶନ୍ତି, ଖାଲି ମୋ ଛଡ଼ା !

ମୁଁ ହସିଲି । ସେ ପୂର୍ବପରି ଗମ୍ଭୀର ରହିଲେ ।

ହାତ ବଢ଼ାଇ ଉତାଣି ପିଲାକୁ କୋଳକୁ ମାଗିଲି । ଘୃଣାଭରା ଆଖିରେ ମୋତେ କଣେଇଁ ଚାହିଁ ସେ କହିଲେ, ନାଇଁ ନାଇଁ, ପରଙ୍କ ପାଖକୁ ଗଲେ ସେ ରାତିରେ ଚମକେ ।

ଲାଜ ମାଡ଼ିଲା । କାହାକୁ କିଛି ନକହି ଫେରିଲି ।

ଯାଇଥିଲି ଦିନେ ଚେମବାବୁଙ୍କ ଘରକୁ । ମାଲି ମକଦ୍ଦମା କରି ଦବିଗଲେଣି । କଷ୍ଟରେ ସଂସାର ଚଳୁଛି । ଚେମା’ଇ, ଆଜିଯାଏ ତାଙ୍କ ହାତକ ଦି ହାତ ହୋଇନାହିଁ । ସେମିତି ହେଞ୍ଜେଡ଼ିଆ ସ୍ୱଭାବ ।

ମୋତେ ଦେଖି ଥଟ୍ଟା କରି କହିଲେ, କିଲୋ ତୁଳସୀ, ପିଲାଟିଏ କେଉଁଠୁ ପାଇଲୁ ମ, ଗଲାବେଳକୁ ତ ନେଇନଥିଲୁ ।

ମୁଁ ମୁଡ଼ୁକେଇ ହସିଲି । କିଛି ନକହି ଚାଲିଯାଉଥିଲି ।

 

ଆଲୋ ପଳାଉଛୁ କାହିଁକି ମ, ଶୁଣ୍ । ପିଲାଦିନ କଥା ମନେପଡ଼େ କି ଏବେ ? ସାଙ୍ଗସୁଖ ହୋଇ କେତେ ଖେଳ, ଦାଣ୍ତଧୂଳିରେ ବାଲିଘର, ତୋଟା ପାଖ କିଆବୁଦା କଡ଼ରେ ବୋହୂବୋହୂକା, ପୁଣି ସଞ୍ଜ ବେଳର ଲୁଚୁକାଳି, ଗଛ ଚଢ଼ା, ପାଣି ପହଁରା.....ମନେପଡ଼େ ତୁଳସୀ ?

ବେଳେବେଳେ ମନେପଡ଼େ–

ବେଳେବେଳେ ନା..... ? ମୋ’ର ସବୁବେଳେ ମନେପଡ଼େ । ସମସ୍ତେ ତେମେ ସଂସାର କଲଣି । ଖୁସି ଆନନ୍ଦରେ ବେଳ କାଟୁଛ । ମୋ ସଂସାର ମୋ ଭାବନାରେ, ମୋ ଆନନ୍ଦ ମୋ ରାତି ଅଧ ସପନରେ । ପିଲାଦିନର ଖେଳ, ବର କନିଆଁ, ଚେମା ତୁଳସୀ, ସତ ଫଳ ଗଲାପରି ଲାଗେ ।

ତୁନି ତୁନି କହିଲି, ବାହା ହୋଇପଡ଼ୁନ ।

ଚେମା’ଇ କହିଲେ– ନା, ମୋର ଏଇ ସପନ ସଂସାର ଭଲ । ଦାୟିତ୍ୱ ନାହିଁ କି ଦୁଃଖ ଜଞ୍ଜାଳ ନାହିଁ । ଆନନ୍ଦ ଅଛି, କ୍ଷଣକ ପାଇଁ ହେଉ ପଛେ ।

ସେମିତି ସଂସାର ନଡ଼ିଆ ଗଛର ଛାଇ ପରି । ପଇଡ଼ର ଛାଇଟିକୁ ଭାଙ୍ଗି ଶୋଷ ମାରିବାକୁ ବସିଲେ ମନ ଖାଲି ହାଇଁପାଇଁ ହେବ ! ବାହା ହୋଇପଡ଼ ।

ଆଉ କଣ କହିଥାନ୍ତେ ଶୁଣିବାକୁ ରହିଲି ନାହିଁ । ଚେମାଭାଇ ଆଗରୁ ଚାଲିଆସିଲି ।

ପିଲାଦିନର ଖେଳ ! ଚେମା’ଇ ସବୁଠୁଁ ବଳୁଆ, ଆଉ ମୁଁ କୁଆଡ଼େ ସବୁଠୁଁ ସୁନ୍ଦର । ଚେମା’ଇ ସବୁଦିନେ ବର, ଆଉ ମୁଁ ସବୁଦିନେ କନିଆଁ ।

କିଆବାଡ଼ ସେପାଖେ ଆମ୍ବଗଛ ଛାଇରେ ଆମର ଘରକରଣା ଖେଳ । ସାନ ସାନ ପୁଅ ଝିଅଙ୍କର ମେଳ । କିଏ ହୁଏ ମା । ଭାଇ ଭଉଣୀ, ଚାକର ହଳିଆ । ମିଛେ ମିଛେ ଭାତ ଡାଲି ରନ୍ଧା, ବାହା ନିମିତ୍ୟ, ରାଗ ରୋଷ, ପୁଣି ମିଳା ମିଶା । ଚେମା’ଇ ତ ବର, ତୁଳସୀ କନିଆଁ .....

ଚେମା’ଇକି ଏ ବୟସରେ ଭାବିବାକୁ ଯାହା ଭଲ ଲାଗେ, ଖୁସି ଲାଗେ, ମତେ ଲାଗେ ସଂକୋଚ । ମନରେ ଆସେ ଲାଜ । ସପନରେ ଚେମା’ଇ ମନରେ ଯାହା ସତ ଫଳିଯାଏ, ମୋ ସଂସାରର ବାସ୍ତବତା ମଝିରେ ସେପରି ସପନର ସ୍ଥାନ ନଥାଏ ।

ଯାହା ଘରକୁ ଯାଇଛି, ଗାଁରେ ମତେ ସମସ୍ତେ ସ୍ନେହ ଆଦର ଦେଖାଇଛନ୍ତି । ମୋ ସାଙ୍ଗର ଝିଏ, ଯାହାଙ୍କ ସଙ୍ଗରେ ଖେଳ କୌତୁକ, କଜିଆ, ମାଡ଼, କିଏ ଯାଇଁ କେଉଁଠି ସୁଖ ଦୁଃଖରେ ଘର କରୁଛନ୍ତି । ଯୋଉମାନେ କାଲି ପିଲା ଥିଲେ, ସେମାନେ ଆଜି ବୟସର; ବରଘର ଖୋଜା ଲାଗିଛି । କାଲିକା ମେଞ୍ଚଡ଼ ଟୋକାଗୁଡ଼ା, କାନ ଧଇଲେ ଯାହାଙ୍କ ତୁଣ୍ତରୁ ବଚନ ବାହାରୁ ନଥିଲା, ସେମାନେ ମଣିଷ ହେଲେଣି, କଣେଇଁ ଚାହିଁଲେଣି ।

କେଡ଼େ ଭଲରେ, କେଡ଼େ ଆନନ୍ଦରେ ସାତଟି ଦିନ କଟିଗଲା । ମନ ଉଡ଼ିଲା ଘରକୁ ଯିବାକୁ, ତାଙ୍କୁ ଦେଖିବାକୁ, ତାଙ୍କର ଭଲ ମନ୍ଦର ତତ୍ତ୍ୱ ନେବାକୁ ।

ସୁର ଆଜି ଆସିବେ । ମନ ଛକପକ ହେଉଛି । ତାଙ୍କ ଭାଇଙ୍କ ଗେହ୍ଲାଳିଆ ଡାକ କାନରେ ବାଜିଯାଉଛି । ସତେ କି ତାଙ୍କର ହସିଲା ମୁହଁ ଆଗରେ ଉଭା ହେଉଛି । ମନରେ ଅଭିମାନ ଭରିଯାଉଛି । ସାତ ଦିନ କଟିଲା, କାହା ହାତରେ ଖବର ପଠାଇଲେ ନାହିଁ । ନିଜ ଦେହପା କଥା ଜଣାଇଲେ ନାହିଁ କି ଆମର ଭଲ ଅସାର କଥା ବୁଝିଲେ ନାହିଁ ।

ତାଙ୍କୁ କେବେ କଥା କହିବି ନାହିଁ । ରହ, ଯାଏ ଆଗ ।

ସୁର ଆସିଲେ ନାହିଁ । ବୁଝିପାରିଲି ନାହିଁ, କାହିଁକି । ଦିନେ, ଦୁଇଦିନ, ତିନିଦିନ ବିତିଗଲା । ମନ ଛଟପଟ ହେଲା । ଦେହ ଭଲ ଅଛି ତ ?

ସେଦିନ ସକାଳେ କାକର-ଭିଜା ଚାଳ ଉପରେ ବସି ଲାଞ୍ଜ ହଲାଇ ଡାମରା କାଉଟି କେଡ଼େ ବିକଟାଳ ରଡ଼ି ଛାଡ଼ୁଥାଏ । ହାତ ଉଞ୍ଚାଇଲେ କି ଟେକା ମାଇଲେ ଉଡ଼ିଯାଏ, ପୁଣି ଘେରଦେଇ ଆସେ । ମନୁଆ ସକାଳୁ ଅଝଟ ହୋଇ କାନ୍ଦି କାନ୍ଦି ତା’ର ବାପ ଦାଦିଙ୍କୁ ଖୋଜୁଥାଏ । ମୋ ମନ କେଉଁଠି ଲାଗୁନଥାଏ । ଡାହାଣ ଆଖିଟା ତୁହାଇ ତୁହାଇ ଡେଉଁଥାଏ ।

ମନୁଆକୁ କାଖ କରି ଆମ ଘର ଆଗରେ ଟହଲୁଥିଲି । କିଏ ଜଣେ ତରବର ହୋଇ ଆମ ଘର ଭିତରକୁ ଗଲେ । ବୋଉର ଚିହ୍ନା ଲୋକ ହୋଇଥିବେ । ମୁଁ ଆଡ଼େଇଗଲି । ମୋତେ ଦୋ ଦୋ ଚିହ୍ନା ପରି ସେ ଲାଗିଲେ । ପଛଆଡ଼କୁ ଚାହିଁଲି । ଆସିଲା ଲୋକ ଆମ ଘର ଭିତରକୁ ବୋଉ ପଛେ ପଛେ ପଶିଲେ ।

କିଛି ସମୟ ପରେ ବଡ଼ ପାଟି କରି ବୋଉ ବାହୁନିଉଠିଲା । ମୁହୂର୍ତ୍ତେ କାଳ ମୁଁ ଥକ୍‌କା ହୋଇ ଠିଆହେଲି । ଅଜଣା ଭୟରେ ମୋ’ର ସାରା ଶରୀର ଥରିଉଠିଲା । ଘଟଣା କ’ଣ ଜାଣିବାକୁ ଆକୁଳ ହୋଇ ଥରିଥରିକା ବୋଉ ପାଖକୁ ଛୁଟିଗଲି । ମନୁଆକୁ ପିଣ୍ତାରେ ବସାଇ ଘର ଭିତରକୁ ଗଲି । ଘଟଣା କ’ଣ ପଚାରିବାକୁ ତୁଣ୍ତ ଖୋଲିଲା ନାହିଁ ।

ମୋତେ ଦେଖି ବୋଉ ମୋ’ ହାତ ଧରି ଆହୁରି ବିକଳ ହୋଇ କାନ୍ଦିଉଠିଲା । ମୁଁ ବୁଝିଲି, ତିନିଦିନ ହେଲା ମନୁଆର ବାପା ଆମୁକୁ ଅନାଥ କରି ସେ ପୁରକୁ ଚାଲିଯାଇଛନ୍ତି ।

ସୁର ମୋରି ଲୋଭରେ ତାଙ୍କୁ ମାରିଛନ୍ତି ?

ଲୋକେ କହୁଛନ୍ତି, ରାତି ଦି ଘଡ଼ିରେ ଦି ଭାଇ କାମରୁ ଫେରିଲେ । ଗାଁ ଲୋକେ ଦେଖିଛନ୍ତି, ଜାଣନ୍ତି । ସକାଳୁ ଉଠି ଆଗ ଦେଖିଲେ ସୁର, ଆର ଘରେ ତାଙ୍କ ଭାଇ ଶୋଇଛନ୍ତି, ଖରା ପଡ଼ିଲା, ନିଦ ଭାଙ୍ଗୁନାହିଁ । ଡାକିଲେ ଶୁଣୁନାହାନ୍ତି । ଦେହରେ ହାତ ମାରିଲେ, କାକର ଲାଗୁଛି-। ଅଲୌକିକ କଥା ! ଦେହରେ ପ୍ରାଣ ନାହିଁ ।

ନନୂଆଣି ମାରିବାର ଚିହ୍ନ ନାହିଁ । ରାତିରେ ପାଟିତୁଣ୍ତ ବି ସେ କରିନାହାନ୍ତି । ଦେହମୁଣ୍ତ ଖରାପ ନଥିଲା ତ ! ତେବେ କିପରି ଏ ଦୁର୍ଘଟଣା ଘଟିଲା ?

ଲୋକେ ଆସିଲେ, ଦେଖିଲେ, ତାଙ୍କର ଦୁଇ ଆଖି ନାଲି ନାଲି ଦିଶୁଛି । ତକିଆ ଉପରେ ରକ୍ତ ! କେହି କିଛି କହିପାରିଲେ ନାହିଁ । ସନ୍ଦେହ କଲେ, ଭୁଟ୍‌ଭାଟ୍‌ ହେଲେ, ବିଷ, ବିଷ ! ଖାଦ୍ୟ ସଙ୍ଗରେ ବିଷ ଦେଇଛି ସୁର, ମୋରି ଲୋଭରେ । ସନ୍ଦେହ କଲେ – ମୋରି ଶିକ୍ଷାରେ, ମୋରି ପରାମର୍ଶରେ ସୁର ଏହା କରିଛନ୍ତି । ସେଇଥିପାଇଁ ଲୋକଙ୍କର ସନ୍ଦେହ ଏଡ଼ିବାକୁ ଆଗକୁ ବାଟ କାଟି ମୁଁ ମା ପାଖକୁ ଚାଲିଆସିଛି ।

ଗ୍ରାମର ମାନ ମହତ ରଖିବାକୁ, ସୁର ଏବଂ ମୋତେ ଦହଗଞ୍ଜ ଟଣା ଓଟରା ଓ ଫାଶୀ ଖୁଣ୍ଟରୁ ରକ୍ଷା କରିବାକୁ ଗ୍ରାମ ଲୋକେ କୁଆଡ଼େ ସତ କଥାଟା ଲୁଚାଇଦେଲେ । ବାତୁଆଟା, ବାତମାରି ବେହୋସ ହୋଇ ମରିଗଲା ବୋଲି ପ୍ରଚାର କଲେ । ଲାସ୍‌ ପୋଡ଼ିଦେଲେ । ଥାନାରେ ଖବର ଦେଲେ ନାହିଁ ।

ସନ୍ଦେହ ଘନେଇଆସିଲା ମୋ ମନରେ । ଏଡ଼େ ବଡ଼ ଘଟଣା ଘଟିଗଲା, ଆମର ସଂସାର ଉଚ୍ଛନ୍ନ ହୋଇଗଲା, ମାସ ପୂରିଗଲା, ତଥାପି ସୁରଙ୍କର ଦେଖାଦର୍ଶନ ମିଳିଲା ନାହିଁ । କାହାରି ହାତରେ ଖବର ପଠାଇଲେ ନାହିଁ । ଲୋକ ଦେଖାଣକୁ ହେଲେ ବିଧବା ଭାଉଜ ଓ ବାପଛେଉଣ୍ତ ପୁତୁରାକୁ ଥରେ ସଙ୍ଖୋଳିଗଲେ ନାହିଁ । ନିଜେ ଶୁଦ୍ଧ ହେଲା । ସେ ଭ୍ରାତୃହନ୍ତା, ଦୋଷୀ, ପାପୀ !

ମାସକ ପରେ, ଦିନେ ସକାଳେ ସୁର ଆସିଲେ । ତାଙ୍କୁ ଦେଖି ମୁଁ ଚମକିପଡ଼ିଲି । ଟଳି ଟଳି ପବନରେ ଦୋହଲି ଦୋହଲି ସେ ଆସୁଛନ୍ତି ଦୁର୍ଭିକ୍ଷର ମଳୁ ପରି । ଦେହରେ ହାଡ଼ ଗଣିହେଉଛି । ପଶିଲା ପଶିଲା ଆଖି । ଆଣ୍ଠିଏ ରୁଢ଼ ମୁହଁରେ ।

ଏଇ ସୁର ମୋରି ସ୍ୱାମୀଙ୍କୁ ବିଷ ଦେଇ ମାରିଛନ୍ତି । ମାସକ ପରେ ସେ ଆସୁଛନ୍ତି । ମୋ ଆଗକୁ ଆସିବାକୁ ଆଜିଯାଏ ସେ ସାହସ କରୁନଥିଲେ । ଆଜି ଆସିଛନ୍ତି, ଗୋଟାଏ କଣ ଫାନ୍ଦିକରି କହିବେ ।

ତାଙ୍କ ମୁହଁକୁ ଚାହିଁ ଆଖି ଫେରାଇଲି । ଦୁଃଖରେ, ରାଗରେ କଅଣ ତାଙ୍କୁ ମୁଁ କହିଲି ମୁଁ ଜାଣେ ନାହିଁ । କଟା ଗଛ ପରି ମୋଓରି ଗୋଡ଼ତଳେ ସେ ପଡ଼ିଗଲେ । କହିଲେ ଥରିଲା ସ୍ୱରରେ– ନୂଆଉ, ସେଇ ଘରେ, ଯେଉଁଠି ମୋ ଭାଇ ଶୋଇଥିଲା, ଡାକି ଡାକି ଶୁଣିଲା ନାହିଁ, ସେଇଠି ନୂଆଉ, ସେମିତି ପଡ଼ି ପଡ଼ି ମୋ ଭାଇ ପରି ମୁଁ ବି ଆଖି ବୁଜିଥାନ୍ତି । କି ଖବର ଘେନି ତମ ପାଖକୁ ଆସିଥାନ୍ତି କହିଲ ?

ପୁଣି କହିଲେ– କାଲି ରାତିରେ ମନେ ହେଲା ସେ ଯେମିତି ମୋ ପାଖକୁ ଆସିଲେ । କହିଲେ ଆରେ ସୁର, ମୁଁ ସିନା ଚାଲିଆସିଲି, ତୁ ଯଦି ଏମିତି ହେଉ, ମନୁଆ କଅଣ କରିବ, ତୋ ନୂଆଉ କଣ କରିବ ? ଯା ସେମାନଙ୍କ ପାଖକୁ । ମନୁଆକୁ କୋଳକୁ ନେ.....

ରାଗରେ ମୋ ଛାତି ଭିତରେ ନିଆଁ ଜଳୁଥିଲା । ବଡ଼ପାଟି କରି କହିଲି– ମନୁଆର ବାପକୁ ବିଷ ଦେଇ ମାରିଲ, ଆଜି ଚଲାଖି କରି ସାକୁଲେଇ ହେବାକୁ ଆସିଛ ? ନିର୍ଲଜ ! ଥାଉ ତମର ଦିଅର ସ୍ନେହ, ଦାଦି ସୁଆଗ । ମୋ ଆଗରୁ ଚାଲିଯାଅ କହୁଛି, ଚାଲିଯାଅ । କେଉଁ ସାହସରେ ତମର ପୋଡ଼ାମୁହଁ ଦେଖାଇବାକୁ ଆଇଲ ?

ନୂଆଉ, ଭାଇକି ଛାଡ଼ି ବଞ୍ଚି ରହିବା ମୋର ପାପ, ମୋର ଦୋଷ, କିନ୍ତୁ ମନୁଆକୁ ଛାଡ଼ି ମରିପାରୁନାହିଁ ।

ରାଗରେ ପୂର୍ବପରି ଗର୍ଜିଉଠିଲି, ତମର ବଞ୍ଚିବା ମରିବାରେ ମୋର କଅଣ ଥାଏ ? କାହିଁକି ତାଙ୍କୁ ମାରିଲ ଚଣ୍ତାଳ, ତମର ସେ କି ଦୋଷ କରିଥିଲେ ?

କହିଲେ, ମୁଁ କିଛି ଜାଣେ ନାହିଁ । ଲୋକେ କହୁଛନ୍ତି ।

ତାଙ୍କ କଥାରେ ବାଧାଦେଇ କହିଲି, ଲୋକେ କଅଣ କହୁଛନ୍ତି ମୁଁ ଜାଣେ । ତେମେ କଅଣ କହିବ ମୁଁ ଶୁଣିବାକୁ ଚାହେଁ ।

ପାଗଳ ପରି ଏଣିକି ତେଣିକି ଚାହିଁଲେ । ଥଙ୍ଗେଇ ଥଙ୍ଗେଇ କହିଲେ– ମୁଁ କଅଣ କହିବି ନୂଆଉ, କିଛି ଜାଣେ ନାହିଁ । କିଛି ବୁଝିପାରିନାହିଁ । ଗପ କରୁ କରୁ ରାତି ଅଧ ହେଲା, କିଛି ତ ହୋଇନଥିଲା । ସେ ତଳ ଘରକୁ ଶୋଇବାକୁ ଗଲେ । ପାଖରେ ଶୋଇବାକୁ ମତେ ଡାକୁଥିଲେ-। ମୁଁ ମନାକରି କହିଲି, ଦାଣ୍ତଘରେ ଆଳୁ ତକ ମୂଷା ଖାଉଛନ୍ତି, ମୁଁ ସେଇଠି ଶୋଇବି । ସେ ବାଧା ଦେଲେ ନାହିଁ । କହିଲେ, ହଉ ଯା । ରାତି ଅଧିକ ହେଲାଣି, ମୁଣ୍ତ ଝାଙ୍କୁଛି । ଶୋଇପଡ଼-। ତାଙ୍କ କଥା ମାନିଲି । କେତେବେଳେ ରାତି ପାହିଲା ଜାଣେ ନାହିଁ । ମତେ କାଳନିଦ ଘୋଟିଗଲା-। ନିଦ ଭାଙ୍ଗିଲା । ବାହାରେ ଖରା ପଡ଼ିଛି । ଉଠିଲି । ଦେଖିଲି ତଳଘର ଖୋଲା ହୋଇଛି । ଭାଇ ଶୋଇଛି । ନିଦ ଭାଙ୍ଗିନାହିଁ ।

କହୁ କହୁ ସୁର ଦୁଇ ହାତରେ ମୁହଁ ଲୁଚାଇ କାନ୍ଦିବାକୁ ଲାଗିଲେ । ସେହି କାନ୍ଦଣା ସ୍ୱରରେ କହିଲେ, ଲୋକେ କହିଲେ ନୂଆଉ..... ଲୋକେ କଅଣ କହିଲେ ମୋର ଶୁଣିବାକୁ ଧୈର୍ଯ୍ୟ ନଥିଲା । ଭାଇ ମୋର ମରିଛି, ଆମର ସଂସାର ସରିଯାଇଛି । କାହା ଉପରେ ରାଗିବି, ଅଭିମାନ କରିବି ? କବାଟ ଖୋଲି ଶୋଇଥିଲେ । ସାପ କି ବାତ, କି ଆଉ କଅଣ, ଜାଣେ ନାହିଁ ।

ସୁରଙ୍କ ଗଳା ଥରିଉଠୁଥିଲା । ସେ ଅଧୀର ଅସ୍ଥିର ହୋଇଉଠୁଥିଲେ । କଅଣ ସେ କହୁଥିଲେ ? ଆଜିଯାଏ କାହିଁକି ସେ ଆସିପାରି ନଥିଲେ ? ଭୟରେ ଓ ଲାଜରେ ? ଅନୁତାପ ? ଲୋକଙ୍କର ସନ୍ଦେହ ଏଡ଼ିବାକୁ ? ମୋର ତାଙ୍କଠାରେ ଯେଉଁ ସନ୍ଦେହ ହୁଅନ୍ତା, ସମୟ ବିତାଇ ସେ ସନ୍ଦେହକୁ କୋହଳାଇ ଦେବାକୁ ? ଗୋଟାଏ ଛଳନା !

ଗତ ଜୀବନର କେତେ ଘଟଣା ମୋ ମନରେ ବିଜୁଳି ବେଗରେ ଖେଳିଗଲା । ସେତେବେଳେ ସେସବୁ ଘଟଣାର ଅର୍ଥ ମୁଁ ବୁଝିପାରି ନଥିଲି । ଆଲୁଅ ଅନ୍ଧାର ମଝିରେ ମୋର ଭାବନା ଜଳକା ହୋଇଥିଲା । ସେଦିନ ମୋର ଆଖି ଆଗରେ ସବୁ ସଫା, ସବୁ ଉଜ୍ଜ୍ୱଳ ଦେଖାଗଲା । ମୋର ସନ୍ଦେହ ସନ୍ଦେହ ନୁହେଁ, ସତ ! ସୁରଙ୍କର ପିଲାମି ଭିତରେ ମୋ ପ୍ରତି ଗୋଟିଏ ମୋହ ଲୁଚକାଳି ଖେଳୁଥିଲା, ବୁଝି ମଧ୍ୟ ବୁଝିପାରି ନଥିଲି ।

ଚାରିବର୍ଷ ତଳେ ଏଇ ପିଣ୍ତାରେ ସୁର ମୁହଁ ଶୁଖାଇ ବୋଉକୁ କହିଲେ– ଭାଇଙ୍କ ବିଷୟରେ ସମ୍ବନ୍ଧ ପକାଅ । ତାଙ୍କର ଗଳା ଥରିଉଠିଥିଲା । ତଣ୍ଟି ବନ୍ଦ ହୋଇଆସିଥିଲା । ଆଖିରୁ ଗଡ଼ି ଆସୁଥିବା ଲୁହ ପୋଛି ମୁଁ ଉହାଡ଼କୁ ଯାଇଥିଲି ।

ସେହି ଦିନରୁ ତାଙ୍କ ମନରେ ମୋ ପ୍ରତି ଗୋଟିଏ ଲୋଭିଲା ଭାବନା ବଞ୍ଚିରହିଥିଲା । ତାଙ୍କ ଛାତିତଳେ ମୋ ରୂପ, ମୋ ପ୍ରତି ଆକର୍ଷଣର ଯେଉଁ ନିଆଁ ଦିକିଦିକି ହୋଇ ଜଳୁଥିଲା, ତାର ଆଭାସ ମୁଁ ଅନେକ ଥର ପାଇଥିଲି । ସେ ନିଆଁକୁ ଜଳିବାକୁ ପ୍ରଶୟ ଦେଇନଥିଲି । ସେହି ଦିକିଦିକି ନିଆଁରେ ଯଦି ନିଜକୁ ମୁଁ ଆହୂତି ଦେଇଥାନ୍ତି, ତେବେ ହୁଏତ ସୁର ଏପରି ନିଷ୍ଠୁର କାମ କରିବାକୁ ମନ ବଳାଇ ନଥାନ୍ତେ । ଗୋଟାଏ କୃତ୍ରିମ ସଂସାର ଭିତରେ ନରକ ସୃଷ୍ଟିକରି ଆମେ ବଞ୍ଚି ରହିଥାନ୍ତୁ-। ସ୍ୱାମୀ ମୋର ଦେବତା । ତାଙ୍କର ପବିତ୍ର ଆଖିରେ ନରକ ବି ସ୍ୱର୍ଗର ପବିତ୍ରତା ଧରି ଠିଆ ହୋଇଥାନ୍ତା ।

ସୁର କଅଣ କହିଯାଉଥିଲେ ମୋର ସେଥିରେ କାନ ନଥିଲା । ନିଜ ଭାବନାରେ ମୁଁ ବୁଡ଼ିରହିଥିଲି । ମୋର ଦୃଢ଼ ଧାରଣା ହେଲା ଯେ ସୁର ମୋର ସ୍ୱାମୀଙ୍କୁ ମାରିଛନ୍ତି । ତାଙ୍କୁ ଦୂର କରିନଥିଲେ ମୋତେ ସେ ପାଇ ପାରିବେ ନାହିଁ ।

ଆଖି ଖୋଲି କଟମଟ କରି ତାଙ୍କ ମୁହଁକୁ ଚାହିଁଲି । ତାଙ୍କର ରୂପ, ତାଙ୍କର କଥା ମୋ ଧାରଣାକୁ ବଦଳାଇ ପାରିଲା ନାହିଁ । ତାଙ୍କୁ ମୁଁ ଟାଣି କଥା କହିଛି, ସେଥିପାଇଁ ମନରେ ଅନୁତାପ ଆସିଲା ନାହିଁ । ସୁରଙ୍କର ଶ୍ରୀହୀନ ରୂପ, ମେଘଘୋଡ଼ା ମୁହଁ ଓ କୋରଡ଼ ଆଖିରେ ପାପର ଭୟଙ୍କର ମୂର୍ତ୍ତି ଠିଆ ହୋଇଥିବାର ଦେଖିଲି । ରାଗରେ ନୁହେ, ଭୟରେ ଗଳା ଥରିଉଠୁଥାଏ । କାକୁସ୍ଥ ହୋଇ ଆଖିଲୁହରେ ଓଠ ଭିଜାଇ କହିଲି, ଯାହା କରିବାର କରିସାରିଛ ସୁର । ମୋ ସୁଖ ସଂସାର ତ ପୋଡ଼ିଜାଳି ଦେଇଛ – ଯେଉଁ ଆଶାରେ ଏହା କଲ, ସେ ଆଶା କେବେ ଫଳିବ ନାହିଁ । ମୋତେ ସାହାହୀନ କଲ, ମନୁଆକୁ ଅନାଥ କଲ, ସେତିକିରେ ଖୁସି ହୁଅ । ଆଉ ମତେ ଦହଗଞ୍ଜ କର ନାହିଁ । ଲୋକହସା କରାଅ ନାହିଁ । ତମ ସଙ୍ଗେ ମୋ’ର ଆଉ କିଛି ସମ୍ବନ୍ଧ ନାହିଁ । ତମେ ମୋ ଆଗରୁ ଚାଲିଯାଅ ।

କାବା ହୋଇ ମୋ ମୁହଁକୁ ଚାହିଁଲେ । କହିଲେ ନୂଆଉ.....

ତାଙ୍କୁ ଆଉ କୁହାଇଦେଲି ନାହିଁ । କହିଲି– ନେହୁରା ହେଉଛି ସୁର, ଦାନ୍ତରେ ତିରଣ ଧରି ତମ ଗୋଡ଼ତଳେ ପଡ଼ୁଛି, ତମେ ମୋ ପାଖରୁ ଚାଲିଯାଅ । ମୁଣ୍ତ ତଳେ ଲଗାଇଲି । କହିବାକୁ ଲାଗିଲି, ତମ ଶରଣ ପଶୁଛି ସୁର । ତମେ ଆଉ ମୋ ପଛରେ ଗୋଡ଼ାଅ ନାହିଁ । ମୋ ଭାଗ୍ୟ ମୋତେ ଭୋଗିବାକୁ ଛାଡ଼ିଦିଅ । ଥରି ଥରି ମୁଣ୍ତ ଉଠାଇ ଠିଆହେଲି । ଆଖିରୁ ଲୁହଧାର ଝରିପଡ଼ୁଥାଏ । ମୋ ଆଖିରେ ସଂସାରଯାକର ସବୁ ପଦାର୍ଥ ଯେପରି ଚକାଭଉଁରି ଖେଳୁଥାଏ । କାନ୍ଥରେ ମୁଣ୍ତଭରା ଦେଲି ।

ସୁର ଆଉ ତୁଣ୍ତ ଖୋଲିନଥିଲେ । ତଳେ ମୁଣ୍ତ ଲଗାଇ ଓଲଗି ହେଲେ । ମୁଣ୍ତ ଟେକି ମୋ ଆଡ଼କୁ ଚାହିଁଲେ । ତାଙ୍କର କୋରଡ଼ିଆ ଆଖି କୁମ୍ଭାଟୁଆ ଆଖିପରି ନାଲି ଦିଖୁଥାଏ । ମଦୁଆ ପରି ଟଳିଟଳିକା ସେ ମୋ ଆଗରୁ ଚାଲିଗଲେ ।

ସେମିତି ଆଜି ସେ ଚାଲିଯାଇଛନ୍ତି । ଅନ୍ଧାରିଆ, ନିଛାଟିଆ ଅଧରାତି । ଉପାସ । ଆପଦ ବିପଦ । ମୋର କି ଥାଏ ? ତାଙ୍କ ପାଇଁ ମୋ ମନରେ କାଣିଚାଏ ଦୁଃଖ ହେବ ନାହିଁ । ଯାହାଙ୍କୁ ଦେଖିଲେ ଅତୀତର ଅନ୍ଧାରୀ କବାଟ ଖୋଲିଯାଏ, ମନ ଗହନରେ ସନ୍ଦେହର ନିଆଁ ଜଳିଉଠେ, ଜୀବନରେ ତାଙ୍କ ସଙ୍ଗେ ଆଉ ଦେଖା ନହେବା ଭଲ ।

କାଉ କା କା ଡାକ ଛାଡ଼ିଲା । ମନୁଆ ଉଠି ବସିଲା ମୋ ପାଖରେ । ଆଖି ଖୋଲିଲି, ସକାଳ ଆଲୁଅ ଦରଆଉଜା କବାଟ ଫାଙ୍କରେ ଘର ଭିତରେ ପଡ଼ୁଛି । ବୋଉ ବିଛଣାରେ ନାହିଁ । କେତେବେଳୁ ଉଠିଗଲାଣି । ରାତି ଘଟଣାର ଓଲଟ ପାଲଟ ଚିନ୍ତାରେ ମୋ ଆଖି କଷା ପଡ଼ିନାହିଁ । ଆଖି ବୁଜି ବିଛଣାରେ ପଡ଼ି ଛଟପଟ ହେଉଥିଲି । ଭାବୁଥିଲି, କାନ୍ଦୁଥିଲି ।

କାଉ ଡାକିଗଲା ।

ମନୁଆ ଡାକିଲା– ବୋଉ, ବୋଉ, ସକାଳ । ଆଜି ମନୁଆର ଜନ୍ମଦିନ । ଉଠି ପଦାକୁ ଆସିଲି ।

•••

 

୧୩

 

ସକାଳ, ସକାଳ, କେତେ ସକାଳ ଗତ ହେଲା । ପଛକୁ ଗଲା । ମାସେ, ଦୁଇମାସ, ଛ’ମାସ ବିତିଗଲା ।

 

ସୁରଙ୍କ ମନରୁ ପୋଛିଦେବି ବୋଲି ଏଡ଼େ ଆଣ୍ଟ କରି ବସିଥିଲି, ପାରିଲି ନାହିଁ । ବେଳ ଅବେଳରେ ସେ ମୋ’ର ଭାବନା ଆଗରେ ଆସି ଠିଆ ହୁଅନ୍ତି । ତାଙ୍କର ସେଦିନର ହତଶିରୀ ରୂପ ମୋର ମନେପଡ଼ିଯାଏ । ଛାତି ଭିତରେ କେମିତି କଅଣ ଅନୁଭବ କରେ । ମନକୁ ଅନ୍ୟଆଡ଼େ ବାଁରେଇ ଦିଏ ।

 

ସେଦିନରୁ ବୋଉ ଆଉ ମୋ ସଙ୍ଗେ ଭଲ କରି କଥାଭାଷା ହୁଏ ନାହିଁ । ସବୁବେଳେ କଅଣ ଭାବେ । ବେଳେବେଳେ ନୁଚେଇ ନୁଚେଇ କାନ୍ଦେ । ତା’ର ମନରେ କିପରି ଧାରଣା ହୋଇଥିଲା– ମିଛରେ ମୁଁ ଆଣ୍ଟ କରି ରହିଛି, ମିଛରେ ଗୋଟାଏ ପାଗଳ ଖିଆଲରେ ନିଜ ଜୀବନ ଓ ଭବିଷ୍ୟତ ନଷ୍ଟ କରୁଛି । ତା କଥା ଶୁଣୁନାହିଁ । ତା କହିଲା କାମ କରୁନାହିଁ । ଶେଷକୁ ଖାଲରେ ପଡ଼ି, ପଙ୍କରେ ପଡ଼ି ଛଟପଟ ହେବି । ହଟହଟା ହେବି । ମୋ ସଙ୍ଗେ କେବେ ଦୁଃଖ ସୁଖ ହେଲେ, ଦେଖାଇ ଦେଖାଇ ପାଞ୍ଚ କଥା କହେ । ତାର ଉଦ୍ଦେଶ୍ୟ ବେଶ୍‌ ଜଣାପଡ଼େ । ମୁଁ ଶୁଣି ଶୁଣେ ନାହିଁ । ବେଳେବେଳେ ଟାଣ କଥା କହି ମୁଁ ତାକୁ ଦାବିଦିଏ । ସେ ତୁନି ହୋଇ ଅନ୍ୟଆଡ଼େ ଚାଲିଯାଏ ।

 

ଦିନୁଦିନ ବୋଉର କାମ କରିବାର ଶକ୍ତି କମିଆସିଲା । ଗାଁଗଣ୍ତାରେ ଯାହା ଘରକୁ ପାଇଟି କରିବାକୁ ଯାଏ, ତାଙ୍କୁ ସେ ଖୁସି କରିପାରେ ନାହିଁ । ଲୋକେ ତା ମଠ ମଠ କାମରେ ବିରକ୍ତ ହୁଅନ୍ତି । ଆଲୁରାବାଲୁରା କାମକୁ ଘୃଣା କରନ୍ତି । ମତେ ପଠାଇଦେବାକୁ କହନ୍ତି । ବୋଉ ଆସି ମତେ କହେ । ତୁନି ହୋଇ ମୁଁ ଶୁଣେ । କଅଣ କରିବି, ବୁଢ଼ୀଦିନେ ତାକୁ କାମକୁ ପଠାଇବାକୁ ମୋ ମନ ହୁଏ ନାହି; କିନ୍ତୁ ତାକୁ ମନା ବି କରିପାରେ ନାହିଁ । ଜଣେ ଲୋକ ମୁଁ, କେତେ ଆଡ଼କୁ ହେବି, କଅଣ ରୋଜଗାର କରିବି ଯେ ପିଲାଟିକୁ ଧରି ତିନି ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଆହାର ଦେବି । ମୋର ପୁଣି କାର୍ଯ୍ୟକ୍ଷେତ୍ରର ସୀମା ଦିନୁଦିନ କମିଆସୁଥାଏ । ଗାଁ ଭିତରେ କାହା ଘରକୁ ନଯାଇ ବାହାରେ ବାହାରେ ରୋଜଗାର କରିବାକୁ ଚେଷ୍ଟା କରେଁ ।

 

ଦିନେ ସଞ୍ଜବେଳେ ବୋଉ ଉମେଇଟିକୁ କୋଡ଼ କରି ବସିଥାଏ ଘରକଣରେ । ଘସିଧୂଆଁରେ ଘର ପୂର୍ଣ୍ଣ ହୋଇଥାଏ । ମଗୁଶିରର ହାଡ଼ଭଙ୍ଗା ଶୀତ । କୁଙ୍କୁରିକାଙ୍କୁରି ହୋଇ ମନୁଆ ବୋଉ କଡ଼କୁ ଆଉଜି ବସିଥାଏ । ଦେହରେ ଖଣ୍ତେ ପୁରୁଣା କନା ପକାଇଥାଏ । ଥୁରୁଥୁରୁ ଥରୁଥାଏ ଶୀତରେ ।

 

ମତେ ଦେଖି ମନୁଆ ଥରି ଥରି ଆସିଲା । ଫୁଙ୍ଗୁଳା ଦେହ । କେତେ କଅଣ କହିଲା ବୁଝିପାରିଲି ନାହିଁ । ଓଠକୁ ଓଠ ବାଜୁଥାଏ । ହେମାଳିଆ ପାଗ । ମନୁଆକୁ କୋଡ଼କୁ ଆଣିଲି । ବୋଉ ଆଗରେ ବସି କହିଲି– ବୋଉ ମ, ତୁ ଯଦି ଅବିଗୁଣ ନପାଉ ତେବେ କଥାଟିଏ କହିବି ।

 

ସେ ଜବାବ ନଦେଇ ମୋ ମୁହଁକୁ ପଚାରିଲା ଆଖିରେ ଚାହିଁଲା । ତା’ର କୋରଡ଼, ନିସ୍ତେଜ ଆଖି ଦେଖି ଯାହା କହିବାକୁ ବସିଥିଲି ହଠାତ୍‌ କହିପାରିଲି ନାହିଁ । ଟିକିଏ ରହି ସାହସ କରି କହିଲି– ବୋଉ ମ, ଏବେ କାହିଁକି ଲୋକେ ତୋ କାମକୁ ପସନ୍ଦ କରୁନାହାନ୍ତି । ଯାହା ଘରକୁ ଗଲି ସିଏ ତୋ କାମର ଦୁର୍ଗୁଣ ବାହୁନୁଛି । ସେଇଆ ତ କରୁଛୁ, ଟିକିଏ ମନଦେଇ ଯତ୍ନ କରି କରୁନୁ-?

 

ହସିଲା । ଓଠ ଥରାଇ କହିଲା– ପାରିଲେ ସିନା ।

ନ ପାରୁଛୁ ତ ଯାଉଛୁ କାହିଁକି ? ପର କାମରେ ହାତ ଦେଉଛୁ କାହିଁକି ? ଘରେ ବସି ମନୁଆ ସଙ୍ଗରେ ଖେଳୁଥା ।

 

ତା ହେଲେ ଶୂନ୍ୟରୁ ଆସି ଆଧାର ପାଟିରେ ଗଳିବ ନାହିଁ । କୋଉ ମୋର ରୋଜଗାରିଆ ପୁଅ ଅଛି ଯେ, ମା ପାରୁନାହିଁ ବୋଲି... ।

 

କଥା ଅଧା ରଖିଲା । ଟିକିଏ ତୁନି ରହି ପୁଣି କହିଲା– ପାରେ ନପାରେ, ଲୋକେ ଭଲ କୁହନ୍ତୁ ମନ୍ଦ କୁହନ୍ତୁ, ଆଖି ବୁଜିବାଯାଏ, ହାତଗୋଡ଼ ଚାଲିବାଯାଏ କାମ କରୁଥିବି । ତେଣିକି ଯାହା ହେବ ।

 

ବୋଉ, ଗୋଟାଏ କଥା ମନରେ ପାଞ୍ଚିଛି । ତୁ ଯଦି ରାଜି ହେବୁ ତ କରିବା । ଟିମବାବୁଙ୍କ ଘରେ ପାଇଟି ସାରି ଆସିଲାବେଳକୁ ଦେଖିଲି ଗାଁ ଦାଣ୍ତରେ ଦି’ଜଣ ଲୋକ ପଲେ ପଲେ ଛେଳି ଅଡ଼େଇ ନେଇ ଯାଉଛନ୍ତି । ପଚାରିଲାରୁ କହିଲେ, ମଫସଲରୁ ଛେଳି କିଣି ସେମାନେ କଟକ ନେଉଛନ୍ତି । ଛେଳି ଗୋଟାକୁ ପାଞ୍ଚଟଙ୍କା, ସାତଟଙ୍କା ଦେଇ କିଣୁଛନ୍ତି । ଆମର ଦିଟା ମାଈ ଛେଳିଛୁଆ ରଖିଲେ ଭଲ ହେବ ନାହିଁ ? ଛୋଟା କୁମ୍ଭାରର ଚାରି ଛଟା ଛୁଆ ଅଛନ୍ତି, କହୁଛି ବିକିବ-

 

ମୋଓର ଆଗ୍ରହ ଭାଙ୍ଗି ସେ କହିଲା, ଯାହା ତତେ ଭଲ ଦିଶୁଛି କରୁନୁ ଲୋ ମା, ମତେ କାହିଁକି ପଚାରୁଛୁ ?

 

ଛେଳି ଛୁଆ ଆଣିଲେ ତତେ ଆଉ ଘର ଛାଡ଼ି କୁଆଡ଼େ ଯିବାକୁ ହେବ ନାହିଁ । ଏଇ ଆମ ଘର ଆଗରେ ସେମାନେ ବୁଲୁଥିବେ, ଚରୁଥିବେ । ତୁ ଏଇଠି ବସି ଦେଖୁଥିବୁ । ମନୁଆ ଖେଳୁଥିବ ତୋ ପାଖରେ । ମୁଁ ଯୁଆଡ଼ୁ ଯେମିତି ପାଇଟି କରି ଫେରିଲେ ତାଙ୍କ ପାଇଁ ବର, ଓସ୍ତ, ଶିଝୁ ପତର ଭାଙ୍ଗିଆଣିବି । ଭଲ ହେବ ନାହିଁ ?

 

ନେଇ ଆଣି ଥୋଇପାରିଲେ ଯାହା କରିବୁ ଭଲ ହେବ । ହେଲେ, ଦିହରେ ମୋ’ର ବଳ ବୟସ ନାହିଁ ଯେ ଛେଳିଙ୍କ ପଛେ ପଛେ ଦାଣ୍ତରେ ଗୋଡ଼ାଇବି । ପିଲାଟା ନାଙ୍ଗୁଡ଼ ପରି ପଛରେ ଧାଇଁଥିବ ।

 

ମୋ କଥାରେ ବୋଉ ରାଜି ହେବ ନାହିଁ । ତାକୁ ଯାହା ଭଲ ଦିଶିବ ସେ କରିବ । ଟାଣ କରି ପଦେ କହିଲେ ସେ କାନ୍ଦିବ । ତେବେ, ତା ଉପରେ ନିର୍ଭର କରିବି ନାହିଁ । ନିଜ ଶିଙ୍ଗରେ ଯେତିକି ମାଟି ଖୋଳିପାରିବି ସେତିକି । ସକାଳୁ ସଞ୍ଜପହରଯାଏ ଖଟି ଖଟି ପେଟ ପୂରାଇ ମୁଠିଏ କାହାରିକୁ ଖାଇବାକୁ ମିଳୁନାହିଁ । କାକର ଧରିଲେ ଘଡ଼ା ପୂର୍ଣ୍ଣ କରିହୁଏ ନାହିଁ । ପରଘରେ ବସି ପାଇଟି କଲେ କି କାନ୍ଥବାଡ଼ ଲିପାପୋଛା, ବିରିଚାଉଳ ବଟା, ଢିଙ୍କିକୁଟା, ଗୁହାଳ ପୋଛାରେ କିଏ କଅଣ ଦେବ ଯେ ତିନିପ୍ରାଣୀ କୁଟୁମ୍ବଙ୍କର ପେଟପାଟଣା ଚଳିବ ? ତହିଁରେ ପୁଣି ରୋଗବଇରାଗ ତ ଅଛି । ଦେହ ଘୋଡ଼ାଇବାକୁ କନାପଟା ଲୋଡ଼ା । ଯାହାକୁ ଖଣ୍ତେ ମାଗିଲେ ମୁହଁ ଛିଞ୍ଚଡ଼ା । ପରଘରେ କାମ କଲାବେଳେ ସମସ୍ତେ ପୁଣି ଆଖି ରଖିଥାନ୍ତି । ମଣିଷ ପ୍ରକୃତି, ଭଲ କାହାକୁ କହିବ–କେତେବେଳେ କୋଉ ଚିଜରେ ହାତ ମାରିଦେବ–ଲୋକଙ୍କର ଏପରି ଧାରଣା । ତଥାପି କାମ କରିବାକୁ ପଡ଼େ । ଦରିଦ୍ର ଓ ନିଆଶ୍ରା ଲୋକର ମାନ ମର୍ଯ୍ୟଦାରେ ଅଧିକାର ନାହିଁ । ପରଙ୍କର ହାତ ଟେକାକୁ ନଚାହିଁଲେ ଦିନଟିଏ ବି କଟିବ ନାହିଁ ।

 

ଏହିପରି ଦୁଃଖ କଷ୍ଟରେ ବେଳ କଟିଗଲା ।

ଅନେକ ଦିନ ହେଲା ହାଟକୁ ଯାଇନାହିଁ । ରାଜିବୋଉ ଖୁଡ଼ି ଶତ୍ରୁ ହେଲା ଦିନରୁ ଯେତେଥର ଯାଇଛି, କାହାର କ’ଣ ଚୋରିକଲା ପରି ଅନୁଭବ କରିଛି । ଲୁଚି ଲୁଚି କେବେ ହାଟର ଏ ପାଖେ, କେବେ ସେ ପାଖେ ବସିଛି । ଡରି ମରୁଥାଏ, କାଳେ ସେ ବାବୁଟି ଆସିବେ, କାଳେ ମୋ ପସରା ପାଖକୁ ଆସି ପଇସାକ ଜାଗାରେ ଦି’ପଇସା ଦେଇ ସବୁ ପରିବା କିଣିନେବେ । ମୋ ବୋଝ ନସରିବାଯାଏ ପିଣ୍ତରେ ଯେପରି ପ୍ରାଣ ନଥାଏ । ମନ ଛକପକ ହେଉଥାଏ । ବିନା କାରଣରେ ଆଖିଡୋଳା ଏପାଖ ସେପାଖ ହୁଏ – ରାଜିବୋଉ ଖୁଡ଼ି କେଉଁଠି ବସିଛି ? ଆଖିରେ ପଡ଼ିଲେ ହଁସା ଉଡ଼େ । ନ ଦେଖିଲେ ଦୀର୍ଘଶ୍ୱାସ ବାହାରିଯାଏ ପଞ୍ଜରା ଦୋହଲାଇ । ଛାତି ଭିତର ହାଲୁକା ଲାଗେ ।

 

ଦିନେ ଦିନେ ସେଇ ବାବୁଙ୍କ ହାବୁଡ଼େ ପଡ଼େ । ସେ ହସି ହସି ଦର ପଚାରନ୍ତି । ଯାହା କହେଁ ସେଇଆ ଦେଇ ସବୁ ପରିବା ତଉଲି ନିଅନ୍ତି । ପଛକୁ ଫେରି ଚାହିଁ ହସି ହସି ଚାଲିଯାଆନ୍ତି ।

 

କେବେ କେବେ ଛବି ଘରବାଟେ ଆସେ । ଅତି ଆଗ୍ରହରେ ମୋତେ ସେ ଘର ଭିତରକୁ ଡାକିନେଇ ବସାଏ । ହସକୁଡ଼ୀ ପିଲା, ହସି ହସି କେତେ କଥା କହେ । ମୁଁ ବି ମନ ଖୋଲି ତା ଆଗରେ ସୁଖ ଦୁଃଖର କଥା କହେଁ । ମନ ଦେଇ ସେ ଶୁଣେ । କେବେ ମୁହଁଟି ଝାଉଁଳାଇଦିଏ, କେବେ ପୁଣି ହସି ହସି ଲୋଟିଯାଏ ମୋରି କୋଳରେ । ମୁଁ ଘରକୁ ଫେରେ ।

 

ସୁଖ ଦୁଃଖର ଦୁନିଆ । ସମସ୍ତଙ୍କର ଦିନ ତ କଟିଯାଏ, ସମସ୍ତେ ଆଗେଇଚାଲନ୍ତି ମଶାଣି ଆଡ଼କୁ । ରକ୍ତମାଂସର ଦେହ ଦୁଃଖ କଷ୍ଟରେ ଛଟପଟ ହୁଏ । ତାଆରି ଦୁଃଖରେ, ତାଆରି ଭିତରେ ବନ୍ଦୀ ହୋଇ ରହିଛି ଯେଉଁ ମନଟା, ସେ ଚିତ୍କାର କରିଉଠେ । ସ୍ନେହ, ମମତା, ମୋହ, ଆକର୍ଷଣ ତେଜିଉଠନ୍ତି । ରକ୍ତମାଂସର ପିଣ୍ତୁଳା କାମ କରିବାକୁ ବାହାରେ, ଆଗଭର ହୁଏ । ଭିତରର ମନ ତାକୁ ଲୋଭ ଦେଖାଏ – ସୁଖ, ଆନନ୍ଦ, ଜୀବନର ଲୋଭ । ସେଇଥିପାଇଁ ମଣିଷ କାମ କରେ ।

 

ହାଟକୁ ଯିବି । ରାଜିବୋଉର ମୁହଁମୋଡ଼ା ଆଡ଼କୁ ଚାହିଁବି ନାହିଁ । ବୋଉର ଅଭିମାନିଆ କଥାରେ କାନ ଦେବି ନାହିଁ । ସେହି ଅଜଣା ଅଚିହ୍ନା ବାବୁଟିର ମନରେ କଅଣ ଅଛି କି ନଅଛି ସେ କଥା ମୁଁ ଭାବିବି ନାହିଁ । ତା ମନରେ ଯଦି କେଉଁ ଅସନା କାମନା ଛଟପଟ ହେଉଥିବ, ସେଥିରେ ମୋର କିଛି ଯାଏ ନାହିଁ କି ଆସେ ନାହିଁ । ମୋ ମନର ସାହସ ଯେ ମୋର ବନ୍ଧୁ । ଯିଏ ଯାହା କହିବାର କହୁଥାଉ ।

 

ସଞ୍ଜବେଳ । ମନରେ ଏପରି କେତେ ଭାବନା ଖେଳିଗଲା । ବୋଉକୁ କିଛି କହିଲି ନାହିଁ, ଘର କାମରେ ମନ ଦେଲି ।

 

ଦେହରେ ବିଛୁଆତି ଲାଗିଲେ ଯେପରି କୁଣ୍ତାଇହେଉଥାଏ, କେଉଁ କାମରେ ମନ ଲାଗେ ନାହିଁ । ବାରମ୍ବାର କୁଣ୍ତାଇବାକୁ ହାତ ଅଜାଣତରେ ଚାଲିଯାଏ । ସେମିତି ବୋଉର ଉଦାସପଣ ଦେଖି ମନ ତାରି ପାଖରେ ଆସି ଗୋଳେଇହେବାକୁ ଚାହିଁଲା । କଣ ସେ କହିବ ଶୁଣିବାକୁ କାନ ଡେରିହୋଇ ରହିଥାଏ ।

 

ରୋଷଘରେ କାମ ଅଧା ପକାଇ ବାହାରକୁ ଆସି କହିଲି– ଥଣ୍ତାରେ ବସିଛୁ କାହିଁକି, ଏତେ ରାତି ହେଲାଣି, ଭିତରକୁ ଆ ।

 

ଦି’-ଚାରିଥର ଡାକିଲା ପରେ ସେ ଭିତରକୁ ଆସିଲା । ଅଧା କାନ୍ଥିକୁ ଆଉଜି ବସିଲା । ପାଟି ଫିଟାଇଲା ନାହିଁ ।

 

ମନୁଆକୁ ତା କୋଳରେ ଛାଡ଼ି ଭାତ ଗାଳି ବସିଲି । ପେଜ ପଲମ ପଦାରେ ଢାଳିଦେଇ ଆସିଲି । କହିଲି, ବାଛୁରୀଟିଏ ଯଦି ଥାଆନ୍ତା ପେଜ ମନ୍ଦାକ ଫୋପଡ଼ା ହୁଅନ୍ତା ନାହିଁ ।

 

ରହି ରହି ପୁଣି କହିଲି, ମୁଁ ଠିକ୍ କରିଛି ଯେତେ କଷ୍ଟ ହେଉ ପଛେ ଏଥର ହପ୍ତାକୁ ଦି’ଥର ହାଟକୁ ଯିବି । ଧାନ କଟାକଟି ବେଳ ଆସୁଛି । ବିଲକୁ ଗଲେ, ମନ ଦେଇ କାମ କଲେ ଅବଶ୍ୟ ଦି ପଇସା ଅଧିକ ରୋଜଗାର ହେବ । ଯାହାକୁ କହିଲେ ବାଛୁରୀଟିଏ ଦିଗୋଡ଼ିଆ ବାନ୍ଧିବାକୁ ଦେବ ଯେ, ତାକୁ ଦେଖା ଶୁଣା କରିବ କିଏ ?

 

ବୋଉ ପାଟିକରି ହସିଉଠିଲା । ଫେରି ଚାହିଁଲି ତା ଆଡ଼କୁ । ମୁହଁ ଗମ୍ଭୀର ହେଲା । ପଚାରିଲି, ହସିଲୁ କାହିଁକି ? ମୋ କଥା ତୋ ମନକୁ ପାଇଲା ନାହିଁ ?

 

କହିଲା, ମନକୁ ନଆସିବ କାହିଁକି ? ହେଲେ ମା, ମଣିଷ ଯାହା ଭାବେ କରିପାରେ ନାହିଁ, କେତେ ବାଧା କେତେ ବିପଦ ଆସି ଆଗରେ ଠିଆ ହୋଇ ବାଟ ଓଗାଳେ । ମନ କଥା ମନରେ ମରେ । ହାଇଁପାଇଁ ହୋଇ ଜୀବନ ସରେ ।

 

ଚୁଲି ଭିତରକୁ ଶୁଖିଲା ଡାଙ୍ଗ ପତର ଠେଲିଦେଲି । ନିଆଁ ହୁ’କରି ଜଳିଉଠିଲା । କହିଲି, ଆପଦ ଯେତେବେଳେ ଆସିବ, ତା ମୁଣ୍ତରେ ଗୋଡ଼ଦେଇ ଡେଇଁଯିବାକୁ ଚେଷ୍ଟା କରିବା । ନପାରିଲେ ନହେବ । ଯାହାର ଯେତିକି ବଳ ସେଥିକି ଚାହିଁ ଫଳ ଫଳିବ । ବିଫଳ ହେଲେ ହେବ । ମୁଣ୍ଡ ନୁଆଇଁ ସବୁ ସହିବାକୁ ହେବ । ନ ହେବାଯାଏ ତ ଆଶା ରଖି କାମ କରୁଥିବା, ନାବ ଚଳାଉଥିବା…..ଯେଉଁଠି ବୁଡ଼ିବ ବୁଡ଼ୁ !

 

ଆଉ ନାବ ଚଳିବ ନାହିଁ ଲୋ ତୁଳସୀ ! ନଈ ସେପାରିରେ ଗଛଗହଳିକୁ ଚାହିଁଲେ କୂଳ କିନାରା ଅଛି ଭାବି ନାଉରୀ ନାବ ମେଲିଦିଏ । ଝଡ଼ ତୋଫାନ ଆସୁ ପଛେ ଆଶା ଥାଏ ସେପାଖରେ ନାବ ଲାଗିବ । ସେପାରିର ଗଛଗହଳି ଯଦି ଆଖିରେ ନପଡ଼େ, ଝଡ଼ ତୋଫାନର ଭୟ ଯଦି ସବୁବେଳେ ଥାଏ, କୋଉ ସାହସରେ ନଈମଝିକି ନାବ ମେଲିଦେବା କହିଲୁ ?

 

ମନ ଭିତରେ ଉଆଁସୀ ଅନ୍ଧାର ଘୋଟିଆସିଲା । ସତେ ତ, କୂଳ କିନାରା କିଛି ଦିଶୁନାହିଁ-! କେଉଁ ଭରସାରେ, କେଉଁ ସାହସରେ ଅନ୍ଧାର ଭିତରେ ନାବ ଚଳେଇବି ? ଅନ୍ଧାର ଭିତରେ ଯେବେ ଭାବନା ହଜିଯାଉଥିଲା, ଦୂରକୁ ଚାହିଁଲେ ପାହାନ୍ତି ଘଡ଼ିର ଦରନିଭିଲା ତାରା ପରି ଗୋଟିଏ ପାଖରେ ସୁର, ଆର ପାଖେ ସେହି ଅପରିଚିତ ବାବୁଙ୍କର ଦରହସିଲା ମୁହଁ ଦିଶୁଥିଲା । ଚମକି ଚାହିଁଲି ନିଜକୁ । ହାତଗୋଡ଼ ଭଗବାନ ଦେଇଛନ୍ତି । ପଛ ଆଡ଼କୁ ଆଖି ଫେରାଇ କାହିଁକି କାହା ଉପରେ ଦୃଷ୍ଟି ନିହିବି ?

 

ବୋଉ କହିବାକୁ ଲାଗିଲା– ଆଲୋ ତୁଳସୀ, କୁମ୍ଭୀର ନେଇ ଅଧା ନଈରେ କଲାଣି, ସେ କଥା ତୁ ଜାଣିନାହୁଁ । ଟିମ ବାବୁଙ୍କ ବାପା ଯେତେବେଳେ ବଞ୍ଚିଥିଲେ, ତୋ ବାହାବେଳକୁ ଘରଡିହ ବନ୍ଧାଦେଇ କୋଡ଼ିଏ ପାଞ୍ଚଟଙ୍କା ତାଙ୍କଠାରୁ ଆଣିଥିଲି । ସୁଧ ବଢ଼ି ବଢ଼ି ମୂଳକୁ ଟପିଗଲାଣି । ରୋଜଗାରିଆ ପୁଅ ନାହିଁ ଯେ ଶୁଝିବ । ବାପ ମଲାମରେ ଟିମବାବୁ କହିଲେ, ବୁଢ଼ୀଟା ପଡ଼ିଛି ପଡ଼ିଥାଉ, ଆଖି ବୁଜିଲେ ଡିହ ଆବୋର କରିନେବା । ଆଲୋ ତୁଳସୀ, ମୁଁ ଯେଉଦିନ ଆଖି ବୁଜିବି, କାହା ଓଳିତଳେ ଯାଇ ଆଶ୍ରା ଖୋଜିବୁ କହିଲୁ ? ମୋ ଭଲ କଥା ତତେ ସିନା ରୁଚୁନାହିଁ.....

 

ବଜ୍ର ପଡ଼ିଲା ପରି ତା’ର କଥା ମତେ ଆଘାତ କଲା । ଏତେ ବଡ଼ ଘଟଣା ଆଜିଯାଏ ମୋଠାରୁ ସେ ଲୁଚାଇ ରଖିଥିଲା ।

 

ପଚାରିଲି, ଆଜିଯାଏ ମୋତେ କହିନଥିଲୁ କାହିଁକି ?

ଦରକାର ପଡ଼ିନଥିଲା ମା । ତୋର ସଂସାର ତୁ କରିଥିଲୁ । ମୋର ସୁଖ ଦୁଃଖ ଜାଣିବା ତୋର ଆବଶ୍ୟକ ନଥିଲା । ମୋର ସଂସାରକୁ ତୁ ଆପଣାର କଲୁ । ସାରା ଜୀବନ ଏଇଠି ରହି ଚଳିବାକୁ ମନ କରିଛୁ । ଭଲମନ୍ଦ ସବୁକଥା ତୋର ଜାଣିବା ଉଚିତ । ଏଥର ଜାଣିଲୁ ତ ? ଏଣିକି ଭାବି ବିଚାରି ଯାହା ତୋର ମନ କର ।

 

କୌଣସି କଥା ଭାବି ସ୍ଥିର କରିବା ପରି ମନର ଅବସ୍ଥା ମୋର ନଥିଲା । ତୁନି ରହିଲି ।

 

ବୋଉ ସାହସ ପାଇ ପୁଣି କହିଲା– ଭଲ ମନ୍ଦ ଯାହା ବୁଝ୍, ଭଲ ମନ୍ଦ ଯାହା କର୍ । ତତେ ଜନ୍ମ ଦେଇଛି, ତୁଣ୍ଡ ଚଳୁଥିବାଯାଏ ପଦେ ପଦେ କହୁଥିବି । ମଶାଣି ଆଡ଼କୁ ଗୋଡ଼ ବଢ଼ାଇଲିଣି । ସଂସାରର ଧଳି କାଦୁଅରେ ଘାଣ୍ଟି ଚକଟି ହୋଇଛି । ଖରା ବରଷା ଶୀତର ଦାଉରେ ମୁଣ୍ଡର ବାଳକେରାକ ଝୋଟ ପାଲଟିଛି । ଆଉ କଅଣ ଲୋ, ଆଉ କାହିଁକି କିଛି ଲୁଚାଇବି ? ତୋ’ପରି କେଡ଼େ ଆଣ୍ଟରେ ଛାତି ଫୁଲାଇ ଚାଲିବାକୁ ପଣ କରିଥିଲି । ଆଣ୍ଟ କି ରହିଲା ? ସାହସ ଭରସା କି ରହିଲା ? ରହେ ନାହିଁ ଲୋ ରହେ ନାହିଁ । କାଳ ଓଲଟିଯାଏ, ଅଣ୍ଟା ଭାଙ୍ଗେ । ଅକଳରେ ପଡ଼ିଲେ ମଣିଷ ନଇଁପଡ଼େ । ପୋଖରୀ ତୁଠର ପଥରପରି ମଣିଷ ପିଠି ଦେଖାଇ ପଡ଼େ । ସବୁ ସହେ ।

 

ବୋଉ ଆଉ କେତେ କଅଣ କହିଥାଆନ୍ତା । ମୋର ଟାଣ ମନ ନରମିଆସୁଥିଲା । ଅଙ୍ଗେ ନିଭାଇଲା କଥା, ସତକଥା ଶୁଣିବାକୁ ସାହସ ହେଲା ନାହିଁ । କାଳେ ମୋର ଦମ୍ଭ ଭାଙ୍ଗିବ, କେଉଁ ଆଶାରେ ଆଉ ବଞ୍ଚିରହିବି, କେଉଁ ସାହସରେ ମୁଣ୍ଡ ଟେକି ବାଟ ଚାଲିବି ?

 

ଚୁଲି ପାଖରୁ ଉଠିଆସିଲି । ତାର ଗୋଡ଼ ଧରି ନେହୁରା ହୋଇ କହିଲି– ତୁନି ହ, ତୁନି ହ, ଆଉ କିଛି କହନା, ତୋର ଗୋଡ଼ ଧରୁଛି । ବତାସ ଆସିଲେ କେଡ଼େ କେଡ଼େ ଦାରୁ ଟଳିପଡ଼େ-। ହେଲେ ବତାସ ଆସିବାଯାଏ ତ ପୁଣି ସେ ମୁଣ୍ଡ ଟେକି ଠିଆ ହୋଇଥାଏ । ବତାସ ସଙ୍ଗେ ଯୁଦ୍ଧ କରେ, ନିଜକୁ ବଞ୍ଚାଇ ନପାରିଲେ ଶେଷକୁ ସେ ଭାଙ୍ଗେ, ଟଳେ । ଏମିତି ହାର୍ ଜିତ୍ ନିତି ଲାଗିଛି । ସେଥିକି ମୋର ଡର ନାହିଁ । ଯାହା ହବାର ଥିବ ହେବ ।

 

ମୋ ମୁଣ୍ଡରେ ହାତ ରଖି କହିଲା– ଜାଣେ ମା, ସତ କଥା ଶୁଣିଲେ ତୋ ମନ ଦବିଯିବ-। ସେଥିପାଇଁ ତୁ ଶୁଣିବାକୁ ଚାହୁନାହୁଁ । ମୋ ମନ ସମ୍ଭାଳିହେଉନାହିଁ । ଏତିକି କହୁଛି, ବେଳ ବୟସ ଥାଉଣୁ କୂଳ କିନାରା ଖୋଜିନେ, ନୋହିଲେ ନେଡ଼ିଗୁଡ଼ କହୁଣିକୁ ବୋହିଯିବ । ତେଣିକି ଅନୁତାପ କରୁଥିବୁ, ହାତ ପିଠିରେ ଲୁହ ପୋଛୁଥିବୁ ।

 

ସେ ତୁନି ହେଲା । ମୁଁ ଥକା ହୋଇ ତାର ଲୁହ ଢଳ ଢଳ ଜ୍ୟୋତି ନଥିଲା କୋରଡ଼ିଆ ଆଖିକୁ ଚାହିଁରହିଲି । ମନେହେଲା, ସେହି ଆଖି ଦିଓଟିରେ ତା ମନର ପିତୁଳା ଠିଆହୋଇ ଲୋଭିଲା ଆଖିରେ ମତେ ଅନାଇଛି । ଡାକୁଛି – ଆସ, ମୁଁ ଏଇଠି ଅଛି ।

 

ସେ ମୋର ସ୍ୱାମୀହନ୍ତା ଦିଅର ସୁର ।

ଦୁଇ ଆଖିରେ ହାତ ଘୋଡ଼ାଇ କଇଁ କଇଁ ହୋଇ କାନ୍ଦିଉଠିଲି ।

•••

 

Unknown

୧୪

 

ବୋଉର କଥା ଦୁଇ ତିନି ଦିନ ଯାଏ ମୋ ମନରେ କୁହୁଳିଥିଲା, ପରେ ଆପେ ଆପେ ନିଭିଗଲା ।

 

ତିନିଦିନ ପରେ – ବରଜୁ ବାବୁଙ୍କ ଘରେ ବିରି ବାଟୁଛି । ବଡ଼ି ପରାହେବ । ବୋଉ ସଙ୍ଗେ ଜଞ୍ଜାଳ କରିବ ବୋଲି ମନୁଆକୁ ସଙ୍ଗରେ ନେଇଆସିଥିଲି । ସେ ମୋ ପାଖରେ ବସି ଗୋଟାଏ ସଢ଼େଇରେ ଗୋଡ଼ି ପୁରାଇ ଖେଳୁଥିଲା । ଦି ପହରୁ ବାଟି ବାଟି ଅଣ୍ଟା ପିଠି ଲାଗିଗଲାଣି-। ଆହୁରି ପାଚିଆଏ ଭିଜା ବିରି ରହିଛି । ବରଜୁ ବାବୁଙ୍କ ସ୍ତ୍ରୀ ସେତକ ଶେଷ କରିବାକୁ ମୋତେ କହୁଛନ୍ତି । ମନୁଆ ଉପରେ ଆଉ ନଜର ଦେବି କଅଣ ? କାମରେ ମନ ଦେଲି ।

 

ହାତ ରହିଗଲା । ଶିଳୁପୁଆ ଛାଡ଼ି ଅଣ୍ଟା ସଳଖୁଛି, ମନୁଆ ପଛଆଡ଼ୁ ଭୋ କରି କାନ୍ଦିଉଠିଲା । ପଛକୁ ଚାହିଁଲି, ବରଜୁ ବାବୁଙ୍କ ଦଶ ବରଷର ଝିଅ ଅଳକା ମନୁଆର କାନ ଟାଣି ଧରିଛନ୍ତି । ଆଖି ତରାଟି କଟମଟ କରି ଚାହିଁଛନ୍ତି । ମନୁଆ ଆଁ କରି କାନ୍ଦୁଛି । ପାଟି ଭିତରୁ ଗଳି ପଡ଼ୁଛି ମୁଢ଼ି ଗଣ୍ଡାଏ ।

 

କହିଲି– ଥାଉ ଦେଈ, ପିଲାଟାକୁ ମାର ନା । ଉଠିଗଲି ପାଖକୁ । କହିଲି- ଛାଡ଼ିଦିଅ, ପିଲାଟା ପରା ।

 

ଅଳକା ଦେଈ ଗର୍ଜିଉଠିଲେ । ଖତେଇ ହେଲା ପରି କହିଲେ, ଚୁଲି ଗାତ ପିଲା ହୋଇଛି ! ମଲାମୋର, କେଡ଼େ ଡାହାଣା ଟୋକାଟା ବା ! ଘର ଭିତରେ ପାଚିଆରେ ମୁଢ଼ି ରଖିଦେଇ ଆରଘରକୁ ଗଲି, ତେଣୁ ଆସି ଦେଖିଲାବେଳକୁ ପାଟିରେ ପୁରେଇଛି.....ଦି ହାତରେ ପୁଣି ଧରିଛି ଦି ମୁଠା ।

 

ତାଙ୍କ ହାତରୁ ମନୁଆକୁ ଟାଣିଆଣିଲି । କହିଲି–ପିଲାଲୋକ, ସେ କଅଣ ପର ଆପଣା ଜାଣେ ?

 

ବରଜୁ ବାବୁଙ୍କ ସ୍ତ୍ରୀ ବଡ଼ି ପାରୁଥିଲେ । କହି ଉଠିଲେ, କିଲୋ ପରଘରେ ତ କାମ କରିବାକୁ ଆସିବ, ସାଙ୍ଗରେ ପୁଣି ନେଞ୍ଜରାଟିଏ ଆଣିବ କାହିଁକି ? ବୁଢ଼ୀ ଜିମା ଦେଇ ଆସିଲୁ ନାହିଁ-? ଏମିତି ନିଉଛୁଣା ପିଲା.....ପରଘରେ ପଶି ପରଚିଜରେ ହାତ ମାରିବ ।

 

କହିଲି– ଅଜ୍ଞାନ ବାଳୁତ, ସେ ପର ଆପଣା କଅଣ ଜାଣେ ମା ?

କହିଲେ ନାଇଁ, ସେମିତି ପେଟକାବୁରା ପିଲା ଜାତିଏ ଅଛନ୍ତି । ଆମ ପିଲାଏ ପରଘର ଅମୃତକୁ ଚାହିଁବେ ନାହିଁ । ଯେଉଁ କଳାରେ ଯାହାର ଜନ୍ମ ।

 

ରାଗିକରି ମନୁଆକୁ ସେଦିନ ଦି ଚାପୁଡ଼ା ମାରିଥିଲି, କେତେ ଗାଳି ଦେଇଥିଲି । ମନୁଆ ଛାନିଆଁ ହୋଇ ତୁନି ହୋଇ ମୋ ମୁହଁକୁ ବଲ ବଲ କରି ଚାହିଁରହିଥିଲା । ବରଜ ବାବୁଙ୍କ ସ୍ତ୍ରୀ ନିର୍ଦ୍ଦୟ ଭାବରେ କହିଲେ– ଦେ ଦେ, ସେ ଡାଆଣା ପିଲାକୁ ଆଉ ଦିଟା ଥୋଇଦେ । ନିଜେ ନ ତିଆରିଲେ, ଦିନୁଦିନ ଖୋଇ ବଢ଼ିବ ଲୋ ତୁଳସୀ, ବଡ଼ ହେଲେ ବଳ ବହପ ପାଇବ ନାହିଁ । କଥାରେ ଅଛି ପରା – ନାଉ ଚୋରି, କଖାରୁ ଚୋରି, ଚୋରି ଚୋରି ବଡ଼ ଚୋରି ।

 

କିଛି ନକହି ମନୁଆକୁ କାନ୍ଧରେ ପକାଇ ଦୁମ୍ ଦୁମ୍ ହୋଇ ପଦାକୁ ଚାଲିଆସିଲି । ପଛରୁ ସେ ଡକା ଛାଡ଼ିଛନ୍ତି – ଆଲୋ ତୁଳସୀ, ଏତକ ମଡ଼େଇଦେଇ ଯା, ଖରା ଚାଲିଯିବ । ରାଗ ତମତମ ହୋଇ ମୁହଁ ଫେରାଇ କହିଲି, ନାହିଁ ଗୋ, ଡାହାଣା ପିଲାଟା ତମ ବଡ଼ି ଭିତରେ ପଶିଯିବ, ଚୋର ପିଲାଟା ତମ ଧନ ଦରବ ଚୋରି କରିନେବ ।

 

ଆଉ କହିପାରିଲି ନାହିଁ । ମନୁଆ ତାଟଙ୍ଗା ହୋଇ ମୋରି କାନ୍ଧ ଉପରେ ମୁଣ୍ଡ ନୁଆଇଁଦେଇଥାଏ । ବିରି ବଲବଲ ହାତରେ ତା ପିଠି ଧୀରେ ଧୀରେ ଆଉଁସି ଗାଁ ଦାଣ୍ଡବାଟେ ସିଧା ସିଧା ଚାଲିଥାଏ ଘରମୁହାଁ ହୋଇ । ଆଖି ଲୁହ ଭିତରେ ସଂସାରର ଆଉ କିଛି ଦିଶୁନଥାଏ ମତେ । ହାୟରେ ହତଭାଗା ବାପଛେଉଣ୍ଡ ପିଲା, ବିଧାତା ତୋ ଭାଗ୍ୟରେ ଏଇଆ ଲେଖିଥିଲା ? ଏଡ଼େ ଅଲିଅଳ ହୋଇ ଜନ୍ମ ପାଇଥିଲୁ, ବାପ ଦାଦିଙ୍କ କୋଡ଼ କାଖରୁ ଓହ୍ଲାଉନଥିଲୁ, ତୁ ପୁଣି ଆଜି ହେଲୁ ଡାଆଣା, ଚୋର । ମୁଢ଼ି ମୁଠାକ ପାଇଁ ମୋ ହାତରୁ ମାଡ଼ ଖାଇଲୁ ?

 

ସୁରଙ୍କର ବିରସ ଲୁହ, ଢଳଢଳ ମୁହଁ ଆସି ଆଖି ଆଗରେ ଉଭା ହେଲା । ତାଙ୍କ କଥା ସତେକି ମୋ କାନରେ ବାଜିଲା – ମନୁଆକୁ ମାଇଲ ନୂଆଉ, ତା’ର ନାହିଁ କଅଣ ? ବାପ ନାହିଁ ସିନା ଦାଦା ଅଛି ତ ! ଘରଦ୍ୱାର ଜମିବାଡ଼ି ସବୁ ତାର ଅଛି । ମୁଢ଼ିମୁଠାକ ପାଇଁ ପର ଘର ଡାଲାରେ ସେ ହାତ ଭରିଲା ? ତମେ ବଞ୍ଚିଛ, ତମର ଆଖି ଫୁଟିନାହିଁ !

 

ଛାତି ତଳର ଛପିଲା କ୍ରୋଧ ମୁଣ୍ଡ ଟେକିଲା । ଦୁଇ ଆଖିର ନିଆଁ ଜଳିଲା । ମନ ଉତ୍ତର ଦେଲା, କାହାପାଇଁ ଏହା ଘଟିଲାରେ ସୁରିଆ ? ମନୁଆର ବାପକୁ ମାଇଲ । ମନୁଆ ପାଖକୁ ଗଲେ ତାକୁ ବି ମାରିବ । ସେଇଠୁ ମୋ ଆଡ଼କୁ ହାତ ବଢ଼ାଇବ । ସେତକ ମୁଁ କରାଇ ଦେବି ନାହିଁ ।

 

ଆଗକୁ ଚାଲିଲି ।

ଗାଁ ସେପାଖ, ଆମ୍ବବଗିଚା କଡ଼ କିଆ ଗୋହିରୀ । ବିଲ ଭିତରୁ ବଙ୍କେଇ ବଙ୍କେଇ ବାଟ ପଡ଼ିଛି । କିଆଗୋହିରୀ ଭିତରେ ବାଟ, ଗାଁ ଦାଣ୍ଡରେ ମିଶିଛି ନଣ୍ଡା ସାହାଡ଼ା ମୂଳରେ । ମୋରି ଆଗରେ ବାଟ ଉପରକୁ ବାହାରି ପଡ଼ିଲେ ଚେମବାବୁ । ଗୋଟିଏ ହାତରେ ଧରିଛନ୍ତି କଟୁରି, ଆର ହାତରେ ଗୋଛାଏ କିଆପଟ ।

 

ତାଙ୍କୁ ଦେଖି ତର ତର ହୋଇ ଲୁହ ପୋଛିଲି । ମନୁଆ ମୁଣ୍ଡ ଟେକିଲା ।

ଚେମା’ଇ ବାଟ ଛକିଲା ପରି ଠିଆହୋଇ କହିଲେ – ଆରେ ତୁଳସୀ ଯେ, ତୋଟା ମଝିରୁ ମତେ ବାସିଲାଣି, ବିରି ବଲ ବଲ ହାତ କରି କୁଆଡ଼ୁ ଆଉଛୁ ଲୋ ।

 

କହିଲି– ବରଜୁବାବୁଙ୍କ ଘରୁ ଆସୁଛି । ପିଲାଟା ଅଝଟ ଲଗାଇଲା ଯେ ଘରେ ଛାଡ଼ିବାକୁ ଯାଉଛି ।

 

ହସି ହସି କହିଲେ, ଆଉ କାହିଁକି ଦୁଃଖଧନ୍ଦା କରୁଛୁ ? ଚହଟ ଚିକ୍‌କଣ ଚେହେରାଖଣ୍ଡ ତ ଭାଙ୍ଗିଗଲାଣି ଲୋ । ଚେମା’ଇର କଥା ଶୁଣିଲେ ବିରକ୍ତ ଲାଗେ । ରାଗିକରି କହିଲି, ବାଟରୁ ଉଠ୍ ବା, ପୋଡ଼ି ଜଳି ଯାଉ ସେ ରୂପ । ପର ଘରେ ପାଇଟି ନକଲେ ପେଟ ଚଳୁନାହିଁ, ରୂପ କଥା ମନେ ପଡ଼ିବ କେତେବେଳେ ?

 

ମୁଣ୍ଡ ହଲାଇ କହିଲେ– କାହିଁକି ଲୋ, ନଡ଼ା ବିଡ଼ାଏ କଅଣ ତତେ ମିଳୁ ନାହିଁ ଯେ ଏତେ କେଷ୍ଟ ସହୁଛୁ । ତେଣେ ସେ ଅରୁଆ ଖାଇ ଅନେଇ ବସିଛି । କେଡ଼େ ଛଟପଟ ହେଉଥିବ ।

 

–କିଏ ବା ସେ, ତା ମୁହଁରେ ନିଆଁ ଦେବାକୁ ନଡ଼ା ବିଡ଼ାଏ ମିଳିବ ଯେ ।

–ଆହା ହା, ଏଇଥି ପାଇଁ ଏତେ କଥା କରିଥିଲା ସେ ସୁର ? ସବୁ ତ କଲା, ଆଉ ଟିକିଏ ବାକି ରଖିଲା କାହିଁକି ?

 

ଚେମା’ଇ, ସୁଖ ସଂସାର ମୋର ଜଳିପୋଡ଼ି ପାଉଁଶ ହୋଇଛି । କଟା ଘାଆରେ ଲୁଣ ଛିଟା ମାରି ମୋ ମନକୁ ଆଉ କଦର୍ଯ୍ୟ କରୁଛ କାହିଁକି ? ଲୋକେ ଯାହା କହୁଛନ୍ତି, ସତ ହେଉ ମିଛ ହେଉ, ମତେ ମାନିନେବାକୁ ପଡ଼ୁଛି । ସେଥିପାଇଁ ଅପବାଦକୁ ଡରି ମୁଁ ଦୂରେଇ ରହୁଛି, ଦୂରେଇ ରହିବି । ହାତ ଗୋଡ଼ ଚଳୁଥିବା ଯାଏ ନିଜ ଶିଙ୍ଗରେ ମାଟି ଖୋଳୁଥିବି ।

 

–ମଣିଷଙ୍କର ତୁଣ୍ଡ ଯେଡ଼େ ଟାଣ, ଶିଙ୍ଗ ସେଡ଼େ ଟାଣ ନୁହେଁ ଲୋ, କେତେ ଶିଙ୍ଗ ତ ଭାଙ୍ଗିଯାଇଛି । ଆଗରୁ ବାଟ କାଟ୍ କହୁଛି ତୁଳସୀ, ଯଦି ଭଲ ଦଶା ଅଛି । ନୋହିଲେ ଏଇ ଚେମା ପରି ସାରା ଜୀବନ ଡହଳ ବିକଳ ହୋଇ ମରିବୁ । ଗଛ ଡାଳରେ ପାକଲା ଆମ୍ବ ଦେଖୁଥିବୁ, ତଳେ ଠିଆହୋଇ ଓଠ ଚାଟୁଥିବୁ, ଚାଟୁଥିବୁ.....

 

ଚେମା’ଇ ବାଟରୁ ଆଡ଼େଇଗଲା । ତା ମୁହଁରେ ଅତୃପ୍ତିର ଯେଉଁ ଛାଇ ଦେଖିଲି ବାଟ ଭାଙ୍ଗି ଯାଇପାରିଲି ନାହିଁ । ତଳକୁ ମୁହଁ ପୋତି ଧୀରେ ଧୀରେ କହିଲି, ଚେମା’ଇ…..

 

ଅଟକିଯାଇ ସେ କହିଲା– ଆଉ ଚେମା’ଇ କଅଣ ? ଚେମା କଅଣ ନଡ଼ା ବିଡ଼ାରେ ତୋ ପାଖେ ବସିବ କିଲୋ? ମୋର ଗୋରୁ ଖାଇବାକୁ ନଡ଼ା ନାହିଁ । କହିବୁ ଯେବେ ସେଇ ଆମ୍ବମୂଳ କିଆବାଡ଼ ସେପାଖେ ଏଇ କିଆପଟ ଗୋଛାକ ଉପରେ ପିଲାଦିନ ପରି ତୋ ହାତ ଧରି ବସିପଡ଼ିବି । ମୁଁ ହେବି ବର, ତୁ ହେବୁ କନିଆଁ । ଆନନ୍ଦରେ । ସପନ ଦେଖିବା, ଖାଲି ସପନ । ତୁ ହେବୁ କନିଆଁ, ମୁଁ ହେବି ବର । ସପନରେ ଘର, ସପନରେ ସଂସାର । କେଡ଼େ ମଜା ହେବ ! ତୁଳସୀ, ମୋର ସଂସାର ସପନର କାଉଁରୀ ଦେଶରେ । ସେଠି ସୁନା କାଠି ରୂପା କାଠିର ଖେଳ । ଏତିକି କହି ହସି ହସିକା ଚେମା’ଇ ଚାଲିଗଲା । ଥରେ ହୋଇ ଫେରି ଚାହିଁଲା ନାହିଁ ।

 

ସବୁ କଥା ଭୁଲି ତା’ରି କଥା ଭାବି ଭାବି ଘରକୁ ଫେରିଲି । ସତରେ, ସପନ ତାର ସର୍ବସ୍ୱ । ଡହଳବିକଳ ଜୀବନ ଭିତରେ ତାର ମନଗଢ଼ା ଆନନ୍ଦ ସବୁଠୁଁ ବଡ଼ ।

 

ସେଇଦିନୁଁ ଯେବେ ଯୁଆଡ଼େ ଯାଏ, ମନୁଆକୁ ସାଙ୍ଗରେ ନିଏ ନାହିଁ । ପରଘରେ କାମ କରିବାକୁ ହେଲେ ଭଲରେ ମନ୍ଦରେ ପରଙ୍କଠାରୁ ପାଞ୍ଚକଥା ଶୁଣିବାକୁ ହୁଏ । ଦେହ କାଠ କରି ସବୁ ସହିବାକୁ ପଡ଼େ । ଇଚ୍ଛା ନଥିଲେ ମଧ୍ୟ ଅନ୍ୟ ମୁହଁରେ ହସ ଦେଖି ଓଠରେ ନକଲି ହସ ଆଣିବାକୁ ହୁଏ, ପର ଦୁଃଖରେ ମୁହଁ ଶୁଖାଇ ସହାନୁଭୂତି ଦେଖାଇବାକୁ ପଡ଼େ ।

 

ବେଳେବେଳେ ମନେପଡ଼େ, ଆମର ଏହି ଛୋଟ କୁଡ଼ିଆଖଣ୍ଡି ଟିମବାବୁଙ୍କ ପାଖରେ ବନ୍ଧା ପଡ଼ିଛି । ସୁଧ ଓ ମୂଳଧନ ପରିଶୋଧ କରି ଘରଟିକୁ ମୁକୁଳାଇବା ସମ୍ଭବ ନୁହେଁ । ପରଘରେ ପାଇଟି କରି ଯାହା ରୋଜଗାର କରେଁ, ତିନି ପ୍ରାଣୀ କୁଟୁମ୍ବର ପେଟକୁ ଅଣ୍ଟେ ନାହିଁ । ଦେହ ଘୋଡ଼ାଇ ଆତଯାତ ହେବାକୁ ଲୁଗା ଖଣ୍ଡେ କିଣିବା ତ କାଠିକର ପାଠ, ଧନ ସଞ୍ଚୟ କରି କରଜ ଶୁଝିହେବ ନାହିଁ । କାଲି ଯଦି ଟିମବାବୁ ଧନ ମାଗିବେ, ନଦେଲେ ଘର ଛାଡ଼ି ଚାଲିଯିବାକୁ ଆଦେଶ ଦେବେ । ମୁଁ କି ବୁଦ୍ଧି କରିବି ?

 

ଛାତିରେ ଛନକା ପଶେ । ଦଶଦିଗ ଅନ୍ଧାର ଦିଶେ । ବୁଢ଼ୀ ମା ଓ ପିଲାଟିକୁ ଧରି ମୋତେ ଘର ରାସ୍ତା ଉପରକୁ ଯିବାକୁ ପଡ଼ିବ । କାହାରି ପାଟିରୁ ଆହା ବୋଲି ପଦେ ବାହାରିବ ନାହିଁ । ଏ ଦୁନିଆ କାହାରିକୁ ଅନାଇ ବସିବ ନାହିଁ ।

 

କି ଉପାୟ କରିବି ?

ଆଖି ଆଗରେ ଠିଆ ହୁଏ ସ୍ୱାମୀଙ୍କର ଘର । ସେଇଠି କେଡ଼େ ଆନନ୍ଦରେ ଚାରୋଟି ବର୍ଷ କଟିଥିଲା ! ପ୍ରତି ଘାସ ପତ୍ରର ଦେହରେ ସୁଦ୍ଧା ମୋ ହାତର ପରଶ ଲାଗିଥିଲା ! ଗର୍ବ ଆସୁଥିଲା ମନରେ, ମୋର ଘର, ମୋ ଗଛ ବୃକ୍ଷ । ମୋ ଗେରସ୍ତ, ମୋ ଦିଅର । ସେ ଗର୍ବ ମୋର ଭାଙ୍ଗିଛି । ସେ ଆନନ୍ଦ ସରିଛି । ଏ ଜନ୍ମରେ, ଏ ଜୀବନରେ ଆଉ ପାଇବି ନାହିଁ ।

 

ମୋ ସ୍ୱାମୀଙ୍କର ଘର ଆଜି ବି ମୋ ପାଇଁ ମୁକୁଳା; କିନ୍ତୁ ତେଣିକି ଚାହିଁବାକୁ ମନ ହୁଏ ନାହିଁ । ଲୁହରେ ଆଖି ଭରିଯାଉଛି, ସବୁ ଝାପ୍‌ସା ଦିଶୁଛି । ସେଇ ଝାପ୍‌ସା କୁହୁଡ଼ିଆ ଅନ୍ଧାର ଭିତରେ ଯାହାଙ୍କର ହସ ହସ ମୁହଁର ଛାଇ ଅଷ୍ପଷ୍ଟ ହୋଇ ଦେଖାଯାଉଛି, ତାଙ୍କୁ ତ ପାଇବି ନାହିଁ । ଆଉ ଜଣଙ୍କର କଲବଲ ଲାଳସା ମୋତେ ଗ୍ରାସିବାକୁ ସେଠାରେ ଛଟପଟ ହେଉଛି । ତାର ଆଖିରେ ଆଗ୍ରହର ନିଆଁ ଜଳୁଛି । ମୋର ସବୁ ଟାଣପଣ ଜାଳିପୋଡ଼ି ପାଉଁଶ କରିବ । ସେଇ ସେ ଭ୍ରାତୃହନ୍ତା ସୁର, ଥରିଲା ହାତ ଦିଓଟି ମୁକୁଳା କରି ମୋର ଏଇ ଦେହଟାକୁ ନିଜର କରିବାକୁ, ବାନ୍ଧିରଖିବାକୁ ସେ ଚକ୍ରାନ୍ତ କରିଛି । ଏଥିପାଇଁ କେଉଁ କୌଶଳରେ ମୋ ଜୀବନ ସଙ୍ଖାଳି ମନୁଆର ଅନିଷ୍ଟା କରିବାକୁ ସେ ପଛାଇବ ନାହିଁ । ସ୍ୱାମୀଙ୍କ ଘରକୁ ଯିବାକୁ ମନ ହେଉ ନାହିଁ ।

 

ଏଇଠି ରହିବି । ଦୁଃଖ କଷ୍ଟ ଆସୁ, ରହିବାକୁ ହେଲେ ସହିବାକୁ ହେବ । ଦୁନିଆର ଝଞ୍ଜା ମୁଣ୍ଡ ଉପରେ ବହିଯିବ । ଡେଙ୍ଗା ଗଛର ମୁଣ୍ଡ ସିନା ଭାଙ୍ଗିପଡ଼ିବ – ଯେ ସାନ, ଯେ ନୁଆଁଣିଆ, ଯାହାର ମୁଣ୍ଡ ନଇଁ ନଇଁ ମାଟିରେ ମିଶିଯିବ, ସେ ଭାଙ୍ଗିବ ନାହିଁ । ଭାଙ୍ଗିବାର କଷ୍ଟ ସହିବ ନାହିଁ ।

 

ଭାବେଁ, ଭାବନାର ଗୋଲକଧନ୍ଦାରେ ଆଉ ଭ୍ରମିବି ନାହିଁ । ସବୁ ଭୁଲି, କାମରେ ଲାଗିବି-। ମୋ ପରି କେତେ ଦୁଃଖୀ, ଦରିଦ୍ର, ମୂଲିଆ, ସଂସାରର ଦୁଃଖକଷ୍ଟ ଭୁଲି କାମର ଆନନ୍ଦରେ ମଜ୍ଜି ରହିଛନ୍ତି, କାମର ଆନନ୍ଦରେ ଶେଷ ନିଶ୍ୱାସ ହଜାଇଦେଇଛନ୍ତି ।

 

ଆଗରେ ଦିଗହଜା ଗହୀର । ପାଚିଲା ଧାନକ୍ଷେତର ଧୂସର ଶୋଭା । ସକାଳର ସୁନେଲି ଆଲୁଅରେ ଚିକ୍ ଚିକ୍ ଦିଶୁଛି । ଥିରି ପବନରେ ମୁଣ୍ଡ ହଲାଇ ଦୋହଲି ଦୋହଲି ନିମନ୍ତ୍ରଣ କରୁଛି । ଲକ୍ଷେ ମୂଲିଆର ହାତଯଶ, ଲକ୍ଷେ ମୁଲିଆର ଦେହଝାଳରେ ବଢ଼ି ଉଠିଛି । ତା’ରି ମଝିରେ କାମ କରି ଗତ ଆଗତ ଭୁଲିଯିବି ।

 

ଧୀରେ ଧୀରେ ଟିମ ବାବୁଙ୍କର ଟଙ୍କା ଶୁଝିଦେବି । ତେଣିକି ନିଶ୍ଚିନ୍ତ ହେବି, ସ୍ୱାଧୀନ ହେବି । ମନରେ ଦକ ନଥିବ । ପିଲାଟିକୁ ମଣିଷ କରିବାକୁ ମନ ପ୍ରାଣ ଢାଳିଦେବି ।

 

ମନୁଆ ମୋର ମଣିଷ ହେବ, ପାଞ୍ଚଟାରେ ଜଣେ ହୋଇ ଦାଣ୍ଡରେ ମୁଣ୍ଡ ଟେକି ଚାଲିବ-। ମନୁଆ ମୋର ବଡ଼ ହେବ ।

•••

 

୧୫

 

ରାଜୁବାବୁଙ୍କ ଘରେ ସକାଳ ପହରୁ ମାଣ୍ଡିଆ ପେଷୁଥିଲି । ଅଣ୍ଟା ପିଠି ଲାଗିଯାଇଥିଲା । ଗାଧୁଆବେଳେ ଫେରିଲି । ପୋଖରୀରେ ଗାଧୋଇ ଆସିଲି । ଗତ ରାତିରେ ବାସି ମାଣ୍ଡିଆଜାଉ ଅଧକଂସାଏ ଅନାବନା ଶାଗଖରଡ଼ା ଲଗାଇ ଖାଇଲି । ମନୁଆକୁ କୋଡ଼ରେ ପୂରାଇ ଶୋଇଲି । ଛାଇନିଦ ମାଡ଼ିଆସୁଥିଲା, ବୋଉର ଡାକ ଶୁଣି ନିଦ ଭାଙ୍ଗିଲା । ଧୀରେ ଧୀରେ ଉଠି, ମନୁଆ ଉପରେ କନ୍ଥା ଖଣ୍ଡି ଘୋଡ଼ାଇଦେଇ ପିଣ୍ଡାକୁ ଆସିଲି ।

 

ବୋଉ ଦୁଆରେ ଗୋବର ଚକଟି ଘସି ପାରୁଥିଲା । ଛାଇ ଲେଉଟ ବେଳ । ସେ ମୋ ଆଡ଼କୁ ନଅନାଇ କହିଲା, କାଲି ପରା ହାଟକୁ ଯିବୁ କହୁଥିଲୁ, ପରିବାପତ୍ର କିଣି ରଖିବୁ ନାହିଁକି ?

 

କହିଲି– ବୋଉ ମ, ତୁ ଥା କି ମୁଁ ରାଜିବୋଉ ଖୁଡ଼ୀ ଘରୁ ଆସେଁ । ମିଛଟାରେ ମନ ଦୁଃଖ କରି ସେ ରହିଛି । ହାଟକୁ ଯାଉଛି, ଦେଖା ହେଲେ ପାଟି ଫିଟାଉନାହିଁ । ମୁହଁ ବୁଲାଇ ଅନ୍ୟ ରାହା ଧରି ଯାଉଛି ।

 

ବୋଉ କହିଲା– ଏତେ ମନରଖା କାହିଁକି ବା ? କଣ୍ଟାବାଡ଼ରେ ଲୁଗା ପକାଇ କଜିଆ କରିବା ତା ଖୋଇ । ତୋ ଗୋଡ଼ରେ ତୁ ଯିବୁ, ତା ଗୋଡ଼ରେ ସିଏ ଯିବ । ଏଥିକି ତା ଗୋଡ଼ ତଳକୁ ତୁ ଦଉଡ଼ିଯିବୁ କାହିଁକି ?

 

ବୋଉ କଥା ମୁଁ ଭାବିଲି । ସତରେ ତ, ଭଲ କଥା କହିଲେ ଯଦି ସେ ସଲ ବୁଝିଲା ? ସେ ତାର ଆନ୍ ନେଇ ଥାଉ । ନୂଆ ନୂଆ ସିନା ଡର ମାଡ଼ୁଥିଲା ବୋଲି ସାଙ୍ଗ ଖୋଜୁଥିଲି, ଏଣିକି ଯିବା ଆସିବାରେ ଅଭ୍ୟାସ ହୋଇଗଲାଣି । କହିଲି, ସତ ଲୋ ବୋଉ, ତା ଘରକୁ ମୋର ଯିବା ଦରକାର ନାହିଁ ।

 

ମାଧିଆ, ଟିମା ବାବୁଙ୍କ ଚାକର, ପଚାଶ ସେପାଖ ବୟସ, ସେତିକିବେଳେ ବିଲ ଆଡ଼ୁ ଆସି ପହଞ୍ଚିଲା । କହିଲା– ଆଲୋ ତୁଳସୀମା, ବାବୁ ତତେ ଡକାଇଛନ୍ତି । ତୁ ନଇଲେ ତୋ ଝିଅ ସଞ୍ଜ ଆଗରୁ ଯାଇ ଦେଖା କରିବ । ଜରୁରି କାମ ଅଛି ।

 

ବୋଉ ପଚାରିଲା– କି କାମ ଅଛିରେ ମାଧିଆ, କିଛି କହି ନାହାନ୍ତି ? ବାବୁ ତ ଏମିତି କେବେ ଡକାନ୍ତି ନାହିଁ ।

 

ବୋଉ ହାତ ଧୋଇ ପିଣ୍ଡାକୁ ଆସିଲା । ମାଧିଆ କହିଲା, କାମ ନା କାମ, ମୁଁ କି ଜାଣେଁ, ଯାହା କହିଲେ ମୁଁ ସେଇଆ କହିଲି । ଯାଉଛି ।

 

ମାଧିଆ ଫେରୁଥିଲା । ପଛରୁ ଡାକିଲି, ଶୁଣ ମ ।

ମୁହଁ ନଫେରାଇ ହାତ ହଲାଇ କହିଲା– ଶୁଣିବାକୁ ମୋର ତର ନାହିଁ ଲୋ । ରାଜିଆର ଦିଟା ଗାଈ ଖାଉଁଦଙ୍କ ଶାଗ ପଟାଳି ଚକଟି ମନ୍ଥି ନଷ୍ଟ କରିଛନ୍ତି । ତାଙ୍କୁ ବାନ୍ଧି ଆଇଛି ଲୋ, ଗଲେ କାଞ୍ଜିଆହୁଦାକୁ ନେବି ।

 

ମାଧିଆ ଚାଲିଗଲା । କେଜାଣି କାହିଁକି ବଲ ବଲ କରି ବୋଉ ମୋ ମୁହଁକୁ ଅନାଇ ରହିଲା ।

 

ଥଙ୍ଗେଇ ଥଙ୍ଗେଇ ପଚାରିଲି, କଅଣ ଭାବୁଛୁ ବୋଉ ?

ମୁଣ୍ଡର ଫର୍‌ଫର୍ ବାଳ କେରାକରେ ହାତ ମାରି ହାଲୁକ୍ ଶୁଖେ । ସେଇଥି ପାଇଁ ଡରରେ ତାଙ୍କ ଘର ଆଡ଼େ ବେଶି ଯା ଆସ କରେ ନାହିଁ । ଦୂରରେ ଦେଖିଲେ ବାଟ ଭାଙ୍ଗି ଲୁଚି ଲୁଚି ପଳାଏ – କାଳେ ଟଙ୍କା କଥା କହିବେ ।

 

ମନରେ ସାହସ ଆଣି କହିଲି, ଏଥିକି ଡର କାହିଁକି ? ପାରିଲେ ଟଙ୍କା ଶୁଝିବା, ନପାରିଲେ ଘରଡିହ ଖଣ୍ଡି ନେବେ । ତା ବୋଲି ତ ସେ ଆମ ମୁଣ୍ଡ କିଣିନାହାନ୍ତି ।

 

ଯଦି ସେ ସେଇଆ କରନ୍ତି ?

କଲେ ତେଣିକି ଯେମିତି ଭଲ ଦିଶିବ କରିବା । ଦେହରେ ବଳ ଥିବାଯାଏ, ମନରେ ସାହସ ଥିବାଯାଏ ଅବସ୍ଥା ସଙ୍ଗେ ଲଢ଼ିବା, ନପାରିଲେ ତେଣିକି ବିଚରିବା ।

 

ତେଣିକି ଆଉ କଅଣ ? ମତେ ଚାରିଆଡ଼ ଅନ୍ଧାର ଦିଶୁଛି । ତେବେ ଗୋଟାଏ କଥା ଭାବିଛି । ଯଦି ତୋ ମନକୁ ଆସେ.....

 

–କି କଥା ଭାବିଛୁ ?

କଅଣ କି ମୁଁ କହୁଛି, ତୁ ଯଦି ସୁର ସଙ୍ଗେ ରହି ନପାରିବୁ, ଗୋଟିଏ କଥା କର୍ । ଯେଉଁ ସମ୍ପତ୍ତି ସୁର ଭୋଗ କରୁଛି ତାକୁ ସେ ଏକା କମେଇ ନଥିଲା । ତୋ ଗେରସ୍ତର ସେଥିରେ ଅଧେ ଭାଗ ଅଛି । ମନୁଆ କାହିଁକି ଦାଣ୍ଡରେ ଠିଆ ହେବ ? ଚାଲ୍ ଯିବା, ପାଞ୍ଚ ଲୋକଙ୍କୁ ବସାଇ ଘରଡିହ ଜମିବାଡ଼ି ଦିଭାଗ କରାଇନେବା । ତୁ ଯେବେ ଅନ୍ୟ ସଂସାର ନକରିବୁ ତ ନାହିଁ, ତୋର ଶଶୁର ଗେରସ୍ତଙ୍କ ଡିହରେ ରହି ଦୁଃଖ ଧନ୍ଦା କରି ଚଳିବୁ । ଟିମବାବୁ ଏବେ ଏ ଡିହଟା ନିଅନ୍ତୁ ।

 

ବୋଉ କଥା ଭାବିଲି – ସତେ ତ । ମୁଁ ଆଣ୍ଟ କରି ବସିବି ବୋଲି ମନୁଆ କାହିଁକି ଦୁଃଖ ଭୋଗିବ ? ପରଘରେ ପର ପିଲାର ଭୋଗେଇରେ ମୁଢ଼ି ଗଣ୍ଡାକ ପାଇଁ ହାତ ପୂରାଇ ଚୋର ହେବ, ଡାଆଣା ହେବ ?

 

ଏଇକଥା ତ ସୁର ଦିନେ କହିଥିଲେ । କେଡ଼େ ଜୋର୍‌ରେ ତାଙ୍କ ମୁହଁ ଉପରେ କହିଥିଲି– ରଖ ତମର ସମ୍ପତ୍ତି, ତମ ଘରେ ତମ ଗାଁରେ ଗୋଡ଼ ଦେଲେ ମୋର ପାପ ହେବ, ମନ ଜଳିଯିବ । ଆଜି କେଉଁ ମୁହଁରେ ପୁଣି ସେ ଗାଁରେ ଗୋଡ଼ ଦେବି ? କେଉଁ ମୁହଁରେ ତାଙ୍କ ଘରକୁ ଲାଗି ଆର ଘରେ ରହିବି ? ଯେଉଁ ତୁଣ୍ଡ ବାଇଦକୁ ଡରି ରହିଥିଲି, ପୁଣି ସେ ବାଇଦ ମୁହଁରୁ ମୁହଁ ଡେଇଁ ବୁଲିବ । ରକ୍ତ ମାଂସର ଦେହ ଧରି ସହିବି କିପରି ? ବାଟରେ ମୁଣ୍ଡ ଟେକି ଚାଲିବି କେଉଁ ସାହସରେ ? ଲୋକଙ୍କ ତୁଣ୍ଡରେ ହାତ ଦେଇପାରିବି ନାହିଁ । ଜଣ ଜଣ କରି ସମସ୍ତଙ୍କ ଆଗରେ ଗୋଡ଼ ଭାଙ୍ଗି ଠିଆ ହୋଇ ନିଜ ସ୍ୱଭାବ ଚରିତ୍ର ଭଲେଇ କରିପାରିବି ନାହିଁ ।

 

କହିଲି– ବୋଉ, ଯେଉଁଠି ସୁରିଆ ମୋର ଗେରସ୍ତକୁ ମାରିଛି, ମୁଁ କିପରି ଯାଇ ସେଠି ରହିବି ? କିପରି ଛାତିର କୋହ ଆଖିର ଲୁହ ସମ୍ଭାଳି କାମରେ ହାତ ଦେବି ? ଗଛପତ୍ର, କାନ୍ଥବାଡ଼, ଆକାଶ ପବନ ସବୁଥିରେ ତାଙ୍କର କାନ୍ଦିଲା ମୁହଁ ମତେ ଦିଶିବ ।

 

ଆଖିରେ ଲୁହ ଭରିଗଲା । ଆଖି ପୋଛି ପୁଣି କହିଲି– କେମିତି ଧଇର୍ଯ୍ୟ ଧରିବି କହିଲୁ-? ହଁ, ଆଜି ଯଦି ଅନ୍ୟ ସଂସାର କରନ୍ତି, ଅନ୍ୟର ଘରକୁ ଯାଇ ତାର ଭଲମନ୍ଦ, ସୁଖଦୁଃଖରେ ନିଜକୁ ହଜାଇଦେଇ ପାରନ୍ତି, ତେବେ କେଜାଣି ତାଙ୍କର ଲୁହଧୁଆ ମୁହଁ ନୂଆ ସଂସାରର ଜଞ୍ଜାଳ ଭିତରେ ହଜିଯାଆନ୍ତା ।

 

ବୋଉର ଶୁଖିଲା ଓଠର ଦରହାସ । ଲୁହ ଢଳ ଢଳ ଆଖିରେ ମୋ ଓଠ ଧରି କହିଲା, ସେଇଆ କର୍ ଲୋ ମା, ମରିବା ଆଗରୁ ତୋର ସୁଖ, ତୋର ଆନନ୍ଦ ଦେଖିଯାଏ । ଭଙ୍ଗା ସଂସାର ତୋର ଆଉ ଥରେ ଯୋଡ଼ିହୋଇଯାଉ । ତୋ ଶୁଖିଲା ମଉଳା ମୁହଁରେ ହସ ଦେଖି ମୋ ଦିନକାଳ ସରିଯାଉ । ମା ମୋର, ସୁନା ମୋର, ଏଇ କୋଳର ଟିକି ଛୁଆଟିଏ ତୁ, ତୋରି ମୁହଁ ଦେଖି, ତୋରି ସୁଖ ଦେଖିବି ବୋଲି କେତେ ଦୁଃଖ କଷ୍ଟ ସହି ବଞ୍ଚିରହିଛି । ଲୋକନିନ୍ଦା, ତୁଣ୍ଡ ବାଇଦକୁ କାନ ଦେଇନାହିଁ ।

 

ମୋର ମୁଣ୍ଡକୁ ତା ଛାତି ଉପରକୁ ଆଉଜାଇନେଲା । ମୁଣ୍ଡ ବାଳରେ ଆଙ୍ଗୁଠି ଖେଳାଇ କହିଲା– ସୁରଠି କଅଣ ନିଖ ମରିଛି ? ତାଠିଁ ଯଦି ମନ ଯାଉନାହିଁ, ତେବେ ହେଉ, ସୁରିଆ ଚୁଲିରେ ପଶୁ, ଆମର କଣ ଥାଏ ? ତୁ ହଁ କହିଲେ ନୂଆ ପାତ୍ରଟିଏ ଖୋଜି ବାହାର କରିବାକୁ ଦିନ ଚାରିଟା ଲାଗିବ ନାହିଁ ।

 

ଅନ୍ତ ଫାଡ଼ି ଜନ୍ମ ଦେଇଛି ମୋତେ, ମୋର ସୁଖଦୁଃଖ, ମୋ’ର ଭବିଷ୍ୟତ୍ ସବୁବେଳେ ଭାବି ଭାବି ମନରେ କେତେ ଦୃଶ୍ୟ ସେ ଆଙ୍କିଯାଉଛି । ସବୁ ମାଆଙ୍କ ପରି ସେ ବି ଆପଣାସାର୍ଥିକା, ଆଗ ନିଜ ପିଲାର ମଙ୍ଗଳ ମନାସିବେ, ପରେ ଅନ୍ୟ ପିଲାଙ୍କର ।

•••

 

୧୬

 

ରାମ ଲକ୍ଷ୍ମଣ ପରି ଦି’ଭାଇ । କିଏ ବଡ଼ କିଏ ସାନ ଜାଣିହୁଏ ନାହିଁ । ଭାଇଦୁହେଁ ଯେତେବେଳେ ପାଖକୁ ପାଖ ବସିଥାନ୍ତି, ମୁହଁରେ ହସ, ଆଖିରେ ଆଗ୍ରହ, ଦୁଇ ହାତରେ ଦୁଇଟି ବେଲା ଧରି ତର ତର ହୋଇ ଆସେ ଜଳଖିଆ ଦେବି । ଆଖି ପଡ଼ିଯାଏ ତାଙ୍କ ଉପରେ । ପେଟ ପୂରିଉଠେ ଆନନ୍ଦରେ, ଗର୍ବରେ । ଏଇ ମୋର ଗେରସ୍ତ, ଏଇ ମୋର ଦିଅର । ମୁଗ୍‌ଧ ଆଖିରେ ଚାହିଁରହେ ।

 

କଅଣ ଦେଖୁଛ ତୁଳସୀ ? ଏ ଦି ଜାଗାରେ କାହିଁକି ଆଣିଲ, ଏକାଠି କରିଦିଅ । ସୁରିଆ ମୋ ସଙ୍ଗେ ନବସିଲେ ମତେ ଶାନ୍ତି ଲାଗିବ ନାହିଁ, ଏକଥା ତ ତମେ ଜାଣ ।

 

ଦୁଇ ବେଲା ମିଶାଇ ଏକାଠି କଲେ । କହିଲେ– ଏମିତିରେ ସୁରିଆ, ଏ ମାଇପି ଜାତିଟା ଏମିତି ଗୋଟାଏ ବେଲାକୁ ଦି’ବେଲା କରନ୍ତି; ଗୋଟାଏ ଘରକୁ ଦି’ଘର କରନ୍ତି; ଗୋଟାଏ ମନକୁ ଫଟାଇ ଦି’ଭାଗ କରନ୍ତି । ରକ୍ତ ରକ୍ତର ମଝିରେ ହିଡ଼ବାଡ଼ ପକାନ୍ତି ।

 

ଲାଜରେ ମୋ ମୁହଁ ଜଳିଗଲା । ଅଭିମାନରେ ଆଖିରେ ଲୁହ ଭରିଲା । ମନରେ ରାଗ ଆସିଲା । ଧୈର୍ଯ୍ୟ ଧରି କହିଲି– ଛୋଟ ବେଲାରେ ହାତ ବୁଲିବ ନାହିଁ । ଅସୁବିଧା ହେବ ବୋଲି ଦୁଇ ଜାଗାରେ ଆଣିଥିଲି ।

 

ଅସୁବିଧାର ଧାରଣା ଆଗ ତମରିମାନଙ୍କ ମନରେ ପଶେ । ଆରେ ସୁରିଆ, ଗୋଟାଏ ଜାଗାରେ ଖାଇଲେ ଅସୁବିଧା ଯଦି ହୁଏ, ସେଥିରୁ ଆମେ ଶିଖୁ କଅଣ ଜାଣୁ ? ଧୈର୍ଯ୍ୟ, ପରସ୍ପରକୁ ସହିବାର ଗୁଣ ଆଉ ସହାନୁଭୂତି । ସେହି ଅସୁବିଧା ସତ୍ତ୍ୱେ ଆନନ୍ଦରେ ଓପାସ ରହିବା, ଶେଷକୁ ଆଖିବୁଜି ଦେବା ପଛେ ଦି’ଭାଗ କରିବା ନାହିଁ ।

 

ମୋର ଭୁଲ ହୋଇଗଲା । ସ୍ୱାମୀଙ୍କ ମନରେ ଦୁଃଖ ହେଲା । ସେଥିପାଇଁ ଏତେ ବଡ଼ ଦିଅର ଆଗରେ ମୋତେ ସେ ଝିଙ୍ଗାସିଲେ । ତାଙ୍କ ଆଗରୁ ଚାଲିଆସୁଥିଲି, ସେ ଡକା ଛାଡ଼ିଲେ–ଶୁଣ ତୁଳସୀ !

 

ଡରି ଡରି ପାଖକୁ ଗଲି, ଦୂରେଇ ଠିଆହେଲି । କହିଲେ, ପାଖକୁ ଆସ ।

ଗଲି ।

ମୋ ହାତଧରି କହିଲେ, ବସ ।

ତାଙ୍କର ଉଦ୍ଦେଶ୍ୟ ବୁଝିଲି । କହିଲି ନାଇଁ, ତମକୁ ପଛରେ କିଏ ଦେବ ?

 

ମୋର ମୁଣ୍ଡ ଉପରେ ହାତ ବୁଲାଇ କହିଲେ– ମନ ଦୁଃଖ କଲ ? ନାଇଁ, ମୁଁ ଯାହା କହିଲି ଠିକ୍ କଥା । ବସ, ପଛରେ ଦେବା ଦରକାର ନାହିଁ । ବସ ଆମ ସଙ୍ଗରେ । ତମକୁ ସୁରିଆ ରାଣ । ସୁରିଆ ଯେପରି ମୋ ଭାଇ ନୋହିଲେ ପୁଅ । ସୁରିଆ ରାଣଟା ତାଙ୍କୁ ଯେପରି ବଡ଼, ସେ ଭାବନ୍ତି ମତେ ବି ସେପରି ବଡ଼ ।

 

ତାଙ୍କ ସାଙ୍ଗରେ ଖାଇବସିଲି । ସୁରିଆର ପାଟିରେ ଯେପରି ଆଧାର ଦେଲେ, ଏଡ଼େ ଅଲାଜୁକ, ମୋ ପାଟିରେ ବି ସେପରି ଦେଲେ ।

 

ସେଇ ସୁର । ବୋଉ ଆଜି ତାଙ୍କର ମନ୍ଦ ମନାସି କହୁଛି । ଲୋକନିନ୍ଦା, ତୁଣ୍ଡ ବାଇଦ ଯେତେ ବଡ଼ ହେଉ ପଛେ, ମୋ ସନ୍ଦେହ ଯେତେ ଗହୀର ହେଉ, ସୁର ମୋର ଦିଅର ।

 

ତାଙ୍କରି ଗେହ୍ଲା ଭାଇ, ମନୁଆର ଦାଦି ।

ଆଖି ଉଛୁଳି ଲୁହଧାର ଗଡ଼ିପଡ଼ିଲା । ବୋଉ ଛାତି ଉପରୁ ମୁଣ୍ଡ ଟେକିଲି ।

 

ସେ ପଚାରିଲା– କାନ୍ଦଛୁ କାହିଁକି ମା, ସୁର କଥା ଯେତେବେଳେ ପଡ଼େ ତୁ କାନ୍ଦୁ କାହିଁକି-? କଅଣ ତୋର ବଳେଇପଡ଼ିଛି । ତୁ ମୋର ପିଲା ଝିଅ । ଷଠୀ କୋଡ଼ରେ ବକଟେ ମଳି ଥୋଇଛନ୍ତି ବୋଲି କେହି ଆସି କହିପାରିବେ ନାହିଁ ଯେ ମୋ ଝିଅର ବୟସ ନାହିଁ, ରୂପ ନାହିଁ । ମନ କଲେ, କାଲି ପୁଣି ନୂଆ ଘର, ନୂଆ ସଂସାର ହେବ । ପୁଣି ଷଠୀ ଦୟା କରିବେ । ଏଥିକୁ କାନ୍ଦୁଛୁ ? ତୁନି ହ ମା, ସୁର ତା’ର ସିଆଡ଼େ ଥାଉ କି ସେପୁରକୁ ଯାଉ ।

 

ଆଖି ତରାଟି ତା ତୁଣ୍ଡରେ ହାତ ଦେଇ କାନ୍ଦଣା ସ୍ୱରରେ କହିଲି– ଆଉ କିଛି କହ ନା । କହିଛି ପରା, ସୁରିଆର ନାଁ ମୋ ଆଗରେ ଧରିବୁ ନାହିଁ ! ସେ ଭଲରେ ରହୁ, ଖୁସିରେ ରହୁ, ବଡ଼ ଲୋକ ହେଉ, ମୋର କି ଥାଏ ? ନିଜ ପାପ ପାଇଁ ସେ ଯନ୍ତ୍ରଣା ଭୋଗୁ । ବଞ୍ଚିଥାଉ ।

 

ବୋଉ କହିଲା– ଥାଉ ସେ କଥା, କାହାର ଭଲ ମନ୍ଦରୁ ଆମକୁ କି ମିଳିବ ? ନୂଆଘର କରିବାକୁ ଯଦି ତୋର ମନ ବଳୁଛି ସେଇ କଥା ମତେ କହିଲେ ମୁଁ ଭଲ ପିଲାଟାଏ ଖୋଜିବି ।

 

ଲୁହଭରା ଆଖି ଆଗରେ ଚେମା’ଇର ସୁନ୍ଦର ବଳୁଆ ରୂପ ଠିଆ ହେଲା । ଆଗ୍ରହରେ ପୂରିଉଠିଲା ମନ । ପରକ୍ଷଣରେ ତା’ର ହସ ହସ ଥଟଲି କଥା ଯେପରି ଆସି କାନରେ ବାଜିଲା– ଆଲୋ ତୁଳସୀ, ମୁଁ ହେବି ବର, ତୁ ହେବୁ କନିଆଁ, ଦିହେଁ ଯିବା ଦି’ଆଡ଼େ, ସପନରେ ମୋର ଘର, ସପନରେ ମୋର ସଂସାର ।

 

ବାଧା ପାଇ ଲେଉଟିଆସିଲା ଭାବନା । ଅନ୍ଧାର ଘୋଟିଗଲା ଆଖି ଆଗରେ । ସେଇ ଅନ୍ଧାର ଭିତରେ ଦିଟା ଓଟାରିଲା ଆଖି ତେଜି ହୋଇଉଠିଲା । କେଡ଼େ ଆଗ୍ରହରେ ଚାହିଁରହିଥିଲା ମୋ ଆଡ଼େ, ମୋ ଦେହର ପ୍ରତି ଲୋମମୂଳ ଆବୋରି ରହିବାକୁ ଯେଉଁ ଆଖି ଦିଟାର ଆନନ୍ଦ ।

 

ସେଇ ଅଜଣା ବାବୁଟି, ହାଟରେ ଶହ ଶହ ଲୋକଙ୍କ ମଝିରେ ଯାହାସଙ୍ଗେ ମୋର ଚିହ୍ନା ପରିଚୟ । ଦୁଇଟି ବ୍ୟକ୍ତି ଛଡ଼ା ତୃତୀୟକୁ ଅଗୋଚର ।

 

ପୁଣି ଫେରିଆସିଲା ଭାବନା । ଆଖି ନିଆଁର ଲହଲହ ତେଜିଲା ଜିଭ ଯେପରି ଦୁନିଆ ଆବୋରା, ହାଡ଼ଭଙ୍ଗା, ଚମଥରା ମାଘ ଶୀତକୁ ଚାଟିଦେଇ ଟଳିପଡ଼େ, ସେମିତି ସେଇ ଅଜଣା ବାବୁଟିର ପଛରେ, ଦିଟା ତେଜିଲା ତେଜିଲା ରଙ୍ଗିଲା ଆଖି ମୋର ଦିହଶିହରା ଉତ୍ତେଜନାକୁ ଟାଳିଦିଏ । ସେ ବାବୁଙ୍କର ଚାକର ଟୋକା । କଳା ମିଚିମିଚି ବଳିଲା ଚିକ୍‌କଣ ବଳୁଆ ଦେହ । ଆଖିରେ ନିଆଁ, କଥାରେ ଝଡ଼, ଆଉ ପ୍ରତି ନିଶ୍ୱାସରେ ପଦାକୁ ଛୁଟିଆସେ ଦାଢ଼ୁଆ ମୁନିଆଁ ତୀର । ମନେହେଲା, ସେଇ ନିର୍ଦ୍ଦୟ କଠିନ ପାଷାଣର ଛାତି ତଳେ ଛପି ଛପି ଝରି ଝରି ବୋହିଯାଉଛି ସ୍ୱଚ୍ଛ ଶୀତଳ, କୁଳୁ କୁଳୁ ଝରଣାଟିଏ । ସେଇ ଝରଣାର ସନ୍ଧାନ କରିବାକୁ ମନ ଚଞ୍ଚଳ ହୋଇଉଠେ ।

 

ବୋଉ କହିଲା, କ’ଣ ଭାବୁଛୁ ?

ମୁହଁ ଟେକି କହିଲି, ମତେ ଆଉ ତୁ ବଳାନା । ପୁଣି ବାନ୍ଧିହୋଇ ପରର ସୁଖଦୁଃଖର ଭାଗୀ ହେବି ନାହିଁ । ପେଟର ଦାଉ ସହିହେବ, ସେ ଦାଉ ସହିହେବ ନାହିଁ ।

 

ବୋଉର ମୁହଁ ମଉଳିଗଲା । ଗଳା ଥରାଇ ସେ କହିଲା, ମୋ’ର କେଡ଼େ ବଡ଼ ଆଶା ଭାଙ୍ଗି ଚୂନା କଲୁ ତୁଳସୀ । ହଉ, ତେବେ ମୋର ଶେଷ କଥାଟି ଶୁଣୁ । ଅନ୍ୟ ସଂସାର କରିବୁ ନାହିଁ, ଶଶୁରଘର ଗାଁକୁ ଯାଇ ସମ୍ପତ୍ତିରୁ ଭାଗ ନେଇ ତୁ ସେଠି ରହିବୁ ନାହିଁ, ବେଶ୍..... ଏଥର ସୁର ଆସୁ, ତାକୁ କହିବି, ମନୁଆର ଭାଗ ସମ୍ପତ୍ତି ସେ ବିକ୍ର କରି ଯାହା ଟଙ୍କା ହେବ ସେ ଦେଇଦେଉ । ସେଇ ଟଙ୍କାରେ ଟିମ ବାବୁଙ୍କ ଦେଏଣା ଶୁଝିବୁ । ବାକି ଯଦି ଚାରିପଇସା ବଳେ ସେଥିରେ ମନୁଆ ପାଇଁ ଏଇଠି ଗୁଣ୍ଠେ କି ବିଶ୍ୱାଏ କିଣିବୁ । ତେଣିକି ତୋ ଭାଗ୍ୟ । କଅଣ କହୁଛୁ ?

 

ବୋଉର କଥା ମୋ ମନକୁ ପାଇଲା । ପଚାରିଲି ସୁରଙ୍କୁ ସେଦିନ ମୁଁ ଅପମାନ ଦେଇ ରାତି ଅଧରେ ତଡ଼ିଦେଇଥିଲି। ସେ ଆଉ ଆସିବେ ଯେ ତୁ ତାଙ୍କୁ କହିବୁ ?

 

କଅଣ କହିବାକୁ ବୋଉର ପାଟି ଖଲଖଲ ହେଉଥିଲା, ତଥାପି ସେ ପାଟି ବନ୍ଦ କରି ରଖିଲା ।

 

ମୁଁ କହିଲି– ଟିମବାବୁ କାହିଁକି ଡକାଇଥିଲେ ମୁଁ ଶୁଣି ଆସେଁ । ମନୁଆ ଉଠିଲେ ତାକୁ ତୁ ସମ୍ଭାଳିବୁ ।

 

ଛାଇ ନେଉଟିଲା । ଲୁଗା ବଦଳିଲି । ଅଲରା ବାଳରେ ତେଲ ହାତ ମାରି ଖଣ୍ଡିଆ ପାନିଆଁରେ ସଜାଡ଼ିଦେଲି । ତରତର ହୋଇ ଟିମ ବାବୁଙ୍କ ଘର ଆଡ଼େ ଚାଲିଲି ।

 

ଭାବିଲି, ସେ ଯଦି ଘରବନ୍ଧା କଥା ଉଠାନ୍ତି, ଆଉ ଦିନାକେତେ ସମୟ ଦେବାକୁ ଗୁହାରି କରିବି । ସେ ମନା କଲେ, ତା’ଙ୍କ ବୋଉଙ୍କ ଆଗରେ କହିବି, ତାଙ୍କ ସ୍ତ୍ରୀଙ୍କର ଗୋଡ଼ ଧରିବି । ସମସ୍ତେ ଯଦି ନିରାଶ କରି କହିବେ ଘରଛାଡ଼ି ଚାଲି ଯା, ତେବେ ଉପାୟ କଅଣ ?

 

ପୁଣି ଟିମ ବାବୁଙ୍କ ପାଖକୁ ଯିବି । ନେହୁରା ହୋଇ କହିବି । ଗୋଡ଼ ଧରିବି । ସେ ମୋ ହାତ ଧରି ଉଠାଇବେ । ହସି ହସି କହିବେ, ହଉ.....

 

ଯେଉଁ ଅନାଗତ ଦୃଶ୍ୟ ମୋ ମନକୁ ଆସିଲା ସେଥିରେ ମୋ ଛାତି ଥରଥର ହୋଇ କମ୍ପିଲା । ପାଦ ଅବାଟରେ ପଡ଼ିଲା ।

 

ଟିମବାବୁ ନଥିଲେ । ତାଙ୍କ ବୋଉ ପିଣ୍ଡାରେ ବସି ଆଖିରେ ଚଷମା ଦେଇ ବହି ପଢ଼ୁଥିଲେ । ମତେ ଦେଖି ବହି ବନ୍ଦ କରି ମୁହଁ ଟେକିଲେ । ହସ ହସ ହୋଇ ପଚାରିଲେ– ତୋର ତ କାହିଁକି ଦେଖା ଦର୍ଶନ ନାହିଁ ଲୋ ତୁଳସୀ, ଗାଁରେ ଅଛୁଟି ?

 

ଲାଜ ଲାଜ ହୋଇ କହିଲି– ହଁ ମା, ଗାଁରେ ଅଛି । ଦୁଃଖଧନ୍ଦା କରି ବେଳ ଯାଉଛି । ଏଣେ ଆସିବାକୁ ତର ମିଳୁ ନାହିଁ ।

 

ଆଖିରୁ ଚଷମା କାଢ଼ି ତଳେ ଥୋଇଲେ । କଅଣ ଭାବି ଭ୍ରୂଲତା ଟେକିଲେ । କହିଲେ, କପାଳ ଲୋ ମା, କପାଳଠୁ ବଳି କେହି ବଡ଼ ନାହିଁ । ଦେଖୁନୁ, ବୁଢ଼ୀଦିନେ ପାଚିଲା ବାଳରେ ମୋର ଏ ପୋଡ଼ା କପାଳରୁ ସିନ୍ଦୂର ଲିଭିଲା ।

 

ତାଙ୍କ ଶୁଖିଲା ଆଖିରେ ଲୁହ ଛଳ ଛଳ ହେଲା । କହିଲେ, କିଏ ଜାଣିଥିଲା – ରୋଗ ନାହିଁ ବୈରାଗ ନାହିଁ, ଶୂନ୍ୟରୁ କିଏ ସତେକି ଡାକିଲା, ଆଖି ପିଞ୍ଛଡ଼ାକେ ଟଳିପଡ଼ିଲେ । ଘରେ ଟିମ ଥାଏ, ମୁଁ ବସି ଗୋଡ଼ ଆଉଁସୁଥାଏଁ । ରାତି ଅଧେ, କହିଲେ ଛାତି କଅଣ ହେଉଛି, ଟିମକୁ ଡାକ ତ । ନିଦ ମଳ ମଳ ହୋଇ ଟିମ ଆସିଲା । ବାପ ପାଟିରୁ କଅଣ ସେ କଥା ପଦେ ଶୁଣିପାରିଲା ? ସେ ମୂର୍ଚ୍ଛା ହୋଇଗଲେ । ବଇଦର ଓଷଦ ପାଣି ପାଟିରେ ବାଜିନାହିଁ । ଆଲୋ ତୁଳସୀ, ମଣିଷ ଜୀବନ ପାଣିଫୋଟକା, କେତେବେଳେ କାଳ ଫୁଙ୍କିଦିଏ କେହି ଜାଣିପାରନ୍ତି ନାହିଁ ।

 

ତାଙ୍କର କଥା ଶୁଣି ମୋର ମୁଣ୍ଡ ବୁଲିଗଲା । ମେଘଘୋଡ଼ା ଆଖି ଆଗରେ ଛାଇ ପରି ଛବିଟିଏ ଉଭା ହେଲା । ସୁର ! ସେ ନିର୍ଦ୍ଦୋଷ ! ମଣିଷ ଜୀବନ ତ ପାଣି ଫୋଟକା, କେତେବେଳେ କାଳ ଫୁଙ୍କିଦିଏ କେହି ଜାଣିପାରନ୍ତି ନାହିଁ !

 

ବୁଢ଼ୀ କହିଲେ, କେତେ ଜ୍ୟୋତିଷ, କେତେ ପଣ୍ଡିତ କୋଷ୍ଠୀ ସାଧି କହିଥିଲେ, ମୁଣ୍ଡର ସିନ୍ଦୂର ଲିଭିବ ନାହିଁ, ଅହିଅ ରାଣୀ ହେବୁ । କାହାରି କଥା ରହିଲା ନାହିଁ । ଜନମ ମରଣ ବରଷା କହି ନପାରେ ପୁରୁଷା ।

 

ଧୀରେ ଧୀରେ ଯାଇ ତାଙ୍କ ପାଖରେ ପିଣ୍ଡା ଉପରେ ବସିଲି । ଆଖିରୁ ଲୁହ ପୋଛି ମୋ ଆଡ଼କୁ ଚାହିଁ କହିଲେ, ତୋର ଏମିତି କଅଣ ହୋଇଛି କି ବାର ଦହଗଞ୍ଜ ହେଉଛୁ ? କାଲି ପରି ଲାଗୁଛି । ମୋ ଆଗରେ ଲଙ୍ଗଳା ହୋଇ ଏ ଦୁଆରେ ଖେଳୁଥିଲୁ । ଦିନକେଇଟା ପାଇଁ ବସା ବାନ୍ଧିଥିଲୁ । ବସା ଝଡ଼ିପଡ଼ିଛି । ମନରେ ଦୁଃଖ କଷ୍ଟ ହେବ । କେତେ ଦିନ ? ଦୁଃଖ କଷ୍ଟକୁ ଆଖି ଲୁହରେ ଧୋଇଦେଇ ପୁଣି ନୂଆଘର କର୍‌ ଲୋ ତୁଳସୀ ! ଲୋକେ ବାର କଥା କହିବେ । କେହି ଆସି ତୋର ପିଲାଟିର ଭୋକିଲା ପାଟିରେ ଆଧାର ଦେବେ ନାହିଁ, ତୋ ଆଖିର ଲୁହ ପୋଛିବେ ନାହିଁ ।

 

ବୁଢ଼ୀ କହିବାକୁ ଲାଗିଲେ, ତୋ ମନରେ ଦୁଃଖ ଦେବା କି ତୋତେ କନ୍ଦାଇବାକୁ ମୁଁ ଏ କଥା କହୁନାହିଁ । ତୁଳସୀ, ତୁ ଆସି ମୋ ଆଗରେ ଠିଆ ହେଲୁ । ତୋର ଅଭେକା ରୂପ, ଶୁଖିଲା ମୁହଁ ଦେଖି ଛାତି ଭିତରଟା ଜଳିଲା, ନିଆଁ ତେଜିଉଠିଲା । ଆଉ ଦିନେ ତୋତେ ଦେଖିଥିଲି, ମୁଣ୍ଡରେ ତୋର ସିନ୍ଦୂର ଟୋପା ଦାଉ ଦାଉ ଦିଶୁଥିଲା । ଲକ୍ଷ୍ମୀ କି ପାର୍ବତୀ ଆସି ମୋ ଆଗରେ ଠିଆ ହେଲା ପରି ଲାଗିଲା । ପେଟ ପୂରିଉଠିଲା ।

 

କାହା ସଙ୍ଗେ ଏତେ ଗପୁଛ ବୋଉ ? ଏମିତି ଲକ୍ଷ୍ମୀ ସରସ୍ୱତୀ କିଏ ଆସି ତମ ଆଗରେ ଠିଆ ହେଉଛି ବା !

 

ମୁହଁରୁ ହାତ କାଢ଼ିଲି । ବୁଢ଼ୀଙ୍କ ପଛରେ ଟିମ ବାବୁଙ୍କର ସ୍ତ୍ରୀ ଠିଆ ହୋଇଛନ୍ତି । ତାଙ୍କ ମୁହଁରୁ ଯେପରି ରାଗ ଘୃଣା ଫୁଟିଉଠୁଛି !

 

ବୁଢ଼ୀ ପଛକୁ ଚାହିଁ ଧୀରେ ଧୀରେ କହିଲେ, ଏଇ ତୁଳସୀ କଥା କହୁଥିଲି ।

ଟିକିଏ ଭାବିଲା ପରି ହୋଇ କଇଁଛ ବେକକୁ ଲମ୍ବାଇ ଦେଇ କହିଲେ– ହଁ, ମୁଁ ଶୁଣିଛି । ଏଇ ସେ ତୁଳସୀ, ଯା ନାମରେ.....

 

ବୁଢ଼ୀ ମୁହଁ ବୁଲାଇ ଆଖି ତରାଟି କହିଲେ, ତୁନି ହ ବୋହୂ, ଲୋକେ ସଜ ମାଛରେ ପୋକ ପକାଇ କଥା କହନ୍ତି । ତୁଳସୀକୁ ତେମେ ଚିହ୍ନ ନାହିଁ । ଦେଖିଲ, କି ରୂପ ତାର କଅଣ ହେଲାଣି । ଗରିବ ଘରେ ଜନ୍ମ ହୋଇଛି, ହେଲେ ବଡ଼ଘର ଝିଅ ବୋହୂଙ୍କ ପରି ସେ ଅଲାଜୁକୀ ଫରଫରୀ ନୁହେ । ଗାଁଯାକରେ ଝିଅଟାଏ ସେ ଥିଲା, ଠାକୁରେ ତା କପାଳ ଫଟାଇଲେ ବୋଲି ଆଜି ତମ ଦୁଆରେ ସେ ବସିଛି । ବୋହୂ ଗୋ, ଦଇବ ଯାହାକୁ ସାହା ନୁହେଁ, ଆଉ କିଏ ତାକୁ ସାହା ହେବ ? ଲୋକେ ବାରକଥା କହିବେ ତ ।

 

ତମ ତମ ହୋଇ ବୋହୂ ସଞ୍ଜବତୀ ହାତରେ ଧରି ଆର ଘରକୁ ଚାଲିଗଲେ ।

ନାକ ଟେକି ଘୃଣାରେ ବୁଢ଼ୀ କହିବାକୁ ଲାଗିଲେ– ଦେଖିଲୁ ତୁଳସୀ, ବୋହୂଙ୍କର ଢଙ୍ଗ, ତାଙ୍କର କଥା । କେଡ଼େ ଅଲିଅଳି କରି ପୁଅକୁ ବଢ଼ାଇଥିଲି । ବୋହୂ ଆଣିବି ବୋଲି ଆଗ୍ରହରେ ଡୋଲିର କବାଟ ଖୋଲି ଯେମିତି ଚାହିଁଦେଇଛି, ମୂର୍ଚ୍ଛା ହୋଇ ପଡ଼ିଗଲି । ମୋରି ଟିମ କପାଳକୁ ଏମିତି ବୋହୂ । ଧନ ଦରବ ଗହଣା ଗଣ୍ଠିରେ କ’ଣ ଘର ପୂରେ କିଲୋ? ସେଇ ଯୋଉଁ ସତ୍ୟାନାଶୀ ଧାଈ ଗୋକୁଳି ମା, ସିଆଡ଼ୁ ପାଞ୍ଚଟଙ୍କା ନେଇ ମତେ ପରା ଭୁଲାଇଦେଲା ! ମିଛ ସତ କରି ୟାଙ୍କରି ରୂପ ଗୁଣ କେତେ ଗପିଥିଲା । ଛତରଖାଇ, ଯଦି ହାବୁଡ଼େ ପଡ଼ନ୍ତା !

 

ଅପ୍ରିୟ କଥା ଶୁଣିବାକୁ ଭଲ ଲାଗିଲା ନାହିଁ । କହିଲି– କାହିଁକି, ନୂଆବୋଉ କଅଣ ନାକରା କି ? ମୋ ଆଖିକୁ ତ ସେ ଭାରି ଭଲ ଦିଶନ୍ତି ।

 

କହିଲେ, ଯାହା ଆଖିକି ଭଲ ଦିଶିଲେ ସବୁ ଭଲ, ସେ ତ ଦିନେ ଶାନ୍ତିରେ ବେଳ କାଟିଲା ନାହିଁ । କଥା କଥାକେ ଝଗଡ଼ା, ତର୍କ, ବିତର୍କ, ଫୋପଡ଼ା କଚଡ଼ା, ରୁଷାରୁଷି । ଏମିତି କୁକୁର ମାଙ୍କଡ଼ ପରି କିପରି ସଂସାର କରିବେ ? କାଲି ମୁଁ ଆଖି ବୁଜିଲେ କଅଣ ହେବ ମୁଁ ଭାବିପାରୁନାହିଁ । ଯାହା ତାଙ୍କ କପାଳେ ଥିବ ।

 

ସଞ୍ଜର ଆଲୁଅ ଧୀରେ ଧୀରେ କମିଆସିଲା । ଟିମଭାଇ କାହିଁକି ଡକାଇଥିଲେ ଜାଣିପାରିଲି ନାହିଁ । ପିଲାଟା ତେଣେ ଉଠି ମତେ ନଦେଖି କାନ୍ଦୁଥିବ । ତଥାପି ଟିମ ଭାଇଙ୍କଠାରୁ ଶେଷ କଥାଟି ନଶୁଣି ଯିବାକୁ ଇଚ୍ଛା ହେଲା ନାହିଁ ।

 

ପଚାରିଲି, ଟିମଭାଇ କାହାନ୍ତି ଜେଠେଇ ?

କହିଲେ, ଏଇକ୍ଷଣି ତ ବୋହୂଙ୍କ ସଙ୍ଗରେ କ’ଣ ଲଗେଇଥିଲା । ଯେତେ ମନାକଲେ ମାନିଲେ ନାହିଁ । ଜଣେ କିଏ ତୁନି ହେଲେ ସିନା କଜିଆ ଭାଙ୍ଗନ୍ତା । ଲୁହା କୋଚଟକୁ କମାର କୋଚଟ । ରାଗ ତମତମ ହୋଇ କୁଆଡ଼କୁ ଗଲା କେଜାଣି। ତା ପାଖରେ ତୋର କ’ଣ କାମ ଥିଲା କି ତୁଳସୀ ?

 

ସେ କାହିଁକି ମୋତେ ଡକାଇଥିଲେ ।

ଉଠିଲି । କହିଲି, ଯାଉଛି ଜେଠେଈ, ପିଲାଟା ଉଠି କାନ୍ଦୁଥିବ, ଟିମଭାଇ ଆସିଲେ କହିଦେବ ।

 

ହଉ, ତୁ ଯା ।

ଆସୁଥିଲି, ଦେଖିଲି ଟିମଭାଇଙ୍କ ସ୍ତ୍ରୀ ତଳ ଖଞ୍ଜା ଢିଙ୍କି ଚାଳିରେ ବସି କଅଣ କରୁଛନ୍ତି । ସେ ପଚାରନ୍ତୁ କି ନ ପଚାରନ୍ତୁ, ଦେଖାକରି ନଗଲେ ଭଲ ହେବ ନାହିଁ । ଦେଠେଇ ଯେ ତାଙ୍କ ନାମରେ ମୋ ଆଗରେ ପାଞ୍ଚପଦ ଗପିଥିବେ, ଏ କଥା ନିଶ୍ଚୟ ତାଙ୍କୁ ଜଣା । ଗଲି ।

 

ନୂଆଉ ତୁନି ହୋଇ ବସି ଗୁଆ ଭାଙ୍ଗୁଥିଲେ । ଟିକିଏ ଦୂରେଇ ହୋଇ ବସିଲି । ମୋତେ ଦେଖି ମୁହଁ ଭୁରୁଙ୍ଗା କରି ଫୋପାଡ଼ିଲା ପରି ପଚାରିଲେ, କୁଆଡ଼େ ଆସିଛୁ କିଲୋ ?

 

ତେମେ ପରା କାହିଁକି ମତେ ଡକାଇଥିଲ, ଭାବିଲି କଅଣ କାମ ପାଇଟି ଥିବ, ଯାଏଁ ।

ହସିଲେ । କହିଲେ, ପୁଞ୍ଜା ପୁଞ୍ଜା ଚାକର ଥାଉଣୁଁ ତୋଠିଁ ମୋର କି କାମ ଲୋ ? ତୁ ଯା, ତତେ ମୁଁ ଜାଣେ ନାହିଁ କି ଚିହ୍ନେ ନାହିଁ କି ଡକାଇନାହିଁ । ଯିଏ ଡକାଇଛି ତା’ରି କତିକି ଯା ।

 

ସେ ଗୁଆ କଟା ଛାଡ଼ି ଉଠିଲେ । ଦୁମ୍‌ଦୁମ୍ ହୋଇ ଆର ଘର ଆଡ଼େ ଚାଲିଗଲେ । ମୋର ମନେହେଲା ସତେକି ସେ ମୋତେ ଗୋଇଠା ମାଡ଼ ଦେଇ ଚାଲିଗଲେ । ଲାଜରା ହୋଇ ମୁଁ ଧୀରେ ଧୀରେ ଉଠି ପଦାକୁ ଆସିଲି ।

 

ସଞ୍ଜ ଅନ୍ଧାର ଘୋଟିଆସୁଥାଏ । ଦେଠେଈଙ୍କ ତୁଣ୍ଡରୁ ଯେଉଁ କଥା ଶୁଣିଲି ମନରେ କିପରି ଗୋଟାଏ ଅଶାନ୍ତି ଅନୁଭବ କଲି । ମନରେ ଯେଉଁ କଥା ଘାଣ୍ଟି ଚକଟି ହେଉଥିଲା, ସେଇଆ ସେ କହିଲେ । ଅନୁଭବ କଥା, ମଣିଷ ଜୀବନ ପାଣିଫୋଟକା, କାଳ କେତେବେଳେ ଛପି ଛପି ଆସି ଫୁଙ୍କିଦେଇ ଯାଏ କେହି ଜାଣିପାରେ ନାହିଁ । ହସିଲା ଖେଳିଲା ମଣିଷ ନିମିଷକେ ଟଳିପଡ଼େ ।

 

ସୁରଙ୍କର ହତଶିରୀ ରୂପ ଆଖି ଆଗରେ ଉଭା ହେଲା । ଗତ ଜୀବନର କେତେ ଘଟଣା ଗୋଟି ଗୋଟି ହୋଇ ମନେପଡ଼ିଲା । ସୁରଙ୍କ ପ୍ରତି ଯେଉଁ ବ୍ୟବହାର କରିଛି ସେଥିପାଇଁ ମନରେ ଦୁଃଖ ହେଲା । ହୁଏତ ସେ ନିର୍ଦ୍ଦୋଷ, ହୁଏତ ସେ ଭାଇ ମରଣର ଦୁଃଖରେ ଆଜି ଏପରି ହତଶ୍ରୀ ଦିଶୁଛନ୍ତି । ଲୋକଙ୍କର କଥା, ତୁଣ୍ଡ ବାଇଦ ଶୁଣି ନିର୍ଦ୍ଦୋଷ ହୋଇ ମଧ୍ୟ ନିଜକୁ ଦୋଷୀ କରୁଛନ୍ତି । ମୋ ସନ୍ଦେହ, ମୋ ରାଗ ଆଗରେ ଭରସି କରି କିଛି କହିପାରୁନାହାନ୍ତି ।

 

ଦେଠେଈ ଉପଦେଶ ଦେଲେ ନୂଆ ବସା ବାନ୍ଧିବାକୁ, ନୂଆ ସଂସାର କରିବାକୁ । ସୁର ଥିବାଯାଏ ସଂସାର ମୋର ଭାଙ୍ଗିନାହିଁ । ଘର ଅଛି, ଯେଉଁ ଘରେ ସୁଖ ଆନନ୍ଦରେ ବେଳ କାଟୁଥିଲି-। ସେଇଠି ମୋରି ଆଗରେ ସୁର ଆତଯାତ ହେଲେ ହୁଏତ ସବୁ ଦୁଃଖ ଭୁଲିଯିବି । ସୁରଙ୍କ ଭିତରେ ମୋର ସ୍ୱାମୀଙ୍କର ରୂପ ଦେଖିପାରିବି । ତାଙ୍କରି ତୁଣ୍ଡରେ ସ୍ୱାମୀଙ୍କର କଥା ଶୁଣିପାରିବି । ଏକା ଧାତୁରେ ଏକା ମାଟିରେ ଦୁଇଟି ରୂପ ଗଢ଼ା । ଗୋଟିଏ ରୂପ ଭାଙ୍ଗିଯାଇଛି, ଆରଟି ତ ତାର ଛାଞ୍ଚ ! ସୁରଙ୍କ ପାଖରେ ମନୁଆକୁ ଦେଖିଲେ କେଡ଼େ ଗର୍ବ, କେଡ଼େ ଆନନ୍ଦ ଆସିବ ମନରେ ।

 

ସୁରଙ୍କ ହାତରେ ସରଗର ଚାନ୍ଦ ଦେବି କହିଥିଲି । ଛବିର ହାତଟି ଧରି ଯଦି ସେ ମୋ ଆଗରେ ଚାଲନ୍ତି ! ଛବି, ଗରିବର ଝିଅ ! ତା ଭାଇ ଅମଙ୍ଗ ହେବେ ନାହିଁ । ସୁର ସୁନ୍ଦର, ସ୍ୱାସ୍ଥ୍ୟବାନ୍ । ଆଜି ସେ ଧଡ଼ିଆ ଧେଡ଼ଙ୍ଗା ପାଗଳ କରି ହୋଇଛନ୍ତି, ହୁଏତ ମୋରିପାଇଁ, ମୋ ଦୁଃଖରେ । ମୋ ଆନନ୍ଦ ଦେଖିଲେ, ମୋ’ଠାରୁ ସାହସ ଉତ୍ସାହ ପାଇଲେ ପୁଣି ସେ ବଳିଷ୍ଠ ସୁନ୍ଦର ହେବେ । ସେ ମୋର ଅବାଧ୍ୟ ହେବେ ? ନା ନା, ସେ ଅବାଧ୍ୟ ହେବେ ନାହିଁ, କେବେ ହୋଇନାହାନ୍ତି ।

 

ବାରଚାଉଳିଆ ଚିନ୍ତା ଫଳିଲା ପରି ଲାଗିଲା । ଆମର ସେଇ ଘର, ସେଇ ବାରି, ତା’ରି ଭିତରେ ସୁର ଓ ଛବି ଆତଯାତ ହେଉଛନ୍ତି । ହାତ ଧରାଧରି ହୋଇ ଖେଳୁଛନ୍ତି, ହସୁଛନ୍ତି, କିଏ କେତେବେଳେ ଆସି ମନୁଆକୁ କାଖ କରି ନେଉଛି । ମୁହଁରେ ବୋକ ଦେଇ ଛାତିରେ ଜାକି ଧରୁଛି-

 

କାନରେ ବାଜୁଛି, ମନୁଆ ମୋ ପୁଅ ।

ହଇରେ ବାବୁ, ତୁ କାହା ପୁଅ ?

ତୋ ପୁଅ ଖୁଲୀ ।

ଚୁପ୍, ସତ କହ । କଦଳୀ ଦେବି, ଖଜା ଦେବି ।

ଦାଦି, ମୁଁ ତୋ ପୁଅ ।

 

ଛବି କୋଳରୁ ଡେଇଁପଡ଼ୁଛି ସୁର କୋଳକୁ । ଅଭିମାନରେ ମୁହଁ ଶୁଖାଇଛି ଛବି । ଅଲଗା ମୁକୁଳା ବାଳ ଦୋହଲାଇ ମନ ମାରି କଦଳୀ ଗଛକୁ ଆଉଜି ଠିଆ ହୋଇଛି ।

 

ମୁଁ ଅଛି କି ମୁଁ ନାହିଁ ଭୁଲିଯିବି, ସୁର ଛବିଙ୍କର ଖେଳରେ ନିଜକୁ ହଜାଇଦେବି । ସୁରଙ୍କଠାରେ ଅନୁଭବ କରିବି ତାଙ୍କରି ଉପସ୍ଥିତି, ଛବିର ମନ ଭିତରେ ପଶିବି ମୁଁ । ମାଟିର ପିଣ୍ଡଟା ଆତଯାତ ହେଉଥିବ । ଏଇ ତୁଳସୀର ଦେହଟା, ଆତ୍ମାଟି ଖେଳିବୁଲୁଥିବ ଛବି ଭିତରେ । ତା ଆଖିରୁ ଲୁହ ପୋଛିଦେବି । କହିବି– ଦୁଃଖ କାହିଁକି ଛବି, ଏଇ ଦେଖ୍, ଉପରେ ସୁନାଥାଳି ପରି ପୂନେଇଁ ଜହ୍ନ ହସୁଛି । ଦେଖୁଛୁ ? ସେମିତି, ଅବିକଳ ସେମିତି ଗୋଟିଏ ମନୁଆ ତୋରି ଏଇ କୋଳରେ ଜନ୍ମ ହେବ । ସୁରିଆକୁ ଛୁଆଁଇଦେବୁ ନାହିଁ ।

 

ଓଠ ଭରି ହସ ଖେଳିଯିବ । ସେଇଠି, ସେଇ ଜହ୍ନ ରାତିରେ, ମନହଜା ସ୍ନିଗ୍‌ଧତା ଭିତରେ, କଦଳୀ ଗଛର ଛାଇତଳେ, ଆଗ୍ରହରେ, ଉତ୍ତେଜନାରେ, ଛବିକୁ କୋଳ କରିବି । ତାରି ଦେହରେ ମୋ ଉତ୍ତଳା ଦେହ ମିଶାଇ ରଙ୍ଗିଲା ଓଠରେ ବୋକ ଦେବି । ଅନୁଭବ କରିବି ତାଙ୍କରି ପରଶ । ଏକା ମାଟି ଏକା ଛାଞ୍ଚରେ ଗଢ଼ା ସୁର, ଯାହାର ଆନନ୍ଦ ଉତ୍ତେଜନାର ଛାପା ଛବିର ପ୍ରତି ଅଙ୍ଗରେ ମିଶିଛି ।

•••

 

୧୭

 

ବାରଚାଉଳିଆ ଚିନ୍ତା ମୋତେ ଆନନ୍ଦ ଦେଉଥିଲା । ଅଜଣା ଅଶୁଣା ଭବିଷ୍ୟତ୍ । ତାରି ଉହାଡ଼ରେ ଅସମ୍ଭବର କଳାଭୂତ ଆଖିମିଟିକା ମାରି ଅବାଟକୁ ଆଙ୍ଗୁଠି ଦେଖାଉଛି । ତା’ରି ଆଡ଼କୁ ମନ ଧାଇଁଯାଉଥାଏ । ପୁଲକରେ ଦେହ ଶିହରିଉଠୁଥାଏ । ଦରମଲା ଯୌବନ, ମଳୟ ଛୁଆଁ ଗଛଲତା ପରି ପଲ୍ଲବିଉଠିବାକୁ, ଚେଇଁଉଠିବାକୁ ମୁଣ୍ଡ ଟେକୁଥାଏ, ପହିଲି ସଞ୍ଜର ଝାପ୍‌ସା ଅନ୍ଧାର-। ଉଲ୍ଲୁସା ଗୋଡ଼ ବାଟ ଛାଡ଼ି ଅବାଟରେ ପଡ଼ୁଥାଏ । ବୁଝିପାରିଲି ନାହିଁ – ସୁର ଛବିଙ୍କର ମିଳନ ଆନନ୍ଦର ଭାବନାରେ ମନରେ ମୋର ଉତ୍ତେଜନା ଆସିଲା କାହିଁକି ?

 

ମନରୁ ସେ ସବୁ ଭାବନାକୁ ତଡ଼ିଦେଲି । ଅନ୍ୟ ଚିନ୍ତା ଆଣିଲି । ଟିମଭାଇ ଓ ତାଙ୍କର ସ୍ତ୍ରୀ – କାହାରି ସଙ୍ଗେ କାହାରି ମନ ମିଳେ ନାହିଁ । ଅଶାନ୍ତିରେ ବେଳ କଟୁଛି । ବଡ଼ଲୋକ ଘରର ପୁଅ ବୋହୂ – ଅସୁବିଧା ଅଭାବ ଜାଣନ୍ତି ନାହିଁ । ତଥାପି ତାଙ୍କ ଜୀବନରେ ଆନନ୍ଦ ନାହିଁ । ଧନ ଦଉଲତ, ଲୋକ ପରିଚର ମଣିଷକୁ ଆନନ୍ଦ ଦେଇପାରେ ନାହିଁ । ତେବେ ଆନନ୍ଦ ଦିଏ କଅଣ ?

 

ଚାରୋଟି ବର୍ଷର ଘରକରଣା । ଦିନେ କେବେ ଦୁଃଖ ଅଶାନ୍ତି ଜାଣେ ନାହିଁ । ଅଭାବ ଅସୁବିଧା, ଉପାସ ଭୋକରେ ଦିନ କଟିଛି । ଦୁଆର ମୁହଁରେ ବାଟ ଚାହିଁ ବସିଥାଏଁ । କେତେବେଳେ ସେମାନେ କାମରୁ ଫେରିବେ । ଡେରି କଲେ ମନ ଦକ ଦକ ହୁଏ । ଦୁଇ ଭାଇ ସାଙ୍ଗ ହୋଇ, ନୋହିଲେ ଆଗପଛ ହୋଇ ଆସି ଆଗରେ ଠିଆ ହୋଇଯାନ୍ତି । ଭୋକିଲା ପେଟ ପୂରିଉଠେ । ତାଙ୍କର ଖଟଣିଝାଉଁଳା ଶୁଖିଲା ମୁହଁକୁ ଦେଖି ଛାତି ଘାଣ୍ଟି ଚକଟି ହୁଏ । ମନ ହୁଏ, ଲୁଗା କାନିରେ ତାଙ୍କ ଝାଳବୁହା ମୁହଁକୁ ପୋଛିଦେବି । ଛି, ସୁରଟା ଅଛନ୍ତି, ଏଡ଼େ ବଡ଼ ଦିଅର, କଣ ଭାବିବେ ?

 

ନୂଆଉ, ଦେଖିଲ, କେଡ଼େ କେଡ଼େ ପିଜୁଳି । ତମ ଗାଁରେ ଏମିତି ପିଜୁଳି ମିଳେ ? ଆର ଗାଁର ଭାଗି ବିଶ୍ୱାଳ ନୁହନ୍ତି, ତାଙ୍କ ତଳ ବାରିର ଗଛ । ତାଙ୍କ ଚାକର ଟୋକାକୁ ଦି ପଇସା ଲାଞ୍ଚ ଦେଇଛି । ନିଅ, ତମ ପଇସା, ଆଉ ପିଜୁଳି ।

 

ଦିନସାରା ପରିଶ୍ରମର ମଜୁରି, ପଇସା ଚାରଣା, ପିଜୁଳି ପୁଞ୍ଜାଏ, ମୋରି ଅଣ୍ଟିରେ ଅଜାଡ଼ି ଦିଅନ୍ତି । ତାଙ୍କ ଭାଇ ମଧ୍ୟ ପଇସା କାଢ଼ି ମୋ ହାତରେ ଦିଅନ୍ତି । ମନରେ ଗର୍ବ ଆସେ । ଗେରସ୍ତ ଦିଅରଙ୍କ ଦିନସାରା ଖଟଣିର ମୂଲ, ରକ୍ତ ପାଣି କରି ପଇସା ଭେଇ ଆଣୁଛନ୍ତି । ସେ ପଇସା ମୋର ।

 

ନୂଆଉ, ତେମେ ଗୋଟିଏ ପିଜୁଳି ଆଗ ଖାଇଲ, ଖା, ମୋ ରାଣ । ଆମର ସେଇ ଟିକି ପୋଖରୀ କୂଳରେ ୟାରି ମଞ୍ଜି ନିଜ ହାତରେ ତେମେ ରୋପିବ । ଆମର ପିଜୁଳି ଫଳିବ ।

 

ଆରେ, ସୁରିଆଟା ଭୋକରେ ଛଟପଟ ହେଉଛି । ତା ତଣ୍ଟି ଅଠା ଅଠା ହେଉଛି । ପିଲାଲୋକ, କହିଲି, ଗୋଟାଏ ପିଜୁଳି ଖାରେ ସୁରିଆ । ମାନିଲା ନାହିଁ । ଏଡ଼େ ଅବାଧ୍ୟ । କହୁଛି, ନୂଆଉ ନଦେଲେ କେମିତି ଖାଇବି ? ତେମେ କଣ ହାତରେ ଗୁଡ଼ ବୋଳିଥାଅ ତୁଳସୀ ?

 

ମଣିଷ ଜୀବନ ପାଣି ଫୋଟକା । କାଳ କେତେବେଳେ ଫୁଙ୍କିଦେଇ ଯାଏ, କେହି ଜାଣିପାରନ୍ତି ନାହିଁ । ସୁର ବା ଜାଣିବେ କିପରି ? ମୁଁ ହାତରେ ବାଢ଼ି ନଦେଲେ ସୁର ତୋରାଣି ଢୋକେ ସୁଦ୍ଧା ପିଇବେ ନାହିଁ । ଆଉ କେହି ଦେଲେ କି ନିଜେ ହାତରେ ବାଢ଼ି ଖାଇଲେ ଖିନ୍ ଖିନ୍ ଅଶାନ୍ତି, କି ରୂପ ହେଲାଣି !

 

ଆହା !

ଅଜାଣତରେ ଆଖିରେ ଲୁହ ଭରିଗଲା ।

 

ଚେମା ଭାଇର ପାଟି ଶୁଣି ଭାବନା ଭାଙ୍ଗିଗଲା । ତାଙ୍କରି ଘର ପାଖରେ ଗୋଡ଼ ଅଟକି ରହିଲା । ଆଗ୍ରହ ହେଲା, କାନ ପାରିବାକୁ । ବଡ଼ ପାଟି କରି ସେ କହୁଛନ୍ତି, ଆରେ ଏ ବୁଢ଼ୀଟା ଜାଳାରେ ମୁଁ ଘରେ ପଶିପାରିବି ନାହିଁ । ଆଉ କିଛି କଥାବାର୍ତ୍ତା ନାହିଁ, ଖାଲି ବାହା, ବତାସ, କନିଆଁ-! ଆଲୋ ଆଈ ହେ, ତୋ ଗୋଡ଼ତଳେ ପଡ଼ୁଛି, ମତେ ଆଉ ଦିକ୍‌ଦାର କରି ମାର୍‌ନା, ଦେଖ୍ ମୋର ଏଇ କସରା ବଳଦର ଗୋଜା ଗୋଜା ଶିଙ୍ଗକୁ । ବେଶି ବକିବୁ ତ ତୋ ପେଟ ଭୁଷେଇ ଦେବି ।

 

କବାଟ ମେଲା ଥିଲା । ଭିତରକୁ ଚାହିଁଲି । ପିଣ୍ଡା ଉପରେ ନଲଟଣ ଜଳୁଛି । ଦୁଆରବନ୍ଧ ପାଖରେ ବସିଛନ୍ତି ଚେମାଭାଇଙ୍କର ଆଈ । ଦୁଆର ମଝିରେ ସେ ବଳଦ ମୋହୁଛନ୍ତି ।

 

ଆରେ ଚେମା, ବୁଢ଼ୀ ଦିନେ କଅଣ ମୋର ବଳ ବୟସ ଆସୁଛି, ତୋରି ସେବା, ତୋରି ପାଇଁ ଅନିଭୋଗ କରିବି ? ବାପ ଖାଇଲୁ, ମା ଖାଇଲୁ, ମତେ ହେଲେ ଖାଇଦିଅନ୍ତୁ ରେ । ସତୁରୀ ବର୍ଷ ବୟସରେ ମୁଁ ଆଉ ଘାଣ୍ଟି ଚକଟି ହୁଅନ୍ତି ନାହିଁ । ବୋହୂ ଟିଏ ଘରକୁ ଆସନ୍ତା, ତା କାମ ତା’ ସଂସାର ସେ ତୁଲାନ୍ତା, କେତେ ଭଲ ହୁଅନ୍ତା ।

 

ସେ ବୋହୂଟାକୁ ଯଦି ଟାଆକୁ କରି ଗିଳିଦିଏ ? ମଣିଷ ଖାଇବା ମୋର ପ୍ରକୃତି ।

ସବୁବେଳେ ତୋର ଥଟା କଥା ମୋତେ ଭଲ ଲାଗେ ନାହିଁ । ମୋ ସାନକୁହା ମାନ୍ ।

 

ଚେମା ଭାଇ କଅଣ ଭାବି କହିଲା– ନାହିଁ ଲୋ, ଥଟା କରୁନାହିଁ । ଲୋକେ ଝିଅ ଦେବାକୁ ରାଜି ହେଉନାହାନ୍ତି । ମୁଁ ସିନା ତୋ ଆଖିରେ ପିଲା, ସଂସାର ଆଖିରେ ମୁଁ ବୁଢ଼ାଟା । ତେବେ ତ ଦୁଃଖ କର୍‌ନା ମା, ଖୋଜୁଛି, ଖୋଜୁଛି, ପାଇଲେ ଗାଈ ବାଛୁରୀ ଆଣି ତୋ ଆଗରେ ବାନ୍ଧିଦେବି । ଯଦି ନ ପାଏଁ ଭଲ ଶାଢ଼ୀ ଖଣ୍ଡେ ତୋ ପାଇଁ କିଣିଆଣିବି, ମୁଁ ବୁଢ଼ାକୁ ତୁ ବୁଢ଼ୀ ।

 

ଗାଈ ଆଣ୍‌ କି ମଇଁଷି ଆଣ, ଆଜିଠୁଁ ମୁଁ ଆଉ ତୋ ଚୁଲି ମୁହଁକୁ ଯିବି ନାହିଁ । ଉପାସ ରହିଲେ ବଳେ ବୁଝିବୁ ।ଯାଉଛି ମଶିଣା ପାରି ଲମ୍ୱ ହୋଇ ଶୋଇପଡ଼ିବି ।

 

ହଁ, ଶୁଅ ଯା, ଗମ୍ଭୀରି ଘରକୁ ଯା – ସେଇଠି ମୂଷାଟିଏ ଅଣବଣ ବିଲେଇ ମଇଳା ସଣବଣ – ତୋ ବାପା ସେଇଥିପାଇଁ ତୋ ନାମ ଦେଇଥିଲେ ଜେମାଦେଈ ।

 

ସତକୁ ସତ ବୁଢ଼ୀ କାନ୍ଥକୁ ଡେରା ହୋଇଥିବା ମଶିଣାଟି ଧରି ଉଠିଲେ । ଆଈ ନାତିଙ୍କର ରହସ୍ୟ ଦେଖି ମନରେ ମୋର ହସର ଜୁଆର ଉଠୁଥାଏ । ନିଜ କଥା ଭୁଲି, ଆଗ୍ରହରେ ଚେମା ଭାଇଙ୍କର ଖଞ୍ଜା ଭିତରକୁ ପଶିଗଲି । ଡାକିଲି, ଜେମା ଆଈ ।

 

ଜେମା ଆଈଙ୍କୁ ବେଶୀ ଦୂରରୁ ଭଲ ଦିଶେ ନାହିଁ । ପାଟି ବାରିପାରିଲେ ନାହିଁ । ପଚାରିଲେ କିଏଲୋ ତୁ ?

 

ମୁଁ ଉତ୍ତର ଦେବା ଆଗରୁ ଚେମା’ଇ ବଳଦମୁହାଁ ଛାଡ଼ି ଉଠି ଠିଆହେଲେ । ବଡ଼ ପାଟି କରି କହିଲେ– ଇଲୋ ଆଈ, ଚିହ୍ନି ପାରୁନୁ ? ସେଇ, ସେଇ ଲୋ, କନିଆଁ ମ, ଯାହା କଥା କହୁଥିଲି । କିଲୋ ତୁଳସୀ, ତୋ ବାଛୁରୀ କାହିଁ ?

 

ଜବାବ ଦେଲି ନାହିଁ । ଆଈ କହିଲେ, ସଞ୍ଜବୁଡ଼ଟାରେ ତୁ କୁଆଡ଼େ ଲୋ ପୋଡ଼ାମୁହିଁ ? ହଉ, ବସ୍‌ ବସ୍‌ ।

 

ଧରିଥିବା ସପଖଣ୍ଡି ତଳେ ବିଛାଇଦେଲେ ।

କହିଲି– ଏଇବାଟେ ଯାଉଥିଲି, ତମ ଆଈ ନାତିଙ୍କ ରହସ୍ୟ ଦେଖିବାକୁ ଆସିଲି ।

 

ଚେମା’ଇ କହିଲେ, ବେଶ୍, ଆସିଲୁ ତ ଭଲ କଲୁ । ଏବେ କଜିଆ ଭାଙ୍ଗିବାକୁ ରୋଷଇ ଘରେ ପଶିଲୁ ତୁଳସୀ, ମା ମତେ ଉପାସ ରଖିବାକୁ ଚଦୁଛି । ଯା, ଯା, ସେଠି ପୁଣି ଠିଆ ହେଲୁ କାହିଁକି ?

 

ଜେମା ଆଈ କହିଲେ, ଯାଉନୁ ଲୋ ପୋଡ଼ାମୁହିଁ, ମନେରଖିଥା ଏକା, ଆରେ ମୋ ବଡ଼ବଡ଼ୁଆ ଘରେ ପଶିବୁ ତ ଆଉ ତତେ ଏ ଘରୁ ଯିବାକୁ ହେବ ନାହିଁ ।

 

ହାତ ଧୋଇ ଚେମା’ଇ କହିଲେ, ତା ହେଲେ ତୁ ମତେ ଉପାସ ରଖିବୁ ?

ଆଈ କହିଲେ, ନଇଲେ କଅଣ ପର ଘରର ଗଲା ଆଇଲା ଝିଅ ବୋହୂଙ୍କୁ ବାଟରୁ ଧରିଆଣି କାମ କରେଇବୁ ରେ ଖଣ୍ଡିଆ ? ସେମିତି ଯଦି ସାହାସ ଅଛି, ହାତ ଧରି ବସିପଡ଼ୁନୁ । ମୋର ତ ରାଜି । ତୋର କଅଣ ଅରାଜି ହେବ ଲୋ ତୁଳସୀ, ତୋ ଚୁଲିପଶା ଦିଅର ଟୋକାଟା ମୋ ଚେମାଠୁ କୋଉଁ ଗୁଣରେ ବଳିପଡ଼ିବ ?

 

କଥାଟା ଦେହରେ ଲାଗିଲା । ଧୈର୍ଯ୍ୟ ଧରି କହିଲି, ଭାତ ମୁଠାଏ ଫୁଟାଇବା ପାଇଁ ଏତେ କଥା କାହିଁକି ପଡ଼ିଛି ଆଈ। ତେମେ ଏଇଠି ବସିଥା, ଦେଖ ନିହିମାକେ ସବୁ କରି ଦେଉଛି ।

 

ଚେମା ଭାଇ ମତେ ବଳାଇଦେବାକୁ ଆସିଲା । ଅଧବାଟରୁ ଫେରିଗଲାବେଳେ କହିଲା, ଏଥର ତୁ ଯା । ଦେଖିଲୁ ତ, ପିଲାଦିନର ଖେଳଘର ଆଜି ସତ ହୋଇଗଲା, ହେଉପଛେ ଘଡ଼ିକ ପାଇଁ ।

 

ପାଟିରୁ ବାହାରିଗଲା, ସଂସାରଟା ବଡ଼ ଖେଳଘର ନୁହେଁ କି ଚେମା’ଇ ?

ଚେମା’ଇ କହିଲା, ଖେଳଘର.....କି ଖେଳ ଘର ? ମନ ନେଇ ଫଳ ।

 

ମନୁଆର କାନ୍ଦଣା ଯେପରି ମୋର କାନରେ ବାଜିଲା । ପର ଘରେ ମୁଠାଏ ଭାତ ଫୁଟାଇଦେଲି । କୋଳଥ ଡାଲି ଟିକେ, ଜହ୍ନି ରାଇ, ବାଇଗଣ ଭରତା । ଆଈ ନାତିଙ୍କର କଜିଆ ତୁଟିଲା । ହେଲେ, ରାତି ପହରେ ହେଲା । ତର ତର ହୋଇ ଘରକୁ ବାହୁଡ଼ିଲି ।

 

ମନୁଆ ରାହାଧରି କାନ୍ଦୁଥିଲା । ତାକୁ କୋଳକୁ ନେଇ ପିଣ୍ଡାରେ ବସିଲି । ବୋଉ ଡିବିରି ଧରି ରୋଷଘରକୁ ଗଲା । କିଛି ସମୟ ପରେ ଫେରିଆସି ମୋ ପାଖରେ ବସିଲା । ମୋତେ ତିଆରି କହିଲା, ପିଲାର ମା ହୋଇ ଏତେ ନିଶ୍ଚିନ୍ତ ହେଲେ ଚଳିବକି ଝିଅ, ବେଳ ଘଡ଼ିଏ ଥିଲା ଗଲୁ ଯେ ରାତି ଆସି ପହରେ ହେଲାଣି ଫେରୁଛୁ ? ଟିମବାବୁଙ୍କ ଘରେ ଏତେ କଅଣ କାମ ଥିଲା କି ?

 

କହିଲି, ଟିମବାବୁ କୁଆଡ଼େ ଯାଇଛନ୍ତି । ଅପେକ୍ଷା କଲି । ଦେଖା ହେଲା ନାହିଁ, ଫେରି ଆସୁଥିଲି, ଜେମି ଆଈ ସଙ୍ଗେ ଦେଖା ହେଲା । ତାଙ୍କରି ଘରେ ଡେରି ହୋଇଗଲା ।

 

ଏକୁଟିଆ ଲୋକ । ପିଲାଟାକୁ ସମ୍ଭାଳିକି କି ରୋଷେଇ କରିବି..... କି କ’ଣ କହୁ କହୁ କଥା ଢୋକିନେଲା ।

 

ମନୁଆ ମୋ ଛାତିରୁ ମୁହଁ କାଢ଼ି ଓଠରେ ହାତ ଦେଇ ଗୁଲୁ ଗୁଲୁ କହିଲା, ଦା-ଦା ମା-ବ-

 

ତା ମୁହଁରେ ବୋକ ଦେଲି । ମୁଣ୍ଡ ଆଉଁସି କହିଲି, ହଁ ରେ ବାବୁ, କାଲି ତୋ ପାଇଁ ହାଟରୁ ମାଁବ ଆଣିଦେବି ।

 

ମନୁଆ ସବୁ ଜାତିର ଫଳକୁ ମାଁବ ବୋଲି କହେ । ଆଉ କଅଣ ସେ କହିଲା ମୁଁ ବୁଝିବାକୁ ଚେଷ୍ଟା କଲି ନାହିଁ । ଗେଲ କରି କହିଲି, ଯା ମା ପାଖକୁ । ସୁନାପୁଅ, ତୋ ପାଇଁ ରୋଷେଇ କରେଁ ।

 

ବୋଉ କହିଲା, ତୋର ଡେରି ଦେଖି ମୁଁ ଗଣ୍ଡାଏ ଫୁଟାଇଦେଇଛି । ପିଲାଟା ସଞ୍ଜ ପହରୁ କାନ୍ଦୁଛି । ତାକୁ କୋଳରେ ଧରିଥା ।

 

ତା’ର ତ ସେଇ ଖରାପ ଖୋଇ, ନିଦରୁ ଉଠି ମତେ ନଦେଖିବା ଯାଏ କାନ୍ଦୁଥିବ । ସେଥିକି କାହାର ବଳ ଅଛି ? ମୂଲିଆ ଘର ପିଲା, କଟାଳ କଲେ ତା କଟାଳକୁ ଚାହିଁବସିବାକୁ ବେଳ ନାହିଁ ।

 

ବୋଉ କେତେବେଳକେ କହିଲା, କଥା କଅଣ କି, ତୋର ପଛେ ପଛେ ସୁରିଆ ଆସି ପହଞ୍ଚିଲା ।

 

କିଏ ?

ସେଇ ଚୁଲିପଶା ସୁରିଆ ଲୋ । କୋଉଠି ଛପି କରି ଅନାଇଥିଲା । ଯେମିତି ତୁ ଗଲୁ, ଚିଲ ପରି ଆସି ପହଞ୍ଚିଗଲା ତ । ବାଡ଼ ପାଖରେ ଠିଆ ହୋଇ ଡାକିଲା, ମାଉସି, ମାଉସି ।

 

ତାରି ପାଟି ପରି ଶୁଭିଲା । ଅନାଇ ଦେଲି ତ, ସେ । ତୁ ନ ଥିଲାବେଳେ ମାସେ ପନ୍ଦର ଦିନରେ ଏମିତି ସେ ଆସେ । ସେଇଠି ଠିଆହୋଇ ଡାକେ । ମନୁଆକୁ ଖୋଜେ । ଦେଖେ, ଗେଲ କରେ, ଫେରିଯାଏ । ଡାକିଲେ ଭିତରକୁ ଆସେ ନାହିଁ । ଆଜି ସେମିତି ସେଇଠି ସେ ଠିଆହୋଇ ଡାକିଲା । ମୋର ଗରଜ ପଡ଼ିଛି ଶୁଣିବାକୁ ।

 

ଉଦ୍‌ବିଗ୍ନ ହୋଇ ପଚାରିଲି, ଫେରିଗଲା ?

ନିଲଠା ନିର୍ଲଜଟାଏ, ଫେରିଯାଆନ୍ତା ? କଟାଳିଆ ଭିକାରୀ ପରି ଡାକ ଛାଡ଼ିଥାଏ । ଦିଶୁଥାଏ ସତେକି ମଶାଣିରୁ ଉଠି ଆଇଚି, କି ଗୋରୁ ମାରିଚି । ଖାଲି ବେକରେ ପଘା ପକାଇ ନାହିଁ କି ତୁଣ୍ଡରେ ତିରଣ ଧରିନାହିଁ । ନଈଶୁଆ, ମୋର ଏଡ଼େ ସୁନ୍ଦର ଜୋଇଁକି ମାରିଛି ! ତୋ କଥାରେ ସିନା ପରତେ ଯାଉଥିଲି, ତା ରୂପ, ତା ଢଙ୍ଗ ଦେଖିଲେ କିଏ ବିଶ୍ୱାସ ନକରିବ ଲୋ ତୁଳସୀ ?

 

ଟିକିଏ ରହି ପୁଣି କହିଲା, ତୋ କଥା ମୋର ମନେପଡ଼ିଗଲା, ସମ୍ପତ୍ତି କଥା । ଭାବିଲି ଆଜି ତାକୁ କହିବି । କଅଣ ସେ କହିବ ଶୁଣିବି । ତାକୁ ଘର ଭିତରକୁ ଡାକିଲି । ଆସିଲା ନାହିଁ । ଖାଲି ମନୁଆକୁ ଖୋଜୁଥାଏ, ତା ପାଖକୁ ଯାଇ କହିଲି ମନୁଆ ଶୋଇଛି ।

 

କହିଲା, ମୁଁ ଏଇଠି ବସୁଛି ।

ସେଇଠି ତାଟି ପାଖରେ ବାଇଗବା ବାଡ଼ କଡ଼ରେ ବସିରହିଲା ।

କେତେବେଳ ଯାଏ ବସିଲା ବୋଉ ?

 

ଟିକିଏ ବସିଛି, ମୁଁ ଯାଇ ତା ପାଖରେ ଠିଆ ହେଲି । ସମ୍ପତ୍ତ ବାଡ଼ି କଥା ତାକୁ ସବୁ କହିଲି । ମନ ଦେଇ ଶୁଣିଲା । ଭାରି ଚାଇଁ ଲୋ, ଏମିତି କଥା କହିଲା, ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ ।

 

କଅଣ ସେ କହିଲା ।

ଓଲଟି ମତେ ସେ ପଚାରୁଛି, ନୂଆଉ ଏମିତିକୁ ସମ୍ମତ୍ତି ଦି’ଖଣ୍ଡ କରି କାଟିବାକୁ ଚାହାନ୍ତି-? ମୁଁ ହଁ କହିଲାରୁ ସେ ହସିଉଠିଲା । କହିଲା, ନାଇଁ । ସମ୍ପତ୍ତି ବାଣ୍ଟ କରିବା ଦରକାର ପଡ଼ିବ ନାହିଁ । ସବୁ ତ ମନୁଆର, ସେଥିରେ ହାତ ଦେବ କିଏ ? ସବୁ ସମ୍ପତ୍ତି ଭୋଗ କରିବ ଯେ, ଶୀଘ୍ର ଭୋଗ କରିବ ।

 

ବୁଝିଲୁ ଝିଅ, ଯେମିତି ଢଙ୍ଗରେ ସେ କଥା କହୁଛି, ଏତେ ତର୍କରେ ପଶିପାରୁନଥିଲି । ତୁ ମୋ ଆଖି ଫିଟାଇଦେଲୁ । ଚୁଲିପଶା, ଭାଇର ରକ୍ତ ଖାଇ ଆହୁରି ଆଶା କରି ବସିଛି ତୋ ହାତ ଧରି ଘରକୁ ନେବ । କାହିଁକି ? ତୋ ମନ ବଦଳିଲେ କଅଣ ପାତ୍ର ଅପୂର୍ବ ହେବେ କି ?

 

ପଚାରିଲି, ସେଇଠୁ କଅଣ କହିଲା ?

ଲୋଭ ଦେଖାଇ କହିଲା, ନୂଆଉକୁ କହିବ କାନ୍ଥ ଭିତରେ ଯେଉଁ ଘଡ଼ି ପୋତିଥିଲେ ପୂରିଗଲାଣି ।

 

ମୁଁ କହିଲି, ତାକୁ କାହିଁକି କହିବି ରେ ? ତୋ ପଇସା ତୁ ପାଣିକି ପକାଉନୁ, ନଇଲେ ଯଦି ପୂରା ସମ୍ପତ୍ତି ରଖିବାକୁ ଚାହୁଁଛୁ, ଦାଣ୍ଡ ମୂଲରେ ଭଲ ଲୋକ ଯାହା କହିବେ ସେଇଆ ତୁଳସୀକୁ ଦେଇ ଯା ।

 

କହିଲା ମୋର ପୁଣି ଗୋଟାଏ ପଇସା କଅଣ ? ସବୁ ତ ନୂଆଉର । ନୂଆଉ ଯଦି କହନ୍ତି, ସବୁ ଆଣି ଦେଇଯିବି । ମୋ ଜିମା ଦେଇ ଆସିଥିଲେ । ମୁଁ ଜଗିଛି । ସେତକ ସେ ନେଲେ ମୋ ଦକ ଯିବ ।

 

ମୁଁ କହିଲି, ତୁଳସୀ ତୋ ମୁହଁ ଚାହିଁବ ନାହିଁରେ ଖଣ୍ଡିଆ । ଯଦି ସେ ପଇସା ମନୁଆ ବାପାର ହୋଇଥାଏ, ସବୁ ଆଣି ଦେଇ ଯା । ସେ ମଙ୍ଗିଲା । ଦିନେ ଦି ଦିନ ପରେ ଆସିବ । ସେ ଯାହା ଆଣିବ ସେଥିରେ ଟିମ ବାବୁଙ୍କ କରଜ ଶୁଝିଦେବା ।

 

ବୋଉ କଥାରେ ବାଧାଦେଇ କହିଲି, ପେଟ ଜଳିବ ବୋଲି ମଣିଷ ତ ମଇଳା ଖାଇବ ନାହିଁ ? ପଇସା ସୁରିଆ ଭେଇଛି, ପଇସା ତାଆରି । ହୁସିଆର, ଯଦି ସତରେ ସେ ଆଣେ, କେବେ ରଖିବୁ ନାହିଁ । କହିବୁ, ମୁଁ ମନା କରିଛି ।

 

କାହିଁକି ଲୋ, ଏମିତି ଅଭିମାନ କଲେ ସଂସାରରେ ଚଳିହେବ ନାହିଁ । ଭଲ ମନ୍ଦ ଏକାଠି କରି ନିଜର ବାଟ କାଟିବା । ଚୋରକୁ ମାନ କରି ଖପରାରେ ଖାଇଲେ ନିଜେ ସିନା ଦୁଃଖ ଭୋଗିବୁ, ଅନ୍ୟକୁ ଦୋଷ ଦେବୁ ନାହିଁ ।

 

ସୁରିଆ କେମିତି ଚଳୁଛି, କେଉଁଠି ଖାଉଛି, କିଛି କହୁଥିଲା କି ବୋଉ ?

ତା ମନକୁ ସେ କହୁଥିଲା, ଦିନେ ଛାଡ଼ି ଦିନେ ତାକୁ ଜର ହେଉଛି । ପାଖରେ ତ କେହି ନଥାଏ, ଗାଁ ଲୋକେ ତା ପାଖକୁ ଆସିଲେ ସେ ଚିଡ଼େ । ସେଥିପାଇଁ କେହି ଯା ଆସ କରନ୍ତି ନାହିଁ । ଉପାସ ଭୋକରେ ବେଳ କଟେ । ଘୁସୁରି ହୋଇ କେବେ କେମିତି ଚାଉଳ ଗଣ୍ଡାଏ ଫୁଟାଏ ।

 

ସୁରିଆ ଆଉ କେତେ ଗପିଥାନ୍ତା ଲୋ ଝିଅ, ମନୁଆର ନିଦ ଭାଙ୍ଗିଲା । ମୁଁ ତା ପାଖକୁ ଆସିଲି । କେଡ଼େ ବହପ ଦେଖୁଛୁ ? ମୋ ପଛେ ପଛେ ସେ ଅଗଣାକୁ ଆସିଲା । ମୁଁ ଦେଖିନାହିଁ । ମନୁଆକୁ ଯେମିତି କାଖକରି ପଦାକୁ ଆଣିଲି, ସେ ହାତ ବଢ଼ାଇଲା । କହନ୍ତି ପରା, ବାର ବରଷ ମଉଳା ପୋଷେ, ଖୁଡ଼ୁତା ଦେଖିଲେ ଜଙ୍ଘରେ ବସେ । ସେମିତି ଲୋ, ସୁରିଆର ଯେଉଁ ରୂପ ହେଇଛି ଦେଖିଲେ ଆଉ ପିଲାଏ ତର୍ଚ୍ଛରେ ମୁହଁ ଲୁଚାନ୍ତେ । ଏ ପିଲାଟା ତା କୋଳକୁ ଫକ୍‌କରି ଡେଇଁ ପଡ଼ୁଥଲା, ମୁଁ ଛାଡ଼ିଲି ନାହିଁ । ତା ମନରେ କଅଣ ଅଛି କିଏ ଜାଣେ । ମନୁଆ କାନ୍ଦିଲା । ସେ ଅଣ୍ଟିରୁ କାଢ଼ି ପୁଞ୍ଜିକ ପିଜୁଳି ତା ହାତରେ ଦେଲା । କାଳେ କଣ ହୋଇଥିବ ଲୋ ମା, ପିଜୁଳି ଧିଅରେ ମନ୍ତ୍ରଯନ୍ତ୍ର କରିଥିବ, ମନୁଆ ହାତରୁ ଛଡ଼ାଇ ପିଜୁଳି ବାଡ଼ କଡ଼କୁ ପକାଇ ଦେଲି ।

 

ସୁରିଆ କହିଲା, ପିଜୁଳିର କି ଦୋଷ ହେଲା ?

ମୁଁ କହିଲି, ତୋ ହାତରୁ କିଛି ନେବାକୁ ତୁଳସୀ ମନା କରିଛି । ଯିବୁଟି ଏଠୁଁ, ତୁଳସୀ ଆସିଲେ ତୋ ଲାଗି ପୁଣି ମୁଁ ଗାଳି ଖାଇବି ।

 

ମନୁଆ କାନ୍ଦୁଥାଏ ମାମ୍ୱ ମାମ୍ୱ ହୋଇ । ତାକୁ କାନ୍ଧରେ ପକାଇ ମୁଁ ସିଆଡ଼କୁ ବାହାରିଗଲି । କେତେବେଳଯାଏ ଏଇ ଅଗଣାରେ ଠିଆ ହୋଇ ରହିଲି । ମତେ ପାଟି ନଫିଟାଇ ତା ମନକୁ ଚାଲିଗଲା । ମୁଁ ଆସି ପିଣ୍ଡାରେ ବସି ମନୁଆକୁ ବୁଝାଉଛି, ପୁଣି ସେ ଫେରିଆସିଲା । କହିଲା, ମାଉସୀ, ପାଣି ମନ୍ଦାଏ ପିଇବାକୁ ଦେବ ?

 

କେଡ଼େ ଚଲାଖ, ମନୁଆକୁ ତଳେ ଛାଡ଼ି ପାଣି ଦେବାକୁ ଗଲେ ସେ ତାକୁ ଧରନ୍ତା । ମୁଁ ନାହିଁ କଲି । କହିଲି, ଯା ଆଉ କୋଉଠୁ ପିଇବୁ । ମନୁଆଟା ପୁଣି କାନ୍ଦି କାନ୍ଦି ତା ପାଖକୁ ବାହାରିଥିଲା । ତା ମନକୁ ସେ ଦୂରେଇ ଯାଇ କହିଲା, ଆ ନା ରେ ବାବୁ ମୋତେ ଜର ।

 

ଏତିକି କହି ସେ ଟଳି ଟଳି ଚାଲିଗଲା ।

ମନୁଆ ସେତିକି ବେଳୁଁ ରାହା ଧରିଛି ।

 

ବୋଉ ତୁନି ହେଲା । ସେ ବୋଧହୁଏ ଭାବିଥିଲା ଯେ ସୁରଙ୍କ ପ୍ରତି ସେ ଯେଉଁ ନିର୍ଦ୍ଦୟ କଠୋର ବ୍ୟବହାର କରିଛି ତାହା ମୁଁ ପସନ୍ଦ କରିବି । ମୁଁ ତାକୁ ଆଉ କିଛି ପଚାରିଲି ନାହିଁ । ଅନ୍ୟମନସ୍କ ହୋଇ ମନୁଆର ପିଠି ଥାପୁଡ଼ିଲି । ମୋ’ ପାଖରୁ ଉତ୍ତର ନପାଇ ସେ ରୋଷ ଘରକୁ ଚାଲିଗଲା ।

 

ସୁରଙ୍କ କଥା ଯେତିକି ଭାବିଲି ମନରେ ମୋର ସେତିକି ସେତିକି କୋହ ଉଠିଲା । ମୋ ଭିତରେ କିଏ ତୁହାଇ ତୁହାଇ କହିଉଠିଲା, ସୁରିଆ ନିର୍ଦ୍ଦୋଷ । ମଣିଷ ଜୀବନଟା ପାଣିଫୋଟକା । ମନର ଅବାନ୍ତର ଭାବନା, ସୁରଙ୍କ ପିଲାଳିଆ ସ୍ନେହବୋଳା ଢଙ୍ଗକୁ ଅନ୍ୟ ରୂପ ଦେଇଛି ବୋଲି ଦୁନିଆ ଲୋକଙ୍କ ତୁଣ୍ଡବାଇଦ ମନକୁ ଦୁର୍ବଳ କରିଛି । ସେଥିପାଇଁ ମୋ ଆଖିରେ ସୁର ପ୍ରତାରକ ଓ ଖୁଣୀ ପରି ଦେଖାଯାଉଛନ୍ତି ।

 

ଏଇ ମନୁଆ, ଛାତିରେ ଯାହାର ମୁହଁର ପରଶ ଲାଗିଲେ ସ୍ୱାମୀ ନଥିବାର ଦୁଃଖ ମୁଁ ଭୁଲିଯାଏ, ସୁର ଆଉ ତା ଭିତରେ ତଫାତ୍‌ କଅଣ ? ସେଇ ରକ୍ତ ମାଂସ, ସେଇ ରୂପ । ଲୋକଙ୍କର ତୁଣ୍ଡ କଥା, ଆଖି ଠାରିବାକୁ ଆଡ଼େଇ ତାଙ୍କ ଆଖି ଆଗରେ ସୁରଙ୍କୁ ପଛରେ ରଖି ମୁଁ ଚାଲିବି । ଦୁର୍ନାମ ଯାହା ହୋଇଛି, ଯେତେ ଭଲେଇ ହେଲେ ଫେରିବ ନାହିଁ । ଆଜି ଯଦି ସୁରର ହାତକ ଦି ହାତ କରେଁ, ତାଙ୍କର ସୁଖ ଆନନ୍ଦର ସଂସାରରେ ନିଜକୁ ମିଶାଇଦେଇ ପାରିବି ।

 

ସ୍ୱାମୀ ମଲାପରେ ଯେଉଁମାନେ ଦିଅରର ହାତ ଧରି ନୂଆ ସଂସାର କରନ୍ତି, ସେମାନେ ମଣିଷ ଜନମର ଉତ୍ତେଜନାକୁ ଆୟତ୍ତ କରିପାରନ୍ତି ନାହିଁ । ଦିଅରର ସଂସାରରେ ନିଜକୁ ଜଣେ କରି ଚଳିବାର ସାହାସ ସେମାନଙ୍କର ନଥାଏ । ମନରେ ଭୟ ଥାଏ, କାଳେ କେତେବେଳେ ସେମାନେ ଅତ୍ୟାଚାର କରିବେ, ଅନାଥ କରି ବାଟରେ ଛାଡ଼ିବେ । ପିଲା ଛୁଆ ନେଇ ବିଧବା କରିବ କଅଣ ? କାହା ଓଳିତଳେ ଆଶ୍ରା ନେବ ? ସେଥିପାଇଁ ପରଘରୁ ଅଜଣା ଅଶୁଣା ପ୍ରକୃତିର ନୂଆ ଝିଅଟିଏ ଆଣି ଛୋଟ ସଂସାରକୁ ଗୋଟାଏ ପରିବର୍ତ୍ତନ ଆଗରେ ଠିଆ ନକରି କୁଳର ପ୍ରଥା ଅନୁସାରେ ଦିଅରର ହାତ ଧରନ୍ତି ।

 

ମୁଁ ତେବେ ମୋର ଗେରସ୍ତ ଦିଅରଙ୍କ ଘରକୁ ଫେରି ନଯିବି କାହିଁକି ? ସୁରଙ୍କର ହାତକୁ ଦି ହାତ କରି ମନୁଆକୁ ଦୁଇଜଣଙ୍କ ମଝିରେ ଛାଡ଼ି ସେଇମାନଙ୍କ ସେବାରେ ଦିନ କଟାଇବି । ପର ଘରେ ପରର ସେବା କରି ପେଟ ପୋଷିବା ଅପେକ୍ଷା ନିଜ ଲୋକଙ୍କର ସେବା କରିବାରେ ଲାଜ ସଂକୋଚ ନଥାଏ, ଆଗ୍ରହ ଆନନ୍ଦ ଥାଏ ।

 

ଦରମଲା ଯୌବନର ଉତ୍ତେଜନା, ସଂସାରର ବୋଝ ତଳେ ଚାପିହୋଇ ରହିବ, ଚିରଦିନ ।

 

ମନୁଆ ଛାତି ଉପରୁ ମୁଣ୍ଡ ଟେକି ପୁଣି କହିଲା ମାମ୍ୱ ଦେ । ପିଣ୍ଡାରୁ ଉଠି ବୋଉ ପାଖରେ ମନୁଆକୁ ଛାଡ଼ିଲି । ଡିବିରି ନେଇ ବାଡ଼ କଡ଼ରେ ପଡ଼ିଥିବା ପିଜୁଳି ପୁଞ୍ଜିକ ଆଣି ମନୁଆର ହାତରେ ଗୋଟିଏ ଦେଲି । ବୋଉ କାବାହୋଇ ମୋ ମୁହଁକୁ ଚାହିଁଲା ।

 

କହିଲି, ବୋଉ ମ, ଏ ଯେଉଁ ଗଛର ପିଜୁଳି, ସେ ଗଛକୁ ନିଜ ହାତରେ ମୁଁ ରୋପିଥିଲି । ଦେଖିଲୁ, କେଡ଼େ ବଡ଼ ବଡ଼ ହୋଇଛି, କି ସୁନ୍ଦର ପାଚିଛି !

 

କହିଲା, ସୁରିଆ ତାକୁ ଆଣିଥିଲା ।

ସାମାନ୍ୟ ହସି କହିଲି, ହଁ ସୁର ଆଣିଥିଲେ । ବୋଉ ସେ ସିନା ମୋର ଶତ୍ରୁ ଲୋ, ମନୁଆର ଶତ୍ରୁ ନୁହନ୍ତି । ଯେତେହେଲେ ସେ ମନୁଆର ଦାଦି । ଏକା ରକ୍ତ, ଟାଣୁଛି । ଦେଖୁନୁ, ନ ଖାଇ ନ ପିଇ କେମିତି ରୂପ ହେଇଛି । କେଉଁଠୁ ଖାଇବେ, କିଏ ତାଙ୍କୁ ମୁଠିଏ ଦେବ ?

ବୋଉ ମୋ ମୁହଁକୁ ଅନାଇ ରହିଲା । କ’ଣ କହିବ କହିବ ହୋଇ କହିଲା ନାହିଁ ।

କହିଲି, ଏତେ ଅପମାନ ଦେଲେ ବି ସେ ଦେହକୁ ନେଉନାହାନ୍ତି । କହୁଥିଲୁ ପରା, ମୋ ନଥିବା ବେଳେ କେଉଁ ଛଟକରେ କେତେବେଳେ ଆସି ମନୁଆକୁ ଗେଲ କରି ଯାଆନ୍ତି । ଜର, ତଣ୍ଟି ଅଠା ଅଠା ହେଉଛି ତଥାପି ସେ ମନୁଆକୁ ଦେଖିବାକୁ ଆସିଲେ । ଟଳିଟଳି ଅନ୍ଧାର ସଞ୍ଜରେ ଗହୀର ବାଟରେ ଫେରିଗଲେ । ପାଣି ମନ୍ଦାଏ ପିଇବାକୁ ପାଇଲେ ନାହିଁ ।

ଗତ ଜୀବନର କେତେ ଦୃଶ୍ୟ ଆଗରେ ଠିଆ ହେଲା । ଆଖିର ଲୁହ ଅଟକାଇ ପାରିଲି ନାହିଁ ।

ବୋଉ ଡରି ଡରି କହିଲା, ତୁ ମନା କରିଥିଲୁ ବୋଲି ତାକୁ ଘରେ ପୂରାଇଲି ନାହିଁ । ଏଥିକି ମୋର କି ଦୋଷ ।

ଆଖିରୁ ଲୁହ ପୋଛି କହିଲି, କାହାରି ଦୋଷ ମୁଁ ଦେଉ ନାହିଁ । ଦୋଷ ତାଙ୍କ ଭାଗ୍ୟର । ପିଲାଦିନୁ ବାପ ମାଙ୍କୁ ଖାଇ ଭାଇର କୋଳରେ ବଢ଼ିଥିଲେ । ସୁଖର ସଂସାରରେ ନିଆଁ ଜଳାଇ, ସୁରିଆ ମୁହଁରେ ମୋ ମୁହଁରେ ଅପବାଦର କାଳି ବୋଳି ସେ ଚାଲିଗଲେ । ସୁର ଆଶା କରିଥିଲେ ମୋଠାରୁ ସାହାସ ପାଇ ଭାଇ ମରଣର ଦୁଃଖ ସହିଯିବେ । ଲୋକଙ୍କର ଅପବାଦ ସେତକ କରାଇଦେଲା ନାହିଁ । ପୁଣି କଅଣ ହେବ ଜାଣୁ ବୋଉ ?

ପେଟ ଭିତରୁ କଇଁ ଉଠିଲା । ଓଠ ଥରିଗଲା । କହିହେଲା ନାହିଁ । ମନୁଆକୁ କୋଳକୁ ଆଣି ମୁହଁରେ ବୋକ ଦେଲି । ତା’ର ଟିକି ମୁହଁ ଉପରେ ଆଖିରୁ ଲୁହ ଝରିପଡ଼ିଲା ।

କାନ୍ଦୁଛୁ କାହିଁକି ମା, ତୋ ଢଙ୍ଗ ତୋ କଥା ମୁଁ ବୁଝିପାରେ ନାହିଁ । ତୁ ଯାହା କହୁ ମୁଁ ସେଇଆ କରେଁ । ପୁଣି କ’ଣ ହେବ ତୁ ନକହିଲେ ମୁଁ କିପରି ଜାଣିବି ?

ମଣିଷ ସବୁ ସହିପାରେ ବୋଉ, ମନୁଆ ବାପର ମରଣ ଖବର ପାଇଲି, ଦୁର୍ନାମ ଶୁଣିଲି, ଛାତି ପଥର କରି ସହିଲି । କାଲି ସେମିତି ଖବର ପାଇବି ନଖାଇ ନପିଇ ଭାଇଙ୍କୁ ଝୁରି ଝୁରି ଅଣହେଳାରେ ପଡ଼ି ମନୁଆର ଦାଦା ସେଇ ଘରେ ସେମିତି.....

ଅମଙ୍ଗଳ ଭୟଙ୍କର ଭାବନାଟା ତୁଣ୍ଡରେ ଅଟକିଲା । ଆଖିରୁ ଲୁହ ପୋଛିଲି । ଟିକିଏ ରହି କହିଲି ସେ ଦୁଃଖ ବି ସହିବି । ବାହାର ଲୋକେ ଦୁର୍ନାମ କରିପାରିବେ ନାହିଁ । ମୋ ଭିତରେ ମୋ ମନ ମୋତେ ଦୋଷୀ କରୁଥିବ । ତାକୁ ବି ସହି ମୁଣ୍ଡରେ ବୋଝ ଧରି ପେଟ ପାଇଁ ମୋତେ ହାଟକୁ ଯିବାକୁ ପଡ଼ିବ ।

କଅଣ ବୁଝିଲା କେଜାଣି ବୋଉ କାନ୍ଦିଉଠିଲା ।

ମନୁଆକୁ ଛାତିରେ ଜାକି କୋହକୁ ଚାପିରଖି ମୁଁ ପଦାକୁ ଆସିଲି । ଅନ୍ଧାର ଘୋଟି ରହିଛି । ଆକାଶ ଛାତିରେ ଅଗଣନ ତାରା ମିଟି ମିଟି ହେଉଛନ୍ତି । ଦୂର ଗହୀର ଓ ତୋଟା ଆଡ଼ୁ ଝିଙ୍କାରି ଶବଦ ଭାସିଆସୁଛି । ଯୁଆଡ଼େ ଚାହିଁଲେ ଭୟଙ୍କର ଦିଶୁଛି । ଡର ମାଡ଼ୁଛି ।

ଘର ଭିତରକୁ ଫେରିଆସିଲି ।

ରାତି ଅଧ । ଶୀତ ବେଶି ନଥାଏ । ମନୁଆକୁ କୋଳକୁ ଘୁଞ୍ଚାଇ କନ୍ଥା ଘୋଡ଼ାଇଦେଲି । କବାଟ ଖୋଲି ପଦାକୁ ଆସିଲି । ଗହୀର ସେପାରି ଅନ୍ଧାରିଆ ଗଛଗହଳି ଉପରୁ ବଙ୍କା ଜହ୍ନଟି ଉଠିଆସୁଥାଏ । ଆକାଶ ଛାତିରେ ଖଣ୍ଡ ଖଣ୍ଡ ମେଘ ଧୀରେ ଧୀରେ ଭାସିଯାଉଥାଏ । ରାତିର ଗହୀର ଅନ୍ଧାର ପାତଳ ହୋଇଆସୁଥାଏ ।

 

ଦୁଆରକୁ ଆସି ଚାରିଆଡ଼କୁ ଚାହିଁ ଭାବିଲି ଯିବି । ବାଟ କେଇ କୋଶ, ସକାଳ ହେବା ଆଗରୁ ଫେରି ଆସିବି । କେହି ଜାଣିପାରିବେ ନାହିଁ । ଥରଟିଏ ଦେଖି ଚାଲିଆସିବି । ସୁରକୁ ଜର । ଘର ଭିତରେ ପଡ଼ି ସେ ଛଟପଟ ହେଉଥିବେ । ଭାଇକି ମନେପକାଇ କାନ୍ଦୁଥିବେ । ବାଉଳା ଚାଉଳା ହୋଇ ଚାରିଆଡ଼େ ଚାହିଁ ଖୋଜୁଥିବେ । ଯିବି । ହାତ ଗଳେଇ ଶିକୁଳି ଖୋଲିବି । ସେମାନେ ଯେମିତି ଖୋଲନ୍ତି ।

 

ମନେ ପଡ଼ିଗଲା ଅତୀତ ଜୀବନର ଘଟଣା ।

ଅନାଇ ଅନାଇ ନିଦ ହୋଇଯାଏ । ଆଲୁଅଟି କମାହୋଇ ଜଳୁଥାଏ ଗୋଡ଼ତଳେ । ସପନ ଦେଖୁଥାଏଁ ଯେଉଁମାନଙ୍କୁ କେତେବେଳୁ ଆସି ଘର ଭିତରେ କାରବାର ହେଉଥାନ୍ତି । କପାଳ ଉପରେ କାହା ହାତର ପରଶ ପାଏ, ଥିରି ଆଉ ଥଣ୍ଡା । ଆଖି ଖୋଲେ । ଗୋଡ଼ତଳେ ସେ ଠିଆ ହୋଇ ହସୁଛନ୍ତି । ପେଟ ପୂରିଉଠେ ଆନନ୍ଦରେ । ତାଙ୍କର ସେଇ ହସ ଭିତରେ ମୋ ଆତ୍ମା ହଜିଯାଏ । ଅସ୍ତବ୍ୟସ୍ତ ହୋଇ ଠିଆ ହୁଏଁ ।

ଆରେ ତମେ, କେମିତି ଅଇଲ, ଡାକିଲ ନାହିଁ ତ ? କବାଟ ବନ୍ଦ ହୋଇଥିଲା । ହାତ ବଢ଼ାଇ ତାଙ୍କ ଦେହରେ ଲଟେଇବାକୁ ମନହୁଏ । ହାତ ଟେକେ ।

ସେ କହନ୍ତି, ଏଇ ସୁରିଆ, ଚୋର ! ହାତ ଗଳାଇ କବାଟ ଖୋଲିଲା ।

ହାତ ମୋର ଖସି ପଡ଼ିଲା ତଳକୁ । ପଛକୁ ଚାହିଁଲି, ସୁର ଘର ଭିତରୁ ବାହାରି ଯାଉଛନ୍ତି କହି କହି, ହାତଟା ଧୋଇଆସେଁ ନୂଆଉ, କଳା ଲାଗିଛି ।

ପଣତ କାନିରେ ମୁହଁ ପୋଛିଲି । କଳା-ଛିଃ ।

ଦୁଇ ହାତରେ ମୋତେ ଛାତି ଉପରକୁ ଟାଣିନେଲେ । ଗେଲ କରି କହିଲେ, ସୁରିଆଟା ବଡ଼ ଚଗଲା, ତମ ଚାନ୍ଦମୁହଁରେ କଳା ବୋଳିଲା !

ଦୁଆର ମଝିରୁ ସୁର କହି ଉଠିଲେ, ଭାଇ ମୋତେ କହିଲେ ନୂଆଉ, ମୋର କିଛି ଦୋଷ ନାହିଁ । ମୁଁ ମନା କରୁଥିଲି ।

ତାଙ୍କ ଛାତିରୁ ଅଲଗା ହୋଇ ଆସିଲି । ଅଭିମାନ କରି କହିଲି, ତମ ଭାଇ କହିବେ ନିଆଁ ଗିଳିବାକୁ ....ତମେ ଗିଳିବ ? ଦୁଷ୍ଟ.....ରହ, ତେମେ ଯେଉଁଦିନ ଶୋଇ ପଡ଼ିଥିବ, ଫେର୍‌ ଦେଖିବ ? ଜଣକ ମୁହଁରେ ଚୂନ ଜଣକ ମୁହଁରେ କଳା ବୋଳିବି ।

 

ଯିବି ମୁଣ୍ଡ ଆଉଁସି କହିବି, ବାବୁ, ଲୋକେ ଯାହା କହନ୍ତୁ ପଛେ, ତେମେ ନିର୍ଦ୍ଦୋଷ ! ମତେ କ୍ଷମା କର ।

କାହାର ହସିଲା କଥା ପୁଣି କାନରେ ପଡ଼େ, ଆଗୋ, ଦେଖ ଗୋ, ବିଲେଇ ଆଖି ବୁଜି ଦୁଧ ପିଉଛି । ଳୁଚିଛି ନା ଗୋଡ଼ ଦିଓଟି ଦିଶୁଚି । ସବୁଦିନେ ରାତି ଅଧିଆ କାରବାର ଲାଗିଛି । ବାଟ ଦି’ଖୋଜ । ସିଏ ଆସୁଛି, ୟେ ଯାଉଛି । ଲୋକ ଦେଖାଣକୁ ବେମାର ।

କବାଟ କଡ଼ରେ ଆଈବୁଢ଼ୀ, ତାଙ୍କ ପାଖରେ ଦେଠେଈ, ତା ପାଖକୁ ଆଉ କିଏ, କହୁଛି, ତାର ପିଲା ହେବ ମ ! ଆଲୋ, ଏତେ ଚୋରା ଲୁଚା କାହିଁକି ? ଯାହାତ କରିବାର କଲ, ଏଡ଼େ ସୁନ୍ଦର ଭେଣ୍ଡା ପୁଅକୁ ସଲା ହୋଇ ମାଇଲ, ଦୁତୀୟ ହୋଇପଡ଼ୁନ । ଦେଖ ମ, ଆଗୋ ଦେଖ ମ.....

ଗାଁ ଯାକର ଲୋକେ ରୁଣ୍ଡ ହେବେ ।

କଅଣ କରିବି ? ରାତି ଅଧ, କେହି ଆସିବେ ନାହିଁ, କେହି ଦେଖିବେ ନାହିଁ । ଯିବି ? ଥରଟିଏ, ଥରଟିଏ ସୁରକୁ ଦେଖିଆସିବି ।

 

କାଳେ ଆସିପାରୁନଥିବି ? କାଳେ ବାଟରେ କାହା ହାବୁଡ଼େ ପଡ଼ିବି ? ଚଉକିଆ ଧଡ଼ିଆ ଦାଦି, ରାତି ତମାମ୍‌ ସେ ପଡ଼ିଆକୁ ଧାଆଁନ୍ତି - କି ଶୀତ କି ବର୍ଷା, ବାରମାସୀ ।

 

ଗାଁ କୁକୁର ଭୁକି ଉଠିବେ ।

ଏଣେଁ ମନୁଆ ଉଠିବ, କାନ୍ଦିବ । ଫେରିଲାବେଳକୁ ଗହୀର କଡ଼ ତୋଟା । କତି ପୋଖରୀ ପାଖେ ଚେମା’ଇ ଭେଟିବ । ପଚାରିବ, କିଲୋ ସିଆଡ଼ୁ କୁଆଡ଼ୁ ? ଜାଣେ ଯେ !

 

ଦୁନିଆର ଲୋକେ, ଏମିତି ତାଙ୍କରି କଥା । ସନ୍ଦେହରେ ତିଳକୁ ତାଳ କରି ବଢ଼ାନ୍ତି । ଦୁର୍ନାମ ଆହୁରି ପ୍ରବଳ ହୋଇ ମାଡ଼ିବ । ତୁଣ୍ଡବାଇଦ ସବୁଠି ଶୁଭିବ – ହାଟରେ, ବାଟରେ, ବିଲରେ, ଘରେ, ବାହାରେ । ମୁଣ୍ଡ ଟେକି ବାଟ ଚାଲିପାରିବି ନାହିଁ । ସମସ୍ତେ ଟାହି ଟାପରା କରିବେ, ଆଖି ମିଟିକା ମାରିବେ । ଲୋକ ତୁଣ୍ଡରେ ତୁଳସୀ ହେବ ଦୋଚାରୁଣୀ ?

 

ଜଳିଲା ପୋଡ଼ିଲା ଯୌବନ ଓ ଦରମଲା ଦେହକୁ ପେଟ ପାଇଁ, ପିଲାଟିର ଜୀବନ ପାଇଁ ସେ ବିକିପାରିବ ନାହିଁ । ଯେପରି ଚାଲିଛି ଚାଲିଥାଉ, ଯେତେ ଦିନ ଚାଲିବ । ଲୋକଙ୍କର ତୁଣ୍ଡକୁ ଡରି ମୁଣ୍ଡ ନୁଆଁଇ ରହିବି । ସୁରିଆକୁ ଦେଖିବାକୁ ଯିବି ନାହିଁ । ସେ ନିର୍ଦ୍ଦୋଷ ହେଲେ ମଧ୍ୟ ଲୋକ ଆଖିରେ ଦୋଷୀ । ସେ ଖୁଣୀ, ମୋର ସ୍ୱାମୀହନ୍ତା ।

 

ଭାଗ୍ୟରେ ଏଇୟା ଅଛି !

ପାହାନ୍ତି ପହରର ଆଲୁଅ ଆକାଶ କଡ଼ରୁ ଉଠିଆସୁଥାଏ । ଆଖି କଣରୁ ଲୁହ ପୋଛିଲି-। ଆଜିଠାରୁ ସୁରିଆର ନାମ ମୋ ମନରୁ ପୋଛି ହୋଇଯାଉ । ସୁରିଆ ଲେଖାରେ ମୁଁ ନାହିଁ କି ମୋ ଲେଖାରେ ସିଏ ନାହିଁ ।

 

କବାଟ ଖୋଲି ଭିତରକୁ ଗଲି । ମନୁଆ ପାଖରେ ଶୋଇ କନ୍ଥାର ଗୋଟାଏ ପାଖ ଦେହ ଉପରକୁ ଟାଣିଆଣିଲି ।

 

ବୋଉର ନିଦ ଭାଙ୍ଗିଥିଲା ।

ପଚାରିଲା, କେତେବେଳୁଁ ଉଠି ଦୁଆରେ ଠିଆ ହୋଇ କଅଣ ଏତେ ଭାବୁଥିଲୁ ତୁଳସୀ, ଭରସି କରି ତତେ ଡାକିଲି ନାହିଁ । ଦୁଆର ମଝିରେ, ଅନ୍ଧାର ରାତିରେ ଠିଆହୋଇ କଇଁ କଇଁ ହୋଇ ପିଲାଙ୍କ ପରି କାନ୍ଦୁଛୁ । କହ ମା, କଅଣ ହୋଇଛି ?

 

ଜବାବ ଦେଲି ନାହିଁ ।

ଚାବୁରିଟା, କହିବାକୁ ଲାଗିଲା– ତୋ ମନକଥା ମୁଁ ଜାଣେ ଲୋ ମା, ଆଜି ନୁହେଁ ଯେ ତୋ ପିଲାଟି ଦିନୁ । ସୁର ସେତେବେଳେ ଏଠିକି ନୂଆ ନୂଆ ଆସୁଥିଲା । ମା, ତୋ ତୁଣ୍ଡ ନ କହିଲେ କଅଣ ହେବ, ତତେ ମୁଁ ଜନମ କରିଛି, ତୋ ମନ କଥା ଜାଣିପାରିବି ନାହିଁ ? ସୁରକୁ ମୁଁ ତଡ଼ିଦେଲି, ଏକଥା ଶୁଣିଲା ବେଳରୁ ତୁ କାନ୍ଦୁଛୁ । ଲୋକଙ୍କ କଥାରୁ ଆମକୁ ମିଳିବ କଅଣ ? ଯାହା ହବାର ହୋଇଛି । ମନକୁ ଟାଣ କର । ଶୁଣିଲୁ ତ, ସୁର କି ସୁନ୍ଦର ପିଲା, ଭାବି ଭାବି ଝୁରି ଝୁରି ଅଣହେଳାରେ କି ରୂପ ହେଲାଣି । ଆଉ, ତୋ ରୂପଟି ଥରେ ଆଇନାରେ ଦେଖିଲୁ ତୁଳସୀ ! କହିବୁ ଯେବେ, ଏଇ ପାହାନ୍ତାରୁ ଉଠି ମୁଁ ଯିବି ସୁରକୁ ଡାକିଆଣିବି ।

 

ଛାତିର କୋହ ସମ୍ଭାଳି ପାରିଲି ନାହିଁ । ବିରକ୍ତ ହୋଇ ପାଟିକରି ଉଠିଲି– ଯିବୁ, ଯିବୁ, ସୁରକୁ ମଶାଣି ଭୂଇଁରୁ ଡାକି ଆଣିବୁ । ସେଇଠି ସେ ତା ଭାଇର ହାଡ଼ ପାଉଁଶ ଖୋଜୁଥିବ । ମୋ ଲେଖାରେ ସେ ନାହିଁ ବୋଉ, ତା କଥା ମୋ ଆଗରେ ଆଉ ଦିନେ ତୁ କହିବୁ ନାହିଁ କି ତାକୁ କେବେ ଘରେ ପୂରାଇବୁ ନାହିଁ । ଯେଉଁଦିନ ମୋ କଥାର ଓଲଟା କାମ କରିବୁ, ସେଇଦିନ ମଶାଣି ଭୂଇଁକୁ ମତେ ଖୋଜିବାକୁ ଯିବୁ । ବୁଝିଲୁ ?

 

କନ୍ଥା ଭିତରେ ମୁହଁ ଲୁଚାଇ କାନ୍ଦିଲି ।

ବୋଉ ପାଟିରୁ ଆଉ କଥା ବାହାରିଲା ନାହିଁ ।

•••

 

୧୮

 

ଟଙ୍କା ପଇସା କି ଘର ବନ୍ଧା କଥା ଟିମବାବୁ ମୋ ଆଗରେ କେବେ ଉଠାନ୍ତି ନାହିଁ । ହାଟପାଳି ଆଗ ଦିନ ତାଙ୍କ ବଗିଚାରେ ତାଙ୍କ ସଙ୍ଗେ ଦେଖା ହୁଏ । ନାନାପ୍ରକାର ପନିପରିବା ସେ କରିଥାନ୍ତି । ଘର ଖରଚ ବାଦ ବାକିତକ ସେ ବିକ୍ରି କରନ୍ତି । ଶସ୍ତାରେ ମିଳେ ବୋଲି ମୁଁ ସେଇଠୁଁ ପରିବାପତ୍ର କିଣି ହାଟକୁ ନିଏ । ହାତରେ ପଇସା ନଥିଲେ ସେ ଉଧାର ଦିଅନ୍ତି । ହାଟରୁ ଫେରି ମୋର ଲାଭତକ ରଖି ମୂଳଧନ ତାଙ୍କୁ ଫେରାଇଦିଏ ।

ଦୁଇ ତିନି ପାଳି ପରେ ଥରେ ମୋ ଆଗରେ ଟିମବାବୁ ଚାକର ଟୋକାକୁ କହିଲେ– ତରାଜୁ ସଳଖ ଧରୁନୁ, ତୁ ଯେପରି ଓଜନ କରୁଛୁ, ସେରକ ଆଳୁ ପାଞ୍ଚପା ହେବ । ହସି ହସି ଥଟ୍ଟାଳିଆ ସ୍ୱରରେ କହିଲେ– ତୁଳସୀ ତତେ ଶିଖାଇଛି କିରେ ? ଆଣ୍, ମୋତେ ଦେ, ତୁ ଯା ବାଇଗଣ ତୋଳିଆଣିବୁ । ଚାକର ଚାଲିଗଲା । ବାବୁ ହାତରେ ତରାଜୁ ଧରିଲେ । ପଚାରିଲେ, କେତେ ସେର ନେବୁ ଲୋ ?

କହିଲି, ପାଞ୍ଚସେର ।

ସେ ପାଳି ପାଞ୍ଚସେର ଆଳୁ ହାଟରେ ସାତସେରରୁ ଅଧିକା ହେଲା । ଦାଣ୍ଡରେ ଆଳୁ ଦର ବେପାରୀ ଭାଉରେ ତିନିଅଣା । ଟିମବାବୁଙ୍କୁ ଦାମ୍‌ ଦେଲାବେଳେ ସେ ଦୁଇଅଣା ନେବାକୁ କହିଲେ । ଦାଣ୍ଡ ଦରକୁ ଦେଖାଇ କହିଲେ, ସେଇଟା ଦାଣ୍ଡ ଲୋକଙ୍କ ପାଇଁ ସିନା, ଗାଁ ଲୋକ, ନିଜ ଲୋକକୁ କଅଣ ସେଇ ଦରରେ ଦିଆଯିବ ? ମୋ ମୁହଁକୁ ଅନାଇ ରହିଲେ । ଆଖି ଓ ଓଠରେ ହସର ଆଭା ଉଛୁଳିଉଠିଲା । ମୁଁ ଦୃଷ୍ଟି ନୋଇଁଲି । ସେ ମୁହଁ ବୁଲାଇ ଚାଲିଗଲେ ।

ସେତିକିରୁ ବୁଝିଲି, କାହିଁକି ମୋ ପ୍ରତି ସେ ଦୟା ଦେଖାଇବାକୁ ଆଗଭର ହୋଇପଡ଼ନ୍ତି, କାହିଁକି ହାତରେ ପରିବା ଓଜନ କରୁ କରୁ ପାଞ୍ଚ ପରେ ଅନ୍ୟମନସ୍କ ହୋଇ ଗଣାଟା ପୁଣି ତିନି ପାଖକୁ ଓହ୍ଲାଇ ଆଣନ୍ତି । ଭୁଲ ହେଲା ବୋଲି ଚେତାଇ ଦେଲେ ବିରକ୍ତ ହୋଇ କହନ୍ତି – ଏଁ, ଆମର ପୁଣି ଭୁଲ ହେବ ?

 

ତୁନି ରହେ ।

ଦିନେ ପଚାରିଲେ– ଆଲୋ ତୁଳସୀ, ତୋ ପିଲାଟିକୁ ଏଣେ କେବେ ଆଣୁନାଉଁ ?

ପରିବା ବୋଝ ଉପରେ ପିଲାବୋଝ ବୋହିପାରିବି ନାହିଁ । ସେ ପୁଣି ଅତି ଚଗଲା ହୋଇଛି । ଗଛବୃକ୍ଷ ଛିଣ୍ଡାଇବ ।

–ନେ, ଏ କଦଳୀ ପୁଞ୍ଜିକ ତାକୁ ଖାଇବାକୁ ଦେବୁ । ଏ କଞ୍ଚାମରିଚତକ ତୋ ବୋଉକୁ ଦେବୁ ।

ତାଙ୍କ ଢଙ୍ଗ ଓ ବ୍ୟବହାରରେ ଆପତ୍ତି କରିବା ଭଳି କିଛି କେବେ ମୁଁ ଦେଖିନାହିଁ । ସେ ଯାହା କହନ୍ତି ସବୁଥରେ ତାଙ୍କ ବେପାରର ଲାଭ କ୍ଷତି କଥା ବିଚାର କରନ୍ତି । କିନ୍ତୁ ମୋ ପାଖରେ ବେପାର କଲାବେଳେ ମୋର କିପରି ଚାରିପଇସା ଲାଭ ହେବ, ଆଗ ସେ କଥା ବିଚାରନ୍ତି । ଗରିବ ନିଆଶ୍ରୀ ବିଧବା, ପିଲାଟିଏର ମା, ଗାଁ ଝିଅ, ପିଲାଦିନୁଁ ଚିହ୍ନା ପରିଚୟ, କେତେ ବୋଲହାକ କରିଛି, ସେଥିପାଇଁ ଟିକିଏ ଦୟା ଦେଖାଇବା ଅତି ସ୍ୱାଭାବିକ । ସାହାଯ୍ୟ ଦେବାକୁ ସେ କେବେ ଟଙ୍କା ପଇସା ମୋତେ ଦେଇନାହାନ୍ତି । ସେ ଜାଣନ୍ତି ମୁଁ ଗ୍ରହଣ କରିବି ନାହିଁ । ଆତ୍ମମର୍ଯ୍ୟାଦା ରଖିବାକୁ ତାଙ୍କ ପାଖରୁ ମୁଁ ଅପସରିଯିବି । ଲୋକ ଚକ୍ଷୁରେ ତାଙ୍କର ଦାନ ଦିଶିବ ନାହିଁ ।

ପରିବା ବିକ୍ରି ଛଳରେ, ଓଜନ, ଦର, ପଇସା ନେଲାବେଳେ ଅନ୍ୟ ପଇସା ସାଙ୍ଗରେ ମିଶାଇ ପାଞ୍ଚଅଣାକୁ ସାତଣା ଗଣିବା ଏପରି ଉପାୟରେ ସେ ମୋର ଲାଭ କରାଇବାକୁ ଚେଷ୍ଟା କରନ୍ତି । ମୋତେ ସେ ଜଣାଇଦିଅନ୍ତି ଯେ ତାଙ୍କ ହିସାବଟା ଠିକ୍‌ ।

ଟିମବାବୁଙ୍କର ଛପିଲା ଦୟା ପାଇଲା ଦିନରୁ ମୋ ସଂସାର ସୁରୁଖୁରୁରେ ଚଳିଲା । ଯାହା ରୋଜଗାର ହେଲା ସେଥିରେ ନିତିଦିନିଆ ଖରଚ ଯାଇ ଚାରିପଇସା ସଞ୍ଚି ରଖିବାକୁ ସୁବିଧା ମିଳିଲା ।

ଦିନେ ମା ପଚାରିଲା, ହଇଲୋ, ଟିମବାବୁ କରଜ ଟଙ୍କା କଥା କିଛି କହନ୍ତି ନାହିଁ ? କିଏ ଜଣେ କହୁଥିଲା, ସେ କୁଆଡ଼େ ଏ ଜମିଟା ନିଲାମ କରି ନେଇସାରିଛନ୍ତି ।

କହିଲି, ନାଇଁ ତ, କେବେ ସେ ଟଙ୍କା କଥା ମୋତେ କହିନାହାନ୍ତି । ମୁଁ ପଚାରିବି ପଚାରିବି ହୁଏ । ସାହାସ କରେ ନାହିଁ । ଦିନେ ପଚାରି ଦେବି ।

କାହିଁକି ପଚାରିବୁ ? ତାଙ୍କର ଯଦି ଦୟା ଥିବ ସେ ବଳେ ଯାହା କରିବାର କରିବେ । ଯଦି ଡିହ ଦଖଲ ନେବାର କଥା ହୁଏ, ବଳେ କହିବେ ।

ବୋଉର ଉପଦେଶ ମାନିଲି ନାହିଁ । ଦିନେ ତାଙ୍କୁ ପଚାରିଦେଲି ।

ସେ କହିଲେ, ସେଥିପାଇଁ ତମେ ବ୍ୟସ୍ତ ହୁଅନା । ଡିହଟା ନିଲାମ ହୋଇଯାଇଛି, ମୋ ନାମରେ ତ ଅଛି । ତମେ ସବୁ ସେ ଘରେ ଥିବାଯାଏ କେହି ବାଧା ଦେବେ ନାହିଁ କି କେହି କିଛି କହିପାରିବେ ନାହିଁ । ସମ୍ପତ୍ତି ମୋ ନାମରେ ହେବାଦ୍ୱାରା ଖଜଣା ଦେବା ଦାୟିତ୍ୱରୁ ତମେ ରକ୍ଷା ପାଇଛ । ହେଲେ, ଏସବୁ କଥା ମୋ ବୋଉ କି ସ୍ତ୍ରୀ ଯେପରି ନଜାଣନ୍ତି । ମାଇପି ମଣିଷ, ପରର କୁଶିକ୍ଷାରେ ସେମାନଙ୍କର ପଡ଼ିବାର ଡର ଅଛି ।

ବୋଉ ଶୁଣି ହସିଲା । କହିଲା, ହଉ, ନିଶ୍ଚିନ୍ତ ରହିଥା ।

ମୁଁ ବଲବଲ କରି ତା ମୁହଁକୁ ଅନାଇ ରହିଲି । ସେ ହସିଲା କାହିଁକି ? ଟିମବାବୁଙ୍କର ମୋ ପ୍ରତି ଦୟା ଦେଖି ସେ କଅଣ ଭାବିଲା କି ? ତାଙ୍କର କଥାରେ ତା’ର ପରତେ ହେଲା ନାହିଁ ?

ପଚାରିଲି, ତୁ ହସିଲୁ କାହିଁକି ? ସେ ମିଛ କହିଲେ ?

ନାଇଁ ଲୋ, ମିଛ କହିବେ କାହିଁକି ? ମତେ ହସ ମାଡ଼ିଲା । ଏମିତି କେତେ ଗତ କଥା, ମୋ ବୟସବେଳର କଥା ମନେ ପଡ଼ିଗଲା । ଜଣେ ଆଉ ଜଣକୁ ମିଛରେ ଦୟା ଦେଖାଏ ନାହିଁ । କେହି ତ କାହାରି ଭାଇ ବନ୍ଧୁ କୁଟୁମ୍ୱ ନୁହନ୍ତି। ମନରେ କେଉଁ ଆଶା ଥାଏ ବୋଲି ସିନା ! ଦେଣନେଣର ଦୁନିଆ !

ଦରହସିଲା ଓଠରେ ସେ ମୋ ମୁହଁକୁ ଚାହିଁଲା । ତାର ସେ ଚାହାଣୀ ଭିତରେ କଅଣ ମୁଁ ଅନୁଭବ କଲି କହିପାରିବି ନାହିଁ । ଗୋଟାଏ କୋହରେ ମୋ ଛାତି ଥରିଉଠିଲା । ମୁଁ ବୋଉକୁ କିଛି ନକହି ପିଲାଟିକୁ ନେଇ ଅନ୍ୟ କାମରେ ମନ ଦେଲି । ବୋଉର ସେଇ କଥା କେଇପଦ ମନରେ ଛଟପଟ ହେଲା ।

ଦେଣ ନେଣର ଦୁନିଆ ! ଟିମବାବୁ ମୋତେ ଦେଇଛନ୍ତି କଅଣ, କିଏ ବା ମୋତେ କଅଣ ଦେଇଛି ? ମୁଣ୍ଡ ଝାଳ ତୁଣ୍ଡରେ ମାରି ସଂସାର ଚଳାଇଛି ।

ତା ପରେ ଯେତେ ଥର ପରିବା ପାଇଁ ତାଙ୍କ ବଗିଚାକୁ ଯାଇଛି, ମୋତେ ଲାଗିଛି ଯେପରି କିଏ ପଛରୁ ଗୋଡ଼ ଧରି ଅଟକାଇ ରଖିଛି । ଟିମବାବୁ ଏଣିକି ଚାକର ଟୋକାକୁ କୌଣସି ଆରାରେ ଅନ୍ୟଆଡ଼େ ବରଗି ନିଜେ ପରିବା ଓଜନ କରନ୍ତି । ମୁଁ ଡରିଲା ଆଖିରେ ତାଙ୍କୁ ଚାହେଁ । ସେ କିଛି ନଜାଣିଲା ପରି ନିଜ କାମରେ ବ୍ୟସ୍ତ ରହନ୍ତି ।

ତାଙ୍କର ସହାନୁଭୂତି ତାଙ୍କ ମନତଳେ ଛପିଲା ଆଗ୍ରହର ଛାୟା । ସେ ଆଗ୍ରହଟି କଅଣ, ମତେ ଅଜଣା ନଥିଲା । ବୋଉ କଥା, ପିଲା କଥା, ମୋର ଭଲମନ୍ଦ ହାଲଚାଲ ପଚାରି ବୁଝିବାକୁ ସେ ବ୍ୟାକୁଳତା ଦେଖାନ୍ତି । ମୁଁ ପରିବା ବୋଝ ନେଇ ଚାଲି ଆସିଲେ ମୁହଁ ଫେରାଇ ମୋ ଆଡ଼େ ଚାହାନ୍ତି ।

ମୋ ମନ ଉପରେ ସେଇ ଚାହାଁଣୀର ପ୍ରଭାବ ଯେ ନପଡ଼େ ଏପରି ନୁହେଁ । ନିରୋଳା ବେଳରେ, ଯେତେବେଳେ ହାଟକୁ ମୁଁ ଏକୁଟିଆ ଯାଉଥାଏ କି ସେଠାରୁ ଫେରୁଥାଏ, ନୋହିଲେ ନିଛାଟିଆ ରାତି ଅଧରେ, ସବୁ କଥା ମୋର ମନରେ ଘାଣ୍ଟି ଚକଟି ହୁଏ । ଛାତି ନରମି ଆସେ । ମନ ଦୁର୍ବଳ ହୁଏ । କେତେ ଲୋକଙ୍କର ରୂପ ଢଙ୍ଗ ମନେପଡ଼େ । ଦରମଲା ଦେହଟା ପୁଲକିଉଠେ–ଦଉଡ଼ିକଟା ଓଲେଇ ଗାଈ ପରି ଏଣେ ତେଣେ ଦଉଡ଼ିଯାଏ । କଳଙ୍କିଲଗା ସରାଗ ଫେରିଆସେ ସେଇ ଖୁଣ୍ଟ ମୂଳକୁ, ଯେଉଁଠି ବନ୍ଧା ହୋଇଥାଏ ବାଛୁରୀ, ମନୁଆ । ତା’ରି ମୁହଁରେ କଳେ କ୍ଷୀର ଦେଇ ଆଖିରୁ ଲୁହ ଗଡ଼ାଇ ମୁଁ ମନ ଓ ଉତ୍ତେଜନାକୁ ଶାନ୍ତ କରେ ।

•••

 

୧୯

 

ହାଟ କାମ ସାରି ମନ ଆନନ୍ଦରେ ଫେରୁଥିଲି ।

ରାଜିବୋଉ ଖୁଡ଼ୀର ସାଙ୍ଗ ଛାଡ଼ିଲା ଦିନୁଁ ମୋର କେବେ ଡେରି ହୁଏ ନାହିଁ । ସେଇ ସରୁ ଧୋବ ଫରଫର ଲୁଗା ପଞ୍ଜାବୀ ପିନ୍ଧା ବାବୁ, ଯାହାଙ୍କର ନାକ ତଳେ ପ୍ରଜାପତିଆ ନିଶ ବେଢଙ୍ଗର ଦିଶେ, ସେଇ ଆସି ସବୁଥର ପରି ବୋଝକ ପରିବା ହୁଣ୍ଡାମୂଲ କରି ଚାରିଟଙ୍କା ଦେଇ କିଣିନେଲେ । ମୂଳ ଦି’ ଟଙ୍କାରୁ କିଛି ବହକା ହେବ । ଲାଭ ଯାହା ହେଲା ସେତକ ଅଣ୍ଟାରେ ଖୋସି ମୁଁ ଫେରିଲି । ଭାବିଲି, ବାବୁ ଏବେ ମୋରି ଆଡ଼କୁ ଅନାଇ ଅନାଇ ହସନ୍ତୁ, ତାଙ୍କ ରୁମାଲ କାଢ଼ି ମୁହଁ ପୋଛି ବାସନା ଉଡ଼ାନ୍ତୁ, ସେଥିରେ ମୋର କଅଣ ଅଛି ? ତାଙ୍କର ସେଇ ଚାକର ଟୋକା ଏବେ ଆଖି ତରାଟି ଦାନ୍ତ ଚିପି ସାପ ପରି ଫଁ ଫଁ ହେଉଥାଉ ।

ଯାହା କଥା ଭାବୁଥିଲି, ସେଇ ବରୁଣେଇ ଗାଁ କଡ଼ ଛୋଟ ତୋଟା ଭିତରୁ ଆସି ଆଗରେ ଠିଆ ହେଲା । ଆଖି ଚକ୍ର ପରି ବୁଲୁଥାଏ । ମୋର ଛାତି ଦବକି ଗଲା । ମୁଁ ଠିଆ ହୋଇ କହିଲି, ବାଟ ଛାଡ଼ି ଠିଆ ହେଉନୁରେ ।

ସେ ରୂଢ଼ ସ୍ୱରରେ ପଚାରିଲା, ତୋ ନାଁ କଅଣ ଲୋ ?

ମୁଁ କଥାରେ ଜୋର୍‌ଦେଇ କହିଲି, ମୋ ନାମରୁ ତତେ କଅଣ ମିଳିବରେ, ବାଟରୁ ଘୁଞ୍ଚ-

ତୁ ସେ କାନ୍ତରାଟି ବାବୁଙ୍କୁ ଚିହ୍ନୁ ?

କେଉଁ କାନତରାଟି ବାବୁ ?

ହସିଲା । କହିଲା, ଓ, ତୁ ଜାଣୁ ନାଇଁ, ସେଇ ଯେଉଁ ବାବୁ ସବୁ ହାଟ ପାଳି ତୋଠୁଁ ପରିବା କିଣନ୍ତି, ପଇସାକ ଚିଜ ଦି ପଇସା ଦେଇ ନିଅନ୍ତି । ସେଇ ବାବୁଙ୍କ କଥା କହୁଛି । ତାଙ୍କ ନାଁ ବିଶିବାବୁ, ସେ ମାଟି କାନ୍ତରାଟି, ସେ ମୋ ଖାଉଁଦ ।

ତାର କଳାମିଚିମିଚି ବଳିଲା ଦେହ ଓ ବଡ଼ ବଡ଼ ରଙ୍ଗିଲା ଆଖିକୁ ଚାହିଁଲି । ଛାତି ଚମକିଉଠିଲା । ଥଙ୍ଗେ ଥଙ୍ଗେଇ କହିଲି, ହାଟକୁ ଶହ ଶହ ଲୋକ ଆସୁଛନ୍ତି, ଯାହାଠୁଁ ଦି ପଇସା ଲାଭ ପାଇଲି ତାକୁ ବିକିଲି ପରିବା । କିଏ ତୋ କାନ୍ତରାଟି ବାବୁ, କିଏ ତୋ ଖାଉଁନ୍ଦ, ମୋର ଜାଣିବା କି ଚିହ୍ନିବା ଦରକାର ନାହିଁ ।

ମୁଣ୍ଡ ଟୁଙ୍ଗାରି କହିଲା, ତୋର ସିନା ଦରକାର ନାହିଁ, ତାଙ୍କର ଦରକାର ଅଛି ଲୋ । ତୋ ସଙ୍ଗେ ଦେଖା କରିବାକୁ ମତେ ସେ କହିଛନ୍ତି । କେତେ ଥର କହିଲେଣି । ଆଜି ଜିଗର୍‌ ଲଗେଇଲେ । ଅଧା ବାଟରେ ତତେ ଭେଟିବାକୁ ଆଇଲି ।

ଡରି ଡରି ପଚାରିଲି, ମୋଠାରେ ତାଙ୍କର କି କାମ ?

ଆହା ହା, ବୁଝିଲୁ ନାହିଁକି, କାନ୍ତରାଟିବାବୁ ସେ, ମାଟି କାମ କରିବାକୁ ତାଙ୍କର ବହୁତ ଲୋକ ଲୋଡ଼ା । ତଇଲିପଡ଼ାରେ ନଈବନ୍ଧ ଦୋହରା ପଡ଼ିଛି । ଦୁଇଶ ଲୋକ ମାଟି କାଟି ବୋହୁଛନ୍ତି, ମାଇପେ, ମରଦ, ପିଲାଏ ।

ମୋତେ ମାଟି କାମ କରିଆସେ ନାହିଁ ।

ସେ କଥା ସେ ଜାଣନ୍ତି । ଆମ ବାବୁଙ୍କର ଅତି ଦୟା । ଦେଖୁନୁ କେତେ ଲୋକଙ୍କୁ ଦାନା ପାଣି ଦେଇଛନ୍ତି । ଖାଲି ବାଛି ବାଛି ଗଜା ଟୋକା ଟୋକୀ ରଖନ୍ତି । ସେମାନେ ଭଲ କାମ କରିପାରିବେ, ବେଶି କାମ କରିବେ, ଖରା ବରଷା ବାଧିବ ନାହିଁ ।

ବିରକ୍ତ ହୋଇ କହିଲି, ତୋ ବାବୁ ତୋତେ ସିନା ବଡ଼, ମୋତେ ବଡ଼ ନୁହନ୍ତି । ଉଠ୍‌, ମୋର ଡେରି ହେଉଛି ।

ମୋ ବାବୁ, ବିଶିବାବୁ, ସମସ୍ତଙ୍କଠୁ ବଡ଼ । ତୋ ଉପରେ ତାଙ୍କର ନଜର ପଡ଼ିଛି । ମାନେ, ତୋ ଦୁଃଖ ଦେଖି ତାଙ୍କ ମନରେ କଷ୍ଟ ହୋଇଛି ।

ମୋର ଦୁଃଖ କଅଣ ସେ କେମିତି ଜାଇଁଲେ ?

ବୁଝି ପାରୁନୁ ? ଯିଏ ମଣିଷ ଚରାଏ ସେ ଦେଖୁ ଦେଖୁ ମଣିଷ ଚିହ୍ନେ । ତତେ ଦେଖି ସେ ମତେ କହନ୍ତି, ଆହା ହା, ଦେଖିଲୁ ରେ ବଳିଆ, କାହା ଘରର ଝିଅ, କାହା ଘରର ବୋହୂ, କପାଳ ଫାଟିଛି । ପିଲା ବୟସରେ ମୁଣ୍ଡରେ ବୋଝ ଧରି ହାଟକୁ ଆସୁଛି । ଅଣଆଡ଼ିଆ ହୋଇ ବସେ ମୁହଁ ଶୁଖାଇ । ହାଟକୁ ଆସିବାକୁ ଯେପରି ତାର ମନ ନାହିଁ, ଖାଲି ବାଧ୍ୟକୁ ଆସେ । ପେଟ ପାଟଣା କଥା । କେହି ବୋଧହୁଏ ତାର ନାଇଁ । ସେଇଥି ପାଇଁ ଦୁଃଖ କରୁଛି । ଆହା ହା, ହାଟରେ ସହସ୍ର ଲୋକଙ୍କ ଭିତରେ ବାରି ହୋଇପଡ଼େ ସେ ଝିଅଟି ।

ହସ ମାଡ଼ିଲା । ହସ ଚାପିରଖି କହିଲି, ତୋ ବାବୁଟି ତ ଅତି ଭଲ ଲୋକରେ ବଳିଆ, ମଣିଷର ଦୁଃଖ, ମଣିଷର ମନକଥା ଚାହୁଁ ଚାହୁଁ ବୁଝନ୍ତି ।

ଚାହୁଁ ଚାହୁଁ ନୁହେଁ ଲୋ, ତୋ ନାଁ କଅଣ ଟି ?

କାହିଁକି, ତୋ ବାବୁ ଜାଣିବାକୁ ଚାହିଁଛନ୍ତି ?

ଜାଣିବାକୁ ଚାହିଁ ନାହାନ୍ତି ଯେ ଜାଣିବାକୁ ତାଙ୍କର ଆଗ୍ରହ ।

ମୁଁ ତ ହାଟକୁ ଆସେ, ମୋ ନାମ ହାଟୋଈ ।

ସେଇଆ ହେଉ । ଆଉ ତତେ, ମୁଁ ବାଟରେ ଭେଟିଲି, ମୋ ନାମ ବାଟୋଇ, ବଳିଆ ନୁହେଁ । କଅଣ କହୁଥିଲିଟି? ତତେ ଥରେ ଚାହିଁ ସେ ତୋ କଥା ବୁଝିନାହାନ୍ତି ଲୋ ହେଟୋଈ, ତତେ ଦେଖିବାକୁ ନିତି ହାଟ ପାଳିକି ସେ ଆସନ୍ତି । କେମିତି ତତେ ଆଡ଼େଇ ଆଡ଼େଇ ଚାହାଁନ୍ତି ମନେ କଲୁ ? କେମିତି ନିଶରେ ହାତ ମାରି ହସନ୍ତି ?

ତାଙ୍କ ହସ କି ତାଙ୍କ ଚାହାଣୀ ମୁଁ ଦେଖିନାହିଁ । ମୋ ପରିବା ମୋ ଦଣ୍ଡିରେ ମୋ ନିଘା ଥାଏ ।

ବାବୁଙ୍କ ପଇସା ମୁଣିରେ ନୁହେଁ ?

ପଇସା ମୁଣିରେ ନଜର ଦେବାକୁ ମନ କଲେ ମୁଣ୍ଡରେ ବୋଝ ଧରି ହାଟକୁ ଆସିବାକୁ ପଡ଼ନ୍ତା ନାହିଁ । କେତେ କାନ୍ତରାଟିବାବୁ ତାଙ୍କର ପଇସା ମୁଣି ଧରି ମୋ ଦୁଆରକୁ ଦଉଡ଼ନ୍ତେ । ଉଠ୍‌, ଉଠ୍‌ ବାଟରୁ ।

ବାଟ କଡ଼ ଗୁଗୁଚିଆ ବଣ ଭିତରକୁ ଗୋଡ଼ ବଢ଼ାଇଲି । ବଳିଆର କଥାରେ ମୋର ରାଗ ହେଲା ନାହିଁ । ମୁଁ ବୁଝିପାରିଥିଲି, ବଳିଆର ପ୍ରତି କଥାରେ ଛପି ଛପି ଦେଖାଦେଉଛି ତାର ଖାଉଁଦ ପ୍ରତି ରାଗ, ରୋଷ ଓ ମୋ ପ୍ରତି ଅଭିମାନ ।

ବଳିଆ ବାଟରୁ ଆଡ଼େଇଗଲା । ମୋ କଥାରେ ତାର ମୁହଁର ଆଭା ବଦଳିଗଲା । ସେ ଖୁସି ହୋଇ ମୁଣ୍ଡ ଟୁଙ୍ଗାରି କହିଲା, ଅସଲ କଥାଟା କହିନାହିଁ ଯେ, ଟିକିଏ ରହ । ବାବୁ କହିଲେ, ଆରେ ବଳିଆ, ତାକୁ ଦିନେ ନିରୋଳାରେ କହିବୁଟି .....

କଥା ଅଧା ରଖିଦେଲା ।

ଆଗ୍ରହର ଛଳନା କରି ଶୁଣିବାକୁ ମୁହଁ ବୁଲାଇ ପଚାରିଲି, କ’ଣ କହିବୁ ?

ହସିଲା ମୁହଁରେ ଉତ୍ତର ଦେଲା, କହିଲେ, କହିବୁଟି, ସେ କାହିଁକି ହାଟକୁ ଯାଇ ଖରାରେ ବସି ପରିବା ବିକୁଛି ? ଯାହା ତାର ପରିବା ଥିବ ସବୁ ଆଣି ଆମରି ଘରେ ଓଜନ କରି ଦେଇଯିବ ।

ହାଟରେ ଦର ଯାହା ହୋଇଥିବ ସେଇ ଅନୁସାରେ ପଇସା ଗଣି ନେଇଯିବ । ତାହେଲେ ଆମୁକୁ ଆଉ ହାଟକୁ ଦଉଡ଼ିବାକୁ ପଡ଼ିବ ନାହିଁ, ତାକୁ ବି ଅଧିକ ବେଳ ରହିବାକୁ ହେବ ନାହିଁ । କେମିତି, ମନକୁ ଆସୁଛି ଲୋ ?

ଆହା ହା, ବାବୁଙ୍କର ବଡ଼ ଦୟାରେ ବଳିଆ, ଗରିବଙ୍କ ଉପରେ ତାଙ୍କର ଭାରି ନଜର । ଭଲ କଥା ତ କହିଛନ୍ତି । ଏଥର ସେଇଆ କଲେ ଭଲ ହେବ । ମିଛଟାରେ ବସି ବସି ବେଳ କାଟିବି କାହିଁକି ?

 

 

କଟମଟ କରି ମୋ ମୁହଁକୁ ଚାହିଁଲା । ନାକ ଫୁଲାଇ କହିଲା, ବାବୁଙ୍କୁ ସେଇଆ ମୁଁ ଖବର ଦେବି ?

ଜବାବ ନଦେଇ ମୁଁ ବାଟେ ବାଟେ ଚାଲିଆସିଲି ।

•••

 

୨୦

 

ହସି ହସି ପେଟ ପରାସ ହେଲା । ଛବିର ମୁଣ୍ଡ ବାନ୍ଧି ଦେଉଁଣୁ ତାର ପିଠି ଉପରେ ମୁଣ୍ଡ ରଖି କହିଲି, ବାବୁଙ୍କର ଯେଉଁ ଚାକର ଟୋକା, ଯେମିତି କଟମଟ କରି ମତେ ଚାହିଁଲା, ମୁଁ ଯଦି ତାର କିଏ ହୋଇଥାନ୍ତି, ମତେ ସେ ସେଇଠି ଚୋବେଇ ଦେଇଥାନ୍ତା । ପରକୁ ପର । ମୋର ଯାହା ଖୁସି ମୁଁ କରିବି, ତାର ଥାଏ କଅଣ ?

ଛବିର ମୁଣ୍ଡ ବନ୍ଧା ସରିଥିଲା । ସେ ମୋ ଆଡ଼କୁ ମୁହଁ କରି ବସିଲା । ଭାବି ଭାବି ପଚାରିଲା, ଆଚ୍ଛା ତୁଳସୀ ଅପା, ତେମେ କଅଣ ସତରେ ପରିବା ନେଇ ଏଥର କାନ୍ତରାଟି ବାବୁଙ୍କ ଘରକୁ ଯିବ ?

ଗଲେ କ୍ଷତି କଣ ?

କ୍ଷତି ନାହିଁ ଯେ.....

ଜଣକୁ ସବୁ ପରିବା ବିକିଦେଲେ ଜଲ୍‌ଦି କାମ ଛିଣ୍ଡିଯିବ । କେତେବେଳୁ ଆସିଲିଣି, କେତେ ଗପିଲିଣି, ତଥାପି ସୂର୍ଯ୍ୟ ବୁଡ଼ିନାହାନ୍ତି । ଆଉରି ଆଗରୁ ଆସିଲେ ଦିହେଁ ବସି କାଞ୍ଜିଗାତ ଖେଳିବା । ଏକା ତେନ୍ତୁଳିମଞ୍ଜି ଯୋଗାଡ଼ କରି ରଖିଥିବୁ ।

ତମ ମନୁଆ ତେଣେ କାନ୍ଦିବ ନାହିଁ ?

ମନୁଆକୁ ବୋଉ ବୁଝାଇଶୁଝାଇ ରଖିଥିବ ଯେ । ସତେ ଲୋ ଛବି, ତତେ ଦେଖିଲେ ଘଡ଼ିକ ପାଇଁ ମୁଁ ସବୁ ଭୁଲିଯାଏଁ, ମନୁଆ ବି ମନେପଡ଼େ ନାହିଁ ।

ତାର ମୁଣ୍ଡଟିକୁ ମୋର ବେକ ଉପରକୁ ଆଉଜାଇ ଆଣି ଗାଲ ଉପରେ ଚୁମା ଦେଲି । ପିଠି ଆଉଁସି କହିଲି, ଆର ଜନ୍ମରେ ତୁ ମୋ ଝିଅ କି ଭଉଣୀ ହୋଇଥିଲୁ ।

ମନୁଆକୁ ଦିନେ ସାଙ୍ଗରେ ଆଣିବ ନାହିଁ ?

ବୋଝ ଉପରେ ନଳିତା ବିଡ଼ା ? ସେ ପୁଣି ବଡ଼ ଅଝଟିଆ । ଦିନେ ସହଳ ସହଳ ହାଟରୁ ଫେରିଲେ ତତେ ସାଙ୍ଗରେ ନେଇଯିବି ଯେ, ବେଳ ଥାଉଁଣୁ ତୋ ଭାଇ ଫେରିବା ଆଗରୁ ତତେ ଛାଡ଼ିଦେଇ ଯିବି । ବାଟତ ବେଶି ନୁହେଁ ।

ଭାଇ ଯଦି ଜାଣିବେ ମତେ ଗାଳି ଦେବେ ।

ସେ ଜାଣିବେ ନାହିଁ । ମୁଁ ଏଇଠିକି ଯା ଆସ କରେ ବୋଲି ତୁ ତାଙ୍କୁ କହିଛୁ ?

ନାଇଁ, ତାଙ୍କୁ ମୁଁ କହିନାହିଁ । ଦିନେ ସେ ତାଙ୍କ ମନକୁ ପଚାରିଲେ, ତୋ ମୁଣ୍ଡ ତ ଆଗେ ଅଲରା ହୋଇ ଫୁର୍‌ଫୁର୍‌ ଉଡ଼ୁଥିଲା, ଆଜିକାଲି କିଏ ବାନ୍ଧିଦେଉଛି ? ମୁଁ ମିଛରେ କହିଲି, ମୋ ହାତରେ ବାନ୍ଧିଛି । ସେ ଖୁସି ହେଲେ । ତହିଁ ଆରଦିନ ମୋ ପାଇଁ ଆରିଶି ପାନିଆଁ କିଣିଆଣି ଦେଲେ । ଆଉ କେବେ କିଛି ପଚାରନ୍ତି ନାହିଁ । ତାଙ୍କର ମନା, ଆମ ଘରକୁ କେହି ଆସିବେ ନାହିଁ କି ମୁଁ କାହା ଘରକୁ ଯିବି ନାହିଁ ।

ଆଚ୍ଛା, ମନୁଆକୁ ଦିନେ ସଙ୍ଗରେ ଆଣିବି, ନଇଲେ ଯେଉଁ ଦିନ ହାଟ ପାଳି ନଥିବ, ସେଦିନ ସିଧା ସିଧା ଏଠାକୁ ଆସି ତତେ ସାଙ୍ଗରେ ନେଇଯିବି ଯେ ଆମ ଘର, ଆମ ଗାଁ ବୁଲାଚଲା କରି ଦେଖିଆସିବୁ । ମୋ ବୋଉ ତତେ ଦେଖିବାକୁ କହେ । ମୋ ତୁଣ୍ଡରୁ ତୋ କଥା ଶୁଣିଲେ ସେ ଖୁସି ହୁଏ ।

ଛବି କହିଲା, ଭାଇକୁ ନପଚାରି ମୁଁ କୁଆଡ଼େ ଯିବି ନାହିଁ । ସେ ଯେଡ଼ିକି ସ୍ନେହୀ ସେଡ଼ିକି ରାଗୀ ।

ସଞ୍ଜ ହୋଇଯିବ ବୋଲି ମୁଁ ବିଦାୟ ନେଇ ବାହାରିଲି । ତା ସାଙ୍ଗରେ ପଖାଳଗଣ୍ଡିଏ ଖାଇ ବସିବାକୁ ସେ ଜିଗର୍‌ ଧରିଲା । କହିଲା, ତେମେ ଆସିବ ବୋଲି କେଡ଼େ କଷ୍ଟରେ କଣ୍ଟାମରିଚ ଶାଗ ପତର କରି ତୋଳି ତୋଳି ଖରଡ଼ି ରଖିଛି । ତେମେ ଯଦି ନଖାଇବ ଯାଅ, ତମ ନାଁରେ ମୁଁ ନିଶ୍ଚୟ ଉପାସ ରହିବି ।

ତା ଅନୁରୋଧ ମୁଁ ଭାଙ୍ଗିପାରିଲି ନାହିଁ, କେବେ ଭାଙ୍ଗିନାହିଁ । ଗରିବ ଘରେ ଜନ୍ମ ହୋଇଛି ସିନା, ମନଟି ତାର ବଡ଼ । ହାଟ ଫେରନ୍ତି ଆତ, ପିଜୁଳି, ପାଚିଲା କଦଳୀ, ଘି’ପିଠା ମୁଁ କିଣିଆଣି ତାକୁ ଦିଏ । ସେ ଆଗ୍ରହରେ ଟିକିଏ ଖାଏ, ବାକିତକ ରାଣନିୟମ ଦେଇ ମନୁଆ ପାଇଁ ମୋରି ହାତରେ ଫେରାଇଦିଏ । ବୋଉ ପାଇଁ କଞ୍ଚା ଲଙ୍କାମରିଚ, ମନୁଆ ପାଇଁ କାକୁଡ଼ି ଗଛରୁ ତୋଳିଦିଏ । ମୁଁ ମନା କଲେ ସେ ଶୁଣେ ନାହିଁ ।

ବାଟରେ ସୁରଙ୍କ କଥା ମନେପଡ଼ିଲା । ଆହା, ଦଇବ ଯଦି କପାଳ ଫଟାଇ ନଥାନ୍ତା, ଛବି ଯଦି ସୁରଙ୍କର ହାତ ଧରି ମୋ ପାଖକୁ ଯାଇଥାନ୍ତା, କେଡ଼େ ଆନନ୍ଦରେ ଆମର ବେଳ କଟିଥାନ୍ତା । ରାମ ଲକ୍ଷ୍ମଣ ପରି ଦି’ଭାଇ ।

ଆଖିରୁ ଲୁହ ପୋଛିଲି ।

ସୁରଙ୍କ ସଙ୍ଗେ ଅନେକ ଦିନୁ ଦେଖା ହୋଇନାହିଁ । ସେ ବି ଆଉ ଆସନ୍ତି ନାହିଁ । କିଏ ଜଣେ ବୋଉ ଆଗରେ କହୁଥିବାର ଶୁଣିଥିଲି, ସୁର ଉଦାସିଆ ହୋଇ ବୁଲୁଛନ୍ତି । କାହାରି ସଙ୍ଗେ କଥାଭାଷା ହୁଅନ୍ତି ନାହିଁ । ମୂଲ ଲାଗିବାକୁ ଯାଇ ତିନି ଚାରି ଦିନରେ ଥରେ ଘରକୁ ଫେରନ୍ତି । ଘଡ଼ିଏ ଦିଘଡ଼ି ଦାଣ୍ଡ ପିଣ୍ଡାରେ ବସି ପୁଣି ଚାଲିଯାଆନ୍ତି ।

ସୁର ଆଉ ଛବି – ଭାଇ ଭଉଣୀ ପରି ସୁନ୍ଦର ଦିଶିବେ । ଦିହିଙ୍କି ଦି ଆଖିରେ ଦେଖିଲେ ସବୁ ଦୁଃଖ ଭୁଲିଯିବି ।

କିନ୍ତୁ ଛବିର ଭାଇ ! ମୋର ଦୁର୍ନାମ, ତୁଣ୍ଡବାଇଦ ତାଙ୍କର କାନରେ ପଡ଼ିନଥିବ ? କାଳେ ସେ ମନା କରିବେ? ପ୍ରସ୍ତାବ ପକାଇବ କିଏ ?

•••

 

୨୧

 

ଆର ପାଳି ହାଟକୁ ବିଶିବାବୁ ଏପାଖ ସେପାଖ ବୁଲି ମୋରି ପସରା ପାଖରେ ପହଞ୍ଚିଲେ । ତାଙ୍କ ପଛେ ପଛେ ଥାଏ ତାଙ୍କର ଚାକର ଟୋକା ବଳିଆ । ମୋ ଆଡ଼କୁ ଚାହିଁ ସେ ଗମ୍ଭୀର ହୋଇଉଠିଲା । ବାବୁ ମୋ ପସରାରେ ହାତ ମାରି ଏଇଟା ସେଇଟା ଦେଖି କହିଲେ, ଆରେ ବଳିଆ, ୟାରି ପରିବା ବେଶ୍‌ ଛନଛନିଆ ଦିଶୁଛି । ସବୁ ଓଜନ କରି ନେ । ଦର କଣ ଲୋ-?

 

ଆଗ୍ରହଭରା ଆଖିରେ ମୋ ଆଡ଼କୁ ଚାହିଁଲେ । ଆଉ ପାଞ୍ଚଟା ଗ୍ରାହକଙ୍କୁ ଯେଉଁ ଦର କହେଁ, ତାଙ୍କୁ ମଧ୍ୟ ସେଇଆ କହିଲି । ସେ ଆପତ୍ତି ନକରି ସବୁ ଓଜନ କରାଇନେଲେ । କହିଲେ, ବଳିଆ ତୁ ପରିବା ନେଇ ଆଗେ ଆଗେ ଯା, ମୁଁ ହିସାବ କରି ଦାମ୍‌ ଦେଇ ପଛରେ ଯିବି । ବଳିଆ ମୋ ଆଡ଼କୁ କଣେଇଁ ଚାହିଁ ପରିବା ବୋଝ ନେଇ ଚାଲିଗଲା । ବାବୁ ହିସାବ କରି କହିଲେ, ତୋର ହେଲା ଦୁଇଟଙ୍କା ଚାରିଅଣା । ପକେଟରୁ ଚମଡ଼ା ଥଳି କାଢ଼ି ବିଡ଼ାଏ ନୋଟ ବାହାର କଲେ । ତହିଁରୁ ଖଣ୍ଡିଏ ମୋତେ ଦେଇ କହିଲେ, ନିଅ । ତମର ଦାମ୍‌ କାଟିରଖି ବାକି ମୋତେ ଫେରସ୍ତ ଦିଅ ।

 

ମୁଁ କହିଲି, ବାବୁ ଗରିବ ପସରା, ଦି’ଟଙ୍କା ଅଢ଼େଇ ଟଙ୍କାର ଚିଜ । ପାଖରେ ଦଶ ଟଙ୍କାର ରେଜା ନାହିଁ । ଆପଣ ଭଙ୍ଗାଇ ଆଣି ମୋତେ ଦିଅନ୍ତୁ ।

 

ସେ ନୋଟ ବିଡ଼ାକ ଚମଡ଼ା ଥଳିରେ ରଖିଲେ । ହସ ହସ ହୋଇ କହିଲେ– ଆଚ୍ଛା, ଚାକର ତ ପରିବା ନେଇଗଲାଣି, ମୁଁ ନୋଟ ଭଙ୍ଗାଇବାକୁ ଚେଷ୍ଟା କରେ । ତମେ ସେ ଖଣ୍ଡ ରଖିଥାଅ । ତମ ପଇସା ଦେଲେ ମୁଁ ମୋ ନୋଟ୍‌ ଫେରସ୍ତ ନେବି ।

 

ପ୍ରତିବାଦ କରିବା ଆଗରୁ ହାଟର ଗହଳି ଭିତରେ ମିଶିଗଲେ । ମୁଁ କୌଣସି କଥା ଭାବିବାକୁ ବେଳ ପାଇନଥିଲି । ଅପେକ୍ଷା କଲି । ସେ ଆସିଲେ ନାହିଁ । ହାଟ ଭାଙ୍ଗି ଭାଙ୍ଗି ଆସିଲା-। ମୁଁ ମୋ ଜାଗା ଛାଡ଼ି ଉଠିଲି । ଚାରିପଇସା ବଟା ଦେଇ ନୋଟ ଖଣ୍ଡି ଗୋଟିଏ ଲୁଗା ଦୋକାନରେ ଭଙ୍ଗାଇଲି । ମୋ ପରିବାର ଦାମ୍‌ ମୁଁ ଅଲଗା ବାନ୍ଧି ରଖିଲି । ବାବୁଙ୍କ ଟଙ୍କା ହାତରେ ଧରି ପୁଣି ଅପେକ୍ଷା କଲି । ତାଙ୍କର ଦର୍ଶନ ମିଳିଲା ନାହିଁ ।

 

ହାଟ ଭାଙ୍ଗିଲା । ବେଳ ବୁଡ଼ିଆସିଲା । ତଥାପି ବାବୁଙ୍କର ଦେଖା ନାହିଁ । ଭାବିଲି, ବାବୁଙ୍କ ଘର ଆଡ଼େ ଯାଇ ପଇସା ଦେଇଆସିବି । ମନ କାହିଁକି ଡାକିଲା ନାହିଁ । କି ଉଦ୍ଦେଶ୍ୟରେ କେଜାଣି ସିଧା ସିଧା ତାଙ୍କ ଘରକୁ ଯାଇ ପରିବା ଦେଇ ଆସିବାକୁ ଖବର ପଠାଇଥିଲେ । ମୁଁ ଜାଣି ଜାଣି ଯାଇନଥିଲି । ହୁଏତ ତାଙ୍କ ଘରକୁ ଯିବାକୁ ପ୍ରକାରାନ୍ତରେ ମୋତେ ବାଧ୍ୟ କରିବେ ବୋଲି ସେ ଏପରି ଗୋଟିଏ ଛଳନା ଖେଳିଛନ୍ତି ।

 

ପୁଣି ଭାବିଲି ବାବୁଙ୍କର ମନରେ ଯାହା ଥାଉ, ଗୋଟାଏ ହାତରେ ତାଳି ବାଜେ ନାହିଁ । ତାଙ୍କର ଉଦ୍ଦେଶ୍ୟ ଘେନି ସେ ରୁହନ୍ତୁ । ମୁଁ କାହିଁକି ତାଙ୍କର ଧାରୁଆ ରହିବି ? ମନରେ ବାର କଥାର ଘଣ୍ଟାଚକଟା ହେବ ? ତାଙ୍କ ଧନ ତାଙ୍କୁ ଫେରାଇଦେଇ ଯିବି । ଆଉଦିନେ ଆଗ ପଇସା ନନେଇ ପରିବା ଛାଡ଼ିଦେବି ନାହିଁ ।

 

ଏତେ କଥା ସିନା ଭାବିଲି, ଗାଁ ଭିତରକୁ ଯିବାକୁ ଗୋଡ଼ ଚଲିଲା ନାହିଁ । ସିଧା ସିଧା ଘରକୁ ଫେରିଲି । ଛବିକି ଦେଖିଯିବାବୁ ଗୋଡ଼ ଚଳିଲା ନାହିଁ । ମୋ ପାଇଁ ସେ ଦି’ପହରେ ଅପେକ୍ଷା କରି ରହିଥିବ । କିନ୍ତୁ, ବେଳ ଡେରି ହେଲାଣି । ତା ଭାଇ କାମରୁ ଫେରିବେଣି । ଯିବା ଭଲ ହେବ ନାହିଁ ।

 

ଘରକୁ ସିନା ଫେରିଲି, ପରର ଟଙ୍କା ପାଖରେ ରଖି ମନରେ ମୋର ଶାନ୍ତି ନଥାଏ । ବାବୁଟି କଅଣ ଭାବୁଥିବେ ? ବଳିଆକୁ କହୁଥିବେ, ଆରେ ସେଇଟା ଠକ, ଚୋରଣୀ.....

 

ମନ ମୋର ଛଟପଟ ହେଲା ।

ବୋଉର ଦେହ ଭଲ ନଥାଏ । ଦେହ ତାତେ, ଗୋଡ଼ ହାତ ବଥାଏ । ତଥାପି ସେ ଘୁସୁରି ଘୁସୁରି ବାର କାମ କରେ । ମନୁଆର ଯତ୍ନ ନିଏ । ଦୁଃଖଧନ୍ଦାରେ ଲାଗି ତାର ସେବା ଯତ୍ନ ମୁଁ କରିପାରେ ନାହିଁ । ମନରେ ଦୁଃଖ ହୁଏ କିନ୍ତୁ ପରଘରକୁ କାମ କରିବାକୁ ନଗଲେ ତ ଚଳିବ ନାହିଁ ।

 

ଛାଇନେଉଟ ବେଳ । ବେତାଟି ଧରି ଟିମବାବୁଙ୍କ ବଗିଚାକୁ ପରିବା ପାଇଁ ଗଲି । କାଲି ହାଟପାଳି । ଯାହା ଅର୍ଜ୍ଜନ କରିଥିଲି ସେତକ ସରିଗଲାଣି । ବୋଉର ଦେହ ଖରାପ । ତା’ ପାଇଁ ପଥି ଲୋଡ଼ା, ମୋର ଭଲ ଲୁଗାଟିଏ ନାହିଁ । ଚିରାଲୁଗା ଖଣ୍ଡେ ପିନ୍ଧି ଅଭେକାଙ୍କ ପରି ଦାଣ୍ଡ ହାଟକୁ ବାହାରିବାକୁ ଲାଜ ମାଡ଼ୁଛି । ଖଣ୍ଡେ ତନ୍ତବୁଣା ଶାଢ଼ୀ କିଣିବାକୁ ପଡ଼ିଲା । ଯେତକ ସଞ୍ଚି ରଖିଥିଲି, ଏଇଥିରେ ସବୁ ସରିଗଲା । ପିଲାଟାର ଜାମା ନାହିଁ । ଫୁଙ୍ଗୁଳା ଦେହରେ ରହୁଛି । ସର୍ଦ୍ଦିରେ ସଁ ସଁ ହେଉଛି । ତା’ପାଇଁ ଫୁଲପକା ଜାମାଟିଏ କିଣିବି ।

 

କେଡ଼େ ଆଶାରେ ଟିମ ବାବୁଙ୍କ ବଗିଚାରୁ ପରିବା ଆଣିବାକୁ ଯାଇଥିଲି । ନିତିପାଳିଆ ଗରାଖ, ଏ ପାଳିଟା କଅଣ ଉଧାର ଚଳାଇବେ ନାହିଁ ? କେବେ ତ ସେ ଆଗତୁରା ପଇସା ମାଗନ୍ତି ନାହିଁ । ଯାଚିଲେ କହନ୍ତି, ହାଟରୁ ଫେରିଲେ ଦେବୁ । ମୁଁ ସିନା ବଳେଇ କରି ଦେଇଯାଏ !

 

କାନ୍ତରାଟି ବାବୁଙ୍କର ଟଙ୍କା କେଇଟି ମୋ ପାଖରେ ଥିଲା । ପର ମଣିଷ, କେଉଁ ଗାଁର କିଏ, ଅଜଣା ଅଶୁଣା । ତାଙ୍କ ପଇସାରେ ହାତ ଦେବାକୁ ମନ ହେଲା ନାହିଁ । ଖାଲି ହାତରେ ବଗିଚାକୁ ଆସିଲି । ମନଟା ଦୋଦୋପାଞ୍ଚ ହେଉଥାଏ ।

 

ବଗିଚାର ଫାଟକ ଆଉଜା ହୋଇଥିଲା । ଉଁକି ମାରିଲି । କେହି କୁଆଡ଼େ ଦେଖାଯାଉନାହିଁ । ଚାକରର ନାଁ ଧରି ଡାକିଲି । ଜବାବ ପାଇଲି ନାହିଁ । ଝଙ୍କାଳିଆ ତରାଟ ଗଛ ଧାଡ଼ି ସେ ପାଖରୁ ମଧୁମାଳତୀ ଗଛ ପଛରୁ ଟିମ ବାବୁ ବାହାରିପଡ଼ିଲେ । ମୋ ଆଡ଼କୁ ଚାହିଁ କହିଲେ– ଆରେ ତୁଳସୀ, ଆ ଆ, ଚାକର ବାକର କେହି ନାହିଁ ।

 

ଫାଟକ ଖୋଲି ଭିତରକୁ ଗଲି । ଟିମବାବୁ ଡକା ଛାଡ଼ିଲେ – ଆଲୋ, ଫାଟକଟା ଲଗାଇଦେଇ ଆ, ଗାଈ ଗୋରୁ ପଶିଆସିବେ ।

 

ତାଙ୍କ କଥା ଶୁଣି ଭିତର ପାଖରୁ ଫାଟକର ଜଞ୍ଜିର ବନ୍ଦ କଲି । ତାଙ୍କ ପାଖକୁ ଗଲି । ଭାବୁଥାଏଁ, ପାଖରେ ପଇସା ନାହିଁ ବୋଲି ଆଗରୁ କହିଦେବି କି ପରିବା ପତ୍ର ଆଗ ଓଜନ କରି ପରେ ତାଙ୍କୁ କହିବି ।

 

ମୁଁ କିଛି କହିବା ଆଗରୁ ସେ ଆଗ ବଳିପଡ଼ି କହିଲେ, ଆଜି ନିଜ ହାତରେ ତୋତେ ପରିବା ତୋଳିବାକୁ ପଡ଼ିବ । ଚାକର ଆସିନାହିଁ । ଚାଲ୍ ଆଗ ବାଇଗଣ କିଆରୀକୁ ।

 

ଗଲୁଁ । ଦିହେଁ ତୋଳୁଥାଉଁ । କିଛି ସମୟ ତୁନିହୋଇ ତୋଳିବା ପରେ ସେ ଆରମ୍ଭ କଲେ– ତୁଳସୀ, ମୋର ସ୍ତ୍ରୀଙ୍କ ଜ୍ୱାଳାରେ ମୁଁ ଘରେ ଘଡ଼ିଏ ହୋଇ ଶାନ୍ତିରେ ରହିପାରୁନାହିଁ । ସବୁବେଳେ କଜିଆ ଲଗାଉଛନ୍ତି । ଭାବୁଛି ଏଥର ଘରକୁ ନଯାଇ ଏଇ ବଗିଚା ଘରେ ରହିବି ।

 

ଲୋକେ କଅଣ କହିବେ ଟିମ ଭାଇ, ତାଙ୍କୁ ବୁଝାସୁଝା କରିଦେଲେ ସେ ବୁଝିଯିବେ ଯେ-

 

ଟିମଭାଇ ହସିଲେ । କହିଲେ, ସେ ଆଣ୍ଡୁଆ ଲୋକ । ଯାହାର ସମସ୍ତଙ୍କ ଉପରେ ସନ୍ଦେହ ତାକୁ ବୁଝାଇଲେ ସେ ବୁଝିବ ନାହିଁ । ଟାଣ ହାତରେ କିଛି ନକଲେ ସେ ବାଟକୁ ଆସିବେ ନାହିଁ ।

 

ସନ୍ଦେହ କାହିଁକି ?

ଯାହାର ମନ ନିର୍ମଳ ନୁହେଁ, ତାର ସମସ୍ତଙ୍କ ଉପରେ ସନ୍ଦେହ ଓ ଅଭିମାନ ଆସେ । ଦର୍ପଣରେ କ’ଣ ସେ ନିଜର ରୂପ ଦେଖୁନାହାନ୍ତି ? ଦେଖିଲେ ବୁଝିପାରୁଥିବେ ଗାଁର ଆଉ ଦଶଟା ଝିଅ ବୋହୂଙ୍କ ତୁଳନାରେ, ହାଟ ବାଟର ମୂଲିଆ ମଜୁରିଆ ପିଲାଙ୍କ ଆଗରେ ତାଙ୍କ ଚେହେରା କେଡ଼େ ଅସୁନ୍ଦର । ଭଗବାନ ରୂପ ଢଙ୍ଗ ସିନା ଦେଇନାହାନ୍ତି, ଆଖି ତ ଦେଇଛନ୍ତି । ଭଗବାନଙ୍କ ଅଭିଶାପ ଘେନି ସେ ଜନ୍ମ । କେଉଁଠି କାହାକୁ ସୁନ୍ଦର ଦେଖିଲେ ସେ ସହିପାରନ୍ତି ନାହିଁ ।

 

ସେପରି କାହିଁକି ଭାବୁଛ ଟିମ ଭାଇ, ଭଗବାନଙ୍କର କଲ୍ୟାଣ ନେଇ ତାଙ୍କର ଜନ୍ମ । ତମ ପରି ସ୍ୱାମୀ, ଦେଠେଈଙ୍କ ପରି ଶାଶୁ ଯାହାର, ତାର ଆଉ ଦୁଃଖ କଅଣ ? ସଂସାର ଦୁଃଖରେ ଘାଣ୍ଟି ଚକଟି ହୋଇ ହାଡ଼େ ହାଡ଼େ ମୁଁ ଅନୁଭବ କରିଛି ଯେ ରୂପ ଗୋଟାଏ ଅଭିଶାପ, ନିଆଁ । ଯୁଆଡ଼େ ଯାଏ ମଣିଷ ମନରେ ନିଆଁ ଲଗାଏ । ଶେଷକୁ ନିଜେ ପୋଡ଼ି ଜଳି ପାଉଁଶ ହୁଏ । ରୂପ ବାହାର ଉଜ୍ଜ୍ୱଳ କରେ, ଭିତରଟା ପୋଡ଼ା ଅଙ୍ଗାର । ମଣିଷର ଗୁଣ କୁଳ ଉଜ୍ଜ୍ୱଳ କରେ, ସଂସାର ସୁନ୍ଦର କରେ ! କହିବି ଟିମଭାଇ, କହିବି ?

 

କହୁନୁ ।

ତମେ ତମର ସ୍ତ୍ରୀଙ୍କୁ ଭଲପାଅ ନାହିଁ । ସେଇଥିପାଇଁ ତମ ମନରେ ଏପରି ଧାରଣା ହୁଏ । ସ୍ୱାମୀ ଯଦି ସ୍ତ୍ରୀକୁ ଭଲ ପାଏ, ସ୍ତ୍ରୀର ସବୁ ଗୁଣ, ସ୍ତ୍ରୀର ରୂପ ତା ଆଖିକୁ ଭଲ ଦିଶେ । ଭଲ ପାଇବା ଆଗରେ ବାହାରର ଚମ ଠିଆ ହୋଇପାରେ ନାହିଁ । ଦେଖିଛ ନଟଭାଇ ସ୍ତ୍ରୀକୁ, ତାଠୁ ବଳି ଅସୁନ୍ଦରୀ ସାରା ଦୁନିଆରେ ଆଉ କେହି ଅଛି ? ବାହା ହୋଇ ପନ୍ଦର ଦିନ କାଳ ନଟଭାଇ ଘରେ ପଶିନଥିଲା । କେତେ ବୁଝାସୁଝା କଲାପରେ ଯେଉଁ ରାତିରେ ସେ ଲୁଚି ଲୁଚି ଘରେ ପଶିଲା, ତହିଁ ଆରଦିନ ସେ କହି ବୁଲିଲା, ମୃଗନେତ୍ରୀଟିଏ । ତା ପରେ ତ ଆଉ କିଛି ଗୋଳମାଳ ହୋଇନାହିଁ ।

 

ଟିମଭାଇ ଓ ମୁଁ ହସିଉଠିଲୁ ।

ବାଇଗଣ ତୋଳା ସରିଲା । ଟୋକେଇରେ ପୂରାଇ ମୁଁ ତରାଟ ଗଛ ପାଖକୁ ଆସିଲି । ଟିମଭାଇ ମୋ ପଛେ ପଛେ ଆସିଲେ । କହିଲେ, ଝୁଡ଼ଙ୍ଗଛୁଇଁ କିଛି ନେଇଯା, ଚାଲ୍ ସେପାଖକୁ ।

 

ଦିହେଁ ବଗିଚା ଘରର ପଛ ପାଖକୁ ଯାଇଁ ତୋଳିଲୁ । ସେ ମୋ ପାଖକୁ ଘୁଞ୍ଚିଆସି କହିଲେ, କାହା ଆଡ଼କୁ ଟିକେ ଚାହିଁଲେ କି କାହାସଙ୍ଗେ ହସିକରି ପଦେ କଥା କହିଲେ ସେ ସହି ପାରନ୍ତି ନାହିଁ । ସନ୍ଦେହ କରି ପଚାରନ୍ତି, କିହୋ.....? ମୁଁ ବିରକ୍ତ ହୁଏ । ବାହା ହୋଇଛି ବୋଲି କଅଣ ଚାହିଁବାର, କହିବାର ଅଧିକାର ମୋର ନାହିଁ ?

 

କହିଲି, ତମର ମନ ଚିହ୍ନିବାର ସୁବିଧା ଯଦି ସେ ପାଇଥାନ୍ତେ, ତାଙ୍କ ମନରେ ଯଦି ଧାରଣା ହୋଇଥାଆନ୍ତା ଯେ, ତେମେ ତାଙ୍କ ବିନା ଆଉ କାହାରିକୁ ଭଲପାଅ ନାହିଁ, ତେବେ କାହା ସଙ୍ଗେ କଥା କହିଲେ କି କାହା ଆଡ଼କୁ ଚାହିଁଲେ ତାଙ୍କର ସନ୍ଦେହ ହୁଅନ୍ତା ନାହିଁ । ସେ ବିରକ୍ତ ହୁଅନ୍ତେ ନାହିଁ ।

 

ଟିମବାବୁ ଗମ୍ଭୀର ହୋଇ ରହିଲେ । ସେତିକି ବେଳଠୁ ସେ ଆଉ ମତେ କିଛି କହିଲେ ନାହିଁ । ମୁଁ ବି ଭରସି କରି କିଛି ପଚାରିଲି ନାହିଁ । ପରିବା ତୋଳା ଶେଷ ହେଲା । ଟୋକେଇରେ ପରିବା ନେଇ ତାଙ୍କ ପଛେ ପଛେ ମୁଁ ବଗିଚା ଘର ଭିତରକୁ ଗଲି । ସେଇଠି ସବୁଦିନେ ଓଜନ ହୁଏ-। ଟୋକେଇ ଓହ୍ଲାଇ ମୁଁ ଠିଆହେଲି । ସେ ତରାଜୁ ଆଣିଲେ । ପରିବା ଓଜନ କରିବା ପରିବର୍ତ୍ତେ ତୁନି ହୋଇ ଠିଆହୋଇ ରହିଲେ ।

 

ବେଳ ବୁଡ଼ି ବୁଡ଼ି ଆସୁଛି । ଦିନର ଆଲୁଅ ମହଳଣ ପଡ଼ିଲାଣି । ତାଙ୍କ ମୁହଁକୁ ଚାହିଁଲି । କେଡ଼େ ଗମ୍ଭୀର, କେଡ଼େ ମଳିନ ଦିଶୁଛି । ମନତଳେ କି ଭାବନା ଲୁଚକାଳି ଖେଳୁଛି ମୁଁ ଜାଣନ୍ତି କିପରି ? ପିଲାଦିନୁଁ ତାଙ୍କ ମନରେ ଯାହା ଥାଉ, ବାହାରକୁ ସେ ଅତି ଭଦ୍ର, ଅତି ନିରୀହ ।

 

ରହି ରହି କହିଲି, ପରିବା ଓଜନ କରିଦେଲେ ମୁଁ ଯିବି । ସଞ୍ଜ ହେଉଛି । ବୋଉର ଦେହ ଭଲ ନାହିଁ । ପିଲାଟା ବିରକ୍ତ କରୁଥିବ ।

 

ତାଙ୍କର ମଉଳା ଓଠରେ ହସର ଆଭା ଖେଳିଗଲା । କହିଲେ– ହଁ, ଡେରି ହେଉଛି, ତୁ ଯା । ଓଜନ କରିବା ଦରକାର ନାହିଁ । ତୁ ବିକିଲାବେଳେ ବଳେ ଓଜନ କରି ଦେବୁ ତ, ହାଟରୁ ଫେରି ମୋତେ କହିବୁ ।

 

ସେର ତରାଜୁ ଘରର ଗୋଟାଏ କଣକୁ ପକାଇଦେଲେ । କହିଲେ, ତୁ ଯା ତୁଳସୀ, ଡେରି ହେଉଛି ।

 

ଗୋଡ଼ ଚଳିଲା ନାହିଁ । ପରିବା ଓଜନ ନକରି ନେବି କିପରି ? ମୁଁ ଫେରି ଆସି ଯେତେ ସତ କହିଲେ ବି କାଳେ ତାଙ୍କ ମନରେ ଅବିଶ୍ୱାସ ହେବ..... ଥଙ୍ଗେଇ ଥଙ୍ଗେଇ ହେଲି ।

 

ତୁ ଭାବିଛୁ ମୋର ତୋ କଥାରେ ଅବିଶ୍ୱାସ ହେବ ? ନା, ସେପରି ଭାବିବୁ ନାହିଁ । ସାମାନ୍ୟ ପରିବା ପାଇଁ ତତେ ମୁଁ ଅବିଶ୍ୱାସ କରିବି ନାହିଁ ।

 

କୃତଜ୍ଞତାରେ ମୋର ମନ ଭରିଗଲା । ଥରେ ପରିବା ଟୋକେଇକି ଚାହିଁ, ପୁଣି ତାଙ୍କ ମୁହଁକୁ ଆକୁଳ ଆଖିରେ ଚାହିଁଲି । ଓଠ ଥରିଉଠୁଥାଏ କହିଲାବେଳକୁ, ତମର ମୋ ଉପରେ ଏତେ ବିଶ୍ୱାସ ହେବା ଉଚିତ ନୁହେଁ, ଟିମଭାଇ । ଅଭାବ ଯେତେବେଳେ ଆଁ କରି ଚାରିଆଡ଼ୁ ଧାଇଁଆସେ, ଇଚ୍ଛା ନଥିଲେ ବି ମଣିଷ ଅବିଶ୍ୱାସ କାମ କରେ । ମୁଁ ଗରିବ, ମୁଁ ମଣିଷ ଜାତିରୁ ବାହାର ନୁହେଁ । କହିବାକୁ ଲାଜ ମାଡ଼ୁଛି, ଅଭାବ ପାଇଁ ମୁଁ ଚୋରି କରିଛି, ଅନୁତାପକୁ ଚାପି ରଖି ପର ଚିଜକୁ ହାତ ବଢ଼ାଇଛି ।

 

ଠିକ୍ କହିଛୁ ତୁଳସୀ, ଅଭାବ ହେଲେ ତାରି ଜାଳାରେ ମଣିଷ ପର ଚିଜକୁ ଅନାଏଁ, ଆପଣାର କରିବାକୁ ପର ଚିଜକୁ ହାତ ବଢ଼ାଏ । ମଣିଷ ଜୀବନରେ ଯେତେପ୍ରକାର ଅଭାବ ଅଛି, ସବୁରି ପାଇଁ କି ଏଇ ଗୋଟିଏ କଥା ଠିକ୍ । ତୋ ପକ୍ଷରେ ଧନ ଅଭାବ ଅତି ବଡ଼ । କିନ୍ତୁ ମୋର ଧନର ଅଭାବ ନାହିଁ । ମୋର ଅଭାବ ମଣିଷର, ପୁଣି ମନର । ସେଇଥିପାଇଁ ପର ମଣିଷ ମୁହଁ ଚାହେଁ – ପରର ମନ ପାଇବାକୁ ମୁଁ ଆକୁଳ ହୋଇଉଠେ । ହାତ ବଢ଼ାଇବାକୁ ସାହସ ହୁଏ ନାହିଁ, ମନ ବଢ଼ାଏଁ ।

 

ତାଙ୍କର କଥା ମୁଁ ବୁଝିଲି । ତାଙ୍କର ଅଭାବ କଅଣ ମୁଁ ଜାଣେ । ଅଭାବ ପୂରଣ କରିବାର ଶକ୍ତି ଯାହାର ନାହିଁ, ସାନ୍ତ୍ୱନା ଦେବାର ଅଧିକାର ମଧ୍ୟ ତାର ନାହିଁ ।

 

ଟିକିଏ ତୁନି ହୋଇ ସେ ଦୁଃଖମିଶା ସ୍ୱରରେ କହିଲେ– ତୁଳସୀ, ଅନେକ ଦିନରୁ ମନ ଖୋଲି ଗୋଟିଏ କଥା କହିବି ବୋଲି ଭାବୁଛି, କହିବାର ସୁଯୋଗ ପାଇନାହିଁ । ଆଜି ପ୍ରଥମ କରି ତୋତେ ମୁଁ ନିରୋଳାରେ ପାଇଛି । କିଛି ଯଦି ମନେ ନକରୁ ମୁଁ କହିବି ।

 

ତାଙ୍କର କଥା ଶୁଣି କିପରି ଚାଟୋଳିଆ ଅନୁଭବ କଲି । ଡରି ଡରି ଏଣିକି ତେଣିକି ନିଘା ପକାଇ କହିଲି, କଅଣ କହ ।

 

କହିଲେ– ପିଲାଦିନର ଖେଳ ମନେଅଛି ତୁଳସୀ ? ଗାଁ ମୁଣ୍ଡ ତୋଟା କଡ଼ର ମାଟିକୁଦ, ଯେଉଁଠି ଛପିଛପିକା ଆଲୁଅ ଛାଇ ଉପରେ ପତର ପାରି ଚେମା ବସେ ରାଜା ହୋଇ, ଆଉ ଟିକି ବୋହୂଟି ସାଜି ତୁ ହେଉ ରାଣୀ । କେତେ କଜିଆ ଗୋଳ, ଟେକା ପକାପକି । ବଳୁଆ ଚେମା ସବୁଦିନେ ଜିତେ, ସେ ହୁଏ ରଜା । ମାଟିକୁଦର ତଳେ ଠିଆହୋଇ ମନ ଦୁଃଖରେ ମୁଁ ଫେରେ, ରଜା ହୋଇପାରିଲି ନାହିଁ । ରଜା ହେବା ଉପଯୁକ୍ତ ମୁଁ ନୁହେଁ ।

 

ବେଳ ଗଡ଼ିଚାଲିଲା । ସୁଖ ଦୁଃଖର ଲହଡ଼ି ଭାଙ୍ଗି ଯିଏ ଯାହାର ରାହା ଧରି ଚାଲିଲେ । ଏତେ ଦିନ ପରେ ଆଜି ଏଇଠି ସଞ୍ଜର ଛାଇତଳେ ତୁ ଓ ମୁଁ ଏକୁଟିଆ – ତୁ ରାଣୀ ଆଉ ମୁଁ ରାଜା-। ଚେମା ଦୂରରେ ରହିଛି ।

 

ବ୍ୟସ୍ତ ହୋଇ ମୁଁ ପଚାରିଲି, ତମେ କଅଣ କହୁଛ ମୁଁ ବୁଝିପାରୁନାହିଁ । ତମର ଉଦ୍ଦେଶ୍ୟ କଅଣ ? ଆଜି ତ ଆଉ ଆମେ ପିଲା ନୁହଁ ଯେ ରାଜା-ରାଣୀ ଖେଳ ଖେଳିବା ।

 

କହିଲେ ନା, ପିଲା ନୁହଁ, ପିଲାଦିନର ରାଜା-ରାଣୀ ଖେଳ ମୁଁ ଚାହେଁନା । ଚାହେଁ.....ଚାହେଁ ପରସ୍ପରର ଅଭାବ ମେଣ୍ଟାଇବା । ତୋର ଧନ ଲୋଡ଼ା, ମୋର ପ୍ରଚୁର ଧନ ଅଛି-। ମୋର ଯାହା ଲୋଡ଼ା ତୁ ଜାଣୁ । ତୋର ରୂପ ଅଛି ।

 

ଭୟରେ ମୋର ଗୋଡ଼ରୁ ମୁଣ୍ଡଯାଏ ଥରିଉଠିଲା । ମୁଁ ବିଚଳିତ ହୋଇ ଥରିଲା ସ୍ୱରରେ ଟିକିଏ ଜୋର୍ ଦେଇ କହିଲି, ଟିମ ଭାଇ.....!

 

କଣ୍ଠ ରୁଦ୍ଧ ହୋଇ ଆସିଲା ।

ସେ ଅବିଚଳିତ ସ୍ୱରରେ କହିଲେ– ଯାହାର ଅଭାବ ଥାଏ, ଜାଣି ମଧ୍ୟ ନଜାଣିଲା ପରି ପର ଚିଜକୁ ସେ ହାତ ବଢ଼ାଏ । ପ୍ରତି ହାଟ ପାଳି ଆଗଦିନ ତୁ ପରିବା ନେବାକୁ ଆସୁ । ନେଉ । ଜାଣି ପାରୁଥିବୁ ତୋତେ ପରିବା ଦେବା ମୋର ଗୋଟାଏ ଛଳନା । ନୋହିଲେ ତୁ ପୁଣି ଆରପାଳି ଧାଇଁ ଆସନ୍ତୁ କାହିଁକି ?

 

ମୋର ଆଖି ଖୋଲିଗଲା । ମୁଁ ରାଗରେ ଗର୍ଜିଉଠି କହିଲି, ତେମେ ଏଡ଼େ ଦୁର୍ବଳ, ଏଡ଼େ ଛୋଟ ?

 

ଏକା ମୁଁ ନୁହେଁ, ଯାହାର ଅଭାବ ସେ । ଅଭାବର ତାଡ଼ନାରେ ପଡ଼ି ତୁଇ ନିଜେ ତ ପୁଣି ଦିଅର ହାତରେ ଗେରସ୍ତକୁ ମାରିଛୁ ।

 

ମିଛ କଥା ।

ମିଛ ସତ ମୁଁ ଜାଣେ ନାହିଁ । ଦୁନିଆ ଲୋକେ ସମସ୍ତେ ସେଇ କଥା କହୁଛନ୍ତି । ଆଉ ଦେଖ୍, ତୋ ପରି ରୂପର ଅଧିକାରିଣୀ, ଯୌବନର ଜୁଆର ଖେଳାଇ ଦୁନିଆରେ ଆତଯାତ ହୋଇ, ଦୁନିଆର ଭୋକିଲା ଶୋଷିଲାଙ୍କ ମନର ଶୋଷ ମାରିବାକୁ ଜୁଆର ଆଡ଼କୁ ଆକୁଳ ହୋଇ ଛୁଟିବାରେ ବାଧା ଦେଇପାରିବ ନାହିଁ, ତୁଳସୀ ।

 

ଏତିକି କହି ସେ ଛଳ ଛଳ ଆଖିରେ ମୋର ହାତ ଧରିଲେ ।

ଧୀରେ ଧୀରେ ହାତ ଖସାଇ ଆଣିଲି । ଢୋକି ଢୋକି କଥା କେଇପଦ କହିଲି, ମୁଁ ଗରିବ, ମୁଁ ନିଆଶ୍ରୀ, ମୋ’ର ସର୍ବନାଶ କରନା ।

 

କହିଲେ, ତୁ ଗରିବ ନିଆଶ୍ରୀ ବୋଲି ତୋ ଉପରେ ଅତ୍ୟାଚାର କରିବି ଭାବୁଛୁ ? ନାଁ, ମୋ ମନର କଥା ତତେ କହିଲି । ସେତିକି । ତୁ ଯା ତୁଳସୀ ।

 

ତାଙ୍କର ଶେଷ କେଇପଦ କଥା ଆଖିର ଢଳ ଢଳ ଲୁହ ସତେ କି ମତେ ମନ୍ତ୍ରମୁଗ୍ଧ କରିଦେଲା । ତୁଣ୍ଡରୁ କଥା ବାହାରିଲା ନାହିଁ । ଟିମ ଭାଇ, ଟିମବାବୁ, ଗାଁର ଜମିଦାର, ଗାଁର ମହାଜନ । ମୋ ପରି ଜଣେ ମୂଲିଆଣୀ ଆଗରେ, ମୋ ପରି ନିଆଶ୍ରୀ ଭିକାରୁଣୀଟା ଆଗରେ ନିଜେ ଭିକାରୀ ହୋଇ ଠିଆ ହୋଇଛନ୍ତି । ତାଙ୍କର ଅଭାବ ମୁଁ ପୂରଣ କରିବି ଆଉ, ସେ ଅଭାବ କଅଣ ମୋର ନାହିଁ ? ଯୌବନର ଡାକ କଅଣ ମୁଁ ଶୁଣେ ନାହିଁ ?

 

ଦେହର ଉନ୍ମାଦନା ଅତୀତ ଭବିଷ୍ୟତର ସବୁ ଚିନ୍ତା ପଛରେ ପକାଇ ଦେହର ପରଶ ପାଇଁ ଅନାଇ ରହିଲା । ତାଙ୍କର ମୁହଁକୁ ଚାହିଁପାରିଲି ନାହିଁ । ତଳକୁ ମୁହଁ ପୋତି ଠିଆ ହେଲି । ଶିରା ପ୍ରଶିରାରେ ନିଆଁ ଲାଗିଥିଲେ ମଧ୍ୟ ଭୟରେ ବରଡ଼ା ପତ୍ର ପରି ଥରୁଥାଏ । କହିଲି, ଲୋକେ କଅଣ କହିବେ ?

 

କେତେବେଳେ ସେ ଆସି ପୁଣି ମୋର ହାତ ଧରିଲେ । ଖନେଇ ଖନେଇ ମୋ କାନ ପାଖରେ କହିଲେ, ତୁଳସୀ, ଲୋକଙ୍କ କଥାରେ ଦାଣ୍ଡର ଭୋକିଲା ଭିକାରୀ କାନ ଦିଏ ନାହିଁ ।

 

ମୋର ଗାଲ ଉପରେ ଥରିଲା ଓଠର ପରଶ ପିଠି ଚାରିପାଖେ ବାହୁ ଦୁଇଟିର ବେଷ୍ଟନ-!

କେତେ ଦିନର ହଜିଲା ସ୍ମୃତି ପୁଣି ଫେରିଆସିଲା ।

 

ଏମିତି ମୁହଁସଞ୍ଜ ବେଳ । କାମରୁ ଫେରି ଯେପରି ସେ ଅନ୍ଧାର ଘରେ ଗୋଡ଼ ଦିଅନ୍ତି, ମୋତେ ଆଗରେ ଦେଖି ଠିକ୍ ଏମିତି ପାଗଳ ପରି ଛାତି ଉପରକୁ ଆଉଜାଇନିଅନ୍ତି । ଠିକ୍ ଏମିତି, ତାଙ୍କର କାନ୍ଧ ଉପରେ ଲାଜକୁଳୀ ଲତାଟି ପରି ଝାଉଁଳିପଡ଼େ । ଛାତି ପଡ଼େ ଉଠେ ଭୟରେ, ସୁର ଆସୁଥିବେ, ଛି ଇ.....

 

ଭାଇ ।

ସୁର ଆସିଲେଣି, ଡାକ ଶୁଭୁଛି ।

ଭାଇ ।

ତାଙ୍କର ବାହୁବନ୍ଧନ ଭିତରୁ ଖସି ଆସେ । ଛାଡ଼, ଛି, ସୁର ।

ଟିମ ବାବୁଙ୍କର ଛାତି ଉପରୁ ଅଲଗା ହୋଇଆସିଲି । କିଏ ଡାକୁଛି ବାବୁ, ବାବୁ ।

 

ଟିମବାବୁ ତରତର ହୋଇ ଫାଟକ ଖୋଲିବାକୁ ଚାଲିଗଲେ । ମୁଁ ମୁହଁ ପୋଛି ପରିବା ଟୋକେଇ ପଦାକୁ ଆଣିଲି । ଦେହ ଥରୁଥାଏ ।

 

ପାଟି ଶୁଭିଲା ଟିମବାବୁଙ୍କ ଚାକରର-

ଗୋଡ଼ ଅବାଟରେ ପଡ଼ୁଥାଏ ।

 

ଲୋକଙ୍କ କଥାରେ ଦାଣ୍ଡର ଭିକାରୀ କାନ ଦିଏ ନାହିଁ । ତେବେ, ଘର ସଂସାର ଛାଡ଼ି କାହିଁକି ମୁଁ ଦାଣ୍ଡର ଭିକାରୀ ହେଲି, ଲୋକଙ୍କ କଥାରେ କାନଦେଲି, ତୁଣ୍ଡବାଇଦକୁ ଡରିଲି ? ଦେହ ମନର ଉତ୍ତେଜନାକୁ ଆୟତ୍ତ କରିବାର ମୋର ସାହସ ନାହିଁ । ନିରୋଳାରେ ଜଣକର ଦୁଃଖ କଥା ଶୁଣି, ହାତର ପରଶରେ ଅନ୍ଧ ହୋଇ, ତାର ପ୍ରବୃତ୍ତି ନିଆଁରେ ଝାସ ଦେବାକୁ ନଇଁପଡ଼ୁଥିଲି ।

 

ବୋଉର କଥାର ସତ୍ୟତା ମୁଁ ଅନୁଭବ କଲି ଏତେଦିନକେ । ଦିନେ ସେ କହିଥିଲା ତାର ନିଜ କଥା – କେଡ଼େ ଆଣ୍ଟରେ ଛାତି ଫୁଲାଇ ବାଟ ଚାଲିବାକୁ ପଣ କରିଥିଲା, ଆଣ୍ଟ ରହିଲା ନାହିଁ, କାହାରି ରହେ ନାହିଁ । କାଳ ଓଲଟି ଯାଏ, ଆଣ୍ଟ ଭାଙ୍ଗେ ।

 

ମୋର ଆଣ୍ଟ ଭାଙ୍ଗିଛି । ଏଇ ପେଟ ପାଇଁ, ଟିକିଏ ଦୟା ଟିକିଏ ସହାନୁଭୂତି ପାଇଁ । କେହି ନଦେଖୁ ମୋ ଆଖି ଦେଖିଛି । ଆଉ କେହି ନଜାଣୁ ଟିମବାବୁ ଜାଣନ୍ତି ।

 

ମୁଁ ବାଧା ଦେଇନାହିଁ । ତାଙ୍କର ନିମନ୍ତ୍ରଣରେ ତାଙ୍କରି ଛାତି ଉପରକୁ ଆଉଜି ପଡ଼ିଛି । ନିଜକୁ ଭୁଲି ମୂର୍ଚ୍ଛାଳିଆ ହୋଇ ତାଙ୍କର କାନ୍ଧ ଉପରେ ମୁଣ୍ଡ ନୋଇଁଛି । ଟିମବାବୁ ଜାଣନ୍ତି, ତାଙ୍କରି ବୋକରେ ଉତାଳିଆ ହୋଇ ଆଖି ବୁଜି ମୋର ଥରିଲା ଓଠ ତାଙ୍କର ମୁହଁ କତିକି ଘୁଞ୍ଚାଇନେଇଛି ।

 

ବାଧା ଦେଇଥାନ୍ତି, ବିରକ୍ତ ହୋଇ ତାଙ୍କର ବାହୁବନ୍ଧନରୁ ନିଜକୁ ମୁକ୍ତ କରିବାକୁ ଚେଷ୍ଟା କରିଥାନ୍ତି, ସେ ମୋତେ ଅଟକାଇ ରଖିଥାନ୍ତେ ଛାତି ଉପରେ, ବାହୁ ଭିତରେ । ଆଜି ନିଜ ପାଖରେ ନିଜେ ମୁଁ ଦୋଷୀ ହୋଇନଥାନ୍ତି । ନିଜକୁ କହିବାକୁ ମୋର ଦମ୍ଭ ଥାଆନ୍ତା – ଉତ୍ତେଜନାର ପ୍ରଭାବରେ ମୁଁ ମୁଣ୍ଡ ନୋଇଁନାହିଁ – ପରର ଆଗ୍ରହ ନିଆଁରେ ଝାସ ଦେଲେ ମଧ୍ୟ ମନରେ ଗର୍ବ ଆସିବ କହିବାକୁ ନିଜ ଆଗରେ – ମୁଁ ଗରିବ, ମୋର ସାହା ଭରସା ନାହିଁ – ଦେହର ମୋହ, ମିଳନର ଆନନ୍ଦ ମୋତେ ପାଗଳ କରିନାହିଁ । ମୋର ଦମ୍ଭ ଅଛି । ବାଧା ଦେବାର ଶକ୍ତି ନ ଥିଲେ ମଧ୍ୟ ଧୈର୍ଯ୍ୟ ଅଛି ।

 

କିନ୍ତୁ ?

ଯାହା ଘଟିଗଲା, ସେଥିରୁ ପ୍ରମାଣ ପାଇଲି ମଣିଷର ତୁଣ୍ଡ ଯେଡ଼େ ଟାଣ, ଧୈର୍ଯ୍ୟ ସେଡ଼େ ଟାଣ ନୁହେଁ । ଦୁର୍ବଳ ବେଳ ଆସେ, ଧୈର୍ଯ୍ୟ ଭାଙ୍ଗେ । ଆଣ୍ଟ ରହେ ନାହିଁ । ଲୋକଙ୍କ କଥାରେ ଦାଣ୍ଡର ଭିକାରୀ କାନ ଦିଏ ନାହିଁ । ସ୍ୱର୍ଗ ହେଉ କି ନରକ ହେଉ, ମିଳନ ଆନନ୍ଦରେ ବୁଡ଼ିବାକୁ ମଣିଷର ଦେହ ମନ ଧାଇଁଯାଏ । ଅବସ୍ଥାର ଚାପ ବାଧା ଦେଇପାରେ ନାହିଁ ବରଂ ସାହାଯ୍ୟ କରେ । ଗଲା କଥା ଯେତିକି ପୁରୁଣା ହୁଏ, ସେତିକି ଲିଭି ଲିଭି ଆସେ । ସେଇ ସ୍ମୃତିର ଆଲୁଅ କ୍ଷୀଣ ହେଉ କି ଉଜ୍ଜ୍ୱଳ ହେଉ, ତାରି ଆଡ଼କୁ ମଣିଷ ପଛକରି ଠିଆ ହୁଏ ।

 

ଆଗକୁ ଚାଲେ, ଝୁଣ୍ଟେ, ପଡ଼େ, ପୁଣି ଉଠେ, ପୁଣି ପଡ଼େ, ଉଠେ, ଚାଲେ । ପଛକୁ ଆଉ ଅନାଏ ନାହିଁ । ସମୟର ବତାସରେ ଉଡ଼ିବୁଲେ । ତୁଣ୍ଡବାଇଦ ବାଜେ । ମଣିଷ କାନରେ ହାତ ଦିଏ-। ଚାଲେ.....

 

ତେବେ, ବୋଉର ଅବାଧ୍ୟ ହେବି କାହିଁକି ? ତୁଣ୍ଡ କଥା ଶୁଣି ଡରି ଡରି ବୁଲିବି କାହିଁକି-? କାନରେ ହାତ ଦେବି । ନୂଆ ସଂସାର କରିବି । ଯାହାକୁ ପାଇବି ତାରି ପାଖରେ ନିଜକୁ ସମର୍ପି ଦେବି । ଚେମା’ଇ, ସୁର, ବଳିଆ ।

 

ବୋଉ ଖୁସି ହେବ ।

ମନୁଆର ଦୁଃଖ ଯିବ ।

ଦାଣ୍ଡ ଲୋକଙ୍କ ତୁଣ୍ଡରେ ତୁଣ୍ଡି ବନ୍ଧା ହେବ ।

ଦୀର୍ଘ ନିଃଶ୍ୱାସ ଛାଡ଼ିଲି ।

ଗୋଡ଼ ଆଉ ଅବାଟରେ ପଡ଼ିଲା ନାହିଁ ।

 

ଅନ୍ଧାର ହୋଇଆସୁଥାଏ । କିଆ ଗୋହିରୀ ବାଙ୍କ କଡ଼ରୁ ଚେମା’ଇ ବାହାରିପଡ଼ିଲା । ତା ପଛରେ ଆଉ ଦି’ଜଣ କିଏ ଅଛନ୍ତି । କରେଇଗଲେ । ଚେମା’ଇ ନଇଁପଡ଼ି ମୋ ମୁହଁକୁ ଚାହିଁ ଠିଆ ହେଲା । ପଛରେ ଥିବା ଦି’ଜଣ ଲୋକ କଡ଼ ଭାଙ୍ଗି ଚାଲିଗଲେ ।

 

ଚେମା’ଇ କହିଲା– ହଜିଲା ବଳଦ ଖୋଜିଲାଠେଇଁ । କେତେ ଦିନ ହେଲା ତତେ ମୁଁ ମନେ ମନେ ଖୋଜୁଛି ଲୋ ତୁଳସୀ, ତୋର ତ ଦେଖାଦର୍ଶନ ନାହିଁ .....

 

ମନ ସ୍ଥିର କରି, ଘଟିଲା ଘଟଣାର ଭାବନାକୁ ଆଡ଼େଇଦେଇ ସବୁଦିନ ପରି ଥଟ୍ଟାଳିଆ ଭାଷାରେ ଉତ୍ତର ଦେଲି– ମନରେ ଖୋଜିବା ଯେଡ଼େ ସହଜ, ପାଇବା ତାଠାରୁ ଆହୁରି ସହଜ । ସପନ ଯିଏ ଦେଖିଜାଣେ, ତା ପାଖରେ କେଉଁ କଥା ଅଭାବ ରହେ ନାହିଁ ।

 

ଟିକିଏ ରହି ପୁଣି କହିଲି– ଯାଏଁ, ମୁଣ୍ଡର ବୋଝ ବଳାଉଛି, ପିଲାଟା ତେଣେ ରାହା ଧରି କାନ୍ଦୁଥିବ । ମୋ ସଂସାର ତ ଆଉ ସପନ ନୁହେଁ ?

 

ଚେମା’ଇ କହିଲା, ବୋଝ ବଳାଉଛି ? ମୁଣ୍ଡ ଯେତିକି ବୋଛ ସହିବ ତାଠାରୁ ଅଧିକ ଭାର ବୋହିଲେ ଅଚଳ ଅବସ୍ଥା ଆସିବ । ମୁଁ ତେବେ ବୋଝଟା ଟିକେ ଭତାରି ଦିଏଁ । ପୁଣି ପଛେ.....

 

ଥାଉ । ବାଟରେ ଗଲା ଅଜଣା ବାଟୋଇ ବି ବୋଝ ଉତାରି ଚାଲିଯିବ ଚେମା’ଇ, ପର ପାଇଁ ବୋଝ ବୋହିବ କିଏ ?

 

ଚେମା’ଇ କଥାଟା ଭାବିଲା । କହିଲା, ଠିକ୍ । ପର ପାଇଁ ବୋଝ ବୋହିବାକୁ ସହଜରେ କେହି ମୁଣ୍ଡ ପତାଏ ନାହିଁ । ଦିଆ ନିଆର ସଂସାରରେ ଏପରି ଆଶା ଯେ କରେ ସେ ମୋଠୁଁ ବଡ଼ ନିର୍ବୋଧ ।

 

ଦୁଃଖ କରନ୍ତି ଅନେକ ଲୋକ ଚେମା’ଇ । ତୁଚ୍ଛାକୁ କହନ୍ତି – ବୋଝ ବଳେଇଲା ।

 

ଚେମା’ଇ ପୁଣି ଭାବିଲା, କହିଲା ହଁ । ବାରି ବାଇଗଣ ବୋଝ ଭାରି ହୁଏ, ମୁଣ୍ଡକୁ କାଟେ । ପୋଥି ବାଇଗଣ ବୋଝ ଶୂନ୍ୟରେ ଚାଲେ, ଦିହରେ ଆଞ୍ଚ ଲାଗେ ନାହିଁ । ସେଥିପାଇଁ ସପନରେ ପୋଥି ବାଇଗଣ ତୋଳିବାକୁ ମୁଁ ଭଲ ପାଏଁ ।

 

ସେଇ ପୋଥି ବାଇଗଣ ତୋଳି ତମ ଆଈ ବୁଢ଼ୀଙ୍କୁ ଦେବ ଯେ ସେ ରାନ୍ଧିବେ, ତେମେ ଖାଇବ ।

 

ଚେମା’ଇ ମୋ ପଛେ ପଛେ ଆସିଲା କହି କହିକା, ଆଈ ବୁଢ଼ୀ ଯଦି ମୋପରି ହୋଇଥାନ୍ତା, ତେବେ ଆଉ ମୋର ଦୁଃଖ ରହନ୍ତା ନାହିଁ । ସେ ଚାହେଁ ଗାଈ ଓ ବାଛୁରୀ । ତୋ ସଙ୍ଗେ କଥା ପକାଇବାକୁ ଦିନ ରାତି ସେ ମୋ ସଙ୍ଗେ ଲାଗିଛି । ଟିକିଏ ସପନ ଦେଖିବାକୁ ମତେ ସେ ଛାଡ଼ିଦେଉନାହିଁ ।

 

ଗହୀର କତିକି ଆସିଲି । ମୋ ପଛେ ପଛେ ଚେମା’ଇ ଚାଲିଥାଏ । କହିଲା, ଆଈ ଯାହା କହିଛି, ସେଇ କଥା ପକାଇବାକୁ ମନ ଛକ ପକ ହେଉଛି ଯେ, ଘଣ୍ଟିକା ପାଖକୁ ଆସି ପୁଣି ପେଟ ଭିତରକୁ ଫେରି ଯାଉଛି ।

 

ଭାବିଲି, କି କଥା ପକାଇବାକୁ ଚେମା’ଇ ଆଜି ଏଡ଼େ ଛଟପଟ । କେବେ କେମିତି ଦେଖା ହେଲେ ପଦେ ଅଧେ ଥଟ୍ଟାରେ ଏଣୁ ତେଣୁ କହିଦେଇ ଯେ ବାଟ ଭାଙ୍ଗି ଚାଲିଯାଏ, ସେ କାହିଁକି ଆଜି ପଛରେ ଧାଇଁଆସିଛି ?

 

ପଚାରିଲି, କି କଥା ଚେମା’ଇ ?

ଅନେକ କଥା । ସେଇ ଆମ୍ବଗଛ ମୂଳେ ଯଦି ଟିକିଏ ବସନ୍ତୁ, କହନ୍ତି ।

ଶୁଣିବାକୁ ଆଗ୍ରହ ହେଲା । ଚେମା’ଇ ପଛେ ପଛେ ଗଲି ।

 

ବାଟକଡ଼ର ଆମ୍ବଗଛ ତଳେ – ପହିଲି ସଞ୍ଜର ପତଳା ଅନ୍ଧାର ଘୋଟି ଆସୁଥାଏ – ମୁହାଁମୁହିଁ ହୋଇ ଦିହେଁ ବସିଲୁଁ । ଅନ୍ୟ ଦିନ ହୋଇଥିଲେ ନିରୋଳାରେ ସଞ୍ଜ ବେଳଟାରେ ଜଣେ ଅଭିଆଡ଼ା ଲୋକ ଆଗରେ ଏପରି ବସିବାକୁ ମନରେ ସଙ୍କୋଚ ଆସିଥାନ୍ତା, କିନ୍ତୁ ସେଦିନ ଟିମ ବାବୁଙ୍କର ମୋ ପ୍ରତି ବ୍ୟବହାର ଓ ମୋର ଦୋହଲା ମନ ଉପରେ ତାର ପ୍ରଭାବ, ମୋ ଭାବନାର ଗତିକୁ ବଦଳାଇଦେଇଥିଲା । ଯେତେଦିନ ଯାଏ ତୁଣ୍ଡବାଇଦକୁ ଡରି, ଆତ୍ମମର୍ଯ୍ୟାଦାକୁ ବଡ଼ ମଣି କଡ଼େଇଚାଲୁଥିଲି, ମନରେ ସଙ୍କୋଚ ଥିଲା । ଆଶା କରିଥିଲି ଜୀବନଟା ଏହିପରି କଟିଯିବ । ନିଜ ଦୁର୍ବଳତା ମୁଁ ବୁଝିପାରିଲି । ଆଉ ମୋର ଭୟ ନାହିଁ । ପରର କଥାରେ କାନ ଦେବି ନାହିଁ ।

 

ଆମ ଦୁହିଁଙ୍କୁ ନିରୋଳା ସ୍ଥାନରେ ଦେଖିଲେ କିଏ କେତେପ୍ରକାର କହିବୁଲିବେ । ବାହାର ଲୋକଙ୍କ ଆଗରେ ମୋ’ ଦୁର୍ନାମର କେତେପ୍ରକାର ଛବି ଜୀଅନ୍ତା ରୂପ ଧରି ଠିଆ ହେବ । ସେଥିରେ ମୋର ଲାଭ କ୍ଷତି ନାହିଁ । ନିଜ ଆଖିରେ ମୁଁ ଯାହା, ମୁଁ ତାହା ।

 

ଚେମା’ଇ ଧୀରେ ଧୀରେ ତା ଜୀବନର ସୁଖ ଦୁଃଖର ସବୁ କଥା ମୋ ଆଗରେ କହିଗଲା । ଭାଗ୍ୟ ଉପରେ ତାର ଅଭିମାନ । ସେ ଗରିବ । ସେଥିପାଇଁ ସଂସାରର ବୋଝ ମୁଣ୍ଡାଇବାକୁ ସେ ନିଜକୁ ଅକ୍ଷମ ମନେକରୁଥିଲା । ଆଉ, ସେଇଥିପାଇଁ ସେ ମନେକରିଥିଲା, ଏମିତି ଫୁଲାଫାଙ୍କଡ଼ିଆ ହୋଇ ହସି ଖେଳି ସୁଖରେ ଜୀବନ କଟାଇଦେବ । ସଂସାରରେ ପଶି ସ୍ୱାଧୀନତା ହରାଇ ଅଭାବ ଅସୁବିଧାର ଚାପରେ ପର ଆଗରେ ଗୋଡ଼ ଭାଙ୍ଗି ଠିଆ ହେବ ନାହିଁ । ସଂସାର କରି ସଂସାରକୁ ଯେଉଁମାନଙ୍କୁ ଆଣିବ, ସେମାନେ ତ ପୁଣି ଅଭାବର ପେଷଣରେ ପଡ଼ି ଦୁନିଆର ଦୁଃଖୀ ରଙ୍କୀଙ୍କର ସଂଖ୍ୟା ବଢ଼ାଇବେ ? ଏହା ଅପେକ୍ଷା ସ୍ୱପ୍ନର ସଂସାର, ସ୍ୱପ୍ନର ଆନନ୍ଦ ଭଲ, ନିରାପଦ ।

 

ବୁଢ଼ୀ ଆଈ ସେ-ସବୁ ବିଶ୍ୱାସ କରନ୍ତି ନାହିଁ । ତାଙ୍କର ଆନନ୍ଦ, ତାଙ୍କର ବିଶ୍ୱାସ ଚିରନ୍ତନ ଜୀବନ ଉପରେ ବଂଶର ଜୀବନ ।

 

ବଂଶ କଅଣ ତୋରିଠଉଁ ବୁଡ଼ିବରେ ଚେମା ? ଏତେ ବଡ଼ ପାପ କାମ କରିବୁ ? ମାଛିଟାଏ ମାରିଲେ ପାପ ହେଉଛି, ଅଧର୍ମ ହେଉଛି, ଆଉ ତୁ ଏଡ଼େ ବଡ଼ ବଂଶଟାକୁ ମୂଳପୋଛ କରିଦେବୁ ? ଠାକୁରଙ୍କର ଯଦି ସେ ଇଚ୍ଛା ଥାନ୍ତା, ତୁ ବଞ୍ଚି ଆଜି ଆତଯାତ ହେଉଥାନ୍ତୁ କେମିତିରେ-?

 

ଚେମାର ବଂଶ କେଉଁଠୁ ଆରମ୍ଭ ହେଲା କେଉଁଠି ସରିବ, ସେ କଥା ବୁଢ଼ୀ ବୁଝନ୍ତି ନାହିଁ-

 

ଆଲୋ ଆଈ, ଏଇ ଦୁନିଆରେ ଜଣେ ମଣିଷ ବଞ୍ଚିଥିବାଯାଏ ପୂର୍ବ-ପୁରୁଷର ବଂଶ ବୁଡ଼ିବ ନାହିଁ ଲୋ ।

 

ବୁଝେ ନାହିଁ ଆଈ ବଡ଼ କଥା । ସେ ଚାହେଁ, ଚେମାର ଜୀବନ ଲମ୍ୱିଯାଉ ଘରକୁ ଯେମିତି ହେଉ କନିଆଁ ଆଣିବ, କେହି ନ ମିଳିଲେ ଦାଣ୍ଡରୁ ହାଟରୁ ଧରିଆଣିବ ।

 

ସେଇଥିପାଇଁ ଚେମା’ଇ ଚାହେଁ ବାହା ହେବ, ଆଉ ବାହା ହେବ ତୁଳସୀକୁ । ସଂସାରର ସୁଖ ଦୁଃଖ ସେ ଜାଣେ, ସଂସାରକୁ ହାଡ଼େ ହାଡ଼େ ସେ ଚିହ୍ନେ । ତାରି ଉପରେ ଛୋଟ ସଂସାରର ବୋଝ ଲଦିଦେଇ ଚେମା ନିଶ୍ଚିନ୍ତ ହେବ । ଆଈଙ୍କର ଏହା ହିଁ ଇଚ୍ଛା ।

 

ଉଠିଆସୁଥିବା ଜହ୍ନ ଆଡ଼କୁ ଚାହିଁ ପଚାରିଲି, ତମର ଇଚ୍ଛା କଅଣ ଚେମା’ଇ ?

ମୋର ଇଚ୍ଛା ତୁ ଜାଣୁ । ଦି’ଘଡ଼ି ଅନ୍ଧାର ପାରି ହୋଇ ଏଇ ଯେଉଁ ଶୀତୁଳିଆ ଜହ୍ନଟା ଉଠିଆସୁଛି, ତାକୁ ଯାଇଁ ଧରିବି, ତାଆରି ସଙ୍ଗରେ ମିଶିଯିବି ।

 

ତମର ଇଚ୍ଛାକୁ କେବଠୁଁ ବଦଳାଇଲ ଶୁଣେଁ ? ଜହ୍ନର ଛାଇ ଦେଖିବାକୁ ତେମେ ସୁଖ ପାଅ, ସେତିକି ତମର ଇଚ୍ଛା ଥିଲା । ଜହ୍ନ ଦେହରେ ମିଶିବାକୁ କେବେ ତମର ଆଗ୍ରହ ଦେଖିନଥିଲି-

 

ସତ କଥା, ତେବେ ଆଈ ମୋର ଟାଣପଣ ଭାଙ୍ଗିଛି । ଜହ୍ନ ଆଡ଼କୁ ଆଙ୍ଗୁଠି ଦେଖାଇ ହୁକୁମ ଦେଇଛି – ଧର୍ ।

 

ତମର ଟାଣପଣ ଭାଙ୍ଗିଛି ନା ଦୁର୍ବଳତା ଭାଙ୍ଗିଛି ଚେମା’ଇ ?

ତେମେସବୁ ହୁଏତ ସେଇଆ କହିବ ଲୋ ।

 

ରହସ୍ୟ କରି କହିଲି, ଆଙ୍ଗୁଠି ବଢ଼ାଇଲେ ଜହ୍ନ ଧରାଦିଏ ନାହିଁ । ଆଉ ଶୁଣ ଚେମା’ଇ, ଜହ୍ନ ପଛରେ ଦି’ଘଡ଼ି ଅନ୍ଧାର ଲୁଚି ଛପି ରହିଛି । ଖଣ୍ଡିଆ ଜହ୍ନ ଦି’ଘଡ଼ି ଅନ୍ଧାର । କେହି ଜାଣେ ନାହିଁ, ତା ଭିତରେ କଅଣ ଛପିରହିଛି । ଲୋକେ ଯାହା ଦେଖିପାରନ୍ତି ନାହିଁ ତା ସମ୍ବନ୍ଧରେ ନୂଆ କଥା ଗଢ଼ନ୍ତି । ମୋର ଜୀବନର ଯେଉଁ ଦି’ଘଡ଼ି ବିତି ଯାଇଛି, ଆଜି ସିନା ତମ ଆଖିରେ ସେ ଦିଶୁଛି ଅନ୍ଧାର, ସବୁ ଦିନେ ଅନ୍ଧାର ନଥିଲା । ପୂନେଇ ଜହ୍ନ ପୂର୍ଣ୍ଣ ପ୍ରଭା ନେଇ ଦିନେ ମୋର ଛୋଟ ଅଗଣାଟିକୁ ହସର ଜୁଆରରେ ଭସାଇଥିଲା ।

 

ଭାବିଲି ଦି’ଘଡ଼ି ଅନ୍ଧାର ଭିତରେ କଅଣ ଛପିରହିଛି, ଚେମା ଆଗରେ ସବୁ ଖୋଲି କହିବି । କିନ୍ତୁ ଆଉ କାହିଁକି ମୋ ସୁଖ ଦୁଃଖର କଥା ସେ ଶୁଣିବ ? ଆଜିକାର ସଞ୍ଜ ନହୋଇ ଯଦି ଗତକାଲିର ସଞ୍ଜ ହୋଇଥାନ୍ତା, ଯେତିକି ସୂଚନା ସେ ମୋତେ ଦେଇଛି, ସେତିକିରେ ତାର ଗୋଡ଼ତଳେ ଲୋଟିଯାଇଥାନ୍ତି । ତାରି କାମନା ଆଗରେ ନିଜକୁ ସମର୍ପିଦେଇଥାନ୍ତି । ଆଜି, ଏଇ ନିରୋଳା ସଞ୍ଜର ନିଛାଟିଆ ବାଟକଡ଼ ଆମ୍ୱଗଛମୂଳେ ଯେତେବେଳେ ସେ ତାର ସୁଖଦୁଃଖର କାହାଣୀ କହିଯାଉଥାଏ, ମନର ଉଦ୍‌ବେଗରେ ମୋର ହାତ ପାପୁଲିଟି ନେଇ ତାର ବଳିଷ୍ଠ ହାତ ଭିତରେ ଚାପି ଧରେ । କଥାର ଲହରରେ ହାତ ହୁଗୁଳି ଆସିଲେ ଧୀରେ ଧୀରେ ପାପୁଲି ଟାଣିଆଣେ । ମୋତେ ଧରି ରଖିବାର ଥରକୁ ଥର ଚେଷ୍ଟା ତାର ବିଫଳ ହୋଇଛି ।

 

ପିଲା ଦିନର ଚେମା’ଇ – ଗହୀର ପାରି ତୋଟାତଳ ହୁଙ୍କା ଉପରେ ଏଇ ଦି’ଟା ହାତ ଶହ ଶହ ଥର ଏକାଠି ବନ୍ଧା ହୋଇଛି । ଖସାଇ ନେବାର ଇଚ୍ଛା କେବେ ହୋଇନାହିଁ । ଯୌବନର ଚେମା ଦୂରରୁ ପାଟି ଶୁଣିଲେ କାନ ଡେରେ, କବାଟ ଖୋଲି ପଦାକୁ ଆସେ । ଚେମା’ଇ ଆଡ଼େଇ ଚାହିଁ ଚାଲିଯାଏ । ମୁଁ ଜଣକର ହାତ ଧରି ପର ଘରକୁ ଯାଇ ପୁଣି ଫେରିଆସିଛି ।

 

ଚେମା’ଇ ହସି ଖେଳି, ନିର୍ଜଞ୍ଜାଳୀ ହୋଇ ଜୀବନ କଟାଇଦେବାକୁ ବସିଥିଲା । ବୁଡ଼ିଲା ଲୋକ କୁଟାଖିଅକୁ ହାତ ବଢ଼ାଇଲା ପରି ସେଇ ପରିଚିତ ହାତ ଆଡ଼କୁ ମନକୁ ବଢ଼ାଇଥିଲି । କେବେହେଲେ ସେ ହାତ ଲମ୍ୱାଇନାହିଁ । ମୋ ଉପରକୁ ପକାଇଛି ବାରମ୍ବାର ତାର ସଂସାର ପ୍ରତି ଉପହାସର କଥା । ଶୁଣି ଚାଲିଯାଇଛି । ହତାଶ ହୋଇଛି । ଭାବନାର ଜାଲରେ ସେଇ ଚେମାକୁ ମନରେ ଘେରାଇରଖିଲି । ଭାବିଥିଲି, ସେଇ ଚେମା ମୋତେ ତୁଣ୍ଡବାଇଦର ଦାଉରୁ ରକ୍ଷା କରିବ ।

 

ଚେମା’ଇ ସଂସାରର ଜାଲରେ ମୁଣ୍ଡ ଗଳାଇ ବାନ୍ଧି ହେବାକୁ ମନ ବଳାଇଛି । ତାର ଜୀବନର ସାଥୀ କରିନେବାକୁ ମତେ ଅନୁରୋଧ କରିବାକୁ ଆସିଛି; କିନ୍ତୁ ମୁଁ ଆଜି ଆଉ ତା’ର ଅନୁରୋଧ ରଖିପାରିବି ନାହିଁ । କାହିଁକି ତାର ଅନୁରୋଧ ରଖିପାରିବି ନାହିଁ, ସେ କଥା ତାକୁ ଅଳ୍ପ କଥାରେ ବୁଝାଇ କହିଲି । ସେ ଧୀର ସ୍ଥିର ହୋଇ ସବୁ ଶୁଣିଲା ।

 

ଦୀର୍ଘଶ୍ୱାସ ଛାଡ଼ି କହିଲା, ସେଇ କଥା ମୁଁ ଆଗରୁ ତତେ କହିଥିଲି ତୁଳସୀ, ମଣିଷର ତୁଣ୍ଡ ଯେଡ଼େ ଟାଣ, ତାର ଦମ୍ଭ ସେଡ଼େ ଟାଣ ନୁହେଁ । ନଈ ସୁଅରେ କୁଟାକାଠି ଭାସିଗଲା ପରି ଆମେ ଏ ସଂସାରରେ ଭାସିଚାଲିଛୁଁ । କେଉଁଠି କେତେ ଶିଙ୍ଗବୁଡ଼ା ଖାଇବା, ପୁଣି କେଉଁଠି ଯାଇ ଶେଷକୁ ଲାଗିବା, ଜାଣିହେବ ନାହିଁ । ତେବେ, ଆଗରେ ଯାହା ହାବୁଡ଼େ ପଡ଼େ ମଣିଷ ହାତ ବଢ଼େଇ ଧରେ । ଭଲ ମନ୍ଦ ଜାଣେ ନାହିଁ ।

 

ପୁଣି ସେ କହିଲା, ଯାହା ତୁ ଭାବିଛୁ ତୁଳସୀ, ସେଇଆ କର । ମଣିଷ ଠକିଲେ ଠିକେ । ଟିମା ଉପରେ ରାଗ କରି, କି ନିଜ ଉପରେ ରାଗ କରି କିଛି ଲାଭ ନାହିଁ । ମଣିଷମାତ୍ରେ ପଶୁ । ଯେଉଁ ପଶୁର ଖୁରା ଟାଣ, ସେ ନାଚି କୁଦି ହୁଏ । ଯାହାର ଶିଙ୍ଗ ଅଛି, ଟାଣ ଶିଙ୍ଗ, ସେ ଭୁସେ । ଦୁର୍ବଳିଆ ମେଣ୍ଡା ଛେଳି ଗୁହାଳରେ ପଶି ମେଏଁ ମେଏଁ ହୁଏ । ସବୁଥିକି ତାର ଡର । ଆଖି ବୁଜି ମୋରି ପରି ଆଖୁକିଆରୀ ମନେପକାଇ ସେ ପାକୁଳି କରେ ।

 

ଚେମା’ଇ କହୁ କହୁ ହସିଲା, ମୁଁ ମଧ୍ୟ ହସିଲି । କିନ୍ତୁ, ଯେତେବେଳେ ମୋର ଧାରଣା ହେଲା ଯେ ନିଜର ଦୁଃଖ କଥା ଭାବି ସେ ଅଭିମାନରେ ହସୁଛି, ମୋର ଛାତିରେ କିଏ ଯେପରି ଆଘାତ କଲା । ଭାବିଲି, ଚେମା’ଇ ମୋର କିଏ ଯେ କିଛି ନ ଭାବି ନ ଚିନ୍ତି ତା ଆଗରେ ଜୀବନର ସବୁ ଗୋପନ କଥା ଅନାୟାସାରେ ଖୋଲିଦେଲି ! ଛାତି ତଳେ ଛପିଲା ବ୍ୟଥାର ଆଭାସ କେହି ଆଜିଯାଏ ପାଇନଥିଲେ ।

 

ଚେମା’ଇ କହିବାକୁ ଲାଗିଲା, ଦାଣ୍ଡ ଲୋକଙ୍କର ତୁଣ୍ଡ ବାଇଦ ଯେ କାନରେ ଶୁଣେ ସେ ନିର୍ବୋଧ । ସୁରର ହାତ ଧରି ପୁଣି ତୋର କର୍ମ ଭୂଇଁକି ଫେରିଯା । ଓଲେଇ ଗାଈ ପରି ବାର କିଆରରେ ମୁହଁ ମାରି କୋଉ ଜୀବନଟା କେଡ଼େ ସୁଆଦ ବେଶ୍‌ ବୁଝିପାରିବୁଣି । ରକ୍ଷା, କୋଉଠି ଧରାଦେଇନୁ । ଫେରିଯା ନିଜ ଗୁହାଳକୁ, ସେଇଠି ମୁହଁ ମାଡ଼ି ପଡ଼ିଥା । ଦାଣ୍ଡଲୋକଙ୍କର ପଛରୁ ମାଙ୍କଡ଼ ହୁରୁଡ଼ା ପାଟି କାନ୍ଥରେ ବାଜି ଫେରିଆସିବ । ଯା ଏଥର ।

 

ଜହ୍ନ କେତେ ଉପରକୁ ଉଠିଲାଣି । ଦେହ ଶୀତେଇଲାଣି । ଘରେ ମା ବେମାର । ତଥାପି ଚେମା’ଇ ପାଖରୁ ଉଠି ଆସିପାରିଲି ନାହିଁ । କି ଜାତିର ଲୋକ ସେ ! କେତେ ଆଶା କରି ମୋ ତୁଣ୍ଡରୁ ପଦେ ହଁ ଶୁଣିବ ବୋଲି ସେ ଆସିଥିଲା । ମନରେ କେବେ ଭାବିନଥିଲା ଯେ ମୁଁ ତାକୁ ହତାଶ କରିବି । କିନ୍ତୁ, ହତାଶ ହେଲେ ସେ ଆଉ ଲୋକଙ୍କ ପରି ଭାଙ୍ଗିପଡ଼ିଲା ନାହିଁ । ହସ ଖୁସିରେ ସବୁ ଦୁଃଖ ଉଡ଼ାଇଦେଲା ।

 

ମୋ ମନ ତା ଆଡ଼କୁ ନଇଁଆସିଲା । ତାର ହାତ ପାପୁଲିକୁ ମୁଠାଇ ଧରି ପଚାରିଲି, ଚେମା’ଇ, ଜେମି ଆଈଙ୍କୁ କଅଣ ଯାଇ କହିବ ?

 

ଗାଈ ବାଛୁରୀ ତାଙ୍କ ଗୁହାଳକୁ ଫେରିଗଲେ ।

ଆଉ ତେମେ ?

 

ମୁଁ ମୋ ଗୁହାଳରେ ପଶି ଗାଈ ବାଛୁରୀ ମୋହିଁବି । ମଶାପଲ, ଘସିଧୂଆଁ ଭିତରେ ବଳଦ ପିଠିକି ଆଉଜି ଘୁମେଇବି । ନିଶ୍ଚିନ୍ତରେ ସପନ ଦେଖିବି, ମଶା ଖାଇଲେ ଚାପଡ଼ା ମାରି ହେବି । ଆଉ କଅଣ ?

 

ସେ ଉଠି ଠିଆ ହେଲା । କହିଲା, ଡେରି ହେଲାଣି । ବୋଝଟା ମୁଣ୍ଡକୁ ଟେକିଦିଏଁ ।

ଚେମା’ଇ ମୋ ମୁଣ୍ଡ ଉପରକୁ ପରିବା ଟୋକେଇ ଟେକିଦେଲା । ଚେମା’ଇ, ମୋ ମୁହଁକୁ ଚାହିଁବାକୁ ସତେକି ତାକୁ ଲାଜ ମାଡ଼ୁଥିଲା । ମୁଁ ଭାବୁଥିଲି, ଚେମା’ଇ ମୋ ଆଗରେ ପ୍ରସ୍ତାବ ବାଢ଼ି ନାସ୍ତିବାଣୀ ଶୁଣି ଅନୁତାପ କରିଛି । ଆଉ ସେ ତୁଣ୍ଡ ଖୋଲିଲା ନାହିଁ । ଧୀରେ ଧୀରେ ବୁଲିପଡ଼ି ଏକମୁହାଁ ହୋଇ ଚାଲିଗଲା ।

 

ମୁଁ ଥକାହୋଇ ଠିଆ ହୋଇ ରହିଲି । ମନରେ ମୋର ଆହା ଆହାର କୋହ ତୁହାଇଉଠିଲା । ଆଈ ବୁଢ଼ୀଙ୍କର ଆରାରେ ଯେଉଁ ଆଶା ଧରି ସେ ଆସିଥିଲା ଓ ବିନା ସଂଙ୍କୋଚରେ ମୋ ଆଗରେ ଖୋଲି କହିଥିଲା, ସେ ଆଶା ମୁଁ ଭାଙ୍ଗିଛି ।

 

ଟିମବାବୁଙ୍କର ପରଶ ମୋ ଦେହ ଦୋହଲାଇଥିଲା, ଆଣିଥିଲା ମୂର୍ଚ୍ଛାଳିଆ ମୋହ । କିନ୍ତୁ ଚେମା’ଇଙ୍କର ପରଶ ମୋର ମନକୁ ଦୋହଲାଇ ଆଣିଲା କାନ୍ଦଣାର କୋହ ।

 

ମୋର ଦୁଇ ଆଖିରେ ଲୁହ ଭରିଗଲା । ମୁଁ ଫେରିଲି ।

ଚେମା’ଇର ଉପଦେଶ ବାଣୀ କାନରେ ବାଜିଯାଉଥାଏ – ସୁରର ହାତଧରି ଫେରିଯା କର୍ମ ଭୂଇଁକି ।

•••

 

୨୨

 

ଯୌବନର ରଙ୍ଗିଲା ଆଖି ଆଗ ପଡ଼ିଥିଲା ସୁରଙ୍କ ଉପରେ । ଉତଳା ମନ ଧାଇଁଯାଉଥିଲା ଥରକୁ ଥର ତାଙ୍କର କତିକି । ଅଜଣା ପ୍ରେମର ଉଠପଡ଼ ଢେଉ ମାଡ଼ିଆସିଥିଲା ଦୁହିଁଙ୍କ ଆଡ଼ୁ । ବାଲି ବନ୍ଧପରି ଦିଓଟି ସ୍ରୋତର ମଝିରେ ଉଭା ହୋଇଥିଲେ ସୁରଙ୍କର ବଡ଼ଭାଇ ।

 

ସୁର ଦିନେ ମଥା ନୁଆଇଁ କହିଥିଲେ, ଭାଇ ଅଛନ୍ତି ।

ଦୁଇଟି ମନରେ ବେଦନା ଗୁମୁରିଉଠିଥିଲା । ଚାରୋଟି ଆଖି ତଳକୁ ନଇଁଥଲା । ଲୁହଧାର ଗଡ଼ିଆସିଥିଲା ।

 

ଚାରୋଟି ବର୍ଷ ଘରକରଣା ।

ଯାହାଙ୍କର ହାତ ଧରି ଯାଇଥିଲି, ତାଙ୍କରି ପ୍ରେମରେ ନିଜକୁ ହଜାଇଦେଇଥିଲି । ସବୁ ଅଭାବ, ସବୁ ଦୁଃଖ ଆମ ପ୍ରେମର ସୁଅରେ ଭାସିଯାଉଥିଲା ।

 

ଆଉ ଜଣକର ମନ ଯେ ଆମର ମନହଜା ଆନନ୍ଦ ଦେଖି ଛଟପଟ ହେଉଥିଲା, ସେ କଥା ଆଉ କେହି ନବୁଝୁ, ମୋ ପାଖରେ ଅଛପା ରହିପାରୁନଥିଲା । ଆମରି ଆନନ୍ଦରେ ନିଜକୁ ମଜ୍ଜାଇ ରଖିବାକୁ ସେ ପ୍ରାଣପଣ ଚେଷ୍ଟା କରିଥିଲେ । ଦିନରାତି ହୁଏ ତ ସେହି ଚେଷ୍ଟା ସେ କରୁଥିଲେ । ଅସାବଧାନ ବେଳରେ ଉତ୍ତେଜନା ପଦାକୁ ଫୁଟି ବାହାରୁଥିଲା । ନୋହିଲେ, ସୁର କାହିଁକି ପିଲାପରି ମୋ ସଙ୍ଗେ ଲଗାନ୍ତେ ? ମୋର ସେବା କରିବାକୁ, ଆନନ୍ଦ ଦେଖିବାକୁ, ଦେହର ଟିକିଏ ପରଶ ପାଇଁ ଆକୁଳ ହୋଇ ରହିଥାନ୍ତେ !

 

ତାଙ୍କ ଭାଇଙ୍କର ମରଣ ସ୍ୱାଭାବିକ ହେଉ କି ତହିଁରେ ସୁରଙ୍କର ହାତ ଥାଉ, ସେ କଥା ଭାବିବାକୁ ମୋର ଆଉ ବେଳ ନାହିଁକି ଧୈର୍ଯ୍ୟ ନାହିଁ । ଲୋକେ ଯାହା କହନ୍ତୁ, ଯେତେ ଦୁର୍ନାମ କରନ୍ତୁ, ତୁଣ୍ଡ ବାଇଦ ରଟାନ୍ତୁ, ସେଥିରେ ମୋର କି ଥାଏ ? ମୁଁ ଆଜି ବୁଝିଛି – ବୟସ ଥାଉଣୁ, ଦେହରେ ଯୌବନ ଥାଉଣୁ ମନରେ ମିଳନ କାମନା ଆସିବ, ଦମ୍ଭକୁ ଦୋହଲାଇବ । ରୂପ ଥିବାଯାଏ କେତେ ଆଖି ଉପରକୁ ଟାଣିହୋଇ ଆସିବ । ରକତରେ ନିଆଁ ଜଳାଇବ । ସବୁବେଳେ ସତର୍କ ହୋଇ ଅତୀତକୁ ଆଦରି, ମନ ମାରି, ରିହକୁ ଚାପି ରହିବା ସମ୍ଭବ ହେବ ନାହିଁ । ପର ଉପରକୁ ମୁଣ୍ଡ ନଇଁଯିବ ।

 

ତେବେ, ନୂଆ ସଂସାର କରିବା ଅନୁଚିତ ହେବ ନାହିଁ ତ ?

ମଣିଷ ମରେ, ପୋଡ଼ି ଜଳି ପାଉଁଶ ହୁଏ, ପାଉଁଶ ଗଦାରୁ ମଣିଷ ପୁଣି ଉଠିପାରେ ନାହିଁ । ମରଣ ଆଗରୁ ଦେହରେ ମନର ସୁଖଶାନ୍ତି ଓ ସନ୍ତୋଷ ପାଇଁ ଦି’ଦିନିଆଁ ମଣିଷ ହଟି ରହିବ କାହିଁକି ? ଯୋଗୀ, ସନ୍ନ୍ୟାସୀ କି ମାତା ହୋଇ କେହି ସଂସାର କରେ ନାହିଁ କି ଭଲ ମନ୍ଦରେ ଘାଣ୍ଟିଚକଟି ହୁଏ ନାହିଁ । ଖସଡ଼ା ବାଟ । ଯେତେ ଗୋଡ଼ ଚିପି ଚିପି ଚାଲିଲେ ବି କେବେ କେଉଁଠି କିପରି, କାହାର ଗୋଡ଼ ଖସିବ କେହି ଜାଣେ ନାହିଁ , କେହି କହିପାରିବ ନାହିଁ ।

 

ଗୋଡ଼ ଖସି ପଡ଼ିଲେ ସମସ୍ତେ ଆଗ ହସନ୍ତି । ସେଇଠୁ ମୁହଁ ଶୁଖାନ୍ତି । କିଏ ଅବା ହାତ ଧରି ଉଠାଏ । ଆହା ପଦେ କହେ । ବିଚାର ପଡ଼େ କାହିଁକି ପଡ଼ିଲା, କିପରି ପଡ଼ିଲା । ଉପଦେଶର ଝଡ଼ ବହିଯାଏ । ଅସାବଧାନ ବୋଲି ନିନ୍ଦା ରଟେ । ପଛେ ପଛେ ହସ, ଥଟ୍ଟା, ତାମସା, ତାଳିମାଡ଼ ଗୋଡ଼ାଏ । ଯାହାର ଗୋଡ଼ ଭାଙ୍ଗେ, ଅଣ୍ଟା ଜଖମ ହୁଏ, ମୁଣ୍ଡ ଫାଟେ, ତା ଦୁଃଖ କଷ୍ଟ ତାଆରି । କେହି ଭାଗ ନିଏ ନାହିଁ । ନିଜର କେହି ଥିଲେ, ସେ ଟାଣ ହୋଇଥିଲେ, ହାତ ଧରି ବାଟ କଢ଼ାଏ ନୋହିଲେ ନାହିଁ । ଇଏ ତ ସଂସାର କଥା ।

 

ଟିମଭାଇ ମୋ ଦେହଟା ଚାହାନ୍ତି । ସେଥିପାଇଁ ଟିକିଏ ଦୟା ଦେଖାଇବାକୁ ହମହମ । ଚେମା’ଇ ଦେହ ସଙ୍ଗେ ସଙ୍ଗେ ମନଟା ବି ଚାହେଁ, ସଂସାର ବୋଝ ମୋ ମୁଣ୍ଡକୁ ଟେକିଦେଇ ନିଶ୍ଚିନ୍ତ ହେବାକୁ । ସେତିକିରେ ତାର ସ୍ନେହ ଓ ପ୍ରେମର ଶେଷ ।

 

ସୁର, ଯିଏ ମୋରି ପାଇଁ ଭାଇର ଜୀବନ ନେଇଛି !

ମୁଁ ଆସି ଘର ଅଗଣାରେ ପହଞ୍ଚିଲି । ଜହ୍ନ ରାତି । ମଝିଘର କବାଟ ଦରଆଉଜା ହୋଇଛି । ଫାଙ୍କବାଟେ ଡିବିରି ଆଲୁଅ ଦେଖାଯାଉଛି । ପାଖେଇଆସି ଶୁଣିଲି ବୋଉକୁ କିଏ କଅଣ କହୁଛି । ପରିଚିତ ସ୍ୱର !

 

ଛାତି ଦମକିଉଠିଲା । ସୁର ତ ! ସେ କାହିଁକି ଏତେଦିନ ପରେ ଅସମୟରେ ପହଞ୍ଚିଛନ୍ତି-? ଆଗ୍ରହ ହେଲା ଜାଣିବାକୁ। ଧୀରେ ଧୀରେ ପରିବା ଟୋକେଇଟି ପିଣ୍ଡାରେ ଥୋଇଲି । ଗୋଡ଼ ଚିପି ଚିପି ପାଖକୁ ଯାଇ କବାଟ ଫାଙ୍କରେ ଚାହିଁଲି ।

 

ବୋଉ ମଶିଣା ଉପରେ କରମାଡ଼ି କନ୍ଥା ଘୋଡ଼ିହୋଇ ଶୋଇଛି । ତା’ ଆଗରେ ତଳେ ଚେକା ପକାଇ ବସିଛନ୍ତି ସୁର । କୋଳରେ ମନୁଆକୁ ଧରିଛନ୍ତି । ଡିବିରିଟି କାନ୍ଥ ପାଖରେ କରିକିଆ ହୋଇ ଜଳୁଛି ।

 

ସୁର, ସେ ବଦଳିଛନ୍ତି । ମୁହଁରେ ଆଉ ରୁଢ଼ ନାହିଁ, କି ମୁଣ୍ଡବାଳ ଅଲରା ହୋଇ ଫୁର୍‌ଫୁର୍‌ ଉଡ଼ୁନାହିଁ । ଆଗ ଦେହ ଫେରି ପାଇନାହାନ୍ତି, କିନ୍ତୁ ଆଗପରି ଗୋରୁମରା ହତଲକ୍ଷ୍ମୀ ପରି ଦିଶୁନାହାଁନ୍ତି । ସେ ପୁରରୁ ସତେକି ସେ ଫେରିଆସିଛନ୍ତି ।

 

ଚାରୋଟି ବର୍ଷର ଘରକରଣା ଭିତରେ ବାହାରକୁ ଶାନ୍ତି, ଆନନ୍ଦ, ପ୍ରଫୁଲ୍ଲତା ଦେଖାଇଲେ ମଧ୍ୟ ଭିତରେ ଭିତରେ ସେ ଝୁରି ଝୁରି ଦିନ କାଟିଛନ୍ତି । ପରର ସ୍ତ୍ରୀ, ଭାଇର ସ୍ତ୍ରୀ, ସେଥିପାଇଁ କେବେ ମୁହଁ ଖୋଲି ଛାତି ତଳର ଛପିଲା କଥା କହିପାରିନାହାନ୍ତି । ପାଖରେ ଭାଇ, ବାହାରେ ଦୁନିଆ, ଆଉ ଯାହାପାଇଁ ତାଙ୍କର ଦୁଃଖ, ସେଇ ଭାଉଜ, ଭାଇର ପ୍ରେମ ସୁହାଗରେ ବୁଡ଼ିରହିଛି । ନିଜକୁ ସେ ହଜାଇଦେଇଛି । ଥରଟିଏ ଘେନାଘେନିର ଅଞ୍ଜନ ଆଖିରେ ବୋଳି କଡ଼େଇ ଚାହୁଁନାହିଁ ।

 

ମନପବନକୁ ଯେତେ ଅଟକାଇ ରଖିବାକୁ ଚେଷ୍ଟା କଲେ ମଧ୍ୟ ସେ ପାରିନଥିଲେ । ଟିକିଏ ପାଇଲେ ନିଜ ରୂପ ଧରି କଥାରେ ଓ କାର୍ଯ୍ୟରେ ସବୁ ପଦାକୁ ଫୁଟି ବାହାରୁଥିଲା । ସବୁ ଅବୁଝା ପରି ମତେ ଜଣାଯାଉଥିଲା । ସନ୍ଦେହର ଧୂଆଁ ଆଖି ଆଗରେ ଅନ୍ଧାରର ପରଦା ଟାଣିଦେଇଥିଲା । କିନ୍ତୁ ତାଙ୍କର ଲଗାମ ହୁଗୁଳା ଉତ୍ତେଜନାକୁ ଲଗାମ ଟାଣି ଅଟକାଇ ପାରିଥିଲେ।

 

ଆଉ, ମୋର ସ୍ୱାମୀ, କେଡ଼େ ସହଜରେ ନିଜର ଉଜ୍ଜ୍ୱଳ ସ୍ୱଭାବଦ୍ୱାରା ମନର ଅନ୍ଧାରକୁ ଘୁଞ୍ଚାଇଦେଉଥିଲେ । କାବା ହୋଇ ଚାହିଁରହୁଥିଲି । ପଚାରୁଥିଲି ନିଜକୁ ନିଜେ, କଥା କଅଣ ? ମନ ମୋର ଉତ୍ତର ଦେଉଥିଲା, ନିଜ ଭାବନାର ଅନ୍ଧାରରେ ତୁ ସନ୍ଦେହର ଭୂତ ଦେଖୁଛୁ । ଲାଜରେ ଶଙ୍କିଯାଉଥିଲି ।

 

ରୁଖାତଳେ ସବୁ ଥିଲା ଅନ୍ଧାର । ଦୂରରୁ ଦୁନିଆର ଉଜ୍ଜ୍ୱଳ ଆଲୁଅରେ ରୁଖାତଳର ଛୋଟ ଅନ୍ଧାର ପତଳା ଦିଶେ । ସବୁ ଜଳ ଜଳ ହୋଇ ଆଖିକୁ ଦେଖାଯାଏ ।

 

ଆକାଶର ଚାନ୍ଦ ଧରିଲା ପରି କେଡ଼େ ଖୁସି ହେବେ ସୁର, ଯଦି ସେ ଜାଣିବେ ତୁଣ୍ଡବାଇଦରେ କାନ ନ ଦେଇ, ଗତ କଥା ଖରାପ ସପନ ପରି ଭୁଲି, ମୁଁ ମନ କରିଛି ପୁଣି ତାଙ୍କରି ଘରକୁ ଫେରିଯିବି ତାଙ୍କର ସ୍ତ୍ରୀ ହୋଇ ।

 

ମନୁଆର ବାପାଙ୍କ ଉଦ୍ଦେଶ୍ୟରେ ନିର୍ମଳ ଜହ୍ନ ଆଲୁଅରେ ସୁର ଓ ମୁଁ ଲଗାଲଗି ହୋଇ ତଳେ ମୁଣ୍ଡ ନୁଆଇଁ ପ୍ରଣାମ କରିବୁ । ଉପରେ ଥାଇ ସେ ଆମକୁ ଆଶୀର୍ବାଦ କରିବେ । ମୋ ମନରେ କହିବେ, ତୁଣ୍ଡ ବାଇଦ ମିଛ । ସତ କଅଣ ଜାଣ ତୁଳସୀ ? ସୁର ମୋର ପିଲା ଭାଇଟା, ତମୁକୁ ଭଲ ପାଇଥିଲା, ତାର ମନଗହନରେ ହୁ ହୁ ନିଆଁ ଜଳୁଥିଲା । କର୍ତ୍ତବ୍ୟବୋଧରେ ସେ ସାମାଜିକ କର୍ତ୍ତବ୍ୟ କରିଛି, ହସ ଖେଳ, ସ୍ନେହ ଭକ୍ତି । କିନ୍ତୁ ଭିତରର ନିଆଁ ଅଲିଭା ରହିଲା, ରହିଥାନ୍ତା ଚିରଦନ ।

 

ଶୁଣ ତୁଳସୀ, ସୁର ମୋର ପିଲା ଭାଇ । କାଖରେ କୋଡ଼ରେ ଧରି ତାକୁ ମୁଁ ମଣିଷ କରିଛି । ତା ଦୁଃଖ ମୁଁ ସହି ପାରିଲି ନାହିଁ । ମୋର ଆଉ ଲୋଡ଼ା କଅଣ – ଭାଇ, ସ୍ତ୍ରୀ, ପୁଅ, ଘର, ଜମି ? ସୁରକୁ ମଣିଷ କରିଛି । ବେଶ୍, ସେତିକି ମୋର ଆନନ୍ଦ ଓ ସୁଖ । ମୁଁ ଥିବାଯାଏ ସେ ସୁଖୀ ହୋଇପାରିବ ନାହିଁ ।

 

ତୁଳସୀ, ମୁଁ ତ ତୁମକୁ ଚାହିଁନଥିଲି, ମୁଁ ତୁମକୁ ଏ ଘରକୁ ଆଣିନଥିଲି, ଆଣିଥିଲା ସୁର । ତୁମେ ନହୋଇ ଆଉ ଯାହାକୁ ସେ ତାର ନୂଆବୋହୂ କରି ଆଣିବାକୁ ଚାହିଁଥାନ୍ତା, ସେ ହୋଇଥାନ୍ତା ମୋର ସ୍ତ୍ରୀ, ମୋ ସନ୍ତାନର ମା । ତୁମେ ଆସିଲ, ତୁମେ, ଯାହାକୁ ସେ ଭଲ ପାଇଥିଲା, ଯାହାକୁ ସେ ଚାହେଁ । ସେତିକି ହେଲା ତାର ଭୁଲ । ସୁର ବେଳେ ବେଳେ ଏପରି ଭୁଲ କରେ । ମୁଁ ସୁଧାରି ନିଏ ।

ତାର ଏଇ ଭୁଲଟା ମୁଁ ସୁଧାରି ନେଇଛି ତୁଳସୀ, ତମ ମଝିରୁ ମୁଁ ଖସିଆସିଛି । ସୁଖରେ ସଂସାର କର । ଉପରୁ ମୁଁ ଦେଖିବି, ଆଶୀର୍ବାଦ କରିବି, ଖୁସି ହେବି । ତୁମେ ବା ଖୁସି ନହେବ କାହିଁକି ? ସୁର ଓ ମୋ ମଧ୍ୟରେ ପ୍ରଭେଦ ନାହିଁ । ଏକା ନାହି ଦି’ଖଣ୍ଡ, ଏକା ରକ୍ତ ଦି’ଧାର !

 

ସେହି ଚାନ୍ଦଉଦିଆ ଶୀତଳ ରାତିରେ ଏକସଙ୍ଗେ ଦିହେଁ ତଳୁ ମୁଣ୍ଡ ଉଠାଇବୁଁ । ତାଙ୍କରି ଆଶୀର୍ବାଦ ମୁଣ୍ଡରେ ଘେନି ଦିହେଁ ଦିହିଁଙ୍କୁ ଚାହିଁରହିବୁ । ମୁହଁରୁ କଥା ବାହାରିବ ନାହିଁ । ସୁରଙ୍କ ଭିତରେ ମୁଁ ଦେଖୁଥିବି ମନୁଆର ବାପାଙ୍କୁ, ମୋ ଭିତରେ ସେ ତାଙ୍କର ଭାଇଙ୍କର ଉପସ୍ଥିତି ଅନୁଭବ କରୁଥିବେ ।

 

ରୂପେଲୀ ଆଲୁଅରେ ମନୁଆ ଚକାଭଉଁରି ଖେଳି ଆମରି ଚାରିପାଖେ ଘେରା ପକାଇବ-। ବୁଲି ବୁଲି ଆସି ଢଳିପଡ଼ିବ ଦିହିଁଙ୍କ ମଝିରେ ।

 

ଦୁଇ ଆଖି ଭରି ଲୁହର ସୁଅ ଛୁଟିଥିଲା ।

କବାଟ ଫାଙ୍କରେ ଦେଖିଲି, ହସ ହସ ମୁହଁରେ ସୁର ମନୁଆର ଶୋଇଲା କପାଳରେ ବୋକ ଦେଉଛନ୍ତି । ମୋର ଦେହ ଶୀତେଇଉଠିଲା । ଆନନ୍ଦରେ ଅଧୀର ହୋଇପଡ଼ିଲି । ଇଚ୍ଛା ହେଲା, କବାଟକୁ ଠିଆ ମେଲା କରି ଭିତରକୁ ପଶିବି । କୃତ୍ରିମ ରାଗ ଦେଖାଇ ଗମ୍ଭୀର ହୋଇ ପଚାରିବି, ତୁମେ କାହିଁକି ମତେ ଜଳାଇ ମାରିବାକୁ ଏ ଘରେ ଗୋଡ଼ ଦେଲ ?

 

ଡରି ଡରି ସେ ଉଠିବେ । ଆଖି ଛଳ ଛଳ କରି ପ୍ରଣାମ କରି କହିବେ, କ୍ଷମା କର ନୂଆଉ, ମନୁଆକୁ ନଦେଖିଲେ ମୁଁ ବାଇଆ ହେଇଯିବି ।

 

ଚୋର ପରି ଏଇ ବାଟେ ସେ ଧୀରେ ଧୀରେ ଚାଲିଯାଉଥିବେ । ପଚାରିବି ହସିହସିକା, କାହାକୁ ନଦେଖିଲେ ବାଇଆ ହେବ ?

 

ସେ ଅଟକି ଠିଆହେବେ । ମୁହଁ ଫେରାଇବେ । ତାଙ୍କର ଶୁଖିଲା ମୁହଁରେ ହସ ଚହଟିବ-। ତୁନି ତୁନି ସେ ଉତ୍ତର ଦେବେ, ମନୁଆର ମା’କୁ ।

 

ମୁହଁ ଫଣଫଣ କରି ପଚାରିବି, କାହାକୁ ?

ପାଖକୁ ଘୁଞ୍ଚି ଆସିବେ । ହାତ ଧରି କହିପକାଇବେ ମନର କଥା ବୁଝିପାରୁନ ? ତୁମକୁ-

 

ଲାଜରେ ମୁଁ ଦୃଷ୍ଟି ନୋଇଁବି ।

ନିଜ ଚିନ୍ତାରେ ମୁଁ ମଜ୍ଜି ଯାଇଥିଲି । ସୁର ଓ ବୋଉ କଥାଭାଷା ହେଉଥିଲେ । ମୋର କାନରେ ବାଜିଲେ ମଧ୍ୟ ମନରେ ପଶୁନଥିଲା । ବୋଉର କେଇପଦ କଥାରେ ମୋର ଭାବନା ଭାଙ୍ଗିଲା ।

 

ସେ କହି ଉଠିଲା, ବାପାରେ ତତେ ଆଉ କଅଣ କହିବି ? ତୁଳସୀର ପିଲା ବୁଦ୍ଧି ଛାଡ଼ିନାହିଁ । ମୋର ସମୟ ହୋଇଆସିଲା । ଆଉ ବେଶି ଦିନ ନୁହେଁ । ତୁଳସୀ ତତେ ଲାଗିଲା ।

 

ସୁର କହିଲେ, ତେମେ ସେ କଥା ଭାବ ନାହିଁ ମାଉସୀ ! ମୁଁ ବଞ୍ଚିଥିବା ଯାଏ, ନୂଆଉର ଆପଦ ବିପଦ ବେଳେ ନିଜେ ଆସି ପାଖରେ ଠିଆହେବି । ତାଙ୍କର ମନରେ ଦୁଃଖ ହେବାର କଥା, ଦୁଃଖ ହୋଇଛି । ଲୋକଙ୍କ କଥା ଶୁଣି ମୋତେ ସେ ଅବିଶ୍ୱାସ କରିଛନ୍ତି । ନିଜର ଘରସମ୍ପତ୍ତି ଛାଡ଼ି ପର ଦ୍ୱାରରେ ପାଇଟି କରୁଛନ୍ତି ଖାଲି ଅଭିମାନରେ । ଦୂରରେ ଥାଇ ମଧ୍ୟ ମୁଁ ତାଙ୍କର ଭଲ ମନ୍ଦ ପ୍ରତି ନିଘା ରଖିଛି ।

 

ବୋଉ କହିଲା, କାହାରି ଟାଣ ବେଶି ଦିନ ରହେ ନାହିଁ, ତୁଳସୀର ମଧ୍ୟ ରହିବ ନାହିଁ । କାଲି ମୁଁ ଆଖି ବୁଜିଲେ, ସେ ଦାଣ୍ଡରେ ଠିଆ ହେବ । ଆରେ ବାପ, ଦାଣ୍ଡରେ ଯେ ବାଟ ଚାଲେ, ଟିକିଏ ଅଣହୁସିଆର ହେଲେ ସେ ଝୁଣ୍ଟେ । ତୁଳସୀର ବୟସ ଅଛି, ରୂପ ଅଛି, ପୁଣି ଦାଣ୍ଡରେ ଚାଲୁଛି ଏକୁଟିଆ ନିଆଶ୍ରୀ । ହୁଏତ ସେ ଥରେ ଅଧେ ଝୁଣ୍ଟିବ । ମଣିଷ ଜନ୍ମ ପାଇ କେହି ଗର୍ବ କରିପାରିବ ନାହିଁ ଯେ ଗୋଡ଼ ଖସିନାହିଁ କି ଖସିବ ନାହିଁ । ହୁଏତ କେବେ ତା’ର ସେଇଆ ହେବ । ସେତିକିବେଳେ, ଲୋକେ ଯେତେବେଳେ ଦୁର୍ନାମ ରଟାଇ ବୁଲିବେ, ତୁ ତାକୁ ଆଶ୍ରା ଦେବାକୁ ପଛେଇବୁ ନାହିଁ।

 

ସୁର କଅଣ ଜବାବ୍ ଦେବେ ଶୁଣିବାକୁ ଆଗ୍ରହରେ କାନ ଡେରି ରହିଲି । ତାଙ୍କର ପଦେ ଉତ୍ତରରୁ ତାଙ୍କ ମନର ପରିଚୟ ମିଳିବ ।

 

ବୋଉ ପଚାରିଲା, ତୁନି ରହିଲୁ ଯେ ? ଘୃଣା ହେବ ? କାହିଁକି ? ମଣିଷର ଜୀବନ ଆଉ ମନ ତୁଳନାରେ ସାମାନ୍ୟ ଟିକେ ଭୁଲ ତ ବଡ଼ କଥା ନୁହେଁ । ସବୁ ଭୁଲ ସୁଧୁରିଯାଏ, ମଣିଷ ପୁଣି ନିର୍ମଳ ହୁଏ ।

 

ସୁର ହସିଲେ । କହିଲେ, ମୁଁ ସେ କଥା ଭାବୁନାହିଁ । ଗୋଡ଼ ଯେ ଖସାଏ, ତା କଥା ସେ ଜାଣେ । ମୋ ନୂଆଉକୁ ମୁଁ ଭଲ କରି ଜାଣେ । ତାଙ୍କର ମନଟି କୋମଳ । ସେ ଅଭିମାନିନୀ । ସେଇଥିପାଇଁ ସେ ନିଜର ଆନ୍‌ ଧରି ରହିଛନ୍ତି । ନିଜେ ଦୁଃଖ ସହି ସମୟ କଟାଉଛନ୍ତି । ନୂଆଉ ମୋର ଜଳିଲା ନିଆଁ । ତେମେ ମା ବୋଲି ତମର ଦୁଡ଼ୁଗୁଡ଼ୁ ମନ ସବୁବେଳେ ସନ୍ଦେହରେ ଝୁଲେ । ସେଥିପାଇଁ ଆଲୁଅ ଭିତରେ ତେମେ ଅନ୍ଧାର ଦେଖୁଛ ।

 

ସୁରଙ୍କର ମୋ ଉପରେ ପ୍ରଗାଢ଼ ବିଶ୍ୱାସ । ଆହା, ସେ ଜାଣନ୍ତି ନାହିଁ ଯେ ବାହାର ଦୁନିଆର ଝଡ଼ ବରଷା ସେହି ଜଳନ୍ତା ନିଆଁକୁ ପାଣିରୁ ବଳି ଶୀତଳ କରିଛି । ସବୁ କଥା ଭୁଲି, ପରର ଛାତି ଉପରେ ସେ ମୁଣ୍ଡ ନୋଇଁଛି ।

 

ବୋଉ ଉଠି ବସିବାକୁ ଚେଷ୍ଟା କରୁଥିଲା, ସୁର ତାକୁ ବାରଣ କଲେ ।

ସେ ପୁଣି ଶୋଇଲା । କହିଲା, ତୁଳସୀ ପରିବା ଆଣିବାକୁ ଗାଁକୁ ଯାଇଛି । ଦିନ ଥିଲା । ରାତି ଏତେ ହେଲାଣି, ସେ ଫେରିଲା ନାହିଁ । ସେ ଜାଣେ, ମତେ ଜର । କେବେ ଏପରି ଡେରି କରେ ନାହିଁ ।

 

ସୁର କହିଲେ, ଆସୁଥିବେ ।

ଏତେ ଡେରି ହେଲାଣି, ରାତିରେ ତତେ ମୁଁ ଛାଡ଼ି ଦିଅନ୍ତି ନାହିଁ ।

 

ତୁଳସୀର ତୋଡ଼ ମୁଁ ସହିପାରେ ନାହିଁ । ଡେରି ହେଉଛି, ରାତି ବିକାଳି, ଗଦାଏ ବାଟ, ତୁ ଏଥର ଯା ।

 

ତମୁକୁ ଏପରି ଅବସ୍ଥାରେ ଛାଡ଼ି ମୁଁ ଯିବି ନାହିଁ । ନୂଆଉ ଆସନ୍ତୁ, ତାଙ୍କୁ ଥରେ ଦେଖି ମୁଁ ଚାଲିଯିବ । ଭାଇ ମଲାଦିନୁ ମୋର ଡର ଭୟ ଭାଙ୍ଗିଛି ।

 

ତୁଳସୀ ବିରକ୍ତ ହେବ ବାପ, ରାତି ଅଧରେ ପୁଣି କାହିଁକି ଅଶାନ୍ତି ହେବ, ପାଟି ତୁଣ୍ଡ ଶୁଭିବ । ଗାଁକୁ ଛାଡ଼ି ଏକୁଟିଆ ଘର ହେଲେ ବି ଖଳ ଲୋକେ କାନ ପାରନ୍ତି । ବାର କଥା ପ୍ରଚାର କରିବେ । ତୁ ଏଥର ଯା ।

 

ନୂଆଉ ବିରକ୍ତ ହେବେ । ତାଙ୍କର ସ୍ନେହ, ଆଦର ପାଇଥିଲି । ତାଙ୍କ ବିରକ୍ତିକୁ ମୁଁ ମନରେ ଧରେ ନାହିଁ । ତାଙ୍କର ରାଗରୋଷ, ଗାଳିକୁ ମୁଁ କଲ୍ୟାଣ ବୋଲି ମଣେ । ସେତିକି ମନେପକାଇ ମୋର ଏକୁଟିଆ ଜୀବନ ମୁଁ କାଟେ । ନୂଆଉକୁ ଘରେ ଆତଯାତ ହେବାର ସପନ ଦେଖେ । ବେଳ କଟିଯାଏ ।

 

ମୁଁ ସେ କଥା ଜାଣେରେ ପୁଅ । ତୁଳସୀକୁ କାନ କାନ କରି ଶିଖାଇଲି । ସେ ଶୁଣୁନାହିଁ-। କହିଲି, ଆଲୋ ଝିଅ, ନିଜ ଘରକୁ ଫେରିଯା, ସୁଖରେ ଘର କର । ସଂସାରରେ ଭଲମନ୍ଦ ଲାଗିଛି-। ସୁରର ହାତ ଧରି ଚାଲିଲେ କେହି ପଦେ କହିପାରିବେ ନାହିଁ । ତୁ ସୁରର ହେବୁ ସେ ହେବ ତୋର । ଠାକୁରଙ୍କର ଯଦି ଏପରି ଇଚ୍ଛା ନଥାନ୍ତା, ଅନାହୂତି ବୀରକୁ ସେ ନେଇଯାଇ ନଥାନ୍ତେ ।

 

ସୁର କଅଣ ଉତ୍ତର ଦେବେ ଶୁଣିବାକୁ ବ୍ୟାକୁଳ ହୋଇ କବାଟ ଫାଙ୍କରେ ଚାହିଁରହିଲି । ସାରା ଶରୀର ମୋର ଥରି ଉଠିଲା । ଛାତି କମ୍ପିଉଠିଲା । ଦେହରୁ ଗମ୍‌ଗମ୍ ଝାଳ ନିଗିଡ଼ି ପଡ଼ିଲା । ବୋଉ ତ ତାର ମରମ କଥା କହିଛି ।

 

ସୁର ବିଚଳିତ ହେଲାପରି ଦିଶିଲେ । ମୁହଁର ଜ୍ୟୋତି ମଳିନ ହେଲା । କପାଳରେ ହାତ ଦେଇ ମୁହଁ ପୋତି ଟିକିଏ ରହିଲେ । ପୁଣି ମୁହଁ ଟେକିଲେ । ଆଲୁଅରେ ଦୁଇ ଆଖିରେ ଲୁହ ଛଳ ଛଳ ହେଉଛି । ଲୁଗା କାନିରେ ମୁହଁ ପୋଛିଲେ । ଦୀର୍ଘଶ୍ୱାସ ଛାଡ଼ିଲେ । ମନୁଆକୁ କୋଳରୁ ଉଠାଇ ବିଛଣାରେ ଶୁଆଇଦେଲେ । ନିଜେ ଉଠି ଥରିଲା ସ୍ୱରରେ କହିଲେ, ଅନ୍ୟ ଲୋକଙ୍କ ପରି ତେମେ ବି ଭୁଲ ବୁଝିଲ ମାଉସି । କିଏ ଆଉ ମନର କଥା ବୁଝିବ, କାହା ଆଗରେ ଗୁହାରି କରିବି ? ଠାକୁରେ କାହିଁକି ମୋ ଭାଇକୁ ଆମ ପାଖରୁ ନେଇଗଲେ, ସେ କଥା ସେ ଜାଣନ୍ତି । ମଣିଷ ଜାଣିବ ନାହିଁ । ମୁଁ ଜାଣେ, ସେ ଆମୁକୁ ଦୁଃଖ ଦେଇ ପରୀକ୍ଷା କରୁଛନ୍ତି ।

 

ଟିକିଏ ରହି ସୁର ପୁଣି କହିଲେ, ମୁଁ ଯାଉଛି । ମୋ ନୂଆଉ ଫେରିଲେ ତାଙ୍କୁ କହିବ, ନା, କିଛି କହିବ ନାହିଁ ।

 

ଥକ୍କା ହୋଇ କ୍ଷଣେ ଠିଆ ହେଲି । ଭାବିଲି, ସୁର କଅଣ ସତ କହିଲେ ଯେ ବୋଉ ଭୁଲ ବୁଝିଛି ? ତେବେ, ମୋର ସବୁ ଧାରଣା, ଭାବନା ଭୁଲ ? କେଜାଣି ବା ସୁର ଛଳନା କରିଛନ୍ତି ।

•••

 

୨୩

 

କବାଟ ଠେଲି ଘର ଭିତରକୁ ପଶିଲି । ଗୋଡ଼ ଥରିଉଠୁଥାଏ । ଅଜଣା କୋହ ମୋର ଛାତି ଦୋହଲାଉଥାଏ ।

ମୋତେ ଦେଖି ବୋଉ ଉଠିବସିଲା । ତଳେ ମୁଣ୍ଡ ଲଗାଇ ସୁର ଓଳଗି ହେଲେ ।

ମାଡ଼ ମାରିଲା ପରି ଲାଗୁଥାଏ । ଆଖିର ଲୁହ ଅଟକାଇ ପାରିଲି ନାହିଁ । ସୁରଙ୍କ ମୁହଁକୁ ଚାହିଁପାରିଲି ନାହିଁ ।

ବୋଉ କହିଲା, ତାର କିଛି ଦୋଷ ନାହିଁ ମା, ମୁଁ ତାକୁ ଅଟକାଇ ରଖିଲି । ଏତେବେଳ ଯାଏ କେଉଁଠି ରହିଲୁ ? ପିଲାଟା ଉପାସରେ ଶୋଇଲା । ତୁ ଗଲାବେଳୁଁ ମୁଁ ଜରରେ କମ୍ପୁଛି । ଉଠିକରି ପାଣି ମନ୍ଦାଏ ହାତରେ ଆଣି ପିଇବାକୁ ଶକ୍ତି ନାହିଁ । ସୁର ଯଦି ଆସିନଥାନ୍ତା ମରିଯାଇଥାନ୍ତି ମା ।

ବୋଉ ଆଡ଼କୁ ଥରଟିଏ ଆଖି ଫେରାଇ ସୁରଙ୍କ ଆଡ଼କୁ ଚାହିଁଲି । ଗଳା ବନ୍ଦ ହୋଇ ଆସୁଥାଏ । କେତେ କଥା କହିବି ମନେକରିଥିଲି, ଥରିଲା ଓଠରୁ ପଦଟିଏ ଭିଜା କଥା ବାହାରିଲା– ସୁର !

ସୁର ତଳକୁ ମୁହଁ ପୋତି କହିଲେ, ମାଉସୀ ମିଛ କହୁଛନ୍ତି । ତମରି ଡରରେ କେତେବେଳୁଁ ଚାଲିଯିବାକୁ ମତେ ସେ କହିଲେଣି, ମୁଁ ଯାଉନାହିଁ । ମୁଁ ଜାଣେ, ମତେ ଦେଖିଲେ ତମେ ବିରକ୍ତ ହେବ । ହେଲେ, ତମୁକୁ ଥରେ ନଦେଖି, ତମୁକୁ ଓଳଗି ନହୋଇ ମୁଁ ଯାଇପାରିଲି ନାହିଁ । ଏଥର ମୁଁ ଯାଉଛି ନୂଆଉ ।

ସୁରଙ୍କ ଆଗରେ ତୁନି ହୋଇ ବସି ଆଖିରୁ ଲୁହ ପୋଛିଲି । କି ଉତ୍ତର ଦେବି ଖୋଜି କଥା ପାଇଲି ନାହିଁ । ମନ ହେଉଥିଲା, ଓଲଟି ତାଙ୍କରି ଗୋଡ଼ତଳେ ମୁଣ୍ଡ ଲଗାଇ କ୍ଷମା ମାଗିବି । କହିବି, ଛଳନା କରି ଆଉ ଲାଭ ନାହିଁ । ତୁମେ ଯାହା ଚାହଁ ମୁଁ ଜାଣେ । ଦୁନିଆର ଘଣ୍ଟାଚକଟାରେ ପଡ଼ି ମୋର ଦମ୍ଭ ଭାଙ୍ଗିଛି । ଉପର ମୁହଁ ତଳକୁ ହୋଇଛି । ନିଜ ଉପରେ ମୋର ଆଉ ବିଶ୍ୱାସ ନାହିଁ । ଏତେ ଦିନକେ ତମର ଇଚ୍ଛା ଆଗରେ ନିଜକୁ ମୁଁ ଅରପି ଦେଉଛି । ମୋର ତୁଣ୍ଡ ଖୋଲିଲା ନାହିଁ ।

ସେମାନେ ବି ତୁନି ହୋଇ ରହିଲେ । ନିସ୍ତବ୍‌ଧତା ଭିତରେ କିଏ କଅଣ ଭାବୁଥାଏ କେଜାଣି, ମୋ ମନରେ ଗୋଟିଏ କଥା ଓଲଟପାଲଟ ହେଉଥାଏ – ସୁର ଛଳନା କରୁଛନ୍ତି । ଭଲେଇ ହୋଇ ଧୂଆଁ ବାଣ ମାରୁଛନ୍ତି ।

ଦୂର ଗହୀର ଆଡ଼ୁ ବିଲୁଆ ପଲର ଡାକ ରାତିର ନୀରବତା ଭାଙ୍ଗିଲା । ବୋଉ ବ୍ୟସ୍ତ ହୋଇ କହିଲା, ରାତି ବେଶୀ ହେଲାଣି, ଯିବାର କଥା ତ, ତୁ ଯା ସୁର ।

ସୁର ମୋ ଆଡ଼କୁ ଅନାଇଲେ । ତାଙ୍କର ଆଖି ଲୁହରେ ପୂର୍ଣ୍ଣ ହୋଇଗଲା । ମୋତେ ଆଉ ଥରେ ପ୍ରଣାମ କରି ସେ ଧୀରେ ଧୀରେ ପଦାକୁ ଆସିଲେ । ମୁଁ ମଧ୍ୟ ତାଙ୍କ ପଛେ ପଛେ ପଦାକୁ ଆସିଲି । ସେ ଏକମୁହାଁ ହୋଇ ଫାଟକ ଆଡ଼କୁ ଚାଲି ଚାଲି ଗଲେ । ପଛରେ ଗଲି । ହତା ଆର ପାଖରୁ ସେ ଫେରି ଚାହିଁଲେ ।

ଆଶ୍ଚର୍ଯ୍ୟ ହୋଇ ଥରିଲା ସ୍ୱରରେ କହିଲେ, ନୂଆଉ !

କଣ୍ଠ ଥରିଉଠିଲା– କହିଲି, ହଁ, ସୁର !

ଆଉଜା ଫାଟକର ଆରପାଖେ ସୁର, ଏ ପାଖେ ମୁଁ । ମୁଣ୍ଡ ଉପରୁ ଆକାଶ ତଳକୁ ଓହଳି ପଡ଼ିଥିବା ଜହ୍ନର ତେରଛା ଆଲୁଅ ତାଙ୍କର ଫାଳେ ମୁହଁ ଉଜ୍ଜ୍ୱଳ କରୁଥାଏ । ପୂବେଇ ପବନରେ ବାଳଗୁଡ଼ିକ ଫୁର ଫୁର୍‌ ଉଡ଼ୁଥାଏ ।

ବୋଉ ଡାକି କହିଲା– ଆଲୋ ତୁଳସୀ, କୁଆଡ଼େ ଗଲୁ ପୁଣି ।

ତା ଡାକରେ ନିଜ ଭିତରେ ଅନୁଭବ କଲି ଚେତନା । ମୋର ଦେହଟା ଛାଡ଼ି ଆତ୍ମା ଯେପରି କୁଆଡ଼େ ଉଡ଼ିବୁଲୁଥିଲା ।

ଲୁଗା କାନିରେ ଲୁହଭିଜା ମୁହଁ ପୋଛି କହିଲି, ଏକୁଟିଆ ଯିବ ?

ବୁଝିଲି, ସେ ମଧ୍ୟ କାନ୍ଦୁଥିଲେ । ଗାମୁଛାରେ ଲୁହ ପୋଛି କହିଲେ, ଜହ୍ନରାତି ।

ଛାତି ଭିତରେ ଯେଉଁ କୋହ ଅନୁଭବ କରିଥିଲି, କଥାରେ ପ୍ରକାଶ କରିବା ମୋ ପକ୍ଷେ ଅସମ୍ଭବ ହୋଇପଡ଼ିଲା । ଖନେଇଁ ଖନେଇଁ କହି ପାରିଲି – କି ରୂପ ହେଲଣି !

ଏତିକିରେ ସେ ଫାଟକ ଉପରେ ମୁଣ୍ଡ ଲଦି କଇଁ କଇଁ ହୋଇ କାନ୍ଦିଉଠିଲେ । ନିଜକୁ ଆଉ ସମ୍ଭାଳିପାରିଲି ନାହିଁ । ଆଖିରୁ ଧାର ଧାର ଲୁହ ଝରିପଡ଼ୁଥାଏ । ତାଙ୍କର ମୁଣ୍ଡ ଉପରେ ହାତ ରଖି କହିଲି– ଛି, କାନ୍ଦୁଛ ?

କେତେବେଳକେ ମୁଣ୍ଡ ଟେକିଲେ । କହିଲେ, ଯାଉଛି ନୂଆଉ ।

ତାଙ୍କୁ ବିଦାୟ ଦେବାକୁ ମୋର ମନ ଡାକୁନଥିଲା । ଆଖିର ଲୁହ ସତେକି କେତେ ଦିନର ସନ୍ଦେହ ଦୁହିଁଙ୍କ ମନରୁ ଧୋଇଦେଇଥିଲା ।

ରହିବ ନାହିଁ ?

ଲୋକେ କଅଣ କହିବେ ?

ତୁନି ରହିଲି । ମନେହେଲା, ସୁର ଯେପରି ମୋ ଉପରେ ଅଭିମାନ କରି ମୋରି କଥା ମୋତେ ଫେରାଇ କହୁଛନ୍ତି । କଟା ଘାରେ ଲୁଣ ଛିଟା ମାରିଲା ପରି ଛାତି ଭିତର ଯନ୍ତ୍ରଣାରେ ପୋଡ଼ିଉଠିଲା । ଧୈର୍ଯ୍ୟ ଧରି କହିଲି, କେବେ କଅଣ ପଦେ ମନଦୁଃଖରେ କହିଦେଇଥିଲି ବୋଲି ଆଜିଯାଏ ସେଇ ରାଗ ରଖିଛ, ତମର ମନ ତ ଏଡ଼େ ଛୋଟ ନଥିଲା ?

ବୋଉର ଡାକ କାନରେ ବାଜିଲା, ଆଲୋ ତୁଳସୀ !

ସୁର କହିଲେ, କ୍ଷମା କର ନୁଆଉ, ତମ ମନରେ କଷ୍ଟ ଦେଇଛି । କିନ୍ତୁ ଆଜି ବି ତୁମ ନାମରେ ମୋ ନାମରେ ଦୁର୍ନାମର ଢେଉ ମାଡ଼ି ଚାଲିଛି ତୁଣ୍ଡରୁ ତୁଣ୍ଡ । ମୁଁ ଜାଣେ, ଦୁର୍ନାମ ଅପବାଦକୁ ତୁମେ ଡର । ତା ପାଖରୁ ତୁମେ ସବୁବେଳେ ଦୂରରେ ରହିବାକୁ ଚାହଁ ।

ପାଟି ଖଲ ଖଲ ହେଉଥିଲା କହିଦେବାକୁ – ଦୁର୍ନାମ, ଅପବାଦ, ତୁଣ୍ଡବାଇଦ ଅନ୍ଧାର ରାତିରେ ଭୂତର ଡର । ଯେତେ ଡରିଲେ ସେତେ ଡରାଏ । ପ୍ରାଣବିକଳରେ ଦଉଡ଼ିଲେ ପଛରେ ଧାଏଁ । ମନ ଦୃଢ଼ କରି ପଛକୁ ଚାହିଁଲେ, କିଏ କୁଆଡ଼େ ଯାଇ ରହନ୍ତି । ତୁଣ୍ଡବାଇଦକୁ ଆଉ ମୋର ଡର ନାହିଁ । ମୁଁ ଦୁନିଆ ଲୋକଙ୍କର ଢଙ୍ଗ ଦେଖି ପଣ କରିଛି ତମରି ହାତଧରି ତମରି ହୋଇ ମୁଁ ତମରି ସଙ୍ଗରେ ଆମର ଘରକୁ ଫେରିଯିବି । ମନୁଆକୁ ତମେ କାଖରେ ଧରିବ । ନୂଆ ସଂସାର କରିବା । ଦୁନିଆର ଲୋକେ ପଛରେ ଥାଇ ଯେତେ ଭୁକିବାର ଭୁକନ୍ତୁ, ପାଟି ଘୋଳିହେଲେ ବଳେ ତୁନି ହେବେ ।

ଲାଜରେ ତୁଣ୍ଡ ଖୋଲିଲା ନାହିଁ ।

କଥା ବୁଲାଇ ପଚାରିଲି, ଏ ଦୁର୍ନାମର ନିଆଁ କେବେ ଭଲା ଲିଭିବ ?

ସୁର କହିଲେ– ମନ ଦମ୍ଭ କରି ଯେବେ ତମେ ଲୋକଙ୍କ କଥାରେ କାନ ନଦେଇ ଫେରିଯିବ ନୂଆଉ । ଦାଣ୍ଡରେ ଚାଲିଥିବା ଲୋକଙ୍କୁ ଦେଖି କୁକୁର ଭୁକେ । ଯେ ସେଥିରେ କାନ ନଦେଇ ସିଧା ସିଧା ଚାଲିଯାଏ, କୁକୁର ପଲ ତା ପାଖ ପଶନ୍ତି ନାହିଁ । ଯିଏ ଡରି ପଳାଏ, ସେମାନେ ତା ପଛରେ ଗୋଡ଼ାନ୍ତି । ସୁବିଧା ପାଇଲେ କାମୁଡ଼ନ୍ତି ।

ଅବିକଳ ମୋ ମନର କଥା ତାଙ୍କ ତୁଣ୍ଡରୁ ଶୁଣିଲି ।

ବ୍ୟସ୍ତ ହୋଇ ଥରି ଥରି ବୋଉ ପଛରୁ ଆସି ବର ବର ହେଲା – ଆଲୋ, ରାତି ଦି’ପହର ଯାଏ କଅଣ କରୁଛୁ । ତୁଳସୀ, ହାଣ୍ଡିରେ ତୋରାଣି ମନ୍ଦେ ବି ନାହିଁ, କଅଣ ଖାଇବୁ ? ଏଁ, ସୁର ? କିରେ ଯାଇନୁ ? ହଉ, ହଉ, ଦୁଃଖ ସୁଖ ହ । ରାତି ବେଶି ହୋଇନାଇଁ ଯେ ! ମନ କଥା ଖୋଲାଖୋଲି ହେଲେ ସିନା ରାଗରୋଷ ଯାଏ ରେ ବାପ । ପାଞ୍ଚ ଲୋକ ତ ଏଣୁ ତେଣୁ ପାଞ୍ଚ ପଦ କହିବେ ।

ବୋଉ ଫେରିଗଲା ।

ମତେ ଲାଜ ମାଡ଼ିଲା ! ସୁର ବି ସେପରି ଅନୁଭବ କଲେ କି କଅଣ, କିଛି ନକହି ସେ ଗହୀର ବାଟେ ଚାଲିଗଲେ ।

ମୁଁ ବୋଉ ପଛେ ପଛେ ଫେରିଲି ସିନା, ମନ ପସ୍ତେଇହେଲା । ରାତି ଅଧରେ ଏକୁଟିଆ ତାଙ୍କୁ ଛାଡ଼ିଦେବାଟା ଭଲ ହେଲା ନାହିଁ । ହାତଧରି ଅଟକାଇ ରଖିଥାନ୍ତି । କହିଥାଆନ୍ତି, ତମେ ଏଇଠି ରହ ସୁର ।

ବୋଉ ଆସିଲା । ସେ ଚାଲିଗଲେ । ତୁଣ୍ଡ ମୋର ଫିଟିଲା ନାହିଁ । ହଉ, ଯାଆନ୍ତୁ । ଜହ୍ନ ରାତି ତ !

•••

 

Unknown

୨୪

 

ସପନ ଭାଙ୍ଗିଲା, ରାତି ବି ପାହିଲା । ଆଖି ଖୋଲିଲି । ଆଲୁଅ ହେଲାଣି । ସତେକି କେଉଁ ସରଗ ଭୂଇଁରୁ ଖସିପଡ଼ିଲି । ରାତିର ସପନ, ମନ ଭୁଲା ସୁନେଲୀ ସପନ ଅପସରିଛି ।

ଗୋଟିଏ ରାତି, ଯାହାରି କୋଳରେ ସାମାନ୍ୟ କେଇଟି ମୁହୂର୍ତ୍ତ ପରି ଛପିଯାଇଥିଲା ସୁରଙ୍କ ଭାଇଙ୍କ ସଙ୍ଗେ ଚାରି ବର୍ଷର ମୋର ଘରକରଣା । ସୁରଙ୍କ ସଙ୍ଗେ ମୋର ଯେଉଁ ସଂସାର, ତାର ଆରମ୍ଭ ନାହି କି ଶେଷ ନାହିଁ । ସୁରଙ୍କ ସଙ୍ଗେ ଯେଉଁ ମିଳନର ବନ୍ଧନ ସେ ବନ୍ଧନ ଅଛିଣ୍ଡା !

ତେଜିଉଠିଥିଲା ଯୈାବନ । କେଉଁ ଅଜଣା ଶକ୍ତିର ପ୍ରଭାବରେ ଦେହର ପ୍ରତି ଲୋମ ମୂଳରେ ମିଳନର ଆଗ୍ରହ ଭରିଯାଇଥିଲା । ଏପରି ଆଗ୍ରହ ଆଉ କେବେ ଅନୁଭବ କରିନଥିଲି । ସଞ୍ଜବେଳେ ସୁରଙ୍କ ଦେହର ପରଶ ଓ ତାଙ୍କର କଥା କେଇପଦ ଗୋଟିକ ରାତିକୁ କେତେ ଯୁଗକୁ ଲମ୍ବାଇଦେଇଥିଲା ।

ଯେଉଁଦିନ ମୋର ଯୈାବନର ପ୍ରଥମ କଢ଼ଟି ପ୍ରସ୍ଫୁଟିତ ହେଲା, ସେହି ସଜ ଫୁଲର ଆଖିରେ ପ୍ରଥମେ ପଡ଼ିଥିଲା ଯାହାର ରୂପ, ସେଇ ସେ ସୁର ! ସେ ମୋର । ଯାହା ଘଟିଯାଇଥିଲା, ସବୁ ଭୁଲ । ଭୁଲ ତ ସୁଧୁରିଯାଏ ।

ଦୁନିଆ ଲୋକ ବାରକଥା କହିବେ । ସେମାନେ ଯଦି ମୋ ଆଖିରେ ମୋର ଜୀବନ ଓ ଭବିଷ୍ୟତକୁ ଦେଖୁଥାଆନ୍ତେ, ତେବେ କହିବାର ଅଧିକାର ତାଙ୍କର ରହନ୍ତା ?

ମନ ଦମ୍ଭ କରି ଫେରିଯିବାକୁ ସୁର କହିଗଲେ । ସୁରଙ୍କୁ ନେଇ ସଂସାର କରିବାକୁ ଫେରିଯିବି । ତାଙ୍କୁ କଅଣ ସୁଖୀ କରିପାରିବି ନାହିଁ ?

ରାତି ପାହିଥିଲା ଆନନ୍ଦରେ । ଯୁଗ ଯୁଗ ଧରି ଲମ୍ବିଯାଇଥିଲା ଯେଉଁ ସପନର ରାତିଟି, ଦିନ ଆଲୁଅର ପରଶରେ ଲାଗିଥିଲା ମୁହୂର୍ତ୍ତେ ପରି । ସୁଖର ରାତିଟି ପାହିଲା କାହିଁକି ? ସ୍ୱପ୍ନ ମଣିଷକୁ ଏତେ ଆନନ୍ଦ ଦିଏ ? ଚେମା’ଇର ସ୍ୱପ୍ନ – କିନ୍ତୁ ସଂସାରକୁ ସେ ଡରିଥିଲା, ସ୍ୱପ୍ନ ହିଁ ଚାହିଁଥିଲା, ବାସ୍ତବତା ପାଖରୁ ଦୂରେଇ ରହିବାକୁ ବସିଥିଲା ।

ସକାଳର ଆଲୁଅ ଆଖି ଆଗରେ ଉଭା କଲା ନୂଆ ଜୀବନର ଛବି । ସୁର ଆସିବେ, ହୁଏତ ଆଜି ଆସିବେ, ଆଜି ତାଙ୍କର ଅଭିମାନ ଭାଙ୍ଗିବି । ପଚାରିବି, ଡେରି କାହିଁକି ?

ଶିରା ପ୍ରଶିରାରେ ଉତ୍ତେଜନାର ନିଆଁ ଜଳୁଛି, ମିଳନ ଆନନ୍ଦ ପାଇଁ ଏତେଦିନକେ ଯୈାବନ ଅନ୍ଧ ହୋଇଛି । ମନ ହୋଇଛି ଉତଳା, ଦେହ ଫୁଲି ଫୁଲି ଉଠୁଛି ।

ମୋ ଆନନ୍ଦ, ମୋ ଫୂର୍ତ୍ତି, ବୋଉ ଆଉ କେବେ ଦେଖିନଥିଲା । ମୋ ମୁହଁକୁ ଅନାଇ ସେ ଖୁସି ହୋଇ କହିଲା, ଆଲୋ ତୁଳସୀ, ମୁଣ୍ଡ ଏମିତି ଫର୍‌ଫୁର୍‌ ଉଡ଼ୁଛି, ବାନ୍ଧିପକାଲୋ – ଆ, ନଇଲେ ମୋ ପାଖକୁ ।

ତତେ ପରା ଜର ?

ସତେ ? ମୋ ଧିଅରେ ହାତ ମାରି ଦେଖିଲୁ । ଆଲୋ, ତୋ’ପାଇଁ ମୋତେ ଜର ହୁଏ । କାଲି ରାତିରୁ ଜର ଫର ଆଉ ନାହିଁ । ତୁଳସୀଲୋ, ବେଳ ପୁଣି ଫେରେ କହନ୍ତି ପରା, ବେଳ ଖାଲି ଆଗକୁ ମାଡ଼ି ଚାଲିଥାଏ ।

ତା ପାଖରେ ବସିଲି । ମନୁଆ ମୋ ପିଠିରେ ନାଉ ହେଲା । ତାକୁ ଝୁଲାଉ ଝୁଲାଉ ପଚାରିଲି, କଅଣ କି ?

ବୋଉ ମୋ କପାଳ ଆଉଁସି କହିଲା– ଛାଡ଼ିଦେ ବା ସେଇଟାକୁ – ସେ ମୋର – ମୁଁ ତାକୁ ବାହାହେବି । କେମିତି ସେଇଟା ଭୁଲରେ ତୋ ପେଟରୁ ଖସିପଡ଼ିଥିଲା ବା – ନୋହିଲେ ତୁ ମୋର ପିଲା ଝିଅଟା – ଶାଶୁ ଘରକୁ ଯାଇନୁ । ଶାଶୁ ଘର ଜାଣୁନା । ସେଇ ଯେଉଁ ପିଲାଟି ଏଠିକି ବେଳେବେଳେ ଆସେ – କେଡ଼େ ସୁନ୍ଦର ନାମଟି ମ – ହଁ, ମନେ ପଡ଼ିଲା – ସୁର ! ଭଲ ପିଲାଟିଏ-। ତାଆରି ହାତରେ ତତେ ଦେବି ଲୋ ମା, ସେ ତତେ ସୁଖ ପାଏ ! ତୁ ତାକୁ ଭଲ ପାଉ-! ଏଁ, ଲୁଚାଉଛୁ ? ମୁଁ ସବୁ ଜାଣେ ଲୋ, ତୋ ଆଖି ଦେଖି ବୁଝିଛି । ତତେ ଜନମ କରିଛି, ତୋ ମନ ଜାଣିବି ନାହିଁ ? ଆଜି ସେ ଆସୁ ରହ ।

ତୋ ଜର ବଢ଼ିଛି ।

ତା ଦେହରେ ହାତ ମାରି ଦେଖିଲି । ଜର ନାହିଁ । ମନୁଆକୁ କୋଳକୁ ଆଣିଲି । ଗେଲ କଲି ।

ମୋ ଗାଲ ଉପରେ ତାତିଲା ଓଠରେ ବୋଉ ବୋକ ଦେଇ କହିଥିଲା, ଏଥର ନିଶ୍ଚିନ୍ତରେ ମନ ଖୁସିରେ ମୁଁ ଆଖି ବୁଜିବି । ସୁର ସଙ୍ଗେ ତୋର ମିଳାମିଶା ହୋଇଛି, ମୁଁ ଦେଖିଛି, ମୁଁ ଆଗରୁ ଜାଣେ ଦିନେ ଏହା ହେବ । ଖାଲି ମିଛଟାରେ ଘାଣ୍ଟିହେଉଥିଲୁ । ମା ଲୋ, ଠାକୁରେ ଯାହା କରନ୍ତି ଭଲ ପାଇଁ କରନ୍ତି । ଭଲ ହେଲା, ଦୁନିଆରେ ଆତଯାତ ହେଲୁ, ଲୋକଙ୍କୁ ଚିହ୍ନିଲୁ, ନିଜର ଶକ୍ତି ସାମର୍ଥ୍ୟ ବୁଝିଲୁ । ଏଥର ସୁରକୁ ଭଲପାଇବୁ, ପ୍ରାଣରୁ ବଳି ଭଲପାଇବୁ । ସ୍ୱାମୀ ଚିଜଟି କଅଣ, ତାର ମୂଲ୍ୟ କେତେ, ହାଡ଼େ ହାଡ଼େ ଚିହ୍ନିଲୁ ମା ।

ମୁଁ ତୁନି ରହିଥାଏଁ । ସେ କହିବାକୁ ଲାଗିଲା– ଯା ଏଥର, ଛାତି ଦମ୍ଭ କରି ବାଟ ଚାଲ୍ । ଆଉ କାହାକୁ ଡର ? ଟିମବାବୁ ଘରଡିହ ନେବେ, ନେଉନ୍ତୁ ।

ତାର ତୋରା ଆଖିକୁ ଚାହିଁ ପଚାରିଲି, ଲାଜ ଲାଜ ହୋଇ – ତୁ ଏଗୁଡ଼ା କଅଣ ଗପୁଛୁ ବୋଉ ?

ଆଖି ଛଳଛଳ କରି କହିଲା, ଗପିବି ନାଇଁ, ଆଜି ନାହାକକୁ ଡାକି ଦିନ ଥିର କରିବି, ଭଲ ଦିନ, ଭଲ ବାର । କାଲି ପରି ଲାଗୁଛି, ଅଭାବ ମୋର ଆଣ୍ଟ ଭାଙ୍ଗିଲା । ତୋରି ମୁହଁରେ ଆଧାର ଦେଇ ତତେ ବଞ୍ଚାଇ ରଖିବାକୁ ପର ମଣିଷର ଆଖି ଠାରକୁ ଆଡ଼େଇଦେଇ ପାରିନଥିଲି । ଏଇ ବୁଢ଼ୀ ଚମରେ ନିଆଁ ଲାଗି ଫୁରୁ ଫୁରୁ ଜଳିଯିବ, ପାଉଁଶ ହେବ, ଲୁଚାଇବି କାହିଁକି ? କହିଲି ତତେ ଚେତାଇବାକୁ । ତୋ ପାଟିରେ ଆଧାର ଦେବାକୁ ମୋର ନିଜର ଲୋକ କେହି ନଥିଲେ । ଯେଉଁମାନେ ଦେବେ, ସେମାନେ ଆଗ ନେବାକୁ ଚାହିଁବେ । ସ୍ୱାର୍ଥର ଦୁନିଆ । ଦେହଟା ଛଡ଼ା ମୋର ଆଉ କିଛି ସମ୍ବଳ ନଥିଲା । ନିଜର ଲୋକ ଥିଲେ ତାର ଦୟା ହୁଏ, ତା ପାଖରେ ସ୍ନେହ ଅସୁଝା ରହେ ନାହିଁ ।

ମୋର କେହି ନଥିଲେ । ତୋର ଅଛି ସୁର, ଦିଅର, ଅତି ଆପଣାର ଲୋକ, ତୋର ସ୍ନେହର, ତୋର ଯତ୍ନର ସେ ଭାଗ ନେଇଛି । ତୋରି ପେଟପିଲାର ସେ ଦାଦି । ଏକା ରକ୍ତ ଦି’ଧାର-। ତୋର ସୁଖ ଆନନ୍ଦ ସେ ଦେଖିଛି । ଦୁଃଖକଷ୍ଟ ଦେଖି ସହିପାରିବ ନାହିଁ ।

 

ମନ ଦେଇ ଶୁଣିଲି । ଭଲ ମନ୍ଦ ବିଚାର କରିବାକୁ ତର ନଥିଲା । ମନରେ ଗୋଟିଏ କଥା ଘାଣ୍ଟିଚକଟି ହେଉଥାଏ । ସେଇ କଥା ପଚାରିଲି– ସୁର କଅଣ ମନୁଆ ବାପାକୁ ମୋରି ଲୋଭରେ ମାରିଛି ?

ବୋଉ କହିଲା, ମିଛ କଥା । ତେବେ କେଜାଣି ମା, ନରମାୟା ନାରାୟଣ ଜାଣନ୍ତି ନାହିଁ-। ମିଛ ହେଉ କି ସତ ହେଉ, ଯିଏ ଯାହା କରେ ତା ପାପ ପୁଣ୍ୟ ତାଆର । ନିଜର ସ୍ୱାର୍ଥ ଆଉ ଭବିଷ୍ୟତ୍‌ ପାଇଁ ଅଜାଣତ କଥାକୁ ମନରେ ଥାନ ଦେବା ଭଲ ନୁହେଁ । ମନ କଦର୍ଯ୍ୟ ହେବା ଛଡ଼ା ଆଉ ଲାଭ କିଛି ନାହିଁ ।

ପ୍ରତିବାଦ କଲି ନାହିଁ ।

ସୁରଙ୍କୁ ନେଇ ସଂସାର କରିବି । ତାଙ୍କ ବିରୁଦ୍ଧରେ ମନରେ ସନ୍ଦେହର ନିଆଁ କୁହୁଳାଇବି ନାହିଁ ।

ବୋଉର ଗୋଟିଏ କଥା ମୁଁ ବୁଝିପାରିଲି ନାହିଁ । ତାଆର ଆଣ୍ଟ କଅଣ ଭାଙ୍ଗିଥିଲା, କେବଳ ମୋରି ମୁହଁରେ ଆଧାର ଦେଇ ମତେ ବଞ୍ଚାଇ ରଖିବାକୁ ? ମୋତେ ବଞ୍ଚାଇବାର ଅନ୍ୟ ଉପାୟ ନଥିଲା ?

ଲାଜରେ ମୁହଁ ପୋତିଲି ।

ମଣିଷର ଦେହ, ମଣିଷର ମନ ଧରି କେହି କେବେ ଗର୍ବ କରି କହିପାରିବ ନାହିଁ ଯେ, ତାର ମନ ଚହଲିନାହିଁ । ସଂସାରରୁ ମୁଁ ବାହାର ନୁହେଁ । ସେଇଥିପାଇଁ ତତେ ମୂଳରୁ କହିଆସୁଛି, ଡେରି କର୍‌ନା, ଲୋକଙ୍କ କଥାରେ କାନ ଦେ’ନା, ସୁରକୁ ନେଇ ସଂସାର କର, ଗତ କଥା ଭୁଲିଯା, ମୋର ଅବାଧ୍ୟ ହ’ନା ।

ସଞ୍ଜ ବେଳର ଘଟଣା, କିପରି ଟିମବାବୁଙ୍କର ଛାତି ଉପରକୁ ଢଳିପଡ଼ିଥିଲି, ବୋଉ ଆଗରେ ଖୋଲି କହିବାକୁ ପାଟି ଖଲ ଖଲ ହେଉଥିଲା, କହିପାରିଲି ନାହିଁ । କହିଲି– ମଣିଷ ଝୁଣ୍ଟିଲେ ବାଟ ଚାଲି ଶିଖେ, ତୋର ଅବାଧ୍ୟ ହେବି ନାହିଁ ବୋଉ ।

ଖୁସିରେ ମୋ ମୁଣ୍ଡକୁ ତା କାନ୍ଧ ଉପରକୁ ଆଉଜାଇନେଲା । ମନୁଆ ଅଝଟ ହୋଇ ରାଗରେ ମୋ ପିଠିରେ ଚାପୁଡ଼ା ମାରି ଦୂରକୁ ଘୁଞ୍ଚିଗଲା । ଆଖିରେ ତାଆର ଭରିଯାଇଥିଲା ଲୁହ । ଯେତେ ଡାକିଲେ କୋଳକୁ ଆସିଲା ନାହିଁ ।

•••

 

୨୫

 

ହାଟକୁ ବାହାରିଥିଲି ସହଳ ସହଳ । ଭାବୁଥିଲି, ଏଇ ମୋର ହାଟକୁ ଯିବା ଶେଷଥର । ନିଜ ଘରକୁ ଫେରିଗଲେ ଘର କାମ କରିବାକୁ ବେଳ ନିଅଣ୍ଟ ହେବ ।

ସୁର, ଯାହାଙ୍କର ହାତ ଧରି ମୁଁ ଯିବି, ଦାଣ୍ଡକୁ ହାଟକୁ ମତେ ସେ ଛାଡ଼ିବେ ନାହିଁ । କାନ୍ତରାଟି ବାବୁଙ୍କର ଟଙ୍କା କେଇଟି ଧାରୁଆ ହୋଇ ରହିଛି । ସବୁ ଖରଚ ହୋଇଗଲା । ପରର ଧାରୁଆ ହୋଇ ରହିବି ନାହିଁ । ସୁରଙ୍କୁ କହି ଟଙ୍କା ଆଣି ପରିଶୋଧ କରିଦେବି । ସେ କହୁଥିଲେ, କାନ୍ଥରେ ପୋତା ହୋଇଥିବା ମାଠିଆ ପଇସାରେ ଭରିଗଲାଣି । ଅଭାବ ହେବ ନାହିଁ ।

ବାଟରେ ରାଜିବୋଉ ଖୁଡ଼ୀ ସଙ୍ଗେ ଦେଖା ହେଲା । ମତେ ଦେଖି ସେ ମୁହଁ ମୋଡ଼ିଦେଲା । ଛଳନା କରି ମୁଁ କହିଲି, ଖୁଡ଼ୀ ମ, କିବା କଥାକୁ ସେଇ ଦିନରୁ ତେମେ ଏମିତି ରାଗିଛ, ମୁଁ ତ ତମର କିଛି ଲୋକସାନ କରିନାହିଁ ।

ଫୋପାଡ଼ିଲା ପରି ସେ କହିଲା– କାହିଁକି ବା କିଏ କାହାର ଲୋକସାନ କରିବ, ତୋ ଢଙ୍ଗ ଦେଖି ତ ମୁଁ ଆଡ଼େଇରହେଁ । କୋଉ ଗାଁ’ର କିଏ, ତା ସଙ୍ଗେ କି କଥା, ତା ସଙ୍ଗେ କି ହସ, ଆଖିଠାର । ଲୋକେ କଅଣ ଭଲ କହୁଛନ୍ତି ନା କହିବେ ? ଆପଣାର ମହତ ଆପେ ରଖିଲେ ସିନା ହେବ ।

ଭାବିଲି, ରାଜିବୋଉ ସଦାବେଳେ ମୋର ଶୁଭ ମନାସୁଥାଏ । ଆହା ! କହିଲି, ଲୋକେ କାହିଁକି କହିବେ, କହୁଛ ତେମେ । ଲୋକେ କହନ୍ତୁ କି ତେମେ କହ, କାହା ତୁଣ୍ଡରେ ମୁଁ ତୁଣ୍ଡି ବାନ୍ଧିପାରିବି ନାହିଁ । ଅଭାବରେ ପଡ଼ି କାହା ଘରକୁ କେବେ ଲୁଣ ଗିନାଏଁ ମାଗିବାକୁ ଯାଇଛି କି ? ଧିଅ ମିହନ୍ତ କରି ପରର ପାଞ୍ଚ ପାଇଟି କଲେ ସିନା କିଏ ଦେବ । ଲୋକଙ୍କ କଥାରୁ ମତେ କି ମିଳିବ ?

ଖଣ୍ଡିଆ ମହାଦେବଙ୍କୁ ଡରନ୍ତି ନାହିଁ ଲୋ ତୁଳସୀ, ଦେହରେ ଝଟକ ଅଛି, ଆଖିରେ ଛଟକ ଅଛି, ପରପୁରୁଷକୁ କଣେଇ ଚାହିଁ ଦି ପଇସା ଚିଜକୁ ଚାରି ପଇସା ପାଇପାରିବୁ । ହଉଲୋ ମା ।

ହସି ହସି କହିଲି, ଭଲ କଥା, ପେଟ ପୋଷ, ନାହିଁ ଦୋଷ ।

କେତେ ଦିନ ଲୋ ତୁଳସୀ, କାଲି ଯେତେବେଳେ ଚମ ଏମିତି ଧୋଡ଼କା ହେବ, ଦାନ୍ତ ପଡ଼ିବ, ମୁଣ୍ଡବାଳ ଝୋଟ ହେବ ?

କାଲିକା କଥା ଆଜି କାହିଁକି ଚିନ୍ତା କରିବି ? ତେବେ, ଚମ ଧୋଡ଼କା ହେଲେ, ଆଖିର ଛଟକ ମଲେ, ତମରି ପରି ପରଗଛରୁ ଲଙ୍କାମରିଚ ଚୋରି କରିବି । କହିଛି ପରା, ପେଟ ପୋଷ, ନାହିଁ ଦୋଷ ।

ସାପ ପରି ଗର୍ଜିଉଠିଲା । କହିଲା– କି ଲୋ, ଦେଖେଇ ଦେଖେଇ ଭାରି ବଡ଼ କଥା ତ କହୁଛୁ ? ମୁଁ ଚୋରଣୀ ହୋଇଛି ? ତୋଓରି ପରି ଦିଅରକୁ ପାଲରେ ପକାଇ, ସଲା ହୋଇ ଗେରସ୍ତକୁ ମରାଇଛି କି ?

ଥଟ୍ଟାକରି କହିଲି, ବେଶ୍‌ ହେଲା । କାଲି ଶୁଣିବ, ସେଇ ଦିଅରର ହାତ ଧରି ତା ଘରକୁ ଘରଣୀ ହୋଇ ଯାଇଛି । ପଛରେ ଭୁକିବ, ଆଉ କଅଣ କରିବ ?

ରାଜି ବୋଉ ରାଗ ତମତମ ହୋଇ ଆଉ କଅଣ କହିବାକୁ ଯାଉଥିଲା । ତାକୁ ଚିଡ଼ାଇଦେଇ ମୁଁ ସହଳ ସହଳ ଆଗେ ଆଗେ ହାଟକୁ ଚାଲିଆସିଲି । ପଛରେ ସେ କେତେ ଦୁର୍ନାମ କରୁଛି କରୁ । ସବୁ ମୋର ଦେହସହା ହେଲାଣି ।

ହାଟରେ କାନ୍ତରାଟିବାବୁ କି ବଳିଆ କାହା ସଙ୍ଗେ ଦେଖାହେଲା ନାହିଁ । ମନେ ମନେ ସେମାନଙ୍କୁ ଖୋଜୁଥାଏ । ମୋର ପରିବା ବିକା ସରିଲା, ହାଟ ଅଧା ହୋଇନଥାଏ । ଟିମବାବୁ ପରିବା ଓଜନ କରି ଦେଇନଥିଲେ। ତେଣୁ ଗରାକଙ୍କ ସଙ୍ଗେ ଧିକ୍‌ଚିକ୍‌ ନକରି ସେରକ ପାଞ୍ଚପା ଓଜନ କଲେ କ୍ଷତି ନାହିଁ । ଆର ପାଳିକିତ ଆଉ ଆସିବି ନାହିଁ, ଶୀଘ୍ର କାମ ସରିଗଲା ।

ଭାବିଲି କାନ୍ତରାଟି ବାବୁଙ୍କ ଟଙ୍କା ଶୁଝିବି କେବେ ? ସୁରଙ୍କ ହାତରେ ପଠାଇଦେଲେ ହେବ । କିନ୍ତୁ, ତାଙ୍କୁ କହିବି କିପରି ? ସେ କଅଣ ମନେକରିବେ ? ପୁଣି ଭାବିଲି, କହିବା ଦରକାର ହେବ ନାହିଁ । ଘରର ଘରଣୀ ହୋଇ ଯିବି, ମୋର ଅଧିକାର ଉପରେ ସୁର ବାଧା ଦେବେ ନାହିଁ ।

ତୋଟା ସେପାଖ କାନକୋଳି କଣ୍ଟାବଣ ମଝିରେ ବଳିଆ ସଙ୍ଗେ ଦେଖାହେଲା । ଲୁଗା ଖଣ୍ଡେ ପିନ୍ଧିଛି ଯେ ଆଣ୍ଠୁ ଲୁଚୁନାହିଁ, ମୁଣ୍ଡରେ ଗାମୁଛା ବାନ୍ଧିଛି, ହାତରେ ଚାରିହାତିଆ ଠେଙ୍ଗା ।

ମୋତେ ଦେଖି ସେ ଅଟକି ଠିଆହେଲା । ନାକ ଫୁଲାଇ କଟମଟ କରି ମୋ ଆଡ଼କୁ ଚାହିଁ ପଚାରିଲା, କିଲୋ, ତୋର ତ ଦେଖା ମିଳୁନାହିଁ, ତୋ ପାଇଁ ଆମ କାନ୍ତରାଟିବାବୁ ବ୍ୟସ୍ତ । ସବୁଦିନେ ପଚାରନ୍ତି, ଆଜି ବି ପଚାରୁଥିଲେ ।

ସତେ, ଓହୋ !

ଥରେ ସେ ଯାହାକୁ ଦେଖନ୍ତି ଭୁଲି ପାରନ୍ତି ନାହିଁ ।

କଅଁଳେଇ ପଚାରିଲି, ଆଚ୍ଛା ବଳିଆ, କାନ୍ତରାଟି ବାବୁ କଅଣ ଅତି ଖରାପ ଲୋକ, ତାଙ୍କ ଉପରେ ତୋର ତ ଭାରି ରାଗ ।

ଆଶ୍ଚର୍ଯ୍ୟ ହୋଇ ଚାହିଁଲା ମୋ ମୁହଁକୁ । କିଛି କହିପାରିଲା ନାହିଁ । ଟିକିଏ ତୁନି ହୋଇ ମୁଡ଼ୁକି ହସି କହିଲା, ସେ ମୋ ଖାଉଁଦ, ତାଙ୍କ ଉପରେ ମୋର ରାଗ ରୋଷ ନାହିଁ । ସେ ଅତି ଭଲ ଲୋକ, କ୍ଷଣକରେ ପର ଲୋକଙ୍କୁ ଆପଣାର କରିପାରନ୍ତି ।

ସେଇଥିପାଇଁ ତୁ ତାଙ୍କର ଏମିତି ଆପଣାର ହୋଇଛୁ ! ଆରେ, ପର ଲୋକ ଆପଣାର ହେବାକୁ ବସିଲେ ଆପଣାର ହୁଏ । ଯିଏ ଆପଣାର ହେବାକୁ ନଚାହିଁବ ତାକୁ ଆପଣାର କରିବ କିଏ ?

ଟଙ୍କା ଲୋଭରେ ମଣିଷ ନକରେ କଅଣ ଲୋ ହାଟୋଈ, ଟଙ୍କା ଲୋଭକୁ କେଇଜଣ ଆଡ଼େଇଦେଇ ଯାଇପାରନ୍ତି ? ହେଇ ଦେଖ୍ ଏଇ ଠେଙ୍ଗା । ଏଥିରେ କେତେ କୁକୁରଙ୍କର ଅଣ୍ଟା ଭାଙ୍ଗିଛି, କେତେ ବିଷାକ୍ତ ସାପଙ୍କର ମୁଣ୍ଡ ଛେଚିଚି । ହେଲେ, କାନ୍ତରାଟିବାବୁ ବର୍ତ୍ତି ଯାଇଛନ୍ତି । କୁକୁର ପରି ପର ଚିଜ, ଅଇଁଠା ପତରରେ ମୁହଁ ମାରିବା, ସାପ ପରି ବିନା କାରଣରେ ଦଂଶିବା ତାଙ୍କର ସ୍ୱଭାବ । ବେଳେବେଳେ ଭାବେ, ତାଳୁ ଉପରେ ଅର୍‌ଘାତିଆ ପାହାରେ ଦେବି । କିନ୍ତୁ କାନ୍ତରାଟିବାବୁ ଆଖି ଦେଖି ମନକଥା ବୁଝନ୍ତି । କହନ୍ତି, ନେଏରେ ବଳିଆ ଏଇ ଟଙ୍କାଟା ନେ, ମନ୍ଦାଏ ପିଇଦେଇ ଆ, ଆଖିଟା ଫିକା ଦିଶୁଛି । ସେ ଟଂ’କରି ଟଙ୍କାଟା ପକାଇଦିଅନ୍ତି । ଦଣ୍ଡବତ କରି, ଠେଙ୍ଗା କାନ୍ଧରେ ପକାଇ ଚାଲେ ସିଧା ସିଧା ଶିଅଳ ଘରକୁ ।

ବଳିଆ ନିଜର ଆଉ କାନ୍ତରାଟି ବାବୁଙ୍କ ସମ୍ବନ୍ଧରେ ଯାହା କହିଲା ଶୁଣି ମୋର ଛାତି ଥରିଉଠିଲା । ମଣିକାଞ୍ଚନ ଯୋଗ । ଜଣେ ଟଙ୍କାର ମାଲିକ, କଅଁଳ କହି ଧନ ଦେଇ ପାଲରେ ପକାନ୍ତି, ଆଉ ଜଣେ ମଦୁଆ ।

ଆଗକୁ ଗୋଡ଼ ଚଳିଲା ନାହିଁ । ନା, କାନ୍ତରାଟି ବାବୁଙ୍କ ପାଖକୁ ଯିବା ଦରକାର ନାହିଁ । ସୁବିଧା ହେଲେ ଆଉ କାହା ହାତରେ ଟଙ୍କା ପଠାଇଦେବି ପଛେ ।

ପଚାରିଲି, କୁଆଡ଼େ ଯାଉଛୁ ବଳିଆ ?

ଶିଅଳ ଘରକୁ । ଏଇ ଦେଖ୍, ଆଜି ଏତିକି ମିଳିଛି ।

ଅଣ୍ଟାରୁ କାଢ଼ି ଟଙ୍କାଟିଏ ମୋତେ ଦେଖାଇଲା ।

ମୁଁ ହସିଲି ।

ପଚାରିଲା, ଆଉ ତୁ କୁଆଡ଼େ ଯାଉଛୁ ?

ଯାଉଥିଲି ଇଆଡ଼େ । ହାଟକାମ ସହଳ ସରିଗଲା ।

ଇଆଡ଼େ ? ଓ କାନ୍ତରାଟି ବାବୁଙ୍କ ଘରକୁ ଟଙ୍କା ଦେବାକୁ ଯାଉଛୁ ପରା ! ହଉ, ଯା ।

ଏତିକି କହି ସେ ଆଗକୁ ଚାଲିଲା ।

ତାକୁ ପଛରୁ ଡାକିଲି । ସେ ବୁଲିପଡ଼ି ବିରକ୍ତ ହେଲା ପରି ପଚାରିଲା, କଅଣ ଲୋ ?

ଟଙ୍କା କଥା ତୁ କିପରି ଜାଣିଲୁ ?

ବାବୁ କହୁଥିଲେ ।

ଚାଲିଯିବାକୁ ବସିଲା । ମୁଁ ଫେରିଯାଇ ପଛରୁ ଡାକି କହିଲି, ତୋ ସଙ୍ଗେ ଟିକେ କାମ ଅଛି ବଳିଆ ।

ମୁହଁ ବୁଲାଇ କହିଲା– ଆରେ, ମୋ ସଙ୍ଗେ ପୁଣି ତୋର କି କାମ ? ମୋ ସଙ୍ଗେ କାହାରି କାମ ନଥାଏ ।

ଗୋଟାଏ କଥା ପଚାରିବି ବଳିଆ ।

ପଚାର ।

ସେହି ବୁଦା କଡ଼କୁ ଚାଲ, ଲୋକ ସବୁ ଯା ଆସ କରୁଛନ୍ତି ।

ଗୁପ୍ତ କଥା ? ବାଃ, ମୋ ସଙ୍ଗେ ଆଜିଯାଏ କେହି ଗୁପ୍ତରେ କଥା କହିନାହିଁ । ଗୁପ୍ତ ଥାନକୁ ଯିବାକୁ ମତେ ଡର ମାଡ଼େ । ଏଇଠି କହ ।

ଉହୁଁ ।

କେତେ ଅନୁରୋଧ ପରେ ବୁଦା ଉହାଡ଼କୁ ଯିବାକୁ ସେ ମଙ୍ଗିଲା ।

କହିଲି, କାନ୍ତରାଟିବାବୁ ଯେଉଁ ଟଙ୍କା ଦେଇଥିଲେ ତାକୁ ମୁଁ ଖରଚ କରିଦେଇଛି । ମା ବେମାର ପଡ଼ିଲା, ଆଉ ମୋର କେହି ନାହିଁ । ଭାବୁଛି, ପ୍ରତି ହାଟପାଳି ଯାହାକିଛି ମିଳିବ, ବାବୁଙ୍କୁ ଦେଇ ଧୀରେ ଧୀରେ ତାଙ୍କ ପାଉଣା ଶୁଝିବି । ମଙ୍ଗିବେ ନାହିଁ ?

ହଁ ଲୋ, ଯାହା ଉପରେ ତାଙ୍କର ନଜର ପଡ଼େ, ସେ ଯାହା କହେ ସେଥିରେ ସେ ମଙ୍ଗନ୍ତି । ତୁ କହିଲେ ସେ ଟଙ୍କା ଛାଡ଼ିଦେଇପାରନ୍ତି । ତାଙ୍କର କୋଉ ଟଙ୍କାର ଅଭାବ ଅଛି ?

ଟଙ୍କା ଛାଡ଼ିଦେବାକୁ ମୁଁ ଗୁହାରି କରିବି ନାହିଁ ।

କଟମଟ କରି ମୋ ମୁହଁକୁ ଚାହିଁଲା । ପଚାରିଲା, ସେ କଥା ତୋର ମନ ତତେ କହିବ-। ଅଭାବରେ ପଡ଼ିଲେ ମଣିଷର ସ୍ୱଭାବ ନଷ୍ଟ ହୋଇଯାଏ ।

ଏତିକି କହି ବଳିଆ ମୋ ପାଖରୁ ଚାଲିଗଲା । ମୁଁ ସେଇଠି ସେମିତି ଠିଆ ହୋଇ ତା କଥାକୁ ମନରେ ଘୋଷିହେଲି – ଅଭାବରେ ମଣିଷର ସ୍ୱଭାବ ନଷ୍ଟ ହୁଏ । ଅତି ପୁରୁଣା କଥା, ମୁହଁରୁ ମୁହଁ ଗଡ଼ିଆସୁଛି । କେତେ ମୁହଁରୁ ପିଲାଦିନୁ ଆଜିଯାଏ ଶୁଣିଆସିଛି । କାନରେ ପଶେ, ମନରେ ପଶିନଥିଲା । ବଳିଆର ତୁଣ୍ଡରେ ଅତି ପୁରୁଣା ଭେସେରା କଥାଟା ନୂଆ କରି ଶୁଣିଲା ପରି ଲାଗିଲା । ପ୍ରାଣ ଦୋହଲିଉଠିଲା । ଅଭିଜ୍ଞତା, ପଛକୁ ଆଖି ଫେରାଇଲା । ଜୀବନରେ ଯେବେ ଯାହା ପ୍ରକୃତିଛଡ଼ା କାମ କରିଛି ସବୁ ତ ଅଭାବ ପାଇଁ !

ନିଜକୁ ଏଡ଼େ ଦୁର୍ବଳ ମଣିବି ନାହିଁ । କାନ୍ତରାଟିବାବୁ ହାତ ବଢ଼ାଇଲେ ଘୁଞ୍ଚି ଆସିବାର ସାହସ ମୋର ଅଛି । ବଳିଆ ମୁହଁରୁ ପ୍ରଶଂସା ଛଳରେ ତାଙ୍କର ଯେଉଁ ଦୁର୍ନାମ ଶୁଣିଲି, ତାଙ୍କୁ ଥରେ ପାଖରେ ଦେଖିବାକୁ ମୋର ଆଗ୍ରହ ବଳିଲା । ମଣିଷ ତ ସେ, ବାଘ ଭାଲୁ ନୁହନ୍ତି । ଥରଟିଏ ଦେଖାରେ ସେ କଅଣ କହିବେ ?

ତାଙ୍କୁ ଭେଟିବାକୁ ଗଲି ।

ହତାର ଫାଟକ ଖୋଲା ଥିଲା । ବଡ଼ ହତା । ଭିତରେ ନାନା ଜାତିର ଗଛ ବୃକ୍ଷ । ପାଞ୍ଚ ସାତ ଜଣ ଲୋକ ଆତଯାତ ହେଉଛନ୍ତି । ହତାର ଗୋଟିଏ ପାଖରେ ମଉଡ଼ମରା ବଡ଼ଘର । ହତା ଭିତରକୁ ପଶିବାକୁ ଗୋଡ଼ ଚଳୁନଥାଏ। ଛାତିରେ ହତାଶିଆ ଘଣ୍ଟାଚକଟା ଅନୁଭବ କରୁଥାଏଁ ।

କିଏ ଜଣେ ଗଛ ଗହଳି ଭିତରୁ ବାହାରି ଫାଟକ ଆଡ଼କୁ ଆସିଲା । କାନ୍ଧରେ କାଙ୍କ ଓ ହାତରେ ଶାବଳ । ମୋ ଆଡ଼କୁ କଡ଼େଇ ଚାହିଁଲା ।

ପଚାରିଲି, ବାବୁ ଅଛନ୍ତି ?

କହିଲା– ହଁ, ସେ ଘରେ ଅଛନ୍ତି ।

ମଉଡ଼ମରା ଘର ଆଡ଼କୁ ମୁହଁ ବୁଲାଇ ମୋତେ ଦେଖାଇଦେଇ ସେ ଚାଲିଗଲା । ମୁଁ ଘର ପାଖକୁ ଗଲି । ଉଚ୍ଚ ପିଣ୍ଡା । ପିଣ୍ଡା ତଳେ ଠିଆହେଲି । କାହାକୁ ଡାକିବାକୁ ସାହସ ହେଲା ନାହିଁ ।

ପାଖଘର ଭିତରୁ କାନ୍ତରାଟିବାବୁ ବାରଣ୍ଡା ଉପରକୁ ଆସିଲେ । ମତେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କର ବିସ୍ମୟ ଭାବ ତାଙ୍କର ଦୁଇ ଆଖିରେ ଫୁଟିଉଠିଥିଲା । ମୁହୂର୍ତ୍ତକ ପରେ ଓଠରେ ହସ ଖେଳାଇ ପଚାରିଲେ, ଆରେ ତୁ ଯେ ! ତୋର ତ ଅନେକ ଦିନରୁ ଦେଖାନାହିଁ ଲୋ । କ’ଣ ତୋ ନାଁ ଟି ?

ଜବାବ ଦେଇପାରିଲି ନାହିଁ । ଥରଟିଏ ତାଙ୍କ ଆଡ଼କୁ ଅନାଇ ଦୃଷ୍ଟି ତଳକୁ କଲି ।

ଟିକିଏ ରହି ବାବୁ ପଚାରିଲେ, ତୋ’ ନାଁ କ’ଣ ?

କହିଲି, ତୁଳସୀ । ଆପଣ ସେ ଦିନ ମତେ ଯେଉଁ ଅଧିକା ଟଙ୍କା ଦେଇଆସିଥିଲେ ଆଜିଯାଏ ଦେଇପାରିନାହିଁ । ସେଇଥିପାଇଁ ଆସିଛି ।

କି ଟଙ୍କା ? ଟିକିଏ ଭାବି କହିଲେ– ଓ, ମନେ ପଡ଼ିଲା, ଭୁଲିଯାଇଥିଲି । ସେଇ ଟଙ୍କା ଦେବାକୁ ଆସିଛୁ ? ଆଚ୍ଛା, ଦେଇଯା ।

ଏତିକି କହି ସେ ପାଖ ଘର ଭିତରକୁ ପଶିଲେ । ଚଉକି ଟାଣିବାର ଶବ୍ଦ ହେଲା । କ’ଣ କହିବି, କ’ଣ କରିବି ମତେ ବୁଦ୍ଧି ଦିଶିଲା ନାହିଁ । ସେମିତି ଠିଆହୋଇ ରହିଲି ।

ଘର ଭିତରୁ କାନ୍ତରାଟିବାବୁ ଡାକିଲେ– ଆଲୋ ତୁଳସୀ, ଏଇଠି ଟଙ୍କା ଦେଇଯା ।

ବାଧ୍ୟ ହୋଇ ଟୋକେଇଟି ପିଣ୍ଡା ଉପରେ ରଖି ଦ୍ୱାର ମୁହଁକୁ ଗଲି । କାନ୍ତରାଟିବାବୁ ଦ୍ୱାରମୁହଁ ଆଡ଼କୁ କଡ଼ କରି ଗୋଟାଏ ଲମ୍ବା ଟେବୁଲ ପାଖରେ ବସିଥାଆନ୍ତି । ଟେବୁଲ ଉପରେ କାଗଜପତ୍ର ଖେଳାହୋଇଥାଏ । ତାଙ୍କ ଆଗରେ କାଠ ବାକ୍‌ସଟିଏ ଖୋଲା ହୋଇ ରହିଥାଏ । ବାକ୍‌ସ କରକୁ ଠା ଠା ହୋଇ ନୋଟ, ଟଙ୍କା, ରେଜକି ଓ ପଇସା ରଖାହୋଇଥାଏ । ବେଳେ ବେଳେ ଖଣ୍ଡେ କାଗଜରେ ସେ କ’ଣ ଲେଖୁଥାନ୍ତି, ଟଙ୍କା ନୋଟ୍‌ ଗଣି ଠା ଠା କରି ରଖୁଥାନ୍ତି ।

ଏତେ ଟଙ୍କା ଏକାଠି ମୋ ଜୀବନରେ କେବେ ମୁଁ ଦେଖିନଥିଲି । ମୋ ଆଡ଼କୁ ଆଖି ଫେରାଇ କହିଲେ, ସେଠି ଠିଆ ହେଲୁ କାହିଁକି ଲୋ, ଏଇଠି ଟଙ୍କା ଦେଇଯା ।

ସବୁ ଟଙ୍କା ଆଣିନାହିଁ ।

ଏଁ ଟଙ୍କା ଆଣିନୁ ? ତେବେ କଅଣ ଦେବାକୁ ଆସିଥିଲୁ ?

କହିବାକୁ ଆସିଥିଲି ।

ହସିଲେ । କଲମକୁ ଦାନ୍ତରେ କାମୁଡ଼ି ହସ ହସ ହୋଇ କହିଲେ,ଏମିତି କହିବାକୁ ତ କେହି ଆସେ ନାହିଁ ।

ଲାଜରା ହୋଇ କହିଲି, ଦି ପାଳିଯାଏ ଟଙ୍କା ହାଟକୁ ଆଣି ଫେରାଇନେଲି । ଆପଣଙ୍କର ଦେଖା ପାଇଲି ନାହିଁ। ଗରିବ ଲୋକ । ପରର ଧନ ହେଲେ ବି ଅଭାବ ଅସୁବିଧାରେ ପଡ଼ିଲେ ପରେ ଶୁଝିବା ଆଶାରେ ଖରଚ ହୋଇଗଲା । ମା ବେମାର ପଡ଼ିଲା । ତାକୁ ବଞ୍ଚାଇବାକୁ ଓଷଧ ପଥିରେ ସବୁ ଖରଚ ହୋଇଗଲା । ହାଟ ପାଳିକି ହାଟ ପାଳି ଯାହା ଲାଭ ହେଉଥିବ ଦେଇଯାଉଥିବି । ଏକାଥରକେ ଦେଇପାରିବି ନାହିଁ । ଆଜି ଦୁଇଟଙ୍କା ଦେବାକୁ ଆଣିଛି ।

କାନିରୁ ଫିଟାଇ ଦୁଇଟଙ୍କା କାଢ଼ିଲି । ତାଙ୍କ ପାଖକୁ ଯାଇ ଟେବୁଲ ଉପରେ ରଖି ଆଡ଼େଇ ଠିଆହେଲି ।

ସେ ଟଙ୍କା ଦିଓଟିକୁ ଥରେ ଚାହିଁ ମୋ ଆଡ଼କୁ ଅନାଇଲେ । ପଚାରିଲେ, ତୋର ମା ଭଲ ହୋଇ ଗଲେଣି ତ ?

ନାହିଁ, ତେବେ ଆଗ ଅପେକ୍ଷା ଟିକିଏ ଭଲ ଅଛି ।

ଆଉ ତୋର କିଏ ଅଛି ?

ଅଢ଼େଇ ବର୍ଷର ପୁଅଟିଏ ।

ଆଉ କେହି ରୋଜଗାରିଆ ନାହିଁ ?

ନାଇଁ ।

ମୋ ମୁହଁକୁ କରୁଣ ଦୃଷ୍ଟିରେ ଚାହିଁଲେ । କହିଲେ, ଥାଉ, ଆଉ ଯେବେ ସୁବିଧା ହେବ ଟଙ୍କା ଫେରାଇଦେବୁ । ତୋର ମା’ ଦେହ ଭଲ ହୋଇଯାଉ ।

କହିଲି, ଆମେ ଗରିବ, ସବୁଦିନେ ନିଅଣ୍ଟ । ଯାହା ଯେଉଁଠୁ ଭେଇଲେ ପେଟକୁ ଅଣ୍ଟେ ନାହିଁ । ପରର କାଢ଼ିଆ ଶୁଝିବାକୁ ହେଲେ ପେଟ ଖେଣ୍ଟି ସଞ୍ଚିବାକୁ ପଡ଼େ । ଆଉ ସା’ନ୍ତେ, ପେଟରୁ କାଟି ଶୁଝିବା ଆମ ପକ୍ଷରେ କଷ୍ଟ । ଏ ପାଳି ଏତିକି ଦେଲି, ଆର ପାଳି ଯାହା ପାଇବି ଦେବି । ଯାଉଛି ।

ଯିବାକୁ ବାହାରିଲି ।

କହିଲେ, ଶୁଣ୍‌ ତୁଳସୀ ।

ଅଟକି ରହିଲି ।

ମୋର ଟଙ୍କାର ଏମିତି କିଛି ଅଭାବ ନାହିଁ । ଅନ୍ୟର ଆପଦ ବିପଦ ବେଳେ ସାହାଯ୍ୟ କଲେ ଧନ ଊଣା ହେବ ନାହିଁ । ତୋ ବୋଉର ଦେହ ଭଲ ନାହିଁ । ଏପରି ଅବସ୍ଥାରେ ତୋ’ଠାରୁ ଏବେ ଟଙ୍କା ଆଦାୟ କରିବାକୁ ମୁଁ ଚାହୁଁନାହିଁ । ମୋର ଘର ଏ ଦେଶରେ ନୁହେଁ । ଅନ୍ୟ ଦେଶରୁ ଆସିଛି, ବେଉସା କରୁଛି । ଅନେକ ଟଙ୍କା ଲାଭ ପାଏଁ, ଅନେକ ଟଙ୍କା ଅଛି, ଅଥଚ ମୋର କେହି ନାହିଁ । ପାଞ୍ଚ ଦଶଟା ଟଙ୍କା କାହାକୁ କେବେ ଦେଲି, କିଏ କେବେ ଦେଲା ନଦେଲା ତେଣିକି ମୋର ନିଘା ନଜର ନ ଥାଏ ।

ଆପଣ ବଡ଼ଲୋକ, ମନେ ରହୁନଥିବ । ଆମେ ଗରିବ, ପାଞ୍ଚ ଦଶଟା ଟଙ୍କା ଆମ ମୁଣ୍ଡରେ ପାହାଡ଼ର ବୋଝ । ଖଲାସ କରିବାକୁ ସଦାବେଳେ ଆମ ମନ ଛଟପଟ ହୁଏ ।

ଆଚ୍ଛା, ସେ ଟଙ୍କା ଦିଓଟି ତୁ ନେଇଯା, ତୋର ଏତେ ଅଭାବ, ତୋ ଠାରୁ ମୁଁ ଟଙ୍କା ନେବାକୁ ଚାହେଁ ନାହିଁ ।

ଆପଣଙ୍କର ଧାରୁଆ ହୋଇ ମୁଁ ରହିବି ନାହିଁ ସାଆନ୍ତେ ।

ଆଖିପତା ଟେକି ମୋ ମୁହଁକୁ ଚାହିଁଲେ । ଓଠରେ ହସର ଆଭା ଖେଳିଗଲା । କହିଲେ, ଧାରୁଆ କିଏ କାହାର ? ଯେଉଁ ଟଙ୍କାକୁ ମୋର ବୋଲି ମୁଁ କହୁଛି ସେ ବି ତମରିମାନଙ୍କ ଟଙ୍କା । କାମ ମୁଁ ନିଏ, ତମେମାନେ କାମ କର । ତମରିମାନଙ୍କଦ୍ୱାରା କାମ କରାଏଁ । ମଝିରେ ମୁଁ ନିଏ ଲାଭ । ସେହି ଲାଭ ଟଙ୍କାରୁ କାହାର ଦରକାର ବେଳେ କିଛି ଦେଲେ, ନେଲା ଲୋକକୁ ଧାରୁଆ କୁହାଯିବ ନାହିଁ ।

ମୁଁ ଆପଣଙ୍କର କେବେ କାମ କରିନାହିଁ ।

କରିବାକୁ ମନା ନାହିଁ । କାମ ପାଇଁ ମୋର ଲୋକ ଲୋଡ଼ା ।

ସେ ଚଉକିରୁ ଉଠିଆସିଲେ । ମୁଁ ଥୋଇ ଦେଇଥିବା ଟଙ୍କା ଦିଓଟି ଓ ଆଉ ଖଣ୍ଡିଏ ଦଶଟଙ୍କିଆ ନୋଟ୍‌ ଟେବୁଲ ଉପରୁ ଉଠାଇ ମୋ ପାଖକୁ ଆସି କହିଲେ– ନେ, ବର୍ତ୍ତମାନ ତୋର ଟଙ୍କାର ଦରକାର ଅଛି । ମା ବେମାର ।

ପଛକୁ ଶଙ୍କିଆସିଲି । ବଳିଆର ସତର୍କ କଥା ମୋର ମନେପଡ଼ିଲା ।

ମୋ ମନକଥା ବୁଝିଲା ପରି ହସି ହସି କହିଲେ, ଲୋକେ ମୋର ଦୁର୍ନାମ କରନ୍ତି ତୁଳସି, ହୁଏତ ତୁ ବି ଶୁଣିଥିବୁ । କାହିଁକି ଜାଣୁ ? ଯାହାର ଧନ ଥାଏ ଲୋକେ ପାଇବା ଆଶାରେ ତା ପଛରେ ଗୋଡ଼ାନ୍ତି । ନପାଇଲେ ଦୁର୍ନାମ ରଟାଇ ମନର ଓରମାନ୍‌ ମେଣ୍ଟାନ୍ତି । କାହାର ଅଭାବ ଦେଖିଲେ ବିଶେଷତଃ ସ୍ତ୍ରୀଲୋକ, ଯାହାଙ୍କର ସାହା ସମ୍ବଳ ନଥାଏ, ତାଙ୍କୁ ମୁଁ ସାହାଯ୍ୟ କରେ । ଲୋକେ ନବୁଝି ଦୁର୍ନାମ ରଟାନ୍ତି । ମୁଁ କାନ ଦିଏ ନାହିଁ ।

କାନ୍ତରାଟିବାବୁ ନିଜ ଚରିତ୍ର ଓ ସ୍ୱଭାବର ଗୁଣ ବାହୁନିଲେ । କେତେ କଥା ପଚାରିବାକୁ ପାଟି ଖଲଖଲ ହେଉଥିଲା, ପଚାରିବାକୁ ସାହସ ହେଲା ନାହିଁ । ସେ ମୋ ହାତରେ ଟଙ୍କାଧରାଇ ଦେଇ କହିଲେ, ତୁ ଏଥର ଯା, ମୁଁ ତତେ ଏ ଟଙ୍କା ଧାର ଦେଉନାହିଁ । ତେବେ ତୋ ସୁବିଧା ହେଲେ ଫେରାଇଦେବୁ । ନହେଲେ ନାହିଁ ।

ମୋର ହାତ ଛାଡ଼ି ସେ ଯାଇ ଚଉକିରେ ବସିଲେ । କଅଣ କହିବି ମୋର ବୁଦ୍ଧି ଦିଶିଲା ନାହିଁ । ଟଙ୍କା ଗ୍ରହଣ କରିବି କି ନାହିଁ ସ୍ଥିର କରିପାରିଲି ନାହିଁ । କ୍ଷଣକାଳ ତାଙ୍କ ଆଡ଼କୁ ଚାହିଁ ରହିଲି-। ଚାଲି ଆସିବାକୁ ଗୋଡ଼ ଚଳିଲା ନାହିଁ । ଭାବିଲି ଏପରି ଜଣେ ମହତ୍‌ ଲୋକଙ୍କର ନିନ୍ଦା ବଳିଆ ରଟାଉଛି କାହିଁକି ? ହଁ, ମଦୁଆ ମଣିଷ । ପେଟରେ ଖଜୁରି ରସ ପଡ଼ିଲେ ତାର ବୁଦ୍ଧି ହଜିଯାଉଥିବ-। ପଚାରିବି ।

କାନ୍ତରାଟିବାବୁ କାମରେ ମନ ଦେଲେ । କଡ଼ରେ ଠିଆହୋଇ ମୁଁ ତାଙ୍କୁ ଅନାଇ ରହିଥାଏ । ସୁନ୍ଦର ଗୋରା ତକ୍‌ତକ୍‌ ବଳିଷ୍ଠ ଦେହ । ହସିଲା ପରି ମୁହଁଟି । ବୟସ ଚାଳିଶି ସେ ପାଖ ହେବ । ମୋର ବାପ ଦାଦିଙ୍କ ସମାନ । ଲମ୍ବ ନାକ ଉପରେ ସୁନା ନାଡ଼ ଲଗା ଚଷମା । ନାକ ତଳେ ସରୁ ନିଶ । ମୁଣ୍ଡବାଳ ଯତ୍ନ କରି ପଛକୁ ଭାଙ୍ଗି କୁଣ୍ଡାଇଛନ୍ତି । ଦେହରେ ପାତଳ ଧୋବ ଫରଫର ଜାମା ଦେଖିଲେ ମନରେ ଭକ୍ତି ଆସେ । ଡର କାହିଁକି ?

ପଚାରିଲି, ବଳିଆ ଆପଣଙ୍କର ନାମରେ ନିନ୍ଦା ରଟାଏ କାହିଁକି ?

ସେ ମୁହଁ ବୁଲାଇ ମୋ ଆଡ଼କୁ ଚାହିଁଲେ । ହସି ହସି ଓଲଟି ପଚାରିଲେ, ତୋ ଆଗରେ ମୋ ନିନ୍ଦା କରେ ?

ତାଙ୍କ ଆଖିରେ ଓ ହସିଲା ଓଠରେ କି ମୋହିନୀ ଶକ୍ତି ଅଛି କେଜାଣି, ତାଙ୍କ ମୁହଁକୁ ଚାହୁଁଣୁ ମୋ ତୁଣ୍ଡରୁ ଖସିଗଲା, ହଁ ।

ପଚାରିଲେ, ବଳିଆ ସଙ୍ଗରେ କେବଠୁଁ ଏପରି ଘନିଷ୍ଠ ସମ୍ପର୍କ ହେଲା ମ ! ମିଛ ହେଉ କି ସତ ହେଉ ତମ ଭିତରେ ବେଶ୍‌ ତ ମନଖୋଲା କଥାଭାଷା ହେଉଛି । ସେ ଯାହା ହେଉ, ବଳିଆ ମଦୁଆ, ମଦ ନିଶା ଥିବାଯାଏ ସେ ଭଲ । ନିଶା ଛାଡ଼ିଲେ, ଆଖି ଫିକା ଦିଶିଲେ ସେ ବାଇଆ ହୁଏ-। ସେଥିପାଇଁ ତାର ଆଖି ସବୁବେଳେ ମୁଁ ରଙ୍ଗ ରଖାଇଥାଏ । ବଳିଆ ଭଲ ଲୋକ, କାମିକା, ସରଳ, କିନ୍ତୁ ଅତି ଅଖାଡ଼ୁ । ତାକୁ ଭଲପାଏ ।

ତାଙ୍କ କଥାରେ ଦୋଷ ଦିଆନିଆ ଖୁଣ୍ଟା ଥିଲା । ବାଆଁରେଇ କହିଲି, ଆପଣଙ୍କୁ ସେ ଭଲପାଏ ନାହିଁ, ନିନ୍ଦା କରେ । ଉପରେ ପଡ଼ି ତା ମନକୁ ସେ ବାଟରେ ମତେ କହୁଥିଲା । ଆଗରୁ ତାକୁ ମୁଁ ଜାଣିନଥିଲି । ଆପଣଙ୍କ ଚାକର ବୋଲି ତାକୁ ଜାଣିଲି ।

କାନ୍ତରାଟିବାବୁ କହିଲେ, ବଳିଆ ମୋର ବାହାରଟା ଦେଖିଛି । ମୋ ମନ ସଙ୍ଗେ ତାର ଚିହ୍ନା ପରିଚୟ ନାହିଁ । ତେଣୁ, ମତେ ସେ ସନ୍ଦେହ କରେ । ସତେ କି ମୁଁ.....

ତୁନି ହୋଇଗଲେ । ସେ ଯାହା କହିଥାନ୍ତେ ମୁଁ ବୁଝିଲି । ଲାଜରା ହେଲି ।

ପୁଣି କହିଲେ– ଆଚ୍ଛା, ବଳିଆକୁ ପଚାରିବୁ, ଅନେକ ଦିନ ହେଲା ତ ଛାଇ ପରି ମୋ ପାଖେ ପାଖେ ଅଛି, ମୋର କେଉଁ ଖରାପ ଢଙ୍ଗ ସେ କେବେ ଦେଖିଛି ? ତା ନିଜ ସ୍ୱଭାବର ରୂପ ସେ ପରଠାରେ ଦେଖେ । ତାର ଏଇ ବଦ୍‌ଖୋଇକୁ ମୁଁ ତାକୁ ମଦ ଖୁଆଇ ବୁଡ଼ାଇରଖେ । ନଇଲେ କେବେଠୁଁ ସେ ଜେଲ ଯାଆନ୍ତାଣି । ବୁଝିଲୁ ?

ମନକୁ ମନ କହିଲି, ବଳିଆ ଏଡ଼େ ଖରାପ ?

ବଳିଆ ଖରାପ ନୁହେଁ, ମଣିଷ ପ୍ରକୃତି ଖରାପ । ଭଲ ବାଟ ପାଇଲେ ମଣିଷ ସେଥିରେ ଚାଲେ । ଖରାପ ବାଟ ଦେଖିଲେ ମଧ୍ୟ ସେ ସେଥିକି ଡେଇଁ ପଡ଼େ । ତୋତେ ଦେଖିଲେ କାହିଁକି ମୁଁ ତୋ ଆଡ଼କୁ ଅନାଏଁ, ହସେ, ପୁଣି ମନଦୁଃଖରେ ମୁହଁ ଫେରାଇ ଚାଲିଯାଏଁ ? ତାର କଅଣ କାରଣ ନାହିଁ ତୁଳସୀ ?

ଆଖି ଛଳ ଛଳ କରି ମୋ ଆଡ଼କୁ ଅନାଇଲେ । ମୁଁ କାବା ହୋଇ ଥିର ଆଖିରେ ତାଙ୍କ ଆଡ଼କୁ ଚାହିଁ ରହିଲି ।

କହିଲେ, ଜୀବନରେ ଯାହାକୁ ମୁଁ ଭଲପାଇଥିଲି, ଯାହା ପାଇଁ ମୁଁ ମୋର ସର୍ବସ୍ୱ ଦେଇପାରିଥାନ୍ତି, ସେ ଆଜି ଜୀବନରେ ନାହିଁ । ଦୁଇବର୍ଷ ତଳେ, ଯେତେବେଳେ ମୁଁ ଧନ ଅର୍ଜନ କରିବାକୁ ବ୍ୟସ୍ତ, ସେ ମୋତେ ଛାଡ଼ି, ସଂସାର ଛାଡ଼ି ଚାଲିଗଲେ । ତାଙ୍କର ଖଣ୍ଡିଏ ଫଟୋ ମୋର ସମ୍ବଳ । ଯେଉଁ ଦିନ ମୁଁ ତତେ ପ୍ରଥମେ ଦେଖିଲି, ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲି । ଦୁଇଟା ରୂପ ଭଗବାନ୍ ଏକାପରି ଗଢ଼ିନଥାନ୍ତି ବୋଲି ମୋର ଧାରଣା ଥିଲା; କିନ୍ତୁ ତୋତେ ଦେଖି ମୋର ସେ ଧାରଣା ବଦଳିଗଲା । ତୁ ଅବିକଳ ତାଙ୍କରି ପରି !

ଏତିକି କହି ସେ ମୋ ପାଖରୁ ଉଠିଗଲେ ଆର ଘରକୁ । ମୁଁ ସେମିତି ସେଠି ଠିଆହୋଇ ରହିଥାଏଁ । କେତେବେଳକେ ଆର ଘରୁ ଡାକିଲେ, ଦେଖି ଯା ।

ମୋର ଗୋଡ଼ ଚଳୁନଥାଏ, ଡର ଡର ମାଡ଼ୁଥାଏ । ଡାକୁଛନ୍ତି ତ ନଯିବି କିପରି, ଗଲେ ବା କ୍ଷତି କଅଣ ? କାନ୍ତରାଟି ବାବୁଙ୍କର ସ୍ୱଭାବ ଯେଡ଼େ ଖରାପ ବୋଲି ଶୁଣିଥିଲି, ତାର କାଣିଚାଏ ମୁଁ ଦେଖିଲି ନାହିଁ । ଧୀରେ ଧୀରେ ଆର ଘର ଦ୍ୱାରବନ୍ଧ ପାଖକୁ ଗଲି । ଚାହିଁଲି, ବଡ଼ କୋଠରୀ ତଳେ ଗାଲିଚା ପରା ହୋଇଛି । ଝରକା ଗୁଡ଼ିକରେ ରଙ୍ଗୀନ ପରଦା ଝୁଲୁଛି । ଘରର ଚାରିକୋଣରେ ଛୋଟ ଛୋଟ ଟେବୁଲ ଉପରେ ଫୁଲଦାନୀ । ଉପରେ ଝୁଲୁଛି ପଙ୍ଖା । ଘର ମଝିରେ କାରୁକାର୍ଯ୍ୟକରା ପଲଙ୍କ । ତା ଉପରେ ହାତେ ବହଳର ଗଦି । କାନ୍ଥ ଉପରେ କେତେ ଛବି ଟଙ୍ଗାହୋଇଛି । କାନ୍ଥ କଡ଼କୁ ରଖାହୋଇଛି ବଡ଼ ଆଲମାରୀ । ଗୋଟିଏ ପାଖରେ ଟେବୁଲ ଉପରେ ଆଇନାଟିଏ ଝୁଲୁଛି ।

କାନ୍ତରାଟିବାବୁ ଆଇନା ପାଖ ଆଲମାରୀ ଖୋଲି ଠିଆହୋଇଛନ୍ତି । ହାତରେ ଛବି ପରି ଖଣ୍ଡେ କଅଣ ଧରିଛନ୍ତି । ମୋତେ ଦେଖି କହିଲେ, ଯାହାଙ୍କ କଥା କହୁଥିଲି, ଏଇ ତାଙ୍କର ଛବି, ଦେଖିବୁ ଆ । ଏଇ ଆଇନା ଆଗରେ ଠିଆହୋଇ ନିଜର ରୂପ ସଙ୍ଗେ ତାଙ୍କର ରୂପଟି ମିଳାଇ ଦେଖ୍ ।

କହୁ କହୁ ରୁମାଲରେ ଆଖି ପୋଛିଲେ ।

ତାଙ୍କର କଥା ଶୁଣି, ଢଙ୍ଗ ଦେଖି ତାଙ୍କ ଉପରୁ ମୋର ସନ୍ଦେହ ଦୂର ହୋଇଗଲା । ଅସନା ଗୋଡ଼ ଓ ମଇଳା ଭେକ ନେଇ ଘର ଭିତରକୁ ଯିବାକୁ ମନ ହେଲା ନାହିଁ । ତାଙ୍କର ଦୁଃଖରେ ମନ ନରମିଆସିଲା । ଭାବୁଥିଲି, ଯାହାକୁ ଜୀବନରେ ସେ ଥରେ ଭଲ ପାଇଥିଲେ, ତାକୁ ହରାଇ ତା ପାଇଁ ଝୁରିହେଉଛନ୍ତି । ଯାହାଠାରେ ତା ରୂପର ଢାଞ୍ଚା ଦେଖିଲେ ତା ଆଡ଼କୁ ଚାହିଁବା କି ଚାହିଁ ହସିବାରେ ଦୋଷ ନାହିଁ । ପ୍ରାଣ ଯାହାକୁ ଚାହେଁ, ମନ ଯାହାକୁ ଚିହ୍ନେ, ଝୁରିହୁଏ । ତା ପରି ଆଉ କାହାକୁ ଦେଖିଲେ ଆଖି ଆପେ ଆପେ ଟାଣିହୋଇଯାଏ ।

କାହିଁକି ଆଜି ସୁରଙ୍କ ଆଡ଼କୁ ମନ ଟାଣି ଓଟାରି ହେଉଛି ?

ରାମଲକ୍ଷ୍ମଣ ପରି ଦୁଇଭାଇ । କିଏ ବଡ଼, କିଏ ସାନ ଜାଣିହୁଏ ନାହିଁ । ଏକା ରୂପ, ଏକା ଢଙ୍ଗ । ଯେଉଁ ଦେହଟିକୁ ଯେଉଁ ରୂପକୁ ମୋର ଜୀବନସର୍ବସ୍ୱ କରି ଭଲପାଇଥିଲି, ସୁର ତାରି ଛାଞ୍ଚରେ ଗଢ଼ା । ଯେତେ ସନ୍ଦେହ କଲେ ସୁଦ୍ଧା ଯେତେ ହତାଦର କଲେ, ଆଣ୍ଟ ତ ରହିଲା ନାହିଁ । ଯେତେ ଝଗଡ଼ିଆସିଲି, ମନଗହନର କେଉଁ ଅଜଣା ଅନ୍ଧାରୀ କୋଣରେ ସେହି ଦେହ, ସେହି ରୂପ ଆଡ଼କୁ ଛଟପଟ ଆଶା ଧାଇଁଯାଇଥିଲା ।

ସମଦୁଃଖୀ ଏଇ କାନ୍ତରାଟି ବାବୁଟି ! ଯାହାକୁ ସେ ଭଲ ପାଇଥିଲେ, ସେ ଆଜି ନାହିଁ । ତାଙ୍କ ଆଖିରେ ଯାହାର ରୂପଟି ପୁରୁଣା ଓ ପରିଚିତ, ପର ମଣିଷଠାରେ ତାର କାଣିଚାଏ ଦେଖିଲେ ନୂଆ ପରି ଲାଗେ, ଆଖି ଟାଣିହୋଇଯାଏ ।

କାନ୍ତରାଟିବାବୁ କହିଲେ ଛବିଟି ଦେଖିବୁ ନାହିଁ ? ହଉ, ନଦେଖ୍ ।

ଫଟୋ ଖଣ୍ଡି ଆଲମାରୀ ଭିତରେ ରଖିଦେଲେ । ଛଳ ଛଳ ଆଖି କରି ଏ ଘରକୁ ଆସୁ ଆସୁ କହିଲେ, ବରଂ ନଦେଖିବା ଭଲ । ପର ଦୁଃଖରେ ଭାଗୀ ହେବାକୁ ବାହାର ଲୋକଙ୍କର ମନ ତଟିବ ନାହିଁ । ନ ତଟୁ, କହିବା ଲୋକର ଦୁଃଖ ତ ଲାଘବ ହେବ !

ମୁଁ ଦ୍ୱାରମୁହଁରୁ ଆଡ଼େଇଗଲି । ସେ ଟେବୁଲ ପାଖକୁ ଆସିଲେ । ମୋ ଆଡ଼କୁ ଫେରି ଚାହିଁ କହିଲେ, ଅନୁରୋଧଟିଏ ଅଛି, ରଖିବୁ ?

ଉତ୍ତର ଦେଲି ନାହିଁ । ସେ ପୁଣି କହିଲେ, ମୋର ଏଇ ଅନୁରୋଧ ଯେ ତୁ ଆଉ ଏଠିକି ଆସିବୁ ନାହିଁ । ତୋତେ ଦେଖିଲେ ତାଙ୍କର ରୂପ ଗୁଣ ମନେପଡ଼େ, ଦୁଃଖ ହୁଏ ।

ସହଜ କଥା, ଭଲ କଥା । ଆସିବାକୁ କାହାର ଗରଜ ପଡ଼ିଛି । କିଛି ଜବାବ ନଦେଇ ତାଙ୍କ ପାଖରୁ ଗଲି । ଟେବୁଲ ଉପରେ ଟଙ୍କା ରଖିଲି । ଦୀର୍ଘଶ୍ୱାସ ଛାଡ଼ି କହିଲି– ହେଉ, ବାକୀ ଟଙ୍କା କାହା ହାତରେ ପଠାଇଦେବି ।

ଟଙ୍କା ତୁ ନେଇଯା, ତୋ ମା’ର ଦେହ ଭଲ ହୋଇଗଲେ ସୁବିଧା ଦେଖି ଯେବେହେଲେ ଟଙ୍କା ପଠାଇଦେବୁ । ପଠାଇ ନପାରିଲେ ବି ମୋ ମନରେ ଦୁଃଖ ହେବ ନାହିଁ ।

ପ୍ରତିବାଦ କଲି । ସେ ଶୁଣିଲେ ନାହିଁ । ଜିଦ୍ କରି ଟେବୁଲ ଉପରୁ ମୋ ରଖିଥିବା ଟଙ୍କା ଉଠାଇଲେ । ମୋର ହାତ ଧରି ଟଙ୍କାତକ ହାତରେ ଗୁଞ୍ଜି ଦେଲେ । କହିଲେ, ତୋ ବୁଢ଼ୀମାର ଜୀବନ ରଖିବାକୁ, ଚିକିତ୍ସା ଓ ପଥି ଲୋଡ଼ା । ସେଥିପାଇଁ ଧନ ଦରକାର । ତାରି ପାଇଁ ମନ ଖୁସିରେ ମୁଁ ଦେଉଛି । ନେବୁ ନାହିଁ ?

ତାଙ୍କର ଦୁଇ ଆଖିରେ ସହାନୁଭୂତି ଭରିରହିଥିଲା । ଅନୁରୋଧରେ ସତେ କି ଆଦେଶ ପୂରିରହିଥିଲା । ମୁହଁକୁ ଅନାଇ ମୁଁ ନାହିଁ କରିପାରିଲି ନାହିଁ । କହିଲି, ହଉ ।

ସେ ମୋ ହାତ ଛାଡ଼ିଲେ ନାହିଁ । ପୂର୍ବ ପରି ଧରି କହିଲେ, ତୋତେ ଆସିବାକୁ ମନାକଲି ବୋଲି ମନରେ ଦୁଃଖ କଲୁକି ତୁଳସୀ ?

ହାତ ଟାଣି ନେଇ କହିଲି, ଆପଣଙ୍କର ଦୁଃଖୀ ଦରିଦ୍ରଙ୍କ ଉପରେ ଭାରି ଦୟା ସାଆନ୍ତେ, ନିଜ ଦୁଃଖ ପାଇଁ ଆପଣଙ୍କୁ ବିରକ୍ତ କରିବାକୁ ଆଉ କେବେ ଆସିବି ନାହିଁ ।

କହିଲେ, ସତେ ?

ମୁଁ ଟିକେ ଦୂରେଇ ଠିଆହୋଇଥିଲି । ସେ ପୁଣି ମୋ ପାଖକୁ ଘୁଞ୍ଚିଆସି କହିଲେ– ଶୁଣ୍, ପର ଉପରେ ଅଭିମାନ କରି ନିର୍ବୋଧ ଲୋକ ବିପଦକୁ ନିଜ ଉପରକୁ ଟାଣିଆଣେ । ତୁ ନିର୍ବୋଧ ନୋହୁଁ । ଯଦି କେବେ ବିପଦ ଆସେ, ଅଭାବ ପଡ଼େ, କିଏ କଅଣ କହିବ ସେଥିକି କାନ ନଦେଇ ବିରକ୍ତ କରିବାକୁ ତୁ ଆସିବୁ । ତୋରି ପରି ଦୁଃଖୀ ରଙ୍କୀଙ୍କ ପାଇଁ, ମୋର ଦୁର୍ବଳ ମନ ନଇଁଆସେ । ଜାଣୁ ତ, ମୋର କେହି ନାହିଁ । ଆଉ ଶୁଣ୍, ନିଜେ ଭଲ ତ ଦୁନିଆ ଭଲ ।

ଟିକିଏ ରହି ମୋର ଦୁଇହାତ ଧରି କହିଲେ – କହ, ଆସିବୁ ?

କହି ପକାଇଲି, ଦରକାର ହେଲେ ଆସିବି ।

ହାତ ଟାଣି ଆଣି ତରତର ହୋଇ ପଦାକୁ ଆସିଲି ।

ବାରଣ୍ଡାରେ ପଡ଼ିଥିବା ଟୁଲ୍‌ ଉପରେ ବଳିଆ ବସିଛି । ଆଖି ରଙ୍ଗ ଦିଶୁଛି । ହାତରେ ଧରିଛି ଠେଙ୍ଗା । ମୋ ଆଡ଼କୁ କଟମଟ କରି ଚାହିଁଲା । ତାର ଫୁଲିଲା ଆଖି, ଫୁଲିଲା ନାକକୁ ଦେଖି ଛାତିରେ ଛନକା ପଶିଲା । କିପରି ଯନ୍ତ୍ରଣା ଅନୁଭବ କଲି । ନିଜକୁ ଅପରାଧୀ ମଣିଲି । ମନେ ହେଲା, କ’ଣ ଭୁଲଟାଏ କରିପକାଇଛି ।

ପଛକୁ ନଚାହିଁ ଟୋକେଇ ଧରି ଏକମୁହାଁ ହୋଇ ଚାଲିଆସିଲି । ଗୋଡ଼ ଥରୁଥାଏ, ଛାତି କମ୍ପୁଥାଏ, ସାରା ସଂସାର ଆଖି ଆଗରେ ଭ୍ରମୁଥାଏ ।

•••

 

୨୬

 

ଏକମୁହାଁ ହୋଇ ଖଣ୍ଡେଦୂର ଚାଲିଆସିଲି । ବାଟକଡ଼ କଦମ୍ବ ଗଛତଳେ ଥକ୍‌କା ହୋଇ ଠିଆହେଲି । ସୂର୍ଯ୍ୟ ଅସ୍ତ ହୋଇନଥାନ୍ତି । ଖରା ତେଜ ମଉଳିଲାଣି । ଏଣେ ତେଣେ ଚାହିଁଲି । ନିକଟରେ କେହି ନଥାନ୍ତି । ହାତମୁଠା ଖୋଲି କାନ୍ତରାଟିବାବୁ ଦେଇଥିବା ନୋଟ୍‌ ଓ ଟଙ୍କାକୁ ଦେଖିଲି । ଛାତିରେ ଅଜଣା ଡରର ଧକ୍‌କା ଲାଗିଲା । ଅଭାବଗ୍ରସ୍ତ ନିରାଶ୍ରୟ ଲୋକ ଧନ ଆଡ଼କୁ ଟାଣିହୋଇଯାଏ । ମନ ଝଗଡ଼ିଉଠିଲେ ମଧ୍ୟ ଧନବନ୍ତର ପ୍ରଭାବ ଜାଲରେ ନଥିଲା ଲୋକ ଜାଣି ଜାଣି ଛନ୍ଦିହୁଏ । ତେଣିକି ଆଉ ଚାରା ରହେ ନାହିଁ । ଯେଣିକି ଟାଣିଲେ ତେଣିକି ଓଟାରିହୋଇ ଯାଏ ।

ବଳିଆ ଠିକ୍‌ କହିଥିଲା । ତା ଧନର ମୋହ କାଟି ଆସିବା ସହଜ ନୁହେଁ । କିନ୍ତୁ, କାନ୍ତରାଟିବାବୁ ତ ଖରାପ ଲୋକ ନୁହନ୍ତି ! ସେ ଆଜି ମୋ ଆଗରେ ମନ ଖୋଲି ଯାହା କହିଲେ, ହୁଏ ତ ବଳିଆ ସେ ସବୁ କିଛି ଜାଣେ ନାହିଁ। କାନ୍ତରାଟିବାବୁ ମନ ଖୋଲି ତାଙ୍କ ଜୀବନର ଭଲ ମନ୍ଦ କଥା ମୋ ଆଗରେ କି ଉଦ୍ଦେଶ୍ୟରେ କହିଲେ ? ଯାହାର ସ୍ମୃତିକୁ ମନରେ ଘେନି ସେ ସମୟ କଟାଇବାକୁ ଚାହାଁନ୍ତି, ତାର ନିର୍ଜୀବ ଫଟୋଖଣ୍ଡି ଜୀବନର ସର୍ବସ୍ୱ କରି ରଖିଛନ୍ତି । ହୁଏତ ମୋ ସଙ୍ଗେ ତାର ଚେହେରା ମିଳେ । ତା ଠାରୁ ସେ ଯାହା ପାଇଥିଲେ, କି ପାଇବାର ଆଶା କରିଥିଲେ, ମୋଠାରୁ କଅଣ ସେ ସେଇଆ ପାଇବାକୁ ଆଶା କରନ୍ତି ?

ମୁଣ୍ଡ ବୁଲାଇଲା । ଦୂରକୁ ଆସି ଘଟିଥିବା ଘଟଣାର ଛବି ମନେପକାଇ ମନର ଆଖିରେ ଦେଖିଲେ କିପରି ଅଲଗା ଭାବ ମନକୁ ଆସେ । ଏକାଥରେ ଅପରିଚିତ ନହେଲେ ବି ମୋ ସଙ୍ଗେ ତାଙ୍କର ଜଣାଶୁଣା ବେଶି ଦିନର ନୁହେଁ । ହାଟର ଶହ ଶହ ହାଟୋଇଙ୍କ ଭିତରୁ ମୁଁ ଜଣେ । ହଜାର ହଜାର ଗରାଖଙ୍କ ଭିତରୁ କାନ୍ତରାଟିବାବୁ ଜଣେ । ଏତିକି ଆମର ସମ୍ପର୍କ । କେଉଁ ସାହାସରେ, କେଉଁ ଆଶାରେ, ମୋର ହାତ ସେ ଧରିଲେ ? କି ମୋହରେ ମୁଁ ବାଧା ଦେଇପାରିଲି ନାହିଁ, ପଛକୁ ଘୁଞ୍ଚି ଆସିପାରିଲି ନାହିଁ ?

ଲାଜ ମାଡ଼ିଲା । ପର ଲୋକ, ତଥାପି ମୋ ପ୍ରତି ତାଙ୍କର, ତାଙ୍କ ପ୍ରତି ମୋର ସହାନୁଭୂତି ଦୁହିଁଙ୍କର ସଙ୍କୋଚକୁ ଆଡ଼େଇ ଏକାଠି ମିଶି ଏକାକାର ହୋଇଯାଇଥିଲା ପରା ! ସମଦୁଃଖ ତ ଆଗ ଦୁଇଟି ମନକୁ ମିଳାଇଦିଏ, ତା ପରେ କଅଣ ଘଟେ ?

ଭାବିପାରିଲି ନାହିଁ, ଭାବିବାକୁ ଡର ମାଡ଼ିଲା, ତା ପରର କଥା । ପିଲାଦିନୁଁ ଦେଖାଶୁଣା ଚିହ୍ନା ପରିଚୟ, ଏକାଠି ଖେଳ କୈାତୁକ ଥିଲା ତ ଟିମବାବୁଙ୍କ ସଙ୍ଗରେ । ସେ ବିବାହିତ । ଅବେଳାରେ ଅଭାବରେ ଟିକିଏ ଦୟା, ଟିକିଏ ସହାନୁଭୂତି ସେ ଦେଖାଇଥିଲେ । ସଞ୍ଜ ଆଗର ମୁହଁ ଅନ୍ଧାରରେ ନିରୋଳା ବଗିଚା ଘରେ ଟିମ ଭାଇର ଛାତି ଉପରକୁ ପିଲାର ଜନନୀ ଓ ବିଧବା ଯୁବତୀର ମୁଣ୍ଡ ଆଉଜି ଥିଲା । ଦେହରେ ମନରେ ମିଶି, ଏକାକାର ହେବାର ଉତ୍ତେଜନା, ନାଗସାପ ଦଂଶିଲା ବିଷପରି ଆଖି ପିଞ୍ଛଡ଼ାକେ ଚହଟିଯାଇଥିଲା । ପୁରୁଷ ଦେହର ପରଶ ଅଜାଣତରେ ମନରେ କାଉଁରୀ ପରଶର ମୋହ ଆଣିଥିଲା । ଆତ୍ମା ଚାହିଁଲା ସର୍ଜନା । ସେଥି ପାଇଁ ପରା ଉଲୁସା ଦେହ ମିଳନ ପାଇଁ ଘାରି ହୋଇଥିଲା, ଉଛୁଳା ଯୈାବନ ସାଥୀ ଖୋଜିଥିଲା ।

ନିଜର ଦୁର୍ବଳତା ଦେଖି ନିଜ ଉପରେ ଘୃଣା ଆସିଲା । ଇଚ୍ଛା ହେଲା କାନ୍ତରାଟିବାବୁ ଦେଇଥିବା ଦଶଟଙ୍କାର ନୋଟଖଣ୍ଡ ଟିକି ଟିକି କରି ଚିରିପକାଇବି । ମନ ହେଲା ନାହିଁ ପୁଣି । ତାଙ୍କର ଦୋଷ ଥାଉ କି ନଥାଉ ମୋର ଦୋଷ ଅଳପ ନୁହେଁ । ନୋଟଖଣ୍ଡି କାନିରେ ବାନ୍ଧିଲି । ମନରେ ଗୋଟିଏ ଭାବ ଆସିଲା, ଅଭିମାନ କରିବି କାହା ଉପରେ ? ମୋର ଅଭିମାନ, ରାଗରୋଷରେ ଆଉ କାହାରି ଲାଭକ୍ଷତି ନାହିଁ । ରାତି ପାହିଲେ ମୁଁ ମୋର ପୁରୁଣା ସଂସାରକୁ ନୂଆ କରି ଗଢ଼ିବାକୁ ଯିବି ।

ସୁର ମୋ ବାଟକୁ ଚାହିଁରହିଛନ୍ତି । ତା ପରେ କାନ୍ତରାଟିବାବୁ କି ବଳିଆଙ୍କ ସଙ୍ଗେ ମୋର ଆଉ ଦେଖା ହେବ ନାହିଁ । ତାଙ୍କର ଭାବନା ଓ ଭଲପଣିଆ ନେଇ ସେମାନେ ରହନ୍ତୁ ।

ଆଗକୁ ଚାଲିଲି ।

ଛବିର ଘର ପାଖେଇଆସିଲା । ଅନେକ ଦିନରୁ ଦେଖାହୋଇନାହିଁ । ମନର କେଉଁ ଅଜଣା ଅନ୍ଧାରି କୋଣରେ ଈର୍ଷାନିଆଁ ଜଳିଉଠିଲା । ଛବି ଯୁବତୀ, ସୁନ୍ଦରୀ ! ଆଉ କେହି ନଜାଣୁ, ଭାବନାରେ କେତେଥର ସୁର ହାତରେ ତା ହାତ ଛନ୍ଦିଛି। ଆଶା ଆଖିରେ ଦୁହିଁଙ୍କର ପ୍ରେମ, ଖେଳ, କୈାତୁକ ଦେଖିଛି । ନିଜକୁ ଭୁଲିଛି । ହଜାଇଦେଇଛି ଦୁହିଁଙ୍କର ଆନନ୍ଦ ଭିତରେ ।

ସୁର – ଯାହାଙ୍କୁ ମୁଁ ଭଲ ପାଏଁ – ହୁଏ ତ ମୋ ଅଜାଣତରେ ଭଲପାଇଆସିଥିଲି ପ୍ରଥମ ସାକ୍ଷାତ୍‌ ଦିନରୁ । ଚାରୋଟି ଆଖି ମିଶି ଏକାକାର ହୋଇଥିଲା । ଆତ୍ମା ଆଡ଼କୁ ଆତ୍ମା ଟାଣିହୋଇଥିଲା । ସମାଜ ନିୟମ ସୁରଙ୍କୁ ମୋ ମନ ପାଖରୁ ଦୂରେଇଦେଇଥିଲା । ତାଙ୍କର ଭାଇ ସଂସାର ଛାଡ଼ି ଚାଲିଗଲେ । ମିଛ ଦୁର୍ନାମ ରଟିଲା । ତାଙ୍କ ପାଖରେ ମୁହାଁମୁହିଁ ଠିଆହେବାର ସାହସ ମୋର ରହିଲା ନାହିଁ । ସହସ୍ର ଆଖି ପଡ଼ିଲା ଉଭୟଙ୍କ ଉପରେ । ତୁଣ୍ଡବାଇଦର ଦାଉରେ ଭୟ ଓ ସଂକୋଚରେ ବାଧ୍ୟ ହୋଇ ତାଙ୍କ ପାଖରୁ ଦୂରେଇଆସିଲି ।

ଭାବନାରେ ତାଙ୍କରି ହାତରେ ଛବିକୁ ସମର୍ପଣ କଲି । ତାଙ୍କରି ଆନନ୍ଦରେ ନିଜକୁ ହଜାଇଦେଇ ଅଜଣା ଆନନ୍ଦ ଅନୁଭବ କରିଥିଲି । ମୋର ସେହି ଆନନ୍ଦ, ସୁରଙ୍କ ପ୍ରତି ମୋର ଆକର୍ଷଣ ।

ସୁରଙ୍କୁ ସ୍ୱାମୀରୂପେ ପାଇବାକୁ ଆଜି ପ୍ରବଳ ଇଚ୍ଛା ତେଜିଉଠିଛି । ଆଜି ମୋତେ ଯେପରି ମୋରି ମନରେ କିଏ କହିଦେଉଛି – ଆକର୍ଷଣ ଚିରଦିନ ଥିଲା । ନିଜ ପାଖରେ ନିଜକୁ ମୁଁ ଲୁଚାଉନାହିଁ । ଆମ ଦୁହିଁଙ୍କର ସମ୍ପର୍କ ପାଖରୁ ଛବି ଆଜି ବହୁତ ଦୂରରେ ।

ଛବି ଭଲ ପିଲା । ତାକୁ ମୁଁ ଭଲପାଏଁ, ତାକୁ ଥରେ ଦେଖିବାକୁ ନଯିବି କାହିଁକି ?

ଗଲି ।

ମୋ ପ୍ରତି ଛବିର ବ୍ୟବହାର ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ସବୁଦିନ ପରି ସେଦିନ ଆଦରର ଅଭାବ ନଥିଲା, କିନ୍ତୁ ତାର ଚାଲିଚଳଣରେ ଯେପରି ନୂଆ ଆଗ୍ରହ ଥିଲା । ଅସଂଯତ ଅସାବଧାନ କେଶବାସ, ଓଠପୂରା ହସ । କଥା କଥାକରେ ଅଭିମାନ, ଛଳ, ପୁଣି ସଙ୍ଗେ ସଙ୍ଗେ ହସଖୁସି । ମୋ ହାତରେ ଶାଗ ଖରଡ଼ାଇଲା । ପାଖରେ ବସି ଚୂଲି ଜାଳିଦେଲା । ଏଣୁତେଣୁ ପଚାରୁଥାଏ, କହୁଥାଏ, ମନକୁ ମନ ହସୁଥାଏ । ଓଟରା ଘୋଷରା କରି ମୋ ମୁଣ୍ଡ ବାନ୍ଧିଦେଲା । ମୁଁ ମଧ୍ୟ ତା ମୁଣ୍ଡ ବାନ୍ଧିଦେଲି । ଖଣ୍ଡେ କଂସାରେ ପଖାଳ ବାଢ଼ିଦେଲା । ଯେତେ ମନାକଲେ ମାନିଲା ନାହିଁ। ଦୁହେଁ ଖାଇବସିଲୁ । ମତେ ଲାଜ ମାଡ଼ୁଥାଏ ।

କହିଲା, ତୁଳସୀ ଅପା, ତମେ ବଡ଼ କପଟୀ । ଏଇବାଟେ ଯା ଆସ କରୁଛ, ମତେ ଟିକେ ଦେଖିଯିବାକୁ ମନ ହୁଏ ନାହିଁ ?

ଅନେକ ଦିନ ଆସିନଥିଲି, ମୋ ବୋଉର ଦେହ ଭଲ ନଥିଲା ।

ଏବେ ଭଲ ହେଲାଣି ତ ?

ହଁ, ଅତି ଦୁର୍ବଳ ହୋଇଛି । କାମକୁ ପାରୁନାହିଁ ।

ଗୋଟିଏ କଥା ପଚାରିବି, ରାଗିବ ନାହିଁ ?

ଅପା ବୋଲି ଡାକୁଛୁ, ମୋ ଉପରେ ତୋର ଅଧିକାର, ତୋ କଥାରେ ରାଗିବି କାହିଁକି-?

ତମକୁ ଅପା ଡାକିବାକୁ ମନ ହେଉନାହିଁ, ଆଉ କଅଣ ଡାକିବାକୁ ମନ ହେଉଛି ।

କଅଣ ଡାକିବାକୁ ମନ ହେଉଛି ଡାକୁନୁ ?

କଥାକୁ ବାଁରେଇଦେଇ କହିଲା– ନାଇଁମ, ଆଉ ଗୋଟାଏ କଥା ମୁଁ ଭାବୁଥିଲି । ଆଚ୍ଛା ତୁଳସୀ ଅପା, ତମ ବୋଉ ଯେଉଁଦିନ ଆଖି ବୁଜିବେ ତେମେ କଅଣ କରିବ ? ପିଲାଟାକୁ ନେଇ କେଉଁଠି ଆଶ୍ରା ଖୋଜିବ ? ତେମେ ସେଦିନ କହୁଥିଲ, ବୋଉ ଗଲାପରେ ଘରଟା ଆଉ କିଏ ଅଧିକାର କରିନେବେ । ଆଉ, ତମେ ତ ତମର ସେ ଦିଅର ଘରକୁ ଯିବ ନାହିଁ କହୁଥିଲ । ସେ କୁଆଡ଼େ ମନୁଆ ବାପାଙ୍କୁ କପଟରେ ମାରିଛି ।

ମୁଁ କାବା ହୋଇ ରହିଲି । ତୁଣ୍ଡରେ କଥା ବାହାରିଲା ନାହିଁ ।

ମତେ ତୁନି ଦେଖି ସେ ପୁଣି କହିଲା, ଭାଇ ହୋଇ ଭାଇକୁ ମାରିବାକୁ କେମିତି ତାର ହାତ ଗଲା, ମନ ବଳିଲା ? ଛାତିରେ ଚଡ଼କ ପଡ଼ିଲା ନାହିଁ ? ମୋ ଭାଇର ମୁହଁ ଟିକିଏ ମଉଳା ଦେଖିଲେ ମୋ ପ୍ରାଣ ଛାଡ଼ିଲା ପରି ଲାଗେ । ମୋ ଦେହରେ ମାଟି ଟିକେ ଲାଗିଥିଲେ, ଭାଇ ତାକୁ ନ ପୋଛିବା ଯାଏ ପଚାରି ହେଉଥାଏ– ସେଠି କଅଣ ଲାଗିଛି ଲୋ ଛବି ? ନିଜ ହାତରେ ପୋଛିନଦେବା ଯାଏ ତର ସହେ ନାହିଁ ।

ଦିନେ ରାମିବୋଉ ଖୁଡ଼ୀ କାହାକୁ କହୁଥିଲା, ଛବିଟା ଏଡ଼େ ଝିଅ ହେଲାଣି, ତାକୁ ଭେଣ୍ଡା ଭାଇଟା ଗେଲ କରୁଛି । ମୁଁ କହିଲି ଭାଇକି ।

ତା ଆଖିରୁ ଲୁହ ଗଡ଼ିଲା । ସେ କହିଲା, ତୁ କେଡ଼େ ବଡ଼ଟାଏ ହେଲୁଣି, ଆଇଲୁ, ଆଇଲୁ ।

କତିକି ଗଲି ।

ମତେ ଗେଲ କରି କହିଲା, କହିବୁ ରାମି ବୋଉକୁ, ଭାଇ କହିଲା– ମୁଁ ଯେଡ଼େ ବଡ଼ ହେଲେ, ମୋ ଭାଇ ମୋଠୁ ଆହୁରି ବଡ଼ । କହିବୁ, ଗଛ ଯେତେ ବଢ଼ିଲେ, ଆକାଶ ତଳେ ରହେ ।

ସତେ ଲୋ ତୁଳସୀ ଅପା - ମୋ ଭାଇ ମତେ କେଡ଼େ ଭଲ ପାଏ । ତମ ଦିଅର ସୁରର କେମିତି ମନ ହେଲା ।

ଭାବିଥିଲି, ଛବିଟା କିଛି ଜାଣେ ନାହିଁ ଦୁନିଆ କଥା । ଭୁଲ ବୁଝିଥିଲି । ମଣିଷ ପିଲା ବଡ଼ ହୁଏ, ସବୁ ଶିଖେ, ସବୁ ଜାଣେ, ବାପ ପୁଣି ଦିନେ ପୁଅର ଚେଲା ହୁଏ, କଥାମାନି ଚଳେ, ନାଲିଆଖି ଦେଖେ – ଯେଉଁ ପୁଅକୁ କୋଳ କରି ସେ ବାପ ଡାକ ଶିଖାଇ ଥିଲା ।

କହିଲି– ଆଲୋ ଛବି, ଭାଇ ଭାଇ ଆଉ ଭାଇ ଭଉଣୀ ଭିତରେ ସେତିକି ତଫାତ୍‌ । ଭାଇ ଭାଇକି ଭଲପାଏ ଯେତେବେଳ ଯାଏ କାହାରି ମନରେ ଆପଣାସାର୍ଥିକା ଭାବ ନଆସେ । ଭାଇ ଭଉଣୀର ସ୍ୱାର୍ଥ ଅଲଗା ଯେ !

ସୁରର ସ୍ୱାର୍ଥ କଅଣ ଥିଲା ?

ଦିନେ ତାକୁ ସେ କଥା କହିଥିଲି । ପୁଣି କାହିଁକି ପଚାରୁଛି ? କହିଲି, ତୁ ଭୁଲିଗଲୁଣି ?

ଭୁଲିନାହିଁ । ତୁମକୁ ବାହା ହେବାକୁ ସେ ଭାଇକି ମାଇଲା । ତମେ ତ ତାକୁ ବାହା ହେବ ନାହିଁ ବୋଲି ଘର ଛାଡ଼ି ଚାଲିଆସିଛ !

ସବୁ କଥା ଖୋଲି କହିବି ମନେକଲି । ପୁଣି ଭାବିଲି, କାହିଁକି ଏତେକଥା ବାରଲୋକଙ୍କ ଆଗରେ କହିବୁଲିବି ? ଦୁନିଆରେ ଯିଏ ଯାହାର ରାହା ଧରି ଚାଲିବ । କେହି କାହାର ପଛରେ ଗୋଡ଼ାଇଯିବେ ନାହିଁ ।

କହିଲି, ହଁ ।

ଖାଇସାରି ହାତ ଧୋଇଲୁ । ଭିତର ଘର ପିଣ୍ଡାରେ ବସି ଛବି ସଞ୍ଜ ବଳୁଥାଏ । ସଞ୍ଜବଳା ଶେଷ କରି ମୋ ହାତ ଧରି ଆର ଘରକୁ ନେଲା । ଖଣ୍ଡେ ପୁରୁଣା ସପ ପକାଇଲା । ଦିହେଁ ବସିଲୁ । ଡେରି ହେଉଛି ବୋଲି ଶୀଘ୍ର ଫେରିଯିବାକୁ ମନ ଛକପକ ହେଉଥାଏ । ମନେହେଉଥାଏ, ଛବି ଯେମିତି କଅଣ କହିବ କହିବ ହେଉଛି, କହିପାରୁନାହିଁ ।

ବାଁରେଇ ହୋଇ ଏଣୁ ତେଣୁ କଥା ପକାଇ ଛବି କହିଲା, ତୁଳସୀ ଅପା ଗୋଟିଏ କଥା ପଚାରିବି, ତୁ କିଛି ମନେକରିବୁ ନାହିଁ ? କେତେଦିନୁ ପଚାରିବି ପଚାରିବି ହେଉଛି ।

ପଚାରୁନୁ !

ଏ ଗାଁରେ ଭାଇ-ଭଉଣୀଙ୍କୁ କେହି ଦେଖିପାରନ୍ତି ନାହିଁ । ଆମେ ଗରିବ ମୂଲିଆ । ଭାଇ ଟିକେ ରାଗୀ ଲୋକ । କାହାରି କଥା ସହିପାରନ୍ତି ନାହିଁ । କିଏ ଅନ୍ୟାୟ ଅନାଚାର କଥା କହିଲ ନବାବ ପୁଅ ହେଲେ ବି ମୁହଁରେ ସେ ଜବାବ ଦିଅନ୍ତି । ସେଥିପାଇଁ ଯିଏ ଯେବେ ସମ୍ବନ୍ଧ ନେଇ ଆସେ, ଲୋକ ଭାଙ୍ଗନ୍ତି ।

ଦିନେ କହିଲି, ଭାଇ ମ, ମତେ ଘରେ ଏକୁଟିଆ ରହିବାକୁ ଡର ମାଡ଼ୁଛି । ମୋର ଯଦି ନୂଆଉ ଆସନ୍ତା, କେଡ଼େ ଖୁସିରେ ଆମେ ଚଳନ୍ତୁ ।

ଭାଇ କହିଲା, ଆଲୋ ତୁ ତ ଜାଣିବାର ପିଲା ହେଲୁଣି । ଆମେ ତ ଗରିବ, ଆମ ଘରକୁ କିଏ କାହିଁକି ଆସିବ ? ଲୋକେ ନାନା କଥା କହି ଭଙ୍ଗାଉଛନ୍ତି । ତତେ ପରଘରକୁ ନ ପଠାଇଲେ ଗାଁ ଲୋକଙ୍କ ମୁହଁ ଭାଙ୍ଗିପାରିବି ନାହିଁ ।

କାଲି ପୁଣି କହୁଥିଲେ– ଛବି ଲୋ, କେତେ ଦୂରରେ ଯାଇ ରହିବୁ, ତୋତେ ସେ ଦେଖିବାକୁ ଆସିବେ ।

କହୁ କହୁ ତା ମୁହଁ ନାଲି ହୋଇଗଲା । ଆଖି ଛଳ ଛଳ ହେଲା । କହିବାକୁ ଲାଗିଲା– ଭାଇକୁ କହିଲି, ସେ କଥା ଭୁଲିଯାଅ । ତମକୁ ଏକୁଟିଆ ଛାଡ଼ି ମୁଁ କୁଆଡ଼େ ଯିବିନାହିଁ ।

ସେ ଝୁଙ୍କି ମଣିଷ, ଯାହା ବୁଝିଥିବେ ସେଇଆ । ମତେ ପର ଘରେ ଥୋଇ ସେ ପାଗଳ ହୋଇଯିବେ । କହିଲୁ ଅପା, ମୁଁ କେମିତି ଭଲା ମଙ୍ଗିବି ?

ତା କଥାରେ ଜବାବ ଦେଇପାରିଲି ନାହିଁ । ଟିକିଏ ଭାବି ପଚାରିଲି, କେଉଁଠି ଠିକ୍‌ କରିଛନ୍ତି ?

ଲାଜ ଲାଜ ହୋଇ କହିଲା, ମୁଁ ଜାଣେ ନାହିଁ । ଭାଇ କିଛି କହନ୍ତି ନାହିଁ । ତୁମକୁ ଆଉ ଅପା ଡାକିବାକୁ ମନ ହେଉନାହିଁ । ତେମେ ଯଦି ଏ ଘରକୁ ଆସନ୍ତ, ମୁଁ କଅଣ ତମର ସେବା କରିପାରନ୍ତି ନାହିଁ, ମନୁଆ ଓ ବୁଢ଼ୀ ମା’ଙ୍କର ଯତ୍ନ ନେଇପାରନ୍ତି ନାହିଁ ?

ବିହ୍ୱଳ ହୋଇ ମୋ ମୁହଁକୁ ଚାହିଁରହିଲା । ମୋତେ ଛବି ଏତେ ଭଲପାଏ !

ମୋତେ ଗମ୍ଭୀର ଦେଖି ଆଖିରେ ତା’ର ଲୁହ ଭରିଗଲା । ହଠାତ୍ ମୋ ଗୋଡ଼ରେ ହାତ ଦେଇ ସେ କହିଉଠିଲା, ରାଗିଲ କି, କ୍ଷମାକର, ମନର କଥା କହିପକାଇଲି ।

ସ୍ନେହରେ ତାକୁ କୋଳ କରି ପଚାରିଲି– ଛବି, କେଉଁ କଥାକୁ ତୋ ଉପରେ ରାଗିବି ? ତୁ ମନର କଥା କହିଲୁ, କିନ୍ତୁ.....

ଭାଇ କଥା ପଚାରୁଛ ତେମେ ? ସେ ମୋ କଥାରୁ ବାହାରିଯିବ, ତାର ଏଡ଼େ ସାହସ ? ମୁଁ କଅଣ ପିଲା ହୋଇଛି ! ମୁଁ ଜାଣେ, ମୋ ଭାଇ ମୋ କଥାରେ ସମୁଦ୍ର ପହଁରିବ । କହ, ତମର ମନ କଅଣ ?

ତାର ଆଗ୍ରହ ଭାଙ୍ଗି ତା ମନରେ କଷ୍ଟ ଦେବାକୁ ମୋର ଇଚ୍ଛା ହେଲା ନାହିଁ । ଦୀର୍ଘଶ୍ୱାସ ଛାଡ଼ି କହିଲି, ଛବି, ଏତେ ବଡ଼ କଥାରେ ଜବାବ୍‌ କ’ଣ ଏମିତି ଦେଇହୁଏ ? ମତେ ଭାବିବାକୁ ସମୟ ଦେ । ମୁଁ ଭାବି ତୋ କଥାର ଜବାବ୍‌ ଦେବି ।

ଆଗ୍ରହରେ ପଚାରିଲା, କେବେ ?

ଜବାବ ଦେଲି, ଯେବେ ହେଲେ । ଏଡ଼େ ତର ତର କାହିଁକି ?

ସେ ମୁହଁ ଶୁଖାଇଲା ।

ମୁଁ ଭାବିଲି, ଛବି ସରଳ ପିଲାଟିଏ । ତଥାପି, ବୁଝିବାର ଜ୍ଞାନ ହେଲାଣି । ତାର ସରାଗ ଭାଙ୍ଗିହେବ ନାହିଁ କି ତା ଆଗରେ ମନ ଖୋଲି ସତ କଥାଟି କହିହେବ ନାହିଁ । ତା ଛଡ଼ା, ଛବିକି ସିନା ଦେଖିଛି, ତା ଭାଇ କି’ପ୍ରକାର, କି ଢଙ୍ଗର ଲୋକ ମୁଁ ଜାଣେ ନାହିଁ ।

ନିଜ ନିଜର ଭାବନାରେ ଆମେ ଦିହେଁ ବୁଡ଼ିରହିଲୁ ।

•••

 

୨୭

 

କିଏ ବାହାର କବାଟ ଖଡ଼ ଖଡ଼ କରି ଡାକ ଛାଡ଼ିଲା, ଛବି, ଛବି…..

ଛବିର ମୁହଁ ଉଜ୍ଜ୍ୱଳ ଦିଶିଲା । ସେ ଉଠି ଠିଆହେଲା । ଖୁସି ହୋଇ କହିଲା, ଭାଇ ଆଇଲେଣି, ତେମେ ଏଇଠି ବସିଥା । ମୁଁ ଆଉଛି ।

 

କବାଟ ଖୋଲିବାକୁ ସେ ବାଟ ଘରକୁ ଗଲା ।

ବେଳ ରତରତ ହେଉଥାଏ । ଭାଇ ଭଉଣୀଙ୍କର କଥା ମୋ କାନରେ ପଡ଼ିଲା–

କହିଲ ଭାଇ, ସେ ଘରେ କିଏ ଅଛି ?

ଭୂତ ।

ଡରିବ ନାଇଁ ତ ?

ଭୂତପ୍ରେତ ସମସ୍ତ ମତେ ଡରନ୍ତି ଲୋ ଛବି, ଦେଖ୍ ଏ ଠେଙ୍ଗା ।

ଦିଅ ସେ ଠେଙ୍ଗାକୁ । ତେମେ ଭାରି ଦୁଷ୍ଟ !

 

ଯିଏ ବୋଲି ମନେକରିଥିଲି, ସେଇ ସେ ବଳିଆ, ଛବିର ଭାଇ ! ତାର ହାତ ଧରି ଆସି ମୋ ଆଗରେ ଠିଆ ହୋଇଗଲା ।

 

ବଳିଆକୁ ଆଗରେ ଦେଖି ମୁଁ ଅବାକ୍ ଠିଆହେଲି । କେଡ଼େ ବିଚିତ୍ର ଭଗବାନଙ୍କର ସୃଷ୍ଟି-! ଗୋଟିଏ ପେଟରୁ ଛବି ଓ ବଳିଆର ଜନ୍ମ !

 

ବଳିଆର ଗମ୍ଭୀର ମୁହଁରେ ଘୃଣା ଓ ବିରକ୍ତି ଭାବ । କଅଣ କହିବି କହିବି ହୋଇ, କେଡ଼େ କଷ୍ଟରେ ପାଟି ବନ୍ଦ କରି ରଖିଲା । ମୁଁ ବିସ୍ମୟର ଭାବ ଲୁଚାଇ କହିଲି – ଡେରି ହେବ ଲୋ ଛବି, ମୁଁ ଯାଉଛି ।

 

ବଳିଆ ମୁହଁ ଖୋଲିଲା, କି ଲୋ ହାଟୋଇ, ତୁ କେମିତି ଏଠି ?

ଛବି ହସ ହସ ହୋଇ କହିଲା, ଭାଇ ମ, ସେଇ ପରା ମୋର ତୁଳସୀ ଅପା, ଯାହା କଥା ମୁଁ ତମୁକୁ ଏତେ କହେଁ ।

 

ସତେ !

ଛବି ମୋ ପାଖକୁ ଆସି ମୋର ହାତ ଧରି କହିଲା, ହଁ ଭାଇ, ତୁଳସୀ ଅପା ମତେ ଭଲପାଏ । ଯେଉଁ ଦିନ ଆସେ ମୋ ମୁଣ୍ଡ ବାନ୍ଧିଦିଏ । ଶାଗଖରଡ଼ା ଶିଖାଏ, କେତେ ଗପ କହେ ।

 

ବଳିଆ ଧମକାଇଲା ପରି ଛବିକୁ କହିଲା, ବାହାର ଲୋକ, ବାଜେ ଲୋକଙ୍କ ସଙ୍ଗେ ମିଳାମିଶା କରିବାକୁ ମୁଁ ତତେ ମନା କରିଥିଲି, ତୁ ଶୁଣିଲୁ ନାହିଁ ?

 

ଛବିର ମୁହଁ ମଉଳିଗଲା । ସେ ଡରି ଡରି କହିଲା, ତୁଳସୀ ଅପା ତ ବାଜେ ଲୋକ ନୁହେଁ ।

 

ତା କଥାରେ ଜବାବ ନଦେଇ ବଳିଆ ତୀକ୍ଷ୍ଣ ଆଖିରେ ମୋ ଆଡ଼କୁ ଚାହିଁ ମୁଡ଼ୁକିହସା ଦେଇ କହିଲା, କାନ୍ତରାଟିବାବୁ କେତେ ଟଙ୍କା ଦେଲେ ଲୋ ?

 

ରାଗରେ ମୋ ଛାତି ଜଳିଉଠୁଥାଏ । କାନ୍ତରାଟିବାବୁ ମତେ ଯେତେ ଟଙ୍କା ଦେଲେ ଏହାର କଅଣ ଥାଏ ! ରାଗକୁ ଚାପିରଖି ଧୀରେ ଧୀରେ କହିଲି, ମୁଁ ଟଙ୍କା ଦେବାକୁ ଯାଇଥିଲି, ଟଙ୍କା ଆଣିବାକୁ ଯାଇନଥିଲି ।

 

ବଳିଆ ହସିଲା । କହିଲା, ତୋର ହାତ ଧରି ହାତରେ କଅଣ ଗୁଞ୍ଜି ଦେଉଥିଲେ । କେତେ ଟଙ୍କା ?

 

ଲାଜରା ହୋଇ କହିଲି, ମୁଁ ମାଗିନଥିଲି । ତାଙ୍କ ମନକୁ ସେ ଦଶ ଟଙ୍କାର ନୋଟ ଖଣ୍ଡିଏ ଧାର ଦେଇଛନ୍ତି ।

 

ତାଙ୍କ ମନକୁ ସେ ଦିଅନ୍ତି, କେହି ତାଙ୍କୁ ମାଗନ୍ତି ନାହିଁ । ଆଉ କେବେ ଯିବାକୁ କହିଛନ୍ତି-?

 

କହି ନାହାନ୍ତି ।

ଦରକାର ନାହିଁ–ଯେ ଧାରୁଆ ହୁଏ ସେ ଆପେ ଆପେ ଗଳାରେ ଫାଶ ଲଗାଏ । ତେଣିକି ଯେତେବେଳେ ଟାଣିଲେ ଯିବାକୁ ବାଧ୍ୟ ହୁଏ । ମୋ ଭଉଣୀ ଛବି ତତେ ଭଲପାଏ । ତା ତୁଣ୍ଡରୁ ତୋର ପ୍ରଶଂସା ଶୁଣିଛି । ପିଲାଲୋକ, ତତେ ସେ ଚିହ୍ନେ ନାହିଁ । ସଂସାରର ଭଲ ମନ୍ଦ କିଛି ଜାଣେ ନାହିଁ । ଆଜି ତୁ ପରିତ୍ରାଣ ପାଇଗଲୁ । ନୋହିଲେ ମୋ ଠେଙ୍ଗା ଦେଖୁଛୁ ତ ! ଯା, ତୁନି ହୋଇ ମୋ ଘରୁ ବାହାରିଯା । ଭଲ ଦଶା ଥିଲେ ଆଉ କେବେ ଏଠି ଗୋଡ଼ ଦେବୁ ନାହିଁ ।

 

ଛବି ମୋ ହାତ ଛାଡ଼ି ଥକା ହୋଇ ଠିଆହେଲା ।

ରାଗରେ ମୋ ବ୍ରହ୍ମ ଜଳିଲା । ଟିକିଏ ଜୋର୍‌ରେ କହିଲି– ତୋର ମଦନିଶା ଛାଡ଼ିନାହିଁ କିରେ ବଳିଆ ! ମତେ କଅଣ କରି ପାଇଲୁ କି ? ତୋ ଭଉଣୀ କହିଲା ବୋଲି ଏ ଘରେ ମୁଁ ଗୋଡ଼ ଦେଲି । ନୋହିଲେ ବାଟର ଲୋକ ମୁଁ ବାଟରେ ଯାଆନ୍ତି, ତୋ ଘରକୁ ଆସନ୍ତି କାହିଁକି ?

 

ଏଣିକି ତେଣିକି ଚାହିଁ ଦାନ୍ତ ଚିପି ବଳିଆ ଛବିକୁ କହିଲା– କିଲୋ, ମୋ ଠେଙ୍ଗାଟା କାହିଁ ଦବୁଟି । ଭାରି ବଢ଼ି ବଢ଼ି କଥା କହୁଛି । ଯାଉଛୁ ନା ପୁଣି ଦେଖିବୁ ?

 

ଏତେବେଳକେ ଛବି ପାଟି ଖୋଲିଲା – ଏ କଅଣ ଭାଇ, ତୁଳସୀ ଅପାର ଦୋଷ ନାହିଁ-। ସେ ତ ତା ମନକୁ ଆସିନାହିଁ । ମୁଁ ଡାକିଲି । ତମର ଯଦି ରାଗ ହେଉଚି ତମେ ମତେ ମାର-

 

ଏତିକି କହି ଛବି କଇଁ କଇଁ ହୋଇ ଉଠିଲା । ମୋର ହାତ ଧରି କାନ୍ଦଣା ସ୍ୱରରେ କଇଁ କଇଁ ହୋଇ କହିଲା, ମୋ ଦୋଷ କ୍ଷମା କର । ମୁଁ ଆଉ କେବେ ତମକୁ ଡାକିବି ନାହିଁ ।

 

ବଳିଆ ଧୀରେ ଧୀରେ ଘରୁ ବାହାରିଗଲା । ରାଗ, ଅଭିମାନରେ ମୋର ସର୍ବାଙ୍ଗ ଥରୁଥାଏ । ଲୁହଭରା ଆଖିରେ କହିଲି– ଦୋଷ କାହାର ନୁହେଁ ଲୋ ଛବି, ମୋ ଭାଗ୍ୟର ଦୋଷ । ମୁଁ ଗରିବ, ନିରାଶ୍ରୟା । ମୋ ପାଇଁ ଠେଙ୍ଗା ଧରିବାକୁ ସଂସାରରେ କେହି ଆଜି ନାହିଁ ବୋଲି ବଳିଆ ତା ଘର ଭିତରେ ମତେ ଅପମାନ ଦେବାକୁ ସାହସ କଲା । ସେ ଜାଣେ, ବାଟ ମଝିରେ ଧରି ମତେ କେହି ଦି’ପୁଞ୍ଜା କୁଟିଦେଲେ ଆହା କହି ସାହା ହେବାକୁ ମୋର କେହି ନାହିଁ । ସେଇଥିପାଇଁ ତାର ଏ ସାହସ । ହେଉ, ଦୁନିଆରେ କାହାରି ବଡ଼ପଣ ସବୁଦିନେ ରହିନାହିଁ । ସବୁ ବେଳ ଏକାପରି ନୁହେଁ । ବେଳ ବଦଳେ । ସୂର୍ଯ୍ୟ ପୂର୍ବରେ ଉଇଁ ପୁଣି ପଶ୍ଚିମରେ ଅସ୍ତ ହୋଇଯାଏ । ଯାଉଛି ଲୋ, ମୋ ଦୁଃଖ ଅପମାନକୁ ସଙ୍ଗରେ ନେଇ ମୁଁ ଯାଉଛି । ଆଉ କେବେ ଆସିବି ନାହିଁ ।

 

ବଳିଆ କାନ୍ଥକୁ ଆଉଜି ଠିଆ ହୋଇ ସବୁ ଶୁଣୁଥିଲା । ଘରୁ ବାହାରି ଆସିବାର ଦେଖି କଡ଼ା ସ୍ୱରରେ କହିଲା, ଶୁଣୁଲୋ.....

 

ତା ଆଡ଼କୁ ମୁହଁ ନ ଫେରେଇ ଦାଣ୍ଡ ଆଡ଼େ ମୋହିଁଲି ।

ଲମ୍ବା ପାଦ ପକାଇ ସେ ମୋ ଆଗକୁ ଆସି ଠିଆହେଲା । ତାର କଡ଼ବାଟେ ଚାଲି ଯାଉଁ ଯାଉଁ ସେ ମୋର ହାତକୁ ତା’ର ଲୁହା ପରି ଟାଣୁଆ ହାତରେ ଧରି କହିଲା, ଶୁଣ୍ !

 

ମୁଁ ହାତ ଛିଞ୍ଚାଡ଼ିଲି । ତା ହାତରୁ ମୁକ୍ତ ହୋଇ ପାରିଲି ନାହିଁ ।

ଚିତ୍‌କାର କରି କହିଲି, ଛାଡ଼୍‌ ମୋ ହାତ କହୁଛି, ନୋହିଲେ.....

 

ସେ ମଧ୍ୟ ଜୋର୍‌ରେ କହିଲା, ନୋହିଲେ କାନ୍ତରାଟିବାବୁ ଆଗରେ କହି ମୋ ଦାନାପାଣି ଉଠାଇଦେବୁ । କହିବୁ ଲୋ, ତାକୁ ମୁଁ ଡରେ ନାହିଁ କି କାହାକୁ ଡରେ ନାହିଁ । ଏଇଥର ତମର ରାଧାକୃଷ୍ଣ ଖେଳ ଏକା ଠେଙ୍ଗା ପାହାରରେ ଶେଷ କରିଦେବି । ବଳିଆର ହାତ ଥିଲେ ତାକୁ ଭାତ ଗଣ୍ଡାକ ମିଳିବ ଯେଉଁଠି ହେଲେ । ଯା !

 

ହାତ ଛାଡ଼ିଦେଲା ।

ସଞ୍ଜ ହୋଇନଥାଏ । ଏକା ନିଶ୍ୱାସରେ ସେଠାରୁ ଚାଲିଆସିଲି । ରାଗରେ ଗୋଡ଼ରୁ ମୁଣ୍ଡଯାକେ ଥରିଉଠୁଥାଏ ।

 

ନିର୍ଜନ ବିଲ ବାଟ । ସଞ୍ଜର ଅନ୍ଧାର ଘୋଟିଆସୁଥାଏ । ଗୋଟିଏ ଥାନରେ କିଛି ସମୟ ଠିଆହୋଇ ନିଶ୍ୱାସ ମାରିଲି । ପ୍ରକୃତିସ୍ଥ ହୋଇ ନିଶ୍ୱାସ ମାରିଲି । ପ୍ରକୃତିସ୍ଥ ହୋଇ ପୁଣି ଆଗକୁ ଚାଲିଲି । ବଳିଆ ବିରୁଦ୍ଧରେ ମନରେ ତୋଫାନ ଉଠୁଥାଏ । ଦାଉ ସାଧିବାର ଉପାୟ ଯଦି ମୋର ଥାନ୍ତା, ତାର ମଦୁଆଗିରି ଛଡ଼ାଇଦିଅନ୍ତି । ନିଜ ଘରେ ପର ଘରର ସ୍ତ୍ରୀଲୋକକୁ ଅପମାନ ଦେବାର ପ୍ରତିଫଳ ସେ ପାଆନ୍ତା ।

 

ଦାଉ ସାଧିବାର ଉପାୟ ମୋର କଅଣ ଅଛି ?

କାନ୍ତରାଟି ବାବୁ ! ମନରେ ମୋର ଖେଳିଗଲା ଯେଉଁ ଭାବନା, ମୋର ଆତ୍ମା ଥରିଉଠିଲା । ଏଇ ଦେହରେ ଯେତିକି ରୂପ ଅଛି, ଶୁଖିଲା ଯୌବନର ଯେତିକି ଟେକ ଅଛି, ତାଆରି ଭେଳିକିରେ କାନ୍ତରାଟିବାବୁ ବନ୍ଧା ହୋଇଛନ୍ତି, ତାକୁ ପ୍ରୟୋଗ କଲେ ଗୋଟାଏ ଫୁଙ୍କାରେ ବଳିଆ ଉଡ଼ିଯିବ । ହୁଣ୍ଡାଗିରିର ପ୍ରତିଫଳ ସଙ୍ଗେ ସଙ୍ଗେ ପାଇବ ।
 

କିନ୍ତୁ, ସେଥିରେ ମୋର କି ଲାଭ ହେବ ? ବଳିଆ ରାଗରୋଷରେ ଘରୁ ତଡ଼ିଦେଇ ଅପମାନ ଦେଇଛି । ଅପମାନକୁ ମୁଁ ନିଜେ ଟାଣିଆଣିନାହିଁ । ସଂସାର ଆଗରେ, ବଳିଆର ଭଉଣୀ ସେଇ ଛବି ଆଗରେ ସହିବାର ବଡ଼ପଣ, ଧୈର୍ଯ୍ୟର ଟେକ ମୋର ରହିଛି ।

 

କାନ୍ତରାଟିବାବୁଙ୍କ ପାଖରେ ମୋର ସର୍ବସ୍ୱ ଅକାତରେ ବାଢ଼ିଦେଲେ ଓ ମୋର ନିଜତ୍ୱକୁ ଦୁନିଆ ଲୋକଙ୍କ ଆଗରେ ତାଙ୍କରି ଗୋଡ଼ତଳେ ସମର୍ପିଦେଲେ, ବଳିଆ ଉପରେ ପ୍ରତିଶୋଧ ନେବି ସିନା, ମୋର ମାନମହତ ରହିବ କେଉଁଠି ? ମୋର ଆତ୍ମମର୍ଯ୍ୟଦା ଯିବ କୁଆଡ଼େ ? ତା ପରେ କେଉଁ ମୁହଁରେ କେଉଁ ଦମ୍ଭରେ ବାଟ ଚାଲିବି ?

 

ଯେଉଁ ଆତ୍ମମର୍ଯ୍ୟଦା ପାଇଁ ଘର ଛାଡ଼ି ଆଜି ମୁଁ ଦାଣ୍ଡରେ, ସୁଖ ଛାଡ଼ି ଏତେ ଦୁଃଖକଷ୍ଟ ଜାଣି ଜାଣି ବରିନେଇଛି, ଛାର ବଳିଆ ଉପରେ ରାଗ କରି ସବୁ ପୋଡ଼ିଜାଳି ଛାରଖାର କରିବି ନାହିଁ । ବଳିଆର ବଡ଼ପଣ ରହୁ । ଏତେ ଅପମାନ ଦେବାର ଆନନ୍ଦରେ ତାର ମନ ଗର୍ବରେ ଫୁଲିଉଠୁ ।

 

ମନକୁ ଆଶ୍ୱାସନା ଦେଇ ଦୀର୍ଘଶ୍ୱାସ ଛାଡ଼ିଲି । ସଙ୍ଗେ ସଙ୍ଗେ ଆଉ ଗୋଟିଏ ଭାବନା ଆସିଲା । ପର ମଣିଷ ରାଗ ରୋଷରେ, ବିରକ୍ତିରେ ମୋର ହାତ ଧରିବା ଏହା ପ୍ରଥମ । ବିବାହିତ ଜୀବନରେ ସ୍ୱାମୀଙ୍କର ଆଦର ଓ ଦିଅରର ସ୍ନେହ ପାଇଥିଲି । ଏପରିକି କାମ କାର୍ଯ୍ୟରେ ଅଣନିଶ୍ୱାସୀ ହେବା ଜୀବନରେ ଟିମବାବୁଙ୍କର ଦେହର ପରଶ ଓ ଚେମା’ଇ ହାତର ଅନୁଭୂତି – ସେଥିରେ ସହାନୁଭୂତି ଜୀଇଁଉଠିଥିଲା । ଆଜି କାନ୍ତରାଟି ବାବୁଙ୍କର ହାତ ସଙ୍ଗେ ହାତର ମୁହୂର୍ତ୍ତକର ପରଶ । ତହିଁରେ ଗୋଟିଏ ଆଡ଼ୁ ମିଳନର ନିମନ୍ତ୍ରଣ ଓ ଆଉ ଗୋଟିଏ ଆଡ଼ୁ ଡରଡର ‘ନାହିଁ’ର କରଛଡ଼ା ଭାବ । କାହିଁରେ ମୁଁ ବାଧା ଦେଇପାରିନଥିଲି ।

 

ବଳିଆ ହାତ ଧରି କ୍ଷଣକ ପାଇଁ ଅଟକାଇ ରଖିଲା । ଘୃଣାରେ ଓ ବିରକ୍ତିରେ ମୁଁ ହାତ ଛିଞ୍ଚାଡ଼ିଲି । ତା ହାତର କଠିଣତାରେ ଦେହରେ ସତେକି ବିଷ ଚହଟିଯାଇଥିଲା ।

 

ଯେତେଥର ଅନ୍ୟ ପୁରୁଷ ଦେହର ପରଶ ପାଇଛି, ଅଜାଣତରେ ପ୍ରାଣରେ ପାଗଳିଆ ଶିହରଣ ଅନୁଭବ କରିଛି ।

 

ବଳିଆ ଜାଣେ ଯେ କାନ୍ତରାଟିବାବୁ ଧନର ମୋହ ଦେଖାଇ ମୋରି ପରି ଅଭାବଗ୍ରସ୍ତଙ୍କୁ ଆପଣାର କରିପାରଛନ୍ତି । ସେ ପୁଣି ଇଚ୍ଛା ଅନୁସାରେ ଗୋଡ଼ରେ ଠେଲିଦେଇଛନ୍ତି ଦୂରକୁ । ଆଖି ଆଗରେ ଏସବୁ ଦେଖି ଦେଖି ଯଦି ଏହା ବଳିଆର ଦେହଘଷା ହୋଇଛି, ମୋ ପ୍ରତି ତାଙ୍କର ଟିକିଏ ସ୍ନେହ, ଟିକିଏ ସହାନୁଭୂତି ବଳିଆର ଅସହ୍ୟ ହେଲା କାହିଁକି ?

 

କେତେ ଦିନର କେତେ କଥା ମନେପଡ଼ିଲା । କାନ୍ତରାଟି ବାବୁଙ୍କର ଆଡ଼ଚାହାଁଣି ଓ ମୁଡ଼ୁକି ହସା ପଛରେ ବଳିଆର ନାଲି ନାଲି ଆଖି, ଭୁର୍କୁଣ୍ଡା ମୁହଁ, ଆଜି ପୁଣି ତାର କଥା । ମୋର ଢଙ୍ଗରେ ଯେପରି କୌଣସିପ୍ରକାର ବେଆଡ଼ାଗିରି ଦେଖିବାକୁ ସେ ଚାହେଁ ନାହିଁ ।

 

ବଳିଆର ମୁଁ କେହି ନୁହେଁ । ତେବେ ? ମୋ ପ୍ରଶ୍ନର ଉତ୍ତର ମୋ ମନ ହିଁ ଦେଲା । ବଳିଆ ମତେ ଭଲପାଏ, ବଳିଆ ମୋତେ ନିଜର କରିବାକୁ ଚାହେଁ । ମୋର କୌଣସି ତ୍ରୁଟି ସେ କ୍ଷମା କରିପାରିବ ନାହିଁ ।

 

ନିଜର ଭାବନାରେ ମୁଁ ଅବାକ୍‌ ହେଲି, ଉତ୍ତେଜିତ ହେଲି । ମୁଁ ଭୁଲ କରିଛି । ବଳିଆର ଦୁଇଥର ସତର୍କ କଥା ନମାନି କାନ୍ତରାଟିବାବୁଙ୍କ ଘରକୁ ଗଲି । ଆହୁରି ଥରେ ତାଙ୍କଠାରୁ ଟଙ୍କା ଆଣି ନିଜକୁ ତାଙ୍କ ପାଖରେ ବନ୍ଧାଦେଇ ଆସିଛି ।

 

ଆଉ କାହିଁକି ଏତେ କଥା ଭାବିବି ? କାନ୍ତରାଟିବାବୁ କି ବଳିଆ ଏମାନଙ୍କ ସଙ୍ଗେ ମୋର କୌଣସି ସମ୍ପର୍କ ନାହିଁ । ଆଜିଠାରୁ ରହିବ ନାହିଁ । ମା, କି ସୁର କି ଆଉ କେହି, ଅତୀତ ବା ଆଜିକାର ଘଟଣା ସମ୍ବନ୍ଧରେ କିଛି ଜାଣିପାରିବେ ନାହିଁ ।

 

ଆଉ, ଏଇ ନୋଟଖଣ୍ଡି ଇଏ ବା ହେବ କଅଣ ? ନିଜ ଘରକୁ କାଲି ଫେରିଗଲେ ଟଙ୍କାର ଅଭାବ ରହିବ ନାହିଁ । ନୋଟଖଣ୍ଡି ଫେରାଇବାକୁ କାନ୍ତରାଟିବାବୁଙ୍କ ଆଗକୁ ଯିବି ନାହିଁ । ସେ ମୋହିନୀ ମନ୍ତ୍ର ଜାଣନ୍ତି । ତାଙ୍କ ଆଗରେ ମଣିଷର ନିଜତ୍ୱ ଲୋପ ହୁଏ । ତେବେ ଏ ନୋଟ ?

 

ସବୁବେଳେ ସବୁକଥା ରହେ ନାହିଁ । ସଚୋଟ ହୋଇ ସବୁବେଳେ ମଣିଷର ବେଳ କାଳ ସୁରୁଖୁରୁରେ କଟେ ନାହିଁ ।

 

ନୋଟଖଣ୍ଡି ଟିକି ଟିକି କରି ଚିରି ମଝି ଗହୀର କିଆରିରେ ପକାଇଲି । ଶାନ୍ତିରେ ନିଶ୍ୱାସ ମାଇଲି । ମନ ଆନନ୍ଦରେ ଆଗକୁ ଚାଲିଲି ।

•••

 

୨୮

 

ସୁରଙ୍କ ସଙ୍ଗେ ଦେଖା ହେଲାପରେ ତିନିଦିନ କଟିଗଲାଣି, ଆଉ ସେ ଆସିନାହାନ୍ତି । ମନ ଦକ୍‌ଦକ୍‌ ହେଉଥାଏ । ତାଙ୍କ ସଙ୍ଗେ ମିଳାମିଶା ହେଲାପରେ ତାଙ୍କ ପ୍ରତି ମନରେ ଯେଉଁ ସନ୍ଦେହ ଥିଲା ଦୂର ହୋଇଯାଇଛି । ବେଶି କଥାଭାଷା ହୋଇନଥିଲେ ମଧ୍ୟ ଦୁହେଁ ଦୁହିଁଙ୍କର ମନକଥା ବୁଝିପାରିଥିଲୁ । ଆଖିଲୁହ ମନରୁ ସବୁ ମଇଳା ଧୋଇଦେଇଥିଲା । ଆଶା କରିଥିଲି ନିଶ୍ଚୟ ସେ ପରଦିନ ଆସିବେ, କିନ୍ତୁ ଦେଖୁ ଦେଖୁ ତିନିଦିନ କଟିଗଲା । ତଥାପି ତାଙ୍କର ଦେଖା ନାହିଁ । ଏଇ ତିନି ଦିନର ସବୁ ଘଟଣା ପଦ ପଦ କରି କହି ବସିଲେ ପୁରାଣ ହେବ ।

 

ବିଧବା ହେବା ଖବର ପାଇଲା ଦିନରୁ ଜୀବନକୁ ତୁଚ୍ଛ ମଣିଥିଲି । ଭାବିଥିଲି, ମୋର ଏଇ ଦେହଟା କାଠପାଷାଣ ପରି ସବୁ ସହିବ, ଜୀବନଟା ତାରି ଭିତରେ ଥାଇ ଛଟପଟ ହେଉଥିବ-। ପିଲାଟିର ଯତ୍ନ ନେଇ ତାକୁ ବଢ଼ାଇ କରି ସଂସାରରେ ଠିଆ କରିବାକୁ ମୋତେ ବଞ୍ଚିରହିବାକୁ ପଡ଼ିବ । ସେଇଥିପାଇଁ ଦୁନିଆର ମାଟିଗୋଡ଼ି ସଙ୍ଗରେ ନିଜକୁ ମିଶାଇଦେବାକୁ ପଡ଼ିବ ।

 

କିଏ କେତେ କହନ୍ତି, ଆଲୋ ସୁନାଦେହ ତୋର କଜଳ କଳା ହେଲାଣି, କଣ୍ଟା ଦୋହଲିଲାଣି । ଯିଏ ମଲା, ସେ ଗଲା । କାହା ପଛରେ କେହି ଗୋଡ଼ାଇ ଯାଇନାହିଁ । ଦେହଟା ପ୍ରତି ଟିକିଏ ନଜର ଦେ ।

 

ଶୁଣେ, ଅଭିମାନର ହସ ଖେଳିଯାଏ ଓଠରେ । ଦେହ, ସୁନା-ଦେହ ! ମୋ ଜୀବନରେ ଏଇ ଦେହଟାର ଅର୍ଥ କାର୍ଯ୍ୟ, ଅର୍ଜନ ! ଦେହର ମୂଲ୍ୟ ଯାହା ପାଖରେ ଥିଲା, ସେ ନାହାନ୍ତି । ଯେଉଁମାନେ ଏଇ ମଇଳା ମସିଆ ଅସଜଡ଼ା ଦେହଟାରେ ଆଖି ପକାଇ ରୁଚିକର, ମନସରସା କିଛି ଦେଖିବାକୁ ଚାହାନ୍ତି ଆମୋଦପାଇଁ – ତ୍ରୁଟି ଲକ୍ଷ୍ୟ କଲେ ପଦେ କହନ୍ତି – ସେମାନଙ୍କ ପାଖରୁ ମୁଁ ଦୂରେଇ ରହିବାକୁ ଚାହେଁ ।

 

ଚାହେଁ.... କିନ୍ତୁ ରହିପାରିନାହିଁ । ବଞ୍ଚିରହିବାକୁ ହେଲେ ଶହ ଶହ ଲୋକଙ୍କ ପାଖରେ ଆତଯାତ, କାରବାର ହେବାକୁ ପଡ଼େ । ପର ମଣିଷଙ୍କ ପାଖରେ ଚଳପ୍ରଚଳ ହେଲେ ସମାଜ ଆଖିରେ କଣ୍ଟା ମାରି ଚଳିବା ସମ୍ଭବ ନୁହେଁ । କେହି ଆଡ଼ ଆଖିରେ ଚାହିଁବେ ନାହିଁ । ବାଟ ଘାଟରେ ବୁଲେ ଯେଉଁ ପାଗଳଟା – ଦେହ ମୁଣ୍ଡ, ଲୁଗାପଟା ପ୍ରତି ଯାହାର ନଜର ନାହିଁ – ସେ ସହସ୍ର ଲୋକଙ୍କର ଟାହିଟାପରା, ଗାଁ ପିଲାଙ୍କର ଟେକା ମାଡ଼ ସହେ । ସେଇ ଟାହିଟାପରା, ଟେକା ମାଡ଼ରୁ ନିଜକୁ ବଞ୍ଚାଇବାକୁ ଯେତିକି ଲୋଡ଼ା, ସେତିକି ଲୋଡ଼ା, ସେତିକି ଯତ୍ନ ମୁଁ ମୋର ନେଉଥିଲି ।

 

ସୁରଙ୍କ ସଙ୍ଗେ ଦେଖା – ଆଶା ତେଜି ଉଠିଲା – ନୂଆ ସଂସାର କରିବି – ସୁରଙ୍କୁ ନେଇ ପୁଣି ମୋର ଜୀବନକୁ ନୂଆକରି ଗଢ଼ିବି । ମୋର ମଇଳା ଦେହଟାକୁ ଅବହେଳା କରିପାରିଲି ନାହିଁ । ତହିଁରେ ଯେତିକି ରୂପ ଲୁଚିରହିଥିଲା, ତାକୁ ଫୁଟାଇବାକୁ ମନର ଆଗ୍ରହ ହେଲା-। ଶୋଇଲା ଯୌବନର ଓଢ଼ଣା ଖୋଲିବାକୁ ମିଳନପାଗଳ ଆତ୍ମା ଇଙ୍ଗିତ ଦେଲା ।

 

ଲୋକେ ଯାହା ଭାବନ୍ତୁ, ନିଜର ସଜଡ଼ା ରୂପ ଦେଖିଲେ ନିଜକୁ ସଙ୍କୋଚ ଲାଗେ । ମନକୁ ମନ ଲାଜରା ହୁଏ । ପିଲା ବଅସରେ ଯେତେବେଳେ ଛପି ଛପି ଯୌବନ ଉଙ୍କିମାରିଆସୁଥିଲା, ଆଉ ପାଞ୍ଚଟା ଝିଅଙ୍କ ପରି, ମୋର ଯେତିକି ଅଛି ସେତିକିରେ ଦେହଟିକୁ ସଜାଇବାକୁ ଚେଷ୍ଟା କରୁଥିଲାବେଳେ, ସଙ୍କୋଚ ବା ଲାଜ ଆସୁନଥିଲା ତ ! ଦୁନିଆ ଆଖିରେ ନିଜକୁ ସୁନ୍ଦର କରି ଦେଖାଇବା ମଣିଷ ଜାତିର ପ୍ରକୃତି । ଆକର୍ଷଣ କରିବା, ନିଜକୁ ସୁନ୍ଦର କରିବା ଚେଷ୍ଟାର ମୂଳକଥା । ନାରୀ ଓ ପୁରୁଷକୁ ଏକତ୍ର ମିଳନ କରିବାକୁ ଅଜାଣତରେ ଓଟାରିଆଣେ ଦୁହିଁଙ୍କୁ ଦୁଇଆଡ଼ୁ । ସେ ବୟସରେ ଏତେ କଥା ବୁଝିବାର ଶକ୍ତି ନ ଥିଲେ ମଧ୍ୟ ନିଜକୁ ପର ଆଖିରେ ସୁନ୍ଦର କରିବାକୁ ସବୁବେଳେ ଚେଷ୍ଟା କରିଥିଲି ।

 

ବିଧବା ହେଲା ପରେ ପ୍ରତିଜ୍ଞା କରିଥିଲି, ପର ମଣିଷ ଆଡ଼କୁ ମନ ନୁଆଁଇବି ନାହିଁ । ଆଶାର ଇଙ୍ଗିତକୁ ଚାପିରଖି ଦେହ ପ୍ରତି ଅବହେଳା କରିଥିଲି । ପାରିଲି ନାହିଁ । ଯେଉଁଦିନ ପୁଣି ସ୍ଥିର କଲି ସୁରଙ୍କୁ ଘେନି ନୂଆ ସଂସାର କରିବି, ସୃଜନ ନିୟମ ଆଗରେ ମୁଣ୍ଡ ନୋଇଁଲି । ଆତ୍ମା ଚାହିଁଲା ସୃଷ୍ଟି, ଦେହ ଚାହିଁଲା ମିଳନ, ମିଳନ ଚାହିଁଲା ଆକର୍ଷଣ । ଆଉ ଆକର୍ଷଣ ଚାହିଁଲା ଦେହର ଯତ୍ନ, ଯୌବନର ପୂଜା । ସେଇଥିପାଇଁ ପରର ଆଖିରେ, ସୁରଙ୍କର ଆଖିରେ ନିଜକୁ ସୁନ୍ଦର ଦେଖାଇବାକୁ ମନ ଡାକିଲା ।

 

ବୋଉ ବୁଝିଥିଲା । ଟିକିଏ ତ୍ରୁଟି ଦେଖିଲେ କହୁଥିଲା– ଆଲୋ, କେଡ଼େ ମଇଳା ଲୁଗା ପିନ୍ଧୁଛୁ ? ସାବୁନଟିକେ ଦେଇ ଧୋଇପକା । ମଲା..... ଆଖି ଦିଟା ଫିକା ଦିଶୁଛି, କଳା ଦିଗାର ନାଇଦେ ମ । କିଲୋ, କେତେ କହିବି, ମୁଣ୍ଡଟା ସେମିତି ବୋଝ କରିଛୁ କାହିଁକି ? ଘଡ଼ିରେ କଅଣ ମାଲପା ନାହିଁ ?

 

କାଲି ଯେଉଁ କଥାକୁ ଅବହେଳା କରି ମୁହଁ ମୋଡ଼ିଦେଉଥିଲି, ଆଜି ତାର ସେ କଥା ମାନେ । ଦର୍ପଣରେ ନିଜ ମୁହଁକୁ ନିଜେ ଅନାଇବାକୁ ଇଚ୍ଛା ହୁଏ । ସୁର ଆସିବେ, ଏମିତି ଅସନା ରୂପ ଦେଖି କ’ଣ ଭାବିବେ ?

 

ସୁର ଆସିଲେ ନାହିଁ । ମନ କାହିଁ ଲାଗୁନଥାଏ । ମନୁଆକୁ କାଖ କରି ଏପାଖ ସେପାଖ ହେଲି । ଘର ଛାଡ଼ି ଗଲି ନାହିଁ । ଘର ଆଗକୁ ଆସି ଗହୀର ସେପାରିକି ଅନାଇଲି । ପାଚିଲା ଧାନର ନଇଁଲା କ୍ଷେତ ମଝିରେ ବଙ୍କେଇ ବଙ୍କେଇ ବାଟ ପଡ଼ିଛି । ତହିଁରେ କେତେ ଲୋକ ଯା ଆସ କରୁଛନ୍ତି । ସୁରଙ୍କ ଚାଲିପରି ଦିଶୁଚି ତ ! ଆପେ ଆପେ ହାତ ଗଲା ମୁଣ୍ଡ ଉପରକୁ, କପାଳ ଉପରେ ଦୋହଲୁଥିବା ଅଲରା ବାଳକେରାକ ସଜାଡ଼ିଦେବାକୁ । ଦୂର ବାଟୋଇ ପାଖେଇଆସିଲେ-। ନା, ସୁର ନୁହନ୍ତି । ସରାଗ ମଉଳିଲା । ମୁହଁ ଫେରାଇଲି । ପୁଣି, ଏଇ..... ଦୂର ଗହୀର ମଝିରେ ଝଙ୍କାଳିଆ ଏକୁଟିଆ ଆମ୍ବଗଛ କତି ହୁଙ୍କା ଉହାଡ଼ରେ । ସେମିତି ଦିଶୁଛି..... ମନୁଆରେ, ଏଇ ତୋ ଦାଦା ଆସୁଛି ।

 

ମନୁଆ ଆଗ୍ରହରେ ଚାହିଁଲା । କାଇଁ, ଦାଦା କାଇଁ ?

ତଳୁ ଉଠାଇ ତାକୁ କାଖ କଲି । ହାତ ବଢ଼ାଇ ଦୂର ମଣିଷକୁ ଦେଖାଇଲି । ଜହ୍ନ ମାମୁକୁ ଡାକିଲା ପରି ମଣିଷକୁ ଦେଖାଇଲି । ଜହ୍ନ ମାମୁକୁ ଡାକିଲା ପରି ମନୁଆ ହାତ ଠାରି ଡାକିଲା – ଦାଦା, ଆ-ଆ.....

 

ଅପେକ୍ଷା କଲି । ସୁର ନୁହନ୍ତି । ଦୁଃଖରେ ଫେରିଲି ।

ସୁର କଅଣ କେବଳ ମନଭୁଲା ଭେଳିକି ! ପଛରେ ଧାଇଁଲେ ପଛାଇଯିବେ ? ନାଇଁ, ସୁର ଭେଳିକି ନୁହନ୍ତି । ବେମାର ପଡ଼ିଛନ୍ତି ? ଛାତି ଥରିଉଠିଲା । ପଚାରିଲି– ବୋଉ, ସୁରଙ୍କ ଦେହ କଅଣ ଭଲ ନାହିଁ ?

 

ମନର କଥା ବୋଉ ଜାଣେ । ତା ପାଖରେ ଲୁଚାଇବି କଅଣ ?

ଆଖି ଛଳ ଛଳ କରି ସେ କହିଲା, ନାଇଁ ଲୋ ମା, କାମଦାମରେ ବ୍ୟସ୍ତ ଥିବ । ଟିକିଏ ଭାବି ପୁଣି କହିଲା, ଯିବି କି ଦେଖି ଆସିବି ?

 

ନୂଆ ଧିଅ ତୋର ଅତି ଦୁର୍ବଳ, ଗଦାଏ ବାଟ ।

ତୁ ହେଲେ ଯା, କାଳେ ଧିଅ ଖରାପ ହୋଇଥିବ, ଏକୁଟିଆ ଲୋକ, ପାଖରେ ସାହା ଭରସା କେହି ନାହିଁ ।

 

ମନ ଯିବାକୁ ଡାକେ । ଦେହ ଅବାଧ୍ୟ ହୁଏ । ମନ ପରାଜିତ ହୁଏ ।

କହିଲି, ନାଇଁ ମ ବୋଉ, ସୁର କାମ କାର୍ଯ୍ୟରେ ବ୍ୟସ୍ତ ଥିବେ, ବେଳ ପାଇଲେ ବଳେ ଆସିବେ ଯେ ।

 

ବୋଉ ତୁନି ରହିଲା ।

•••

 

୨୯

 

ଦି’ପହରେ ଗାଁ ଭିତରକୁ କାମ କରିବାକୁ ଯାଇଥିଲି । ବେଳବୁଡ଼େ ଘରକୁ ଫେରି ଦେଖିଲି, ବୋଉ ଘୁସୁରି ଘୁସୁରି ଘର ସଫା କରୁଛି । ମନୁଆ ଗୋଟିଏ ପାଚିଆରେ ମୁଆଁ ରଖି ଖାଉଛି । କାନ୍ଥକୁ ଡେରାହୋଇ ରଖାହୋଇଚି କାନ୍ଦିଏ କଦଳୀ । ଖୁସି ଲାଗିଲା, ଭାବିଲି, ସୁର ଆସିଛନ୍ତି ।

 

ବୋଉକୁ କିଛି ନପଚାରି ଚାରିଆଡ଼କୁ ଆଖି ବୁଲାଇଲି । ସୁର ନାହାନ୍ତି । ଆସିଥିଲେ ଯଦି ମତେ ଦେଖା ନଦେଇ ଚାଲିଗଲେ କାହିଁକି ?

 

ବୋଉ ମୋ ମନକଥା ଜାଣି କହିଲା– ଆଲୋ ଝିଅ, ସୁର ଆସିନଥିଲେ, ଜଣେ ଭାରୁଆକୁ ପଠାଇଥିଲେ । ସେ ତତେ ଅନାଇ ଅନାଇ ଏଇ ଘଣ୍ଟାଏ ହେବ ଫେରିଲା ।

 

ଅଟକାଇଲୁ ନାହିଁ ?

ସେ କୁଆଡ଼େ ଅନ୍ଧାରକଣା ଯେ ବେଳ ବୁଡ଼ିଲେ ତାକୁ ବାଟଘାଟ ଦିଶେ ନାହିଁ । ସେଥିପାଇଁ ସହଳ ସହଳ ଚାଲିଗଲା ।

 

ଟିକିଏ ତୁନି ରହି ବୋଉ କହିଲା– ଆଲୋ ତୁଳସୀ, ମୋ ପାଖରେ ବସ୍‌ । ସେ ଯେଉଁ ଲୋକଟା ଆସିଥିଲା ମ, ତା ନାମ ରଘୁଆ । ତା ସଙ୍ଗେ କେତେ କଥାଭାଷା ହେଲି । ସୁର ଖବର ଦେଇଛି ।

 

ମନୁଆ ଆଡ଼କୁ ନିଘା ପକାଇଲି, ସେ ସେମିତି ମୁଆଁ ଖାଉଛି । ବୋଉ ପାଖେ ବସିଲି । ଘର ପହଁରା ଛାଡ଼ି ମୋ ମୁହଁକୁ ଅନାଇ ସେ ଦରହସିଲା ହୋଇ ଭ୍ରୂଲତା ଟେକି କହିଲା– ଆଲୋ, ସଂସାରକୁ ଚିହ୍ନି ଚିହ୍ନି ବାଳ ପାଚିଲା । ପିଲା ଦିଟା ତେମେ, ତୁମକୁ ମୁଁ ଠଉରାଇ ପାରିବି ନାହିଁ ? ଠାକୁରେ ଯାହା ପାଇଁ ଯାହା ଖଞ୍ଜି ରଖିଛନ୍ତି ସେଥିରେ ଅନ୍ୟଥା ହବ ନାହିଁ । ସୁର ତତେ ଭଲପାଏ, ତୁ ତାକୁ ଭଲପାଉ, ମୁଁ ଜାଣେ ଏକଥା । ବାଜେ ଲୋକଙ୍କର ଅଲଣା କଥାରେ କାନ ଦେଇ ଏତେ ଦିନ କାଳ କଷ୍ଟ ପାଇଲୁ, ତାକୁ ବି କଷ୍ଟ ଦେଲୁ । ଗତ କଥା ଯାଉ । ସୁର ପଚାରି ପଠେଇଥିଲା, ତୁ କେବେ ଯିବୁ ।

 

ଲାଜରେ ମୁଣ୍ଡ ନୋଇଁଲି ।

ମୁଁ କହିଲି– କହିବୁ, ମତେ କାହିଁକି ପଚାରୁଛି ? ସେ ପିଲା ନିଜେ ଆସି ତୋ ସଙ୍ଗେ କଥାଭାଷା ହୋଇ ଦିନ ବାର ଠିକଣା କରି ଯାଉ । ପିଲାଛୁଆ ତ ନୁହେଁ – ଜୀବନ ସଉଦା କଥା । ଲାଜ ସରମ କଅଣ ? ସୁବିଧା ଅସୁବିଧା ଦେଖି, ଭଲ ଦିନ ବାର ଦେଖି ଗଲେ ସବୁ ଭଲ । କାଲି ଆସିବାକୁ ଖବର ଦେଇଛି । ଭଲ କରିନାଇଁ ମା ? ଡେରି କଲେ କାମ ଭଣ୍ଡୁର ହୁଏ ।

 

ହସଦ୍ୱାରା ମନକଥା ଜଣାଇଲି । ରହି ରହି ପଚାରିଲି, ଆଜିଯାଏ ସୁର ଆସି ନାହାନ୍ତି କାହିଁକି ?

 

ପାଗଳ ପିଲାଟାଏ । ଏଠୁ ଯାଇ ବାଇଆଙ୍କ ପରି ଘରକାମରେ ଲାଗିଛି । ଏଇଟା ସଜାଡ଼, ସେଇଟା ସଜାଡ଼, ମୂଷା ଗାତ ବନ୍ଦ କର, କାନ୍ଥ ନିପା, ଦୁଆର ସଫା, ଏମିତି ସବୁ କାମ । ପଚାରିଲି, କାହିଁକି କିରେ ରଘୁଆ ? କହିଲା, କୁଆଡ଼େ ଯିଏ ପଚାରୁଛି ସୁର କହୁଛି ତୁ ଯିବୁ ଘରକୁ, ଏମିତି ଅରମା ଜଙ୍ଗଲ ଅସନା ଦେଖି ନାକ ଟେକିବୁ ।

 

ସୁର କହିଛି– ତୁ ଆଇଲାବେଳେ ଘର ଯେମିତି ଛାଡ଼ି ଆସିଥିଲୁ, ଗଲାବେଳକୁ ସେମିତି ଘର ତୋ ହାତରେ ସେ ସମର୍ପି ଦେବ । ସେଇଥିପାଇଁ ଦିନ ରାତି ଘର କାମରେ ଲାଗିଛି । ତୁ ଅଇଲା ଦିନୁଁ ବାଇଆ ଫକୀର ହୋଇ ବୁଲୁଥୁଲା, ଖିଆପିଆ ନା କୋଉ କଥାରେ ତାର ଠିକଣାଥିଲା-? ରଘୁଆ ଏଇଆ ସବୁ ଗପିଥିଲା ।

 

ମୋର ଆଖି ଛଳଛଳ ହେଲା । ସୁର ସବୁ ମୋ ହାତରେ ସମର୍ପିଦେବେ, କିନ୍ତୁ ମନୁଆର ବାପ, ଯାହା ସଙ୍ଗରେ ମୁଁ ତିନୋଟି ବର୍ଷ ସଂସାର କରି ନିଜକୁ ଭୁଲିଥିଲି, ତାକୁ ମୋ ହାତରେ ଦେବ କିଏ ? ସ୍ୱାମୀ ହରାଇ ପୁଣି ସ୍ୱାମୀ ପାଇବି କିନ୍ତୁ ତାଙ୍କୁ ତ ପାଇବି ନାହିଁ ?

 

ଆଖିରୁ ଲୁହ ଝରିଲା ।

ବୋଉ କହିଲା, ସୁରର ଦୁଃଖ ଶୁଣିଲେ କାଠପାଷାଣ ଆଖିରୁ ଲୁହ ଝରିବ । ଭାଗ୍ୟର କଥା । ଯେତେଦିନ ଯାହାକୁ ଭୋଗ ଥାଏ । ଦୁଃଖର ଦିନ ତ ଆସିଲା, ସୁର ନେଇ ଆଉ ଦୁଃଖ କରନା ଝିଅ । ଏଇକଥା ମନେରଖିଥା, ଯେତିକି ତା ମନରେ ଦୁଃଖ ଦେଇଛୁ, ନିଜ ଗୁଣରେ ଯେମିତି ତୋ ପାଖରୁ ସେତିକି ସୁଖ ସେ ପାଏ । କହ, ପାରିବୁ ? ଏତିକି ତୋ ତୁଣ୍ଡରୁ ଶୁଣିଲେ ମୁଁ ଖୁସି ହେବି ।

 

ମତେ ତୁନି ଦେଖି ତାର ଶୁଖିଲା ଆଖି ପତା ଓଦା ହେଲା । ଓଠରେ ହାତ ଦେଇ ପଚାରିଲା, କହ ମା, ପାରିବୁ ?

 

ମୁଣ୍ଡ ହଲାଇ ହଁ ଜଣାଇଲି ।

ବୋଉ ଖୁସି ହୋଇ କହିଲା, ରଘୁଆ ହାତରେ ସୁର କେତେ ଚିଜ ପଠାଇଛନ୍ତି, ଦେଖିବୁ ଆ.....

 

ସବୁ ଦେଖିଲି । ମନରେ ଆନନ୍ଦ ଆସିଲା । ଯାହା ସେ ପଠାଇଛନ୍ତି, ସବୁ ମୋର । ମୁଁ ନିରାଶ୍ରୟା, ବାଟର ଅନାଥା ନୁହେଁ । ମୋର ଭଲ ମନ୍ଦ ବୁଝିବାକୁ, ମତେ ମୋର କହିବାକୁ ସଂସାରରେ ଜଣେ ଅଛନ୍ତି । ଆଉ ମୋର ଦୁଃଖ ନାହିଁ ।

 

ମୋର ଆଗ୍ରହ ଓ ଆନନ୍ଦ ଦେଖି ବୋଉର ମନ ପୂରିଉଠୁଥାଏ । ସୁନ୍ଦର ରଙ୍ଗୀନ୍‌ ମିଲ୍‌ଶାଢ଼ୀଟି ମୋ ହାତକୁ ଦେଇ କହିଲା– କାଲି ଭଲ ଦିନ, ମନେ ରଖ, ଆକୁ ପିନ୍ଧିବୁ । ମୋ କଥା ନମାନି ଅବାଧ୍ୟ ହେଲୁ ବୋଲି ଏତେ କଷ୍ଟ ସିନା ପାଇଲୁ ମା !

 

ବୋଉ ଆଗରେ ମୋର ନିର୍ବୋଧତା ମୁଁ ସ୍ୱୀକାର କଲି । ସେଦିନ ରାତିରେ ହାଟ ଫେରନ୍ତି ସୁରଙ୍କ ପ୍ରତି ଯେଉଁ ବ୍ୟବହାର କରିଥିଲି, ତାର ଫଳରୁ ଏତେ କାଣ୍ଡ ଘଟିଗଲା ।

 

ବୋଉ କହିଲା, ମୁଁ ଏଥର ନିଶ୍ଚିନ୍ତରେ ମରିବି ତୁଳସୀ ।

ହସି ହସି କହିଲି, ମରିବୁ ଯଦି ଆମର ସୁଖ ଆନନ୍ଦ ଦେଖି ଆଉ ଖୁସି ହେବାକୁ ରହିବ କିଏ ? ଦୁନିଆ ଲୋକେ ଟାହି ଟାପରା କରିବେ । ଯେଉଁମାନେ ପାପ ଆଖିରେ ମୋ ଆଡ଼କୁ ଚାହୁଁଥିଲେ, ମତେ ପାଇବେ ବୋଲି ଲୋଭିଲା ହାତ ବଢ଼ାଇଥିଲେ, ମତେ ଦୟା ଦେଖାଇବାକୁ ପ୍ରସ୍ତୁତ ଥିଲେ, ମୋ ସୁଖ ଦେଖିଲେ ସେମାନେ ଖୁସି ହେବେ ନାହିଁ । ତୁ ମରିବୁ ନାହିଁ ବୋଉ, ବଞ୍ଚିବୁ, ସୁରଙ୍କୁ ଓ ମତେ ତୋର ସେବା କରିବାର ସୁଯୋଗ ଦେବୁ, ଭଲମନ୍ଦ ବୁଝାଇ କହିବୁ ।

 

ମନୁଆ ପାଖକୁ ଆସିଲା । ତାକୁ କାଖ କରି ତା ମୁହଁରେ ବୋକ ଦେଲି । ସେ କହିଲା, ଦାଦା ମୋ ପାଇଁ ଜାମା ଦେଇଛି, ଦାଦା କେବେ ଆସିବ ?

 

ଆଉ ଥରେ ଗେଲ କରି କହିଲି, କାଲି ଆସିବ ।

ବୋଉ ଟିକେ ଗମ୍ଭୀର ହୋଇପଡ଼ିଥିଲା । ହଠାତ୍‌ କହି ଉଠିଲା– ତୋ ପରି ଏଡ଼େ ଖୋଲା ହେଲେ, ଦିନ ଭଲରେ କଟିବ ନାହିଁ । ଜାଣିଛୁ, ଲୋକେ କେତେ କଥା ମନରେ ଧରି ଆଖି ବୁଜନ୍ତି । ପୋଡ଼ି ଜଳି ମଣିଷ ପାଉଁଶ ହୁଏ, ମାଟିରେ ମିଶେ, ତଥାପି କେତେ ଆଶା ତାର ଅପୂରଣ ରହେ । ତା ସଙ୍ଗେ ସଙ୍ଗେ ଲୋପ ପାଏ, ଆଉ କେଇ ଜାଣନ୍ତି ନାହିଁ, ଜାଣିବା ଉଚିତ ନୁହେଁ ।

 

କେଉଁ କଥାକୁ ଉପଲକ୍ଷ୍ୟ ଦେଇ ସେ କହିଲା ମୁଁ ବୁଝିପାରିଲି ନାହିଁ । ପଚାରିଲା ଆଖିରେ ତା ଆଡ଼କୁ ଅନାଇ ରହିଲି ।

 

ମନ କଥା ବୁଝିଲା । ଦରହସିଲା ହୋଇ କହିଲା– ଓଲମିଟା ! ଆଲୋ, ସଂସାରରେ ଆତଯାତ ହୋଇ, ରକ୍ତ ମାଂସର ଧିଅ, ଆଉ ଯୁବା ବୟସରେ ନିଆଁ ଛାତିରେ ଧରି ପାଞ୍ଚଟାଙ୍କ ସଙ୍ଗେ ମିଶିଲେ ମନରେ କେତେବେଳେ କେଉଁ ଭାବ ଆସେ; ଅସାବଧାନ ବେଳରେ ଗୋଡ଼ ବି ଖସିଯାଏ । ପାଞ୍ଚମନ ପଚିଶ ପ୍ରକୃତି ତମ ଆଡ଼କୁ ଟାଣିହୋଇ ଆସନ୍ତି । କୋଉଠି ମଣିଷ ହାରେ, କେଉଁଠି ମାନ ରକ୍ଷା କରି ମଣିଷ ପଛେଇଆସେ । ଏ ସବୁ ନିଜର ଭୁଲ କେବେ ଅନ୍ୟ ଆଗରେ ଖୋଲିବାର କଥା ନୁହେଁ ।

 

ପ୍ରତିବାଦ କରି କହିଲି, ଯାହାକୁ ଜୀବନସର୍ବସ୍ୱ କରି ଗ୍ରହଣ କରିବି, ଯାହାକୁ ନେଇ ଘର କରିବି, ତା ପାଖରେ ଭୁଲଭ୍ରାନ୍ତି ଖୋଲି ନକହିବା ଅପରାଧ ହେବ । ନିଜର ଭୁଲ ପାଇଁ ଅନୁତାପ କରି କ୍ଷମା ଚାହିଁଲେ, ସେ ନିଶ୍ଚୟ କ୍ଷମା କରିବେ । ଏହା ଯଦି ନ କରାଯାଏ, ଦୁଇଟା ମନ ସବୁବେଳେ ଏକ ହେବ ନାହିଁ ।

 

ଆଲୋ ପାଗଳି, ଦୁଇଟା ମନ ସବୁବେଳେ ଦୁଇଟା ରହେ, ଏକା ହୋଇପାରେ ନାହିଁ । ତା ହେଉଥିଲେ ଭଗବାନ ଦୁଇଟା ଦେହ ଗଢ଼ିନଥାନ୍ତେ । ସୃଷ୍ଟି ପାଇଁ ଯେପରି ଦୁଇଟା ଦେହ ମିଶେ, ପୁଣି ଅଲଗା ହୁଏ, ସୁଖରେ ସଂସାର କରିବାକୁ ହେଲେ ସେମିତି ଦୁଇଟା ମନ ଯେଉଁଠି ଯେତେବେଳେ ମିଶିବାର କଥା, ମିଶାଇ ଏକ କରିବାକୁ ହୁଏ, ପୁଣି ଅଲଗା ହୁଏ ।

 

ଲୁଚାଇଲେ ଅପରାଧ ହେବ, ମୁହଁକୁ ଚାହିଁଲେ ଅକୃତଜ୍ଞ ବୋଲି ପେଟ ଭିତରେ ଘାଣ୍ଟିହେଉଥିବ ।

 

ଯାହା କହିଲେ ନିଜ ଲୋକର ମନରେ ଦୁଃଖ ଆସିବ, କ୍ଷମା କଲେ ମଧ୍ୟ ସହାନୁଭୂତିରେ ଗତ କଳଙ୍କର ପୋଡ଼ା ପାଉଁଶକୁ ଫୁଙ୍କି ଉଡ଼ାଇଦେଲେ ମଧ୍ୟ, ଦାଗ ରହିଯାଏ । ବେଳେ ବେଳେ ମନ ସେହି ଦାଗ କି ସେହିପରି ଆଉ ଦାଗ ଖୋଜିବାକୁ ଧାଇଁଯାଏ । ମନ ଫେରୁ, ନପାଉ, ତଥାପି ସନ୍ଦେହରେ ଜହ୍ନ ରାତିରେ ବି ଭୂତ ଦେଖେ ।

 

ପଚାରିଲି, ତେବେ ?

କିଛି ନକହି ନିଜେ ଅନୁତାପ କଲେ ଭଲ । ସୁରକୁ ନେଇ ସଂସାର କରିବାକୁ ଯାଉଛୁ । ଯେଉଁଦିନ ତୁ ତାର ସ୍ତ୍ରୀ ହେବୁ, ସେହି ଦିନଠୁ ତୁ ତୋର ଗତ କଥା ଭୁଲିଯିବୁ । ଘର କରଣା ଭିତରେ ଯେପରି ଭୁଲଭ୍ରାନ୍ତି ନହୁଏ, ସେଥିକି ସାବଧାନ ! ଯଦି କେବେ ଭୁଲ ହୁଏ...ତ ନିଜେ ଅନୁତାପ କର, ଭବିଷ୍ୟତ ପାଇଁ ସାବଧାନ ହୋଇ ଗୋଡ଼ ଚିପି ଚାଲ । ନିଜ ଦୁର୍ବଳତା ଖୋଲି ଦୁହିଁଙ୍କ ମନରେ ଖଟକା ଆଣିବା ପ୍ରୟୋଜନ ନାହିଁ ।

 

ସେ କହିବାକୁ ଲାଗିଲା, କାଲି ସୁରର ହାତ ଧରି ଯିବୁ, କାହିଁକି ତା ମନରେ ଧାରଣା ଦେବୁ ଯେ ଦାଣ୍ଡର ପାଞ୍ଚ ଲୋକ ତୋ ଆଡ଼କୁ ଚାହିଁଥିଲେ, ହାତ ବଢ଼ାଇଥିଲେ ? ତୋ ଉପରେ ଯେତେ ବିଶ୍ୱାସ ଥିଲେ ମଧ୍ୟ ତା ମନରେ ପ୍ରଶ୍ନ ଉଠୁଥିବ, ଏତେ ଲୋକଙ୍କର ଆଖିଠାରୁ ସତେ ଇଏ ଏଡ଼ିଦେଇ ପାରିଛନ୍ତି ? ଯେତେ ସଫେଇ ଦେଲେ କି ରାଣନିୟମ ପକାଇଲେ ବି ମନରେ ସନ୍ଦେହ ବସାବାନ୍ଧି ରହେ । ସବୁଠୁଁ ଭଲ ତୁନି ରହିବା, ନିଜ ସ୍ନେହରେ ବାନ୍ଧି ରଖିବା, ବୁଝିଲୁ ମା ?

 

ମୁଣ୍ଡ ହଲାଇ ହଁ ଭରିଲି । ଲାଜରେ ସଢ଼ି ଯାଉଥାଏଁ । ଭାବିଲି, ବୋଉ ସବୁକଥା ଜାଣେ-

•••

 

୩୦

 

ଆଜି ସୁର ଆସିବେ । ଆନନ୍ଦରେ ମନ ଭରିଉଠୁଥାଏ । ସୁର ଆସିବେ, ମୁଠିଏ ସନ୍ତୋଷ କରି ତାଙ୍କୁ ଖାଇବାକୁ ଦେବାକୁ କାମ କାର୍ଯ୍ୟରେ ମନ ପ୍ରାଣ ଢାଳିଦେଉଥାଏ । ଆହା, ଯେଉଁଦିନୁ ତାଙ୍କ ଘରୁ ଗୋଡ଼ କାଢ଼ି ଆସିଲି, ସେଇଦିନରୁ ଆଜିଯାଏ ଭଳକରି ମୁଠାଏ ସେ ଖାଇନାହାନ୍ତି ।

 

ବୋଉ ଆସି କହିଲା– ଆଲୋ ଝିଅ, ବେଳ ଦିପହର ହେଲାଣି, କେତେବେଳେ ଆଉ ଗାଧେଇବୁ ? ମୁଣ୍ଡଟା ବେତା ପରି କରିଛୁ, ଆଇଲୁ, ଆ.....

 

ମୋର କାମ ସରିଥିଲା । ବୋଉର କୁହା ମାନି ଗଲି । ଥରିଲା ଥରିଲା ହାତରେ ନିଜେ ସେ ମୋ ମୁଣ୍ଡ ବାନ୍ଧିଦେଲା । କହିଲା– ଯା, ସହଳ ସହଳ ଗାଧେଇ ଆ, ଲୁଗାରେ ମୁଁ ହଳଦୀ ଦେଇ ରଖିଛି ।

 

ମନୁଆକୁ ବୋଉ ପାଖରେ ରଖି ପୋଖରୀକୁ ଗାଧୋଇଗଲି । ଲାଜ ଲାଜ, ଡର ଡର ମାଡ଼ୁଥାଏ । କିଏ କାଳେ କଅଣ କହିବ ?

 

ପୋଖରୀ ଘାଟ ପ୍ରାୟ ଶୂନ୍‌ଶାନ, ଏକା ମାଇପିଟିଏ ଗାଧୋଉଛି । ପାଖକୁ ଯାଇ ଚିହ୍ନିଲି, ରାଜି ବୋଉ ଖୁଡ଼ୀ ।

 

ମୋତେ ଚାହିଁ ମୁଡ଼ୁକି ହସି ପଚାରିଲା– କିଲୋ, ଆଜି ହାଟକୁ ଯିବୁ କି ? ମଲା, ଆଜି ତ ହାଟପାଳି ନୁହେଁ.....

 

ମୋ ଦେହରେ ସତେକି ଛୁରୀ ଚାଲିଗଲା । ପାଣି ଭିତରକୁ ପଶି ତା ଆଡ଼କୁ ଫେରିଚାହିଁ, ମୁହଁ ମୋଡ଼ି କହିଲି, ମୋ ଶିରୀ ତୁ କାହିଁକି ଦେଖିପାରୁନାହୁଁ ଲୋ, ତୋର ମୁଁ ଖାଏ ନା ଧାରେ ?

 

ସଂସାରରେ କିଏ କାହାରି ଖାଏ ନା ଧାରେ ଲୋ ? ନୂଆ କଥା, ନୂଆ ଢଙ୍ଗ ଦେଖିଲେ ବାଟର ବାଟୋଇ ହେଲେ ପଦେ ପଚାରିଦିଏ । ହାତରେ ଶଙ୍ଖା, ଆଖିରେ କଜଳ କି ମୁଣ୍ଡରେ ସିନ୍ଦୁର ଯାହାର ନାହିଁ, କେଉଁ ଗରବରେ ସେ ମୁଣ୍ଡ ବାନ୍ଧିବ, ସାବୁନରେ ଧିଅ ମାଜିବ ? ମଲା ମୋର, ଭଲ କଥାକୁ ମୁହଁ ଛାଟୁଛୁ ?

 

ତାକୁ ଚିଡ଼ାଇବାକୁ କହିଲି, ହାତରେ ଶଙ୍ଖା କି ଆଖିରେ କଜଳ ନାଇବାକୁ କିଏ ମନା କରିବ ? ଯାହା କଥା ଯିଏ ଜାଣେ ।

 

ସେଇ କଥା ତ ମୁଁ ପଚାରୁଛି ଲୋ ଝିଅ, ତୁ ଚିଡ଼ୁଛୁ କାହିଁକି ? ନୂଆଘର କରିବାକୁ ଗଲେ, ନୂଆ ମଣିଷ ହେବାକୁ ହେବ । କୋଉଠି ଲୋ ତୁଳସୀ ?

 

ବଳେ ଜାଣିବ ଯେ ।

କହୁନୁ ?

ବୋଉ ମନା କରିଛି ।

 

ହଉ, ଠାକୁରେ ଭଲ କରନ୍ତୁ । କେତେ କଷ୍ଟ ପାଇଲୁଣି । ବୟସ ଅଛି, କାଲିକାର ପିଲାଟା । ତୋ ବୟସର କେତେ ପର ଘରକୁ ଯାଇନଥିବେ ! ଆଲୋ ଝିଅ, ଶଙ୍ଖା ସିନ୍ଦୂର ଯେଉଁଦିନ ନାଇବୁ ତ ନାଇବୁ, ହାତରେ ଦି’ପଟ କାଚ, ଆଖିରେ ଦି’ଗାର କଜଳ ପିନ୍ଧିଲେ କିଛି ଦୋଷ ନାହିଁ । ବାପଘରେ ଝିଅ, କାଲି ଯେମିତି ଥିଲୁ, ଆଜି ସେମିତି । ପିଲା ବୟସ, ପିଲା ମନ ଯାଇନାହିଁ । ତୋ ଛତରଖାଇ ମାଆଟାର ଅକଲ ନାହିଁ । ପର ମଣିଷ ଆସିବେ, ଏମିତି ଅଭେକା ରୂପ ଦେଖିବେ କାହିଁକି ଲୋ ? ଏଇକଥା ମୁଁ ତାକୁ କେତେଥର କହିଲିଣି ।

 

ତା ମୁହଁକୁ ଚାହିଁଲି । ମନେ ହେଲା, ଯେପରି ସେ ତା’ ପ୍ରାଣର ଖୋଲା କଥା କହୁଛି, ମନରେ ଛନ୍ଦ କପଟ ନାହିଁ ।

 

ନିଜ ହାତରେ ଘଷି ମାଜି ମତେ ସେ ଗାଧୋଇଦେଲା । କହିଲା– ତୁଳସୀ ଲୋ, ତୁ କଅଣ ମୋ ଝିଅ ନୋହୁଁ ? ଏଇଆ ତ ମୁଁ ଖୋଜୁଥିଲି । ଯା, ପରଘରେ ଖୁସିବାସିରେ ସଂସାର କର । ଯୁବା ବୟସ ଧରି ହାଟବାଟରେ ପାଞ୍ଚ ଲୋକଙ୍କ ଆଗରେ ବୁଲିବା ଭଲ ନୁହେଁ ।

 

ରାଜି ବୋଉ ଖୁଡ଼ୀ ପାଖରୁ ମୋର ସବୁ ଦୋଷ ମାଗିନେଲି । ସୁରଙ୍କ କଥା କହିଲି । ସେ ମନ ଦେଇ ସବୁ ଶୁଣିଲା । ମୋ ସଙ୍ଗେ ସଙ୍ଗେ ଆମ ଘରକୁ ଆସିଲା । ବୋଉକୁ ତିଆରି କହିଲା– କିଲୋ, ଯେତିକି ବୟସ ହେଉଛି ବୁଦ୍ଧି ସେତିକି ପୋଡ଼ିଯାଉଛି ପରା । ପିଲାଟାର ହାତରେ କାଚ ଦି’ପଟ ଦେଉନୁ ?

 

ରାଜି ବୋଉ ଖୁଡ଼ୀ ଫେରିଗଲା । ଆଖି ଓଦା କରି କେତେ କ’ଣ କଲ୍ୟାଣ କରି ସେ ଗଲା । କେତେ ଦିନର କେତେ ଅଭିମାନ ରାଗ ରୁଷା ଆଜି ତାର କଟିଲା ।

 

ନୂଆ ଲୁଗା, କାଚ, କଜଳ ପିନ୍ଧି ନିଜକୁ ନୂଆ ମଣିଷ ପରି ଅନୁଭବ କଲି । ଅଇନାରେ ମୁହଁ ଦେଖି ଖୁସି ହେଲି । ଗତ କଥା ସପନ ପରି ଲାଗିଲା । ଭାବିଲି, ସମୟ ପୁଣି ପଛକୁ ଫେରିଆସିଲା । ବାପଘରେ ପର ମଣିଷ ପର ସଂସାର ଜାଣେ ନାହିଁ । ସୁର ଆସିବେ, ଆଜି ଆଉ ସେ କହିପାରିବେ ନାହିଁ ଯେ ଭାଇ ଅଛନ୍ତି । ଯେ ଯାହାର ସେ ତାର । ଭୁଲ ହେବ ନାହିଁ । ଜଣକ ଆଡ଼କୁ ଥରେ ମନ ଯାଇ ପଛେଇ ଆସିବ ନାହିଁ ।

 

ବୋଉ କହିଲା, କେତେବେଳଯାଏ ଚାହିଁ ବସିଥିବୁ ? ସୁର ପାଗଳା ପିଲାଟା, କାମରେ ଲାଗିଥିଲେ ସବୁକଥା ଭୁଲିଯିବ । ସଞ୍ଜକୁ ଆସିବ କି କଅଣ । ଯା, ଖାଇବସ୍ ।

 

ମୋର ମନ ମରିଗଲା । ଯାହାଙ୍କ ପାଇଁ ଏତେ ଯତ୍ନରେ ରାନ୍ଧି ରଖିଛି, ତାଙ୍କ ତୁଣ୍ଡରେ ନବାଜିଲେ ପାଟିକି ଯିବ କିପରି ? ବୋଉକୁ ଉତ୍ତର ନଦେଇ ଦାଣ୍ଡକୁ ଆସିଲି । ଯେତେଦୂର ଯାଏ ଆଖି ଯିବ, ଚାହିଁଲି, ଗହୀର ଶୂନ୍‌ଶାନ୍ ।

 

ଗାଁ ସାହିଆଡ଼ୁ ପିଲାଟିଏ ଆମରି ଘର ଆଡ଼କୁ ଦଉଡ଼ି ଦଉଡ଼ି ଆସୁଛି । ଚାହିଁ ରହିଲି । ପାଖକୁ ଆସି ସେ ମୋ ଆଗରେ ଠିଆହେଲା ।

 

ବୋଉ ପଛରୁ ଆସି କହିଲା– ଆଉ ଡେରି କର୍‌ନା । ମନୁଆ ଶୋଇଛି, ଏତିକିବେଳେ କାମ ସାରିନେ । ସୁର ଏବେଳା ଆସିବ ନାହିଁ ।

 

କହିଲି, ଯାଉଛି ବୋଉ, ଧଡ଼ିଆ କଅଣ କହୁଛି ଶୁଣ ।

କଅଣ କିରେ ଧଡ଼ିଆ ?

 

ଧଇଁସଇଁ ହୋଇ କହିଲା– ଜେମି ଆଈ ଘଡ଼ି ଘଡ଼ି ମୋହ ଯାଉଛି । ଚେମା’ଇ, ବଇଦ, ଆଉସବୁ କେତେ ଲୋକ ତା ପାଖରେ ଅଛନ୍ତି । ଚେତା ହେଲେ ଏଣିକି ତେଣିକି ଚାହିଁ ଖାଲି ତୋରି ନାମ ଧରି ଡାକୁଛି । ଚେମା’ଇ କହିଲା– ଯା, ତୁଳସୀ ଅପାକୁ ଡାକିଆଣିବୁ । ଜଲ୍‌ଦି ଆ ।

 

ତାର କଅଣ ହୋଇଛି ?

କେତେଦିନ ହେଲା ଜର ହୋଇଥିଲା । କାଲି ରାତିରୁ ଦେହ ବେଶି ଖରାପ । ବଇଦ କହୁଛି, ବୁଢ଼ୀ ଆଉ ଠାକିବ ନାହିଁ ।

 

ସତେ ?

ହଁ, ତୁ ଆ ପଛରେ । ମୁଁ ଯାଉଛି ।

ଧଡ଼ିଆ ଦଉଡ଼ି ଦଉଡ଼ି ଚାଲିଗଲା ।

ବୋଉ କହିଲା– ଯିବୁ ଯଦି ମୁଠାଏ ଖାଇଦେଇ ଯା ।

 

ତର ତର କରି ଭାତ ଖାଇଲି । ଧଡ଼ିଆର କଥା ମନେ ମନେ ଗୁଣିହେଉଥାଏ, ଜେମି ଆଈ ମତେ ଦେଖିବାକୁ ଏପରି ଉଚ୍ଛନ୍ନ ହେଉଛି କାହିଁକି ?

 

ଡେରି ନକରି ବାହାରିଲି ।

ଅଧାବାଟରେ ଚେମା’ଇ ସଙ୍ଗେ ଦେଖାହେଲା । ତାର ମୁହଁ ଶୁଖିଯାଇଛି । ମୋତେ ଦେଖି ତାର ଶୁଖିଲା ମୁହଁ ଆଉରି ମଉଳିଗଲା ।

 

ପଚାରିଲି, ଜେମି ଆଈର କଅଣ ହୋଇଛି କି ?

ଶୁଖିଲା ଓଠରେ ହସ ଖେଳାଇ କହିଲା, ସେପୁରରୁ ଡାକରା ଆସିଛି । ବୁଢ଼ୀ ଯିବାକୁ ନାରାଜ । ତତେ ନଇଲେ ମତେ ସାଙ୍ଗରେ ନନେଲେ ସେ ଯିବ ନାହିଁ । ବେଶୀ ଜିଗର କଲାରୁ ମୁଁ ନିଜେ ତତେ ଡାକିବାକୁ ଯାଉଥିଲି । ଚାଲ୍‌ ଜଲ୍‌ଦି ।

 

ଜର ହୋଇଥିଲା ?

ଆଲୋ ନାଇଁ, ସେ ଦିନ ସଞ୍ଜବେଳେ ତୋ ପାଖରୁ ଫେରି ସବୁକଥା ତାକୁ କହିଲି । ଶୁଣି ଶୁଣି ତତେ ଆଉ ମତେ ମନ ଇଚ୍ଛା ଶୋଧିଲା । କହିଲା– ଆଉ ସେ ଉଠିବ ନାହିଁ କି କାହାକୁ କିଛି କହିବ ନାହିଁ । ଦୁଇଦିନ କାଳ କାନ୍ଦିଲା । ସେଇଠୁ ହେଲା ଜର, ସେଇଠୁ ଏ ଦଶା । ତାର ଆଶା ଥିଲା, ତୁ ନିଶ୍ଚେ ତା ପାଖକୁ ଆସିବୁ, ନାହିଁ କରିବୁ ନାହିଁ ।

 

ଚେମା’ଇ ତୁନି ହେଲା । ଭରସିକରି ମୁଁ କିଛି କହିପାରିଲି ନାହିଁ ।

କିଛିଦୂର ଗଲା ପରେ ଥଙ୍ଗେଇ ଥଙ୍ଗେଇ କହିଲି– ତେମେ ଭୁଲ କରିଛ ଚେମା’ଇ, ତମର ବାହା ହେବା ଉଚିତ ଥିଲା ।

 

ଉଚିତ ଥିଲା, କିନ୍ତୁ ବେଳ ଗଡ଼ିଯାଇଛି । ଆଈ ଆଜି ମରିବାକୁ ଯାଉଛି । ଏଇ ଦୁଃଖ ମନରେ ଧରି ସେ ଯିବ ଯେ, ଏତେ କାଳର ବଂଶଟା ମୋରିଠଉଁ ବୁଡ଼ିଯିବ । ଯେତେ ବୁଝାଇଲେ ସେ ବୁଝିଲା ନାହିଁ । କହିଲା, ମୁଁ ତାଙ୍କୁ ଭୁଲାଉଛି । ତୋ ଆଗରେ ମୁଁ ପ୍ରସ୍ତାବ କରିଥିଲି ଆଉ ମନାକରିଥିଲୁ, ଏକଥା ସେ ବିଶ୍ୱାସ କଲା ନାହିଁ । ମୁହଁ ଖୋଲି ଯଦି କେବେ ତା ମନର ସନ୍ଦେହ କଥା ମୋ ଆଗରେ କହିଥାନ୍ତା, ମୁଁ ନିଶ୍ଚୟ ତତେ ଡାକିଆଣି ତା ଆଗରେ ଠିଆ କରିଥାନ୍ତି। ମରିବା ଆଗରୁ ତୋ ମୁହଁରୁ ସେଇ କଥା ସେ ଶୁଣିବାକୁ ଚାହେଁ ।

 

ମୋ ମୁହଁରୁ ‘ନାହିଁ’ ଶୁଣିଲେ.....

‘ନାହିଁ’ ଶୁଣୁ କି ‘ହଁ’ ଶୁଣୁ । ବଇଦ ମତରେ ଏ ଯାତ୍ରାରୁ ଉଦ୍ଧାର ପାଇବା ସମ୍ଭବ ନୁହେଁ । ତେବେ ଆଖିରେ ଲୁହ ଭରି ଯିବ କି ଓଠରେ ହସ ରଖି ଯିବ ସେତିକି ହେଉଛି ଏବକାର ଭାବନା ।

 

ତୁମେ ସଂସାର କରିବ – ଏ କଥା ଜାଣିଲେ ସେ ଶାନ୍ତିରେ ଆଖି ବୁଜିବେ । ତୁମେ ବିବାହ କରିବ ବୋଲି ଆଈଙ୍କୁ କହିଦେଉନ.....

 

ସେ ବିଶ୍ୱାସ କରିବ ନାହିଁ । ନିଜ ଆଖିରେ ମତେ ସଂସାରୀ ଦେଖିବାକୁ ସେ ଚାହେଁ ।

କଥାର ସୁଅ ବଦଳାଇ ଚେମା’ଇ ପଚାରିଲା, ସୁର ଆସିଛି କି ?

ମତେ ଲାଜ ମାଡ଼ିଲା । ଜବାବ ଦେଇପାରିଲି ନାହିଁ ।

 

କହିଲା– ତୁଳସୀ, ମୋ ପାଖରେ ତୁ ଲାଜ କରୁଛୁ ? ଆଈ ଯାହା ଜାଣେ, ତୁ କଅଣ ତାହା ଜାଣୁ ନାହୁଁ ? ସେ ଜାଣେ, ମୁଁ ତୋ ଛଡ଼ା ଅନ୍ୟ କାହାକୁ ବାହା ହେଇପାରିବି ନାହିଁ । ପିଲାଦିନର ରାଜାରାଣୀ ଖେଳ, ଘରକରଣା, ମିଛିମିଛିକା ସଂସାର କଥା ମନେ ପଡ଼ୁଛି । ତୁ ଥିଲୁ ପିଲା, ତୋ ମନରେ ତାର ପ୍ରଭାବ ପଡ଼ିନଥିଲା । ଭାବିଥିଲି ମୋ ମନରେ ମଧ୍ୟ ଗାର ଟାଣିନଥିଲା । ପିଲାଦିନୁ ସବୁ ଖେଳ କୌତୁକ କଥା ତା ଆଗରେ ଖୋଲି କହିଆସିଥିଲି । ଯେଉଁଦିନ ତୁ ପରଘରକୁ ଗଲୁ, ସେଇଦିନ ମୁଁ ବୁଝିଲି, ମୋ ଛାତି ଭିତରେ ପିଲାଦିନର ଖେଳ ଗହୀଡ଼ା ଗାର ଟାଣିଦେଇଥିଲା । ତୁଳସୀ, ସ୍ୱପ୍ନରେ ତୋତେ ମୁଁ ମୋର କରିନେଇଥିଲି । ଆଖି ଖୋଲିଲେ ତୋର ଭଲ ଛଡ଼ା କେବେ ମନ୍ଦ ମନାସିନାହିଁ । କାଲି ତୁ ବିଧବା ହେଲୁ, ତୋ ଦୁଃଖରେ ମୁଁ ଦୁଃଖୀ ହେଲି । ଆଉଥରେ ସଂସାର କରିବାକୁ ମନ କଲୁ ଜାଣି ମୁଁ ଆହୁରି ଖୁସି ହେଲି । ତୋର ସୁଖ ଆନନ୍ଦ ମୁଁ ଦେଖିବାକୁ ଚାହେଁ, କାରଣ ଛାତି ଭିତରେ କେଜାଣି ବା ଏ ଦେହର ବାହାରେ ତତେ ମୁଁ ନିଜର ଗୋଟିଏ ଅଂଶ ବୋଲି ମନେକରେ । ତୋ ଭିତରେ ଓ ମୋ ଭିତରେ ଆଉ କାହାରି ଛବି ଆସିପାରେ ନାହିଁ । ତୁ ଅନ୍ୟ ସଂସାର କଲେ ମୁଁ ଭାବିବି ସତେକି ମୋର ଗାଈଟା ଆଉ କାହା ଗୁହାଳରେ ବନ୍ଧା ହୋଇଛି – ଥାଉ – ଭଲରେ ଥାଉ ମୋରି ଗାଈ । ଆଈ ଏ କଥା ଶୁଣିଥିଲା, ମନେମନେ ଗୁଣି ହେଉଥିଲା । ସେଦିନ ସଞ୍ଜବେଳେ ତୋ ପାଖକୁ ମତେ ସେଥିପାଇଁ ସେ ପଠାଇଥିଲା ।

 

ମୋର ଦୁଇ ଆଖି ଲୁହରେ ଭରିଯାଇଥିଲା । ମୁଁ ଅଧ ବାଟରେ ଅଟକିଯାଇ କହିଲି– ଚେମା’ଇ ତମ କଥା ମୁଁ ବିଶ୍ୱାସ କରୁଛି । ତମ ମନରେ ଯଦି ଏହା ଥିଲା ତ ଆଗରୁ କହିଲ ନାହିଁ କାହିଁକି ? ତମରି ଗୋଡ଼ତଳେ ନିଜକୁ ସମର୍ପିଦେବାର ଆଶା ଓ ଆଗ୍ରହ ମୋ ମନରେ ଥରକୁ ଥର ଆସିଥିଲା । ମୁହଁ ଫିଟିନଥିଲା । ତଥାପି, କେତେ ଥର ମୁଁ ପ୍ରକାରାନ୍ତରେ ସେ କଥା ତମକୁ ଜଣାଇଦେଇଥିଲି । ତମେ ସବୁଦିନ ପରି ଥଟା ନକଲ କରି ମୋ ଆଗ୍ରହକୁ ଦୂରେଇଦେଇଛ । ମନରେ ମୋର ଦୁଃଖ ଓ ଅଭିମାନ ଆସିଲା । ଭାବିଲି, ଚେମା’ଇର ମନରେ ଦୁଃଖ ଦେଇ ଅନ୍ୟ ସଂସାର କରିବାକୁ ମୁଁ ଗଲି; ଫେରି ଆସି ହତାଶ ହେଲି । ସେ ସଂସାର ମୋର ପୋଡ଼ି ଜଳି ଗଲା । ମୁଁ ପିଲାର ମା, ମୁଁ ବିଧବା, ଚେମା’ଇ ମତେ ଘୃଣା କରେ, ଆମର ରାଜାରାଣୀ ଖେଳ ତ ସପନ ହୋଇଥିଲା, ଏବେ ହେଲା ସାତ ସପନ । ସେଥିପାଇଁ..... ସେଥିପାଇଁ.....

 

ଆଉ କହିପାରିଲି ନାହିଁ ।

ଆଖି ଛଳଛଳ କରି କହିଲା, ମୁଁ ନିର୍ବୋଧ, ତୋ ମନ କଥା ମୁଁ ବୁଝିପାରିନଥିଲି । ତୋ ମନରେ ଆଘାତ ଦେବି ନାହିଁ ବୋଲି ମୋ ମନର କଥାକୁ ତୋ ଆଗରେ ଓଲଟାଇ କହିଛି । ହୁଏତ ତୁ ବୁଝିବୁ ପରିହାସ । ଖୋଲି କହିବାକୁ ସାହସ କରିନାହିଁ । ଦୂରେଇଆସି ମଧ୍ୟ ତୋ ପଛରେ ମୋ ମନଟାକୁ ଗୋଡ଼ାଇବାକୁ ଛାଡ଼ିଦେଇଛି ।

 

ଲୁହ ପୋଛି କହିଲି– ସେଦିନ ସଞ୍ଜବେଳେ ତମେ ସବୁ କଥା ଖୋଲି କହିଲ ନାହିଁ କାହିଁକି ?

 

ତୋ ସଙ୍କଳ୍ପରେ ବାଧା ଦେବାକୁ ମୋର ଇଚ୍ଛା ହେଲା ନାହିଁ । ସୁରକୁ ତୁ ବିବାହ କରି ସୁଖରେ ରହିବୁ, ସେଥିରେ ମୋର ଆନନ୍ଦ ।

 

ତୁନି ହୋଇ ଦୁହେଁ ଖଣ୍ଡେଦୂର ଚାଲିଗଲୁ । ଛାତିରେ ଦୁଇଟା ଭାବର ଟଣାଓଟରା ଲାଗିଥାଏ । ଗୋଟିଏ ଆଡ଼େ ସୁର, ଅନ୍ୟ ଆଡ଼େ ଚେମା’ଇ । ଦିହେଁ ମତେ ଭଲପାଆନ୍ତି, ଦୁହିଙ୍କୁ ମୁଁ ଭଲପାଏଁ, ବିଶ୍ୱାସ କରେ । ଜଣକର ହାତ ଧରି ସଂସାର କରିବାକୁ ଗଲେ ଆର ଜଣର ମନ ଭାଙ୍ଗିଯିବ । ଜଣକୁ ତ ବାଛିନେବାକୁ ହେବ । ମୋର ପିଲାଟିର ସ୍ୱାର୍ଥ ଦେଖିବାକୁ ଗଲେ, ସୁରଙ୍କ ହାତ ଧରି ଯିବା ଭଲ ।

 

ଏ ଦୁନିଆରେ ଜଣକ ଉପରେ ଶହେ ଲୋକଙ୍କର ଆଖି ପଡ଼େ, ମନ ଟାଣିହୋଇଆସେ, କଲବଲ ହୁଏ – ତା’ ବୋଲି ତ ସ୍ତ୍ରୀ ହେଉ, କି ପୁରୁଷ ହେଉ, ଶହେ ଜଣଙ୍କୁ ନେଇ ଘର କରିବ ନାହିଁ । ଶହେ ଜଣଙ୍କର ମନର ତାପ ଲିଭାଇବ ନାହିଁ ! ଜଣକୁ ଜଣେ, ଏହା ତ ସଂସାର କଥା । ଅନ୍ୟମାନଙ୍କୁ ତାଙ୍କର ମନର ମଣିଷ ଅନ୍ୟଠାରେ ଖୋଜିବାକୁ ହେବ । ଝୁରି ମରିବା ଦୁର୍ବଳତା ଓ ଓଲାମି ।

 

ଏଇସବୁ କଥା ଚେମା’ଇକୁ କହିଲି । ସେ ତୁନି ହୋଇ ସବୁ ଶୁଣିଥିଲା । କିଛି ଉତ୍ତର ଦେଲା ନାହିଁ । ମୋର ମନେହେଲା, ଯେପରି ସେ ମୋର ସବୁ କଥା ଠିକ୍ ବୋଲି ଗ୍ରହଣ କଲା ।

 

କହିଲି– ଲୋକେ ଭାବନ୍ତି ଦଇବର ଘଟସୂତ୍ର, ଯାହା ହାଣ୍ଡିରେ ଯିଏ ଚାଉଳ ପକାଇଛି ବାନ୍ଧି ଭୋଗତମାନ ହେବ । ମୁଁ ଦିନେ ଏହା ବିଶ୍ୱାସ କରୁଥିଲି । ପରେ ମୋ ଧାରଣା ବଦଳିଲା । କେତେବେଳେ କଅଣ ଘଟିଯାଏ ଚେମା’ଇ, ମଣିଷର ଆଗତୁରା ଜାଣିବା ସମ୍ଭବ ନୁହେଁ । ଘଟଣା ଉପରେ ମଣିଷର ଚାରାନଥାଏ । ଘଟିଲା ଘଟଣାକୁ ଝୁରିହେବା ସାର ହୁଏ, ମଣିଷ ଦୁଃଖ ପାଏ ।

 

ଚେମା’ଇ ହସିଲା । କହିଲା– ଝୁରିବାରେ ଆନନ୍ଦ ଅଛି ତୁଳସୀ, ସଂସାର କରିବାର ଆନନ୍ଦରୁ ସେ ଆନନ୍ଦ ଊଣା ନୁହେଁ । ଦୁର୍ବଳତା କହ, କି ଓଲାମି କହ, ଝୁରିବାକୁ ଆନନ୍ଦ ଯେ ବୁଝେ ସେ କାହିଁକି ଅନ୍ୟ ସଂସାର କରିବ ? ଯାଉ ସେ କଥା । ମୁଁ ତତେ ଗୋଟିଏ ଅନୁରୋଧ କରିବି, ତୋ ପ୍ରତି ମୋର ସବୁ ସ୍ନେହର ବଦଳରେ, ମୋର ଅନୁରୋଧ ତତେ ଥରଟିଏ ରଖିବାକୁ ହେବ ।

 

ମୁଁ ତୁନି ରହିଲି ।

ସେ କହିବାକୁ ଲାଗିଲା– ଶେଷ ବେଳରେ ଚେମି ଆଈର ଓଠରେ ହସ ଦେଖିବାକୁ ମୁଁ ଚାହେଁ । ତୋତେ ହୁଏ ତ ସେ ପଚାରିବ । ତୁ ହଁ ନକହ ପଛେ, ନାହିଁ କରିବୁ ନାହିଁ । ତୋ ମୁହଁର ହସ, ତୋ ନୂଆ ବେଶ, ଆଉ ମୋରି ପାଖରେ ଠିଆ ହୋଇ ତୋର ନୀରବ ଭାବ ଦେଖି ସେ ନିଶ୍ଚୟ ଶାନ୍ତିରେ ଆଖି ବୁଜିବ । ପିଲା ଦିନର ଖେଳ କୌତୁକ ପରି ଏ ବି ଆଜି ହେବ ଆମର ଆଉ ଥରେ ଖେଳ । ତା ପରେ ସୁରକୁ ନେଇ ତୁ ସଂସାର କର ତୁଳସୀ । ଆଉ, ତୋତେ ଝୁରି ସପନରେ ମୁଁ ମୋର ଘରସଂସାର ଗଢ଼ିବି, ମୋର ଗାଈଗୋରୁ ପଲ ମଝିରେ ଘୁମେଇଁ ଘୁମେଇଁ ଶୋଇପଡ଼ିବି-

 

ତା କଥା ଶୁଣି ମୋ ମନରେ ଦୁଃଖ ହେଲା । ତାର ଅଭିମାନରେ ମୋର କଅଣ ଅଛି ? ମିଣିପେ ଏମିତି ଚାଟୁ କଥା କହି ଜାଲରେ ପକାନ୍ତି । ସେଇଠୁ ନେଇ ଖାଳେଇରେ ରଖନ୍ତି । ଯାହାହେଉ, ସୁର ମୋର ଆଗ । ସେ ମନୁଆର ଦାଦି ।

 

ତଥାପି, ଚେମା’ଇ ସଙ୍ଗେ ତା ଘରକୁ ଗଲି ।

ଚେମା’ଇର ଆଶା ରହିଲା ନାହିଁ । ଆମେ ଦିହେଁ ପାଖାପାଖି ହୋଇ ଜେମି ଆଈର ପାଖରେ ଠିଆ ହେଲୁଁ, ମୁଣ୍ଡରେ ଗୋଡ଼ରେ ହାତ ମାରିଲୁ, ଗାଁ ଲୋକେ ଜମା ହୋଇଥାନ୍ତି । ବଇଦ ନାଡ଼ି ଦେଖି କହିଲେ, ଆଉ କାହିଁକି ଯତ୍ନ, ବୁଢ଼ୀର ମୁଦିଲା ଆଖି ଆଉ ଖୋଲିବ ନାହିଁ ।

 

ଚେମା’ଇ ମତେ ଚାହିଁଲା, ମୁଁ ଚାହିଁଲି ତାକୁ । ଦୁହିଙ୍କ ଆଖିରେ ଲୁହ ଢଳ ଢଳ ହେଲା । ଏକ ସଙ୍ଗେ ଦିହେଁ ଲୁହ ପୋଛିଲୁ ।

 

କେତେ ସମୟ ତୁନି ହୋଇ ବସିଲୁ କେଜାଣି, ଘରୁ ସମସ୍ତେ ଚାଲିଯାଇଥିଲେ । ସଞ୍ଜ ମାଡ଼ିଆସୁଥାଏ ।

 

ଚେମା’ଇ ମୁଣ୍ଡ ଟେକି କହିଲା– ଏଥର ତୁ ଯା ତୁଳସୀ, ମୁଁ ନିଶ୍ଚିନ୍ତ ହେଲି । ତୋତେ ଆଉ କେବେ ବିରକ୍ତ କରିବି ନାହିଁ । ଗାଈଗୋରୁ ମେଳରେ ମୋର ଏକୁଟିଆ ଜୀବନ ବେଶ୍ ନିଶ୍ଚିନ୍ତରେ କଟିଯିବ ।

 

ଘରେ ଆସି ପହଞ୍ଚିଲା ବେଳକୁ ସଞ୍ଜ ହୋଇଥିଲା । ଆଖିରୁ ଲୁହ ବନ୍ଦ ହେଉନଥାଏ, ଜେମିଆଈ ପାଇଁ ନୁହେଁ, ଚେମା’ଇ ପାଇଁ ।

•••

 

୩୧

 

ସୁର ଆସିଥିଲେ । ଘରେ ବୋଉ ପାଖରେ ବସି ଗପ କରୁଥିଲେ । ମନୁଆ ଏପାଖ ସେପାଖ ହେଉଥାଏ । ସୁରଙ୍କୁ ଦେଖି ଆନନ୍ଦରେ ମୋର ପେଟ ପୂରିଉଠିଲା । ଜେମି ଆଈର ମରଣ ଆଉ ଚେମା’ଇର ଆଖିର ଲୁହ ମୋ ନୂଆ ଆନନ୍ଦର ପଛପଟେ ଲୁଚିରହିଲା । ଯେଉଁ ସୁରଙ୍କୁ କାଲି ଛୋଟ ଭାଇଟି ପରି ଦେଖିଥିଲି, ତାଙ୍କର ଢଙ୍ଗ ଦେଖି ତାଙ୍କୁ ଅତି ପିଲାଟି ପରି ବ୍ୟବହାର କରୁଥିଲି, ତାଙ୍କର ଆଗକୁ ଯିବାକୁ ଲାଜଲାଜ ମାଡ଼ିଲା, ଗୋଡ଼ ଚଳିଲା ନାହିଁ । ମୋ ଆଖିରେ ସେ କେଡ଼େ ବଡ଼ ଦେଖାଯାଉଛନ୍ତି, ତାଙ୍କ ଆଗରେ ନିଜକୁ ମୁଁ ପିଲାଟିଏ ପରି ଅନୁଭବ କଲି ।

 

ସୁର – ମୋର ସପନ ପ୍ରତିମା – ମୋ ତପସ୍ୟାର ଫଳ । ମନରେ ତାଙ୍କ ବିରୁଦ୍ଧରେ ଯେବେ କେବେ ତୋଫାନ ଉଠିଥିଲା, ସେତକ କେବଳ ତାଙ୍କୁ ପାଇବା ପାଇଁ । ପାଇବାର ଆଗ୍ରହ, ପାଇବାର ମୋହ ଆପେ ଆପେ ତାଙ୍କରି ଆଡ଼କୁ ଧାଇଁଯାଇଥିଲା । ତୁଣ୍ଡ ବାଇଦର କୁହାଟ କେବେ କିପରି ଭାବନାରେ ତୋଫାନ ଅଣାଇଲା, ତାଙ୍କରି ପାଖରୁ ମନଟାକୁ ଘଉଡ଼ି ଦେବାକୁ । ତୁଣ୍ଡବାଇଦ ପଛରେ ରହିଛି, ଦୂରରେ ।

 

ସୁର ଆଜି ଆସିଛନ୍ତି । ବେଳ ବାହୁଡ଼ିଛି ।

ଧୀରେ ଧୀରେ ଘର ଭିତରକୁ ଗଲି । ମତେ ଦେଖି ସୁର ବିଛଣାରୁ ଉଠି ତଳେ ମୁଣ୍ଡ ଲଗାଇ ପ୍ରଣାମ କଲେ ।

 

ଲାଜ ଲାଗିଲା, କେମିତି ଖରାପ ବି ଲାଗିଲା ।

ମନୁଆ ଧାଇଁ ଆସି କୁଣ୍ଡାଇ ଧରି କହିଲା – ମା, ଦାଦା ଆସିଛି ।

 

ତାକୁ କୋଳକୁ ନେଇ ବୋଉ ପାଖରେ ବସିଲି । ମନେ ମନେ ଗୁଣିହେଉଥାଏ – ସୁର ପ୍ରଣାମ କଲେ କାହିଁ କି ?

 

ବୁଝିଲି – ଲୋକ ଦେଖଣା, ପୁରୁଣା ଅଭ୍ୟାସ । ଯେତେଦିନଯାଏ ସେ ମୋ ହାତ ଧରିନାହାନ୍ତି, ସେତେଦିନଯାଏ ମୋ ଦିଅର ।

 

ବୋଉ ପଚାରିଲା, ଏତେବେଳଯାଏ କ’ଣ କରୁଥିଲୁ ମା ?

ଜେମି ଆଈର ମରଣ କଥା ତାକୁ କହିଲି । କାହିଁକି ମତେ ଚେମା’ଇ ଡକାଇ ଥିଲା, ସେ କଥା ସୁରଙ୍କ ଆଗରେ ଖୋଲି କହିବାକୁ ସାହସ ହେଲା ନାହିଁ ।

 

ବୋଉ ଭାରି ବ୍ୟସ୍ତ ହେଲା, ଦୁଃଖ କଲା, କହିଲା ମଲା ନାହିଁ ଯେ ବୁଢ଼ୀ ତରିଗଲା । ଚେମାଟା ମଣିଷ ନୁହେଁ । ବୁଢ଼ୀର ଆଗ୍ରହ ଥିଲା ଚେମାର ହାତକ ଦି’ହାତ ହୋଇଥାନ୍ତା, ତା କୋଳରେ ପିଲାବକଟେ ଦେଖି ଖୁସିରେ ଆଖି ବୁଜିଥାନ୍ତା । ଚେମା ତ ଏକ୍ ଜିଦ୍ ଧରି ବସିଲା, ବାହା ହେବ ନାହିଁ । ବୁଢ଼ୀ ଦୁଃଖ କରି କହେ । ଆଲୋ ତୁଳସୀ, ମଣିଷର ଆଶା ରହେ ନାହିଁ ଲୋ । ଆଇସ ବି ଚାହିଁ ବସେ ନାହିଁ । ବେଳ ଗଡ଼ିଚାଲେ, ମଣିଷ ଦିନେ ଚିରଦିନ ପାଇଁ ଆଖି ବୁଜେ । କେତେ ଛଟପଟ ଆଶା ଅପୂରଣ ରହିଥାଏ । ଦୁନିଆ ତ ଏମିତି ଚାଲିଛି, ସେଥିକି ଦୁଃଖ ନାହିଁ । ସବୁ ରହିଯାଏ ଅଧା ।

 

ସବୁ ରହିଯାଏ ଅଧା । ସତ କଥା ! ଭାବିଲା ବେଳକୁ ଛାତି ଥରିଉଠେ । କେତେ ବାଟ ଯାଇ କାହାର ସଞ୍ଜ ହେବ କିଏ ଜାଣେ ? ତଥାପି, ମଣିଷ ଦିନର ଆଲୁଅ ଲୋଡ଼େ, ଖଣ୍ଡେଦୂର ଆଗେଇଯିବାକୁ ଚେଷ୍ଟା କରେ । ଅସରନ୍ତି ବାଟ, ଶେଷ ନାହିଁ । ବାଟ ମଝିରେ ବେଳ ବୁଡ଼େ, ଅନ୍ଧାର ହୁଏ, ସବୁ ହୁଏ ଅଦୃଶ୍ୟ ।

 

କେତେବେଳଯାଏ ସମସ୍ତେ ତୁନି ହୋଇ ବସିଲୁ । ବୋଉ ତା ଜୀବନର ସଞ୍ଜବେଳ କଥା ଭାବୁଥିଲା । କିନ୍ତୁ ମୁଁ ଭାବୁଥିଲି, ଅନ୍ଧାର ପରେ ମୋ ଜୀବନରେ କେବେ ଆସିବ ଆଲୁଅ !

 

ବୋଉ କହିଲା– ସୁର କେତେବେଳୁ ଆସିଲାଣି, କିଛି ଖାଇନାହିଁ, ମନା କଲା । ମୁଁ ଯାଉଛି ଗଣ୍ଡାଏ ଫୁଟାଇ ଦିଏ । ତୁ ବସି କଥାଭାଷା ହେଉଥା । ଆର ଡିବିରିଟା କାହିଁ ?

 

ବୋଉ ଉଠିଗଲା । ବୁଝିଲି, ସୁରଙ୍କ ସଙ୍ଗେ ମନ ଖୋଲି କଥାଭାଷା ହେବାକୁ ମୋତେ ସୁଯୋଗ ଦେବାକୁ ସେ ଜାଣି ଜାଣି ଉଠିଗଲା । ସୁରଙ୍କୁ ମୁଁ କଅଣ ପଚାରିବି, କିପରି ବା କଥା ଆରମ୍ଭ କରିବି, ବୁଝିପାରିଲି ନାହିଁ । ମନୁଆଟା ଆନନ୍ଦରେ ଏ କୋଳରୁ ସେ କୋଳ ହେଉଥାଏ ।

 

ଏଣୁ ତେଣୁ ପାଞ୍ଚ କଥା ପଇଲା । ଗାଁରେ କିଏ କିପରି ଅଛି, ଘର ବାରିର ଅବସ୍ଥା, ମୂଲପାତିର ଦର । କିଛି ସମୟ ପରେ ସଙ୍କୋଚ ଘୁଞ୍ଚିଗଲା । ହସ କୌତୁକରେ ମନଖୋଲା ଗପ ! ଗୋଟିଏ କଥା ପଚାରିବାକୁ କାହାରି ଭରସା ହେଉନଥାଏ । ଦୁହେଁ ଦୁହିଁଙ୍କର ମନ କଥା ଜାଣୁ, ତଥାପି ସଙ୍କୋଚର ପରଦା ଖୋଲି ସାହସ କରି କେହି କାହାରି ଆଗକୁ ଆସିବାକୁ ଆଗଭର ହେଉନାହିଁ ।

 

ମନୁଆ ଖେଳୁ ଖେଳୁ ଶୋଇପଡ଼ିଲା । ତାକୁ ବିଛଣାରେ ଶୋଇଦେଇ ସୁରଙ୍କ ଆଡ଼କୁ ଘୁଞ୍ଚି ବସିଲି । ଲୁଗାପଟା ସଜାଡ଼ି ନେଇ ଆରମ୍ଭ କଲି– ଦୁନିଆରେ ମଣିଷର ଯେତେ ଦୁଃଖ ହୁଏ, ସୁର ତା ମୂଳରେ ଥାଏ କଅଣ ଜାଣ ? ପରସ୍ପରକୁ ଭୁଲ ବୁଝିବା । କେହି କାହାର ମନକଥା ଜାଣିପାରନ୍ତି ନାହିଁ । ମନ ଖୋଲି କହିହୁଏ ନାହିଁ । ମଣିଷ ଭୁଲ ବୁଝେ । ଆଉ, ସେହି ଭୁଲ ପଛରେ କଳିହୁଡ଼ୀ ମନ୍ଥରା ଛପି ଛପି ଚାଲେ ।

 

ସୁର ହସିଲେ । କହିଲେ, ସବୁ କଥା ଆମେ ଜାଣୁ । ତଥାପି, ମଣିଷ ଜାଣି ଜାଣି ମନ୍ଥରାର କଥା ଶୁଣେ, ଘର ଛାଡ଼ି ଦାଣ୍ଡକୁ ଆସେ, ଅଭିମାନରେ ନିଜେ ଦୁଃଖ ଭୋଗେ, ନିଜ ଲୋକଙ୍କୁ ଦୁଃଖ ଦିଏ । ଦିନ ଗଡ଼ିଯାଏ, ଶେଷରେ ମଣିଷ ତାର ଭୁଲ ବୁଝେ । ଭଙ୍ଗାଘର ନୂଆ କରି ଗଢ଼ାଯାଏ, ଦିନ ଆସେ ।

 

ସୁରଙ୍କର କଥା ବୁଝିଲି । ଆବରଣ ରଖି କଥା କହିବା ଦରକାର କଅଣ ? ଆଗ୍ରହରେ କହିଲି, ସୁର ଗତ କଥା ପୋଡ଼ିଯାଉ । ଆମେ ଆମର ନୂଆ ଘର ଗଢ଼ିବା, ମନରୁ ସନ୍ଦେହ ଓ ଅବିଶ୍ୱାସ ତଡ଼ିବା । ବାରଲୋକେ ବାରକଥା କହିବେ । ପାଟି ଘୋଳି ହେବ, ଦେହସୁହା ହେବ । ମନକୁ ସେମାନେ ତୁନି ହେବେ । ଆମେ ମନୁଆକୁ ମଣିଷ କରିବା ।

 

ସୁର ଖୁସି ହେଲେ । କହିଲେ ସତେ, ସତେ – ତମ କଥାର ଆଉ ଅନ୍ୟଥା ହେବ ନାହିଁ-? ମୋତେ କେବେ ଆଉ ଅବିଶ୍ୱାସ କରିବ ନାହିଁ, ଭୁଲ ବୁଝିବ ନାହିଁ ? ଦାଣ୍ଡଲୋକଙ୍କ କଥାରେ କାନ ଦେବ ନାହିଁ ?

 

ଆଖିରୁ ଲୁହ ଝରିଲା । କହିଲି– ମତେ କ୍ଷମା କର, ତମକୁ କେତେ ଅବହେଳା କରିଛି । ତମ ମନରେ କେତେ କଷ୍ଟ ଦେଇଛି । ବିଶ୍ୱାସ କର ସୁର, ସେଥିପାଇଁ ଦିନରାତି ଅନୁତାପ ମଧ୍ୟ କରିଛି । ଛଟପଟ କଲବଲ ହୋଇ ଆଖି ଲୁହରେ ବେଳ କଟାଇଛି । ସବୁ ଦୋଷ ମୋର ।

 

ବୋଉ ଆସି ପହଞ୍ଚିଲା । କହିଲା, କିରେ ଭାତ ଖାଇବ ନାହିଁ କି, ଦୋଷ ଗୁଣ କଥା ଏତେ ପଡ଼ିଛି କାହିଁକି ? ଦିହେଁ ତ ପିଲା, ନିର୍ବୋଧ, ସଂସାରରେ ଅନେକ କଥା ଶିଖିବାକୁ ବାକି ଅଛି-। ମଣିଷ ମରିବାଯାଏ ଶିଖୁଥାଏ, ଭୁଲ କରୁଥାଏ, ତାହା ଯଦି ହେଉନଥାନ୍ତା, ମଣିଷ ମରନ୍ତା ନାହିଁ କି ଏ ସଂସାରରେ ଦୁଃଖ ବୋଲି କିଛି ନଥାନ୍ତା । ଆସ ଖାଇବ ।

 

ସୁର କହିଲେ– ମାଉସୀ, ତୁମେ ବି ଆମ ସଙ୍ଗେ ଯିବ, ମନୁଆର ଯତ୍ନ ନେବ, ଆମର କଜିଆ ଭାଙ୍ଗିବ । ନୂଆଉ ମୋ ସଙ୍ଗେ ନିତି କଜିଆ କରନ୍ତି ।

 

କହିଲି, ତେମେ ଏକା ଭାରି ସୁଧାର ମଣିଷ !

ବୋଉ କହିଲା, ହଁ ରେ ଯିବି । ବେଳକାଳ ସରିଆସିଲା । ଶେଷବେଳକୁ ତମରି ହାତରେ ନିଆଁ ଟିକେ ପାଇଲେ ମୋର ଆତ୍ମା ମୋକ୍ଷ ହୋଇଯିବ । ତେମେମାନେ ତ ମୋର ସବୁ-!

 

ରାତି ଅଧ । ସୁର ଯିବାକୁ ବାହାରିଲେ । ଛାଡ଼ିଦେଲି ନାହିଁ । ତାଙ୍କର ହାତ ଧରି କହିଲି– ତୁଣ୍ଡବାଇଦ, ଦୁର୍ନାମକୁ ଆଉ ମୋର ଡର ନାହିଁ । ଶୁଣି ଶୁଣି କାନ ବଧିରା ହେଲାଣି ।

 

କହିବାକୁ ମନ ହେଉଥିଲା– ତମକୁ ଛାଡ଼ି ମୁହୂର୍ତ୍ତେ ଆଉ ଏକା ରହିପାରିବି ନାହିଁ । ତୁଣ୍ଡ ଅଟକିଗଲା ।

 

ସୁର କହିଲେ, ଗୋଟିଏ ଘରେ ସାରା ଜୀବନ ଆମେ ଦିହେଁ ସମୟ କାଟିବା, ଲୋକଙ୍କ କଥାରେ କାନ ଦେଲେ ଚଳିବ କିପରି ? ଅନେକ କାମ ବାକି ଅଛି । ଦୁଇ ତିନି ଦିନ ପରେ ତେମେସବୁ ଯିବ । ମୁଁ ନିଜେ ଆସିବି ନେବାକୁ । ବାକିଆ କାମ ଛିଣ୍ଡାଇ ଆସେଁ ।

 

ପାହାନ୍ତରୁ ଉଠି ଚାଲିଯିବ ପଛେ ।

ରହିବାକୁ ମଙ୍ଗିଲେ ।

 

ମିଳନଲୋଭୀ ଉପାସୀ ଦେହ ତାଙ୍କରି ଦେହର ନିବିଡ଼ ପରଶ ପାଇଁ ଆକୁଳ ହୋଇ ଚାହିଁରହିଥିଲା । ଉତ୍ତେଜନା ରକ୍ତର ପ୍ରବାହ ବେଗ କରିଥିଲା । ଯୌବନ ପାଗଳ ହୋଇଉଠିଲା, ଧୈର୍ଯ୍ୟ ମଥା ନୋଇଁଲା । ଦୁନିଆ ଶୂନ୍ୟ ଦିଶିଲା ।

 

ବୋଉ ଡାକିଲା, ଶୋଇବ ନାହିଁ କି ?

ଶୋଇଲୁଁ, ଗୋଟିଏ ଘରେ । ବୋଉ କୋଳରେ ମନୁଆ, ତା ପାଖରେ ମୁଁ, ଟିକିଏ ଦୂରେଇ ଆଉ ଖଣ୍ଡେ ସପରେ ସୁର । ସୁର ଶୋଇଲେ ନିଦରେ, ମୋ ଆଖିକୁ ନିଦ ନାହିଁ । ଆକାଶ ପାତାଳ କେତେ କଅଣ ଭାବୁଁ ଭାବୁଁ ପାହାନ୍ତା ହେଲା । କେତେ ଦୂରରୁ କେଜାଣି କୁକୁଡ଼ାର ଡାକ ଶୁଭିଲା । ଉଠିଲି । ତାଙ୍କର କପାଳରେ ହାତ ରଖି ଡାକିଲି, ଉଠ ସୁର ।

 

ସୁର ଉଠିଲେ ।

ଯାଉଛି ନୂଆଉ, ଡେରି ହୋଇଯିବ ।

ଆଖି ଛଳ ଛଳ କରି କହିଲି– ଯାଅ, କେବେ ପୁଣି ଆସିବ ?

ଦୁଇଦିନ ପରେ । ତେମେସବୁ ଏକା ପ୍ରସ୍ତୁତ ଥିବ ।

ଫିକା ପାହାନ୍ତିର ଆଲୁଅ ସାଥିରେ ଛପିଯିବାଯାଏ ତାଙ୍କରି ଆଡ଼କୁ ଚାହିଁ ରହିଥିଲି ।

•••

 

୩୨

 

ମନ କାହିଁ ଲାଗୁନଥାଏ । କାମ କରିବାକୁ ହାତ, ଗୋଡ଼ ଚଳୁନଥାଏ । କାନ୍ଦକାନ୍ଦର କୋହ ଉଠୁଥାଏ ପେଟ ଭିତରୁ । ଯେପରି କଅଣ ହଜାଇଛି । ଚାରିଆଡ଼କୁ ଚାହେଁ, କିଛି ଦେଖେ ନାହିଁ । ଆଖିଦୁଇଟା ମନ ଭିତରେ ଏ କନ୍ଦି ସେ କନ୍ଦି ବୁଲୁଥାଏ, ମନ ଧାଇଁଥାଏ ସୁରଙ୍କ ପଛରେ ।

ଦୁଇ ଦିନ ! କେମିତି କଟିବ ? ଦୁଇ ଘଡ଼ିର ଯନ୍ତ୍ରଣା ସହିହେଉନାହିଁ ।

ଆଖିପତା ମାଡ଼ି ମାଡ଼ି ପଡ଼ୁଥାଏ । ଯାହାର ଦେହରେ ପରଶ ପାଇଁ ଉପାସୀ ଦେହ ଅସ୍ଥିର ହୋଇପଡ଼ିଥିଲା, ମନକୁ ଉତ୍ତେଜିତ କରିଥିଲା ପାଗଳ ହେବାକୁ, ଲାଜ, ଭୟ, ସଙ୍କୋଚ, ପୁରୁଣା ପ୍ରଥା, ପୁରୁଣା ସଂସ୍କୃତିର ବାଧାକୁ ନମାନି ଯାହାର ଦେହ ସଙ୍ଗେ ମିଶି ଯିବାକୁ ରକ୍ତରେ ଲାଗିଥିଲା ନିଆଁ, ସେ ନାହାନ୍ତି । ଦୁଇଦିନ ପରେ ଆସିବେ, ଦୁଇଦିନ ।

ଅତି ପାଖରେ ଦୁଇଟା ଦେହ, ତହିଁରେ ଛଟପଟ ଅସ୍ଥିର ଦୁଇଟା ମନ, ମିଶି ଏକାକାର ହେବାକୁ ପ୍ରବଳ ଇଚ୍ଛା । ମଝିରେ ସହସ୍ର କୋଶର ଦୂରତ୍ୱ କିଏ ଆଣିଦେଲା ? ନୀରବ ନିର୍ଜନ ରାତି-। ଶହ ଶହ ଲୋକଙ୍କର ଉପସ୍ଥିତି ଅନୁଭବ କଲି କାହିଁକି ? ମିଳନରଙ୍କୁଣା ଦେହଟା ପାଗଳ ହୋଇଉଠିଲା, ଆକର୍ଷଣର ଡୋରରେ ଟାଣିହୋଇଯାଉଥିଲା । ଦୁଇଟା ଦେହର ମଝିରେ ଏତେ ବଡ଼ ବ୍ୟବଧାନ, ଏତେ ଲୋକଙ୍କର ଉପସ୍ଥିତି କିଏ ସୃଷ୍ଟି କଲା ?

ଧର୍ମ, ସମାଜ, ସସ୍କୃତି । ସବୁ ଏଇ ମଣିଷ ହାତରେ ଗଢ଼ା । ମନର ଅରଣା ଦଉଡ଼ ଆଗରେ ଠିଆକରି ବାଧା ଦେବାକୁ ମଣିଷ ଗଢ଼ିଛି । ଲାଜ, ଭୟ, ସଙ୍କୋଚ, ତିନିଟା ତ ଏକା କଥା-। ମଣିଷ ଗଢ଼ା ନିୟମର ପ୍ରକାର । ନମାନି ଚଳିହେବ ନାହିଁ । ସୃଷ୍ଟି କରିବାର ଇଚ୍ଛା ପ୍ରବଳ ହେଲେ ମିଳନର ଆଗ୍ରହକୁ ଦାବିହେବ ନାହିଁ, ଆକର୍ଷଣର ଧାପ ସହିହେବ ନାହିଁ, ସବୁ ପ୍ରଥା ଓ ନିୟମର ବାଡ଼ବତା ଭାଙ୍ଗିପଡ଼ିବ । ଦେହ ଦେହର ମିଳନ ହେବା ହେଉଛି ଦୁନିଆର ନୀତି । ତୁଣ୍ଡବାଇଦ ରଟିଛି ତା ପରେ ଛି, ଛି, ଅମୁକଟା, ଛିଃ, ଅଧର୍ମ କଥା, ଅନାଚାର କଥା, ଅଜାତି କଥା । ସବୁ ସତ, ସବୁ ଠିକ୍ ।

ଲାଜ, ଭୟ, ସଙ୍କୋଚ, ଦୁଇଟା ଦେହର ମିଳନରେ ବାଧା ଦେଇଥିଲା ।

କଅଣ ବସି ଏତେ ଭାବୁଛୁ ଲୋ ତୁଳସୀ ? ଦେଖିଲୁ ତେଣେ ପିଲାଟାକୁ କି ସରି ହେଲାଣି ।

ବୋଉର ଡାକରେ ଭାବନା ଭାଙ୍ଗିଲା । ମନୁଆଟା ଗୋବରରେ ଘାଣ୍ଟିଦେଉଛି ।

ଉଠିଯାଇ ତାକୁ ଟେକିଆଣିଲି ।

ବୋଉ କହିଲା– ଯା ଗାଧୋଇ, ଡେରି ହେଉଛି ।

ବୋଉର କଥା ମାନିଲି ।

ଉପର ଓଳି । ଛାଇ ନେଉଟାବେଳେ । ବୋଉ ମୋର ମୁଣ୍ଡ ବାନ୍ଧିଦେଉଛି । କେତେ ଦିନର କେତେ କଥା । ମନଖୁସିରେ ଗପୁଛି । କହିଲା– କେଳୁ ଦୋକାନୀର ପଇସା ଆଠଅଣା ବାକି ଅଛି ଯେ ପାଞ୍ଚଥର ମାଗି ଗଲାଣି । ପାଖରେ ତ ପଇସା ନାହିଁ । କାଲି ହାଟକୁ ଯିବୁ କି ?

କହିଲି, ଭଲ ଲାଗୁନାହିଁ ।

ଥାଉ ତେବେ । କାଲି ଛାଡ଼ି ପହର ଦିନ ସୁର ଆସିବ । ଆମେ ଯିବା ଆଗରୁ କେଳୁଆର ଧାର ଶୁଝିଦେଇ ଯିବା ।

ଜବାବ ଦେଲି ନାହିଁ ।

ଟିକିଏ ରହି କହିବାକୁ ଲାଗିଲା, ସବୁ ଆୟୋଜନ ସୁର ସେଇଠି କରିବ । ଆମେ ନିଆଶ୍ରୀ ଗରିବ । ଗହଣା ଭିତରେ ନିମକାଠି ପରି ସମ୍ପତ୍ତି ଏଇ ଡିହଖଣ୍ଡି ଯେ ଟିମବାବୁ ତାକୁ ନିଲାମ ଉଠାଇ କେବେଠୁ ନେଲେଣି । ବାହାଘର କରିବାକୁ ହାତରେ ପଇସା ନାହିଁ । ହେଲେ, ସେଥିକି ମୋର ଚିନ୍ତା ନାହିଁ । ଲୋକେ ନିନ୍ଦା କରିବେ ମୋତେ । ଯାହାର ନାହିଁ ସେ ସହେ । ତୁ ଖୁସିରେ ଘର ସଂସାର କର୍ । ସବୁ ନିନ୍ଦାମିନ୍ଦାର ବୋଝ ମୁଣ୍ଡରେ ନେଇ ମୁଁ ମଶାଣିକୁ ଯାଏ ।

କହିଲି– ତୁ ଏମିତି ବ୍ୟସ୍ତ ହେଉଛୁ କାହିଁକି ? ଯଦି ସେମିତି ତତେ ଅପମାନ ହେବ, ସୁର ଆସନ୍ତୁ, ମନକଥା ଖୋଲି କହିବୁ । ତାଙ୍କ ପାଖରେ ଟଙ୍କା ଅଛି । ଆଉ କିଛିଦିନ ଡେରି ହୋଇଯିବ ତ ! ଲୋକ ସୁଲଭ ଯାହା, କର । ସେ ଟଙ୍କା ଦେବେ ।

ଠିକ୍ କହିଛୁ ମା । ତେବେ, ଆଉ ଡେରି କରିବାକୁ ମନ ଡାକୁନାହିଁ । କେତେବେଳେ ମୋର ଆଖି ବନ୍ଦ ହେବ ସେ କଥା କିଏ କହିବ ? ବଞ୍ଚିଥାଉଁଣୁ ତୋର ସୁଖ ଦେଖିବାକୁ ମନ ଉଚ୍ଛନ୍ନ ହେଲାଣି । ହଉ, ସୁର ଆସୁ । ତା ସଙ୍ଗେ କଥା ଭାଷା କରେ ।

ମନୁଆକୁ ନେଇ ବୋଉ ପଦାକୁ ଗଲା । ମୁଁ ଘର ଭିତରକୁ ଗଲି । ଚୁଲିରେ କୁହୁଳା ପକାଇବି । ସହଳ ସହଳ କାମ ସାରିଦେଲେ ଶୋଇପଡ଼ିବି । ଅନିଦ୍ରା ଦୋଷରୁ ଆଖି ମାଡ଼ି ମାଡ଼ି ପଡ଼ୁଛି । ମୁଣ୍ଡ ବଥାଉଛି ।

ଘସି ଧୂଆଁରେ ଆଖି ମଳି ମଳି ପଦାକୁ ଆସିଲି । ବୋଉ ଡାକି ଡାକି ଆସିଲା– ଆଲୋ, ଧୂଆଁରେ ପଶି କଲବଲ ହେଉଛୁ ? ହେଇ ଲୋ, ଟିମବାବୁଙ୍କ ବୋଉ ଲୋକ ପଠାଇଛନ୍ତି । ତତେ ଡକେଇଛନ୍ତି । ଯା, ଶୁଣି ଆ । ମୋର ଇଚ୍ଛା ଥିଲା ତତେ ସଙ୍ଗରେ ନେଇ ସମସ୍ତଙ୍କ ଘରକୁ ଯିବି । ଏ ଗାଁରୁ, ଏ ଘରୁ ବିଦା ହୋଇଯିବା । ଆଉ କଅଣ ଫେରିବା ? କେତେ ପୁରୁଷର ଏଇ ଘରଡିହ, ବାରି । ମୋରି ଗୋସେଇଁ ଶଶୁରଙ୍କର କେତେ ଗୋସାପାଙ୍କର ହାତର ମାଟି ଏଠି ପଡ଼ିଛି। ପୁଅ କୁଳରେ ଏଇଠୁ ବଂଶ ବୁଡ଼ିଲା ଲୋ ଝିଅ । ପର ଗାଁ ମଶାଣିରେ ମାଟି ଘେନିବା ମୋ କପାଳେ ଅଛି-

ବୁଢ଼ୀର ଆଖିରେ ଲୁହ ଭରିଲା । କହିଲା ଯା, ଆଜି ଟିମ ବୋଉର ପାଦଧୂଳି ମୁଣ୍ଡରେ ମାରି ଆ । କାହାକୁ ସିନା କହିନାହିଁ, ଗାଁ ଲୋକେ ସବୁ ଜାଣିବେଣି ଯେ । କିଏ କହିବ ଭଲ, କିଏ କହିବ ମନ୍ଦ । ଠାକୁରେ ସମସ୍ତଙ୍କୁ ଭିନେ ମନ ଦେଇଛନ୍ତି । କାହା କଥାକୁ ଛଳ କରିବା ଉଚିତ ନୁହେଁ-। ଦିନ ଦି’ଟା ଆଖି ପିଛଡ଼ା ପରି କଟିଯିବ । ତୁଳସୀ ଲୋ, ଆଜି ତୁ ଯା ଟିମ ଘରକୁ, କାଲି ତତେ ସଙ୍ଗରେ ନେଇ ଆଉମାନଙ୍କ ଘରକୁ ଯିବି । ବେଳାବେଳି ଯିବା । ଆଖି ଦିଟା ଫିକ୍‌କା ଦିଶୁଛି-। ଦି’ଗାର କଜଳ ମାରିଦେ । ଲୁଗାଟା ବଦଳିପକା । ସୁର ଯେଉଁ ଲୁଗା ଆଣିଛି, ସେଇଆକୁ ପିନ୍ଧି ଯା-

ଆପତ୍ତି ନକରି ବୋଉ କଥା ମାନିଲି । ଟିମବାବୁଙ୍କ ଚାକର ପିଲାଟି ସଙ୍ଗେ ତାଙ୍କ ଘରକୁ ବାହାରିଲି । ଲାଜ ଲାଜ ମାଡ଼ୁଥାଏ, ମୋ ନୂଆ ବେଶ ଦେଖି କିଏ ପଦେ ଥଟ୍ଟାରେ କହିଦେଲେ କଅଣ କରିବି, କି ଉତ୍ତର ଦେବି, ସେଇଆ ଭାବି ଡେରି ଡେରି କଲି ।

କେତେ ଲୋକଙ୍କର କେତେ ଟାହିଟାପରା ମନେପଡ଼ିଲା ।

ତିନିଦିନ ତଳେ ଘାଟ କୂଳରେ ଅଭିବାବୁଙ୍କ ଝିଅ ରଙ୍ଗୀ ସଙ୍ଗେ ତର୍କ ହୋଇଗଲା । ସେ ପାଠପଢ଼ା ଝିଅ । କେତେ ପୁରାଣ ଶାସ୍ତ୍ର କଥା କହିଲା । ତଥାପି, ମନ ମାନିଲା ନାହିଁ ।

ମୋ କଥାରେ ବାଧା ଦେଇ ସେ କହିଲା– ଜଣକୁ ଥରେ ଭଲ ପାଇ, ତାଙ୍କୁ ନେଇ ସଂସାର କରି ତାର ମରଣ ପରେ ପୁଣି ନୂଆ ମଣିଷ ଘେନି ସଂସାର କରିବାକୁ କେମିତି ମନ ଯିବ-? ତାର ପିଲାଛୁଆ ଥିଲେ ଆହୁରି ବିଡ଼ମ୍ବନା କଥା । ନୂଆ ମଣିଷ ସଙ୍ଗେ ଖେଳକୌତୁକ କଲାବେଳେ ଆଗ ସ୍ୱାମୀର ପିଲାଙ୍କୁ ଆଗରେ ଦେଖିଲେ କେମିତି ଭଲ ଲାଗିବ ?

କହିଲି– ଯେତେବେଳଯାଏ ଛାତିର ଘା ପୋଡ଼ୁଥାଏ, ମନରେ ଏଇ କଥା ଆସେ । ବେଳ ଗଡ଼ିଚାଲେ, ଘା ଶୁଖେ, ମନ ବଦଳେ ।

କହିଲା– ଘା ଶୁଖେ, ହେଲେ ଦାଗ ରହିଥାଏ ।

–ଦାଗ ଚିରଦିନ ରହେ, ମନେପଡ଼େ, କିନ୍ତୁ ଛାତି ଭିତରର ଜ୍ୱାଳା ନଥାଏ ଲୋ ରଙ୍ଗି । ନୂଆ ସଂସାର କରିବାକୁ ମନ ଉଚ୍ଛନ୍ନ ହୁଏ, ଭିତରର ଯନ୍ତ୍ରଣା ସହିହୁଏ ନାହିଁ ।

–ସଂଯମ ଲୋଡ଼ା ଲୋ ତୁଳସୀ ସେଥିପାଇଁ, ବଞ୍ଚି ମଧ୍ୟ ମଲାପରି ଚଳିବା ଦରକାର । ରୂପ, ବେଶଭୂଷା, ଖିଆପିଆ ପିତା କରିବାକୁ ହୁଏ । ମନ ଭୁଲାଇବାକୁ ଶାସ୍ତ୍ର ପୁରାଣ, କାମଦାମ, ବାର ବ୍ରତ ପୂଜାରେ ନିଜକୁ ବୁଡ଼ାଇ ରଖିବା ଭଲ । ଦେହ ମନ ମିଳନ ପାଇଁ ଛଟପଟ ହେବ । ହେଉ, ଧୈର୍ଯ୍ୟ ଧରି ମନକୁ ଟାଣ କରି ସେ ସବୁକୁ ଚାପିରଖିବା ଦରକାର । ଦିନ ଗଡ଼ିଚାଲିବ, ବୟସ ନଇଁବ, ଯୌବନ ମଉଳିବ, ଭିତରର କାନ୍ଦବୋବାଳି ଆପେ ବନ୍ଦ ହେବ । ମନ ପବିତ୍ର ହେବ, ଆତ୍ମା ନିର୍ମଳ ହେବ ।

–କାହିଁକି ଏତେ ଦୁଃଖଯନ୍ତ୍ରଣା ସହିବ ରଙ୍ଗି, ମନ ଯାହା ଚାହିଁବ ସେଥିରେ ବାଧା ଦେଇ କଲବଲ ବିକଳ ହୋଇ ମରିବାକୁ ଠାକୁରେ ଜନ୍ମ ଦେଇନାହାନ୍ତି । ଦୁଃଖ ଯନ୍ତ୍ରଣା ସହିବ କାହିଁକି ?

ରଙ୍ଗୀ ହସିଲା । କହିଲା– ଦୁଃଖଯନ୍ତ୍ରଣା କାହାକୁ କହୁଛୁ ? ନିଜ ମନ ସଙ୍ଗେ ଯୁଦ୍ଧ କରିବାରେ ଆନନ୍ଦ ଆସେ । ମନରେ ଗର୍ବ ଆସେ । ହୁଏତ ଥରେ ଅଧେ ମଣିଷ ହାରିଯାଏ । ଦୁର୍ବଳ ବେଳରେ ଯୌବନର ମୋହ ସଂଯମ ଉପରେ ଚଢ଼ିବସେ । ଯେତେବେଳେ ସେଇ ମୋହକୁ ଜୟ କରାଯାଏ, ମନରେ ଆନନ୍ଦ ଓ ଗର୍ବ ଆସେ । ଆଉ ମନ ପରାସ୍ତ ହୁଏ ନାହିଁ । ଭଗବାନ କଅଣ ଚାହାନ୍ତି କେହି ଜାଣେ ନାହିଁ । ବିଧବା କରିବା ତାଙ୍କର ଦିଆ ଦଣ୍ଡ, ପୂର୍ବଜନ୍ମ ପାପର ପ୍ରାୟଶ୍ଚିତ୍ତ । ତାଙ୍କ ଦେଲା ଦଣ୍ଡକୁ ମୁଣ୍ଡ ପାତି ସହିଯିବା ଉଚିତ । ପରଜନ୍ମ ପାଇଁ ସତର୍କ ହେବା ଭଲ କଥା ।

କାବା ହୋଇ ତା ମୁହଁକୁ ଚାହିଁଲି । ପୂର୍ବଜନ୍ମ, ପରଜନ୍ମ, ପାପ, ପୁଣ୍ୟ, ଦଣ୍ଡ, ଏ ସବୁ ଅତି ପୁରୁଣା, ଅତି ବଡ଼ କଥା । ବିଶ୍ୱାସ କରିବାକୁ ମନ ଡାକେ ନାହିଁ । ବିଶ୍ୱାସ ନକରି ମଧ୍ୟ ରହିହୁଏ ନାହିଁ । ମଣିଷକୁ ଡରାଇ, ସମାଜର ଓ କୁଳର ବନ୍ଧନୀ ଭିତରକୁ ଟାଣିଆଣିବାକୁ ଏ ସବୁ ଅସ୍ତ୍ରର ସୃଷ୍ଟି । ଏହା ବିରୁଦ୍ଧରେ ତର୍କ କରିବା ଅସମ୍ଭବ । ସମାଜରେ ରହି, କୁଳରେ ରହି, ସବୁ ମାନି ଚଳିବା ଆବଶ୍ୟକ, ନୋହିଲେ ତୁଣ୍ଡବାଇଦର ଚହଳ ପଡ଼ିବ । ସମାଜ ଓ କୁଳର ଅତ୍ୟାଚାର ସହିବାକୁ ହେବ ।

ରଙ୍ଗୀ ଯେଉଁ କୁଳରେ ଜନ୍ମ, ଆଉ ଥରେ ବାହା ହେବା ସେ କୁଳରେ ଅନୀତି ଓ ଅଧର୍ମ, କିନ୍ତୁ ଆମ କୁଳରେ ସେପରି ବିବାହ ଅନୀତି ନୁହେଁ, ଅନ୍ୟାୟ ନୁହେଁ । ରଙ୍ଗୀର କୁଳ ଭଗବାନ, ସ୍ୱର୍ଗ, ପରଜନ୍ମକୁ ଏକଚାଟିଆ କରିନାହିଁ। ମୋ କୁଳର ଓ ମୋର ମଧ୍ୟ ସେଥିରେ ଅଧିକାର ଅଛି । କେବଳ ବିଧବା ରହି ଦେହମନକୁ କଷ୍ଟ ଦେଲେ, ପୁରୁଣା ସ୍ମୃତିକୁ ଧରି ରହିଲେ ସଂଯମ ହୁଏ ନାହିଁ କି ସ୍ୱର୍ଗ ମିଳେ ନାହିଁ । ନୂଆ ସଂସାର କଲେ ମଧ୍ୟ ସଂଯମ ଅଭାବ ହୁଏ ନାହିଁ । ସ୍ୱର୍ଗକୁ ଯିବାକୁ ବାଟ ବନ୍ଦ ହୁଏ ନାହିଁ ।

ସବୁ ଶୁଣି ରଙ୍ଗୀ କହିଲା– ସତୀ ଅସତୀ ଦୁଇଟା କଥା ଅଛି, ତୁଳସୀ ! ଯେତେବେଳେ ଇଚ୍ଛା, ଦେହ ମନ ଯଦି ଅନ୍ୟ ପୁରୁଷକୁ ଦେବ, ସଂସାରରେ କେହି ଆଉ ସତୀ ହୋଇ ରହିବେ ନାହିଁ । ଭଗବାନ୍ ସବୁବେଳେ ସତୀର ବଶ । ସତୀ କାହାକୁ କହନ୍ତି ଜାଣୁ ତ ? ପୁରାଣ ପଢ଼ିଲେ ଜାଣିବୁ ।

କହିଲି– ମୁଁ ପୁରାଣ ପଢ଼ିନାହିଁ । ତେବେ ସତୀ କାହାକୁ କହନ୍ତି ମୁଁ ଜାଣେ । ଖାଲି ଗୋଟାଏ ସ୍ୱାମୀକୁ ଆଦରି ରହି ଦେହ ମନକୁ ଜଳାଇ ପୋଡ଼ାଇ ସଂଯମ ରଖି ବେଳ କାଟିଲେ କଣ ମାଇପେ ସତୀ ହୁଅନ୍ତି ? ଯେତେ ଯାହା କଲେ ମଧ୍ୟ ମନ ସବୁବେଳେ ପବିତ୍ର ରହିବ ନାହିଁ । ନୂଆ ସଂସାର କରି ନୂଆ ସ୍ୱାମୀର ସେବାରେ ପ୍ରାଣ ଦେଲେ ଦେହମନ ପବିତ୍ର ରହିବ । ସତୀତ୍ୱର କିଛି ହାନି ହେବ ନାହିଁ ।

ପୁରୁଣା ସ୍ୱାମୀର ସ୍ମୃତି ?

ହଁ, ମନ ଭିତରେ ଜାଗି ରହିଥିବ । ମନେପଡ଼ିଲେ ତାଙ୍କ ପାଇଁ ଆଖିରୁ ଲୁହ ଗଡ଼ାଇବ ।

ତାଙ୍କ ଜୀବନର ମୂଲ୍ୟ ଦି’ଠୋପା ଲୁହ ତୁଳସୀ ?

ଜୀବନର ମୂଲ୍ୟ କେହି ଦେଇପାରିବେ ନାହିଁ । ନିଜର ଜୀବନ ତ ଛାର କଥା, ଦୁନିଆଯାକର ଲୋକ ଜୀବନ ଦେବାକୁ ଆଗେଇଆସିଲେ ବି ଗଲା ପ୍ରାଣ ଫେରିଆସେ ନାହିଁ । ଏ କଥା ଜାଣୁ ଜାଣୁ ନିଜ ଜୀବନକୁ ଦୁଃଖ କଷ୍ଟ ଦେଇ ରହିବ କାହିଁକି ? ସେମିତି ରହିବାଠାରୁ, ଟିକି ଟିକି କରି ଦହଗଞ୍ଜ ହୋଇ ଯନ୍ତ୍ରଣାରେ ସନ୍ତୁଳି ହୋଇ ମରିବାଠାରୁ ସଜ ଦୁଃଖର ରିହରେ ଜୀବନ ହାରିଦେବା ବରଂ ଭଲ ଲୋ ରଙ୍ଗି ! ଯଦି ସେତକ କରିବାର ସାହସ ନହେଲା, ତେବେ ସାରା ଜୀବନ ବିଧବା ରହି ମଲା ସ୍ୱାମୀର ସ୍ମୃତିକୁ ଧରି ବେଳ କାଟିବା କେମିତି ? ଜୀବନ ହାରିଦେବା ଯଦି ପାପ ହୁଏ, ଜୀବନ ଧରି ତାକୁ ବଞ୍ଚିଥିବାଯାଏ କଲବଲ କରିବା କ’ଣ ପାପ ନୁହେଁ ?

ଟିକିଏ ଭାବି ରଙ୍ଗୀ କହିଥିଲା, ଯଦି ମଣିଷ ସଂଯମ ଶିଖିପାରେ, ଜୀବନ କଲବଲ ହେବ ନାହିଁ; ବେଳ ସୁଖରେ କଟିବ । ତୁ ସେଇଆ କର । ବିଧବା ହୋଇ ଏ ବେଶ ଆଉ ଶୋଭା ପାଉନାହିଁ । ଲୋକେ ଭଲ କହିବେ ନାହିଁ ।

ସେଦିନ ରଙ୍ଗୀର କଥା ଶୁଣି ମୋ ମନ ଦୋହଲିଉଠିଥିଲା । ଭବିଷ୍ୟତର ସୁଖ ଆନନ୍ଦ ମୋହରେ ତାର କଥାକୁ ମନେପକାଇ ଛଟପଟ ହେବାକୁ ମୁଁ ଚାହିଁନଥିଲି । ସୁରଙ୍କୁ ପାଇବି, ତାଙ୍କୁ ନେଇ ସଂସାର କରିବି, ମନୁଆର ଦୁଃଖ ଯିବ, ଏଇଥିପାଇଁ ମୋ କଥା ଠିକ୍ ବୋଲି ମୁଁ ଗ୍ରହଣ କରିଥିଲି ।

ରଙ୍ଗୀର କଥା ଭାବି ଭାବି ଆସୁଛି, ଭଲ ଲାଗୁନଥାଏ । ଟିମ ବାବୁଙ୍କ ବୋଉ ମତେ ଏପରି ଦେଖିଲେ କଅଣ କହିବେ, କଅଣ ମନେକରିବେ ?

ତାଙ୍କ ଘର ପାଖେଇଆସିଲା । ସଙ୍କୋଚରେ ଧୀରେ ଧୀରେ ଖଞ୍ଜା ଭିତରକୁ ପଶିଲି ।

ଯାହା ଦେଖିଲି, ମତେ ଆଶ୍ଚର୍ଯ୍ୟ ଲାଗିଲା । ଟିମବାବୁଙ୍କର ବୋଉ ସେଠାରେ ନାହାନ୍ତି । ପିଣ୍ଡା ଉପରେ ମଶିଣା ପାରି ତାଙ୍କ ସ୍ତ୍ରୀ ବସି ପାନ ଭାଙ୍ଗୁଛନ୍ତି । ତାଙ୍କ ପାଖରେ ଗାଁ ମାଇପେ ଆଉ ଦୁଇ ତିନି ଜଣ ବସି ଗପ କରୁଛନ୍ତି । ଅଗଣାରେ ଆହୁରି ଦଶ ବାର ଜଣ ସ୍ତ୍ରୀ ଲୋକ ବସି କଥାଭାଷା ହେଉଛନ୍ତି ।

ମତେ ଦେଖି ସମସ୍ତେ ତୁନି ରହିଲେ । ଏକା ଟିମ ଭାଇଙ୍କ ସ୍ତ୍ରୀ ଛଡ଼ା ସମସ୍ତେ ମୋ ଆଡ଼କୁ ଚାହିଁଲେ । ସେମାନଙ୍କ ଚାହାଁଣୀରେ ମୁଁ ବିପଦ ଅନୁଭବ କଲି । ମୋ ଛାତି ଥରିବାକୁ ଲାଗିଲା । ଏତେ ଲୋକ ଜମା ହୋଇଛନ୍ତି ମୋ’ରି ପାଇଁ ? ତୁଣ୍ଡରୁ କଥା ବାହାରିଲା ନାହିଁ ।

ଆଡ଼େଇ ଆଡ଼େଇ ମୋତେ ଚାହିଁ ଟିମଭାଇଙ୍କ ସ୍ତ୍ରୀ କହିଲେ– ଗାଁ ମାଇପେ ତେମେ ତ ସବୁ ଏଠି ଅଛ, ମୁଁ ଯାହା କହୁଥିଲି ସେଥିରେ ସତ କେତେ, ମିଛ କେତେ, ତେମେ ସବୁ ପରଖିନିଅ-। କାଲି ତେମେମାନେ କହିବ ମୁଁ ଅନ୍ୟାୟ କଲି, ଗରିବ ଦେଖି ଘରୁ ନେଇ ଗଛମୂଳରେ ଛାଡ଼ିଲି । ମଶାଟାଏ କାମୁଡ଼ିଲେ ତାକୁ ଚାପୁଡ଼ାଟାଏ ମାରୁଛ ତ !

ଗନ୍ଧିଆ ବୋଉ ମନକୁ ମନ କହିଗଲା– ମଲାମୋର, ବିଧବା ହୋଇ କାହାକୁ ଏମିତି ଛଇଛଟକ ହେବାର ଦେଖିନଥିଲି । ପୋଡ଼ିଲା ତୁଣରେ କି ସୁଆଦ ଥାଏ । ତୁଳସୀର ଢଙ୍ଗ ଦେଖିଲେ ମନରେ ଖରାପ ଧାରଣା ଆସେ ।

ସୁକୁଟୀ କହିଲା, ନଜାଣିଲା ପରି କହୁଛୁ କେମିତି ? ଆଲୋ, ତୁଳସୀ ଯେ ପତ୍ରରୁ ବାସେ । ତୁଳସୀ, ଏଇ ଗାଁର ଝିଅ । ଯେତେଦିନଯାକେ ଏ ଗାଁରେ ଝିଅ ହୋଇ ଥିଲା, ଗହୀର ସେପାରି ଛ’ଗଛିଆ ଆମ୍ବ ତୋଟାରେ ପତର ଗୋଟାଉଥିଲା । ତୋଟା ଚାରି କତି ଗାଁ ଟୋକାଙ୍କ ଭିଡ଼, କୁହାଟ, ଟାହି ଟାପରା । ଏଇ ଆଖି କେତେଥର ଦେଖିଛି । ବା ହୋଇଗଲା, ଭାବିଥିଲି ଗାଁରୁ ବିପଦ ଗଲା । ଶଶୁରଘରର କାଣ୍ଡ ଶୁଣିଲେ ତ କାନରେ ହାତ ଦେବ । ସବୁ ଶୁଣିବା କଥା । ଭଲ ମନ୍ଦ କିଏ ଜାଣେ ?

ଛୋଟୀ ବୁଢ଼ୀ କହିଲା, କିଏ କାହାର କିଛି ଦେଖୁଥାଏ କି ? ପାଉଁଶ ଦେଖିଲେ ଯିଏ ହେଲେ କହିବ, ଦିନେ ନିଆଁ ଜଳିଥିଲା । ସାପକାତି ଲାଗିଛି ଦେଖିଲେ କିଏ ନ କହିବ, ଏ ବାଟେ ସାପ ଯାଇଥିଲା । ତା ମା ଦିନେ କହୁଥିଲା ବା ହବା ଆଗରୁ ତା ଦିଅର କୁଆଡ଼େ ଯା ଆସ କରୁଥିଲା । ବଡ଼ ଭାଇ ଥାଉଣୁ ସାନ ଭାଇ ଆଉ ବା ହନ୍ତା କିପରି ? ମୁଁ କହୁଛି– ବା ହେଲା ନାଇଁ ଯେ ଗୋରୁମୁଣ୍ଡ କିପରି ଥପା ହେଲା ।

ଏତେ ଲୋକଙ୍କର ଏକାଠି ହୋଇ, ଗୋଟାଏ ଆରା ଧରି ମତେ ଡାକିବାର କାରଣ ମୁଁ ବୁଝିପାରିଲି । ମୁହୂର୍ତ୍ତେ ଆଉ ରହିବାକୁ ଇଚ୍ଛା ହେଲା ନାହିଁ । କହିଲି, ନୂଆଉ, ମୋ’ଠେଇଁ ତମର କି କାମ ଅଛି, କାହିଁକି ଡକାଇଥିଲ ?

ଟିମ ଭାଇଙ୍କ ସ୍ତ୍ରୀ କହିଲେ, ବିନା କାମରେ କିଏ କାହାକୁ ଡକାଏ ? ବସୁନୁ ।

କହିଲି– ବସିବାକୁ ମୋତେ ଡର ମାଡ଼ୁ ନାହିଁ ଯେ.....ତେବେ ଏତେ ମାଇପେ ଏଠି ମୋର ଗୁଣ ଅବିଗୁଣ ଗାଉଛନ୍ତି । ତାଙ୍କୁ କହିବାକୁ ସୁଖ ଲାଗୁଛି, ମତେ ସହିବାକୁ ତ ସୁଖ ଲାଗୁନାହିଁ .....

ଛୋଟୀ କହିଲା, କେମିତି ସୁଖ ଲାଗିବ ? ମରମ କହିଲେ, ମହାଦେବ ନେଙ୍ଗୁଟି ନେଇ ମୁଣ୍ଡରେ ବାନ୍ଧିବେ, ତୁ ବା କି ଛାର । ଆଲୋ, ଯେତେ ଲୁଚାଇଲେ କଥା ଲୁଚେକି ? ଯେମିତି ଯେମିତି ହେଲେ ଫୁଟି ବାହାରିବ । ଜଣକର ହାତ ଧରି ଗଲୁ, ଜଣଙ୍କ ସଙ୍ଗେ ରହିଲୁ । ସବୁଦିନେ ଅନ୍ଧାର ରାତି ନଥାଏ । ଧରା ପଡ଼ିଲାରୁ ସେ ତତେ ତଡ଼ିଦେଲା । ଜହର ରଖି ଆସିଥିଲୁ ଦିଅର ହାତରେ । ତୋ ପଛେ ପଛେ କାମ ଶେଷ । ଲୋକ ଦେଖଣାକୁ ଦିଅରକୁ ପାଖେ ପୂରଉନୁ । ଜାଙ୍ଗୁଲୁ ଜାଙ୍ଗୁଲୁ ରାତିରୁ ଉଠି, କବାଟ ଖୋଲି ସେ ଯେଉଁ ଟୋକା ଏଣିକି ତେଣିକି ଚୋରଭଳିଆ ଚାହିଁ ଯାଏ, ସେ କିଏ ଲୋ ?

ପଚାରିଲି, କେଇଥର ଭଲା ଦେଖିଛ ?

ଶହେ ଥର ଏଇ ଆଖି ଦେଖିଛି ।

ସମସ୍ତେ ହସିଉଠିଲେ ।

ଗମ୍ଭୀର ହୋଇ ବସିପଡ଼ିଲି । ରାଗ ହେଲା । ଭାବିଲି, କଅଣ କହୁଛନ୍ତି ଶୁଣେ । କଜିଆ କଲେ କି ନିଜର ସଫେଇ ଦେଲେ କେହି ଶୁଣିବେ ନାହିଁ କି ବିଶ୍ୱାସ କରିବେ ନାହିଁ ।

କିଲୋ, ତୁନି ରହିଲୁ ଯେ, ମିଛ, ମିଛ ?

ସୁକୁଟୀ କହିଲା, ଚେମା ସାଙ୍ଗରେ ନିରୋଳାରେ ରାତି ଅଧରେ ଫୁସୁଫୁସୁ ଗପ ବି ମିଛ-?

ମିଛ ନୁହେଁ, ସତ ! କଅଣ ହେଲା ?

କଅଣ ଆଉ ହନ୍ତା କି ? ଚେମାର ଘରଣୀ ନାହିଁ, ସେଥିପାଇଁ ଚଳିଯାଉଛି । ନୋହିଲେ.....

 

ସାହସର ସହିତ କହିଲି, ତେମେ ସବୁ ଭୁଲ୍ ବୁଝିଛ । ଚେମା’ଇ ମତେ ବାହା ହେବାକୁ ପ୍ରସ୍ତାବ କରିଥିଲା, ମୁଁ ତାକୁ ନାହିଁ କଲି ।

ଟିମ ଭାଇଙ୍କ ସ୍ତ୍ରୀ କହିଲେ, ଚେମା ଅଭିଆଡ଼ି । ତାକୁ ବାହା ହେବାକୁ ନାହିଁ କରି ମୋର ସର୍ବନାଶ କରିବାକୁ ବସିଛୁ କାହିଁକି ? ପରିବା ନେବା ଆଳରେ ଆମ ବଗିଚାକୁ ଯାଇ, ସେଠି ତୁ କଅଣ କରୁ ସବୁ ଜଣା ପଡ଼ିଲାଣି । ନିଜେ ମୋ ଚାକର ଦେଖିଛି । ଗାଁ ମାଇପେ ସବୁ ତ ଏଠି ଅଛ-। ମୁଁ କହୁଛି, ଆମ ଘରେ ଏଇ ତୁଳସୀ ନେଇ ଦିନରାତି କଜିଆ । କିହୋ, ତମର ଯଦି ତୁଳସୀକୁ ନେଇ ନାଟ କରିବାକୁ ଇଚ୍ଛା ଥିଲା, ପର ଝିଅର ହାତ ଧରି ଘରକୁ ଆଣିଲ କାହିଁକି ? ତୁଳସୀ, ତତେ ମୁଁ ଡକେଇଛି ଏଇଥି ପାଇଁ । ବଞ୍ଚିଥିବାଯାଏ ତମର ରାଧାକୃଷ୍ଣ ଖେଳ କରେଇଦେବି ନାହିଁ । ସେଥିପାଇଁ ଯାହା ହେବାର ହେବ ।

ମନରେ କଷ୍ଟ ହେଲା । ଆଖିରୁ ଲୁହ ପୋଛି କହିଲି– ନୂଆଉ, ତେମେ ଭୁଲ୍ ବୁଝିଛ । ମୁଁ ଯଦି କିଛି ଅପରାଧ କରିଥାଏଁ, ମତେ ଏକୁଟିଆ ଡାକି ପାଞ୍ଚମାଡ଼ ମାରିଥିଲେ ଭଲ ହୋଇଥାନ୍ତା । ଏତେ ଲୋକଙ୍କ ଆଗରେ ମିଛ କଥାରେ ମତେ ମରଣରୁ ବଳି ଅପମାନ ଦେଉଛ କାହିଁକି ? ଟିମଭାଇ ତମକୁ ଭଲପାଆନ୍ତି ନାହିଁ । ଟିମଭାଇ ମୋତେ ଭଲପାଆନ୍ତି ଏ କଥା ମୁଁ ଜାଣେ । ମତେ ପାଇବାକୁ ସେ ହାତ ବଢ଼ାଇଛନ୍ତି । ମୁଁ ମନା କରି ତାଙ୍କୁ ଆଡ଼େଇଯାଇଛି । ତମର ଅବିଗୁଣ ସେ ଗାଆନ୍ତି, ମୁଁ ତମର ପ୍ରଶଂସା କରି କହେ । ତମର ସଂସାରରେ ଯେପରି ଅଶାନ୍ତି ନଆସେ ସେଥିପାଇଁ ତାଙ୍କୁ ବୁଝାଏ ।

ସତେ, ସତେ ? ଏତେ ସୁଖ ଦୁଃଖ ତୁ ତାଙ୍କ ସଙ୍ଗେ ହେଉ ? ସେ ତୋର ଏଡ଼େ ଆପଣାର ଲୋକ ଆଉ ମୁଁ ହାତ ଧରି ଏ ଘରକୁ ବୋହୂ ହୋଇ ଆସି, ମୁଁ ହେଲି ପର.....

କହିଲି, ତେମେମାନେ ଯାହା ଭାବିବାର ଭାବ, କହିବାର କହ, ମୁଁ ସତ କହୁଛି । କେହି ଯଦି ବିଶ୍ୱାସ ନକରେ, ମୁଁ ତାକୁ ବିଶ୍ୱାସ କରିବାକୁ ବାଧ୍ୟ କରିପାରିବି ନାହିଁ ।

ନୂଆଉ କହିଲେ, ଥାଉ ଥାଉ ତୋର ଭଲେଇପଣିଆ । ତୁ ଭଲ ହ କି ମନ୍ଦ ହ, ସେଥିରୁ ମତେ କିଛି ମିଳିବ ନାହିଁ । ମୋର ଗୋଟିଏ କଥା, କାଲି ଦିନକ ଭିତରେ ତତେ ଏ ଗାଁ ଛାଡ଼ି ଚାଲି ଯିବାକୁ ହେବ ।

ଛୋଟୀ କହିଲା, ହଁ, ହଁ । ମୂଳୁ ମାଇଲେ ଯିବ ସରି । ଏତେ ଗୋଳମାଳରୁ କି ମିଳିବ ?

କହିଲି– ଗାଁରୁ ତଡ଼ିଦେବାର ଅଧିକାର ତମର ନାହିଁ । ଘରଖଣ୍ଡ ନିଲାମ କରି ନେଇଛ, ସେଇ ଘରୁ ଚାଲିଯିବାକୁ କହିପାର । ଭଲକଥା, ଯେତେ ଶୀଘ୍ର ପାରେ ମୁଁ ତମ ଘର ଛାଡ଼ି ଚାଲିଯିବି-। ମୋ ପଛରେ ତାଳି ମାରି ତମମାନଙ୍କର ମନ ଇଚ୍ଛା ନିନ୍ଦା କରୁଥାଅ । କେଉଁ ନିନ୍ଦାଟା ବାକୀ ଅଛି ଯେ ଧିଅକୁ ଲାଗିବ ? ଖାଲି ଏତିକି କହୁଛି, ଯେଉଁମାନେ ନିନ୍ଦାମିନ୍ଦା କରି କହୁଛ, ସେମାନେ ଯଦି ସତ କଥା ଜାଣିବାକୁ ଚେଷ୍ଟା କର, ତେବେ ମୁହଁରେ ନକହିଲେ, ମନ ଭିତରେ କହିବ, ଜାଣିବ, ତୁଳସୀ କଅଣ ।

ଲୋକନିନ୍ଦା ଶୁଣି ଶୁଣି ଦେହସହା ହୋଇଥିଲା । ଲୋକଙ୍କ କଥାକୁ ଖାତିର କରି ଛଳକରି ସଂସାରରେ ଦିନଟିଏ ବି ଚଳିବା କଷ୍ଟ । ପରର ଦୁର୍ନାମ କରିବାକୁ ଲୋକଙ୍କୁ ଭଲ ଲାଗେ । ତୁଣ୍ଡରୁ ତୁଣ୍ଡ କଥା ଯେପରି ଡେଇଁଚାଲେ, ସେମିତି ସେ ବଢ଼ିବଢ଼ିକା ଯାଉଥାଏ । ସେଦିନ ହାଟ ଫେରନ୍ତା, କେଉଁ ଗାଁର ମାଇପିଟିଏ, କଥା ଭାଷା ହେଉଁ ହେଉଁ ମୋ ଗାଁ ନାଁ ଶୁଣି ପଚାରିଦେଲା– ହଇଲୋ, ତମର ଗାଁର ତୁଳସୀ ବୋଲି ଗୋଟିଏ କିଏ ଝିଅ ମ, କୁଆଡ଼େ ପାପଗର୍ଭ ହୋଇ କୂଅକୁ ଡେଇଁ ମରିଛି ? ମୁନ୍‌ସି ଦାରୋଗା ଆସି ଲାସ ନେଇ ଯାଇଛନ୍ତି ।

ହସି ହସି କହିଲି– ହୋଇଥିବ, ମୁଁ ଜାଣେ ନାହିଁ । କେବେ ?

–କହିଲା, କାଲି ପରା ।

ମୁହଁ ଶୁଖାଇ କହିଲି, ହଁ ମ ମାଉସି, ସେ ତୁଳସୀ ପରା ପୁଣି ବଞ୍ଚିଲା ଲୋ ।

ପଚାରିଲା, ସତେ ?

କହିଲି, ହଁ । ମୁଇଁ ପରା ସେଇ.....

ଲାଜରା ହୋଇ ମୋ ମୁଣ୍ଡରୁ ଗୋଡ଼ଯାଏ ଚାହିଁ କହିଲା– ଓହୋ, ଲୋକେ ଏମିତି ସଜ ମାଛରେ ପୋକ ପକାନ୍ତି ।

କହିଲି, ମାଉସି ମ, ତୁ ଆଉ ମୁଁ ଆମେ ଦିହେଁ ବି ସେଇ ଲୋକ ଯେ !

ଏଇ ତ ତୁଣ୍ଡବାଇଦ !

ଉଠିଯିବାକୁ ବସିଲି ।

ନୂଆଉ କହିଲେ– ତୁ ଯା ଲୋ, ତୋ ମୁହଁ ଚାହିଁ ଯୋଗାଏ ନାହିଁ । କାଲି ଦିନକ ଭିତରେ ଯଦି ସେ ଘରୁ ତୁ ବାହାରି ନଯାଉ, ସେ ଘରେ ନିଆଁ ଲଗାଇ ପୋଡ଼ିଦେବି ।

ଆଖିର ଲୁହ ଅଟକାଇ ପାରିଲି ନାହିଁ । ତୁଣ୍ଡର କଥା ଅଟକାଇ ରଖିଲି । ନିଆଶ୍ରୀ, ଗରିବ, ବିଧବା ମୁଁ । ଭଗବାନ୍ ମତେ ସହିବାକୁ ଜନମ ଦେଇଛନ୍ତି, କହିବାକୁ ନୁହେଁ । ଆମ ମୁହଁର ସତକଥା ମିଛ ହେବ । ବଡ଼ ଘରର ଘରଣୀ ଆଗରୁ ଚାଲିଯିବା ଭଲ । ପଦାକୁ ଯିବାକୁ ବାହାରିଲି ।

ବାଟଘର ଭିତରୁ ଟିମଭାଇ ଅଗଣା ଭିତରକୁ ପଶିଆସିଲେ । ତାଙ୍କର ଫଣ ଫଣ ମୁହଁ, ରଙ୍ଗିଲା ଆଖି ଓ ଆସିବାର ଢଙ୍ଗ ଦେଖି ମୁଁ ଚମକିଉଠିଲି । ମାଇପେ ଉଠି ଠିଆହେଲେ । କେତେଜଣ ଘରଭିତରକୁ ପଶିଗଲେ । ଦୁଆରେ ଥିବା ମାଇପେ ଧୀରେ ଧୀରେ ଆର ଖଞ୍ଜାକୁ ଚାଲିଗଲେ ।

ଅଗଣା ମଝିରେ ଠିଆହୋଇ ରାଗରେ ଗର୍ଜିଉଠି ସେ ପଚାରିଲେ– ତୁଳସୀ, ଏ ସବୁ କଅଣ ହେଉଛି ?

ମୁଁ ତାଙ୍କ କଥାରେ ଜବାବ ନଦେଇ ଅଗଣାରୁ ବାହାରିଆସୁଥିଲି । ସେ ଡାକିଲେ, ଶୁଣ୍ ।

ମୁଁ ଫେରିଚାହିଁ କହିଲି, ତମର ବି ମୋ ଉପରେ ଆକ୍ରୋଶ ସାଧିବାର ଅଛି ? ତମମାନଙ୍କର ମୁଁ କିଛି ଅନିଷ୍ଟ କରିନାହିଁ ତ ?

ଟିମଭାଇ କହିଲେ, ମୁଁ ସବୁ ଶୁଣିଛି ।

ତାଙ୍କ ସ୍ତ୍ରୀଙ୍କୁ କହିଲେ, ତୁଳସୀକୁ ଡକାଇ ଏତେ ଲୋକଙ୍କ ଆଗରେ ଅପମାନ ଦବାର କାରଣ କଅଣ ?

ନୂଆଉ ଚିଡ଼ିଉଠିଲେ । କହିଲେ, ଦେହରେ ଲାଗିଗଲା ପରା । ତମ ବାହାଦୁରୀ ବଗିଚା ଘରେ ଦେଖାଇବ, ମୋ ଆଗରେ ନୁହଁ । ମୁଁ ଥୋଇଲୀ ପୋଇଲୀ ନୁହଁ ଯେ ତମ ନାଲି ଆଖି ଦେଖି ଚପି ରହିବି । ମନ ହେଉଛି ତ ଆଉ ଗୋଟାଏ ବାହା ହୋଇପଡ଼ । ହାଟୋଈ ବାଟୋଈ ଛତରୀଙ୍କ ସଙ୍ଗେ ନାଟ କରିବାର ଇଚ୍ଛା ଥିଲା ତ ମୋ ହାତ ଧରି ଏ ଘରକୁ ଆଣିଲ କାହିଁକି ?

ହସିଲା ସ୍ୱରରେ ଟିମବାବୁ କହିଲେ, ବାପ-ମା’ଙ୍କର ସୁପୁତ୍ର ହେଲେ, ତମରି ପରି ଅପଦାର୍ଥର ହାବୁଡ଼େ ପଡ଼ିବାକୁ ହୁଏ । ତା ଯଦି ନ ହୋଇଥାନ୍ତି, ତୁଳସୀ ଆଜି ଏ ଘରର ଘରଣୀ ହୋଇ ବସିଥାନ୍ତା ।

ନୂଆଉ କହିଲେ, ମତେ ଆଜି ଏତେ ଦହଗଞ୍ଜ ହେବାକୁ ପଡ଼ନ୍ତା ନାହିଁ । ପିଲା ଦିନର ଅଭ୍ୟାସ ଆଜି ବାହାର କଲେ ତ ତୁଳସୀ ଆଉ ଏ ଘରର ଘରଣୀ ହୋଇପାରିବ ନାହିଁ ?

ଟିମବାବୁ କହିଲେ, ଏଡ଼େ ଟାଣ କରି କହ ନାହିଁ । ଆଜି ବି ଯଦି ସେ ଘରର ବୋହୂ ହେବାକୁ ଚାହିଁବ ତ ତମ ତୁଣ୍ଡରୁ ଏପରି କଥା ବାହାରିବ ନାହିଁ, ଗାଁ ମାଇପଙ୍କ ସଭା ବସିବ ନାହିଁ । ତୁଳସୀକୁ ତେମେମାନେ ଯାହା ଭାବିଛ ସେ ତାହା ନୁହେଁ । ଗରିବ ନିଆଶ୍ରୀ ହେଲେ ବି ତାର ଆତ୍ମସମ୍ମାନ ଅଛି । ଯାହା ସେ କହିଗଲା ସବୁ ସତ । ମୁଁ ତାକୁ ଚାହିଁଥିଲି, କିନ୍ତୁ ସେ ମୋ ପାଖକୁ ଦୂରେଇ ରହି ମତେ ସାବଧାନ କରିଛି । ତମ ସଙ୍ଗରେ ଯେପରି ମୋର ଅପଡ଼ ନହୁଏ ସେକଥା ସେ ମତେ ବୁଝାଇଛି ।

ଟିମ ଭାଇଙ୍କ ବୋଉ କଡ଼ ଘରୁ ବାହାରିପଡ଼ି କହିଲେ, ତୋ ମୁହଁକୁ ଲାଜ ନାହିଁରେ ଟିମା, ମୁଁ ବଞ୍ଚିଥାଉଣୁ ଏକଥା ଶୁଣିଲି । କାହାର ପୁଅ ତୁ, କାହାର ନାତି – ତୁ ଗୋଟାଏ ଅରକ୍ଷିତାଟାକୁ ଚାହିଁଲୁ – ସେ ପୁଣି ତତେ ଆକଟି କହିଲା – ସେଥିନେଇ ମୋ ଘରେ ବସିଲା ସଭା-। ନମରି ରହିଛି ଯାହା ।

ଟିମ ଭାଇଙ୍କ ସ୍ତ୍ରୀ ରାଗ ତମତମ ହୋଇ ଘରଭିତରକୁ ଗଲେ ।

ବୁଢ଼ୀ କହିବାକୁ ଲାଗିଲେ– ତୁଳସୀ ଭଲ ହେଉ – ସେଥିରୁ ଆମକୁ କଅଣ ମିଳିବ ? ତା ଦୁଃଖ ନେଇ ସେ ପଡ଼ିଛି, ତମ ଘରକୁ କେବେ ମାଗିବାକୁ ଆସିନାହିଁ । ସାତ ପୁରୁଷର ଘରଟା ତାର ନିଲାମ କରିନେଇଛ ବୋଲି, ସେ ଯାଇ କାଲି ବାଟରେ ଠିଆ ହେବ, ସେ କଥା ନୁହେଁ । ସେ ରହୁ କି ଯାଉ, ତା ଘର ପାଖକୁ କେହି ଯିବ ନାହିଁ । ଟିମା, ଶୁଣୁଛୁ ?

ଟିମା ବାବୁ ତୁନି ରହିଲେ ।

ମୁଁ ବୁଢ଼ୀଙ୍କ ପାଖକୁ ଯାଇ ଆଖି ଛଳ ଛଳ କରି କହିଲି, ତେମେ ଡାକିଛ ବୋଲି ମୁଁ ଆସିଲି, ନଇଲେ ଆସିନଥାନ୍ତି । ଟିମ ଭାଇଙ୍କ ଘର ତାଙ୍କର ରହିବ । ଦୁଇ ତିନିଦିନ ଭିତରେ ଆମେ ସେ ଘର ଛାଡ଼ି ଚାଲିଯାଉଛୁ ।

ପଚାରିଲେ, କୁଆଡ଼େ ଯିବ ଲୋ ?

ବୋଉ ସବୁ କଥା ତମକୁ କହିବାକୁ ଆସିବ ।

ମୋ ଆଖିର ଲୁହ ମୋର ଲାଜ ଲାଜ ଢଙ୍ଗ ଦେଖି ସେ କଅଣ ଅନୁମାନ କଲେ କେଜାଣି, କହିଲେ, ସତେ ?

ତାଙ୍କ ଓଠରେ ହସ ଦିଶିଲା । ପିଣ୍ଡା ତଳକୁ ଓହ୍ଲାଇ ମୋ ହାତ ଧରି ପୁଣି କହିଲେ, ସତେ ? ଆ ତୁଳସୀ ମୋ ସାଙ୍ଗରେ, ବୋହୂ ଆମର ସଭା କରୁଥାନ୍ତୁ । ପରନିନ୍ଦା କରିବା ତାଙ୍କର ଖୋଇ । ଆଲୋ, ସୁବର୍ଣ୍ଣ ପ୍ରତିମାରେ ପଙ୍କ ବୋଳିଲେ ହାତ କାଦୁଅ ହେବ, ସୁବର୍ଣ୍ଣ ପ୍ରତିମା ପିତଳ ହେବ ନାହିଁ ।

ହାତ ଧରି ଘରକୁ ନେଲେ । ଖଟ ଉପରେ ପାଖରେ ବସାଇ ପିଠିରେ ହାତ ରଖି କହିଲେ, ମୋ କଥା ଶେଷରେ କଲୁ ? ଭଲ କରିଛୁ । ଦୁନିଆରେ କିଏ କାହାର ? ପରନିନ୍ଦା, ପରଚର୍ଚ୍ଚା କରିବାକୁ ଲୋକଙ୍କୁ ଭାରି ଭଲ ଲାଗେ ।

ତୁନି ରହିଲି ।

ପଚାରିଲେ କାହା ଘରକୁ ଯିବାର ହେଲା ? କହ, ଲାଜ କରନା ।

ମୁହଁ ତଳକୁ କରି କହିଲି, ସୁର – ମୋ ଦିଅର ।

ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଏଁ, ସେ ପରା.....

କହିଲି– ମା, ସତ ମିଛ ଭଗବାନଙ୍କୁ ଗୋଚର । ତେମେ ଶୁଣିଲ, ଗାଁର ଆଉ ପାଞ୍ଚଟା ଶୁଣିଲେ, ମୁଁ ବି ଶୁଣିଲି । ସମସ୍ତେ ବିଶ୍ୱାସ କଲେ । ମୋ ମନ ଦୋ ଦୋ ପାଞ୍ଚରେ ପଡ଼ିଲା । ଭାବିଲି, ଥରେ ତ ସଂସାର କଲି ଆଉ କଅଣ ? ଭଗବାନ ମୋ ସୁଖ ସଂସାର ପୋଡ଼ିଦେଲେ । ଦୁଃଖଧନ୍ଦା କରି ତମରିମାନଙ୍କ ଆଶ୍ରାରେ ପଡ଼ି ବେଳକଟିଯିବ । ପିଲାଟିକୁ ମଣିଷ କରିବି । ଭୁଲ ବୁଝିଥିଲି । ଦୁଃଖଧନ୍ଦାରେ ଯାହା ଘରକୁ ଗଲେ ମୋ ପଛେ ଦୁର୍ନାମ ଗୋଡ଼ାଇଲା । ସହି ସହି ଦେହ ପଥର କଲି । ମନ ଟାଣ କଲେ ତୁଣ୍ଡର କଥା ସହିହୁଏ । ବଡ଼ ଲୋକ, ଯେଉଁମାନେ ମଣିଷ ଚରାନ୍ତି, ସେମାନେ ଯଦି ହାତ ବଢ଼ାଇବେ, ମୋ ଏଇ ମଇଳା ମସିଆ କୁତ୍ସିତ ଦେହଟା ଉପରେ ଲୋଭିଲା ଆଖି ପକାଇବେ, ସଂସାରରେ ଆତଯାତ ହେବି କେମିତି ? ପେଟ ପୋଷିବି କିପରି ? ଶେଷକୁ ପେଟ ବିକଳରେ କାଦୁଅରେ ପଶିବାକୁ ପଡ଼ିବ । ରକ୍ତମାଂସର ଦେହ, କେତେ ଆଉ ସହିବ କହିଲ-?

ବୁଢ଼ୀଙ୍କ ଆଖିରେ ଲୁହ ଭରିଗଲା । ନିଜ ଅଞ୍ଚଳରେ ମୋ ଆଖିରୁ ଲୁହ ପୋଛି ସେ କହିଲେ, ତୋତେ ମୁଁ ବିଶ୍ୱାସ କରେ, ଗୋଟିଏ କଥା ପଚାରିବି, ସତ କହିବୁ ?

ତାଙ୍କ ଲୁହଭରା ଆଖିକୁ ଚାହିଁ କହିଲି, ବିଶ୍ୱାସ କରିବ ?

ହଁ ତୁଳସୀ, ତୋ ଖୋଲା ମନର ପରିଚୟ ମୁଁ ପାଇଛି । କହିଲୁ ଝିଅ, ତୋ ସ୍ୱାମୀ ମଲା ଦିନୁଁ ଆଜିଯାଏ ତୁ ତୋର ଦେହମନକୁ ପବିତ୍ର ରଖିପାରିଛୁ ?

କହିଲି, ପାରିଛି ମା, ଅତି କଷ୍ଟରେ ପାରିଛି । ଆଉ ପାରିହେବ ନାହିଁ । ଯେଉଁମାନଙ୍କୁ ଆଶ୍ରା କରି ଚଳିବି, ସେମାନେ ଯଦି ମୋ ଆଡ଼କୁ ଭିନେ ଆଖିରେ ଅନାଇବେ, କେମିତି ପେଟରେ ଓଦା କନା ଦେଇ, ବୁଢ଼ୀ ମା ଓ ଉତାଣୀ ପିଲାର ଉପାସିଆ ପାଟିରେ ଲୁଣପାଣି ଦେଇ ମନ ଟାଣ କରି ରହିପାରିବି ?

ଠିକ୍ କଥା । ଟିମ ତୋତେ ଚାହିଁଥିଲା ?

ତୁନି ରହିଲି ।

କହ ତୁଳସୀ, ତା ବାପା ମରି ଆଜି ସେପୁରକୁ ଗଲେଣି । ମୋର ଏ ଦହଗଞ୍ଜିଆ ଜୀବନଟା ରହି ଛଟପଟ ହେଉଛି । ତା ମନର କଥା ମୁଁ ଜାଣିବାକୁ ଚାହେଁ ।

ତଥାପି ମୁଁ ଜବାବ ଦେଲି ନାହିଁ ।

ମୋ ମୁହଁ ଟେକି, ମୁଣ୍ଡରେ ମୁଣ୍ଡ ଲଗାଇ ଗେହ୍ଲେଇ ପଚାରିଲେ, ଲୁଚାଉଛୁ କାହିଁକି, ମୁଁ ଜାଣିବାକୁ ଚାହେଁ ।

ଲାଜ ଲାଜ ହୋଇ କହିଲି, ତାଙ୍କର ଦୋଷ ନାହିଁ । ଘରେ ସ୍ତ୍ରୀଙ୍କ ପାଖରେ ସବୁବେଳେ ଅଶାନ୍ତି । ଦିନେ ସଞ୍ଜବେଳେ ସେଇ ବଗିଚା ଘରେ ସେ ତାଙ୍କର ସବୁ ଦୁଃଖ ମୋ ଆଗରେ କହିଲେ-। ତାଙ୍କୁ ବୁଝାସୁଝା କଲି । ତାଙ୍କ ଆଖିରେ ଲୁହ ଦେଖି ମୋ ମନ ନଇଁଆସିଥିଲା । ସେଇ ଦିନ ସେ ମୋତେ ବିବାହ କରିବାକୁ ପ୍ରସ୍ତାବ କରିଥିଲେ । ମୁଁ ତାଙ୍କୁ ମନାକଲି, ନୂଆଉଙ୍କ ଭଲପାଇବାକୁ କାନ କାନ କରି ଶିଖାଇଲି । ସେ ଲୁହଭରା ଆଖିରେ ମୋ ହାତ ଧରିଥିଲେ । ତାଙ୍କର ହାତ ଆଡ଼େଇ ମୁଁ ଚାଲିଆସିଲି । ମନରେ ମୋର ଆଘାତ ଲାଗିଲା । ଭାବିଲି, ଏ ଗାଁରେ ଆଉ ରହିହେବ ନାହିଁ । ଟିମ ଭାଇଙ୍କ ଘରେ ରହିଛି, ତାଙ୍କ ମନରେ କଷ୍ଟ ଦେଇଛି, ତାଙ୍କ ମନର ଦୁଃଖ ମୁଁ ଜାଣେ । ମଣିଷର ମନ ସବୁବେଳେ ଟାଣ ରହିପାରେ ନାହିଁ । ସେଥିପାଇଁ.....

ଏଁ, ସେଇଥିପାଇଁ ଯେ ତୋ ଗେରସ୍ତକୁ ବିଷ ଦେଇ ମାରିଛି, ତାରି ସଂସାର କରିବାକୁ ଯାଉଛୁ ?

ହଁ, ଲୋକନିନ୍ଦାରୁ ଉଦ୍ଧାର ପାଇବି । ପିଲାଟି ପାଇଁ ନିଶ୍ଚିନ୍ତ ହେବି । ନୂଆଉଙ୍କ ବାଟରେ କଣ୍ଟା ହୋଇ ରହିବି ନାହିଁ ।

କହିଲେ, ତୁଳସୀ, ଟିମ ମୋର ଦୁଃଖୀ । ତତେ ମୁଁ ଏ ଘରର ବୋହୂ କରି ଆଣିବି । ଏଇ ଘରର ଲକ୍ଷ୍ମୀ ହେବାକୁ ତୁଇ ଏକା ଯୋଗ୍ୟ । ଦାଣ୍ଡଲୋକେ ବାରକଥା କହିବେ । କାହା କଥାରୁ ମତେ କଅଣ ମିଳିବ ? ତୋ ମନୁଆର କୌଣସି ଦୁଃଖ ରହିବ ନାହିଁ । ଗୋଟିଏ ବୋଲି ମୋର ପୁଅ, କେଡ଼େ ସରାଗରେ ବୋହୂ କରି ଆଣିଥିଲି । ଘରେ ଗୋଡ଼ ଦେଲା ଦିନରୁ, ମୋ ପୁଅର ମୁହଁରୁ ହସ ଲିଭିଲା, ମନରୁ ସରାଗ ଭାଙ୍ଗିଲା । ଦିନରାତି ମିଶି ଦୁଇଘଣ୍ଟା ଘରେ ପଶୁନାହିଁ । ଅଶାନ୍ତି, ଅଶାନ୍ତି...ଏଇଆ ଦେଖି ମୁଁ ମରିବି – ଏଇଆ ଦେଖି ମରିବା ମୋ ଭାଗ୍ୟରେ ଅଛି ? ତୁଳସୀ କହ, ଏ ଘରର ବୋହୂ ହୋଇ ଆସିବୁ ? ଟିମାର ମୁହଁରେ ହସ ଫୁଟିବ ?

ବୁଝିପାରିଲି ନାହିଁ ମନର କଥା । ପୁଅକୁ ସୁଖୀ ଦେଖିବାର ଉତ୍ତେଜନାରେ ସେ ଏତେଗୁଡ଼ାଏ କଥା କହିଗଲେ । ମୁଁ ତାର କି ଉତ୍ତର ଦିଅନ୍ତି । ତାଙ୍କରି ମୁହଁକୁ ଚାହିଁ ରହିଲି ।

କହିଲେ, ବିଶ୍ୱାସ କରିପାରୁନୁ ?

ଉତ୍ତର ଦେଲି, ତମର ବୋହୂ ହୋଇ ଆସିଲେ, ଏ ଘରର ଅଶାନ୍ତି କମିବ ନାହିଁ, ବଢ଼ିବ-। ଆଜି ଟିମଭାଇ ଯଦି ନଇଁପଡ଼ନ୍ତି, କିମ୍ବା ନୂଆଉ ଯଦି ମନକୁ ବୁଝାଇପାରନ୍ତି, ତେବେ ସଂସାର ସୁଖରେ ଚଳିବ । ମୁଁ ଆସିଲେ ତମର ସେବା, ଟିମଭାଇ କି ନୂଆଉର ସେବା କରିପାରିବି; କିନ୍ତୁ ଘରର ଅଶାନ୍ତି ଭାଙ୍ଗିପାରିବି ନାହିଁ । ଅଶାନ୍ତି ବଢ଼ିବ । ଦୁନିଆରେ ନିନ୍ଦା ହେବ, ଚହଳ ପଡ଼ିବ । ଲୋକେ କହିବେ– ଛି, ଛି, ତୁଳସୀଟା – ସେ ହେଲା ଅମୁକ କୁଳର ବୋହୂ । ମା ତୁମେ ଅସମ୍ଭବ କଥା କହୁଛ ।

 

ବୁଢ଼ୀ କହିଲେ ଅସମ୍ଭବ କଥା କହୁନାହିଁ । ଜାଣେ, ଘରେ ଅଶାନ୍ତି ହେବ, ଦାଣ୍ଡରେ ଚହଳ ପଡ଼ିବ । ଲୋକେ ନିନ୍ଦା କରିବେ । କିନ୍ତୁ, ମୋ ପୁଅ ମନରେ ଆନନ୍ଦ ଆସିବ ତ ? ତାର ସୁଖ ଦେଖି ଖୁସିରେ ମୁଁ ଆଖି ବୁଜିବି ।

ହସିଲି । କହିଲି ମା, ତେମେ ଭୁଲ ବୁଝିଛ । ସେ ଆନନ୍ଦ ସେ ସୁଖ ଅଧିକ ଦିନ ରହିବ ନାହିଁ । ଚିରଦିନ ଅଶାନ୍ତିରେ ମୁଁ ଜଳି ପୋଡ଼ି ମରିବି । ଆଉ ଗୋଟିଏ ଆତ୍ମାକୁ ମଧ୍ୟ ଜଳାଇ ପୋଡ଼ାଇ ମାରିବି । ଯାହାଙ୍କୁ ମୁଁ ସୁଖୀ କରିବାକୁ ଆସିବି, ହୁଏତ ତାଙ୍କୁ ବି ସୁଖୀ କରିପାରିବି ନାହିଁ । ମୋତେ କ୍ଷମା କର । ମୁଁ ଏ ଗାଁରୁ, ଟିମ ଭାଇଙ୍କ ପାଖରୁ ଦୂରେଇ ରହିଲେ, ଏ ଘରର ମଙ୍ଗଳ ହେବ । ସ୍ୱାମୀ-ସ୍ତ୍ରୀ ଭିତରେ ଅବିଶ୍ୱାସ ରହିବ ନାହିଁ । ସେଇଥିପାଇଁ, ସେଇଥିପାଇଁ ମୁଁ ଚାଲିଯିବାକୁ ଚାହେଁ, ବଞ୍ଚିଥିବାଯାଏ ଯେପରି ତାଙ୍କ ସାଙ୍ଗରେ ଆଉ ଦେଖାନହୁଏ । ଦୁନିଆ ଯାହା କହୁ, ନୂଆଉ ଯାହା ଭାବନ୍ତୁ, ଟିମଭାଇ ମୋର ଭାଇ ।

ପୁଣି କହିଲି– ମା, ନୂଆଉ ଭୁଲ କରୁଛି । ଜାଣି ଜାଣି ନିଜ ଗୋଡ଼ରେ କୁରାଢ଼ି ହାଣୁଛି । ବୁଝିପାରୁନି । ମୋର ଅପମାନ କରିବାକୁ, ମୋତେ ଲାଜ ଦେବାକୁ ମାଇପି ସଭା କରି ଅନେକ କଥା କହିଲେ । କେଉଁ କଥା ମୋର କାନ ନଶୁଣିଛି ଯେ ମୁଁ ଛଳ କରିବି ? ମୁଁ ଯଦି ଦୁର୍ବଳ ହୋଇଥାନ୍ତି, ଲୋଭରେ ପଡ଼ି ଟିମ ଭାଇଙ୍କର ହାତ ଛିଞ୍ଚାଡ଼ି ଆସିବାକୁ ମନ କରିନଥାନ୍ତି, ଆଜି ନୂଆଉର ଭାଗ୍ୟ କଅଣ ହୋଇଥାନ୍ତା ? ସେ ମୋତେ ଘୃଣା କରନ୍ତେ, ଦୁର୍ନାମ ରଟାନ୍ତେ, ଆଉ ଅଧିକା କଅଣ କରନ୍ତେ ? ସବୁ ତ କରିସାରିଛନ୍ତି । ତାଙ୍କୁ ମୁଁ ଭଲପାଏ । ତାଙ୍କ ପ୍ରତି ଟିମ ଭାଇଙ୍କର ବ୍ୟବହାର କଥା ଶୁଣିଲେ ମୋ ମନରେ ଦୁଃଖ ହୁଏ । ଦିନେ ଦୁଇଦିନ ପରେ ମୁଁ ଏ ଗାଁ ଓ ତମ ଘର ଛାଡ଼ି ଚାଲିଯିବି । ମୋ ନେଇ ନୂଆଉ ନିଶ୍ଚିନ୍ତ ହେବେ । ହେଲେ ଟିମ ଭାଇଙ୍କର ମନ ପାଇବେ ତ ? ମରଦ ପିଲା, ଟଙ୍କା ପଇସାର ଅଭାବ ନାହିଁ, ସେ ଯଦି ଅନ୍ୟକୁ ଚାହିଁବେ, ନୂଆଉ ବାଧା ଦେଇପାରିବେ ? ସେ ଭୁଲ୍ କରୁଛନ୍ତି ।

ତୁଳସୀ, ତୋର ଏତେ ବୁଦ୍ଧି ? ତୋ କଥାରେ ମୁଁ ବାଧା ଦେବି ନାହିଁ । ତୋର ପିଲାଦିନୁ ତତେ ଭଲପାଏ, ତୋ ମନକୁ ଚିହ୍ନେ । ବୋହୂକୁ ଏସବୁ କଥା ବୁଝାଇ କହିବୁ ?

ମୁଁ ପାରିବି ନାହିଁ । ସେ ମୋତେ ଦେଖିପାରନ୍ତି ନାହିଁ, ଅବିଶ୍ୱାସ କରନ୍ତି । ମୁଁ ଏ ଗାଁ ଛାଡ଼ି ଚାଲିଗଲା ପରେ, ତେମେ ନିଜେ ତାଙ୍କୁ ବୁଝାଇ କହିବ । ସେ ଯଦି ନଶୁଣନ୍ତି, ତମର କଥା ନମାନନ୍ତି, ଚିରଦିନ ଦୁଃଖ ଭୋଗିବେ ।

ସେ ବଡ଼ ଅବାଧ୍ୟ । ମୋ କଥା ଶୁଣିବ ନାହିଁ । ଚିରଦିନ ଦୁଃଖ ପାଇବ । କାହିଁକି ମୁଁ କହିବି ? ତୁ ଯା ମା । ଠାକୁରେ ତୋର ମଙ୍ଗଳ କରିବେ । ବୋଉକୁ କହିବୁ ଆସିବ ।

ବୁଢ଼ୀଙ୍କୁ ପ୍ରଣାମ କରି ପଦାକୁ ଆସିଲି ।

କାନ୍ଥକୁ ଆଉଜି ନୂଆଉ ଠିଆ ହୋଇ ସବୁ ଶୁଣୁଥିଲେ, ଆଖିରୁ ଧାର ଧାର ଲୁହ ବହିଯାଉଥାଏ ।

ତାଙ୍କୁ ଦେଖି ମୁଁ ଆଡ଼େଇହୋଇ ଚାଲିଆସିଲି ।

•••

 

୩୩

 

ସବୁ କଥା ବୁଝିବିଚାରି ଆଗକୁ ପଛକୁ ଚାହିଁ କରୁଛି ବୋଲି ମଣିଷର ଯେଉଁ ବଡ଼େଇ, ତାକୁ ଦଇବ ସହିପାରେ ନାହିଁ । ସବୁ ଠିକ୍ କରୁଛି ଭାବିଲେ ମଧ୍ୟ ତାର କାମ ଭିତରେ କେତେ ଫାଙ୍କ ରହିଯାଏ । ସେହି ଫାଙ୍କ ଭିତରେ ଭୁଲ ବସା ବାନ୍ଧି ରହେ । ଆଖିରେ ଅନ୍ଧପୋଟଳି ବାନ୍ଧେ । ମଣିଷ ହତାଶ ହେଲେ ବୁଝେ । କହେ ମନକୁ, କେଡ଼େ ଭୁଲ କରିଛି? ଦୁଃଖ କରେ, ଅନୁତାପ କରେ । ଭୁଲ ଆଉ ସୁଧାରିପାରେ ନାହିଁ । ନିଜକୁ ଧିକ୍‌କାର କରେ । କାନ୍ଦେ, କାନ୍ଦେ, ଭାବେ ଦୋଷ କାହାର ? ୟା ତା ମୁଣ୍ଡରେ ଦୋଷ ଲଦିଦିଏ । ସେ ବୁଝେ ନାହିଁ ଯେ ଦୋଷ କାହାରି ନାହିଁ, ଦୋଷ ମଣିଷର ଅପୂର୍ଣ୍ଣତାର ।

 

ତଥାପି ମନ ବୁଝିଲା ନାହିଁ ।

ଠିକ୍ ଶେଷବେଳରେ କେଡ଼େ ଆନନ୍ଦରେ କେଡ଼େ ଫୂର୍ତ୍ତିରେ ଜିନିଷପତ୍ର ସବୁ ବନ୍ଧାବନ୍ଧି ହେଲା । ଦେହରେ ତାତି ଭରିରହିଥିଲେ ମଧ୍ୟ ବୋଉ ଆମ ସାଙ୍ଗରେ ଯୋଗଦେଇଥିଲା । ରାତି ନପାହୁଣୁ ଏତେ କାଳର ଘରଟାକୁ ଛାଡ଼ି ଚାଲିଯିବାକୁ ହେବ । ଦୁଃଖ ହେଉଥାଏ; କିନ୍ତୁ ସୁରଙ୍କୁ ଆଗରେ ଦେଖି ପ୍ରାଣ ପୁଲକିଉଠୁଥାଏ – ସୁର – ଯାହାକୁ ନେଇ ଆଜୀବନ ସୁଖରେ ଘର କରିବି ।

 

ସାତଘଡ଼ି ଅନ୍ଧାର ପରେ ଖଣ୍ଡିଆ ଜହ୍ନ ଆକାଶ କୋଳରୁ ଗଛ ଗହଳିର ସେ ପାଖରୁ ଉଙ୍କିମାରି ଆସୁଥାଏ । ମୋର ଭାଗ୍ୟକୁ ଉପହାସ କରିବାକୁ ସୁଲୁ ସୁଲୁ ବହୁଥାଏ ଶୀତଳ ପବନ । ଲକ୍ଷ ଲକ୍ଷ ତାରା ଆକାଶ ଉପରୁ ମିଟି ମିଟି ଚାହିଁ ରହିଥାନ୍ତି ।

 

ସୁରଙ୍କର ଅତି ପାଖରେ ଥାଇ ମୋ ମନ ପୁଲକିଉଠୁଥାଏ । କେତେ କଥା, କେଡ଼େ ଆନନ୍ଦ ।

 

ସେହି ନୀରବ ନିରୋଳା ରାତିର ଫିକା ଆଲୁଅ ପରଶରେ, ଯେତେବେଳେ ଦେହ ଶିହରିଉଠୁଥିଲା, ତାଙ୍କର ନିବିଡ଼ ଆଲିଙ୍ଗନ ଲୋଭରେ ମୋ ଥରିଲା କଣ୍ଠର ଗୋଟାଏ ପ୍ରଶ୍ନର ଉତ୍ତର ଦେଇ, ସେ ମୋର ଏତେ ଦିନର ଆଶା ଉପରେ ବଜ୍ରମାଡ଼ ଦେଲେ । କହିଲେ ନୂଆଉ, ଏ କଥା ମୁଁ ମନକୁ କେବେ ଆଣିନାହିଁ । ତେବେ ତମରି ଘରକୁ ଫେରିଯିବ । ମୁଁ ତମର ସେବା କରିବି-। କାଲି ତୁମକୁ ମୁଁ ଯେଉଁ ଆଖିରେ ଦେଖୁଥିଲି, ଆଜି ମଧ୍ୟ ସେହି ଆଖିରେ ଦେଖୁଛି । ତମ ତୁଣ୍ଡରୁ ଏପରି କଥା ଶୁଣିବି ବୋଲି ମୁଁ କେବେ ଆଶା କରିନଥିଲି ।

 

ପଥର ପରି ଘଡ଼ିଏ କାଳ ବସିରହିଲି । ମୋ ଆଖି ଆଗରେ ଦୁନିଆଟା ଘୂରିଲା ପରି ଲାଗିଲା । ଅଜାଣତରେ ଦୁଇ ଆଖିରୁ ଝରିପଡ଼ିଲା ଲୁହ ।

 

ଭୁଲ, ସବୁ ଭୁଲ । ସେତେବେଳେ ମୁଁ କ’ଣ ଭାବିଲି କଣ ସ୍ଥିର କଲି, ଆଜି ମନେନାହିଁ । ଦୁଃଖ ହତାଶାର ରିହ କମିଆସିଲା ପରେ ତାଙ୍କ ବିରୁଦ୍ଧରେ ଅଭିମାନ ଓ ରାଗରେ କେତେ କଅଣ ବକିଗଲି । ସେ ଉତ୍ତେଜିତ ନହୋଇ ଧୀରେ ଧୀରେ ମୋ କଥାର ଜବାବ ଦେଲେ ।

 

କଥାର କଟାକଟି ! ମୁଁ ତାଙ୍କୁ ବୁଝାଇବାକୁ ବସିଲି । ମନ ଖୋଲି ଜୀବନର ସବୁ ଉତ୍ତେଜନା, ଅଭିଜ୍ଞତା ଓ ପଣ ତାଙ୍କରି ଆଗରେ କହିଲି । ସେ ମଧ୍ୟ କିଛି ଲୁଚାଇଲେ ନାହିଁ । ସବୁ କହିଲେ । ନିଜେ ଯେପରି ସଂଯମୀ ହୋଇ କେତେ କେତେ ପ୍ରଲୋଭନ ପାଖରୁ ଦୂରକୁ ଘୁଞ୍ଚି ଆସିପାରିଛନ୍ତି, ସେମିତି ସଂଯମ ଶିକ୍ଷା କରିବାକୁ ମତେ ସେ ଉପଦେଶ ଦେଲେ । ମୋ ମନରେ କିଛି ପଶୁନଥାଏ ।

 

ପ୍ରଲୋଭନ ପାଖରୁ ଦୂରେଇ ଆସିଲେ ସତ, କିନ୍ତୁ ପ୍ରଲୋଭନ ତ ଆସିଥିଲା ! ସବୁବେଳେ ମଣିଷ ଟାଣ ରହିପାରେ ନାହିଁ । କେତେବେଳେ ଯେ ତାର ଚାତର ଭାଙ୍ଗେ, ସେ ନିଜେ ଜାଣିପାରେ ନାହିଁ । ଗୋଟିଏ ଘରେ ଆମେ ଦିହେଁ ରହିବା । ଦୁହିଁଙ୍କର ବୟସ ଅଛି । ମନର ଉତ୍ତେଜନା ନଇଁନାହିଁ । ଘରେ ଆଉ କେହି ନାହିଁ ଯାହାର ଡରରେ ମନରେ ସଙ୍କୋଚ ଆସିବ । ଉତ୍ତେଜନା ଯଦି ଏକସଙ୍ଗେ ଦୁଇଟି ମନରେ ଆସେ, ଧୈର୍ଯ୍ୟ ରହିପାରିବ ନାହିଁ । ସୁର ଯଦି ଅନ୍ୟର ହାତ ଘରକୁ ଆଣନ୍ତି, ତା ହେଲେ କେଜାଣି କିନ୍ତୁ, ଗୋଟିଏ ଆଡ଼ୁ ପ୍ରଲୋଭନ ଆସିବ । ବଞ୍ଚିଥିବା ଯାଏ ମନ ଛଟପଟ ହେବ । ତା ଅପେକ୍ଷା ଆମ ସମାଜରେ ଯାହା ଚଳେ, ସେପରି ନକରିବା କଅଣ ଉଚିତ ?

 

ଏଇସବୁ କଥା ନେଇ ବାଦାନୁବାଦ ଚାଲିଲା । ଶେଷକୁ ସୁର ସ୍ୱୀକାର କଲେ, ତମେ ଯାହା କହିଲ ନୂଆଉ, ସବୁ ଠିକ୍ । ତଥାପି, ମତେ ଭାବିବାକୁ ଦିଅ । ଅନେକ କଥା, ତୁଣ୍ଡବାଇଦ ସତ ଫଳିଯିବ । ତମ ଭିତରେ ମୋ ଭାଇର ଉପସ୍ଥିତି ମୁଁ ସବୁବେଳେ ଅନୁଭବ କରେ । ତମେ ଯେତେ ଦୂରରେ ରହିଲେ ମଧ୍ୟ ମନରେ ଆସେ – ଭାଇ ମୋର ବଞ୍ଚିଛି । ଯେଉଁଦିନ ତୁମକୁ ମୁଁ ନିଜର କରିନେବି, ଭାଇକି ଖୋଜିଲେ ଆଉ ପାଇବି ନାହିଁ ।

 

କହିଲି ଥଟ୍ଟା କରି, ନିଜର ମନ ଭିତରେ ଖୋଜିଲେ ପାଇବ । ଯେ ଯାଇଛି, ତାର ସ୍ମୃତି ଛଡ଼ା ଦୁନିଆରେ ଖୋଜିଲେ ଆଉ କିଛି ମିଳିବ ନାହିଁ । ଭାଇଙ୍କୁ ସ୍ନେହ କରିବାର କଥା, ଭକ୍ତି କରିବାର କଥା । ଭାଇର ଆଦର ଯତ୍ନ, ଭଲ ମନ୍ଦରେ ଭାଇଠାରୁ ଯାହା ପାଇବାକୁ ଆଶା କରନ୍ତ, ସବୁ ତୁମେ ପାଇ ପାରିବ – ତମରି ରକ୍ତ ମନୁଆର ମା ପାଖରୁ । ଆଉ, ମୁଁ ଯାହା ହଜାଇଛି, ସେହି ଅମୂଲ୍ୟ ରତ୍ନ ପାଇବି ତମରିଠାରେ ।

 

ନୂଆଉ, ମୋତେ ସମୟ ଦିଅ ।

ବୋଉ ଜାଣେ ନାହିଁ । ରାତି ଅଧରେ ସେ ବିଦାୟ ନେଇ ଗଲେ । ସେଦିନ ତାଙ୍କୁ ଆଉ ଅଟକାଇପାରିଲି ନାହିଁ । ଝରିଲା ଆଖିରେ ଯେତେବେଳେ ତାଙ୍କର ଥରିଲା ହାତକୁ ମୋ ହାତରୁ ଖସାଇନେଲେ, କାନ୍ଦଣା କୋହରେ ପଚାରିଲି– କେବେ ପୁଣି ଆସିବ ସୁର ?

 

କହିଲେ, ଜାଣେନା ନୂଆଉ ।

ସୁର ଚାଲିଗଲେ । କେତେଦିନ ହେଲା ଦେହ ଓ ମନରେ ଯେଉଁ ଉତ୍ତେଜନାର ଲହଡ଼ି ଖେଳୁଥିଲା, ଆଖିର ତତଲା ଲୁହଧାରରେ ସେତକ ଶାନ୍ତ ହେଲା । ମନରେ ଆଉ ଚିନ୍ତା ନାହିଁ । କେବଳ ଗୋଟିଏ କଥା ତୁହାଇ ତୁହାଇ ଉଠିଲା – ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଓଟାରେ ତେଣିକି ଯାଇ । ସେତିକି ମୋର ହତାଶିଆ ଜୀବନର ସାନ୍ତ୍ୱନା । ଯାହା ହେବାର ହୋଇଯାଉ, ମୋର ତ ଚାରା ନାହିଁ ।

 

ଚାରିଦିନ ହେଲା ବୋଉ ବିଛଣାରୁ ଉଠିନାହିଁ । ବେଳୁବେଳ ତାର ଦେହ ବଳେଇପଡ଼ୁଛି-। ବେଶି ବେଳ ବିଛଣାରେ ତୁନି ହୋଇ ଆଖି ବୁଜି ପଡ଼ିରହୁଛି, ସତେ କି ଦେହରେ ଜ୍ଞାନ ନାହିଁ । ଆଖି ଖୋଲିଲେ, ମତେ ପାଖରେ ଦେଖିଲେ ପଚାରୁଛି– ସୁର ଆଇଲା କି ମା ?

 

ସୁର ଆସିଲେ ନାହିଁ । ସେ ସମୟ ମାଗିଥିଲେ । ନିଜେ ସେ ଜାଣନ୍ତି ନାହିଁ କେବେ ଆସିବେ ।

 

ମୋ ମୁହଁ ଦେଖି, ମନ କଥା ବୁଝି ମୁଣ୍ଡ ହଲାଇ ବୋଉ କହିଲା, ସେ ଆସିବ ନାହିଁ, ସେ ଆସିବ ନାହିଁ ।

 

ଭାବିଲି, ବୋଉ ଆଗରେ ସବୁ ସତକଥା ଖୋଲି କହିନଥିଲେ ଭଲ ହୋଇଥାନ୍ତା !

କହିଲି, ତୁ ବ୍ୟସ୍ତ ହନା ବୋଉ, ସୁର ନଆସୁ । ମଣିଷ ମାସେ ପନ୍ଦରଦିନ ଅନାଏଁ, ସେଇଠୁ ନିଜ କଥା ନିଜେ କରେ । ଚିରଦିନ କାହାରିକୁ କେହି ଅନାଇ ବସେ ନାହିଁ ।

 

ବଲବଲ କରି ମୋ ମୁହଁକୁ ଚାହିଁଲା । ଆଖିରେ ଲୁହ । ପଚାରିଲା ତେବେ ଅନାଇ ବସିଛୁ କାହିଁକି ?

 

ତାର ଗୋଡ଼ ଘଷିଦେଉଥିଲି । ଗୋଡ଼ ଟାଣିନେଇ କହିଲା– ଲୋକଙ୍କ କଥା ମିଛ ନୁହେଁ-। ତୁ ଯାହା ଅନୁମାନ କରିଥିଲୁ ସବୁ ସତ । ସେ ମଉନମୁହାଁ ଟୋକାକୁ ମୁଁ ଚିହ୍ନିପାରିନଥିଲି । ଏବେ ବୁଝିଲି । ମନୁଆ ବାପକୁ ସେଇ ବିଷ ଦେଇ ମାରି, ଧରା ପଡ଼ିବ ବୋଲି ଭଲେଇହଉଛି । ହଁ ଏକଥା ସତ ।

 

ମୋ ଛାତି ଥରିଉଠିଲା । ଧୈର୍ଯ୍ୟ ଧରି କହିଲି, ତୁ ତୁନି ହୋଇ ଶୋଇପଡ଼େ । ମୁଁ ଜାଣେ, ସୁର ସେମିତି କାମ କରିନାହିଁ । କେମିତି କଅଣ ହେଲା ସେ ନିଜେ ଜାଣେ ନାହିଁ ।

 

ଏତେ ସରି ହେଲୁଣି, ଏତେ ଦୁଃଖ ଭୋଗିଲୁଣି, ତଥାପି ତୁ କୁହୁଡ଼ି ପହଁରୁଛୁ ମା ?

ନାଇଁଲୋ ବୋଉ, ତା ହୋଇଥିଲେ ସୁର ମୋର ପ୍ରସ୍ତାବରେ ରାଜି ନହେଲେ କାହିଁକି ? ନିର୍ଲ୍ଲଜୀ ପରି କେତେ କଥା ତାଙ୍କୁ କହିଲି । ମନରେ ଅନୁତାପ ଆସୁଛି । ସେ ତୁଣ୍ଡରେ ନକହି ମଧ୍ୟ ଢଙ୍ଗରେ ମନା କରିଦେଇ ଗଲେ ।

 

କିଲୋ, କାହିଁକି ସେ ଚୁଲିପଶା ଥରକୁ ଥର ଲୁଚି ଲୁଚି ଆସି ସେହି ସ୍ନେହ ଲଗାଇଲା ? ଏଡ଼େ ସାହସ ତାର ! ସେ ଭାବିଛି ମୋ ପିଲା ଝିଅ ତୁଳସୀ ଯାଇ ତା ଘରେ ପୋଇଲୀ ହୋଇ ରହିବ, ଆଉ ସେ ସୁଖରେ ସଂସାର କରିବ ଆଉ କାହାର ହାତ ଧରି ? ଆଲୋ, ତତେ ପାଇବାକୁ ସେ ମନୁଆ ବାପାକୁ ମାରିନାହିଁ, ସବୁ ସମ୍ପତ୍ତି ନିଜର କରିବ ବୋଲି ଏହା କରିଛି । ତତେ ଓ ମନୁଆକୁ ପାଖକୁ ନେଲେ କଳେ-ବଳେ-କୌଶଳେ ମନୁଆକୁ ନାଇଁ, ତା ପାଖକୁ ତୁ ଯିବୁ ନାହିଁ । ଭିକମାଗି ପଛେ ମନୁଆକୁ ପୋଷି ମଣିଷ କର ।

 

ତା’ କଥାରେ ମତେ ତିନିପୁର ଅନ୍ଧାର ଦିଶିଲା । କହିଲି, ତୁ ଶୋଇପଡ଼େ ।

ଏକୁଟିଆ ମଣିଷ । ପିଲାଟିକୁ ଲଦି ହୋଇ କେଉଁ କାମ କରିବି ? ରୋଗୀର ଯତ୍ନ ନେବି, ପଥି ରାନ୍ଧିବି କି ବଇଦ ପାଖକୁ ଓଷଦ ପାଣି ପାଇଁ ଯିବି ? ଘର ବାଟେ ଯିଏ ଚାଲିଯାଉଥାଏ ତାକୁ ଡାକି ବୋଉ ପାଖରେ ବସାଏ । ନିଜେ ବଇଦ ଘରକୁ ଯାଏ ।

 

ହାତରେ ଧନ ନାହିଁ । ବଇଦର ଓଷଦ ପାଉଣା ବାକୀ । ଭାତଗଣ୍ଡିଏ ରାନ୍ଧି ପିଲାଟିକୁ ଦେଇପାରୁନାହିଁ । ପାଣି ତୋରାଣି ପିଇ ଦିନୁଦିନ ଶୁଖିଯାଉଛି । କାହା ଘରକୁ କାମଧନ୍ଦା କରିଯିବାକୁ ତର ନାହିଁ । କଅଣ କରିବି ? ଚାରିଆଡ଼ ଅନ୍ଧାର ଦିଶୁଛି ।

 

କାହିଁକି ସୁରଙ୍କ ସଙ୍ଗେ ନଗଲି ! ଜୀବନ ଥିଲେ ସିନା ଭବିଷ୍ୟତ କଥା ଭାବିବା । ସୁରଙ୍କ ବିଷୟରେ ରାଗ ବାଉଳାରେ ବୋଉ ଯାହା କହିଲା ମୋ ମନ ଘେନିଲା ନାହିଁ । ମନୁଆକୁ ସେ ପ୍ରାଣରୁ ବଳି ଭଲ ପାଆନ୍ତି ।

 

ବ୍ୟସ୍ତରେ ପଡ଼ିଥାଏ । ବୋଉର ଗୋଡ଼ ପାଖରେ ବସି ଗୋଡ଼ ଆଉଁସିଦେଉଥାଏ । ଛାତିରେ କଫ ଜମାଟ ବାନ୍ଧି ରହିଛି । ନିଶ୍ୱାସ ନେଲାବେଳକୁ ଘଡ଼ ଘଡ଼ ହେଉଛି । ଆଖି ଖୋଲୁନାହିଁ । ଦେହରେ ଖଇଫୁଟା ତାତି । ବଇଦ ଦେଇଥିବା ଓଷଦ ଶେଷ ହେଲାଣି । ସକାଳେ ଆସି ରୋଗୀକୁ ଦେଖିଯିବେ ବୋଲି କହିଥିଲେ । ଦିନ ଦି’ଘଡ଼ି ହେଲାଣି, ଦେଖାଦର୍ଶନ ନାହିଁ । କେତେ ଲୋକଙ୍କ ହାତରେ ଖବର ପଠାଇଲିଣି । ଟଙ୍କା ପାଇବେ ନାହିଁ ବୋଲି ହୁଏତ ଆସୁନାହାନ୍ତି-

 

ଚେମା’ଇକୁ ସାହାଯ୍ୟ ମାଗିବି ? ନାହିଁ କରିବ ନାହିଁ । କିନ୍ତୁ ଯାହାର ମନ ଭାଙ୍ଗିଛି, ତା ପାଖରେ ହାତ ପାତିବି ?

 

ଟିମାଇ ପାଖରେ ଗୋଡ଼ ଭାଙ୍ଗି ଠିଆହେବି ? ବଡ଼ ଲୋକ । ଦେବେ । କିନ୍ତୁ, ତାଙ୍କୁ ମାଗିବାକୁ ମୋର ମୁହଁ ନାହିଁ ।

 

କାନ୍ତରାଟିବାବୁ ? ଆଗ୍ରହରେ ସେ ଆଗ ବଳିପଡ଼ି ଦେବେ । ଦିଆ ନିଆର ଦୁନିଆ । ଯାହା ସେ ଚାହିଁବେ ମୁଁ ଦେଇପାରିବି ନାହିଁ ।

 

ସୁରଙ୍କ ପାଖକୁ ଖବର ପଠାଇବି ? କିଏ ଯିବ ?

ମନକଥା ଜାଣିଲା ପରି ଟିମଭାଇ ଡାକ ଛାଡ଼ିଲେ ପଦାରୁ – ତୁଳସୀ, ଆଲୋ ତୁଳସୀ !

 

ଚମକିଉଠିଲି । ମନୁଆକୁ କାନ୍ଧରେ ପକାଇ ପଦାକୁ ଆସିଲି । ତାଙ୍କୁ ଦେଖି କେଜାଣି କେମିତି ମୋ ଆଖି ଛଳ ଛଳ ହେଲା ।

 

କହିଲେ, କାନ୍ଦନା । ବୁଢ଼ୀ ଆସି ଏତେ ସରି ହେଲେଣି, ଖବର ପଠାଉନୁ ? ତୋ ନୂଆଉ କାହାଠୁ ଶୁଣି, ମତେ ଜିଗର ଧରି ପଠାଇଛନ୍ତି । ନିଜେ ଆସିଥାନ୍ତେ । ଦିନବେଳ ବୋଲି ମୁଁ ମନା କଲି । ସଞ୍ଜକୁ ଆସିବେ । କାହାନ୍ତି ବୁଢ଼ୀ, ଦେଖେଁ ।

 

ଅନେକ ସମୟ ରହିଲେ । ତାଙ୍କର ପାଟି ଶୁଣି ବୋଉ ଥରଟିଏ ପାଟି ଫିଟାଇଲା, ସୁରକିରେ, ଆ ବାବା, ମୁଁ ଆଉ ବଞ୍ଚିବି ନାହିଁ । ତୁଳସୀ ତତେ ଲାଗିଲା, ବାଇଆ ବୁଦ୍ଧି ତୁ ଛାଡ଼ ।

 

ମୁଁ କିଛି କହିପାରିଲି ନାହିଁ । ଟିମାଇ ମଧ୍ୟ ତୁନି ରହିଲେ ।

ପଦାକୁ ଆସି ତୁନି ତୁନି କହିଗଲେ– ଚିନ୍ତା କର୍‌ନା, ଚିକିତ୍ସା କରାହେବ, ତେଣିକି ଯାହା ତମ କପାଳରେ ଥିବ ।

 

ଘଣ୍ଟାକ ଭିତରେ ବଇଦକୁ ସାଙ୍ଗରେ ଘେନି ପହଞ୍ଚିଲେ । ଓଷଦର ବ୍ୟବସ୍ଥା ହେଲା । ବୋଉର ପଥି ଓ ଆମର ଖାଇବାର ବନ୍ଦୋବସ୍ତ ମଧ୍ୟ ହୋଇଗଲା । ମୋର ହଁ ନାଁକୁ ସେ ଶୁଣନ୍ତେ କାହିଁକି ? ନିଜକୁ ଯାହା ଭଲ ଦେଖାଗଲା କରିଗଲେ । ମୋ ପାଖରେ ରହି ମତେ ସାହାଯ୍ୟ କରିବାକୁ ତାଙ୍କର ଚାକର ଟୋକା ବିଶୁକୁ ଛାଡ଼ିଦେଇ ଗଲେ । ବଇଦ ନାଡ଼ି ଦେଖି କହିଗଲେ– ଅବସ୍ଥା ଭଲ ଅଛି, ତେବେ ଉସୁନା ଧାନ ଗଜା ହେବା କଥା ।

 

ଟିମବାବୁଙ୍କର ଦୟା ଓ ସାହାଯ୍ୟ ପାଇଁ ତାଙ୍କ ପାଖରେ ନେହୁରା ହେବାକୁ ମୋର ବେଳ ନଥିଲା କି ମନ ବି ନଥିଲା । ଘରଖଣ୍ଡି ତ ନିଲାମ କରିନେଇଛନ୍ତି, ବୋଉ ଆଖି ବୁଜିଲେ ମୁଁ ସୁରଙ୍କ ଘରକୁ ଚାଲିଯିବି – ଏ କଥା ସେ ଜାଣନ୍ତି । ସେ ଘର ଦଖଲ ନେବେ । ଏତକ ସାହାଯ୍ୟ ନକଲେ ମୁଁ ସିନା କିଛି କହିପାରିବି ନାହିଁ, ଦାଣ୍ଡ ଲୋକ ଅବଶ୍ୟ ଦି’କଥା କହିବେ । ଲୋକଲଜ୍ଜାକୁ ଡରି ସେ ସାହାଯ୍ୟ କରୁଛନ୍ତି, ହୁଏତ ତାଙ୍କ ସ୍ତ୍ରୀଙ୍କ ଶିକ୍ଷା । କରନ୍ତୁ ।

•••

 

Unknown

୩୪

 

ସଞ୍ଜବେଳେ ଟିମଭାଇଙ୍କ ସ୍ତ୍ରୀ ଆଉ ତାଙ୍କର ବୋଉ ବୁଢ଼ୀକୁ ଦେଖିବାକୁ ଆସିଲେ । ଘଡ଼ିଏଖଣ୍ଡେ ସେମାନେ ରହିଲେ । ଭଲମନ୍ଦ ସବୁ ପଚାରି ବୁଝିଲେ । ବ୍ୟସ୍ତ ଓ ହତାଶ ନହେବାକୁ ମତେ ବୁଝାଇଲେ ।

 

ଟିମ ଭାଇଙ୍କର ସାହାଯ୍ୟ ପାଇ ମା’ର ଚିକିତ୍ସା ଚାଲିଲା । କେତେ କାଳର ବୁଢ଼ୀ, ବେମାର ପଡ଼ିଛି । ତାକୁ ଦେଖିବାକୁ ଗାଁର ସବୁ ଲୋକ ଥରେ ଆସନ୍ତି । କିଏ କେତେ କଥା କହି ଫେରିଯାନ୍ତି ।

 

ଆଉଦିନେ ସଞ୍ଜବୁଡ଼େ ଟିମଭାଇ ଆସି ବୋଉ ପାଖରେ ବସିଲେ । ବଇଦ ଓଷଦ ଦେଇ ଚାଲିଗଲେ । ମୁଁ ପାଣି ମନ୍ଦାଏ ଗରମ କରୁଥାଏ । ସକାଳୁ କେମିତି ବାଦଲିଆ ହୋଇଥିଲା । ହଠାତ୍ ବର୍ଷା ଆରମ୍ଭ ହେଲା । ସଙ୍ଗେ ସଙ୍ଗେ ପବନ । ବିଶିଆ ପିଣ୍ଡାରେ ବସିଥିଲା । ତାକୁ ଡାକି ଟିମଭାଇ କହିଲେ, ଆରେ ଧାଇଁଯା, ଘରୁ ଖଣ୍ଡେ ଛତା ନେଇ ଆସିବୁ ।

 

ବିଶିଆ ଚାଲିଗଲା ।

ଅଧବାଟରେ ସେ ହୋଇଥିବ କି ନାହିଁ, ବରଷା ଓ ପବନର ବେଗ ବଢ଼ିବାକୁ ଲାଗିଲା । ଆମର ଛୋଟ ଚାଳଖଣ୍ଡ ଉଠୁଥାଏ ପଡ଼ୁଥାଏ । ଘର ଛୁଆଁଣି ହୋଇନଥାଏ । ମାଙ୍କଡ଼ମାନେ ଠାଏ ଠାଏ ଓଲାରି ପକାଇଥାନ୍ତି । କଣାବାଟେ ବର୍ଷାପାଣି ଘରଭିତରେ ପଡ଼ୁଥାଏ ।

 

ଗରମ ପାଣି ଆଣି ଟିମଭାଇଙ୍କ ପାଖରେ ରଖିଲି । ଡିବିରିର ଶିଖାଟା ପବନରେ ଥରୁଥାଏ । ଲିଭିଯିବ ବୋଲି କାନ୍ଥ କଡ଼ରେ ରଖିଲି । କାଳେ ମନୁଆ ଉପରେ ପାଣି ପଡ଼ୁଥିବ ବୋଲି ତା ପାଖକୁ ଗଲି । ସପଟିକୁ ଶୁଖିଲା ଥାନକୁ ଘୋସାରିଆଣିଲି ।

 

ଟିମଭାଇ ଗରମ ପାଣିରୁ ଟିକେ କାଚ ଗିଲାସରେ ରଖି ତହିଁରେ ଗୁଣ୍ଡ ଓଷଦ ପକାଇଲେ । ମୋ ହାତକୁ ଗିଲାସଟି ଦେଇ କହିଲେ– ନେ, ପିଆଇ ଦେ ।

 

ଓଷଦପାଣି ଟିକକ ପାଟିରେ ଗଳିଲା ନାହିଁ । ଭିତରକୁ ବୁନ୍ଦାଏ ଯାଇଛି କି ନାହିଁ କେଜାଣି....

 

ଟିମଭାଇ ମୁହଁ ନେଫଡ଼ି ଦେଲେ । ଘରର ଆର କଡ଼କୁ ଆସିବାକୁ କହିଲେ । ଗଲି । ଧୀର ସ୍ୱରରେ ମତେ କହିଲେ, ଆଲୋ ବଇଦ କହିଗଲା ବୁଢ଼ୀ ଆଉ ଠାକିବ ନାହିଁ । ଏଇ ଦିନେ ଓଳିକରେ ଚାଲିଯିବ । ସେଥିକି ଦୁଃଖ କଅଣ ? ଆମ୍ବ ପାଚିଲେ ଗଛରୁ ନିଶ୍ଚୟ ଝଡ଼ିବ । କେହି ରଖିପାରିବେ ନାହିଁ । କିଏ ଆଗ, କିଏ ପଛ । ଯିଏ ରହନ୍ତି ସେ କାନ୍ଦନ୍ତି, ସତେ କି ସେ ଚିରଦିନ ରହିବେ !

 

ତାଙ୍କ କଥାରେ ମୋ ଆଖିରେ ଲୁହ ଭରିଗଲା । କିଛି ଉତ୍ତର ଦେଲି ନାହିଁ ।

ପୁଣି କହିଲେ– ମା ତୋର ଚାଲିଯିବ, ତୁ କାନ୍ଦିବୁ, କିନ୍ତୁ ତା ପରେ କରିବୁ କଅଣ ? ଯଦି ସୁର ପାଖକୁ ଯାଇ ସଂସାର କରିବାର କଥା, ଚାଲିଯା । ନୋହିଲେ.....

 

କଥାଟା ଅଧା ରଖିଦେଲେ । ମୋତେ ନିରୁତ୍ତର ଦେଖି ପୁଣି କହିଲେ, ସୁର ଏ ଭିତରେ ଦିନେ ସଞ୍ଜବେଳେ ଆସିଥିଲା । ପୁଣି ରାତିଏ ରାତିଏ ଚାଲିଗଲା । କାହିଁକି ?

 

ପଚାରିଲି, ଆପଣ ଜାଣିଲେ କିପରି ?

କଥା ଅଛପା ରହେ ନାହିଁ, ସବୁ ଫୁଟି ବାହାରେ । କେତେ ଲୋକ କେତେ କଥା କହୁଛନ୍ତି – ଭଲ, ମନ୍ଦ । ପ୍ରକୃତ କଥାଟା କଅଣ କହିଲୁ ତୁଳସୀ ..... କିଛି ଲୁଚାନା ।

 

ମୁଁ ଦୋ ଦୋ ପାଞ୍ଚ ହେଲି । ପୁଣି ଭାବିଲି, ଶୁଣିବାକୁ ମନ କରିଛନ୍ତି ତ ଶୁଣନ୍ତୁ । ବିଶ୍ୱାସ କଲେ କରିବେ, ନଇଲେ ନାହିଁ । ଯାହା ମୋ ଭାଗ୍ୟରେ ଥିବ ତ ହେବ । କେହି ଅନ୍ୟଥା କରିପାରିବେ ନାହିଁ । ଠିକେ ଠିକେ ସବୁ କଥା ମୁଁ କହିଲି ।

 

ମନ ଦେଇ ସବୁ ଶୁଣିଲେ । ଭାବି ଭାବି କହିଲେ, ବୁଝାଗଲା । ସୁର ଅନ୍ୟ କେଉଁଠି ସ୍ଥିର କରିଛି । ତୋ ଭବିଷ୍ୟତ୍ ପାଇଁ ତିନୋଟି ବାଟ ଖୋଲା ଅଛି । ସୁରର ସଂସାରକୁ ଯାଇ ଆଉ ପାଞ୍ଚଟା ବିଧବାଙ୍କ ପରି ପରର ସେବା କରି ବେଳ କଟା, ଦୁଃଖ ସୁଖରେ ଭାଗ୍ୟରେ ଯାହା ଆସିବ ସହି ପିଲାଟିକୁ ମଣିଷ କର୍‌ । ନୋହିଲେ ଅନ୍ୟ କାହାର ହାତଧରି ସଂସାର କରିବାକୁ ଯା । ନୋହିଲେ ଏଇଠି, ଏଇଘରେ, ତୋ ବୋଉ ଯେପରି ବେଳ କାଟିଲା ସେମିତି କର୍ । ଘରଟା ନିଲାମ ହୋଇଥିଲେ ବି ତୋତେ ରହିବାକୁ କେହି ମନା କରିବେ ନାହିଁ ।

 

ଏଇ ତିନୋଟି କଥା ମୁଁ କେତେ ଭାବିଛି । କୂଳକିନାରା ପାଇନାହିଁ ।

 

କହିଦେଲି, କିଛି ଭାବିପାରୁନାହିଁ । ଭାବି ସ୍ଥିର କରିବା ଭଳି ଅବସ୍ଥା ମୋର ନାହିଁ । ତେମେ କହ କଅଣ କରିବା ଉଚିତ ।

 

ଏତେ ବଡ଼ ଦାୟିତ୍ୱର କଥା ମୋ ତୁଣ୍ଡରୁ ଶୁଣିବୁ କାହିଁକି ? ବରଂ ତୁ ନିଜେ ଭାବି ସ୍ଥିର କ’ରେ ।

 

ବୋଉ ଘଡ଼ ଘଡ଼ ହୋଇ କଡ଼ ଲେଉଟାଇବାକୁ ଚେଷ୍ଟା କଲା । ଏକସଙ୍ଗେ ଆମେ ଦୁହେଁ ଦୁଇଆଡ଼ୁ ଉଠି ତା ବେକ ତଳେ ହାତ ଦେଇ କର ଲେଉଟାଇଦେଲୁ । ମୁହୂର୍ତ୍ତକ ପାଇଁ ଟିମାଭାଇଙ୍କ ନିଶ୍ୱାସ ଗରମ କରିଥିଲା ମୋର କପାଳ ।

 

ଦୀପ ଲିଭିବା ଆଗରୁ ଯେମିତି ଦପ୍‌କରି ଜଳିଉଠେ, ସେମିତି ବୋଉର ଆଖିପତା ଖୋଲିଗଲା । ଦୁଇଟା ମୁହଁ ପାଖାପାଖି ପଡ଼ିଲା ତାର ଆଖିଆଗରେ । ଦୃଷ୍ଟି ସ୍ଥିର ହୋଇ ରହିଲା । ମଉଳା ଓଠରେ କ୍ଷୀଣ ହସର ଆଭା ଖେଳିଗଲା । ଦୁଇହାତ ଦୁଇଆଡ଼କୁ ମେଲାଇ କଅଣ ଯେପରି ଖୋଜିବାକୁ ଲାଗିଲା । ଗୋଟିଏ ହାତରେ ପଡ଼ିଲା ମୋରି ହାତ, ଆଉ ଆରଟିରେ ଟିମଭାଇର । ଦୁଇ ହାତକୁ ଧୀରେ ଧୀରେ ତାର ଛାତି ଉପରେ ରଖିଲା । ଦମକାଏ ପବନ ଘର ମଥାନ ଥରାଇଦେଲା । ଲୁହ ଠୋପାପରି ପାଣି ବୁନ୍ଦାଏ ଖଣ୍ଡିଆ ଚାଳବାଟେ ଗଳିପଡ଼ିଲା ଆମ ଦୁହିଁଙ୍କର ହାତ ଉପରେ ।

 

ବୋଉର ହାତ ଶିଥିଳ ହୋଇଆସିଲା । ଗୋଟିଏ ହେକ୍‌କା, ଆଖି ବୁଜିଲା । ଦୁଇହାତ ଦୁଇ ପାଖକୁ ବସି ପଡ଼ିଲା। ଦୁହେଁ ବୁଝିଲୁ, ସେ ଆଉ ଆଖି ଖୋଲିବ ନାହିଁ ।

 

ଟିମଭାଇଙ୍କର ମୁହଁକୁ ଚାହିଁଲି । ଲୁହଭରା ଆଖି, ମୋ ପାଟିରୁ କଥା ବାହାରିଲା ନାହିଁ ।

କେଜାଣି କି ଦୁଃଖରେ ଥରିଲା କଣ୍ଠରେ କହିଲେ– ତୁଳସୀ, ସବୁ ଶେଷ ହୋଇଯାଇଛି । ଚେଷ୍ଟା କରିବାକୁ ଆଉ କିଛି ନାହିଁ ।

 

ବୋଉର ପ୍ରାଣହୀନ ଛାତି ଉପରେ ମୁହଁ ମାଡ଼ିଦେଇ କାନ୍ଦିଉଠିଲି । ଦଶ ଦିଗ ମୋତେ ଅନ୍ଦାର ଦିଶିଲା ।

 

ତୁନି ହ ତୁଳସୀ, ଏପରି ଅଧୀର ହନା ।

ଯାହାଙ୍କର କୋଡ଼କୁ ଆଉଜି, କାନ୍ଧ ଉପରେ ମୁଣ୍ଡ ରଖି ଆଖିର ତତଲା ଲୁହ ଢାଳୁଥିଲି, ସେଇ ଟିମ ଭାଇଙ୍କ ସାନ୍ତ୍ୱନାରେ ତୁନି ହେଲି ସିନା, ମନର ଦୁଃଖ ତ ଆଉ ଘୁଞ୍ଚିଲା ନାହିଁ । ଟିମଭାଇ ସେମିତି ମୋ ଫୁଙ୍ଗୁଳା ପିଠିରେ ହାତ ବୁଲାଉଥାନ୍ତି, କହୁଥାନ୍ତି– ଅଧୀର ହନା ଲୋ.....

 

ଛାତି ଥରାଇ କୋହ ଆସୁଥାଏ ।

ଟିମାଇ, କଅଣ କରିବି ?

ବ୍ୟସ୍ତ ହେଉଛୁ କାହିଁକି ? ଯେଉଁ ଆତ୍ମା ସ୍ୱର୍ଗକୁ ଚାଲିଯାଇଛି, ତାରି ଇଚ୍ଛା ପୂରଣ ହେବ ।

ମନୁଆ କାନ୍ଦିଉଠିଲା । ତାକୁ କୋଳକୁ ନେବାକୁ ଗଲି ।

 

ଟିମଭାଇ ବୋଉର ମୁହଁ ଘୋଡ଼ାଇ ପିଣ୍ଡାକୁ ଗଲେ । ଝଡ଼ର ବେଗ କମିଥିଲେ ମଧ୍ୟ ବର୍ଷା ଆଗପରି କୁଟୁଥାଏ । ଡିବିରି ଆଲୁଅ କମିଆସିଲାଣି, ତେଲ ସରିଲାକି କଅଣ !

 

ମନୁଆକୁ କାଖ କରି ମୁଁ ମଧ୍ୟ ବାହାର ପିଣ୍ଡାକୁ ଆସିଲି । ବର୍ଷା କୁଟୁଛି । ଅନ୍ଧାର ଘୋଟିଛି ଚଉଦିଗ ।

•••

 

୩୫

 

ବୋଉ ମଲାପରେ ଗାଁର କେହି କେହି ଆସି ଭଲମନ୍ଦ କଥା ପଚାରି ଗଲେ । ସେମାନଙ୍କ କଥା ଶୁଣି ନଶୁଣିଲା ପରି ରହିଲି । ଶୁଦ୍ଧି କାମ ନସରୁଣୁ ମନୁଆକୁ ଜର ହେଲା । ତା ସେବା କରୁଥାଏ, ଦିନରାତି କୋଳରେ ଧରି ବସିଥାଏ । ବର୍ଷାଦିନ । ଘରୁ ପଦାକୁ ବାହାରିବାର ଉପାୟ ନାହିଁ । ଟିମଭାଇ ମୋତେ ସାହାଯ୍ୟ କରୁଥାନ୍ତି । ଦିନେ ନୂଆଉ ଆସିଥିଲେ । ମୋର ଦୁର୍ଦ୍ଦଶା ଦେଖି ରୋଗଣା ପିଲାକୁ କୋଳକୁ ନେଇ କହିଲେ– ଆଲୋ ତୁଳସୀ, ଯେତେବେଳେ ବିପଦ ଆସେ, ଯାନବାହାନ ନେଇ ଆସେ । ମଣିଷ ଜନମ ପାଇ ସବୁ ସହିବାକୁ ହୁଏ । ଚିନ୍ତା କର୍‌ନା ।

 

ଏଣୁତେଣୁ ଗପି ପୁଣି କହିଲେ– ତତେ ସେ ଭଲପାଆନ୍ତି । ମୁଁ ବଞ୍ଚି ଥାଉଣୁ ଘରଣୀ ତ ହୋଇପାରିବୁ ନାହିଁ, ଭାଇ ଭାଇ ଡାକୁଛୁ, ସେଇ ଲେଖାରେ ଭଉଣୀ ହ ।

 

ହସି ହସି ମତେ ସ୍ନେହରେ ଥାପଡ଼ ମାରିଲେ । ସେମିତି ଥଟ୍ଟାଳିଆ ସ୍ୱରରେ କହିଲେ, ଭାଇ ଭାଇ ହୋଇ ଯଦି ପୁଣି ଆଉ କଅଣ ହେଉ ତ ମୋପରି ଠାକୁରାଣୀ ଜାଳାରୁ ପରିତ୍ରାଣ ପାଇବୁ ନାହିଁ ଲୋ, ଦେଖୁଛୁ ତ ମୋ ରୂପ !

 

ଆଖି ଛଳ ଛଳ କରି କହିଲି, ଟିମଭାଇଙ୍କୁ ବଗିଚା ଘରେ କହିଥିଲି ନୂଆଉ ମୋର ମଣିଷ ନୁହେଁ, ସେ ଠାକୁରାଣୀ । ତାକୁ ଚିହ୍ନିଲେ ତେମେ ତାଙ୍କ ବିରୁଦ୍ଧରେ ଏମିତି କହନ୍ତ ନାହିଁ । ସତେ ନୂଆଉ, ତମ ଭିତରେ କଅଣ ଅଛି ମୁଁ ଆଗରୁ ଜାଣେ । ଟିମାଇ ତମର ବାହାର ଦେଖିଥିଲା, ଏବେ ଭିତରେ ଦେଖିଲାଣି । କହ ନୂଆଉ, ଟିମାଇ ତମର ଗୋଡ଼ ଧୋଇ ପାଣି ପାଉଛିଟି ?

 

ମୋ ପାଟିରେ ହାତ ଦେଇ କହିଲେ– କେଡ଼େ ଅଧର୍ମ କଥା କହୁଛୁ ଲୋ, ମୋ ଗୋଡ଼ ଛିଣ୍ଡିପଡ଼ିବ ନାହିଁ ? ତାଙ୍କ ଗୋଡ଼ ଧରି ମୁଁ ମୋର ଦୋଷ ମାଗିନେଇଛି । ତୁଇ ଚୁଲିପଶି ମୋ ଟାଣ ଭାଙ୍ଗିଛୁ, ମୋ ପାଟିରେ ବାଡ଼ବତା ଦେଇଛୁ । ହେଲେ, ତତେ ମୁଁ ଡରେ ଲୋ ଛତରଖାଇ, ସେଇଥିପାଇଁ ପରା ଶରଣ ପଶିଛି ।

 

ହସି ହସି କହିଲି, ମୋ ଛାର ମଣିଷକୁ ଗାଁର ରାଜଲକ୍ଷ୍ମୀଙ୍କର ଡର ! ଶୁଣିବାକୁ କୌତୁକ ଲାଗୁଛି ।

 

ଆଲୋ, ହଁ । ଥରେ ଯଦି ଆଖିଠାର ମାରିବୁ, ସବୁ ଭାଇପଣିଆ ଭୁଷୁଡ଼ିଯିବ । ଯେଉଁ କୋଠା ମୁଁ ଗଢ଼ିଛି, ତଳେ ଅଜାଡ଼ିହୋଇପଡ଼ିବ । ମନେ ରଖିଥା ଏକା, ସମସ୍ତେ ଚାପିହୋଇ ମରିବେ, କେହି ବର୍ତ୍ତିବେ ନାହିଁ । ଠାକୁରେ ତୋ ଚମରେ ଯେଉଁ ଚହଟ ନିଆଁ ଜାଳିଛନ୍ତି, ସେଇ ନିଆଁକୁ ମୋର ଡର । ଭାଇ ଡାକ ଯେ ନଈବଢ଼ିକୁ ଦିଅଙ୍କ ରାଣ !

 

ଠାକୁରେ ମୋ ଆଖିରେ ଯେଉଁ ପାଣି, ମୋ ନିଶ୍ୱାସରେ ଯେଉଁ ଝଡ଼ ରଖିଛନ୍ତି ତାକୁ ତେମେ ଦେଖିନା ।

 

ତାରି ଉପରେ ମୋର ବିଶ୍ୱାସ ଲୋ ! ଯେଉଁଦିନ ତୁ ଏ ଗାଁ ଛାଡ଼ି ଯିବୁ ସେଇ ଦିନ ମୁଁ ନିଶ୍ଚିନ୍ତ ହେବି ।

 

ସତେ ? ଯଦି କହିବ, ଆଜି ଏଇ ରାତିରେ ମୁଁ ଚାଲିଯିବି ।

କୁଆଡ଼େ ଲୋ ?

 

ଗହୀର ମଝିରେ ସେ ହଉଁ ଗହୀଡ଼ା ପୋଖରୀ, ତାରି କୋଳକୁ । ଏହି ରୋଗଣା ପିଲାଟା ମନୁଆ, ସେଇ ମୋର ଗୋଡ଼ ବାନ୍ଧିରଖିଛି । ମନୁଆ ତମର କୋଳରେ । ସେ ଦାୟିତ୍ୱ ତେମେ ନିଅ ନୂଆଉ, ତାକୁ ବଞ୍ଚାଇ ମଣିଷ କରିବ । ବଡ଼ ହେଲେ ତମରି ଦୁଆରେ ମୂଲ ଲାଗି ସେ ପେଟ ପୋଷିବ । ଦୁନିଆରେ ମୋର ଆଉ କି ସୁଖ ଅଛି ଯେ ବଞ୍ଚିରହିବାକୁ ମନ କରିବି ?

 

ପିଲାବକଟକୁ ମଣିଷ କରିପାରିବି ନାହିଁକି ? ହେଲେ, ରାତି ଅଧରେ ସେଇ ପୋଖରୀ ମଝିରୁ ତୋ ଅମୋକ୍ଷ ଭୂତ ବାହାରି ମୋରି ପଛେ ପଛେ ଗୋଡ଼ାଇଥିବ, ମତେ ଡରାଉଥିବ ମରିବାଯାଏ । ମୁଁ ସେ କଥା ପସନ୍ଦ କରୁନାହିଁ । ତୁ ବଞ୍ଚିଥା, ହେଲେ ମୋ ପାଖରୁ ଦୂରେଇଯା । ମୋ ମନକଥା ତତେ କହିଲି । ଯାଉନୁ ଦିଅର ପାଖକୁ ? ଆଉ କାହା ଉପରେ ଯଦି ତା ଆଖି ପଡ଼େ ଉପରକୁ ଚାହିଁ ବସିଥିବୁ । ପରଲୋକଙ୍କ ଅଲଣା କଥାରୁ ତୁ କଅଣ ପାଇବୁ ? କେହି ଆସି ପାଖରେ ଠିଆହେବେ ନାହିଁ । ବାଁରେଇହୋଇ ଯେଉଁ ନିଲଠା ଆସି ଆହା ଉହୁ ହେବ, ଭାଇ, ଦାଦି, ମାମୁଁ କି ମଉସା ପଣ ଦେଖାଇ ଦୟା ପାଇ ଚାରିପଇସା ହାତରେ ଗୁଞ୍ଜି ଦେବ, ସେ ଖାଲି ଓର ଉଣ୍ଡୁଥିବ ଲୋ ସୁବିଧା ଖୋଜୁଥିବ ।

 

ତାଙ୍କ କଥାର ମର୍ମ ବୁଝିଲି । କିଛି ନବୁଝିଲା ପରି ପଚାରିଲି, କାହିଁକି ନୂଆଉ ?

ସେ ହସିଲେ । ମୋ ମୁହଁ ଧରି ଉପରକୁ ଟେକି କହିଲେ– ଆହା, ମରୁନୁ ଲୋ ମଉନ ମୁହୀଁ, କିଛି ଜାଣିନୁ ? ଆଲୋ ଛଇ ଛଟକି ଚମ ଝଟକୀକୁ ମା କରିବାକୁ ସମସ୍ତେ ହମ ହମ ହେବେ, ପିଲାର ବାପ ବୋଲି କହିବାକୁ କେହି ପାଖେ ପଶିବେ ନାହିଁ ।

 

ମୁଁ ଲାଜରେ ମୁହଁ ପୋତିଲି ।

ସେ ପୁଣି କହିଲେ, ତୋ ଦିଅରର ହାତ ଧରି ଚାଲିଯା । ମୋ ସାନକୁହା ମାନ୍ । ଯଦି ସେ ଅମଙ୍ଗ ହେବ ତ ତା ପାଖ ପଶିବୁ ନାହିଁ । ସେ ଆହୁରି ପ୍ରମାଦ । ସବୁ ସମ୍ପର୍କ ଛିଣ୍ଡାଇଦେ । ସେଇଠି ତୋ ଦାୟିତ୍ୱ ମୋ ଉପରେ । ମନୁଆ ଏଇ କୋଳରେ ବଢ଼ିବ । ତୋ ପାଇଁ ତୋ ମନଲାଖି ବର ମୁଁ ଖୋଜିବି । ହେଲା ତ ?

 

ଆଖିର ଲୁହରେ ସମ୍ମତି ଜଣାଇଲି ।

ପରଦିନ ସକାଳେ ଚେମା’ଇ ଆସିଲା । ମନୁଆର ଦେହ ଟିକିଏ ଭଲ ଥାଏ । ଝପିଝିପି ବରଷା ହେଉଥାଏ ।

 

ଚେମା’ଇ କହିଲା, ତୋ ବୋଉ ତ ଚାଲିଗଲା, ଏଥର ତୁ ନିଶ୍ଚିନ୍ତ ! ଠିକ୍ ମୋରି ପରିକା ମେଲିଦେ ତୋ ନାବ ଦରିଆ ଭିତରେ, ଯାଉଛି କୁଆଡ଼େ ଯାଉ । ଯେଉଁଠି ହେଲେ ତ ଲାଗିବ, ନଇଲେ ବୁଡ଼ିବ । କେତେ ତ ଏମିତି ବୁଡ଼ିଛି । ତୋ ନାବ କେହି ଦେଖିବେ ନାହିଁ । ଭୁଲିଯିବେ । ସେମିତି ଚାଲିଛି ମୁଁ । ଏଇ ପାଞ୍ଚଣ ବାଡ଼ି ମୋର କାତ ।

 

କହିଲି, ସମସ୍ତେ ତ ତାଙ୍କର ନାବ ମେଲିଦେଇଛନ୍ତି, କିଏ କାହାକୁ ଅନାଇ ବସିନାହିଁ । ମଣିଷ ସାଥୀ ଖୋଜେ – କାଳେ ଝଡ଼ ତୋଫାନ ଆସିବ – ପରସ୍ପରକୁ ସାହା ଭରସା ହେବେ । କାହା ନାବ ଚାଲେ ଏକୁଟିଆ, ଯେମିତି ଚାଲିଛି ତମର, ଯେମିତି ଚାଲିଛି ମୋର । କାହା ନାବ ଚାଲେ ସାଥିରେ, ଯେମିତି ଚାଲିଛି ଟିମାଇର ।

 

ଚେମା’ଇ କହିଲା– ତେବେ ଆ ତୁଳସୀ, ତୋର ଓ ମୋର ଯୋଡ଼ିଦେବା, ଏକାଠି ଚାଲିବା । ଧୀରେ ଧୀରେ ଦରିଆ ମଝିକି ଆସିଲୁଣି । ମୁଁ ବି । ଝଡ଼ ତୋଫାନର ମାଡ଼ ଏଥର ସହିବାକୁ ପଡ଼ିବ । ଏ ମଧ୍ୟରେ ସହିଥିଲି । ଭାବିଥିଲି, ବୁଡ଼ିବ, ଥାକିଗଲା ।

 

ପଚାରିଲା ଆଖିରେ ତା ମୁହଁକୁ ଚାହିଁରହିଲି ।

ସେ କହିଲା– ହଁ ଲୋ, ତିନି ଚାରିଦିନ ଜରରେ ପଡ଼ିଲି । ମନେ ହେଲା ହତଜ୍ଞାନ ହୋଇଯିବି । ପାଣି ମନ୍ଦାଏ ପାଟିରେ ଦେବାକୁ କେହି ନାହିଁ । ଗାଈ ବଳଦ ଗୁହାଳରେ ରଡ଼ି ଛାଡ଼ିଛନ୍ତି । କଅଣ କରିବି ? ଘୁସୁରି ଘୁସୁରି ତାଙ୍କ ମୁହଁରେ ନଡ଼ା ପକାଇଲି । ଠିଆ ହେଲାବେଳକୁ ମୁଣ୍ଡ ବୁଲାଇଦେଉଥାଏ । ଯାହାକୁ ବୋଲ କରିବାକୁ ଡାକେ, ସେ ଏଣେ ତେଣେ ହାତ ମାରିଦେଇ ଖସିଯାଏ । ଯାହାହେଉ, ବଞ୍ଚିଗଲି ।

 

କହିଲି– ମତେ ଡକାଇପାରିଥାନ୍ତ । ପରର ସେବା କରିବାକୁ ମୁଁ ପଛଘୁଞ୍ଚା ଦିଅନ୍ତି ନାହିଁ-

 

ଆଲୋ, ତୋ କଥା ମୋର ମନେପଡ଼ିଥିଲା, ଦିନ ରାତି ସବୁବେଳେ । ପୁଣି ଭାବିଲି, କାହିଁକି ? ପର ମଣିଷ, ତା ଉପରେ ମୋର କି ଅଧିକାର ଅଛି, କାହିଁକି ତାକୁ କଷ୍ଟ ଦେବି ? ଭାବେ ସିନା, ମନରେ ତୋ ନାମଟା ଘୋରତେଇ ହେଉଥାଏ । ଦିନେ କାହାକୁ ପଚାରିଦେଲି । ସେ କହିଲା, ତୁଳସୀର ମା ମଲା ଉପରେ । ଖବର ଦେଲି ନାହିଁ ।

 

ବିପଦ ନଆସିଲେ ମଣିଷ ମଣିଷର ମୂଲ୍ୟ ବୁଝେ ନାହିଁ । ଚେମା’ଇ ଏଥର ବୁଝିଛି । ସାଥୀ ଖୋଜିବାକୁ ତା ମନ ଉଚ୍ଛନ୍ନ ହେଲାଣି । ସପନପୁରର ମାୟାରେ ଭୁଲିରହିବାକୁ ତାର ଆଉ ସାହସ ହେଉ ନାହିଁ । ପର ମଣିଷ ଉପରେ ଅଧିକାର ସେ ଖୋଜିଲାଣି । ଯିଏ ଏହା ଖୋଜେ, ସେ ପର ମଣିଷର ହାତରେ ନିଜର ଅଧିକାର ଛାଡ଼ିଦିଏ ।

 

ପଚାରିଲି, ଦେହ ଭଲ ଅଛି ତ ଚେମା’ଇ ?

ହଁ ଲୋ, ଭଲ ଅଛି । ଭବିଷ୍ୟତକୁ ଡର ମାଡ଼ୁଛି ।

କହିଲି, ସମସ୍ତଙ୍କୁ ଡର ମାଡ଼େ, ପୁଣି ସୁଖ ପାଇବାର ଆଶା ବି ଥାଏ ।

ସତେ ଯେମିତି କଅଣ କହିବ କହିବ ହୋଇ କହିପାରିଲା ନାହିଁ ।

ଚେମା’ଇ ଚାଲିଗଲା ।

ମୁଁ ଭାବିଲି– ଚେମା’ଇ ବଦଳିଛି, ତାର ଅଣ୍ଟା ଭାଙ୍ଗିଛି, ସେ ସଂସାର କରିବାକୁ ଚାହେଁ ।

ମନେପଡ଼ିଲେ ସୁର । ଆସନ୍ତେ କି, ମନକଥା କହିଯାଆନ୍ତେ ।

 

ଦି’ପହରେ ସୁର ଆସିଲେ । ସାଥିରେ ଦୁଇଜଣ ଭାରୁଆ । ମୋତେ ଓଳଗି ହୋଇ କହିଲେ– ନୂଆଉ, ମାଉସୀଙ୍କର ଚାଲିଯିବା ଖବର କାଲି ପାଇଲି । ମୁଁ ଘରେ ନଥିଲି । ଗୋଟାଏ କାମରେ ଆଠଗଡ଼ ଯାଇଥିଲି ।

 

ଅଭିମାନରେ ମୋ ଆଖିରୁ ଲୁହ ଝରିଲା । ଜରୁଆ ପିଲାଟିକୁ ତାଙ୍କ କୋଳରେ ଦେଲି । ଦାଦା, ଦାଦା ହୋଇ, ଉଚ୍ଛନ୍ନ ହୋଇ ମନୁଆ ତାଙ୍କର ବେକକୁ କୁଣ୍ଢାଇ ଧରିଲା । ସୁର ତାକୁ ଛାତିରେ ଜାକି କହିଲେ, ପିଲାଟାକୁ ଏତେ ସରି କଲଣି ?

 

ମୋ ଦେହରେ ଛୁରୀ ଚାଲିଗଲା । ମୁହେଁ ମୁହେଁ ଜବାବ ଦେଲି, ଥାଉ ତମର ସୋହାଗ-! ଜନମ କରିଛି, ଖାଲି ବଞ୍ଚାଇ ରଖିବାକୁ ପ୍ରାଣପଣ ତା ପିଚ୍ଛା ଲାଗିଛି । କପାଳରେ ଯାହା ଥବ ହେବ । ମୋ ଦୋଷ ଦେଉଛ କାହିଁକି ?

 

ସେ ତୁନି ରହିଲେ ।

ସେମାନଙ୍କର ଖିଆପିଆର ଯତ୍ନ ନେଲି । ଭାରୁଆ ଦି’ଜଣ ବିଦା ହୋଇଗଲେ । ସୁର ମନୁଆ ପାଖରେ ବସିଥାନ୍ତି । ମୁଁ ଆସି ତାଙ୍କରି ପାଖରେ ବସିଲି ।

 

କେତେ କଥା ପଡ଼ିଲା ।

କହିଲେ, ମୁଁ ଆଶା କରିନଥିଲି ଯେ ମାଉସୀ ଏତେ ଶୀଘ୍ର ଏମିତି ଚାଲିଯିବେ । ଯାହା ହେବାର ତ ହୋଇଛି । ତୁମେ ମୋ ଦୋଷ ଦେବ, ମୁଁ ତୁମ ଦୋଷ ଦେବି, ଲୋକେ ଆମ ଦୁହିଁଙ୍କ ଦୋଷ ଦେବେ । ହେଲେ ମାଉସୀ ଆଉ ଫେରିଆସିବେ ନାହିଁ । ଏବେ କଅଣ କରାଯିବ କହ ? ମୁଁ କହୁଛି ଚାଲ ଘରକୁ । ନିଜର ସ୍ୱାଧୀନତା ଛାଡ଼ି ଏଠି ପର ଘରେ ପରର ଅଧୀନରେ ରହି କଷ୍ଟ ପାଇବ କାହିଁକି ?

 

ସଙ୍କୋଚ ନରଖି କହିଲି– ଯିବାକୁ ମୋର ଆପତ୍ତି ନାହିଁ, କିନ୍ତୁ ମୁଁ ଆଉ ଲୋକନିନ୍ଦା ସହିପାରିବି ନାହିଁ । ଗୋଟିଏ କଥା ଖୋଲିକରି ପଚାରିବି ସୁର, ସତ କହିବ ?

 

କିଛି ଲୁଚାଇବି ନାହିଁ ।

ବାହା ହେବାକୁ ତମ ପାଇଁ ତେମେ କେଉଁଠି ପାତ୍ରୀ ଠିକ୍ କରିଛ ?

ସେ ଉତ୍ତର ଦେଲେ– ନାହିଁ ତ..... ସେ କଥା ମୁଁ କେବେ ମୋ ମନକୁ ଆଣିନାହିଁ ।

କେବେ କାହା କଥା ଭାବିଛ ଭଲା ?

ତୁନି ରହିଲେ । ମୁହଁ ତଳକୁ ପୋତିଲେ ।

କହ, ସୁର.....

–କ୍ଷମା କର, ମୁଁ ଜାଣେ ନାହିଁ, ତେଣୁ କହିପାରିବି ନାହିଁ ।

–ଜାଣ ନାହିଁ କିପରି ? ମତେ ଲୁଚାଉଛ ?

–ଜବାବ ଦେଇପାରିବି ନାହିଁ ।

–ତେମେ ମତେ ଭଲପାଅ ସୁର ?

 

ଭାବିଲି, ଏତେ ଛକା ପଞ୍ଜାରୁ ମୋତେ କିଛି ମିଳିବ ନାହିଁ । ସୁର ମରଦପୁଅ । ତାଙ୍କୁ ତିନିଖୁଣ ମାଫ୍ । ଲୋକଙ୍କ ତୁଣ୍ଡରେ ନିନ୍ଦା ଅପବାଦକୁ ଫୁଟୁକି ମାରି ଉଡ଼ାଇଦେଇପାରିବେ । ସବୁ ପିଠେଇଦେଇ ବାଟ ଚାଲିବେ । ଗୋଟାଏ କଅଣ, ପାଞ୍ଚଟା ସ୍ତ୍ରୀଙ୍କୁ ପାଖକୁ ଆଣି ଗୋଇଠା ମାରି ତଡ଼ି ସୁନାପିଲା ହୋଇ ମୁଣ୍ଡ ଟେକି ଆତଯାତ ହେବେ । ଓଲଟି ନିଲଠା ମୁହଁରେ ନିଜ ବଡ଼ପଣ, ପୁରୁଷପଣ ଦେଖାଇହେବେ । ଆମେ ତ ନିରିମାଖି । ଛୁଇଁଲେ ଛ ଘା । ସଂସାରରେ ହାଟ ବସିବ । ଯେଣେ ଗଲେ ଲୋକେ ଆଙ୍ଗୁଠି ଦେଖାଇ ଛି ଛି କରିବେ । ସେଇମାନେ ପୁଣି ବେଳ ଉଣ୍ଡି ଆଖି ଠାରିବେ । ସୁର ଯେ କି ଜାତିର ଲୋକ କିଏ ଜାଣେ ? ଯଦି ତାଙ୍କ ଘରକୁ ଯିବାର ହୁଏ ତେବେ ତାଙ୍କ ଘରଣୀ ହୋଇ ଯିବି ସିନା, ନୋହିଲେ ନାହିଁ । ପୁଣି, ସେ ଯଦି ମତେ ଭଲ ପାଉନଥିବେ ତ ଦୁଇଦିନ ପରେ କଜିଆ ଗୋଳ କରି ଘରୁ ତଡ଼ିବେ । କିଏ ଜାଣେ ତାଙ୍କ ମନ କଥା ?

 

ଏତେ ଭାବନାରୁ ମିଳିବ କଅଣ ? ସିଧା ସଳଖ ପଚାରିଦେଲି ।

ସୁର କାବା ହୋଇ ମୋ ମୁହଁକୁ ଚାହିଁଲେ । ଧୀରେ ଧୀରେ ଉତ୍ତର ଦେଲେ, ମୋର ଆଉ ଆପଣାର କେହି ନାହିଁ । ତେମେ ମତେ ଘୃଣାରେ ଦୂରକୁ ଠେଲିଦିଅ ପଛେ ତମୁକୁ ମୁଁ ଭଲ ପାଏ । ତମେ ତଡ଼ିଦେଲେ ମୁଁ ଦୂରେଇ ଯାଏ, କିନ୍ତୁ ମୋ ମନ ତମ ପାଖ ଛାଡ଼ି ଚାଲିଯାଏ ନାହିଁ । ତମେ ଓ ମନୁଆ ମୋ ମନକୁ ଟାଣି ରଖିଥାଅ ।

 

ଆଖିରେ ଲୁହ ଢଳ ଢଳ ହେଲା ।

ପଚାରିଲି, ସତ କହ, ତମ ମନରେ କେବେ ଆଉ କାହାକୁ ସ୍ଥାନ ଦେଇଥିଲ ? କାହାର ହାତ ଧରିଲେ ତେମେ ସୁଖୀ ହୋଇ ପାରିବ, ମନ ଖୋଲି କହ ସୁର ।

 

ସେ ଦୀର୍ଘ ନିଶ୍ୱାସ ଛାଡ଼ିଲେ, ଜବାବ ଦେଲେ ନାହିଁ ।

ମନେ ହେଲା, ସତେ ଯେପରି ଗତ ଜୀବନ ଫେରିଆସିଛି । ସୁର ମୋର ପିଲା ଦିଅର-। ତାଙ୍କର ସୁଖ ପାଇଁ, ଆନନ୍ଦ ପାଇଁ, ଦିଅଁଙ୍କ ପାଖରେ ସମାଜ ଆଗରେ ମୁଁ ଦାୟୀ ! ତାଙ୍କ ମନକଥା ବୁଝିବାର ଦାୟିତ୍ୱ ମୋ ଉପରେ ।

 

ପଣତରେ ତାଙ୍କ ଆଖିର ଲୁହ ପୋଛିଲି । ପିଲାଟି ପରି ମୋ କାନ୍ଧ ଉପରକୁ ମୁଣ୍ଡ ନୁଆଇଁ ଦେଲେ । ତାଙ୍କରି ମୁଣ୍ଡ ଉପରେ ହାତ ରଖି ଗେହ୍ଲେଇ ପଚାରିଲି, କହ ସୁର.....

 

ସୁର ମୋର କାନ୍ଧ ଉପରୁ ମୁଣ୍ଡ ଟେକିଲେ । ମନୁଆକୁ ଗେଲ କଲେ । ତାରି ଆଡ଼କୁ ଚାହିଁ କହିଲେ, ମୋ ମନରେ କାହାକୁ କେବେ ସ୍ଥାନ ଦେଇନାହିଁ । କାହାର ହାତ ଧରିଲେ ସୁଖୀ ହେବି କି ଦୁଃଖୀ ହେବି ଏ କଥା କେବେ ମନକୁ ଆଣିନାହିଁ । ଆଖି ଆଗରେ ନିତି କେତେ ଲୋଭ ଚାଲିଯାଇଛି । କିଏ କେବେ ଆଖି ବଢ଼ାଇଛି, କ୍ଷଣକ ପାଇଁ ଲୋଭ ଆସିଛି, ମନ ଚଞ୍ଚଳ ହୋଇଛି, ଦେହ ପୁଲକି ଉଠିଛି । ନୂଆଉ, ଆପେ ଆପେ ଏ ସବୁ ମରିଛି । ଲୋଭ ମତେ ଆୟତ୍ତ କରିପାରିନାହିଁ ।

 

ଭାବିଥିଲି ସୁର କାହା ନାମ ମୋ ଆଗରେ କହିବେ । ମୁଁ ଆଗ୍ରହରେ ତାରି ହାତରେ ସୁରଙ୍କ ହାତ ଛନ୍ଦିବାର ବ୍ୟବସ୍ଥା କରିବି । ତା ପରେ ସୁରଙ୍କର ଚିନ୍ତା ଆଉ ମୋ ମୁଣ୍ଡରେ ପଶିବ ନାହିଁ । ସ୍ୱାଧୀନ ଭାବରେ ମୋର ଯାହା ଇଚ୍ଛା ମୁଁ କରିବି । ସୁର ତାଙ୍କର ନୂଆ ଜୀବନର ଆନନ୍ଦରେ ନିଜକୁ ବୁଡ଼ାଇ ରଖିବେ । ମୋ ଜୀବନ ବା ଆନନ୍ଦ ମଝିରେ ଠିଆ ହେବାକୁ ବେଳ ପାଇବେ ନାହିଁ ।

 

କେତେ ସମୟ ତୁନି ରହିଲା ପରେ କହିଲି, ତମୁକୁ ମୁଁ ଗୋଟିଏ କଥାରେ ଅନୁମତି ମାଗିବି ।

 

ପଚାରିଲେ, କଅଣ ?

କହିଲି, ବହୁତ ଦୁଃଖ କଷ୍ଟ ସହିଲିଣି, ଆଉ ସହିପାରିବି ନାହିଁ । ମୁଁ ନୂଆ ସଂସାର କରିବାକୁ ଚାହେଁ । କୁଳର ପ୍ରଥା, ସମାଜର ନିୟମ ଅନୁସାରେ ମୋତେ ସ୍ତ୍ରୀରୂପେ ଗ୍ରହଣ କରିବାର ପ୍ରଥମ ଦାୟିତ୍ୱ ତୁମର । ମୋର ମଧ୍ୟ ପ୍ରଥମ ଅଧିକାର ତୁମରି ଉପରେ । ସଂସାରର ଭଲମନ୍ଦ ସୁଖଦୁଃଖରେ ସନ୍ତୁଳି ହେଲା ଲୋକ ଉତ୍ତେଜନାରେ ଭାସିଯାଏ ନାହିଁ । ସେଥିପାଇଁ ତୁମର ଅନୁମତି ଲୋଡ଼ୁଛି ।

 

ସୁର ତୁନି ହୋଇ ଶୁଣିଲେ ।

ମୁଁ କହିବାକୁ ଲାଗିଲି– ଭଲପାଇବା, ଘୃଣା କରିବା, ଏ ସବୁ ନିଜ ମନର କଥା । ତୁମେ ମୋତେ ଭଲପାଅ ନାହିଁ । ତମରି ଉପରେ ନିଜକୁ ମୁଁ ବୋଝ କରି ଲଦି ଦେବାକୁ ଇଚ୍ଛା କରୁ ନାହିଁ । ତୁମେ ମୋତେ ଭଲ ପାଇପାରିବ ନାହିଁ। ସୁର, ତେମେ ମୋତେ ଦେଖିଥିଲ ଯେଉଁ ଦିନ ସଜ ସତେଜ ଫୁଲଟି ପରି ତମରି ଅଗଣାରେ ଗୋଡ଼ ଦେଇଥିଲି । ଯେଉଁ ଦିନ ତମ ଘରୁ ଗୋଡ଼ କାଢ଼ି ଆସିଲି ମନୁଆକୁ କୋଡ଼ରେ ଧରି, ସେ ଦିନ ମଧ୍ୟ ଦେଖିଛ । ଛଡ଼ା ଫୁଲ ବାସି ଫୁଲ, ମହଳଣ ପଡ଼ିଛି । ଆଜି ଦେଖୁଛ ହତଲକ୍ଷ୍ମୀ ବେଶରେ ମୋର ଏଇ ମଉଳା ରୂପ । ମୋର ଏଇ ବାହାରଟା ଦେଖି କାଲି ସଙ୍ଗେ ତଉଲି ତମ ମନରେ ଭଲ ପାଇବାର ଆଗ୍ରହ ଆସୁନାହିଁ । ଭିତରର କଥା ତମକୁ ମୁଁ କହିପାରିବି ନାହିଁ ।

 

ସୁର କଅଣ ଉତ୍ତର ଦେବେ ଶୁଣିବାକୁ ଅପେକ୍ଷା କରି ରହିଲି । ତଥାପି ସେ କିଛି କହିଲେ ନାହିଁ । ତଳକୁ ମୁହଁ ପୋତି କଅଣ ଭାବିବାକୁ ଲାଗିଲେ । ମୁଁ ଟିକିଏ ଉତ୍ତେଜିତ ହୋଇ ପୁଣି କହିଲି– ତମ ମନରେ ଯେଉଁ ଲୋଭ ଆସିଛି, ତା ଭିତରେ ମୁଁ ନାହିଁ, ଏ କଥା ମୁଁ ଜାଣେ । ସେ ତ ରୁଚିର କଥା, ମନର ସରାଗର କଥା । କେହି କାହାକୁ ଦୋଷ ଦେଇପାରିବ ନାହିଁ । ଯେଉଁମାନେ ମୋର ଏଇ ମଉଳା ରୂପ, ଦରମଲା ଦେହରେ ମନସରସା କିଛି ଦେଖିବାକୁ ଚାହାନ୍ତି, ସେମାନଙ୍କର ନିମନ୍ତ୍ରଣକୁ ଦୂରେଇ ରଖିଛି । କର୍ତ୍ତବ୍ୟବୋଧରେ ତମର ଅନୁମତି ମୁଁ ଲୋଡ଼ିଛି, କାରଣ ମୋ ଉପରେ ତମର ଅଧିକାର ପ୍ରଥମ । ତମକୁ ମୁଁ ଭଲପାଏ ସୁର; ତମୁକୁ ପାଇଲେ ମୁଁ ସୁଖୀ ହୋଇପାରିବି ।
 

ତଥାପି ସୁର ଉତ୍ତର ଦେଲେ ନାହିଁ । ବୋଧହୁଏ ଭାବୁଥିଲେ– ମୁଁ କେଡ଼େ ନିର୍ଲଜୀ, ବିନା ସଂକୋଚରେ ମନକଥା ତାଙ୍କ ଆଗରେ କହିଯାଉଛି । ଯାହା ସେ ଭାବନ୍ତୁ, ମନକଥା ତାଙ୍କ ଆଗରେ ଖୋଲିଦେଇଛି । ଜୀବନରେ ଏଇ ସୁଯୋଗଟି ପ୍ରଥମଥର ପାଇଛି । ଯଦି ସେ ମୋତେ ତାଙ୍କର ଘରଣୀ କରିନିଅନ୍ତି, ତେବେ ତ ଉତ୍ତମ; ନ ନେଲେ ତାଙ୍କ ସଙ୍ଗେ ମୋର ଆଉ କି ସମ୍ପର୍କ ? ମୋର ମନ ମୋତେ ଯେଣେ ଟାଣିବ ମୁଁ ଯିବି । ସୁର ହେବେ ସାତପର । ଶୁଣନ୍ତୁ, ମନକଥା ସବୁ ସେ ଶୁଣନ୍ତୁ, ଯାହା ପଛେ ଭାବନ୍ତୁ ।

 

ଉତ୍ତେଜନାକୁ ଚାପି କହିଲି ପୁଣି– ଭାବୁଛ ବୋଧହୁଏ ମୋତେ ସଂଯମ କଥା ବତାଇବ, ମୋର ମୃତ ସ୍ୱାମୀ ତୁମର ଭାଇଙ୍କୁ ସୁମରଣା କରି ବେଳକାଳ କଟାଇ କଳାବାଳ ଧଳା କରିବାକୁ ଉପଦେଶ ଦେବ । ଏସବୁ ମୁଁ ଭାବିଛି । ଠିକ୍ ବୁଝେ କି ଭୁଲ ବୁଝେ, ମୁଁ ଯାହା ଠିକ୍ କରିଛି ନିଶ୍ଚୟ କରିବି । ତମରି ଅନୁମତି ଚାହୁଁଛି ।

 

ସୁର ହସିଲେ । ଏତେବେଳକେ କହିଲେ, ତୁମେ ଯାହା କରିବ ତ ଠିକ୍ କରିସାରିଛ, ମୋର ଅନୁମତି ଆଉ ଦରକାର କଅଣ ? ମୁଁ ଯଦି ଅନୁମତି ନଦିଏ ?

 

ଟିକିଏ ଭାବି କହିଲି– ତୁମକୁ ମୁଁ ସ୍ୱାର୍ଥପର ବୋଲି କହିବି ।

ତା ପରେ କଅଣ କରିବ ?

 

ଯେଉଁମାନେ ମତେ ପାଇଲେ ଖୁସି ହେବେ, ତାଙ୍କରି ଭିତରୁ ମୁଁ ମୋର ସାଥୀ ବାଛିନେବି । ଫଳରେ ତୁମର ମୋର ସମ୍ବନ୍ଧ ଚିରଦିନ ଲାଗି ତୁଟିଯିବ ।

 

ଯଦି ମୁଁ ଅନୁମତି ଦିଏ ନୂଆଉ ?

ତମର ଭଲପଣିଆ ଜଣା ପଡ଼ିବ । ତେମେ ଠିକ୍ କରିବ ତମ ତୁଳସୀର ହାତ ଧରିବାକୁ ଉପଯୁକ୍ତ ଲୋକ କିଏ ହେବ। ଯାହାକୁ ଆଜିଯାଏ ନୂଆଉ ଆଖିରେ ଦେଖିଆସୁଥିଲ, ତାକୁ ଦେଖିବ ନିଜ ସାନଭଉଣୀ ପରି । ବଞ୍ଚିଥିବାଯାଏ ଭାଇର ସ୍ନେହ, ଆଦର, ସମ୍ମାନ ତେମେ ଦାବି କରିବ । ଦୁନିଆର ଲୋକେ ବୁଝିବେ, ଜାଣିବେ, ତୁଣ୍ଡବାଇଦ ସତ ନୁହେଁ ।

 

ତାଙ୍କର ମୁହଁ ଉଜ୍ଜ୍ୱଳ ହୋଇଉଠିଲା । ପର କ୍ଷଣରେ ପୁଣି ମଳିନ ହେଲା । କହିଲେ, ତେମେ ଅନ୍ୟର ହାତ ଧରି ଯିବ, ପରର ସଂସାର କରିବ, ମୁଁ ଏହା ସହିବି କିପରି ? ମୋ ମନ କଥା ଖୋଲି କହୁଛି, ନୂଆଉ– ମୋ ପାଖରୁ ତମୁକୁ ଦୂରରେ ରହିବାକୁ ଅନୁମତି ଦେଇପାରିବି ନାହିଁ-। ଯେଉଁଦିନ ଆମରି ଘରେ ତୁମେ ଗୋଡ଼ ଦେଲ, ସେଇ ଦିନୁ ତେମେ ଆମ ଘରର, ଆମ ସଂସାରର ଗୋଟିଏ ଅଙ୍ଗ ହେଲ । ଭାଇ ଚାଲିଗଲା । ଆମ ସଂସାରର ଗୋଟିଏ ଅଙ୍ଗ ହଜିଗଲା । ତେମେ ଚାଲିଯିବ, ଆଉ ଗୋଟିଏ ଅଙ୍ଗ ଖସିପଡ଼ିବ । ଆଉ ରହିବ କଅଣ ?

 

ସୁର, ତୁମେ ପାଗଳ । ତମର ହାତକ ଦି’ହାତ ହେବ । ନୂଆ ସଂସାର ଗଢ଼ିଉଠିବ । ମନୁଆ ତମରି ପାଖକୁ ଯିବ । ତମ ସଂସାର ଓ ମୋ ସଂସାରକୁ ମନୁଆ ଯୋଡ଼ିରଖିବ ।

 

ସେ କହି ଉଠିଲେ, ଯଦି ମୁଁ ତମକୁ ବାହା ହୁଏ ?

ମୋ ଛାତି ଚମକିଉଠିଲା । କହିଲି– ସେଥିରେ ନୂଆ କଥା କିଛି ନାହିଁ । ଆମ କୁଳରେ ଲୋକେ ଯାହା କରିଆସିଛନ୍ତି, ତୁମେ ତାହାହିଁ କରିବ ! ଯେଉଁମାନେ ଆଜି ମୋତେ ପାଇବାକୁ ଆଗେଇଆସିଛନ୍ତି, ସେମାନଙ୍କ ଆଡ଼କୁ ପଛ କରି ତମରି ହାତ ଧରି ତମରି ପଛେ ପଛେ ମୁଁ ଚାଲିବି-। ପରସ୍ପରକୁ ସୁଖୀ କରିବାର ଆଗ୍ରହ ଦୁହିଁଙ୍କ ମନରେ ଅତୁଟ ସ୍ନେହ ଆଣିବ । ଆମ ସଂସାର ସୁଖର ସଂସାର ହେବ । ମୋ ବୋଉର ଆତ୍ମା ସେପୁରରେ ଥାଇ କଲ୍ୟାଣ କରିବ । ସେ ଏଇଆ ଚାହିଁଥିଲା ।

 

ମାଡ଼ ମାରିଲା ପରି ସୁର ପଚାରିଲେ, ଆଉ, ମୋ ଭାଇର ଆତ୍ମା ?

କହିଲି– ସବୁବେଳେ ଆମରି ପାଖେ ପାଖେ ଥିବେ । ସୁର, ତମରି ଭିତରେ ତାଙ୍କର ଆତ୍ମା ଅଛି ବୋଲି ମୁଁ ମଣେ । ତମକୁ ସେ ପ୍ରାଣରୁ ବଳି ଭଲ ପାଉଥିଲେ । ତମୁକୁ ଛାଡ଼ି ସେ ସରଗପୁରରେ ବି ରହିପାରିବେ ନାହିଁ । ତମରି ରୂପରେ ମୁଁ ତାଙ୍କୁ ଦେଖୁଛି ସୁର ! ତମରି ସେବା କରି ତାଙ୍କୁ ଖୁସି କରିପାରିବି । ତେମେ ଏକା ମାଂସ, ଏକା ରକ୍ତ, ଏକା ଦେହ । ତମୁକୁ ଘଡ଼ିଏ ନଦେଖିଲେ ସେ ବଣା ହେଉଥିଲେ । ଆଖିଆଗରୁ, ଛାତିଭିତରୁ ମୁହୂର୍ତ୍ତେ ତମକୁ ମୁଁ ଅନ୍ତର କରିପାରିବି ନାହିଁ । ଥରଟିଏ ଅନ୍ତର ହୋଇ ଯାହାଙ୍କୁ ମୁଁ ହରାଇଛି, ତାଙ୍କରି ଅବତାର ତୁମେ । କିପରି ତମୁକୁ ମୋ ଆତ୍ମା ପାଖରୁ ଦୂରରେ ଦେଖିବି ?

 

ସୁର କହିଲେ– ଆଉ ମୁଁ ଦେଖିବି ତମରି ଭିତରେ ମୋ ଭାଇକୁ । ତମକୁ ଦେଖିଲେ, ମୁ ମୋ ଭାଇର ମରଣ ଦୁଃଖ ଭୁଲିବି । ନୂଆଉ, ବିବାହ ବିନା କଅଣ ଏହା ସମ୍ଭବ ହୋଇପାରିବ ନାହିଁ-? ବରଂ ତମକୁ ବାହାହେଲେ ତମକୁ ନିଜର ଅଂଶ ବୋଲି ମୁଁ ଗ୍ରହଣ କଲେ, ଭାଇର ସ୍ମୃତି ଲୋପ ହେବ ! ତେମେ ଅନ୍ୟଠାରେ ବିବାହ କଲେ ମଧ୍ୟ ଠିକ୍ ସେହି କଥା ହେବ ।

 

କହିଲି– ତେମେ ଭୁଲ ବୁଝିଛ । ତମକୁ ବିବାହ କଲେ, ଭାଇର ସ୍ମୃତି ଲୋପ ହେବ ନାହିଁ-। ରକ୍ତ ମାଂସର ଉତ୍ତେଜନା ହୁଏତ ଦୁହିଁଙ୍କୁ ଦୁଇ ଆଡ଼କୁ ଠେଲିଦେବ । ଉତ୍ତେଜନା ଆସିବ, ଏଥିରେ ତ ସନ୍ଦେହ ନାହିଁ । ତେମେ ତମର ସଂସାର କରିବ ସୁଖରେ । ପଦାକୁ ପ୍ରକାଶ ନକଲେ ମଧ୍ୟ ମୁଁ ଜଳିପୋଡ଼ି ମରିବି । ମନରେ ହୁଏତ ଅପବିତ୍ର ଭାବ ଆସିବ, ପ୍ରଲୋଭନ ଆସିବ, କିଏ କହିବ ଗୋଡ଼ ନଖସିବ ବୋଲି ? ତମ ରୁଚି ଉପରେ ମୁଁ ବାଧା ଦେଇପାରିବି ନାହିଁ । ତେଣୁ ତୁମର ଅନୁମତି ଚାହେଁ ।

 

ସୁରଙ୍କ କୋଳରେ ମନୁଆ ଶୋଇପଡ଼ିଥିଲା । ଆଜି ତା ଦେହରେ ଜର ନାହିଁ । ଟିମଭାଇଙ୍କ ଯତ୍ନରେ ସେ ଭଲ ହୋଇଛି । ନିଜ ପିଲାର କେହି ଏତେ ଯତ୍ନ ନେବେ ନାହିଁ । ସୁରଙ୍କ କୋଡ଼ରୁ ନେଇ ତାକୁ ବିଛଣାରେ ଶୋଇଦେଲି। ସୁର ଏକା ଠାରେ ବସି ମୁଣ୍ଡରେ ହାତ ଦେଇ ଭାବୁଥାନ୍ତି । ତାଙ୍କ ପାଖକୁ ଆସି କହିଲି, ମନର ସବୁ କଥା ତମୁକୁ ଖୋଲାଖୋଲି କହିଲି ସୁର, ତୁମର ଓ ମୋର ଭବିଷ୍ୟତ୍ ତମରି ଜବାବ ଉପରେ ନିର୍ଭର କରେ ।

 

ଦୀର୍ଘଶ୍ୱାସ ଛାଡ଼ି କହିଲେ– ଏତେ କଥା ମୁଁ କେବେ ହେଲେ ଭାବିନଥିଲି । ମତେ ଭାବିବାକୁ ସମୟ ଦିଅ !

 

ହସ ମାଡ଼ିଲା । କହିଲି, ହଉ, ଯେତେଦିନ ଭାବିବ ଭାବି ଠିକ୍ କର । ମୋର ଶେଷ କଥା ମୁଁ ତମୁକୁ କହିଦେଇଛି । ତମେ ତମର ଶେଷ କଥା ମତେ କହିବ । ମୁଁ ପିଲା ନୁହେଁ । ତମେ ମଧ୍ୟ ପିଲା ନୁହଁ । ଭଲମନ୍ଦ ବିଚାର କରିବାର ଶକ୍ତି ଦୁହିଁଙ୍କର ଅଛି ।

 

ସେତିକି ବେଳରୁ ସୁର ଗମ୍ଭୀର ହୋଇପଡ଼ିଲେ । ତୁଣ୍ଡରୁ କଥା ବାହାରିଲା ନାହିଁ । ମୁଣ୍ଡରେ ହାତ ଦେଇ ମନୁଆର ବିଛଣା ପାଖରେ ବସିରହିଲେ ।

 

ମୁଁ ଘରକାମରେ ବ୍ୟସ୍ତ ରହିଲି ।

ସଞ୍ଜ ଆଗରୁ ସୁର କେତେବେଳେ ଚାଲିଗଲେ ମୁଁ ଜାଣେ ନାହିଁ । ସେଦିନ ମୋ ପାଖରୁ ସେ ବିଦାୟ ନେଇ ଗଲେ ନାହିଁ । ଭାବିଲି, ମୋ ମନକଥା ମୋ ମୁହଁରୁ ଶୁଣି ସେ ବିଚଳିତ ହୋଇପଡ଼ିଲେ । ମୋର ନୂଆ ରୂପ ନୂଆ ଢଙ୍ଗ ଦେଖି ସେ ବୁଝିଲେ ଯେ ମୋତେ ସେ ଭୁଲାଇ ନିଜ ଘରର ଦାସୀ କରି ନେଇପାରିବେ ନାହିଁ । କେଜାଣିବା ସେ ଭାବିଥିବେ, ଦାଣ୍ଡ ହାଟରେ ବୁଲି ମୁଁ ନିର୍ଲଜୀ ହୋଇଛି । ଯାହାପଛେ ଭାବନ୍ତୁ, ଶେଷକଥା ମୁଁ କହିଦେଇଛି । ସେ ଆସନ୍ତୁ ନଆସନ୍ତୁ, ଜବାବ ଦେଉନ୍ତୁ କି ନଦେଉନ୍ତୁ, ମୁଁ ମୋ ନିଜ ବାଟ ଖୋଜିନେବି – ଭଲ ହେଉ କି ମନ୍ଦ ହେଉ । ତେବେ, ଆଉ କେଇଟି ଦିନ ତାଙ୍କୁ ଅପେକ୍ଷା କରିବି ।

•••

 

୩୬

 

ମନୁଆର ଦେହ ଭଲ ଥିଲେ ମଧ୍ୟ ସବୁଦିନ ପରି ସେଦିନ ମଧ୍ୟ ଟିମଭାଇ ଆସିଲେ । ତାଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଗତ କଥା ସବୁ ଗୋଟି ଗୋଟି ହୋଇ ମୋର ମନେପଡ଼ିଲା । ପିଲାଦିନରୁ ଆଜିଯାଏ ଟିମଭାଇ ମୋତେ ଭଲପାଇ ଆସିଛନ୍ତି, କିନ୍ତୁ ଚିରଦିନ ଦୂରେଇ ରହିଛନ୍ତି । ମୋ ଉପରେ ଦୟା ଦେଖାଇ ଆସିଛନ୍ତି, ତା ବଦଳରେ ମୋ ପାଖରୁ ସେ କିଛି ଉପକାର ପାଇନାହାନ୍ତି ।

 

ଦୁଃଖୀ ହୁଅନ୍ତୁ କି ସୁଖୀ ହୁଅନ୍ତୁ, ଠାକୁରଙ୍କର ଇଚ୍ଛା ପୂରଣ ହୋଇଛି । ଆଜି ମଧ୍ୟ ମୋତେ ସେ ଭଲ ପାଉଛନ୍ତି । ମୋ ପ୍ରତି ତାଙ୍କର ସ୍ନେହର ପୂର୍ଣ୍ଣ ଆଭାସ ମୁଁ ପାଇଛି । ତୁଣ୍ଡର ଭାଇ ଡାକ ମନର ଉତ୍ତେଜନାକୁ ଜୟ କରିପାରି ନାହିଁ । ତାଙ୍କରି ଦୟାରେ ବନ୍ଧାହୋଇଛି, ତେଣୁ ତାଙ୍କର କୌଣସି କଥାରେ ବାଧା ଦେଇପାରୁନାହିଁ ।

 

ଡିବିରିଟି କାନ୍ଥ ପାଖରେ ଜଳାଇଦେଇ ଶୋଇଲା ପିଲାର ପାଖରେ ବସିଥିଲି । ଟିମଭାଇ ଆସି ପାଖରେ ଠିଆ ହେଲେ । ମଶିଣାଟି ଦୂରେଇ କରି ପାରିଦେଇ କହିଲି, ବସନ୍ତୁ ।

 

ସେ ବସିଲେ । କେତେ ସମୟ ତୁନି ହୋଇ ବସିଲା ପରେ କହିଲେ– ପିଲାଟିର ଦେହ ଭଲ ହୋଇଗଲା । ତେବେ ତାର ନୂଆ ଦେହ, ସାଙ୍ଗରେ ନେଇ ପଦାକୁ ବାହାରିବା ଉଚିତ ନୁହେଁ । ବର୍ଷା ଦିନ । ଦିନାକେତେ ଘରେ ରହି ତାର ଯତ୍ନ ନେ ।

 

କୃତଜ୍ଞତାରେ ମୋ ମନ ନଇଁପଡ଼ିଥାଏ । କହିଲି– ଟିମାଇ, ଗରିବ ନିଆଶ୍ରୀ ପ୍ରତି ତମର ଦୟା ମୁଁ ଜୀବନରେ ଶୁଝାଇ ପାରିବି ନାହିଁ । ତେମେ ଯଦି ଦୟା ନ କରିଥାନ୍ତ, ମନୁଆକୁ ମୁଁ ପାଇନଥାନ୍ତି । ଠାକୁରଙ୍କୁ ଡାକୁଛି, ମୋ ନୂଆଉର ଗୋଟିଏ ପୁଅ ହେଉ ।

 

ହସିଲେ । କହିଲେ, ତୁ ମନ୍ତ୍ର ଜାଣୁ ଲୋ ତୁଳସୀ ! ତୋ ନୂଆଉ ତ ସେଇ ଲୋକ, ଏମିତି ବଦଳିଗଲେ !

 

ମୁଁ ମନ୍ତ୍ରଯନ୍ତ୍ର ଜାଣେ ନାହିଁ । ନୂଆଉର ମନ କେତେ ବଡ଼ ସେ କଥା ମୁଁ ଜାଣିଥିଲି । ମୋ ଆଖିର ଲୁହ, ମୋ ଜୀବନର ଦୁଃଖ ତାଙ୍କୁ ବଦଳାଇଦେଇଛି । ଟିମାଇ, ତାଙ୍କ ମନରେ ତେମେ କେବେ ଦୁଃଖ ଦେବ ନାହିଁ– ଏତିକି ତମ ପାଖରେ ମୋ ଗୁହାରି ।

 

ଟିମାଇ ଯେପରି ଅସ୍ଥିରତା ବୋଧ କଲେ । କହିଲେ, ତାଙ୍କ ମନରେ ଦୁଃଖ ଦେବା ମୋର ଇଚ୍ଛା ନୁହେଁ, କିନ୍ତୁ.....

 

କିନ୍ତୁ ପୁଣି କଅଣ ?

ଟିକିଏ ରହି ସେ କହିଲେ, ତୋ ପ୍ରତି ତାଙ୍କର ଯେଉଁ ପ୍ରଗାଢ଼ ସ୍ନେହ ହଠାତ୍ ହୋଇଉଠିଛି, ତାର ଅର୍ଥ ମୁଁ ବୁଝିପାରୁନାହିଁ । ସେ ଜାଣନ୍ତି, ମୁଁ ତତେ ପିଲାଦିନୁ ଭଲପାଏଁ । ସେ ଜାଣନ୍ତି, ମୁଁ ତତେ ନିଜର କରିବାକୁ, ଦରକାର ହେଲେ ବିବାହ କରିବାକୁ ପ୍ରସ୍ତୁତ ହୋଇଥିଲି । ବଗିଚା ଘରେ ସଞ୍ଜବେଳେ ତତେ ଓ ମତେ ନିରୋଳାରେ ଥିବାର ଖବର ପାଇ ଯେ ଆକାଶ ପାତାଳ ଓଲଟାଇବାକୁ ବସିଥିଲେ, ଆଜି ସେ ଲୋକ କଅଣ କରୁଛନ୍ତି ଜାଣୁ ?

 

ଝିପି ଝିପି ବର୍ଷା, ଘରେ ପହଞ୍ଚିଲେ ଆଗ ପଚାରନ୍ତି, ତୁଳସୀର ପିଲାଟିର ଦେହ କିପରି ଅଛି ?

କହେ– ଯାଇନାହିଁ, ଭଲ ଥିବ ।

ମୁହଁ ଶୁଖାଇ କହନ୍ତି– ନାଇଁ, ତେମେ ଥରେ ଯାଅ । ଆହା ! ବିଚାରି, ଆମରି ଆଶ୍ରାରେ ପଡ଼ିଛି । ବୁଢ଼ୀ ମାକୁ ହରାଇବସିଲା । ପିଲାଟି ବେମାର, ଯାଅ ଥରେ.....

ଯେତେ ରାତିରେ ଏଠୁ ଫେରିଲେ ପଚାରନ୍ତି, କେମିତି ଅଛି ?

କହେଁ, ଭଲ ଅଛି । ତାଙ୍କର ମୁହଁ ପ୍ରଫୁଲ୍ଲ ଦେଖାଯାଏ ।

ତୁଳସୀ, ନିରୋଳା ରାତିରେ, ତୋ ପାଖକୁ ମତେ ସେ ଯେ ଏକୁଟିଆ ଛାଡ଼ିଦିଅନ୍ତି ! ସେ ଜାଣନ୍ତି, ମୋର ମନ ତତେ ଚାହେଁ, ପିଲାଦିନୁ ଚାହିଁଆସିଛି, ମରିବାଯାଏ ଚାହୁଁଥିବ । ତଥାପି ତାଙ୍କର ଏପରି ଢଙ୍ଗର ଅର୍ଥ ମୁଁ ବୁଝିପାରେ ନାହିଁ ।

ମୋ ଛାତିରେ ଚମକ ଲାଗିଲା । ମରିବାଯାଏ ଚାହୁଁଥିବେ । ଠିକ୍ କହିଥିଲେ ନୂଆଉ ସେ ଦିନ, ଥରଟିଏ ଆଖିଠାରରେ ସବୁ ଭାଇପଣିଆ ଭୁଷୁଡ଼ିପଡ଼ିବ । ଯେଉଁଦିନ ତୁ ଏ ଗାଁ ଛାଡ଼ିବୁ ସେଇଦିନ ମୁଁ ହେବି ନିଶ୍ଚିନ୍ତ ! ଭାଇଡାକ ନଈବଢ଼ିକୁ ଦିଅଁଙ୍କ ରାଣ ।

ମରିବା ଯାଏ ମନ ଚାହୁଁଥିବ, ଟିମାଇର ମନ ! ପିଲାଦିନୁ ଯେଉଁ ମୋହ, ତାରି ରିହ । ସୁବିଧା ଥିଲେ, ସୁଯୋଗ ଥିଲେ, ମନ ଏମିତି ଓଟାରି ହୁଏ – ଦେଶ, କାଳ, ପାତ୍ର ମାନେ ନାହିଁ । ଧର୍ମ, ସମାଜ, ସଂସ୍କୃତି, ମୁଣ୍ଡ ନୁଆଁଏ । ତାରି ଛାତି ଉପରେ ଚାଲେ ମିଳନ-ରଙ୍କ ମନ, ଯେଉଁଠି ଥାଏ ସୁବିଧା, ଯେଉଁଠି ଥାଏ ସୁଯୋଗ !

ମୁଁ ଗରିବ, ନିଆଶ୍ରୀ ଲୋକ । ଟିମାଇର ଦୟା ଓ ସ୍ନେହ ମୋ ଛୋଟ ସଂସାରକୁ ଘେରିରହିଛି । ତାର ମନ ଜାଣେ ଯେ ମୋ ସଙ୍ଗେ କଥା କହିଲେ ପଛରେ କେହି ଚାହିଁବାକୁ ଆକଟିବାକୁ ନାହିଁ । ମୋ ମନ ନେଇପାରିଲେ ମୋତେ ସେ ପାଇପାରିବେ, କେହି ବାଧା ଦେଇପାରିବେ ନାହିଁ । ସେଇଥିପାଇଁ ସେ ମନ ଖୋଲି ଯାହା ଇଚ୍ଛା କହିପାରିବେ । ଆଜି ଯଦି ମୋ ସ୍ୱାମୀ ଥାନ୍ତେ, ଟିମାଇ କି ବହପରେ କି ସାହସରେ କହନ୍ତେ, ମରିବାଯାଏ ତାଙ୍କ ମନ ମତେ ଚାହୁଁଥିବ ! ତାଙ୍କର ଦୋଷ ନାହିଁ, ଦୋଷ ମୋର ଅବସ୍ଥାର, ମୋ ଭାଗ୍ୟର । ମୋର ଦୁରବସ୍ଥାର ସୁବିଧା ନେଇ ସେଦିନ ସେ ମୋତେ ନୁଆଇଁ ନେଇଥିଲେ କାନ୍ଧ ଉପରକୁ । କି ଦୁର୍ଯୋଗରେ ନିଜକୁ ଭୁଲି ମୁଁ ଢଳିପଡ଼ିଥିଲି ତାଙ୍କର ଉପରକୁ !

ଭାବିଲି, ନୂଆଉର ମନକଥା ତେମେ କିପରି ବୁଝିବ ଟିମାଇ ! ସେ ମତେ ପରୀକ୍ଷା କରୁଛନ୍ତି, ତମକୁ ମଧ୍ୟ ଲମ୍ବ ଦଉଡ଼ି ଛାଡ଼ିଦେଇଛନ୍ତି, ମୋରି ଉପରେ ବିଶ୍ୱାସ ରଖି । ତାଙ୍କର ପ୍ରଫୁଲ୍ଲ ମୁହଁ ତେମେ ଦେଖିଛ । ମନ ତଳର ଜଳିଲା ନିଆଁର ସନ୍ଧାନ ପାଇନାହଁ । ଯେଉଁ ଦିନ ତାଙ୍କର ବିଶ୍ୱାସ ତୁଟିବ, ମନର ନିଆଁରେ ନିଜକୁ ସେ ଝାସ ଦେବେ । ତାଙ୍କର ଉଦାରତା, ତାଙ୍କର ଆତ୍ମବଳିରେ ଦିଅଟି ପ୍ରାଣୀଙ୍କୁ ସେ ଜୀଅନ୍ତା ନରକ ଭିତରକୁ ଠେଲିଦେବେ, ତମକୁ ଓ ମୋତେ !

ମୋତେ ନୀରବ ଦେଖି ଟିମାଇ କହିଲେ– ତୁଳସୀ, ମୋ ସ୍ତ୍ରୀ ମୋ ମନ କଥା ଜାଣନ୍ତି । ନିଜେ ସେ ଅନୁଭବ କରନ୍ତି ଯେ ତାଙ୍କର କୁତ୍ସିତ ରୂପ ମୋ ମନକୁ ବାନ୍ଧି ରଖିପାରିବ ନାହିଁ । ସେଇଥିପାଇଁ ସେ ମୋତେ ତୋ ପାଖକୁ ପଠାଇଦିଅନ୍ତି ।

 

ଆତ୍ମା ମୋର ଡାକ ଛାଡ଼ିଲା– ତେମେ ଭୁଲ୍ ବୁଝିଛ, ତେମେ ନିର୍ବୋଧ । ସ୍ତ୍ରୀ କେବେ ସ୍ୱପ୍ନରେ ସୁଦ୍ଧା ଏପରି ଭାବିପାରେ ନାହିଁ ।

 

ମୋ ମୁହଁ ଖୋଲିଲା ନାହିଁ ।

ଟିମାଇ ମୋ ପାଖକୁ ଉଠିଆସିଲେ । ତାଙ୍କର ଆଖିରୁ ମୁଁ ତାଙ୍କ ମନର ଭାବ ବୁଝିଲି । ମୁହଁ ତଳକୁ ପୋତିଲି । ସେ ମୋ ହାତ ଉଠାଇ ଥରିଲା ସ୍ୱରରେ କହିଲେ– ତୁଳସୀ, ବୁଢ଼ୀ ମରିବା ଆଗରୁ ତୋ ହାତ ସଙ୍ଗେ ମୋ ହାତ ମିଳାଇ ଦେଇ ଯାଇଥିଲେ । ସେ ବୁଝିଥିଲେ ତୋ ବିନା ମୋର ଏ ଜୀବନର ମୂଲ୍ୟ ନାହିଁ, ମୋର ବଞ୍ଚିରହିବା ଅକାରଣ । ମରଣ ଆଗରୁ ମଣିଷକୁ ତିନି ପୁରର କଥା ଦେଖାଯାଏ । ସେ ଜାଣିପାରିଥିଲେ, ମୋ ବିନା ତୋର ବି ଅନ୍ୟ ଗତି ନାହିଁ ।

 

ସେମିତି ତଳକୁ ଚାହିଁରହିଥିଲି । ମନର କଥା ତୁଣ୍ଡରେ ପ୍ରକାଶ କରିବାର ସାହସ ମୋର ନାହିଁ । ମରଣ ଆଗରୁ ବୋଉ ଯାହା କରିଗଲା, ତାର ଅର୍ଥ ଟିମାଇ ବୁଝିପାରିବେ ନାହିଁ । ବୋଉର ମନକଥା ମୁଁ ଜାଣେ । ସେ ଟିମାଇକୁ ସୁର ବୋଲି ମଣିଥିଲା । ଏ କଥା ମୁଁ କହିଲେ ଟିମାଇର ମନରେ ଦୁଃଖ ହେବ । ତାଙ୍କ ମନରେ ଦୁଃଖ ଦେଲେ ଫଳ କଅଣ ହେବ କିଏ ଜାଣେ ?

 

ମୁଁ ଉତ୍ତର ନଦେଇ ତଳକୁ ମୁହଁ ପୋତି ରହିଲି ।

ମୋ ନୀରବ ଭାବରୁ ସେ କଅଣ ଭାବିଲେ କେଜାଣି, ଟିକିଏ ଉତ୍ତେଜିତ ହୋଇ ଦୁଇ ହାତରେ ମୋ ମୁହଁକୁ ଟେକି ଧରିଲେ । ତାଙ୍କର ଆଖିରେ ମନର ଭାବ ଫୁଟିଉଠିଥିଲା । ମୁଁ ବାଧା ଦେବା ଆଗରୁ ସେ କହିଲେ– ତୁଳସୀ, ଭଗବାନଙ୍କ ଇଚ୍ଛା ପୂରଣ ହେଉ । ମୁଁ ତତେ ବିବାହ କରିବି-। ତୁ ଆପତ୍ତି କରିବୁ ନାହିଁ ମୁଁ ଜାଣେ ।

 

ନିରୋଳା ନିର୍ଜନ ରାତି । ବାହାରେ ବର୍ଷା, ଅନ୍ଧାର, ପବନ । ଦୂର ବିଲରୁ ବେଙ୍ଗ ଓ ଝିଙ୍କାରିଙ୍କର ଶବ୍ଦ । ଗାଁ ଶେଷ ନିଛାଟିଆ ଘର ଭିତରେ ଟିମାଇ ଓ ମୁଁ । ତାଙ୍କର କାର୍ଯ୍ୟ ଦେଖିବାକୁ କେହି ନାହିଁ ।

 

ଭଲମନ୍ଦ ଦୁନିଆର ଲୋକେ କେହି ଜାଣିବେ ନାହିଁ । ତଥାପି ମୋ ଛାତି ଥରିଉଠିଲା । ବଗିଚା ଘରେ ସଞ୍ଜବେଳେ ଏଇ ଟିମାଇର ଛାତି ଉପରକୁ ଢଳିପଡ଼ିଥିଲି । ରକ୍ତରେ ଲାଗିଥିଲା ନିଆଁ । ମିଳନ ଆଗ୍ରହରେ ଦେହ ମନ ପୁଲକିଉଠିଥିଲା । ଆଜି, ଏଇ ନିରୋଳା ରାତିରେ, ସେଇ ଟିମାଇର ପରଶରେ ମନରେ ଉତ୍ତେଜନା ଆସିଲା ନାହିଁ ତ ! ମିଳନ-ଡାଆଣା ମନ ଜାଗିଉଠିଲା ନାହିଁ । ଇଚ୍ଛା ହେଲା ନାହିଁ ଲତାଟି ପରି ତାଙ୍କର ଦେହରେ ଗୁଡ଼ାଇହୋଇଯିବି ।

 

ଦୁଃଖର ବୋଝ, କର୍ତ୍ତବ୍ୟଜ୍ଞାନ ମଣିଷର ଉତ୍ତେଜନାକୁ ଆୟତ୍ତ କରେ । ସେ ହୁଏ ପଥର-। ସବୁ ଦେଖେ, ସବୁ ହୁଏତ ବୁଝେ, ପାଟିରୁ କଥା ବାହାରେ ନାହିଁ । ସବୁ ସହେ, କିଛି ଅନୁଭବ କରିପାରେ ନାହିଁ । ମୋ ଦୁଃଖ, ମୋ ସଂସାର ମତେ ପଥର କରିଛି ।

 

ଟିମାଇ ଆଡ଼କୁ ମନ ନଇଁଲା ନାହିଁ । ତା ପ୍ରତି ଘୃଣା କି ରାଗ ଅଭିମାନ ହେଲା ନାହିଁ । ଜାଣେ, ମୋତେ ପାଇବା ତାଙ୍କ ଜୀବନର କାମନା; କିନ୍ତୁ ମୋତେ ପାଇବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ ।

 

ଦାଣ୍ଡର ବେଶ୍ୟା ପରି ମୋ ଦେହଟା ତାଙ୍କର ପାଖରେ ସମର୍ପିଦେଇଥିଲେ ସେ ତାହା ଗ୍ରହଣ କରିଥାନ୍ତେ, କିନ୍ତୁ ତାଙ୍କ ଜୀବନର ଲକ୍ଷ୍ୟ ସେତିକି ନୁହେଁ । ସେ ମୋତେ ନିଜର କରିବାକୁ ଚାହାନ୍ତି । ସେ ମୋ ପାଇଁ ଯାହା କରିଛନ୍ତି, ତା ତୁଳନାରେ ମୋତେ ଥରଟିଏ ପାଇବାକୁ ସେ ଅତି ବଡ଼ କଥା ବୋଲି ମନେ ନକରିପାରନ୍ତି, କିନ୍ତୁ ତାଙ୍କର ଋଣ ଶୁଝାଇବାକୁ ଏହି ଦେହଟା ଛଡ଼ା ମୋର ଅନ୍ୟକିଛି ନାହିଁ ।

 

ମୋ ପାଖରେ ତାଙ୍କୁ ଯିଏ ଏକୁଟିଆ ଛାଡ଼ିଦେଇ ଦୂରରେ ରହି ମୋ କର୍ତ୍ତବ୍ୟ ଜ୍ଞାନ ପରୀକ୍ଷା କରୁଛନ୍ତି, ସେ କିଛି ଜାଣିବେ ନାହିଁ, କିନ୍ତୁ ମୁଁ ହେବି ତାଙ୍କ ପାଖରେ ଦୋଷୀ । ଆଜି ଏଇ ରାତିରେ ଟିମାଇର ହାତରେ ନିଜକୁ ଧରା ଦେଇ କାଲି ଯାହାର ହାତ ଧରିବି, ତା ଆଗରେ କେଉଁ ସାହସରେ ମୁଁ ଠିଆ ହୋଇପାରିବି ? ମୋ ମନ ମୋତେ ଦୋଷ ଦେଉଥିବ, ମୁଁ ଦୋଚାରୁଣୀ, ମୁଁ ଠକିଛି !

 

ଧୀର ସ୍ଥିର ଭାବରେ କହିଲି, ଟିମାଇ, ମୁଁ ଜାଣେ ତୁମେ ମୋର ଯେତେ ଉପକାର କରିଛ, ତା ତୁଳନାରେ ମୋର ଏଇ ଦରମଲା ଦେହଟାର ମୂଲ୍ୟ କିଛି ନୁହେଁ; କିନ୍ତୁ ଟିମାଇ, ଦେହ ଅପେକ୍ଷା ମନ କଅଣ ଉଚ୍ଚରେ ନୁହେଁ ?

 

ଟିମାଇ କଅଣ ଭାବି ପଛକୁ ଘୁଞ୍ଚି ବସିଲେ । ପଚାରିଲା ଆଖିରେ ମୋ ମୁହଁକୁ ଚାହିଁରହିଲେ ।

 

 

ହସିଲା ଓଠରେ କହିଲି– ନୂଆଉର କଥା ମୁଁ ଭାବୁଛି । ତୁମେ ତାଙ୍କ ମନର ପରିଚୟ ପାଇଛ, କେଡ଼େ ବଡ଼, କେଡ଼େ ଉଦାର । ତାଙ୍କ ମନରେ ଦୁଃଖ ଦେବା କଅଣ ତମର ଉଚିତ, ମୋର ଉଚିତ ? ଯେ ଉଦାର, ଯେ ମହତ୍, ତାର ସର୍ବନାଶ କରିବା କଅଣ ଅନ୍ୟାୟ ନୁହେଁ ?

 

ଟିମାଇ ଦୀର୍ଘଶ୍ୱାସ ଛାଡ଼ିଲେ । କହିଲେ, ତୋର ଏପରି ଭାବିବାର କାରଣ କଅଣ ? ତୋତେ ପାଇଲେ କଅଣ ମୁଁ ତାଙ୍କୁ ସୁଖୀ କରିପାରିବି ନାହିଁ ?

 

ସ୍ତ୍ରୀର ମନକଥା ତେମେ ବୁଝିପାରିବ ନାହିଁ ଟିମାଇ, ସେ ତାର ସ୍ୱାମୀ ଉପରେ ପୂର୍ଣ୍ଣ ଅଧିକାର ଚାହେଁ । ସ୍ୱାମୀର ସ୍ନେହର କାଣିଚାଏ ଯଦି ଅନ୍ୟଠିକି ଯାଏ, ସେ ତାହା ସହିପାରେ ନାହିଁ-। ସେ ଅସୁଖୀ ହୁଏ । ମୁଁ ଯାହା ଅନୁଭବ କରିଛି, ତାହାହିଁ କହୁଛି । ନିର୍ବିଘ୍ନରେ ନିରୋଳା ନିର୍ଜନ ନିଶାରେ ତମକୁ ସେ ମା ପାଖକୁ ପଠାଇଛନ୍ତି । କାହିଁକି ଜାଣ ? ତାଙ୍କର ମନ ପବିତ୍ର । ତାଙ୍କର ହୃଦୟରେ ସନ୍ଦେହ ଓ ଅବିଶ୍ୱାସ ନାହିଁ । ତମକୁ ମୁଁ ଭାଇ ବୋଲି ଡାକେ । ସେ ଜଣନ୍ତି ଭାଇ ଡାକର ମହତ ଅଛି । ସମାଜରେ ଘର କରି ରହିଲେ ଭାଇ ଡାକର ମହତ ରଖିବାକୁ ହେବ । ନୋହିଲେ ସମାଜ ତିଷ୍ଠିବ ନାହିଁ ।

 

ତାଙ୍କର ମୁହଁ ମଉଳିଗଲା । ଆଗ୍ରହଭଙ୍ଗା ସ୍ୱରରେ କହିଲେ, ମଣିଷର ଦେହ ଥିବାଯାଏ, ଦେହର ଲୋଭ ସେ ଛାଡ଼ିପାରେ ନାହିଁ । ତୁ ସୁନ୍ଦର । ହେତୁ ହେଲା ଦିନୁ ତତେ ମୁଁ ଦେଖିଆସିଛି, ତୋରି ପଛେ ପଛେ ଚିରଦିନ ମୋ ଉତ୍ତଳା ମନ ଛୁଟିଛି । ଗୋଟାଏ ପଦର ଧାରଣାରେ ଦେହର ଭୋକ ଓ ମନର ଶୋଷକୁ ଅଟକାଇ ରଖିବା ସହଜ ନୁହେଁ । ଗୋଟାଏ ପଦ ଡାକକୁ ବଦଳାଇଦେବା ଆମ ହାତର କଥା । ଯେଉଁଠି ରକ୍ତ ସମ୍ବନ୍ଧ ନାହିଁ, ସେଠି ସମାଜରେ ଚହଳ ପଡ଼ିବ ନାହିଁ । କେହି କେହି ଏଠି ସେଠି ଦୁର୍ନାମ ରଟାଇବେ, ପୁଣି ତୁନି ହେବେ । ତୋର ଓ ମୋର ସମ୍ବନ୍ଧ ତୋର ସ୍ନେହ କି ଘୃଣା ଉପରେ ନିର୍ଭର କରେ । ତୋରି ମୁହଁରୁ ମୁଁ ତାହା ଶୁଣିବାକୁ ଚାହେଁ ।

 

ଟିମାଇର କଥାକୁ ମନେ ମନେ ଆଲୋଚନା କଲି । ତା ସଙ୍ଗେ ତର୍କ କରିବାର ବେଳ ସେ ନୁହେଁ । ରୋଗୀ ପାଟିକି ଭଲ ଖାଦ୍ୟ ବି ଅରୁଚି ଲାଗେ । ତାଙ୍କର ଡାଆଣା ମନକୁ ମୋ କଥା ଭଲ ଲାଗିବ ନାହିଁ ।

 

କହିଲି ଟିମାଇ, ତେମେ ଯାହା କହିଲ ସେଥିରେ ଭୁଲ୍ ନାହିଁ । ତମର ଆନନ୍ଦ ଓ ସୁଖ ପାଇଁ ନିଜକୁ ମୁଁ ତମର ଗୋଡ଼ତଳେ ସମର୍ପି ଦେବି । ମୁଁ ତ ଅଖୋଜା, ଅଲୋଡ଼ା ଅଳିଆ ଗଦା ସଙ୍ଗେ ସମାନ । ମୋତେ ନେଇ ଘରେ ସାଇତିବ ଓ ଗାଁ ଦାଣ୍ଡରେ ଯେଉଁ ଦୁର୍ଗନ୍ଧ ଉଠିବ ତାକୁ ସମ୍ଭାଳିବ, ସେଥିପାଇଁ ତେମେ ପ୍ରସ୍ତୁତ ହେବ, ଏସବୁ କଥା ଆଗ ଭାବି ସ୍ଥିର କର । ମୋତେ ବି ଟିକେ ଭାବିବାକୁ ବେଳ ଦିଅ । ଟିମାଇ, ମୋତେ ତେମେ ତମର ସ୍ତ୍ରୀ କରି ନେଲେ ନୂଆଉ ତ ଜୀବନ ହାରିଦେବେ । ତେମେ ନିଜେ ଭାବି ସ୍ଥିର କର କାହାର ମୂଲ୍ୟ ଅଧିକ, କାହାକୁ ନେଇ ଘର ସଂସାର କଲେ ତେମେ ସୁଖୀ ହୋଇପାରିବ ।

 

ମୋ ଗୋଡ଼ରୁ ମୁଣ୍ଡଯାଏ ଥର ଥର ହୋଇ କମ୍ପିଉଠିଲା । ଆଖିରୁ ଝର ଝର ହୋଇ ଲୁହ ଝରିଲା । ଟିମାଇ ଏକ ଆଖିରେ ମୋର ସାହାହୀନ ଦେହଟାକୁ ଅନାଇ ରହିଥାଏ, ସତେ କି ତା ଆଖିର ନିଆଁ ମତେ ଜାଳିଦେବ । ଅନୁଭବ କଲି, ସେ ଯେପରି ମୋତେ ଗ୍ରାସ କରିବାକୁ ବିଚାର କରୁଛନ୍ତି । ଥରିଲା ହାତରେ ତାଙ୍କର ବଳିଲା ହାତକୁ କଟମଟ କରି ଧରି କହିଲି, ତମର ଦୁଃଖ ମୁଁ ବୁଝିଛି, ତଥାପି ମୁଁ ସମୟ ଚାହୁଁଛି, ମୋତେ ଭାବିବାକୁ ବେଳ ଦିଅ ।

 

ସେ ସାମାନ୍ୟ ହସିଲେ । ମୋ ହାତରୁ ତାଙ୍କ ହାତ ଖସାଇ ନେଇ କହିଲେ, ସମୟ...ଆଛା.....

 

ଆଉ କିଛି ସେ କହିଲେ ନାହିଁ । ନାକ ଫଣ ଫଣ କରି ସେ ଉଠି ଚାଲିଗଲେ । ଅଟକାଇବାକୁ ସାହସ ହେଲା ନାହିଁ ।

 

ସେ ଚାଲିଗଲା ପରେ ମୁଁ ଅନୁଭବ କଲି ଏଣିକି ଆଉ ପରିତ୍ରାଣ ନାହିଁ । ଏ ଘର ଛାଡ଼ି ଚାଲିନଗଲେ ଆଉ ଟାଣପଣ ରହିବ ନାହିଁ ।

•••

 

୩୭

 

ଦୁଇଦିନ ଗଡ଼ିଗଲା । ବର୍ଷା ପରେ ପୁଣି ହେଲା ଖରା ପାଗ । ଦୁନିଆ ଦିଶିଲା ସୁନ୍ଦର । ମନୁଆର ଦେହ ଭଲ ହୋଇଗଲା । ଘରଟାରେ ବନ୍ଦୀ ହୋଇ ରହିବାକୁ ମନ ହେଲା ନାହିଁ । ଟିମ ଭାଇଙ୍କ ଦୟାରୁ କୌଣସି ଅଭାବ ନଥିଲେ ମଧ୍ୟ ବିନା କାରଣରେ ପର ମଣିଷର ଦୟା ଉପରେ ନିର୍ଭର କରି ଚଳିବା ଭଲ ନୁହେଁ । କେହି କିଛି ନକହନ୍ତୁ ପଛେ ନିଜ ପାଖରେ ନିଜକୁ ଲାଜ ମାଡ଼େ ।

ପର ଘରେ ପାଇଟି କରି ପେଟ ପୋଷିବାକୁ ଅଣ୍ଟାଭିଡ଼ି ବାହାରିଲି ।

କେତେ ଲୋକଙ୍କର କାନ୍ଥକୁ ବାଡ଼କୁ ଦେଖା କେତେ କଥା ସହିବାକୁ ହେଲା ।

–କିଲୋ, ଦିଅର ନେଲା ନାହିଁକି ? କାହାପାଇଁ ଏତେ ସଜବାଜ ବା ?

–ଆଲୋ ତୁଳସୀ, ହାଟକୁ ଯିବା ଆଜି କାଲି ବନ୍ଦ ହୋଇଗଲା କି ? ତୋର ଦେଖା ଦର୍ଶନ ମିଳୁନାହିଁ ?

–ଚଳିଯାଉଛି, ନା ? ଠାକୁର ବଡ଼ ଲୋକ । ଦେବା ନେବାକୁ ହରି, କରତା ଅଟନ୍ତି ସବୁରି । ଠାକୁରେ ଦେବାକୁ ବସିଲେ ଛପର ଫାଡ଼ିକରି ଦିଅନ୍ତି ।

–ବୁଢ଼ୀ ମରିନାହିଁ ଯେ ତରିଯାଇଛି । ବଞ୍ଚିଥିଲେ ତା ଆଖିରେ ବେଆଡ଼ା କଥା ଯାଆନ୍ତା ନାହିଁ ।

ମୋର ପଥର ମନ ଉପରେ ଏ ସବୁ କଥା ଦାଗ ପକାଇପାରେ ନାହିଁ । ଲୋକେ ଯାହା କହିବାର କହୁଥାନ୍ତୁ ।

ଭାବେ, ସୁର ଆସିବେ ନାହିଁ । ଯାହା ସ୍ଥିର କରିବାର କଥା ସେ ସ୍ଥିର କରନ୍ତୁ । ଶେଷ କଥା ମୁଁ ଜାଣିବାକୁ ଚାହେଁ । କିନ୍ତୁ ଅପେକ୍ଷା କରିବି କାହିଁକି ? ତାଙ୍କର ନିରୁତ୍ତର ଭାବରୁ ଜାଣିପାରୁଛି ମୋତେ ସେ ସ୍ତ୍ରୀରୂପେ ଗ୍ରହଣ କରିବାକୁ ରାଜି ନୁହନ୍ତି । ତେବେ ଆଉ ଡେରି କାହିଁକି-? ଚେମା’ଇର ଗୋଡ଼ତଳେ ନିଜକୁ ସମର୍ପି ଦିଏଁ ।

ତଥାପି ଅପେକ୍ଷା କରେଁ – ଦିନଟିଏ... ଦିନଟିଏ ... ଦିନଟିଏ ....

ସାତଦିନ କଟିଗଲା । ସୁର ଆସିଲେ ନାହିଁ ।

ଟିମାଇ ବେଳେବେଳେ ଆସନ୍ତି । ଭଲମନ୍ଦ ପଚାରି ବୁଝନ୍ତି । ବେଶି ବେଳ ରହନ୍ତି ନାହିଁ-। ତାଙ୍କୁ ଦେଖିଲେ ମନକୁ ମନ ମୁଁ ଲାଜରେ ସଢ଼ିଯାଏ । କାଳେ ସେ କଣ ପଚାରିବେ, ମୁଁ କି ଉତ୍ତର ଦେବି, ସେଇ କଥା ଖାଲି ଭାବୁଥାଏଁ । ସେ ବି କିଛି ପଚାରନ୍ତି ନାହିଁ । ମୋ ମୁହଁକୁ ଅନାଇପାରନ୍ତି ନାହିଁ । ଆଖି ଆଖିର ମିଳନ ହେଲେ ସେ ଦୃଷ୍ଟି ଫେରାନ୍ତି । ମୁଁ ପୁଣି ଭାବେ – ବୋଧହୁଏ ସେ ଆଶା କରନ୍ତି ଯେ ମୋ ମନକୁ ମୁଁ ତାଙ୍କ ପ୍ରଶ୍ନର ଜବାବ ଆଗ ବଳିପଡ଼ି ଦେବି ? କଅଣ କହିବି ଭାବିଲେ ମୋର ହାଲୁକା ଶୁଖେ । ସେ ଫେରିବା ଯାଏ ମୁଁ ଛଟପଟ ହେଉଥାଏ, ସତେକି ମୁଁ କଅଣ ଅନ୍ୟାୟ କାମ କରି ପକାଇଛି ! ସେ ବାହୁଡ଼ିଗଲେ ଦୀର୍ଘଶ୍ୱାସ ଛାଡ଼ି ମୁଁ ନିଶ୍ଚିନ୍ତ ହୁଏ ।

ରାଜିବୋଉ ଖୁଡ଼ୀ ଗାଧୁଆବେଳେ ମନୁଆକୁ କାଖରେ ଧରି ତୁନି ତୁନି ମୋ କାନରେ କହିଲା– ରଙ୍ଗୀ ମ... କାଲି ଛାଡ଼ି ପହରି ଦିନ ତାର ବାହାଘର–

କାବା ହୋଇ ତା ମୁହଁକୁ ଚାହିଁଲି ।

ହସି ହସି କହିଲା– ହଁ ଲୋ, ଦୋବେହି ବର । ବୟସ ଅଛି, ବଡ଼ଲୋକ, ରଙ୍ଗୀର ରୂପ ଦେଖି ମଙ୍ଗିଲା । ରଙ୍ଗୀ ବାପ, ତାର ସବୁ ସମ୍ପତ୍ତି ଲେଖିଦେଉଛି ।

ତାଙ୍କ କୁଳରେ ପରା ଚଳେ ନାହିଁ ?

ପଇସା ଥିଲେ ସବୁ ଚଳେ । ଜାତିଭାଇ ଅଡ଼ିବସିଛନ୍ତି । ରଙ୍ଗୀ ବାପ ଟଙ୍କା ବିଞ୍ଚିଦେଲାଣି-

ମନ ସମ୍ଭାଳି ହେଲା ନାହିଁ । ଗଲି ଦେଖିବାକୁ । କେତେ ମାଇପେ ହାଉଯାଉ ହେଉଛନ୍ତି-। ରଙ୍ଗଲତାର ବାହା ! ସୁନ୍ଦର ଦିଶୁଛି, କିଏ କହିବ ରଙ୍ଗୀ ବାହା ହୋଇ ସ୍ୱାମୀଘରେ ପାଞ୍ଚ ବରଷ ସଂସାର କରିଥିଲା ? ଦେବୀ ପରି ରୂପ, ଗହଣାଗାଣ୍ଠି, ମୁହଁରେ ହସ । ବର ତିରିଶ ବର୍ଷର ଟୋକା-। ସୁନ୍ଦରଟିଏ !

କେତେ କଥା ପଚାରିବାକୁ ମନ ହେଉଥିଲା । ସୁଯୋଗ ମିଳିଲା ନାହିଁ ।

ରଙ୍ଗୀ ବାହା ହୋଇଗଲା । କଜିଆ ଦଙ୍ଗା, ଭାଇ ପଣିଆଁ ଅଟକ, ମାଇପି ସଭା, ଦୁର୍ନାମ-! ତଥାପି ରଙ୍ଗ ବାହା ହୋଇଗଲା । ପଛକୁ ଫେରି ଚାହିଁଲା ନାହିଁ । ନୂଆଘର, ନୂଆ ସଂସାର ନୂଆ ବର ।

ରଙ୍ଗୀ ସୁଖରେ ରହିବ, ଘର ସଂସାର କରିବ, ପୁଅଝିଅର ମା ହେବ, ନାତି ନାତୁଣୀଙ୍କର ଆଈ ହେବ । ପାକଲା ବାଳରେ ସକାଳର ନାଲିଆ ତପନ ପରି ସିନ୍ଦୂର ଠୋପା ଦାଉ ଦାଉ ହୋଇ ଝଟକୁଥିବ ।

•••

 

୩୮

 

ସୁର ଆସିଲେ ନାହିଁ । ଆଉ ଅପେକ୍ଷା କରିବି ନାହିଁ । ଟିମଭାଇଙ୍କ ପାଖରେ ମୋତେ ଜବାବ ଦେବାକୁ ହେବ ।

 

ଦିନେ ନୂଆଉ ପଚାରିଲେ– କିଲୋ, ଖବର କଅଣ ସୁରର ?

–ସେ ତ ଆସି ନାହାନ୍ତି ।

ତାଙ୍କର ମୁହଁ ମଉଳି ଗଲା ।

ପଚାରିଲେ, ଯଦି ନ ଆସେ ?

ହସି ହସି କହିଲି, ବଳେ ପଶିବି ନାହିଁ ତ ନୂଆଉ ।

ତେବେ ?

 

ଆଉ ଦିନାକେତେ ଅପେକ୍ଷା କରିବି, ସେ ନ ଆସିଲେ ବଳେ ଯେଉଁଠି ହେଲେ ପଶିବି, କୂଅ, ପୋଖରୀ, ମଶାଣି । ଆଶ୍ରା ନେବାକୁ ଥାନର ଅଭାବ ହେବ ନାହିଁ । ମନୁଆକୁ ବାଟକଡ଼ ଗଛମୂଳେ ବସାଇଦେଇ ଯିବି ।

 

ବଗିଚା ଘର ନାଇଁଲୋ ନିଆଁଲାଗି ? ହସିଲେ ।

ଟିମ ଭାଇଙ୍କି ତେମେ ଚିହ୍ନି ନାହଁ ତାହେଲେ ?

 

କେମିତି ଚିହ୍ନିବି ? ହାତ ଧରି ସିନା ବାହା ହୋଇଛି, ତାଙ୍କ ମନ ଯେ ପବନରେ ଉଡ଼ୁଛି-! ହେଲେ ଲୋ ନିଆଁଲାଗି ତୁଳସୀକୁ ମୁଁ ଚିହ୍ନେ । ସମସ୍ତେ ଚିହ୍ନନ୍ତି । ଖତ କୁଢ଼ରେ ଉଠିଲେ ବି ସେ ଦି’ ପତରରୁ ମହକେ । ଦୂରରୁ ଖତଗଦା ଦେଖି ଗନ୍ଧ ବୋଲି ନାକରେ ଯେଉଁମାନେ ହାତ ଦେଇ ନିନ୍ଦା ରଟାନ୍ତି, ପାଖକୁ ଗଲେ ସେମାନେ ବଳେ ବୁଝନ୍ତି ।

 

ଆଖି ଛଳଛଳ କରି ତାଙ୍କର ଗୋଡ଼ ଧରି ତଳେ ମୁଣ୍ଡ ଲଗାଇଲି । କହିଲି, ତମ ତୁଣ୍ଡରେ ତୋଫାନ ସିନା ନୂଆଉ, ତମ ମନରେ ମନ୍ଦିର । ତମଠୁ ଯେ ସ୍ନେହ ପାଇବ, ଖତ ଗଦାର କନସିରି ପତର ହୋଇଥିଲେ ସେ ସତକୁ ସତ ତୁଳସୀ ହେବ। ତମ ପାଦ ଧରି କହୁଛି, ତମ ଧାରଣାର ଟେକ ରଖିବାକୁ ଏଇ ଭିଖାରୁଣୀଟା କୂଅ ପୋଖରୀକୁ ଟଳିପଡ଼ିବାକୁ ପଣ କରିଛି ।

 

ନୂଆଉ ମୋତେ ତଳୁ ଉଠାଇଲେ । ଆଖିରୁ ଲୁହ ପୋଛିଦେଲେ । ଗାଲରେ ଟିପ ଗେଞ୍ଜି କହିଲେ, ଚୁଲିପଶା ସୁରିଆ ଯଦି ନଆସେ କି ଆସି ଯଦି ତତେ ଛି କରି ଚାଲିଯାଏ, ତତେ କୂଅ ପୋଖରୀ କି ବଗିଚା ଘରକୁ ଯିବାକୁ ପଡ଼ିବ ନାଇଁ ମ, ମୁଁ ପରା ଅଛି ! ତେଣିକି ତୋ ଚିନ୍ତା ମୋର ।

 

ମନୁଆ ହାତରେ ପୋଡ଼ପିଠା ଖଣ୍ଡେ ଦେଲେ । ତା ପାଇଁ ନୂଆ ଜାମାଟିଏ ବି ଦେଲେ ।

ମନୁଆକୁ କାଖ କରି ମୁଁ ଫେରିଲି ।

 

ଗହୀରପାଖ ନିଛାଟିଆ ଆମ୍ବଗଛ ପାଖରେ ମାଇସଞ୍ଜବେଳେ ଟିମାଇ ସଙ୍ଗେ ଦେଖାହେଲା । ପଚାରିଲେ, କେତେ ଦିନ ବସି ଭାବୁଥିବୁ ଲୋ ?

 

ଉତ୍ତର ଦେଇପାରିଲି ନାହିଁ ।

ହସି ହସି କହିଲେ, ତୁ କଅଣ ଭାବୁଛୁ ମୁଁ ଜାଣେ । ତେବେ ତେତେ ମୋର ଏତିକି କହିବାର କଥା, ମଣିଷର ମନ ଥରେ ଯାହା ଆଡ଼କୁ ଟାଣିହୋଇଯାଏ, ବାଧା ନପାଇବା ଯାଏ କିମ୍ବା ତାକୁ ନପାଇବା ଯାଏ ତା ଜୀବନରେ ଶାନ୍ତି ଆସେ ନାହିଁ। ପ୍ରାଣ ଛଟପଟ ହେଉଥାଏ । ଧୈର୍ଯ୍ୟ ଧରି ରହିବାକୁ ସେ ଚେଷ୍ଟା କରେ । ଧୈର୍ଯ୍ୟ ଭାଙ୍ଗିଲେ ସେ ପଶୁ ହୁଏ । ସେଇଥିପାଇଁ ତୁଳସୀ ତୋ ପାଖରୁ ମୁଁ ଦୂରେଇ ରହିଛି, କିନ୍ତୁ ମୋ ମନଟା ତୋ ଘର ଚାରିପାଖେ ବୁଲୁଛି ଦିନରାତି, ତୋ ଉତ୍ତର ଶୁଣିବାକୁ ।

 

କହିଲି– ଟିମାଇ, ମୁଁ ହୀନକପାଳୀ ।

ମୁହଁ ଶୁଖାଇ କହିଲେ– ମୁଁ ବି କମ୍ ନୁହେଁ ।

 

ଟିମାଇ ବାଟ ଭାଙ୍ଗି ଚାଲିଗଲେ । ମନୁଆ ମୋ ହାତଧରି ଠୁକୁ ଠୁକୁ ଚାଲିଥିଲା । ସଞ୍ଜ ହୋଇଆସୁଛି ଦେଖି ତାକୁ ତଳୁ ଉଠାଇନେଇ କାଖ କଲି । ମୁହଁରେ ବୋକ ଦେଇ ଆଗକୁ ଚାଲିଲି-

 

ରାତିରେ ଝିପିଝିପି ବର୍ଷା ହେଲା । ପିଲାଟିକୁ କୋଳରେ ପୂରାଇ ଶୋଇଲି ।

ନିଶା ଗର୍ଜୁଛି । ନିଛାଟିଆ ଘର । ଏକା ରହିବାର ଅଭ୍ୟାସ ହୋଇଥିଲେ ବି ଚାଉଁ ଚାଉଁ ଲାଗେ । ବୋଉ ମୋର ଆତଯାତ ହେଲା ପରି ମନେହୁଏ । ଡର ମାଡ଼େ । ସେଥିପାଇଁ ଡିବିରି ଜଳାଇରଖେ । ମନରେ ବାରଚାଉଳିଆ ଚିନ୍ତା ପଶିଲା– ରଙ୍ଗୀ ହେଲା ସଂସାରୀ ! କେତେ ଗୁଡ଼ିଏ ଲୋକଙ୍କୁ ମୁଁ ଜଳାଇ ପୋଡ଼ାଇ ମାରୁଛି । ନିଜେ ଘାଣ୍ଟି ହେଉଛି ଦୁଃଖରେ। କାହିଁକି ଆଉ ଡେରି ? ସୁର ତାଙ୍କର ଭାବନା ନେଇ ରହନ୍ତୁ । ମୋର ଭବିଷ୍ୟତ୍ ମତେ ହିଁ ସ୍ଥିର କରିବାକୁ ହେବ । କିଏ ମୋର ଭବିଷ୍ୟତ୍ ?

 

ଚେମା’ଇ !

ତାରି ଗୋଡ଼ତଳେ ନିଜକୁ ସମର୍ପିଦେବି । ଆଜି, ଏଇ ଅନ୍ଧାର ରାତିରେ, ଝିପି ଝିପି ବର୍ଷା ମଝିରେ ..... ।

 

ସମର୍ପି ଦେଇଛି ।

ଦୁହିଁଙ୍କ ଆଖିରୁ ଝରିପଡ଼ିଛି ଲୁହ ।

ତୁଳସୀ, ଆମର ଆନନ୍ଦ ଦେଖିବାକୁ ଜେମି ଆଈ ବଞ୍ଚିଥାନ୍ତା କି !

ଲାଜ ଲାଜ ହୋଇ କହିଲି ହଁ, ବୋଉ ବଞ୍ଚିଥାନ୍ତା କି ଆଜି ।

 

ଆଲୋ, ପିଲାଦିନର ମିଛିମିଛିକା ଖେଳ, ଏତେ ଦିନକେ ସତ ଫଳିଲା । ମଣିଷ ବୁଢ଼ା ହୁଏ ନାହିଁ ଲୋ, ମନ ପିଲା ଥିଲେ ମଣିଷ ବଞ୍ଚିଥିବାଯାଏ ପିଲା ହୋଇ ରହେ ।

 

କହିବାକୁ ବସିଥିଲି, ଖାଲି ଟିମାଇଟା....ସେମିତି ପିଲାଦିନ ପରି ଦୂରରୁ ଟେକା ପକାଇବ ।

 

ମୋ ପାଟି ଖୋଲିଲା ନାହିଁ ।

 

ମନୁଆ ଖୁଜ ବୁଜୁ ହେଲା କୋଳରେ । ଘର ଭିତରେ ଆଲୁଅ ଜଳୁଛି । କାହିଁ ଚେମା’ଇ, କାହିଁ ମୁଁ, ସ୍ୱପ୍ନ ? ନା, ନିନ୍ଦା ହୋଇନାହିଁ !

 

ମନର କାମନା ସତ ହେଲାପରି ଲାଗୁଛି । ଆଲୁଅ ଲିଭାଇଲି । ଘୋଟିଗଲା ଅନ୍ଧାର । ଆଖି ବୁଜିଲି । ଅନ୍ଧାର ଆହୁରି ଗାଢ଼ ହେଲା । ଚେମା’ଇ ନୁହେଁ, ସୁର ଆସି ଘରେ ପଶିଲା । ତାଙ୍କ ପଛେ ପଛେ ବୋଉ !

 

ଭୟରେ ଛାତି ଧଡ଼ଧଡ଼ ହେଲା । ମନୁଆକୁ ଛାତିରେ ଜାକିଲି ।

•••

 

୩୯

 

ପରଦିନ ଗାଧୁଆବେଳେ, ମନୁଆକୁ ଖୋଇ ପେଇ ଖେଳିବାକୁ ଛାଡ଼ିଦେଲି । ସେ ଖଣ୍ଡେ ବାଡ଼ି ଧରି ବିଲେଇ ପଛରେ ଗୋଡ଼ାଇଥାଏ । ମୋ ମନ କାହିଁ ଲାଗୁନଥାଏ । କିଛି କୁଆଡ଼ୁ ସ୍ଥିର ହେଲା ନାହିଁ । ସୁରଙ୍କର ଦେଖାନାହିଁ । ତାଙ୍କ କଥା ଜଣାପଡ଼ିଲା । ତଥାପି, ମନ ଚାହୁଁ ଥାଏ ତାଙ୍କରି ମୁହଁରୁ ଥରେ ନାହିଁ ପଦ ଶୁଣିବି । ତେଣିକି ମୋର ଯାହା ମନ କରିବି । ସବୁ ସିନା ସହିହେବ, ପେଟ ଭୋକ ତ ସହିହେବ ନାହିଁ । ବେଳାଏ ଖାଇ ଦୁଇ ବେଳା ଉପାସ ରହି କେତେ ଦିନ ଆଉ ଚଳିବି ।

 

ଘର ଛାଡ଼ି ଗାଁ ଭିତରକୁ ଯିବାକୁ ଗୋଡ଼ ଚଳୁନଥାଏ । କେତେ ଲୋକ କେତେ କଥା କହିବେ, ଟାହି ଟାପରା ! ପଥର କରି ଆଉ କେତେ ସହିବି ? ଡର ମାଡ଼ୁଥାଏ– ଟିମାଇ ଆସିବେ କି ପଚାରି ଦେବେ–କଅଣ କହିବି ? ଏ ଘର, ଏ ଘରେ ଯାହାକିଛି ଅଛି, ମୋ ପିନ୍ଧା ଲୁଗାଖଣ୍ଡି ମଧ୍ୟ ତାଙ୍କରି ଦାନ । ତାଙ୍କର ଦୟା ଶୁଝାଇବାକୁ ମୋର ସମ୍ବଳ ନାହିଁ ।

 

ଚେମା’ଇ ଆସନ୍ତେ କି, ଥରେ ପଚାରିଦିଅନ୍ତେ – ମନା କରନ୍ତି ନାହିଁ । ସବୁ ଦୋଷ ମାଗି ନିଅନ୍ତି । ଗୁପ୍ତରେ କହନ୍ତି, ଡେରି କରନା, ଏ ଘରେ କ୍ଷଣେ ରହିବାକୁ ମୋ ମନ ହେଉନାହିଁ ।

 

ମନୁଆ କାନ୍ଦିଉଠିଲା । ଏଣୁ ତେଣୁ କଅଣ କାମ କରୁଥିଲି ଛାଡ଼ି ଘର ଭିତରୁ ପଦାକୁ ଆସିଲି । ବାରି ଫାଟକ ଆଡ଼କୁ ଚାହିଁଲି । ସେ ପାଖରେ ବଳିଆ ଠିଆ ହୋଇଛି । କଳା ମିଚିମିଚି ମୁହଁରେ ନାଲି ଆଖି ଦିଟା ଜଳିଲା ପରି ଦିଶୁଛି । ହାତରେ ଧରିଛି ପାଞ୍ଚହାତିଆ ଠେଙ୍ଗା । ଆଶ୍ଚର୍ଯ୍ୟ ଲାଗିଲା । ଦିନେ କାଳେ ତ କେବେ ବଳିଆ ଆସେ ନାହିଁ, ଆଜି କାହିଁକି ଆସିଛି ? କାନ୍ତରାଟିବାବୁ କଅଣ ଟଙ୍କା ପାଇଁ ପଠାଇଛନ୍ତି ? ମୋ ପାଖରେ କାଣୀ କଉଡ଼ି ନାହିଁ, ମାଗିଲେ ତାକୁ କଅଣ କହିବି ? ସେ ଯେପରି ଅଖାଡ଼ୁଆ ଗୁଣ୍ଡା ପ୍ରକୃତିର ଲୋକ, ନାହିଁ କଲେ କଟାଳ କରିବ, ଅପମାନ ଦେବ ।

 

ମନୁଆକୁ କାଖ କରି ତାଟି ପାଖକୁ ଗଲି । ପଚାରିଲି– କଅଣ କିରେ, ଦିନେ ନାହିଁ କାଳେ ନାହିଁ, ଆଜି କୁଆଡ଼େ ଆସିଛୁ ?

 

କହିଲା, ବିନା କାମରେ କେହି କୁଆଡ଼େ ଆସେ ନାହିଁ । ତୋ ପାଖରେ ମୋର କାମ ଅଛି ।

 

ମୋ ପାଖରେ ତୋର କି କାମ ?

ହଁ-ହଁ ।

ଭିତରକୁ ଆସୁନୁ ।

ମୁଁ କାହା ଘର ଭିତରକୁ ଯାଏ ନାହିଁ । ଏଇଠି ଠିଆ ହୋଇ କହୁଛି ଶୁଣ ।

 

ଆରେ, ତୋରି ପରି ସମସ୍ତେ ଅଭଦ୍ର ଗୁଣ୍ଡା ନୁହନ୍ତି ଯେ ଲୋକ ନଚିହ୍ନି ହାତ ଧରି ଘରୁ ବାହାରି କରିଦେବେ । ମୋ ଘରେ ଠେଙ୍ଗା ନାହିଁ କି ଠେଙ୍ଗାଧରିବାକୁ କେହି ଲୋକ ନାହିଁ । ଆ ।

 

ଫାଟକ ଖୋଲିଦେଲି ।

ସେ ଲାଜରା ହୋଇ କହିଲା– ତୁଳସୀ, ସେଦିନ ରାଗରେ ତୋ ହାତ ଧରି କିଏ ବାହାର କରିଦେଲା ତୁ ଜାଣୁନାହିଁ । ବଳିଆର ଚାରା ନଥିଲା । ଶିଅଳଘର ପାଣିର କରାମତି ସେତକ ।

 

ହସ ମାଡ଼ିଲା । କହିଲି, ଜାଣେ ।

ଜାଣୁ, କଅଣ ଜାଣୁ ?

 

ସବୁ ଜାଣେରେ, ଆ ଭିତରକୁ । ଆଜି ବି ଶିଅଳ ଘର ପାଣି ତୋ ଆଖିକି ଚଢ଼ିଛି । ତେବେ, ଆଜି ମୋର ଡର ନାହିଁ । ଏଇଟା ତୋ ଘର ନୁହେଁ, ମୋ ଘର ।

 

ଆପତ୍ତି ନକରି ବଳିଆ ମୋ ପଛେ ପଛେ ଘର ଭିତରକୁ ଆସିଲା । ଖଣ୍ଡେ ନଡ଼ିଆ ଚାଞ୍ଚରା ପାରିଦେଲି । ସେ ଭଲ ପିଲାଟି ପରି ବସିଲା । ଠେଙ୍ଗା ଖଣ୍ଡି ପିଣ୍ଡା କାନ୍ଥକୁ ଆଉଜାଇ ଦେଇଥାଏ ।

 

ମନୁଆକୁ ବିଲେଇ ସାଙ୍ଗରେ ଖେଳିବାକୁ ଛାଡ଼ିଦେଇ ମୁଁ ଆସି ତା ଆଗରେ ଠିଆ ହେଲି-। ନିର୍ଭୟରେ ପଚାରିଲି, କଅଣ କିରେ, କାନ୍ତରାଟିବାବୁ ଟଙ୍କା ପାଇଁ ପଠାଇଛନ୍ତି ପରା ।

 

ମୋ ମୁହଁକୁ ସନ୍ଦେହରେ ଚାହିଁଲା । କହିଲା, କାନ୍ତରାଟିବାବୁ ତୋ କଥା ସତେ ଅନେକ ଥର ପଚାରିଲେଣି । ସତେ କି ତୋ ସଙ୍ଗେ ମୋର କେଉଁ କାଳର ଚିହ୍ନା ପରିଚୟ । ତୋ ପାଖରୁ ଟଙ୍କା ଅସୁଲ କରିବାକୁ, ତୋତେ ଡାକି ନେବାକୁ ମତେ ସେ ଅନେକ ଥର କହିଥିଲେ । କେତେଥର ତାଙ୍କୁ ଭୁରୁଡ଼େଇ ଦେଲି । ଦିନେ ଜିଗର କଲେ, ତୋ ପାଖକୁ ପଠାଇଲେ । ତୋ ଘର କି ଗାଁ ମୁଁ ଜାଣିନଥିଲି । ଛବିକି ପଚାରିଲି । ସେ ଜିଗର କଲାରୁ ତାକୁ କାନ୍ତରାଟି ବାବୁଙ୍କ କଥା କହିଲି । ପିଲାଟା କଅଣ ଭାବିଲା କେଜାଣି ଖୋଜା ଖୋଜି କେଉଁଠୁ ଆଣି ପନ୍ଦର ଟଙ୍କା ମୋ ଆଗରେ ଥୋଇଦେଇ କହିଲା, ନିଅ ଭାଇ, କାନ୍ତରାଟି ବାବୁଙ୍କୁ ଦେଇଦେବ । କହିବ, ତୁଳସୀ ଅପା ପଠେଇଛି । ପଚାରିଲି, ଟଙ୍କା କୋଉଠୁଁ ପାଇଲୁ ଲୋ ? କହିଲା, ବେଳେବେଳେ ତୁମେ ଯାହା ଦିଅ ରଖିଦେଇଥାଏଁ ।

 

ଆଗ୍ରହରେ ପଚାରିଲି, କାନ୍ତରାଟି ବାବୁଙ୍କୁ ତୁ ସେ ଟଙ୍କା ଦେଲୁ ?

ବଳିଆ କହିଲା, ହଁ, ସେ ନେଲେ ନାହିଁ । କହିଲେ, ତୁଳସୀ ନିଜେ ଆସି ଦେଇଯାଉ । ରାଗିକରି ତାଙ୍କ ଉପରକୁ ଟଙ୍କା କେଇଟା ପକାଇଦେଇ ଚାଲିଆସିଲି । ସେଇ ଦିନରୁ ମୋ ଉପରେ ସେ ଖପା ।

 

କହିଲି, ତୁ ଆଜି ଟଙ୍କା ନେବାକୁ ଆସିଛୁ । ମୋ ପାଖରେ କାଣିକଉଡ଼ି ବି ନାହିଁ । ଛବିକୁ କହିବୁ, ମୋ ପାଖରେ ଟଙ୍କା ହେଲେ ମୁଁ ସଙ୍ଗେ ସଙ୍ଗେ ପଠାଇଦେବି । ବଞ୍ଚିଥିଲେ ତା ପାଉଣା ବୁଡ଼ିବ ନାହିଁ ।

 

ବଳିଆ କଅଣ ଭାବିଲା କହିଲା– ମୁଁ ଟଙ୍କା ପାଇଁ ଆସିନାହିଁ । ଛବି ମତେ ତୋ ପାଖକୁ ପଠାଇଛି, ତତେ ଡାକିନେବାକୁ । ତୁଳସୀ, ଯେଉଁଦିନ ତତେ ଅପମାନ ଦେଇ ଘରୁ ତଡ଼ିଦେଲି, ସେଇଦିନୁ ଛବି ଆଖିରୁ ଲୁହ ବନ୍ଦ ହୋଇନାହିଁ । ପଚାରିଲେ କିଛି କହେ ନାହିଁ, ଖାଲି କାନ୍ଦେ । ମୋ ମନେହେଲା, ତତେ ଘରୁ ବାହାର କରିଦେଇ ଛବିକି ମୋ ପାଖରୁ କେତେ ଦୂରକୁ ଠେଲିଦେଇଛି । ଅତି ସରଳ ପିଲାଟା, ପେଟରେ କିଛି ରଖିପାରେ ନାହିଁ । ଯାହା ସେ ଭାବେ, ଯାହା କରେ, ସବୁ ମୋ ଆଗରେ କହିଦିଏ । ସେଇଦିନୁ ମୋ ପାଖକୁ ଆସିବାକୁ ସେ ଡରେ । ପଚାରିଲେ ତୁନି ହୋଇ ରହେ, କଥା କହେ ନାହିଁ । ପାଖକୁ ଡାକିଲେ ଥରି ଥରି ଆସେ ।

 

ବଳିଆର ଆଖିରେ ଲୁହ ଭରିଗଲା । ମୋତେ ଆଶ୍ଚର୍ଯ୍ୟ ଲାଗିଲା । ବଳିଆ ପରି ଗୁଣ୍ତା ଆଉ ମଦୁଆର ଟାଣ ଛାତିର କେଉଁ ଅଜଣା କୋଣରେ କୋମଳତା ଲୁଚି ରହିଛି ।

 

କହିଲା, କେତେ କଅଁଳେଇ ଦିନେ ପଚାରିଲି । ସେ କହିଲା, ତେମେ ମଦ ଖାଅ, ତମ ପାଖକୁ ଯିବାକୁ ଡର ମାଡ଼ୁଛି । ତା ଆଗରେ ହଲପ କରି ଆସିଲି, ସେଇ ଦିନରୁ ଆଜିଯାଏ ମଦ ଖାଇନାହିଁ । ଛବି ଖୁସି ହେଲା, ତା ମୁହଁରେ ହସ ଦେଖିଲି । କିନ୍ତୁ ସେ ହସଟା ଯେପରି ନକଲି ।

 

ଛବି ପାଇଁ ମନ ନଇଁଆସୁଥିଲା । ତଥାପି ଟାଣପଣ କରି କହିଲି, ଛବିର ନକଲି ହସକୁ ମୁଁ ଅସଲି କରିପାରିବି ନାହିଁ । ପରକୁ ପର । କାହା ସଙ୍ଗେ ମୋର କିଛି ସମ୍ପର୍କ ନାହିଁ ।

 

ବଳିଆ କହିଲା– ଜୀବନରେ କେବେ କାହାପାଖେ ମୁଁ ମୁଣ୍ତ ନୋଇଁନାହିଁ, ଗୋଡ଼ ଭାଙ୍ଗି ଠିଆ ହୋଇନାହିଁ । ସମସ୍ତେ ମତେ ଘୃଣା କରନ୍ତି, ମୁଁ ବି କାହାକୁ ଭଲ ପାଏ ନାହିଁ । ମୂଲ ଲାଗି ପେଟ ପୋଷିବା ମୋ କାମ । କେହି କାହାକୁ ସେମିତି ଦୟା ଦେଖାଇ ଦେଇଦିଏ ନାହିଁ । ବହୁତ ନିଏ, ଅଳପ ଦିଏ । ମୁଁ ଦିଏ ମୋ ମୁଣ୍ତ ଝାଳ, ଆଣେ କେଇଟା ପଇସା । ଏଥିକି କାହା ପାଖରେ ମୁଣ୍ତ ନୋଇଁବି କାହିଁକି ?

 

– ତୁ ଛବିକୁ ଘୃଣା କରୁ ?

– ସେଇ ବକଟକ ତ ମୋ ଜୀବନ । ତାକୁ ଘୃଣା କଲେ ବଞ୍ଚିବି କାହିଁକି ?

– ମତେ ତ ଘୃଣା କରୁ ?

 

– ନିଶ୍ଚୟ । ତୁ ମତେ ଯେତିକି ଘୃଣା କରୁ ମୁଁ ତତେ ସେତିକି ଘୃଣା କରେ । ତଥାପି, ଛବି ପାଇଁ ଆଜି ତୋ ପାଖରେ ମତେ ମୁଣ୍ତ ନୋଇଁବାକୁ ପଡ଼ିଛି । ତୋତେ ଅନୁରୋଧ କରିବାକୁ ଆସିଛି ତୁଳସୀ, ଛବିକି ପାଞ୍ଚ ଦିନ ହେଲା ଜର, ଖାଉନାହିଁ, ପିଉନାହିଁ, ବିଛଣାରେ ପଡ଼ିଛି, କଣ୍ଟା ଦୋହଲିଲାଣି । କାନ୍ଦୁଛି, ଖାଲି କାନ୍ଦୁଛି । ପେଟ ପାଇଁ, ଛବିର ଔଷଧ ପଥି ପାଇଁ କାମକୁ ନଗଲେ ନଚଳେ । କାନ୍ତରାଟି ବାବୁଙ୍କ ଆଗତୁରା ଟଙ୍କା କେଇଟି ମାଗିଲି ଛବିକୁ ବଞ୍ଚାଇବା ବୋଲି, ସେ ଦେବାକୁ ମଙ୍ଗିଲେ ।ଦିଆନିଆର ଦୁନିଆ । ସେ ଯାହା ମାଗିଲେ ମୁଁ ଦେଇ ପାରନ୍ତି ନାହିଁ, ସେଇଥିପାଇଁ ଛବିକୁ ଏକୁଟିଆ ଛାଡ଼ି ନିତି କାନ୍ତରାଟି ବାବୁଙ୍କ କାମକୁ ଯାଏଁ, ନିତି ମୂଲ ଆଣେ ।

 

– ଛବି ପାଖରେ କେହି ରହେ ନାହିଁ ?

– ନା । କାଲି ରାତିରେ ସେ ମତେ କହିଲା, ଭାଇ ତୁଳସୀ ଅପାକୁ ଖବର ପଠାଅ । ସେ ଆସିବ, ମୁଁ ତାକୁ ଦେଖିବି ।

 

ତାକୁ ବୁଝାଇଲି, ତୁଳସୀ ଆସିବ ନାହିଁ । ସେ ରାଗିଛି । ପରକୁ ପର, ତାକୁ କାହିଁକି ଡାକିବା ?

 

କହିଲା, ତେମେ ଗଲେ ମୁଁ ଜରରେ ପଡ଼ିଛି ଶୁଣିଲେ ସେ ଆସିବ । ସେଇଥିପାଇଁ ମୁଁ ଆସିଛି ।

 

କହିଲି, ଆରେ ବଳିଆ, ମୁଁ ଏକୁଟିଆ ଲୋକ । ପିଲାଟାକୁ ନେଇ ଘର ଛାଡ଼ି କୁଆଡ଼କୁ ଯାଇପାରୁନାହିଁ ।

 

ବୋଉ ମଲାଦିନୁଁ ହଇରାଣ ହେଉଛି । ଛବିକି ଜର, ତାକୁ ଦେଖିବାକୁ ମନହେଉଛି, ହେଲେ ଯାଇପାରିବି ନାହିଁ ।

 

ବଳିଆ ଉଠିଲା । ଯିବାକୁ ଉଦ୍ୟତ ହୋଇ ମୁହଁ ଫେରାଇ କହିଲା, ପିଲାକୁ ମୁଁ କାନ୍ଧରେ ବସାଇ ନେଇଯିବି, ପୁଣି ଛାଡ଼ିଦେଇ ଯିବି । ତୁ ଯିବୁ, ଗୋଡ଼େ ଗୋଡ଼େ ଫେରିଆସିବୁ । ଛବି ଅଟକାଇବ ନାହିଁ ।

 

– ମୋ ଯିବାପାଇଁ ଛବିର ଏତେ ଜିଗର କାହିଁକି ?

– ଜାଣେ ନାହିଁ । ବୋଧହୁଏ ମୋ’ପାଇଁ ସେ ତୋ ପାଖରୁ କ୍ଷମା ଚାହିଁବ । ନିର୍ବୋଧ ପିଲାଟା ।

 

– ତୁ ଆସିଛୁ, ମୋତେ କ୍ଷମା ମାଗୁନୁ ? –ହସିଲି ।

ମୁହଁ ଭୁର୍କୁଣ୍ତା କରି କହିଲା, କାହାରିକୁ ମୁଁ କେବେ କ୍ଷମା ମାଗିନାହିଁ । ମୁଁ ଯାହା କରେ ସେଥିପାଇଁ ମୋ ମନରେ କେବେ ଅନୁତାପ ଆସେ ନାହିଁ । ସେଦିନ ତୋ ପ୍ରତି ଯେଉଁ ବ୍ୟବହାର କଲି, ସେଥିପାଇଁ ମୋ ମନରେ ଦୁଃଖ ନାହିଁ । ମୁଁ ଯାହା କରିଛି ଠିକ୍‌ କରିଛି ।

 

ଘୃଣାରେ ନାକ ଟେକି କହିଲି, କାହିଁକିରେ, ମୁଁ ତୋର ଖାଏ ନା ଧାରେ ? ମୋ ପାଇଁ କାନ୍ତରାଟି ବାବୁଙ୍କୁ ତୁ ପନ୍ଦର ଟଙ୍କା ଦେଇଛୁ, ମୁଁ ତତେ କହିନଥିଲି ।

 

ସେ ଟଙ୍କା ମୋର ନୁହେଁ, ଛବିର ।

ତୋ ହାତ ଧରି ଯଦି ମୁଁ ମୋ ଘରୁ ପଦାକୁ ବାହାର କରି ଦିଏ, ଠେଙ୍ଗା କାଢ଼ି ମୋତେ ମାରିବୁ ପରା !

 

ନା, ତୁନି ହୋଇ ଚାଲିଯିବ । ତୋ ଘରେ ତୋର ଅଧିକାର । ଯିଏ ଯାହା ଦିଏ, ସେ ତାହା ପାଏ । ସେଥିକି ମୋର ଛଳ ନଥାଏ ।

 

– ସେଦିନ ତୁ ମତେ ଅପମାନ ଦେଲୁ କାହିଁକି ?

ବଳିଆ ମୋ ମୁହଁକୁ କଟମଟ କରି ଚାହିଁଲା । ଟିକିଏ ରହି କହିଲା, କାନ୍ତରାଟି ବାବୁଙ୍କ ସଙ୍ଗେ ତୋର ଲୁଚକାଳି ଖେଳ ମତେ ଭଲ ଲାଗିଲା ନାହିଁ । ଏମିତି ଅନେକ ଖେଳନ୍ତି । ସମସ୍ତଙ୍କୁ ଆଗରୁ ମୁଁ ସାବଧାନ କରିଦିଏ, ଅନେକ ଥର । ଜାଣୁ, ଟଙ୍କାର ପାହାଡ଼ ଆଗରେ ସମସ୍ତେ ମୁଣ୍ତ ନୁଆଁନ୍ତି । ଥରେ ଯିଏ ଜାଣି ଜାଣି ଧନର ଲୋଭରେ ତାଙ୍କ ପାଖରେ ମାନ ଥୋଇଦେଇ ଅସେ, ତାକୁ ମୁଁ କିଛି କହେ ନାହିଁ; ବରଂ ନିଜର ପେଟ ପାଇଁ କାନ୍ତରାଟି ବାବୁଙ୍କୁ ସାହାଯ୍ୟ କରେ । ମୋ ଧାରଣା ତୁ ପଙ୍କରେ ପଶିଛୁ । ମୋ ଘରେ, ମୋ ନିରୀହା ଭଉଣୀ ପାଖରେ ତତେ ଦେଖି ମୋର ରାଗ ହେଲା ।

 

– ଏମିତି ଭଲା ଆଉ କାହା ଉପରେ ତୋର କେବେ ରାଗ ହୋଇଥିଲା ?

– ନାଇଁ, କେହି ତ ମୋର ଭଉଣୀ ପାଖକୁ ଆସନ୍ତି ନାହିଁ ।

 

– ଆଜି ପୁଣି ମତେ ଭଉଣୀ ପାଖକୁ ଡାକୁଛୁ ଯେ, ସେ ଯଦି ଖରାପ ଲୋକ ସଙ୍ଗେ ମିଶି ଖରାପ ହୋଇଯାଏ ?

 

– ତୋ ପ୍ରତି ମୋ ଧାରଣା ବଦଳିଛି । ମୁଁ ଭାବୁଛି ଆଗରୁ ସାବଧାନ କରି ସେଦିନ ଅପମାନଦ୍ୱାରା ତୁ କାଦୁଅ ପାଖରୁ ଦୁରେଇରହିଛୁ ।

 

ବଳିଆ ଯାହା କହିଲା ମିଛ ନୁହେଁ । ସେ ମୋତେ ଅପମାନ ଦେଇନଥିଲେ ମୁଁ ହୁଏତ କାନ୍ତରାଟି ବାବୁଙ୍କ ପାଖକୁ ପୁଣି ଯାଇଥାନ୍ତି ।

 

କହିଲି, ଛବିକି ଦେଖିବାକୁ ମୁଁ ଯିବି, ରହ ।

ବଳିଆର ଓଠରେ ହସ । ପଚାରିଲା, ସତେ ତୁଳସୀ ଯିବୁ ? ଛବି ଚାହିଁ ବସିଥିବ । କେଡ଼େ ଖୁସି ହେବ ।

 

ହସ ହସ ହୋଇ ପଚାରିଲି, ଆଉ ତୁ ?

ମୁଁ ? ଛବିର ମୁହଁରେ ହସ, ମନରେ ଆନନ୍ଦ ଦେଖିଲେ ସବୁ ଦୁଃଖ କଷ୍ଟ ମୁଁ ଭୁଲିଯାଏ ।

•••

 

୪୦

 

ଉଦୁଉଦୁଆ ଦିପହର । ଧାରା ଶ୍ରାବଣର ଚାଇଁ ଚାଇଁଆ ଆଖରା । ଆକାଶରେ ମେଘ । ମେଘ ଫାଙ୍କରେ ଖରା, ପୁଣି ଛାଇ, ପୁଣି ଖରା ! ଗୁଳୁଗୁଳିଆ ଗରମ ।

ଛବି ଚାହିଁ ବସିଥିଲା । ଗୋଟିଏ ଡାକରେ କବାଟ ଖୋଲିଲା । ଦିନ କେଇଟାରେ ସେ ବଦଳିଯାଇଛି । ଚମ୍ପାଫୁଲ ପରି ରଙ୍ଗ ମଳିନ ହୋଇଛି, ମୁହଁ ଶେଥା ଦିଶୁଛି, ଦୁର୍ବଳ !

ମୋ ମୁହଁକୁ ଚାହିଁ ତାର ବଡ଼ ବଡ଼ ଆଖିରେ ଲୁହ ଭରିଗଲା । ଦଉଡ଼ି ଆସି ମୋତେ କୁଣ୍ଢାଇ ଧରି ଛାତିରେ ମୁହଁ ଲୁଚାଇଲା । ଦୁଇ ହାତରେ ତାକୁ ଟେକି ଧରି କାନ୍ଧ ଉପରେ ତା ମୁଣ୍ତ ରଖିଲି । ଅଜାଣତରେ ଆଖିରୁ ଝରିପଡ଼ିଲା ଲୁହ । ତାକୁ ଘରଭିତରକୁ ଟେକିଆଣି ତଳେ ଠିଆ କରିଦେଲି । ଓଠରେ ହାତ ଦେଇ କଅଁଳେଇ କହିଲି, କି ସରି ହେଲୁଣି ଲୋ ଛବି ?

ମଉଳା ମୁହଁରେ ହସ ମୁକୁଳାଇ କହିଲା– ଆଉ, ତେମେ ଭାରି ଭଲ ଅଛ ?

ବଳିଆ ମନୁଆକୁ କାଖରୁ ଓହ୍ଲେଇଦେଲା । ଛବି ତାକୁ କୋଳକରି ଗାଲରେ ବୋକ ଦେଇ କହିଲା– କିରେ, ମତେ ଚିହ୍ନିପାରୁଛୁ ?

ଅଚିହ୍ନା ଲୋକର କୋଳରେ ଥାଇ ମନୁଆ ମୋ ଆଡ଼କୁ କଣ ପଚାରିଲା ପରି ଚାହିଁଲା ।

ସମସ୍ତେ ଆର ଘରକୁ ଗଲୁଁ ।

ଖଣ୍ତେ ସପ ପାରିଦେଲା । ବସିଲି । ମନୁଆକୁ କୋଳରେ ଧରି ଛବି ପାଖରେ ବସିଲା ।

ବଳିଆ ପାଖକୁ ଆସି କହିଲା– ଆଲୋ ଛବି, ଡେରି ହେଲାଣି, କାନ୍ତରାଟିବାବୁ ମତେ ଖୋଜୁଥିବେ । ମୁଁ ଯାଉଛି ।

ଛବି ଉଠିଲା । କହିଲା– ଭାଇ, ତେମେ ଖାଇବ ନାହିଁ । ରାନ୍ଧି ରଖିଛି ।

ବିରକ୍ତ ହୋଇ ବଳିଆ କହିଲା– କଥା ମାନୁନୁ, ଯେତେ ମନା କଲେ ନିଆଁ ପାଖରେ ବସି ରାନ୍ଧୁଛୁ । ଏଥର ଯଦି କଥା ନମାନୁ.....

ଆଉ ତେମେ କଅଣ ଉପାସ ରହନ୍ତ ? ଆ ମନୁଆ ।

ମନୁଆକୁ କାଖ କରି ଛବି ରୋଷଘରକୁ ଗଲା । ବଳିଆ ଗଲା ତା ପଛରେ ।

ଧନ୍ୟ ଏ ଭାଇ ଭଉଣୀ ଦିଓଟି ! ପରସ୍ପରର ସ୍ନେହ ପାଇଁ ଦିହେଁ ହୋଇଛନ୍ତି ପାଗଳ । ଦୁଃଖର ସଂସାରରେ ଶାନ୍ତି ରାଜତ୍ୱ କରୁଛି । ଭାଇ ପାଇଁ ଭଉଣୀ ନିଜକୁ ଭୁଲିଯାଉଛି । ଆଉ ଭାଇ....ତାର ଭାବନା କେବଳ ଛବି – ଛବି ତାର ଆଖି, ତାର ଆନନ୍ଦ !

ବଳିଆ ବାହାରିଲା କାନ୍ତରାଟି ବାବୁଙ୍କ ଘରକୁ ।

– ଭାଇ, ଜଲ୍‌ଦି ଆସିବ ।

ମୁଁ କହିଲି– ହଁରେ ବଳିଆ, ତୁ ସହଳ ଆସିଲେ ମତେ ଛାଡ଼ିବାକୁ ମୋ ସାଙ୍ଗରେ ଯିବୁ । ପିଲାଟାକୁ ନେଇ ଏକୁଟିଆ ମୁଁ ଯାଇପାରିବି ନାହିଁ ।

ଛବି କହିଲା– ଡେରି କରି ଆସିବ ଭାଇ । ଏତେ ଦିନକେ ତୁଳସୀ ଅପା ଆସିଛନ୍ତି, ତେମେ ସହଳ ଆସିଲେ ସେ ଚାଲିଯିବାକୁ ଉଚ୍ଛନ୍ନ ହେବେ ।

ବଳିଆ କହିଲା– ମୁଁ ଏବେ କେଉଁ କଥାଟା କରିବି ? ମୋର ଏଇ ଠେଙ୍ଗାଟା ମତେ ଯାହା କହିବ ସେଇଆ ହେବ । ଛବିକୁ ତୋ ଜିମା ଛାଡ଼ି ଗଲି, ମୋ ଫେରିବା ଯାଏ ଅପେକ୍ଷ କରିବୁ-

ସେ ଚାଲିଗଲା ।

ଛବିର ପାଟି ବନ୍ଦ ହେଲା ନାହିଁ । ଯେତେ ମନା କଲେ ସେ ତୁନି ହେଲା ନାହିଁ । ଦେହରେ ଜର, ତେଣିକି ନଜର ନଦେଇ ଖାଲି ଗପିବାରେ ଲାଗିଥାଏ, ତା ଭାଇର କଥା ।

ସଞ୍ଜ ହେଲା । ବଳିଆ ଫେରିଲା ନାହିଁ । ଫେରିଯିବାକୁ ମନ ଛକପକ ହେଲାଣି । ଘରେ କେହି ନାହିଁ । କାଳେ ସୁର ଆସିଯିବେ, ଅପେକ୍ଷା କରି ଫେରିଯିବେ, ମୋ ଖବର ପାଇବେ ନାହିଁ !

ପଚାରିଲି, ସତେ ବଳିଆ ଡେରି କରିବ ଲୋ ଛବି ? ସଞ୍ଜ ହେଲା ।

ମନୁଆକୁ କୋଳରେ ପୂରାଇ, ଧୁଅବାଇଆ କରୁଥାଏ । କହିଲା– ତୋ ଘରେ ତ କେହି ନାହିଁ, ଦକ କାହିଁକି ? ଆଜି ରାତିକ ମୋ ପାଖରେ ରହ ।

 

ପିଲା ଲୋକ । ଜାଣେ ନାହିଁ, ଘର ଛାଡ଼ି ପର ଘରେ ରାତିଟିଏ କଟାଇଲେ, ଦୁନିଆ ଲୋକେ କଅଣ କହିବେ ? ଭଲମନ୍ଦ କେହି ଦେଖନ୍ତି ନାହିଁ କି ସତ ମିଛ କେହି ବୁଝିବାକୁ ଚେଷ୍ଟା କରିବେ ନାହିଁ । ପୁଣି ଦୁର୍ନାମ ଖେଳିବୁଲିବ ତୁଣ୍ତରୁ ତୁଣ୍ତ ।

ନାଇଁଲୋ, ବଳିଆ ଯେତେ ରାତିରେ ଆସିବ ମୁଁ ଚାଲିଯିବି ।

ଗଲାବେଳେ ତ ଯିବୁ, ଆଗରୁ ବ୍ୟସ୍ତ କାହିଁକି ? ତୁ ମନୁଆ ପାଖରେ ଥା । ମୁଁ ଭାତ ଗଣ୍ତାଏ ବସାଇଦିଏ ।

– ନାଇଁ, ତୋ ଦେହରୁ ତାତି ଖସିନାହିଁ । ତୁ ମନୁଆ ପାଖରେ ଥା, ମୁଁ ସେତକ ତୋ ପାଇଁ କରିଦେବି ।

ଆପତ୍ତି କଲା, ଶୁଣିଲି ନାହିଁ । ଡିବିରି ଧରି ରୋଷଘରକୁ ଗଲି ।

ରୋଷେଇ ସରିଲା ।

ଝିପ୍‌ଝିପ୍‌ ବର୍ଷା ଆରମ୍ଭ ହେଲା । ରୋଷଘରୁ ଆସି ଦେଖିଲି ମନୁଆକୁ ଶୋଉ ଶୋଉ ଛବି ମଧ୍ୟ ଶୋଇପଡ଼ିଛି । ନଲଟଣଟି ସାମାନ୍ୟ ତେଜିଦେଲି । ଛବିକୁ ଉଠାଇବାକୁ ମନ ହେଲା ନାହିଁ । ବିଚଣା ଧରି ବିଞ୍ଚିଲି । କେତେବେଳେ ବଳିଆ ଆସିବ ଭାବୁଥାଏ ।

ତା ଶୋଇଲା ମୁହଁକୁ ଚାହିଁ ରହିଲି ! କେଡ଼େ ସୁନ୍ଦର ! ଆଉ, ସେଇ ସୁନ୍ଦର ମୁହଁ ତଳେ ଯେଉଁ ମନଟି ଲୁଚି ରହିଛି, ସେ ଆହୁରି ସରଳ, ଆହୁରି ସୁନ୍ଦର ! କପାଳରେ ହାତ ମାରିଲି । ତାତି ନାହିଁ ।

ବର୍ଷାର ବେଗ ବଢ଼ିଲା । ସଙ୍ଗେ ସଙ୍ଗେ ପବନ ବହିଲା । ମନୁଆ ଘୁଞ୍ଚିଗଲା ଛବି କୋଳକୁ । କବାଟ ଆଉଯାଇଲି । ନଲଟଣ କମାଇ ମନୁଆ ପାଖରେ ଶୋଇଲି । କେତେବେଳେ ନିଦ ହୋଇଗଲା ।

ନିଦ ଭାଙ୍ଗିଲା ଛବିର ଚିତ୍କାରରେ – ଭାଇ, ଭା....ଇ....

କେଡ଼େ ବିକଳ, କେଡ଼େ କରୁଣ ସେ ଚିତ୍କାର !

ଉଠିବସି ନଲଟଣ ତେଜିଲି । ଛବିକୁ ହଲାଇ ଦେଲି – ଛବି, ଛବି !

ଉଁ ।

ଉଠି ବସିଲା । ଦେହଟା ବରଡ଼ାପତ୍ର ପରି ଥରୁଥାଏ ।

ତୁଳସୀ ଅପା, ମୋ ଭାଇ କାହିଁ ?

ଅସ୍ଥିର ଆଖିରେ ଚାରିଆଡ଼କୁ ଚାହିଁଲା ।

ଆସିନାହିଁ ଲୋ ।

ଧଡ଼ପଡ଼ ହୋଇ ଉଠି ଠିଆ ହେଲା । କବାଟ ଖୋଲି ଅଗଣା ପିଣ୍ତାକୁ ଗଲା । କେତେ ରାତି କେଜାଣି । ଘୋର ଅନ୍ଧାର । କେଡ଼େ ବେଗରେ ପବନଟା ବୋହୁଛି । ବର୍ଷା ଚାଲିଛି ଅବିରାମ–ବିଜୁଳି, ଘଡ଼ିଘଡ଼ି ।

– ଭାଇ ଆସିଲା ନାହିଁ ?

– ଦେଖୁନୁ ବର୍ଷା ! ଆ ଭିତରକୁ ।

କବାଟ ବନ୍ଦ କଲି ।

କହିଲା, ଯେତେ ଯାହା ହେଲେ ମୋତେ ଏକୁଟିଆ ଛାଡ଼ି ଭାଇ କେବେ କେଉଁଠି ରହେ ନାହିଁ । ରାତି ଅଧ ହେଲେ ବି ଆସେ ।

ମୁଁ କହିଲି, ତୁ ତ ଏକୁଟିଆ ନାହୁଁ ।

ମନୁଆକୁ ତାର ପିନ୍ଧିଲା ଲୁଗାର କାନି ଘୋଡ଼ାଇ କହିଲା– ଭାଇ ନାମରେ ଗୋଟାଏ ଖରାପ ସ୍ୱପ୍ନ ଦେଖିଲି, ତୁଳସୀ ଅପା ।

– କଣ ?

– କହିବାକୁ ଜିଭ ଓଲଟୁନାହିଁ ।

– ଏଇଥିପାଇଁ ଏତେ କାନ୍ଦ ?

ତା ଆଖିରୁ ଲୁହ ପୋଛିଦେଲି । ବୁଝାଇ କହିଲି– ଆଲୋ ବାଇଆଣି, ସପନ କଥା କେବେ ସତ ହୁଏ ? ଯଦି କେବେ ସତ ହୁଏ, ଘରକୁ ଦେଖିଲେ ଥରକୁ ହୁଏ ।

ରାତି ପାହିଲା । ବର୍ଷା ଆଗପରି ହେଉଥାଏ ।

ଛବିକୁ ଆଜି ଜର ନାହିଁ । କେଡ଼େ ଫୂର୍ତ୍ତି, କେଡ଼େ ଆନନ୍ଦ । କଣ୍ଢେଇଟି ପରି ମନୁଆକୁ ସଜାଉଛି । ତା ସଙ୍ଗେ ଖେଳୁଛି ।

ଦାଣ୍ତ କବାଟ ଖୋଲି ବଳିଆର ଅନିଶାରେ ଠିଆ ହୋଇଥାଏଁ । ଯେତେ ବର୍ଷା ହେଉ ପଛେ, ଆଜି ନିଶ୍ଚୟ ମୁଁ ଫେରିଯିବି । ଛବି ମନୁଆକୁ କାଖ କରି ମୋ ପାଖକୁ ଆସିଲା । କହିଲା, ଆ ତୁଳସୀ ଅପା ।

– ନାଇଁଲୋ, ଯିବାକୁ ଉଛୁର ହେଉଛି ।

– ମତେ ଏକୁଟିଆ ଛାଡ଼ି ଚାଲିଯିବୁ ?

– ନାଇଁ, ସେଇଥିପାଇଁ ପରା ତୋ ଭାଇକି ଚାହିଁ ଠିଆ ହୋଇଛି । ତତେ ତା ଜିମା କରିଦେଇ ଯିବି ।

– ଭାଇ ଆସୁଥିବ, ତୁ ଭିତରକୁ ଆ । ମୋ ହାତ ଧରି ଟାଣିଲା ! ତାରି ପାଖରେ ବସିଲା ।

ଲାଜ ଲାଜ ହୋଇ ପଚାରିଲା, ତତେ ଗୋଟାଏ କଥା କହିବାକୁ ମନ ହେଉଛି, କାଳେ ତୁ ରାଗିବୁ ।

– ରାଗିବି ନାହିଁ, କହ ।

– ତୁ ମୋ ନୂଆଉ ହେବୁ ? କେଡ଼େ ଭଲ ହେବ । ମନୁଆ ସଙ୍ଗେ ମୁଁ ଦିନ ରାତି ବସି ଖେଳୁଥିବି । ତୁ ମୋ ପାଖରେ ଥିବୁ । ମୁଁ ତୋ ସେବା କରିବି ।

ହସ ମାଡ଼ିଲା । କହିଲି, ଯଦି ତା ହୁଏ ଛବି, ତୁ ବେଶି ଦିନ ମୋ ପାଖରେ ରହିପାରିବୁ ନାହିଁ । ପର ଘରକୁ ଯିବୁ ତ.....

ମୁଁ ତୋ ପାଖରୁ କୁଆଡ଼େ ଯିବି ନାହିଁ । ତୁ ଜୋର୍‌କରି ତଡ଼ିଦେବୁ ? ତୁଳସୀ ଅପାଲୋ, କହ, ତୁ ଆଉ ଘର ଛାଡ଼ି ମନୁଆକୁ ମୋ କୋଳରୁ କାଢ଼ିନେଇ ଚାଲିଯିବୁ ନାହିଁ, ତୋ ଗୋଡ଼ ଧରୁଛି-

କହି ପାରିଲି ନାହିଁ । ନିର୍ବୋଧ ଝିଅ, ଦୁନିଆର ଭଲମନ୍ଦ କଥା କିଛି ଜାଣେ ନାହିଁ ।

କହିଲା, ତୁ ଭାବିଛୁ ମୋ ଭାଇ ତତେ ଭଲ ପାଏ ନାହିଁ ? ମୁଁ ମୋ ଭାଇର ମନକଥା ଜାଣେ । ତତେ ସେ ଝୁରିହୁଏ । ଯେଉଁ ଦିନ ତତେ ସେ ଘରୁ ବାହାର କରିଦେଲା, ସେଇଦିନୁ ମୁଁ ତା କଥା ବୁଝିଛି । ତୁଳସୀ ଅପା, ମନୁଆକୁ କାଖରେ ଧରି ଭାଇ ତତେ ଏ ଘରେ ଛାଡ଼ିଛି । ଯେତେ କହିଥିଲେ କି ତାର ପାହାଡ଼ ମନ ତୋ ପାଖରେ ନଇଁ ଥାନ୍ତା !

ଆଶ୍ଚର୍ଯ୍ୟ ହୋଇ ଚାହିଁଲି ତାକୁ ।

ତୁ ମୋ ଭାଇକୁ ଘୃଣା କରୁ ?

ଅପ୍ରିୟ ହେଲେ ମଧ୍ୟ ସତ କଥାଟା ତୁଣ୍ତରୁ ବାହାରିଗଲା, ତୋ ଭାଇ ତ ତୋ ପରି ନୁହେଁ-!

ତା ଆଖିରେ ଲୁହ ଭରିଗଲା । ଗଦ୍‌ଗଦ୍‌ କଣ୍ଠରେ କହିଲା– ତୁ ତାକୁ ଚିହ୍ନିପାରିନୁ । ବାହାରଟା ତାର ଯେତିକି ଟାଣ, ଭିତରଟା ସେତିକି କୋମଳ । ତୁଳସୀ ଅପା, ତୁ ନାହିଁ କର୍‌ନା ।

– କିନ୍ତୁ.....

ମୋ ହାତ ଧରି କହିଲା, ସୁର କଥା ଭାବୁଛୁ ? ଦୁନିଆରେ ଚହଳ ପଡ଼ିଚି ସେ ଖୁଣୀ, ଭାଇକୁ ମାରିଛି ! ମୋ ଭାଇ ତ ଖୁଣୀ ନୁହେଁ ?

ଛବିର ଆଖି ଉଜ୍ଜ୍ୱଳ ଦିଶିଲା ।

ମଣିଷର ବଡ଼େଇ ରହେ ନାହିଁ ।

ବର୍ଷା କମିଯାଇଥିଲା ।

ଗୋଳମାଳ ଶୁଭିଲା ଘର ଆଗରେ । କିଏ ଜଣେ ଚିତ୍‌କାର କରି ଉଠିଲା, ଏଇ ତା ଘର-

ଛବି ଅଧୀର ହୋଇଉଠିଲା । ପଚାରିଲା କଅଣ ଲୋ ତୁଳସୀ ଅପା ?

ବାହାରୁ ପାଟି ଶୁଭିଲା ।

ଦାଣ୍ତଘର କବାଟରେ ବାଡ଼ିର ଢିଅ, ପାଟି, ଗୋଳମାଳ ।

କବାଟ ଖୋଲ, କବାଟ ଖୋଲ.... ।

ଛବି ବିଚଳିତ ହୋଇପଡ଼ିଲା । ମୁଁ ବି ମନୁଆକୁ କୋଳକୁ ନେଲି ।

କଅଣ ତୁଳସୀ ଅପା ? ମୋତେ ସେ କୁଣ୍ଢାଇ ଧରିଲା ।

ଧୈର୍ଯ୍ୟ ଧରି କହିଲି, ଭୟ ନାହିଁ । ବାରିବାଟେ ପଦାକୁ ଆ ।

ଧୀରେ ଧୀରେ ବାରି କବାଟ ଖୋଲି ଆମେ ପଦାକୁ ଚାଲିଆସିଲୁଁ । ଅନେକ ଲୋକ ରୁଣ୍ତ ହୋଇଗଲେ । ଗ୍ରାମବାସୀଙ୍କୁ ଦେଖି ଆମ ମନରେ ସାହସ ହେଲା । ଯେଉଁମାନେ ଠେଙ୍ଗାବାଡ଼ି ଧରି ଆସିଥିଲେ ସେମାନେ ଘରେ ପଶିଲେ ।

ମୁଁ ଭାବିନଥିଲି ଯେ ବଳିଆ ଏପରି ଗୋଟାଏ କାଣ୍ତ କରିବସିବ । କାରଣ କଅଣ କେହି ଜାଣନ୍ତି ନାହିଁ । ଯିଏ ବା କହିପାରନ୍ତେ, ସେହି କାନ୍ତରାଟିବାବୁ ନହୁନହାଣ ହୋଇ ହତଜ୍ଞାନ ହୋଇପଡ଼ିଥିଲେ । ଲୋକେ ତାଙ୍କୁ କଟକ ଡାକ୍ତରଖାନାକୁ ନେଇଗଲେ ।

ବଳିଆର ଦେଖା ନାହିଁ । ସେ ଫେରାର୍‌ ହୋଇଛି । ଥାନାରେ ଖବର ଦେବାକୁ ଲୋକେ ଧାଇଁଯାଇଛନ୍ତି । ଚଉକିଆ, ଦଫାଦାର ଓ କାନ୍ତରାଟି ବାବୁଙ୍କର କେତେଜଣ ଲୋକ ବଳିଆକୁ ଖୋଜିବାକୁ ତା ଘରକୁ ଆସିଥିଲେ । କାନ୍ତରାଟି ବାବୁଙ୍କ ଗୁମାସ୍ତାଙ୍କର ହୁକୁମ୍‌ରେ ଘରେ ତାଲା ପଡ଼ିଲା । ଘରଟା କୁଆଡ଼େ ତାଙ୍କର, ବଳିଆକୁ ରହିବାକୁ ଛାଡ଼ି ଦେଇଥିଲେ । ଛବିର ସାମାନ୍ୟ କେଇଖଣ୍ତି ଲୁଗା ପଟା ଛଡ଼ା ଘରୁ କୌଣସି ଜିନିଷ ନେବାକୁ ଅନୁମତି ଦେଲେ ନାହିଁ ।

ଚଉକିଆ, ଦଫାଦାର ଓ କାନ୍ତରାଟି ବାବୁଙ୍କର ଲୋକମାନେ ଫେରିଗଲେ । ଗାଁ ଲୋକେ ଜମା ହୋଇ ବାର କଥା କହୁଥାନ୍ତି – ବଳିଆର ଗୁଣ ଅବିଗୁଣ । ସେ ସବୁ କଥା ଶୁଣିବାକୁ କାହାର ବା ବେଳ ଅଛି ? ଛବି ସତେ କି କାଠ ପାଲଟିଯାଇଛି । ଆଖିରେ ଲୁହ ନାହିଁ କି ତୁଣ୍ତରେ କଥା ନାହିଁ ।

ବର୍ଷା ଛାଡ଼ିଯାଇଥାଏ ।

ଛବିର ହାତ ଧରି କହିଲି, ଚାଲ ଛବି ଯିବା ।

ଗାଁ ଲୋକେ ପଛରୁ ଚାହିଁରହିଥାନ୍ତି । କାଠପିତୁଳା ପରି ସେ ମୋ ପଛେ ପଛେ ଚାଲିଲା-

ସାତଯୁଗ ପରି ସାତୋଟି ଦିନ କଟିଲା । ଭାବିଥିଲି, ଭାଇର ଦୁଃଖରେ ବୋଧହୁଏ ଛବିକୁ ହରାଇବାକୁ ହେବ । ଜର, ସନିପାତ, ବେଳେ ବେଳେ ମୋହ ହୋଇଯାଏ । ଟିକିଏ ଚେତା ହେଲେ ଭାଇ ଭାଇ ବୋଲି ଡକା ଛାଡ଼େ । କାନ୍ଦି ଉଠେ ।

ଭାଗ୍ୟକୁ ସୁର ଆସି ପହଞ୍ଚିଲେ । ମନୁଆର ଦାୟିତ୍ୱ ତାଙ୍କ ଉପରେ ଲଦି ଛବିର ସେବାରେ ମନପ୍ରାଣ ଢାଳିଦେଲି । ଟିମାଇ କି ଅନ୍ୟ କାହାର ସାହାଯ୍ୟ ଖୋଜିବା ଦରକାର ପଡ଼ିନାହିଁ ।

ଟିମାଇ ଆସିଥିଲେ । ସୁରଙ୍କୁ ଦେଖି ତାଙ୍କର ସାଙ୍ଗେ କଥାଭାଷା ହୋଇ ଫେରିଲେ ।

ଚେମା’ଇ ଥରେ ଆସିଥିଲେ, ଦେଖା ହେଲା ନାହିଁ ଫେରିଗଲେ ।

ସୁର–ତାଙ୍କ ତୁଣ୍ତରୁ କୌଣସି କଥା ନଶୁଣିଲେ ମଧ୍ୟ ମୋ ମନ ମୋତେ କହିଦେଉଥାଏ ଯେ ସେ ମୋତେ ଘରଣୀ କରି ଘରକୁ ନେବାକୁ ପ୍ରସ୍ତୁତ ହୋଇ ଆସିଛନ୍ତି । ସେତିକି ମୋର ଗର୍ବ, ସେତିକି ମୋର ଆନନ୍ଦ । କାହିଁକି କାହା ପାଖରେ ମଥା ନୋଇଁବି ?

ଛବିର ଦେହ ଭଲ ହୋଇଗଲା, କିନ୍ତୁ ତା ମନରେ ସରାଗ ନାହିଁ । ବଳିଆର କଥା ପଡ଼ିଲେ ସେ କାନ୍ଦିପକାଏ । ଚଉକିଆ କହୁଥିଲା, ବଳିଆ ନିଜେ ଥାନାରେ ଧରା ଦେଇ ସବୁ କଥା ଖୋଲି କହିଲା । ଦଣ୍ତ ପାଇଲା ତିନିବର୍ଷ ଜେଲ । ହାକିମଙ୍କ ଆଗରେ ଦୋଷ ସ୍ୱୀକାର କରି ସେ କହିଲା– ଅନେକ ପାପ ତ କରିଗଲା କାନ୍ତରାଟି, ଯେଉଁ ଭଉଣୀକୁ ବଞ୍ଚାଇବ ବୋଲି ବଳିଆ ଆଗତୁରା ଦରମା ମାଗିଲା, ସେଇ ରୋଗଣୀ ପିଲାଟାକୁ କାନ୍ତରାଟି ଚାହିଁଲା, କେଡ଼େ ସାହସରେ, ପୁଣି ଭାଇ ଆଗରେ । ଚାହିଁଥିଲା ପୁଣି ମତେ – ଗୋଟାଏ ଅନାଥା ବିଧବା ।

ବଳିଆ ତାକୁ କଡ଼ା ଜବାବ ଦେଇଥିଲା । କାନ୍ତରାଟି ବାବୁଙ୍କ ଲୋକେ ତାକୁ ଧରି ଗୋଟାଏ ଘରେ ବନ୍ଦ କରି ରଖିବାକୁ ଚେଷ୍ଟା କଲେ । କାନ୍ତରାଟି ନିଜେ ସାହାଯ୍ୟ କଲେ । ସେମାନଙ୍କର ଉଦ୍ଦେଶ୍ୟ ଥିଲା ଛବିକୁ ବଳାତ୍‌କାର କରି ନେଇଯିବେ । ଭୀମ ବିକ୍ରମରେ ବଳିଆ ନିଜକୁ ମୁକ୍ତ କଲା । ପ୍ରତିଶୋଧ ନେଲା କାନ୍ତରାଟି ଉପରେ । ଅନ୍ୟମାନେ ଛାଡ଼ି ପଳାଇଲେ ।

ବଳିଆର ମାଡ଼ ଦେବା କାରଣ ହାକିମ ବିଶ୍ୱାସ କଲେ ନାହିଁ । ମାଡ଼ ମାରିବା ସଙ୍ଗେ ଟଙ୍କା ଚୋରି କରି ଧରା ପଡ଼ିବା କଥା ପ୍ରମାଣ ହେଲା ।

ଛବି କହିଲା– ଜେଲ୍‌ରୁ ଫେରି ଭାଇ ମୁଣ୍ତ ଟେକି ବାଟ ଚାଲିପାରିବ ନାହିଁ । ଲୋକେ ତାକୁ କହିବେ ଚୋର, ଖୁଣୀ । ଲୋକେ ତାକୁ ଘୃଣା କରିବେ ।

ତୁଳସୀ କହିଲା– ଛବି ଲୋ, ଯିଏ କାନ୍ତରାଟି ବାବୁଙ୍କୁ ଚିହ୍ନେ, ତାଙ୍କ ପାଇଁ ଯାହାର ସର୍ବନାଶ ହୋଇଛି, ସିଏ ବଳିଆକୁ ପ୍ରଶଂସା କରିବ । ଆଦର କରି ତା ବେକରେ ଫୁଲମାଳ ଦେବ-। ସଂସାରର ଲୋକଙ୍କୁ ଡରି ଯାହାର ତୁଣ୍ତ ନଖୋଲିବ, ତା ମନ କହିବ, ବଳିଆ ଠିକ୍‌ କରିଛି-। ତିନୋଟି ବର୍ଷ ତ ଛପିଯିବ ତିନୋଟି ମୁହୂର୍ତ୍ତ ପରି । ଲୋକଙ୍କର ନିନ୍ଦା କି ପ୍ରଶଂସାର ମୂଲ୍ୟ କିଛି ନାହିଁ । ଲୋକେ କହିବେ ଖୁଣୀ, ବଳିଆ କାନ୍ତରାଟି ବାବୁର ଗୋଡ଼ ଭାଙ୍ଗିଛି, ଆଖି ଫୁଟାଇଛି । ଲୋକେ ତ ଜାଣନ୍ତି ନାହିଁ କାନ୍ତରାଟି କେଡ଼େ ବଡ଼ ଖୁଣୀ ପାଖରେ ଟଙ୍କା ଗଦା କରିଛି । ଟଙ୍କା ନୁହେଁ ଲୋ, ଗରିବ ମୂଲିଆର ଲୁହ, ଲହୁ । ସେଇ ଟଙ୍କାର ଛଟକ ଦେଖାଇ କେତେ ଅରକ୍ଷ ଭୋକିଲା ଅନାଥଙ୍କର ମନ ଭାଙ୍ଗିଛି, କେତେ ନିରୀହ ସରଳା ଝିଏ ଅଭାବର ଦୁର୍ଯୋଗରେ ପଡ଼ି ତାରି ନିକଟରେ ନିଜକୁ ବଳି ଦେଇଛନ୍ତି । ଯେଉଁ ରକ୍ତ ସେ ପିଇଛି, ସେ ରକ୍ତ ଆଖିକି ଦିଶେ ନାହିଁ, ମନକୁ ଦିଶେ । ମଣିଷର ଦେହ ବୁଝେ ନାହିଁ, ମନ ବୁଝେ । ବଳିଆ ଠିକ୍‌ କରିଛି ।

ଛବିର ଆଖି ଉଜ୍ଜ୍ୱଳ ଦିଶିଲା । ଏତେ ଦିନ ପରେ ଶୁଖିଲା ଓଠରେ ବିକଶିଲା ହସ । କହିଲା– ହଁ ଲୋ, ଭାଇ ଠିକ୍‌ କରିଛି । କିନ୍ତୁ ତୋ ମୁଣ୍ତରେ ମୋ ଦାୟିତ୍ୱ ଥୋଇଦେଇ ଗଲା, ତିନୋଟି ବର୍ଷ । ତୋର ସେବା କରି ମନୁଆ ସଙ୍ଗେ ଖେଳି ତିନୋଟି ବର୍ଷ ମୋର କଟିଯିବ ତିନି ଘଡ଼ି ଅନ୍ଧାର ରାତି ପରି । ମୋ ଭାଇ ଫେରିବ । ପୁଣି ଜହ୍ନ ଉଇଁବ ।

ତାର ମୁଣ୍ତ ଆଉଁସି କହିଲି, ମୋଟେ ତିନୋଟି ବର୍ଷ ! ତା ପରେ ?

ତା ପରେ ? କେଡ଼େ ଆଗ୍ରହରେ ଚାହିଁରହିଲା ମୋ ମୁହଁକୁ ।

ପଚାରିଲି, ଚିରଦିନ ତୁ ମୋ ସେବା କରିପାରିବୁ ଛବି, ମନୁଆ ସଙ୍ଗେ ଖେଳିବୁ, ମୋର ଅବାଧ୍ୟ ହେବୁ ନାହିଁ ତ ?

କଅଣ ସେ ଭାବିଲା, କଅଣ ବୁଝିଲା କେଜାଣି, ମୋ ବେକକୁ କୁଣ୍ଢାଇ ଧରି କହିଲା– ପାରିବି, ତୋର ଅବାଧ୍ୟ ହେବି ନାହିଁ ।

ତା ପିଠିରେ ହାତ ବୁଲାଇଲି ।

ଗାଁ ମାଇପେ କିଏ କେମିତି ଆସିଲେ । ଛବିକୁ ଦେଖିଲେ । ନୂଆ କଥା । ତୁଳସୀ ଘରେ କୁଣିଆ, ଖୁଣୀର ଭଉଣୀ ! ଛବିକୁ ଦେଖି ଯେଉଁମାନଙ୍କର ଆଖି ଅସହ ହେଲା, ପଦେ ଅଧେ କହିଗଲେ, ଆଇଁଲାଣି ଲୋ ଆଉ ଜଣେ ସାଙ୍ଗକୁ, ଏଥର ତାର ଭଲ ଚଳିବ । ଢିଙ୍କିମୁଣ୍ତାରେ ଗୋଡ଼ ଦେବ କାହିଁକି ? ଗାଁ ଟୋକାଙ୍କୁ ଆଉ ନିଦ ହେବ ନାହିଁ ଲୋ ଏଥର ।

ନୀଳବାବୁଙ୍କ ସ୍ତ୍ରୀ ପଚାରିଲେ ସାଙ୍ଗ ଲୋକଙ୍କୁ – ମତେ ଶୁଣେଇ ଶୁଣେଇ – ପରର ବୋଝ କିଏ ମୁଣ୍ତକୁ ନିଏ ? କଅଣ ସମ୍ପର୍କ ଥିବ ମ । ଉତ୍ତର ପାଇଲେ– ସମ୍ପର୍କ ନଥିଲେ ଦିନ ଦିପହରେ ପର ଲୋକଟା ସଙ୍ଗରେ ଯାଇ ରାତିରେ ତା ଘରେ ରହନ୍ତା ? ତୁଳସୀ ସେମିତି କେତେ ଘରେ ରାତିକୁଣିଆଁ ହୁଏ ।

ଭୀମବାବୁଙ୍କ ସ୍ତ୍ରୀ କହିଲେ, ଭଲ ପିଲାଟିଏ ମ ଛବିଟି ! ଯେଉଁ ପେଟରୁ ଖୁଣୀ ବାହାରିଲା, ସେଇ ପେଟରୁ ଏ ଲକ୍ଷ୍ମୀ ! ତୁଳସୀ ଲୋ, ଆମ ରାମକୁ ବାହା କଲେ କେମିତି ହୁଅନ୍ତା-?

ରାମ ତାଙ୍କ ଦିଅର ।

କହିଲି, ଛବିର ନାଁ ବଦଳି ଯାଆନ୍ତା । ସେ ହୁଅନ୍ତା ସୀତା !

ସତେ ମ, ଭାରି ଭଲ ହୁଅନ୍ତା ।

ଭୀମ ଭାଇକି ଆଗ ପଚାର ।

ଟିମାଇଙ୍କ ସ୍ତ୍ରୀ ଆସିଥିଲେ । ଘଡ଼ିଏ କାଳ ଛବିକି ଚାହିଁ ମତେ ପିଣ୍ତାକୁ ଡାକି କହିଲେ, କିଲୋ କୁଟୁମ୍ବ କଅଣ ବଢ଼ିଲେ ? ତୋ ଦିଅର ଆସିଛି ପରା, କଅଣ ହେଲା ?

ସବୁ ଠିକ୍‌ହୋଇଗଲା ନୂଆଉ ।

କେବେ ପୁଣି ଯାଉଛୁ ?

କାଲି ଆଡ଼କୁ ।

ଖୁସି ହୋଇ କହିଲେ, ପଥ ସୁମରି ଶାଶୁଘର ଯିବୁ ।

ହଁ, ନୂଆଉ, ତେମେ ଏଥର ନିଶ୍ଚିନ୍ତ ରହ ।

ଆଉ ଏ ମୂର୍ତ୍ତିଟି ?

କହିବ ଯଦି ତମ ପାଖରେ ଛାଡ଼ିଯିବି ।

ମୋତେ ଚାପଡ଼ା ମାରି କହିଲେ– ଲୋଡ଼ା ନାହିଁ ଲୋ ମୋର, ତୁଇ ନିଆଁଲାଗୀ ଅଣ୍ଟିରେ ନିଆଁ ପୂରେଇ ଚଳ୍ । ଯେତେବେଳେ ନିଆଁ ଜଳିବ, ଛାତି ପୋଡ଼ିବ, ମୋ କଥା ମନେକରୁଥିବୁ ।

– ଛବି ଅତି ଭଲ ପିଲା ନୂଆଉ ।

– ଆଉ ତୁଳସୀ କଅଣ ଖରାପ କି ? ଦାଣ୍ତ ଲୋକେ ବାର କଥା କହିବେ । ତତେ ମୁଁ ଚିହ୍ନେ । ଆଖିରେ ଦେଖିଲେ ଆଖିକି ଦୋଷ ଦେବି । ତୁଳସୀ ଯେ ପିଟା ସୁନା, ତଥାପି ମୋ ଛାତିରେ ନିଆଁ ଜଳେ । ଠାକୁରେ ତୋ ଚମରେ ଯେଉଁ ଚହଟ ଜାଳିଛନ୍ତି, ପତଙ୍ଗ ପରି ମିଣିପଗୁଡ଼ା ଧାଆନ୍ତି ସେଠିକି । ଛବିର ରୂପ ଅଛି । ଦିଅରକୁ, ଉହୁଁ, ବର ପରା, ତାକୁ କାନିରେ ବାନ୍ଧି ରଖିଥିବୁ ଲୋ । ନୋହିଲେ କାନ୍ଦି କାନ୍ଦି ଦିନ ସରିବ ନାହିଁ ।

ଉତ୍ତର ଦେଲି ନାହିଁ । ହସିଲି ।

•••

 

୪୧

 

କାନ୍ଦର କୋହ ଉଠିଲା ଜଣକ ପାଇଁ । ତାର ଉଦାର ମନ ଆଗରେ କୌଣସି ଆଘାତ ରହିପାରିବ ନାହିଁ । ମୁଁ ଏହା ଜାଣେ, ତଥାପି ମନ ଅସ୍ଥିର ହେଲା । ଭାବିଲି, ନିଜେ ଯାଇ ମନ କଥା କହିଆସିବି ଚେମା’ଇ ଆଗରେ । ମୋ ଦୁଃଖ ସେ ବୁଝିବ । ଏତିକି ମୋର ଭରସା ।

ସଞ୍ଜ ଗଡ଼ିଗଲାଣି । ମେଘ ଅନ୍ଧାର ଘୋଟିଛି । ମନୁଆକୁ ସୁରଙ୍କୁ ଦେଇ ଛବିକୁ ଡାକି କହିଲି, ରୋଷେଇ ସରିଗଲେ ସୁରଙ୍କୁ ଖାଇବାକୁ ଦେବୁ । ଆସୁ ଆସୁ ମୋର ଟିକିଏ ଡେରି ହୋଇପାରେ ।

ଗଲି ଛପି ଛପି । ଦୁନିଆ ଲୋକଙ୍କୁ କାହିଁକି ଆଜି ମୋର ଏତେ ଡର, ମୁଁ ବୁଝିପାରିଲି ନାହିଁ । ଚେମା’ଇର କବାଟ ପାଖରେ ଠିଆା ହୋଇ ରହିଲି । ଡାକିବାକୁ ତୁଣ୍ତ ଖୋଲୁନଥାଏ । କବାଟରେ ହାତ ମାରିବାକୁ ହାତ ଚଳୁନଥାଏ । କଅଣ କହିବି ନା ଫେରି ଯିବି ? ତାର ସଂସାର, ତାର ଭାଗ୍ୟ ନେଇ ସେ ରହିଛି । କାହିଁକି ତା ଜୀବନର ଶାନ୍ତିକୁ ହଲଚଲ କରିବି ?

ଫେରିଯାଇ ପାରିଲି ନାହିଁ । ଜେମୀ ଆଈର ଆତ୍ମା ଇଶାରା ଦେଉଛି, ଡେରି କାହିଁକି ?

କବାଟ ଫାଙ୍କରେ ଆଲୁଅ ଦିଶିଲା । ଥରିଲା ଗଳାରେ ଥରଟିଏ ଡାକିଲି, ଚେମା’ଇ !

କେଡ଼େ ଧୀର ସେ ଡାକ !

ଉତ୍ତର ଆସିଲା, କିଏ ?

କବାଟ ଖୋଲିଲା ।

ଆରେ, ତୁଳସୀ ଯେ । ମନେ ହେଲା ଯେପରି କିଏ ମୋ ଭିତରୁ ଡାକୁଛି । ଆ ଭିତରକୁ-

ଗଲି । ନିଜ ହାତରେ କବାଟ ବନ୍ଦ କଲି ।

ଚେମା’ଇ କହିଲା, ଆ ଏଇ ରୋଷେଇ ଘରକୁ । ଡାଲିହାଣ୍ତି ଚୁଲିରେ ବସାଇଦେଇଛି, ପୋଡ଼ିଯିବ ।

ନିଜ ହାତରେ ରାନ୍ଧୁଛ ?

ଆଲୋ, ଏଇ ହାତରେ ତୁଳସୀର ହାତ ଶହେ ଥର ବନ୍ଧା ହୋଇଛି । ଏଇ ହାତରେ ଜେମୀ ଆଈକୁ ମଶାଣିକୁ ନେଇ ଜଳାଇଦେଇଛି । କିଏ ରାନ୍ଧୁଛି କହ ତ ?

ତା ହାତରୁ ଚଟୁ ଛଡ଼ାଇ ମୁଁ ରୋଷାଇ କଲି ।

ଚେମା’ଇ ଗାଈ ମୋହିଁବାକୁ ପଦାକୁ ଗଲା ।

ମୋର ରୋଷାଇ ସରିଲା । ତାକୁ ଖାଇବାକୁ ଦେଲି । ଏଣୁ ତେଣୁ କେତେ କଥା ପଡ଼ିଲା । ଯାହା କହିବାକୁ ଏତେ ରାତିରେ ଏକୁଟିଆ ମୁଁ ତା ଘରକୁ ଧାଇଁଆସିଥିଲି, କହିବାକୁ ସାହସ ହେଲା ନାହିଁ । ତା ମୁହଁକୁ ଚାହିଁଲା ବେଳକୁ କେତେ କଥା ମନେ ପଡ଼ିଯାଉଥାଏ । ତାର ଦୁଃଖ କଷ୍ଟ ଦେଖି ମନ ନରମିଆସୁଥାଏ । କେମିତି ତୁଣ୍ତ ଖୋଲି ଏତେବଡ଼ କଥା କହିବି ?

ଖାଇ ସାରିଲା ।

ପିଣ୍ତାରେ ତା ପାଖରେ ବସିଲି ।

କଅଣ ଭାବି ସେ କହିଲା– ତୁଳସୀ, ଲାଜ ଭୟ ଛାଡ଼ି ରାତିରେ ତୁ ମୋ ପାଖକୁ ଧାଇଁଆସିଛୁ ଯେଉଁଥିପାଇଁ, ସେ କଥା ମୁଁ ଜାଣେ । ସେଥିକି ମୁଁ ଆଗରୁ ପ୍ରସ୍ତୁତ ଅଛି ।

ତେମେ ଜାଣ ?

ତୋ ମୁହଁରୁ ସେ କଥା ଫୁଟିଉଠୁଛି ।

ତାଙ୍କର କଥାରେ ବ୍ୟଥାର ସ୍ପର୍ଶ । ଛାତି ଭିତରୁ ଉଠିଲା କାନ୍ଦର କୋହ ।

ଥରିଲା ସ୍ୱରରେ କହିଲି– ମତେ କ୍ଷମା କର, ତମ ମନରେ ଆଘାତ ଦେବାକୁ ମୁଁ ଆସିଛି-

କଣ୍ଠ ରୁଦ୍ଧ ହୋଇ ଆସିଲା । ଦୁଇ ହାତରେ ମୁହଁ ଘୋଡ଼ାଇ କାନ୍ଦିଲି ।

ମୋର ହାତ ଧରି ସେ କହିଲେ– ମୋ ମନରେ କେହି କେବେ ଆଘାତ ଦେଇପାରେ କିଲୋ ?

ନିଜ ହାତରେ ମୋ ଆଖିରୁ ଲୁହ ପୋଛି କଅଁଳେଇ କହିଲେ– ତୋର ଏଇ ଲୁହ ଦିଧାର ମୋର ବାକି ଜୀବନର ସମ୍ବଳ, ଆନନ୍ଦ, ଗର୍ବ ଆଉ ସମ୍ମାନ । ଆଜି ମୁଁ ଅନୁଭବ କରୁଛି ଯେ, ମୋ କଥା ଭାବି ଆଖିରୁ ଲୁହ ଢାଳିବାକୁ ସଂସାରରେ ଜଣେ ହେଲେ ଲୋକ ଅଛି । ସେ ହେଉଛି ମୋର ତୁଳସୀ, ଯାହାକୁ ମୁଁ ମୋରି ଭିତରେ ଅନୁଭବ କରେ । ବାସ୍‌ ସେତିକି । ତୋର ଏଇ ଆଖି ଲୁହର ସ୍ମୃତି, ଆଉ ଆଜି ଏଇ ନିରୋଳା ସଞ୍ଜର ଦୃଶ୍ୟ, ଚିରଦିନ ମୋ ମନରେ ଜାଗି ରହିଥିବ ।

ବୁଝିଲି, ଚେମା’ଇ ମନରେ ଆଘାତ ଲାଗିଛି ।

ତା ମୁହଁକୁ କ୍ଷଣକାଳ ଚାହିଁ ରହିଲି । ସେହି ଗମ୍ଭୀର ମୁହଁକୁ ହତାଶା ଘୋଡ଼ାଇ ରଖିଛି । ମଳିନ ଆଖି ଦୁଇଟା ମୋତେ ଯେପରି ତିରସ୍କାର କରୁଛି ।

ସେ ଧୀରେ ଧୀରେ କହିଲା– ଭାବୁଛୁ କଣ ତୁଳସୀ, ସୁରର ହାତ ଧରି ନୂଆ ସଂସାର କଲେ ଚେମା’ଇ ମନ ଭିତରୁ ତୁ ଖସି ପଳାଇବୁ ? ମୋର ସପନର ଖେଳରେ ବାଧା ଦେଇପାରିବୁ-? ପାରିବୁ ନାହିଁ ଲୋ । ଚେମାର ଏଇ ଛାତି ଭିତରେ ଚିରଦିନ ତୁଳସୀ ଛପି ରହିଛି, ରହିବ ଶେଷଯାଏ । ସୁର ତୋ ଦେହଟା ନେଇ ସଂସାର କରୁ, ଆଉ ଚେମା... ସେ ତାର ସପନର ସଂସାର ଗଢ଼ୁ ତୁଳସୀର ସ୍ମୃତିଟି ନେଇ ।

ଚେମା’ଇ ଉଠି ଠିଆ ହେଲେ । କହିଲେ, ରାତି ବେଶି ହେଉଛି । ଚାଲ, ବଳେଇଦେଇ ଆସେ ।

ତାଙ୍କରି ପଛେ ପଛେ ଚାଲିଲି । କେତେ କଥା କହିବାକୁ ମନ ହେଉଥିଲା, ପାଟି ଖୋଲିଲା ନାହିଁ ।

ଅଧବାଟରୁ ସେ ଫେରିଗଲେ ।

ସୁର ପିଣ୍ତା ଉପରେ ବସିଥିଲେ । ମୋତେ ଦେଖି ପଚାରିଲେ, ଏତେ ଡେରି କଲ ?

ତାଙ୍କ ପ୍ରଶ୍ନର ଉତ୍ତର ନଦେଇ ମୁଁ ଓଲଟି ପଚାରିଲି, ତେମେ ସବୁ ଖାଇଲଣିଟି ?

ତୁମକୁ ଅପେକ୍ଷା କରିଥିଲି ।

ଘର ଭିତରକୁ ପଶିଗଲି । କାନ୍ଥ କଡ଼ରେ ସପ ପାରି ଛବି ମନୁଆକୁ କୋଳରେ ପୂରାଇ ଶୋଇଛି, ପଣତ ଘୋଡ଼ାଇଦେଇଛି । ଡାକିଲି, ଛବି, ଛବି.....

ଜବାବ ଦେଲା ନାହଁ । ନିଦ ହୋଇଯାଇଛି । ପଦାକୁ ଆସିଲି । କହିଲି– ସୁର, ତେମେ ଖାଇବସ, ଆମେ ଦିହେଁ ପଛରେ ଖାଇବୁଁ ।

ସୁରଙ୍କୁ ଖାଇବାକୁ ଦେଲି । ସେ ଖାଇସାରି ପଦାକୁ ଆସିଲେ । ମୁଁ ତାଙ୍କରି ପଛରେ ଆସିଲି ।

ଦୂର ଗହୀର ଆରପାଖେ ଗଛ ଗହଳି ଭିତରୁ ଖଣ୍ତିଆ ଜହ୍ନ ଉଠିଆସୁଥାଏ । ଖଣ୍ତି ଖଣ୍ତିଆ କଳା ବଉଦ ଫାଙ୍କରେ ଝରି ଆସୁଥାଏ ଜୋଛନା । ଅନ୍ଧାର ଲୁଚିଗଲାଣି ।

କହିଲି– ରାତି ନପାହୁଣୁ ଆମକୁ ଏ ଘର ଛାଡ଼ି ଚାଲିଯିବାକୁ ହେବ ସୁର, ପରଘରେ ଆଉ କ୍ଷଣେ ରହିବାକୁ ମନ ହେଉନାହିଁ । ତେମେ ତ ଜାଣ, ଟିମବାବୁ କେବଠୁଁ ଏ ଘର ନିଲାମ କରିନେଇଛନ୍ତି । ଦୟା ପାଇ ମୋତେ କିଛିଦିନ ରହିବାକୁ ଅନୁମତି ଦେଇଥିଲେ । ତେମେ ଆସିଲଣି । ଆମେ ଆମ ଘରକୁ ଚାଲିଯିବା ।

କହିଲେ, ବେଶି ବାଟ ତ ନୁହେଁ । ଜିନିଷପତ୍ର ?

ଏ ଘର ଓ ଏ ଘରେ ଯେଉଁ ଜିନିଷପତ୍ର ଅଛି, ସବୁ ଟିମ ଭାଇଙ୍କର । ସବୁ ସେମିତି ପଡ଼ିଥାଉ । ବାସନ କୁସନ ତ କିଛି ନାହିଁ । ପିନ୍ଧିଲା ଲୁଗା ନେଇ ଦେହେ ଦେହେ ଚାଲିଯିବା ।

ଆଗ୍ରହରେ କହିଲେ– ହଉ, ଟିକିଏ ସହଳ ଗଲେ ରାତି ନପାହୁଣୁ ଆମ ଗାଁରେ ଆମ ଘରେ ପହଞ୍ଚିଯିବା ।

ତାଙ୍କ ପାଖରେ ବସିଲି ।

ପଚାରିଲି, ତୁମେ ମୋ କଥା ଭାବିଲ ?

ହଁ, ତେମେ ହିଁ ଜିତିଲ । ବୁଝିଲି ଶେଷକୁ, ଦୁନିଆରେ ବଞ୍ଚିରହିବାକୁ ହେଲେ ଅନେକ କଥା ଭୁଲିଯିବାକୁ ହୁଏ, ଅନେକ କଥା ସହିବାକୁ ହୁଏ । ଆମ କୁଳରେ ଯାହା ଚଳେ, ସେହି ପ୍ରଥାର ସୁଯୋଗ ନେଇ ନୂଆ ଘର ଆମେ ଗଢ଼ିବା ।

– ଲୋକେ ପୁଣି ରଟାଇବେ ଦୁର୍ନାମ ?

କହିଲେ, ଦୁର୍ନାମ ରଟେ । ସଜ ମାଛରେ ଲୋକେ ପୋକ ପକାନ୍ତି । ପୁନେଇଁ ରାତିରେ ଦେଖନ୍ତି ଭୂତ । ଲୋକଙ୍କର କଥା ଆମ ଜୀବନର ସୁଖ ଓ ଆନନ୍ଦ ଉପରେ ଛାଇ ପକାଇପାରିବ ନାହିଁ ।

ରାତି ନପାହୁଣୁ ଯିବାର କଥା । ସୁର ଓ ମୁଁ ସଜଡ଼ାସଜଡ଼ି କରିବାରେ ବ୍ୟସ୍ତ । ଛବି ସାହାଯ୍ୟ କରୁଥାଏ ।

ସୁର କହିଲେ– ଏସବୁ ତ ସଙ୍ଗରେ ନେଇହେବ ନାହିଁ । ବରଂ ଦିନେ ଦୁଇଦିନ ଛାଡ଼ି ମୁଁ ଲୋକ ଆଣି ନେଇଯିବି ।

ସମ୍ମତି ଜଣାଇଲି ।

ସୁର ପଦାକୁ ଗଲେ ।

ଛବି ପଚାରିଲା, କୁଆଡ଼େ ଯିବା କି ତୁଳସୀ ଅପା ?

ଓଲମିଟା, ଏ ଘର ଯେ ଆମର ନୁହେଁ । ସୁର ସଙ୍ଗରେ ନିଜ ଘରକୁ ଯିବା ।

ମୁଁ ?

ତାର ନାଲି ଓଠରେ ଆଙ୍ଗୁଠି ମାରି କହିଲି, ତୁ ତୋ ତୁଳସୀ ଅପା ସଙ୍ଗେ ଯିବୁ, ମନୁଆ ସଙ୍ଗେ ଖେଳିବୁ, ଆମ ପୋଖରୀ ଉପର ଛୋଟ ବଗିଚାରେ ପ୍ରଜାପତି ଧରିବୁ ।

ତାର ସୁନ୍ଦର ମୁହଁ ମଉଳି ଆସିଲା । ଓଠ ଉପରକୁ ଆଣିଲା ଯେଉଁ ହସ, ମୋର ମନେହେଲା, ତହିଁରେ ଆଗ୍ରହ ନାହିଁ କି ସରସତା ନାହିଁ ।

•••

 

୪୨

 

ରାତି ପାହି ଆସୁଥାଏ । ତେଜହୀନ ଜହ୍ନ ମୁଣ୍ତ ଉପରକୁ ଆସିଲାଣି । ମେଘ ନଥିଲା ଆକାଶରେ ଉଜ୍ଜ୍ୱଳ ତାରାଗୁଡ଼ିକ ନିଷ୍ପ୍ରଭ ହୋଇ ନିଭିବାକୁ ବସିଲେଣି । ଥଣ୍ତା ପବନ ଶିରି ଶିରି ବହୁଛି ।

 

ଚାଲିଥାଉଁ ।

ଛବି ପଚାରିଲା, ଆଉ କେତେ ବାଟ ଅଛି ତୁଳସୀ ଅପା ?

– ତୋ ଗୋଡ଼ ଥକିଗଲା କି ଛବି ?

– ନାଇଁ, ମନୁଆକୁ ମତେ ଦେ ।

ମନୁଆର ନିଦ ଭାଙ୍ଗିଲାଣି । ଛବି ତାକୁ କାଖକୁ ନେଲା ।

ଚାଲିଥାଉଁ । ଶଗଡ଼ ଗୁଳା ଦୁଇ ପାଖେ ଧାନ କ୍ଷେତ ।

ସୁର ହାତ ଦେଖାଇ କହିଲେ, ଏଇ ଯେଉଁ ଗାଁଟା ଆଗରେ ଦିଶୁଛି, ସେଇ ।

 

ବେଶି ଦୂର ନାଇଁ । ପାଖେଇ ଆସିଲା । କେଜାଣି କାହିଁକି ମୋର ପେଟ ଭିତର ଘାଣ୍ଟି ହୋଇଗଲା । ଯେଉଁଦିନ ପ୍ରଥମେ ଏଇବାଟେ ଏଇ ଗାଁରେ ଗୋଡ଼ ଦେଇଥିଲି, ଆନନ୍ଦରେ ଗର୍ବରେ ମୋର ଛାତି ଫୁଲିଉଠିଥିଲା ।

 

ରାମ ଲକ୍ଷ୍ମଣ ପରି ଦୁଇ ଭାଇ । ଆଗରେ ଠିଆ ହେଲେ ପେଟ ପୂରିଉଠେ । ସ୍ୱାମୀ, ଯାହାଙ୍କୁ ନେଇ ମୋର ଚାରୋଟି ବର୍ଷ ସଂସାର, ମଣିଷ ଦେହରେ ତାଙ୍କର ଦେବତାର ମନ । ତାଙ୍କୁ ଦେଖିଲେ ନିଜକୁ ମୁଁ ଭୁଲିଯାଏ ।

 

ଆଜି ନୂଆ ଘର କରିବାକୁ ଯାଉଛି, ମୋରି ଆନନ୍ଦ ପାଇଁ, ଏଇ ରକ୍ତ ମାଂସ ଗଢ଼ା ଦେହଟାର ସୁଖ ପାଇଁ !

 

ମନ ଉଯନ୍ତ୍ରି ହେଲା ।

ଦୂର ଗାଁ ପାଖେଇ ଆସିଲା । ଅନ୍ଧାରିଆ ଆମ୍ବତୋଟା ପରିଷ୍କାର ଦେଖାଗଲାଣି । ତୋଟା ସେପାଖେ ଗୋଚର, ଦଣ୍ତା । ବାଟ କଡ଼ରେ ମଶାଣି, ବୁଦିବୁଦିକା ବଣ । ସେଇଠୁ ଛୋଟ ଗହୀର । ଆର ପାଖେ ଗାଁ, ଆମରି ଘର ।

 

ଗୋଡ଼ ଉଠୁନଥାଏ । କାଲି ଯେଉଁମାନେ ବୋହୂ ଦେଖିବାକୁ ଆସିଥିଲେ, ପାର୍ବତୀ ପରି ଝିଅଟି, ଲକ୍ଷ୍ମୀ ପରି ଗୁଣ, ପ୍ରଶଂସା ଶୁଣି ଖୁସି ଲାଗୁଥାଏ ।

 

ଆଜି ସେଇମାନେ ଦେଖିବାକୁ ଆସିବେ କୌତୁହଳ ମେଣ୍ଟାଇବାକୁ । ପୁରୁଣା ମଣିଷକୁ ନୂଆ କରି ଦେଖି କହିଯିବେ, ପାର୍ବତୀ ନୁହେଁ ଲୋ ଚଣ୍ତୀ, ଲକ୍ଷ୍ମୀ ନୁହେଁ ତାଙ୍କର ଭଉଣୀ । ଆଈ ବୁଢ଼ୀ ତୁନି ତୁନି କହିଯିବ କାନରେ, ଜିତିଲୁ ଲୋ ଟୋକି, ଦିଅରକୁ ଗେରସ୍ତ କଲୁ । ଛବିକୁ ଦେଖି କହିବ, ଏଇଟି କିଏ, ପତିଆରା ?

 

କେମିତି ସହିବି ଲୋକଙ୍କର କଥା ।

ଆଗରେ ତୋଟା । ଭିତରଟା ଅନ୍ଧାରିଆ । ମନେହେଲା, ସତେ ଯେପରି ସେଇ ଅନ୍ଧାର ଭିତରୁ ଛପି ଛପି ସେ ବାହାରିପଡ଼ୁଛନ୍ତି । ମୁହଁରେ ହସ, ଲୁହରେ ଢଳଢଳ ଆଖି । କହୁଛନ୍ତି କେଡ଼େ ଆଗ୍ରହରେ, ଫେରି ଆସିଲ ? ବଡ଼ ଡେରି କଲ ତୁଳସୀ । ସୁରଟା ମା ହରାଇ ତମୁକୁ ପାଇଥିଲା, ତମକୁ ଝୁରିଲା ।

 

ଦୁଇ ହାତ ବଢ଼ାଇ ସତେକି ମୋରି ପାଖକୁ ଆସୁଛନ୍ତି । ମୁଁ କହୁଛି, ଛି, ସୁର ଅଛନ୍ତି ।

ଅଜାଣତରେ ଆଖିରୁ ଝରିଲା ଲୁହ ।

ତୋଟା ସେ ପାଖେ ।

ସୁର କହିଲେ, ଏଇ ଗାଁ ମଶାଣି ।

ତାଙ୍କର କଥା କିପରି ଗୋଟାଳିଆ ଶୁଭିଲା ।

ପଚାରିଲି, ମଶାଣି ?

ମୁହଁ ଫେରାଇଲେ । କହିଲେ, ହଁ ଏଇ ବରମୂଳେ .....

କଥା ଅଟକିଗଲା ତାଙ୍କ ତଣ୍ଟିରେ ।

ସୁର କାନ୍ଦୁଛନ୍ତି ।

ସହିପାରିଲି ନାହିଁ ମନର କୋହ । କଇଁ କଇଁ ହୋଇ ପଚାରିଲି, ଏଇ ବରମୂଳେ ?

ଉତ୍ତର ପାଇଲି ନାହିଁ ।

ସେଇ ବରମୂଳେ ।

 

ଲୁହାର ଦେହ ପୋଡ଼ି ପାଉଁଶ ହୋଇଥିଲା । ଆଜି ତାର ଚିହ୍ନବର୍ଣ୍ଣ କିଛି ନାହିଁ । ଯେଉଁ ଦେହଟାର ପରଶରେ ଜୁଆର ଉଠୁଥିଲା ମନରେ, ସ୍ୱର୍ଗର ଆନନ୍ଦ ଓହ୍ଲାଇଆସୁଥିଲା ମାଟିର ଘରକୁ, ଦୁଇଟି ଆତ୍ମା ମିଶି ଏକାକାର ହୋଇଥିଲା, ସେଇ ଦେହଟା, ପାଣିପବନ ମାଟିରେ ମିଶିଯାଇଛି ଏଇଠି । ସୁରର ଦେହ ଦିନେ ଏଇଠି ମିଶିବ । ମୋର ବି ।

 

ମୋର ସ୍ୱାମୀ, କଣ ଖାଲି ମାଟିର ଦେହ ? ତେବେ, ମଲା କିଏ, ଗଲା କିଏ । ମାଟିର ଦେହଟା ତ ପଡ଼ିରହିଥିଲା ସେମିତି ।

 

ସ୍ୱାମୀ ମୋର ଦେହ ନୁହେଁ, ଆତ୍ମା । ଏଇଠି ଏଇ ପାଣି ପବନରେ ଯିଏ ଖେଳି ବୁଲୁଛନ୍ତି, ଯିଏ ଅଛନ୍ତି ମୋ ଭିତରେ ଓ ବାହାରେ ।

 

ମୋ ଦେହଟା ବିଧବା ହୋଇଛି, ଯେଉଁ ଦେହଟା କାଲି ଏଇ ମାଟିରେ ମିଶିଯିବ । ମୋ ଆତ୍ମା, ମନ ବିଧବା ନୁହେଁ ।

 

ଆଖିରୁ ପୋଛିଲି ଲୁହ ।

ସୂର୍ଯ୍ୟ ଉଠିଆସୁଥାନ୍ତି–

ସୁର କହିଲେ– ଉଠ, ରାତି ପାହିଗଲା ।

ସୁରଙ୍କୁ ପାଖକୁ ଡାକିଲି । ଛବିକୁ ମଧ୍ୟ । ମନୁଆକୁ କୋଳକୁ ନେଲି ।

 

କହିଲି, ରାତି ପାହିଲା, ଏଇ ସୂର୍ଯ୍ୟ ଉଠିଲେଣି । ରାତି ପାହିଲା ସୁର, ମୋର ନିଦ ଭାଙ୍ଗିଲା । ନୂଆ ଦିନ, ଆଜି ଆମର ନୂଆ ସଂସାର ଆରମ୍ଭ । ବସ୍‌ଲୋ ଛବି ।

 

ଦିହେଁ ମୋ ପାଖରେ ବସିଲେ ।

ମୋ ହାତରୁ କାଚ କାଢ଼ି ସେଇ ମଶାଣି ଭୂଇଁକୁ ଦେଲି । ଗୋଟିଏ ହାତରେ ସୁରର ହାତ ଓ ଆରଟିରେ ଛବିର ହାତ ଧରି ଏକାଠି କଲି । କହିଲି, ଆମର ନୂଆ ଘର, ନୂଆ ସଂସାରର ସାକ୍ଷୀ ତମର ଭାଇ । ସେ ଏଇ ମଶାଣି ଭୂଇଁର ପବନରେ ଅଛନ୍ତି, ଆଉ ଅଛନ୍ତି ମୋରି ଭିତରେ, ମୋର କୋଳରେ । ସୁର, ଥରଟିଏ ଡାକ, ନୂଆଉ । ସେମିତି ତମର ଗେହ୍ଲା, ମନହଜା ଡାକ ଶୁଣିଲେ ମୋର ପେଟ ପୂରିଉଠିବ । ଛବି ଲୋ, ଡାକ୍‌ ତୁଳସୀ ଅପା–

 

ଆଖିରେ ଲୁହ ଭରିଗଲା ।

ଦୁହିଁଙ୍କୁ ଏକାଠି ମୋର ଦୁଇ କାନ୍ଧକୁ ଆଉଜାଇ ଆଣିଲି । ସେଇ ମୋର ତୃପ୍ତି ।

ମନୁଆ ଡାକିଲା– ଦାଦା, ହେଇ ....

ସମସ୍ତେ ଚାହିଁଲୁ ଉଠିଆସୁଥିବା ସୂର୍ଯ୍ୟର ହସିଲା ମୁହଁକୁ ।

Image